Unknown

 

 

 

 

 

 

 

 

 

 

ସୁଲତାନା

(ଐତିହାସିକ ଉପନ୍ୟାସ)

ବିଭୂତି ପଟ୍ଟନାୟକ

 

 

 

 

 

 

 

 

 

 

 

 

ମୋର ଇତିହାସ ଅଧ୍ୟାପକ

......ମାନନୀୟେଷୁ ।

 

ଏକ

 

ଅପରାହ୍ନରେ ଆୟତ ଆଲୋକରେଖା ରାଜପ୍ରାସାଦର ମଲ୍ ମଲ୍ ପ୍ରସ୍ତର ଖମ୍ବ ସହ ଲୁଚୁକାଳି ଖେଳିବାକୁ ଆରମ୍ଭ କରିଛି ।

 

ସୁଲତାନ ଇଲତୁମିସ୍ ବିବର୍ଣ୍ଣ ଆକାଶଆଡ଼େ ଥରେ ଚାହିଁ ଆଉ ଥରେ ଦୃଷ୍ଟି ଫେରାଇ ନେଉଛନ୍ତି ସେହି ଝିଲ୍‍ମିଲ୍‍ ଖରା ଆଡ଼କୁ ।

 

ସୂର୍ଯ୍ୟାଲୋକର ତେଜ ମହଳଣ ପଡ଼ିଆସୁଛି । ଉତ୍ତାପର ସମସ୍ତ ତୀକ୍ଷଣତା ହରାଇ ଅପରାହ୍ନର ସୁବର୍ଣ୍ଣ ମୟୁଖ ଛୋଟ ଶିଶୁର ହସ-ଭଳି ହୋଇ ଉଠୁଛି ସ୍ନିଗ୍‍ଧ, ଶୀତଳ ।

 

ସୁଲତାନଙ୍କ ଜୀବନର ମଧ୍ୟ ଏହା ହେଉଛି ତେଜହୀନ ଅପରାହ୍ନ । ଜୀବନର ଦୀପ୍ତି ସେ ହରାଇଛନ୍ତି । ହରାଇ ବସିଛନ୍ତି ମଧ୍ୟ ସେ ରାଜ୍ୟ-ଜୟ, ସାମ୍ରାଜ୍ୟ ବିସ୍ତାର କରିବାର ସମସ୍ତ ବ୍ୟାକୁଳ-ବ୍ୟଗ୍ରତା, ଆକୁଳ-ଆଗ୍ରହ । ଅପରାହ୍ନର ଶୀତଳ ଆଲୋକ ଭଳି ମନର ସମସ୍ତ ଉଦ୍ଦୀପନା ତାଙ୍କର ଶିଥିଳ ହୋଇ ପଡ଼ିଛି । ଆଜି ସେ ବିଶେଷ ଭାବରେ ଅନୁଭବ କରୁଛନ୍ତି ଜୀବନର ଏ ସକରୁଣ ଅପରାହ୍ନରେ, ସମୟ ତାଙ୍କର ଆସନ୍ନ । ସୂର୍ଯ୍ୟାସ୍ତର ଲୋହିତ ଆଲୋକରେଖା ଭଳି ତାଙ୍କ ଦୃଷ୍ଟିର ପ୍ରଦୀପରେ ଯେଉଁ ବାଦଶାହୀ ସ୍ଵପ୍ନ ପୁଞ୍ଜିଭୂତ ହୋଇ ରହିଛି, ସେ ଆଲୋକ ରେଖାକୁ ରାତ୍ରିର ଅନ୍ଧକାର ଗ୍ରାସ କରିଯିବାକୁ ଆଉ କାଳବିଳମ୍ବ ନାହିଁ ।

 

ମନ୍ଥର ଅଥଚ ନିଶ୍ଚିତ ପଦକ୍ଷେପରେ ପକ୍ଷ ବିସ୍ତାର କରି ରାତ୍ରିର ଅନ୍ଧକାର ଆସୁଛି ।

 

ରାଜଅନ୍ତଃପୁରର ସେହି ଶଙ୍ଖମଲ୍‍ମଲ୍ ପ୍ରସ୍ତର ଖମ୍ବକୁ ଆଉଜି ରୁଦ୍ଧଶ୍ୱାସରେ ଠିଆହେଲେ ସୁଲତାନ୍‍ ଇଲତୁମିସ୍‍ । ତାଙ୍କ ବକ୍ଷ ପିଞ୍ଜରା ମଧ୍ୟରେ ବହୁ ଆବରୁଦ୍ଧ ଆବେଗ ପକ୍ଷ ପିଟି ସୁତୀବ୍ର କୋଳାହଳ ସୃଷ୍ଟି କରିଥିଲା । ଆଖି ଆଗରେ ଭାସି ଉଠୁଥିଲା ଅଦୂର ଅତୀତର ସେଇ ନିର୍ମମ ସ୍ମୃତି ସବୁ...ଯାହାକୁ ବାଦ ଦେଲେ ସେ ଦିଲ୍ଲୀର ବାଦଶାହା ନୁହନ୍ତି, ସାମାନ୍ୟ କ୍ରୀତଦାସ ମାତ୍ର !

 

ବୋଖାରାର ନିଷ୍ଠୁର ଦିନଗୁଡ଼ିକ...... ।

 

ନିର୍ବୋଧ-କୈଶୋରର ସେହି ସକରୁଣ ଅପର୍ଯ୍ୟାପ୍ତ ସ୍ମୃତି ସବୁ ଆଜି ତାଙ୍କ ଦୃଷ୍ଟିର ରାଜପଥରେ ଶୋଭାଯାତ୍ରା କରି ଯିବାକୁ ଆରମ୍ଭ କରି ଦେଲେ ।

 

ତାଙ୍କର ନିଜର ଭାଇ, ବନ୍ଧୁ, ଦୋସର...ଯେଉଁମାନଙ୍କ ସହ ତାଙ୍କର ଥିଲା ରକ୍ତର ସମ୍ପର୍କ, ନିବିଡ଼ ଆତ୍ମୀୟତା... ସେଇମାନେ ହିଁ ଦିନେ ତାଙ୍କୁ ପଣ୍ୟଦ୍ରବ୍ୟ ଭଳି ବିକ୍ରୀ କରି ଦେଇଥିଲେ କ୍ରୀତଦାସ ଭାବରେ !

 

ଓଃ, କି ଯନ୍ତ୍ରଣାଦାୟକ ସେ ସବୁ ଘଟଣା ! ଆଜି ମନେ ପଡ଼ିଗଲେ କି ଦେହରେ ରୋମମୂଳ ଟଙ୍କାଙ୍କୁରିତ ହୋଇ ଉଠୁଛି ।

 

ସେତିକିରେ ତା’ର ସମାପ୍ତି ଘଟିଲା ନାହିଁ ।

 

ଜଣେ ପ୍ରଭୁ ପାଖରେ ଅଳ୍ପ କିଛିଦିନ ଦାସତ୍ୱ କଲା ପରେ ଅଧିକ ମୂଲ୍ୟରେ ଆଉ ଜଣେ ନୂତନ ପ୍ରଭୁଙ୍କ ପାଖରେ ତାଙ୍କୁ ବିକ୍ରୀ କରି ଦିଆଗଲା । ଜଣକ ପରେ ଆଉଜଣେ...ଜଣକ ପାଖକୁ...କେତେ ଲଜ୍ଜାଜନକ ହୀନକାର୍ଯ୍ୟ ।

 

ଆଉ ଅବଶେଷରେ ଗଜନିରେ...

 

ସେତେବେଳକୁ ସ୍ଵଳ୍ପମୂଲ୍ୟର କ୍ରୀତଦାସ ଇଲତୁମିସ୍‍ ବହୁ ମୂଲ୍ୟବାନ ଦାସରେ ପରିଣତ ହୋଇ ଯାଇଥିଲେ । କାହାର ଏତେ ଟଙ୍କା, ଏତେ କଉଡ଼ି ଅଛି ଅଛି ଯେ ତାଙ୍କୁ ମୂଲ୍ୟଦେଇ କ୍ରୟ କରିବ... ?

 

କ୍ରୀତଦାସର ବଜାରରେ ସେଦିନ ସେ ମହାର୍ଘ ବସ୍ତୁ ।

 

ଗଜନୀରେ ବଣିକ, ମୌଲବି କେହି ନ ଥିଲେ ଯେ ତାଙ୍କୁ ଏତେ ଦେଇ କ୍ରୟ କରିବ !

 

ତାଙ୍କର ଦୁଇ ଓଷ୍ଠପ୍ରାନ୍ତରେ ସେଦିନ ବିଚିତ୍ର ଏକ ହସର ତରଙ୍ଗ ଉବ୍ଦେଳିତ ହୋଇ ଉଠିଥିଲା । ସେ ମନେ ମନେ ଅଶ୍ୱସ୍ତ ହୋଇଥିଲେ, ଯାହାହେଉ ତାଙ୍କର କ୍ରୀତଦାସର ଜୀବନ ଶେଷ ହୋଇଗଲା ।

 

କିନ୍ତୁ ଭାଗ୍ୟର କି ବିଡ଼ମ୍ୱନା !

 

ତାଙ୍କୁ କ୍ରୟ କରିବାକୁ ସେ ଗଜନୀରେ କ୍ରେତାର ଅଭାବ, ଏ ସମ୍ବାଦ ଦିଲ୍ଲୀର ସୁଲତାନ କୁତୁବୁଦ୍ଦିନ ଆଇବାକ୍‍ଙ୍କ ପାଖରେ ପହଞ୍ଚି ଯାଇଥିଲା । ଅବଶେଷରେ ବହୁ ମୁଦ୍ରା ଦେଇ ସେ ତାଙ୍କୁ କିଣି ଆଣିଥିଲେ ଦିଲ୍ଲୀ !

ସୁଲତାନ ଇଲତୁମିସ୍‍ଙ୍କ ଓଠର ଉପକୂଳରେ ସେଦିନର ସେ ସବୁ କଥା ମନେ ପଡ଼ିଯିବାକ୍ଷଣି କ୍ଷୁଦ୍ର ଏକ ହାସ୍ୟ ରେଖା ଉଦ୍ଭାସିତ ହୋଇ ଉଠିଲା ।

ଦୃଷ୍ଟିର ପରଦାରେ ନୃତ୍ୟ କରି ଉଠିଲା ସ୍ୱର୍ଗୀୟ ସୁଲତାନ୍ ଆଇବାକ୍‍ଙ୍କ ଦୀର୍ଘ ଦେହ, ଗମ୍ଭୀର, ଶାନ୍ତି ମୁଖମଣ୍ଡଳ ! ତାଙ୍କରି ସ୍ନେହର ଆର୍ଦ୍ରତାରେ ସିକ୍ତ ହୋଇଥିଲା ଇଲତୁମିସ୍‍ଙ୍କ ଜୀବନର ସେ ରୁକ୍ଷ ଜୀବନଗୁଡ଼ିକ ସେଦିନ ।

ଆଜି ବି ଇଲତୁମିସ୍‍ଙ୍କର ମନେହୁଏ, ଦିଲ୍ଲୀର ସୁଲତାନ ହେବା ଅପେକ୍ଷା ଆଇବାକ୍‍ଙ୍କ ପାଖରେ ଆଜୀବନ ଦାସତ୍ୱ କରିପାରିଥିଲେ ସେ ସର୍ବାନ୍ତଃକରଣରେ ସୁଖୀ ହୋଇ ପାରିଥାଆନ୍ତେ ।

କିନ୍ତୁ ଆଲ୍ଲା......ବଡ଼ଲୋକ ।

ଇଲତୁମିସ୍‍ଙ୍କୁ ଶୋକର ସହାସମୁଦ୍ରରେ ସନ୍ତରଣ କରିବାକୁ ନିକ୍ଷେପକରି ଆଲ୍ଲା ଆଇବାକ୍‍ଙ୍କୁ ନେଇଗଲେ ନିଜ ପାଖକୁ । ଅବଶେଷରେ କଣ୍ଟକିତ ଦିଲ୍ଲୀ ଦରବାରର ରାଜସିଂହାସନରେ ତାଙ୍କୁ ହିଁ ବସିବାକୁ ହେଲା । ରାଜସିଂହାସନର ଉନ୍ମୁଖ କଣ୍ଟକରେ ସେ ଦିନୁ ସେ ବହୁ ଭାବରେ ବିକ୍ଷତ ହୋଇଛନ୍ତି । କିନ୍ତୁ ଦାୟିତ୍ଵ ଏଡ଼ାଇ କେବେହେଲେ ସାଙ୍ଗ ସୁରାର ନିଶାରେ ସେ ଉନ୍ନତି ହୋଇ ନାହାନ୍ତି । ବୁଲ୍‍ବୁଲ୍‍ର ମଧୁର କଣ୍ଠକାକଳି ଭିତରେ ସେ ଶୁଣିଛନ୍ତି ଆଇବାକ୍‍କ ଉଦ୍ଦାତ୍ତ ଆଦେଶ, ଦାସ ବଂଶର ରାଜସିଂହାସନରେ ବସି ନଜର ଦାୟିତ୍ଵ ଭୁଲିଯାଅ ନାହିଁ ଇଲତୁମିସ୍‍ ! ଶତ୍ରୁ ସୁଯୋଗ ଅପେକ୍ଷାରେ ରହିଛନ୍ତି....ହିନ୍ଦୁ ରାଜପୁତ୍, ମୋଙ୍ଗଲ ଦସ୍ୟୁ...ସମସ୍ତଙ୍କ ଲୋଲୁପ ଦୃଷ୍ଟି ଏଇ ଦିଲ୍ଲୀ ଉପରେ... ।

ଆଉ କୁତ୍‍ବମିନାରର ଉପାସନା ମନ୍ଦିରରେ ଆଲ୍ଲାଙ୍କୁ ପ୍ରାର୍ଥନା କଲାବେଳେ... ।

ସେତେବେଳେ ତାଙ୍କ କର୍ଣ୍ଣକୁହରରେ ଧ୍ଵନିତ ହୋଇ ଉଠିଛି ତାଙ୍କର ପରମ ପୂଜ୍ୟ ଧର୍ମଗୁରୁ କୁତବଉଦ୍ଦିନ ବଖ୍‍ତିଆରଙ୍କ ସେଇ ଶାନ୍ତକଣ୍ଠର ଆଦେଶ, ଆଲ୍ଲାଙ୍କ ଦୟାରୁ କ୍ରୀତଦାସରୁ ତମେ ସୁଲତାନ ହୋଇଛ ଇଲତୁମିସ୍‍ ! ସେ ରାଜସିଂହାସନକୁ ସୁରକ୍ଷିତ କରିବା ତମର ପବିତ୍ର କର୍ତ୍ତବ୍ୟ । ତା ନ ହେଲେ ତମେ ଧର୍ମଦ୍ରୋହୀ ହେବ......

ସମ୍ଭୋଗ ନୁହେଁ, ସତର୍କତା ହିଁ ତାଙ୍କର ଏକମାତ୍ର ଧ୍ୟେୟ ବସ୍ତୁ ହୋଇଆସିଛି ସିଂହାସନ ଆରୋହଣ ପରମୁହୂର୍ତ୍ତଠାରୁ । ବହୁ ବିଭକ୍ତ ମନ, ବହୁ ବିଚ୍ଛିନ୍ନ ଚିନ୍ତାଧାରା ସମନ୍ଵିତ କରି ସେ ରାଜ୍ୟର ଏକତା ରକ୍ଷା କରିଛନ୍ତି ।

ଚତ୍ଵାରିଂଶ ଅମୀରଙ୍କ ଅକୁଣ୍ଠିତ ସହଯୋଗରେ ତାଙ୍କର ସାମ୍ରାଜ୍ୟର ସୀମାରେଖା ପେଶୱାର ଠାରୁ ଉତ୍ତର ପଶ୍ଚିମରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ସୀମା ଗୁଜୁରାଟ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଶତ୍ରୁ ହୋଇଛି ସଂନ୍ତ୍ରସ୍ତ । ସିଂହାସନଲୋଭୀ ଈର୍ଷା-କାତର ପ୍ରତିଦ୍ଵନ୍ଦୀ ହୋଇଛନ୍ତି ସ୍ତବ୍‍ଧ ।

ସେ ପ୍ରଭୁଙ୍କ ଆଦେଶ ଅମାନ୍ୟ କରି ନାହାନ୍ତି, ଧର୍ମଦ୍ରୋହୀ ମଧ୍ୟ ହୋଇ ନାହାନ୍ତି । ଉତ୍ତର ପଟୁ ଅଚାନକ କଳା ମେଘ ଭଳି ଚେଙ୍ଗିଜଶାହୀ ମୋଙ୍ଗଲମାନେ ଦିଲ୍ଲୀ ସିଂହାସନ ଉପରେ ଆତଙ୍କର କୃଷ୍ଣ ଛାୟା ଆଚ୍ଛାଦନ କରି ମାଡ଼ି ଆସିଲାବେଳେ, ତାଙ୍କର ରକ୍ତପାୟୀ ଉଦ୍ୟତ ଖଡ୍‍ଗ ଚକ୍ର ବେଗରେ ଆବର୍ତ୍ତିତ ହୋଇଛି । ଦୈତ୍ୟ-ପ୍ରାୟ ମୋଙ୍ଗଲ ଦସ୍ୟୁ ଭୂପତିତ ହୋଇଛନ୍ତି । ସେମାନଙ୍କ ଶୋଣିତ ସ୍ରୋତରେ ରଞ୍ଜିତ ହୋଇଛି ଭାରତବର୍ଷର ଉର୍ବର ମୃତ୍ତିକା !

 

କିନ୍ତୁ ଆଜି କାହିଁକି ଅବସନ୍ନ ବୋଧ କରୁଛନ୍ତି ସୁଲତାନ !

 

ଇଲତୁମିସ୍‍ଙ୍କ କପୋଳର ରେଖାଗୁଡ଼ିକ କୁଞ୍ଚିତ ହୋଇ ଉଠିଲା । ଏଇମାତ୍ର ସେ ସିନ୍ଧ୍-ସାଗର-ଦୋଆବ୍‍ର ବିଦ୍ରୋହ ଦମନ କରି ରାଜପ୍ରାସାଦକୁ ଫେରିଛନ୍ତି । ପୂର୍ବଥର ପରି ଏଥର ମଧ୍ୟ ବିଜୟ-ଲକ୍ଷ୍ମୀ ତାଙ୍କ ସପକ୍ଷରେ । କିନ୍ତୁ କେଜାଣି କାହିଁକି ତାଙ୍କର ମନେହେଉଛି, ଏ ତାଙ୍କର ଶେଷ ଅଭିୟାନ । ସମୟ ତାଙ୍କର ସମାପ୍ତ ହୋଇ ଆସୁଛି । ଆଲ୍ଲାଙ୍କ ଆହ୍ଵାନ ତାଙ୍କ ପାଖକୁ ଖୁବ୍ ଶୀଘ୍ର ହୁଏ ତ ଆସିପାରେ ।

 

ବିଦାୟ ନେବା କଥା ସ୍ମରଣ କରି ମନେ ମନେ ହସିଉଠିଲା ସୁଲତାନ୍ । ନିଜର ଦୀର୍ଘ ପକ୍ଵଶ୍ମଶ୍ରୁ ଉପରେ ସ୍ନେହରେ ଅଙ୍ଗୁଳି ଚାଳନା କରୁ କରୁ ସେ ସ୍ଵର୍ଗତୋକ୍ତି କରି ଉଠିଲେ, ଏ ଦିଲ୍ଲୀ ସିଂହାସନ ରହିଛି, ଅଥଚ କେତେ ସମ୍ରାଟ, ସୁଲତାନ୍ ଧାବମାନ କାଳସ୍ରୋତରେ ଲୀନ ହୋଇଗଲେଣି । ଆଉ ସେ ଯିବେ, ଏଥିପାଇଁ ଶୋଚନା କରି ଲାଭ କଅଣ ?

 

ନିଜ ପାଇଁ ଶୋଚନା ନ ଥିଲା ସୁଲତାନଙ୍କର ।

 

ତାଙ୍କର ଭାବନା ଦାସବଂଶର ରାଜତ୍ୱ ପାଇଁ । ବହୁ ସ୍ୱେଦ ଓ ଶୋଣିତ ଦେଇ ସେ ଏ ସିଂହାସନକୁ ସୁରକ୍ଷିତ କରିଛନ୍ତି, ସାମ୍ରାଜ୍ୟର ସୀମାରେଖା ସଂପ୍ରସାରିତ କରିଛନ୍ତି । ସେ ଯିବା ପରେ ମଧ୍ୟ ସେ ସିଂହାସନ ଓ ସାମ୍ରାଜ୍ୟ ଅକ୍ଷୁର୍ଣ୍ଣ ରହିବ-ଏହା ହିଁ ତାଙ୍କର ଏକମାତ୍ର ସ୍ଵପ୍ନ, ଆନ୍ତରିକ କାମନା ।

 

କିନ୍ତୁ କିଏ ହେବ ତାଙ୍କ ପରେ ଉତ୍ତରାଧିକାରୀ ?

 

ଜ୍ୟେଷ୍ଠପୁତ୍ର ରୁକ୍‍ନଉଦ୍ଦିନ !

 

ବିରକ୍ତିରେ ସୁଲତାନଙ୍କ ମୁଖ ବିକୃତ ହୋଇଗଲା ।

 

ସେ ମନେ ମନେ କହି ଉଠିଲେ, ଅଯୋଗ୍ୟ, ଅକ୍ଷମ, ଅପଦାର୍ଥ !

 

ଆଉ.... !

 

ହୁଁ......, ତାହା ହିଁ ଆଲ୍ଲାଙ୍କର ଇଚ୍ଛା ।

 

ସେ ବଡ଼ ପାଟିରେ ଡାକ ପକାଇଲେ, ରାକ୍ଷୀ ! ତାଜୁଦ୍ଦିନ୍‍ଙ୍କୁ ସାଙ୍ଗେ ସାଙ୍ଗେ ଆସିବାକୁ ସଂବାଦ ଦିଅ !

 

କିଛି ସମୟ ପରେ ମସ୍ତକ ଅବନତ କରି ଲଘୁ ପଦକ୍ଷେପରେ ସେଠାରେ ପ୍ରବେଶ କଲେ ତାଜୁଦ୍ଦିନ୍ । ଦାର୍ଶନିକସୁଲଭ ବିନମ୍ରତାରେ ମୁଖରେଖାଗୁଡ଼ିକ ତାଙ୍କର ସ୍ପଷ୍ଟ, ସରଳ । ସେ ହିଁ ସୁଲତାନଙ୍କର ଏକମାତ୍ର ବିଶ୍ଵସ୍ତ ସଚିବ ।

 

ସୁଲତାନ୍ ଗମ୍ଭୀର କଣ୍ଠରେ କହିଲେ, ମୋର ଉତ୍ତରାଧିକାର ସମ୍ପର୍କରେ ଉଇଲ୍ କରି ଦେଇଯିବାକୁ ମୁଁ ଚାହେଁ । ତମେ ସେ ଦଲିଲ୍ ପ୍ରସ୍ତୁତ କରି ନିଅ ତାଜୁଦ୍ଦିନ ।

 

ନିର୍ବୋଧଙ୍କ ଭଳି ସୁଲତାନଙ୍କ ମୁହଁକୁ ଚାହିଁରହିଲେ ଦାର୍ଶନିକ ରାଜନୀତିଜ୍ଞ ତାଜୁଦ୍ଦିନ । ସୁଲତାନଙ୍କ କଣ୍ଠରେ ଏ କି କଥା !

 

ଇଲତୁମିସ୍‍ ହାସ୍ୟରୋଳରେ କକ୍ଷକୁ ଶବ୍ଦାୟିତ କରି କହିଲେ । ଚାହିଁ ରହିଲ ଯେ ! ଏ ସୁଲତାନଙ୍କ ଆଦେଶ । ଏ ଆଦେଶ ତମକୁ ପାଳନ କରିବାକୁ ହିଁ ହେବ । ମୁଁ ଚାହେଁ, ମୋ ପରେ ଦିଲ୍ଲୀସିଂହାସନ ଆରୋହଣ କରିବେ ମୋର କନ୍ୟା ରେଜିୟା... ।

 

ହଠାତ୍ ଯେପରି ବଜ୍ରପାତ ହୋଇଗଲା !

 

ସୁଲତାନ୍ !

 

ଇଲତୁମିସ୍‍ ପଛକୁ ଫେରି ଚାହିଁଲେ ।

 

ପଛରେ ଠିଆ ହୋଇଛନ୍ତି ବେଗମ ଶାହା ତୁରକାନ୍ ! ତାଙ୍କର ଇନ୍ଦ୍ର-ନୀଳ ଆଖି ପତାରେ ଠୁଳ ହୋଇଛି ଈର୍ଷାର ଅଗ୍ନି-କଣିକା । ବିପୁଳ ଉତ୍ତେଜନାରେ ପ୍ରକମ୍ପିତ ହେଉଛି ତାଙ୍କର ଦେହରେଖା; ସ୍ଫୁରିତ ଅଧରରେ ଝଡ଼ର ଝଙ୍କାର ।

 

ସୁଲତାନ୍ କିନ୍ତୁ ଅବିଚଳିତ ।

 

ମୁହଁରେ ତାଙ୍କର ବିଚଳନର ସାମାନ୍ୟ ସୂଚନା ସୁଦ୍ଧା ନାହିଁ । ବେଗମଙ୍କ ଆଡ଼କୁ ତୀର୍ଯ୍ୟକ ଦୃଷ୍ଟିନିକ୍ଷେପ କରି ସେ କହିଲେ, ବହୁ ଭାବିଚିନ୍ତି ମୁଁ ଏ ନିଷ୍ପତ୍ତି କରିଛି ମାଲିକା ! ଏହା ହିଁ ଆଲ୍ଲାଙ୍କର ଇଚ୍ଛା । ଯୁଦ୍ଧରୁ ଫେରିବା ପରେ ମୁଁ ଅବସନ୍ନ ବୋଧ କରୁଛି । ଏ ସମ୍ପର୍କରେ ଯେତେ ଶୀଘ୍ର ସମ୍ଭବ ଉଇଲ୍ ହୋଇଯିବା ମଙ୍ଗଳଜନକ । ତମେ କେହି ଏଥିରେ ବାଧା ଦିଅ ନାହିଁ ।

 

ଝଡ଼ର ତାଳରେ ଭୈରବୀନୃତ୍ୟ କଲା ଭଳି ଅଙ୍ଗଭଙ୍ଗୀ କରି ଶାହା ତୁରକାନ୍ କ୍ରୁଦ୍ଧକଣ୍ଠରେ କହିଲେ, ଜ୍ୟେଷ୍ଠପୁତ୍ର ଥାଉ ଥାଉ ତମେ କନିଷ୍ଠ କନ୍ୟାକୁ ଉତ୍ତରାଧିକାରିଣୀ ମନୋନୀତା କରିଗଲେ ତୁର୍କୀ ଅମୀରମାନେ ତାହା ସହ୍ୟ କରିଯିବେ ବୋଲି ଆଶା କରିପାରୁଛ ?

 

ସୁଲତାନଙ୍କ ଧ୍ୟାନ-ଗମ୍ଭୀର ମୁଖମଣ୍ଡଳରେ ଏଥର ଉତ୍ତେଜନାର ଚାଞ୍ଚଲ୍ୟ ଦେଖାଦେଲା-

 

ସେ ନାଟକୀୟ ଭଙ୍ଗୀରେ କହିଲେ, କୋଷମୁକ୍ତ କୃପାଣର ଶକ୍ତି ହିଁ ସିଂହାସନ ଦାବୀ ସାବ୍ୟସ୍ତ କରେ ମାଲିକା ! ରାଜରକ୍ତର ଜ୍ୟେଷ୍ଠ କିମ୍ବା କନିଷ୍ଠତା ନୁହେଁ । ରୁକ୍‍ନଉଦ୍ଦିନ ଜ୍ୟେଷ୍ଠପୁତ୍ର ହୋଇପାରେ; କିନ୍ତୁ ସେ ମଦ୍ୟପ, ନାରୀ ରୂପଲୋଭୀ ଦୁର୍ବଳ ପୁରୁଷ । ସେ ସମ୍ଭୋଗ ଜାଣେ, ଶାସନ ଜାଣେ ନାହିଁ । ତମେ ମାଆ ହୋଇ ସନ୍ତାନର ଦୁର୍ବଳତା କ୍ଷମା କରିପାର; କିନ୍ତୁ ରାଜ୍ୟ ଲୋଭୀଶତ୍ରୁମାନେ !!

 

ବେଗମ୍‍ଙ୍କ କଣ୍ଠ ନିରବ ହୋଇଗଲା ସତ; କିନ୍ତୁ ମୁଖମଣ୍ଡଳରୁ ପ୍ରତିବାଦର ଭଙ୍ଗୀ ମଳିନ ହେଲା ନାହିଁ ।

 

ତାଜୁଦ୍ଦିନ ନିରବ ଦର୍ଶନ ଭଳି ଏତେବେଳ ପର୍ଯ୍ୟନ୍ତ ସବୁ କଥା ଶୁଣୁଥିଲେ । ସୁଲତାନ କଥା ଶେଷ କରିବା ପରେ ସେ ବିନମ୍ର କଣ୍ଠରେ କହିଲେ, ରେଜିୟା ବିଚକ୍ଷଣ ବୃଦ୍ଧିମତୀ, ସାହସିକା ରାଜକନ୍ୟା ସତ୍ୟ । ହେଲେ ହେଁ ସେ ନାରୀ...ମୌଲବୀ, ଅମୀରମାନେ ତାଙ୍କର ଆଦେଶ ମାନି କାର୍ଯ୍ୟ କରିବାକୁ ସମ୍ମତ ହେବେ ତ ?

 

ଶୂନ୍ୟ ଦୃଷ୍ଟିରେ ସୁଲତାନ ଅନେକ ସମୟ ପର୍ଯ୍ୟନ୍ତ ଅଦୂରବର୍ତ୍ତୀ ରାଜୋଦ୍ୟାନ ଆଡ଼େ ଚାହିଁରହିଲେ ।

 

କେତୋଟି ବୁଲ୍‍ବୁଲ୍‍ ପକ୍ଷୀଙ୍କ ମଧୁର କଣ୍ଠସ୍ୱର ସମୀରର ହିଲ୍ଲୋଳରେ ଚହଲି ଚହଲି ଭାସି ଆସୁଥିଲା ।

 

ସୁଲତାନ ଅସ୍ଥିର ଭାବରେ କକ୍ଷରେ ପଦାଚାରଣ କରୁ କରୁ ଉତ୍କର୍ଣ୍ଣ ହୋଇ ଶୁଣୁଥିଲେ ସେଇ ମଧୁର ସ୍ୱରଲହରୀ ।

 

ତାଜୁଦ୍ଦିନ ଯେଉଁ ଯୁକ୍ତି ଉପସ୍ଥାପିତ କରୁଛନ୍ତି, ସେକଥା ଅନେକ ଆଗରୁ ଭାବି ଦେଖିଥିଲେ ସୁଲତାନ । ଯୁକ୍ତି ଦେଇ ସେ ଯୁକ୍ତି ଖଣ୍ଡନ କରି ଦେଇ ପାରିବେ । କିନ୍ତୁ ନିଜ ପ୍ରାଣପ୍ରିୟା ବେଗମ୍‍ଙ୍କ ହୃଦୟରେ ଯେଉଁ ଅସନ୍ତୋଷ, ତାକୁ କୌଣସି ଯୁକ୍ତି ଦେଇ ଦୂର କରିହେବ ନାହିଁ ।

 

ସୁଲତାନ ଜାଣନ୍ତି, ନାରୀର ଅବାଧ୍ୟ ମନକୁ ଯୁକ୍ତି ଦେଇ ବୁଝାଇ ହୁଏ ନାହିଁ, ଧମକ ଦେଇ ଶାନ୍ତ କରାଯାଏ ।

 

ଶାହା ତୁର୍କାନଙ୍କଆଡ଼କୁ ଦୃଷ୍ଟି ଉତ୍ତୋଳନ କରି ସେ କହିଲେ ଦାସବଂଶ ରାଜତ୍ୱର ବିଚିତ୍ର ଇତିହାସ ତମେ ଜାଣ । ଦିଲ୍ଲୀ ସିଂହାସନ ଉପରେ ସେମାନଙ୍କର ଅଧିକାର ଉତ୍ତରାଧିକାର ସୂତ୍ରରେ ନୁହେଁ; ଶକ୍ତି ପ୍ରଦର୍ଶନ ବଳରେ ପ୍ରତିଷ୍ଠିତ । ଆଉ ମୋ ପୂର୍ବରୁ ସୁଲତାନ ଆଇବାକ୍‍ଙ୍କ ପୁତ୍ର ତ ରାଜସିଂହାସନ ଅଧିକାର କରିଥିଲେ...କଅଣ ହେଲା ତାଙ୍କର ଅବସ୍ଥା ? କେତେଦିନ ସେ ସୁଲତାନ ହୋଇ ରହିପାରିଲେ ? ରୁକ୍ଉଦ୍ଦିନ ସୁଲତାନ ହେଲେ ତାର ଅବସ୍ଥା ମଧ୍ୟ ଠିକ୍ ତାହା ହିଁ ହେବ...ତା’ପରେ ହୁଏତ ମୁଁ ଯେପରି ସୁଲତାନ ହେଲି ଚତ୍ଵାରିଂଶ ଅମୀରଙ୍କ ମଧ୍ୟରୁ କେହି ବାହୁବଳରେ ହେବ ସୁଲତାନ । ରେଜିୟା ସୁଲତାନା ହେଲେ ତମେ ହେବ ସୁଲତାନାଙ୍କ ଜନନୀ...କିନ୍ତୁ ଅନ୍ୟ ଅମୀରମାନଙ୍କ ମଧ୍ୟରୁ କେହି ଯଦି ସୁଲତାନ୍ ହୁଏ... !!

 

ସୁଲତାନ୍ ଲକ୍ଷ୍ୟ କଲେ, ତାଙ୍କ କଥା ଶୁଣୁ ଶୁଣୁ ବେଗମ୍‍ଙ୍କ ଆଖିରୁ ଆଲୋକ ଲିଭିଗଲା-। ଅତୀତ ଜୀବନର ସେଇ କ୍ଳେଦାକ୍ତ ଅନୁଭୂତି ସ୍ମରଣ କରି ସେ ହୁଏତ ପ୍ରକୃତିସ୍ଥା ହେଲେ । ସୁଲତାନ୍ ବୁଝିପାରିଲେ ତୀର ତାଙ୍କର ଲକ୍ଷ୍ୟଭେଦ କରିଛି ।

 

ତା’ପରେ ଗମ୍ଭୀର କଣ୍ଠରେ ସେ କହିଲେ, ରେଜିୟା ମୋ ଦୃଷ୍ଟିର ଉଜ୍ଜ୍ଵଳ ଆଲୋକ ଶିଖା...ମୁଁ ଚାହେଁ ଦିଲ୍ଲୀସିଂହାସନ ଆରୋହଣ କରି ସେଇ ଆଲୋକରେ ସେ ସାରା ଦେଶକୁ ଉଦ୍ଭାସିତ କରୁ । ତାଜୁଦ୍ଦିନ ! ମୋର ଏହି ଇଚ୍ଛାକୁ ବର୍ତ୍ତମାନ ତମେ ଉଇଲରେ ଲିପିବଦ୍ଧ କର । ଆଉ ତମେ ଦୁହେଁ ସ୍ମରଣ ରଖ, ମୋ ମୃତ୍ୟୁ ପୂର୍ବରୁ ଏ କଥା ଅନ୍ୟ କାହାରି କାନରେ ଯେପରି ନ ପଡ଼େ । ଆଉ ଯଦି କେହି ଏ ବିଶ୍ୱାସଭଙ୍ଗ କରେ, ମୁଁ ତାକୁ କଠିନ ଶାସ୍ତି ଦେବି ।

 

ସୂର୍ଯ୍ୟାସ୍ତ ହୋଇ ସାରିଥିଲା ।

 

ଲିଭି ଯାଇଥିଲା ଗୋଧୂଳିର ଶେଷ ଆଲୋକରେଖା ।

 

ସୁଲତାନଙ୍କ ସେ ବଜ୍ର-ଗମ୍ଭୀର କଣ୍ଠସ୍ଵର ରାଜପ୍ରାସାଦର ସେଇ ନିର୍ଜ୍ଜନ ପ୍ରକୋଷ୍ଠରେ ଏକ ଲଘୁ ପ୍ରତିଧ୍ଵନି କରି ନିରବ ହୋଇଗଲା । କକ୍ଷର ସେ ନିର୍ଜ୍ଜନତା ଭଙ୍ଗ କରିବା ଶାହା ତୁର୍କାନ୍‍ଙ୍କ କଣ୍ଠରେ ଭାଷା ନ ଥିଲା, ତାଜୁଦ୍ଦିନଙ୍କ ମନରେ ଯୁକ୍ତି ନ ଥିଲା !

 

ଦୁଇ

 

ଦେହରେ ପ୍ରଲେପିତ କସ୍ତୁରୀର ସୁରଭି ବିଚ୍ଛୁରିତ ହୋଇ ପଡ଼ୁଥିଲା ସାରା କକ୍ଷରେ । ସେହି କସ୍ତୁରୀ ସୁରଭିକୁ ଅପହରଣ କରି ନେଇ ସଂଧ୍ୟାର ସମୀରଣ ପ୍ରମତ୍ତ ହୋଇଉଠୁଥିଲା ।

 

ମଣିମାଣିକ୍ୟଖଚିତ ଗଜଦନ୍ତ ପଲଙ୍କର ତୁଳିତଳ୍ପ ଶଯ୍ୟାରେ ନିଜର ଉତ୍ତେଜନା ଜର୍ଜ୍ଜରିତ ଦେହକୁ ନିକ୍ଷିପ୍ତ କରି ଆହତ ସିଂହୀ ଭଳି ଅସ୍ଥିର ହେଉଥିଲେ ଶାହା ତୁର୍କାନ୍ । ବିକ୍ଷୁବ୍ଧ ତରଙ୍ଗ ଭଳି ତାଙ୍କର ସମୁନ୍ନତ ବୁକୁର ଉତଥାନ-ପତନରେ ସ୍ପଷ୍ଟ ହୋଇ ଉଠୁଥିଲା ମାନସିକ ଉତ୍ତେଜନା, ଆନ୍ତରିକ କ୍ରୋଧ, ହୃଦୟର ଗୋପନ-ଈର୍ଷା !

 

ଶାହା ତୁର୍କାନ୍‍ଙ୍କୁ ଆଜି ସବୁ କଥା ବିଷ ପ୍ରାୟ ମନେହେଉଛି । ଅନେକ ଦିନରୁ ମନର ସମତଳ-ଭୂମିରେ ସେ ଯେଉଁ ସ୍ୱପ୍ନର ମିନାର୍ ଗଢ଼ି ତୋଳିଥିଲେ, ସୁଲତାନଙ୍କ ଆକସ୍ମିକ ନିଷ୍ପତ୍ତି ପରେ ଦୁର୍ଦ୍ଧର୍ଷ କାଫେର୍‍ର ଆଘାତରେ ସେ ସ୍ଵପ୍ନର ମିନାର ତାଙ୍କର ଭୁଲୁଣ୍ଠିତ ହେଲା ଭଳି ମନେହେଉଛି ।

 

ଏ ଅପମାନ ଅସହ୍ୟ ।

 

ସେ କଦାପି ଏ ଅବିଚାର ବରଦାସ୍ତ କରିବେ ନାହିଁ ।

 

ଶାହା ତୁର୍କାନ୍ ପଲଙ୍କ ଉପରେ ଶୋଇରହି କାନ୍ଥସଂଲଗ୍ନ ବିରାଟ ଦର୍ପଣ କାଚରେ ନିଜ ଦେହର ଅଙ୍ଗରେଖାକୁ ନିରୀକ୍ଷଣ କରିବାକୁ ଲାଗିଲେ ।

 

ମିସରୀୟ ସୂକ୍ଷ୍ମ କାର୍ପାସ ବସ୍ତ୍ର ଉପରେ ତାଙ୍କ ଦେହରେ ଜରିର ଝୀନ ଉତ୍ତରୀୟ ଝଲ୍‍ମଲ୍‍ ହେଉଛି । ବୟସର ଅଲଂଘନୀୟ ଅତ୍ୟାଚାର ପରେ ମଧ୍ୟ ଇଦ୍‍ର ଜହ୍ନ ଭଳି ତାଙ୍କ ମୁଖମଣ୍ଡଳର ଜ୍ୟୋତି ଦିଶୁଛି ଉଜ୍ଜ୍ଵଳ, ଶୁଭ୍ର, ସତେଜ ।

 

ଆଉ ଦେହରେଖା... !

 

ଶିଶୁ ମୃଗର ଚର୍ମରେ ନିର୍ମିତ କାଞ୍ଚଲାର ଆବରଣ ମଧ୍ୟରେ ସ୍ପଷ୍ଟ ପ୍ରକାଶିତ ହେଉଛି ତାଙ୍କ ଯୌବନର ଲାସ୍ୟଲୀଳା । ଏତେଦିନର ଦେହ ସମ୍ଭୋଗ ମଧ୍ୟରେ ଯୌବନର ଶାଣିତ ତୀକ୍ଷ୍ଣତା ହରାଇ ବସିଥିଲେ ବି ରୂପର ତେଜ ତାଙ୍କର ମହଳଣ ପଡ଼ିନାହିଁ । ଦେହର କୂଳେ କୂଳେ ଉତ୍‍କୂଳ ବନ୍ୟାର ସ୍ରୋତ ଭଳି କନ୍ଦର୍ପର ଲୋଧ୍ରରେଣୁ ବିଛାଡ଼ି ହୋଇ ପଡ଼ୁଛି ।

 

ତାଙ୍କର ମନେପଡ଼ୁଥିଲା ସୁଲତାନଙ୍କ ସେହି ପ୍ରଲୁପ୍ତ ଚାହାଣୀ, ତାଙ୍କର ନଗ୍ନ-ଦେହରେଖାକୁ ଦେଖି ସୁଲତାନଙ୍କ ଦୁଇ ଆଖି ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗିନ୍ ହୋଇ ଉଠିବାର ଦୃଶ୍ୟ ।

 

ସୁଲତାନ ଦିନେ ପରିହାସରେ କହୁଥିଲେ, ତମ ଦେହରେ ଯୌବନର ଚିର-ବସନ୍ତ ମାଲିକା ! ତମେ କେବେହେଲେ ବୃଦ୍ଧା ହେବ ନାହିଁ...କେବେ ଦିନେ ବି ତମେ ହେବ ନାହିଁ ବିଗତ-ଯୌବନା !

 

ଦିନେ ତାଙ୍କର ଏହି ଦେହର ମୂଲ୍ୟ ଥିଲା ସୁଲତାନଙ୍କ ପାଖରେ ଅପରିସୀମ । ଛୋଟ ଶିଶୁ ଭଳି ତାଙ୍କ ବୁକୁରେ ମଥା ରଖି ଥରେ ଥରେ ସେ ସ୍ୱଗତୋକ୍ତି କରିଉଠନ୍ତି, ଆବାଲ୍ୟରୁ ମୁଁ ଥିଲି କ୍ରୀତଦାସ...ଦିଲ୍ଲୀର ସୁଲ୍‍ତାନ ହେବା ପରେ ମଧ୍ୟ ମୁଁ ଚାଳିଶ-ଅମୀରଙ୍କ ପାଖରେ ଆଜି ସୁଦ୍ଧା ଦାସ ମାତ୍ର; କିନ୍ତୁ ମୁଁ କେବଳ ସମ୍ରାଟ ତମର ଏ ଦେହର ସାମ୍ରାଜ୍ୟରେ...ଏଠାରେ ଆଉ କାହାରି ଆଧିପତ୍ୟ ମୋ ପକ୍ଷରେ ଅସହ୍ୟ...

 

ସୁଲତାନ ଇଲ୍‍ତୁମିସ୍‍ଙ୍କ କଥା ଶୁଣି ସେ ଦିନ ହୁଏ ତ ଚମକି ଉଠିଥିଲେ ଶାହା ତୁର୍କାନ । ତାଙ୍କ ଦେହ ଉପରେ ସୁଲତାନଙ୍କ ଭିନ୍ନ ଅନ୍ୟ କାହାରି ଅଧିକାରର ଆଶଙ୍କା କଥା ଶୁଣି ସେ ବିଚିତ୍ର ଏକ ଯନ୍ତ୍ରଣାରେ ପୀଡ଼ିତା ହୋଇ ପଡ଼ିଥିଲେ ।

 

କିନ୍ତୁ ସତରେ କଅଣ ଇଲତୁମିସ୍ ଥିଲେ ତାଙ୍କ ଦେହ-ସାମ୍ରାଜ୍ୟର ଏକଛତ୍ରାଧିପତି ସୁଲତାନ୍ !

 

ଆଜି ବି ସେ କଥା ସ୍ମରଣ କଲେ ଶାହା ତୁର୍କାନଙ୍କ ଦୁଇ ଓଠ ପ୍ରାନ୍ତରେ ରହସ୍ୟମୟ ହସର ଜୁଆର ଉଦ୍‍ବେଳିତ ହୋଇଉଠେ ।

 

ଇଲତୁମିସ୍ କ୍ରୀତଦାସ ହୋଇ ଜନ୍ମ ହୋଇଥିଲେ, ବାସ୍ତବ ଅର୍ଥରେ ସୁଲତାନ ହେବା ବୋଧ ହୁଏ ତାଙ୍କର ଭାଗ୍ୟ-ଲେଖା ନ ଥିଲା ।

 

ସୁଲତାନ୍ ଯାହା ଅନୁଭବ କରନ୍ତୁ ନା କାହିଁକି, ଶାହା ତୁର୍କାନ୍ ଜାଣନ୍ତି, ଇଲତୁମିସ୍ ଥିଲେ ତାଙ୍କ ରୂପ, ଯୌବନର ଦାସ ମାତ୍ର... ! ତାଙ୍କର ସାମାନ୍ୟ ସାନ୍ନିଧ୍ୟ ପାଇଁ କ୍ରୀତଦାସସୁଲଭ କରୁଣ ଅନୁନୟରେ ଥରେ ନୁହେଁ, ସହସ୍ର ସହସ୍ର ଥର ସୁଲତାନଙ୍କ କଣ୍ଠ ପ୍ରକମ୍ପିତ ହୋଇଛି, ଜଡ଼ ହେଇଯାଇଛି ଜିହ୍ୱା !

 

ସେ ସବୁ ତାଙ୍କ ଜୀବନରେ ସୁବର୍ଣ୍ଣ ସ୍ଵପ୍ନର ଦିନଗୁଡ଼ିକ... । ସମୟର ପ୍ରଖର ସ୍ରୋତରେ ନିଃଶବ୍ଦରେ ସେ ସ୍ଵପ୍ନ ସବୁ ଭାସିଯାଇଛି । ଅତୀତ ହୋଇଯାଇଛି ସେହି ସୁନା ଝଲମଲ ମଧୁର ଅତୀତ... ।

 

ଆଜି ହୁଏ ତ ଶାହା ତୁର୍କାନଙ୍କ ଦେହରେ ପୁରୁଷ ମନକୁ ବିହ୍ୱଳିତ କରିବା ଲାଗି ରୂପ ଅଛି; କିନ୍ତୁ ସୁଲତାନଙ୍କ ମନରେ ଆଉ ବିହ୍ଵଳିତ ହେବା ପାଇଁ ଯୌବନ ନାହିଁ । ସେ ଆଜି ବୃଦ୍ଧ । ଷଷ୍ଠବିଂଶ ବର୍ଷ ରାଜ୍ୟ ଶାସନ ପରେ ରସ ଗ୍ରହଣ କରିବାର ସମସ୍ତ ରସିକତା ସେ ହରାଇ ବସିଛନ୍ତି-

 

ତୃଷା ନିବୃତ୍ତି ପରେ ଶୀତଳ ଜଳ ଯେପରି ମୂଲ୍ୟହୀନ ହୋଇ ପଡ଼େ, ବାର୍ଦ୍ଧକ୍ୟ ପରେ ସୁଲତାନଙ୍କ ପାଖରେ ସେହିପରି ଅର୍ଥହୀନ ହୋଇ ଉଠିଛନ୍ତି ଶାହା ତୁର୍କାନ !

 

ସେଥିପାଇଁ ଉତ୍ତରାଧିକାରୀ ସଂପର୍କୀୟ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ପାଇଁ ସୁଦ୍ଧା ସୁଲତାନ୍‍ ତାଙ୍କର ପରାମର୍ଶ ଲୋଡ଼ି ନାହାନ୍ତି । ତାଙ୍କର ପ୍ରତିବାଦ ଶୁଣି ନାହାନ୍ତି... !

 

ସବୁ କଥାକୁ ମନେ ମନେ ବିଶ୍ଳେଷଣ କରି ଶାହା ତୁର୍କାନ ଏକ ଆହତ ଅଭିମାନରେ ନିଜ ମନକୁ ଭାରାକ୍ରାନ୍ତ କରିପକାଇଲେ । ସତକୁ ସତ ଯଦି ରେଜିୟା ହୁଏ ସୁଲତାନଙ୍କ ଉତ୍ତରାଧିକାରିଣୀ...ଦିଲ୍ଲୀର ସୁଲତାନା...ତେବେ କଅଣ ହେବ ତାଙ୍କର ଅବସ୍ଥା... !

 

କଥାଟା ଚିନ୍ତା କରି ଶାହା ତୁର୍କାନ୍ ସେହି ଆଲୋକ ଉଜ୍ଜ୍ଵଳ କକ୍ଷରେ ଦେଖିବାକୁ ପାଇଲେ ରାଶି ରାଶି ନିରନ୍ଧ୍ର ଅନ୍ଧକାର । ସେଇ ପରିବ୍ୟାପ୍ତ ଅନ୍ଧକାର ମଧ୍ୟରେ ତାଙ୍କର ଭବିଷ୍ୟତର ସ୍ଵର୍ଣ୍ଣରେଖା ହଠାତ୍ ଯେପରି କୁଆଡ଼େ ବିଲୀନ ହୋଇଗଲା !

 

ଅନ୍ଧକାର !

 

ହଁ, ଅତୀତର ସେଇ ଅଶ୍ଳୀଳ କ୍ଲେଦାକ୍ତ ଅନ୍ଧକାର !

 

ଯେଉଁ ଅନ୍ଧକାରକୁ ସେ ବହୁ ପଛରେ ଛାଡ଼ି ଆସିଛନ୍ତି ବୋଲି ମନେ ମନେ ଦିନେ ଆଶ୍ଵସ୍ତ ହୋଇଥିଲେ, ଆଜି ପୁଣି ସେଇ ଅନ୍ଧକାରରେ କାଳିମା ତାଙ୍କ ମନର ସମସ୍ତ ଶୁଭ୍ରତାକୁ ଗ୍ରାସ କରିଗଲା ।

 

ଆଜି ପ୍ରଥମ ଥର ପାଇଁ ଏତେ ବର୍ଷ ପରେ ତାଙ୍କର ସ୍ମରଣ ହେଲା, ସେ ବେଗମ୍ ନୁହନ୍ତି... ସୁଲତାନଙ୍କ ହାରେମ୍‍ର ଜଣେ ବନ୍ଦୀ ମାତ୍ର !

 

ବେଗମ ନୁହନ୍ତି, ବାନ୍ଦୀ !

 

କଥାଟି ଚିନ୍ତା କରିବା ମାତ୍ରେ ଶାହା ତୁର୍କାନଙ୍କ ମନେ ହେଲା ହୁ’ ହୁ’ ହାହାକାରରେ ତାଙ୍କର ସମସ୍ତ ଦେହ ମନ ଯେପରି ଜଳିଯାଉଛି ! ସେହି ପ୍ରଜ୍ଜ୍ଵଳିତ ହୁତାଶନ ମଧ୍ୟରୁ ପଳାୟନ ପାଇଁ ଚେଷ୍ଟା କରି ମଧ୍ୟ ସେ ପଥ ପାଉନାହାନ୍ତି । ବଞ୍ଚିବା ଲାଗି ଯେଉଁ ଏକମାତ୍ର ପଥ ତାଙ୍କ ପାଇଁ ଉନ୍ମୁକ୍ତ ଥିଲା, ସୁଲତାନ ନିଜର ଅବିଚାରିତ ନିଷ୍ପତ୍ତି ଫଳରେ ସେ ପଥକୁ ରୁଦ୍ଧ କରି ଦେଇଛନ୍ତି ।

 

ଏଥର ଆଜୀବନ, ଆମରଣ ସେହି ଅଗ୍ନିରେ ଦଗଧ ହୋଇ ସେ ଜଳିବେ । ଇଲ୍‍ତୁମିସଙ୍କ ବେଗମ୍ ହୋଇ ସୁଦ୍ଧା ସେ ସୁଲତାନା ରେଜିୟାଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ଚଳିବେ !

 

ହୀରାମାଣିକ୍ୟଖଚିତ ସେଇ ଗଜଦନ୍ତ ପଲଙ୍କର ତୁଳିତଳ୍ପ ଶଯ୍ୟାକୁ ବିଶୃଙ୍ଖଳ କରି ଛଟପଟ ହେବାକୁ ଲାଗିଲେ ଶାହା ତୁର୍କାନ୍ । ନୟନ ମୁଦ୍ରିତ କରି ସେ ଭାବିବାକୁ ଲାଗିଲେ ତାଙ୍କର ବିସ୍ମୃତ-ପ୍ରାୟ ଅତୀତର କଥା ।

 

ସେଦିନ ସେ ଥିଲେ ସୁଲତାନଙ୍କ ହାରେମର ବହୁ ବାନ୍ଦୀଙ୍କ ମଧ୍ୟରୁ ଅନ୍ୟତମା । ସୁଲତାନ ଇଲ୍‍ତୁତମିସ୍‍ କେଉଁ ଇରାନୀ କିଶୋରୀର ଅଧରର ମଦିରା ପାନ କରିବାକୁ ଯାଇ ଥରେ ଦୁର୍ବଳ ମୁହୂର୍ତ୍ତରେ ଦେଖିଥିଲେ ତାଙ୍କର ବାସକ-ସଜ୍ଜିକା ବେଶ !

 

ମୁଗ୍ଧ ହେବା ପାଇଁ ସୁଲ୍‍ତାନଙ୍କୁ ସମୟର ଅପେକ୍ଷା କରିବାକୁ ପଡ଼ି ନ ଥିଲା ।

 

ଲଜ୍ଜାରେ ଦୃଷ୍ଟି ଆନତ କରି ଶାହା ତୁର୍କାନ୍ ଜିଜ୍ଞାସା କରିଥିଲେ, ଆପଣ ତ ମତେ ସବୁଦିନେ ଦେଖୁଛନ୍ତି ଜାହାଁପାନା ! ଆଜି ହଠାତ୍... !

 

ଆଜି ତମକୁ ପ୍ରଥମ କରି ନୂତନ ଭାବରେ ଦେଖୁଛି ବାଳିକା ! ତମ ଦେହରେ ଏତେ ରୂପ, ଏତେ ଯୌବନ ! ମୋ ହରେମର ଏ ବହୁ ପୁଷ୍ପିତ ଉଦ୍ୟାନରେ ତମେ ହିଁ ଏକମାତ୍ର ରକ୍ତଗୋଲାପ...ମୋ ମନର ବହୁ ନକ୍ଷତ୍ର-ଖଚିତ ଆକାଶରେ ତମେ ହିଁ ହେଲ ଆଜିଠୁଁ ଇନ୍ଦ୍ର ଜହ୍ନ...ତମେ ଆଜିଠୁଁ ବାନ୍ଦୀ ନୁହ...ତମେ ହେବ ସୁଲତାନ୍ ଇଲ୍‍ତୁମିସ୍‍ଙ୍କର ପ୍ରାଣ-ପ୍ରତିମା...ବେଗମ୍-! -ଇଲତୁତମିସ୍ ଏ କଥା କହିଲାବେଳେ ତାଙ୍କ ଦୃଷ୍ଟିର ପ୍ରଦୀପରେ କାମନା, ଲାଳସାର ଲୋହିତ ଶିଖା କିପରି ପ୍ରଜ୍ଜ୍ଵଳିତ ହୋଇ ଉଠିଥିଲା, ତାହା ତୀର୍ଯ୍ୟକ ଚାହାଣୀରେ ଲକ୍ଷ୍ୟ କରିଥିଲେ ଶାହା ତୁର୍କାନ୍ ।

 

ସେହିଦିନ ସମାପ୍ତ ହୋଇଥିଲା ତାଙ୍କର ଅଭିଶପ୍ତ, କୁତ୍ସିତ ବାନ୍ଦୀ ଜୀବନର ସକୁରୁଣ ଇତିହାସ । ପୁନର୍ଜନ୍ମ ଲାଭ କରି ସେ ହୋଇଥିଲେ ସୁଲତାନଙ୍କ ବେଗମ୍...ଦିଲ୍ଲୀ ହାରେମ୍‍ର ଅଧୀଶ୍ଵରୀ, ବରନାରୀ !

 

ସେଥିପାଇଁ ତାଙ୍କର ଏକଦା-ସହଚରୀ ହାରେମ୍ ଲଲନାମାନଙ୍କର ସେ ହୋଇଥିଲେ ଈର୍ଷାର ପାତ୍ରୀ । ଯେଉଁମାନେ ତାଙ୍କୁ ସଖୀ ଭାବି ଦିନେ ସ୍ନେହ କରୁଥିଲେ, ବେଗମ୍ ହେବା ପରେ ସେମାନେ ତାଙ୍କୁ ମନେ ମନେ କରିଥିଲେ ଘୃଣା । କିନ୍ତୁ ସୁଲତାନଙ୍କ ପ୍ରବଳ ପରାକ୍ରମ, ତାଙ୍କ ପ୍ରତି ଗଭୀର ସ୍ନେହ ଯୋଗୁଁ ସେମାନଙ୍କ ମନର ସେଇ ଈର୍ଷା-ଘୃଣାର ଅଶ୍ଳୀଳ ଭାଷା ଅବ୍ୟକ୍ତ ରହିଯାଇଥିଲା । ଆଜି ଯେତେବେଳେ ସେମାନେ ଜାଣିବେ ତାଙ୍କର ପୁତ୍ର ନୁହେଁ, ସୁଲତାନଙ୍କ କନ୍ୟା ହିଁ ହେଉଛି ଦିଲ୍ଲୀର ସୁଲତାନା, ସେତେବେଳେ ସେମାନଙ୍କ ହୃଦୟରେ ବହୁଦିନ ଚାପା ପଡ଼ି ଫସିଲ୍ ହୋଇ ଯାଇଥିବା ସେହି ଈର୍ଷା-ଚପଳ ଘୃଣିତ କାମନା ହୁଏ ତ ଶହ ଶହ ଲେଲିହାନ ଶିଖା ଟେକି ଜଳିଉଠିବ ।

 

କିପରି ଏସବୁ ସହ୍ୟ କରିବେ ଶାହା ତୁର୍କାନ୍ !

 

ନା-ନା-ନା-

 

ବେଗମ୍ ତୁର୍କାନ୍ ନିଜ ଦୁଇ କାନରେ ହାତଦେଇ ଅସ୍ଥିର ହୋଇ ଉଠିଲେ । ତାଙ୍କର ଭୟ ହେଉଥିଲା, କାନମୁଣ୍ଡାରୁ ହାତକାଢ଼ିନେଲେ ହୁଏତ ହାରେମ୍ ଲଳନାମାନଙ୍କର ସେଇ ପରିହାସଭରା ବିଦ୍ରୂପାତ୍ମକ କଥା ତାଙ୍କ କାନରେ ଆସି ଅଜାଡ଼ି ହୋଇପଡ଼ିବ !

 

ନା-ସୁଲତାନଙ୍କ ଉପରେ ଅଭିମାନ କରି କିଛି ଲାଭ ନାହିଁ । ଦର୍ପଣରେ ତାଙ୍କ ନିଜ ରୂପ ତାଙ୍କୁ ଯେତେ ସୁନ୍ଦର ଦିଶୁ ପଛେ, ସେ ଜାଣନ୍ତି, ବୟସ ତାଙ୍କଠାରୁ ସମସ୍ତ ଆକର୍ଷଣକୁ ନିଷ୍ଠୁର ହାତରେ ପୋଛି ନେଇଛି । ଆଖି କୋଣରେ ସୁର୍ମାର ଗାର ଟାଣି ମୂଲ୍ୟବାନ ଝୀନ ବସନ ପିନ୍ଧି, ଦେହରେ କସ୍ତୁରୀର ପ୍ରଲେପ ବୋଳି ସେ ନିଜକୁ ଭୁଲାଇ ପାରନ୍ତି; ସୁଲତାନଙ୍କୁ ଭୁଲାଇ ପାରିବେ ନାହିଁ ।

 

ସୁଲତାନ ଏଥିମଧ୍ୟରେ କେବଳ ବୟସ୍କ ହୋଇ ନାହାନ୍ତି, ଅଭିଜ୍ଞ ହୋଇଛନ୍ତି ମଧ୍ୟ ।

 

ସୁଲତାନଙ୍କ ଉପରେ ରାଜା, ଅଭିମାନ କରି କିଛି ଲାଭ ନାହିଁ ।

 

ଉଦ୍ଦେଶ୍ୟ ସିଦ୍ଧି ପାଇଁ ତାଙ୍କୁ ନୂତନ ଉପାୟ ଆବିଷ୍କାର କରିବାକୁ ହେବ ।

 

ଯାହା ରୂପ, ଯୌବନ କରିବାକୁ ଅକ୍ଷମ ହେଲା, ବୁଦ୍ଧି, ବିଚାର ସକ୍ଷମ ହେବ ତାହା କରିବାକୁ ।

 

ସେ କେବଳ ରୂପବତୀ ରମଣୀ ନୁହନ୍ତି, ବୁଦ୍ଧିମତୀ ନାରୀ ମଧ୍ୟ-ସେ କଥା ତାଙ୍କୁ ପ୍ରମାଣ କରିବାକୁ ହିଁ ହେବ ।

 

କଥାଟା ଚିନ୍ତା କରି ଶଯ୍ୟା ଛାଡ଼ି ଉଠି ଠିଆହେଲେ ଶାହା ତୁର୍କାନ୍ ।

 

ପୁଷ୍ପ କୋମଳ ତୂଳି-ତଳ୍ପ ଶଯ୍ୟା ତାଙ୍କୁ କଣ୍ଟକିତ ବୋଧ ହେଉଛି । ଆଖିର ଚାହାଣୀ, ମୁଖର ମାଂସପେଶୀରେ ସ୍ପଷ୍ଟ ହୋଇ ଉଠୁଛି ତାଙ୍କର ଦୃଢ଼ତାର ବ୍ୟଞ୍ଜନା ।

 

ତିନି

 

କକ୍ଷ ଶୂନ୍ୟ, ନିଃଶବ୍ଦ ।

 

ଭ୍ରମରେ ସୁଦ୍ଧା ଯେପରି ଅନ୍ୟ କେହି ସେମାନଙ୍କର କଥାବାର୍ତ୍ତା ଶୁଣି ନ ପାରନ୍ତି, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ଶାହା ତୁର୍କାନ୍ । ସେ ଜାଣନ୍ତି, ଦିଲ୍ଲୀର ରାଜପ୍ରାସାଦର କାନ୍ଥମାନଙ୍କର ମଧ୍ୟ କର୍ଣ୍ଣ ଅଛି । ଥରେ କଥାଟା ଚାରି କାନରୁ ପାଞ୍ଚ କାନ ହୋଇଗଲେ ହୁଏ ତ ତାଙ୍କୁ ହିଁ ଫାଶିଖୁଣ୍ଟରେ ଝୁଲିବାକୁ ପଡ଼ିପାରେ ।

 

କିନ୍ତୁ ତାହା ଛଡ଼ା ଆଉ କୌଣସି ଉପାୟ ନ ଥିଲା ।

 

ଅମୀରମାନେ ହିଁ ତାଙ୍କର ଶେଷ ଆଶା ।

 

ବୟୋବୃଦ୍ଧ ଅମୀର୍ ନିଜାମୁଲ୍ ମୁଲକଙ୍କୁ ସେ ଗୋପନରେ ସଂବାଦ ପଠାଇଛନ୍ତି । ଶାହା ତୁର୍କାନ୍ ଜାଣନ୍ତି, ରକ୍ଷଣଶୀଳତା ହିଁ ନିଜାମୁଲଙ୍କର ଏକମାତ୍ର ଜୀବନର ଧାରା । ଦିଲ୍ଲୀର ସୁଲତାନା ହେବ ଜଣେ ନାରୀ-ଏ କଥା ଶୁଣି ନିଜ କାନକୁ ସେ କଦାପି ବିଶ୍ୱାସ କରିବେ ନାହିଁ ।

 

ଆଉ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯାହାଙ୍କର ଅଖଣ୍ଡ ପ୍ରଭାବ ରହିଛି ଚତ୍ଵାରିଂଶ ଅମୀରମାନଙ୍କ ମଧ୍ୟରେ । ସେ ଇଚ୍ଛା କଲେ ସୁଲତାନଙ୍କ ଇଚ୍ଛା ବିରୁଦ୍ଧରେ ଅମୀରମାନେ ତୀବ୍ର ପ୍ରତିବାଦ କରିପାରନ୍ତି...ଆଉ ଶାହା ତୁର୍କାନ୍ ଜାଣନ୍ତି, ଅମୀରମାନଙ୍କ ସମ୍ମିଳିତ ଇଚ୍ଛା ବିରୁଦ୍ଧରେ ଯିବାକୁ ସୁଲ୍‍ତାନ କେବେହେଲେ ଜିଦ୍ କରିବେ ନାହିଁ...

 

କିନ୍ତୁ ନିଜାମୁଲ୍ ଏ ପର୍ଯ୍ୟନ୍ତ ଆସିଲେ ନାହିଁ ଯେ !

 

ଶାହା ତୁର୍କାନ୍ ସାମାନ୍ୟ ବିବ୍ରତ ହେଲେ ।

 

ଅଦୂରରେ ଅପେକ୍ଷା କରିଥିବା ପରିଚାରିକାକୁ ଆଉ ଥରେ ସମ୍ବାଦ ପଠାଇବାକୁ ଇଙ୍ଗିତ ଦେଇ ସେ ନିଃଶବ୍ଦରେ ପଦଚାରଣ କରିବାକୁ ଲାଗିଲେ ।

 

କାଳି ରାତ୍ରିରୁ ତାଙ୍କର ସୁନିଦ୍ରା ହୋଇ ନାହିଁ ।

 

ବହୁ ଭାବିଚିନ୍ତି ଅବଶେଷରେ ଏହି ଏକମାତ୍ର ଉପାୟ ସେ ଆବିଷ୍କାର କରିଛନ୍ତି ।

 

ଜୀବନରେ ଏଇ ପ୍ରଥମ...

 

ସମ୍ଭବତଃ ଶେଷଥର ପାଇଁ ବୋଧହୁଏ ସେ ସୁଲ୍‍ତାନଙ୍କ ଅବାଧ୍ୟ ହେଉଛନ୍ତି । ତାଙ୍କର ନିର୍ଦ୍ଦେଶ ଅମାନ୍ୟ କରୁଛନ୍ତି ।

 

ଆଉ ସେ ମଧ୍ୟ ଜାଣନ୍ତି, ଗୋପନ ତଥ୍ୟ ପ୍ରକାଶ କରିବାର ପରିଣତି ମୃତ୍ୟୁଠାରୁ ବଳି ଆହୁରି ଭୟଙ୍କର ହୋଇପାରେ । ସୁଲତାନ ପାରିବେ ନାହିଁ, ଏପରି କଥା କିଛି ହେଲେ ନାହିଁ । ସେହି ଭୟ, ସେହି ଆଶଙ୍କାରେ ତାଙ୍କ ଛାତି ଭିତରଟା ଏ ପର୍ଯ୍ୟନ୍ତ ସୁଦ୍ଧା ପ୍ରକଂପିତ ହେଉଛି ।

 

କିଏ ସେ ?

 

କାହାର ଏ ପାଦଶବ୍ଦ ?

 

ଶାହା ତୁର୍କାନ୍ ସମ୍ମୁଖସ୍ଥ ଦର୍ପଣକୁ ଚାହିଁଲେ ।

 

ବାହାରୁ କେହି ଆସୁଥିଲେ, ଏଇ ଦର୍ପଣରେ ହିଁ ପ୍ରତିଫଳିତ ହୁଏ ତାଙ୍କର ପ୍ରତିଚ୍ଛବି !

 

ଓଃ, ନିଜାମୁଲ୍ ମୁଲକ !

 

ଦେହର ପୋଷାକ, କେଶବିନ୍ୟାସରେ ସେଇ ରକ୍ଷଣଶୀଳ ଅମୀର୍ ଢଙ୍ଗ । ଚାଲିର ଗତିରେ ମଧ୍ୟ ବିଚିତ୍ର ଏକ ଅସଂଲଗ୍ନ ଶିଥିଳତା । ସତେ ଯେପରି ଏକ ଜରୁରୀ କଥାବାର୍ତ୍ତା ପାଇଁ ଦିଆନ୍-ଇ-ଆମୁର ବାରଣ୍ଡା ଅତିକ୍ରମ କରି ନୁହେଁ; ବେପରୱା ଭାବରେ ଦିଲ୍ଲୀ ରାଜପଥରେ ହସ୍ତୀପୃଷ୍ଠରେ ଆରୋହଣ କରି ସେ ଜଲସାରେ ଯୋଗଦେବାକୁ ଯାଉଛନ୍ତି !

 

ବେଗମଙ୍କୁ ସମ୍ମୁଖରେ ଦେଖି ସଂଭ୍ରମ ଜ୍ଞାପନ କଲେ ନିଜାମୁଲ୍ ମୁଲକ ।

 

ଶାହା ତୁର୍କାନ୍ ଜାଣନ୍ତି, ଏକା ନିଜାମୁଲ୍ ନୁହନ୍ତି, ସମସ୍ତ ଅମୀରମାନଙ୍କ ମନରେ ତାଙ୍କ ପାଇଁ ଭରି ରହିଛି ଅସୀମ ଶ୍ରଦ୍ଧା ।

 

ହଠାତ୍ ଏ ଅବେଳରେ ମତେ ଡାକରା କାହିଁକି ବେଗମ୍ ! .....ନିଜାମୁଲଙ୍କ ନିର୍ଲିପ୍ତ କଣ୍ଠରେ ପ୍ରଶ୍ନଟି କିପରି ଲଘୁ ମନେ ହେଉଥିଲା । ବେଗମଙ୍କ ମନର ଉଦବିଗ୍ନତା, ଅସ୍ଥିରତା ଏଥିରେ ତିଳେ ହେଲେ ପ୍ରକାଶ ପାଇ ନ ଥିଲା ।

 

ଧୀର ଅଥଚ ସତର୍କ କଣ୍ଠରେ ଶାହା ତୁର୍କାନ କହିଲେ, ଆପଣଙ୍କୁ ଆଜି ଗୋଟିଏ ଜରୁରୀ ଗୋପନୀୟ କଥା କହିବି ବୋଲି ଆମନ୍ତ୍ରଣ କରିଛି । କିନ୍ତୁ ଆପଣ ପ୍ରତିଶ୍ରୁତି ଦିଅନ୍ତୁ-ସୁଲତାନଙ୍କ କାନକୁ ଏ କଥା ଗଲେ ମୋର ଯେପରି କୌଣସି କ୍ଷତି ନ ହୁଏ...

 

ବେଗମଙ୍କ କଣ୍ଠରୁ ଏଭଳି ଉତ୍ତର ଶୁଣି ନିଜାମୁଲଙ୍କ ଦୁଇ ଆଖିରେ ବିସ୍ମୟର ଚିହ୍ନ ଫୁଟିଉଠିଲା । ଏଭଳି କଥା ସେ ବେଗମଙ୍କଠାରୁ ଜୀବନରେ ଏହି ପ୍ରଥମ ଶୁଣୁଛନ୍ତି...କଅଣ...କଅଣ ହୋଇପାରେ ସେ କଥା ?

 

ସେ ତାଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ, ଆଉ ଯାହା କିଛି ହେଉ ନା କାହିଁକି, ବେଗମଙ୍କର କ୍ଷତି ହେବା ଭଳି କୌଣସି କାର୍ଯ୍ୟ ସେ କରିବେ ନାହିଁ ।

 

ତଥାପି ଦୂରତ୍ଵ ବଜାୟ ରଖି ସ୍ପଷ୍ଟକଣ୍ଠରେ କଥା କହିବାକୁ ସାହସ କଲେ ନାହିଁ ଶାହା ତୁର୍କାନ୍ ।

 

ନିଜାମୁଲଙ୍କ କାନ ପାଖରେ ନାଟକୀୟ ଢଙ୍ଗରେ ସୁଲତାନଙ୍କ ଉତ୍ତରାଧିକାରୀ ନିର୍ବାଚନ କଥା କହି ଦେଇ ସେ ନିଶ୍ୱାସ ନେବାକୁ ଚେଷ୍ଟା କଲେ ।

 

ବିସ୍ମୟରେ ବିମୁଢ଼ ହୋଇ ଯାଇଥିଲେ ନିଜାମୁଲ ମୁଲକ ।

 

ଆଲ୍ଲା, ଆଲ୍ଲା, ବୋଲି ଦୁଇଟି ଶବ୍ଦ ଭିନ୍ନ ତୃତୀୟ ଶବ୍ଦ ତାଙ୍କ କଣ୍ଠରୁ ଅନେକ ସମୟ ପର୍ଯ୍ୟନ୍ତ ବାହାରି ନ ଥିଲା ।

 

କିନ୍ତୁ ବୟସରେ ବୃଦ୍ଧ ହେଲେ ବି ନିଜାମୁଲ୍ ବିଚକ୍ଷଣ ବୁଦ୍ଧିମାନ୍ । ତୁର୍କୀ ଅମୀରମାନଙ୍କ ମଧ୍ୟରେ ସେଥିପାଇଁ ତାଙ୍କର ଅଦ୍ଭୁତପୂର୍ବ ପ୍ରତିଷ୍ଠା । କିଛି ସମୟ ନୀରବରେ ଚିନ୍ତା କରି ସେ କହିଲେ, ଏତେ ବଡ଼ ଗୁରୁତ୍ଵପୂର୍ଣ୍ଣ ସଂବାଦ ଅନ୍ୟ ଅମୀରମାନଙ୍କଠାରୁ ଗୋପନ କରି ରଖିବା ମୋ ପକ୍ଷରେ ସମ୍ଭବ ନୁହେଁ ବେଗମ୍ ! ଦାସବଂଶର ହିତ ପାଇଁ ଯାହା କିଛି କରିବାର କଥା ମୁଁ କରିବି...ଆପଣ ନିଶ୍ଚିତ ରହନ୍ତୁ...ଆପଣଙ୍କ ଉପରକୁ କୌଣସି ବିପଦ ଆସିବ ନାହିଁ......

 

ଯେପରି ଭାବରେ ଆସିଥିଲେ, ନୀରବରେ ସେହିପରି ପ୍ରସ୍ଥାନ କରିଗଲେ ନିଜାମୁଲ୍ ମୁଲକ ।

 

ରୁଦ୍ଧଶ୍ଵାସରେ ଠିଆହୋଇ ଶାହା ତୁର୍କାନ ଚାହିଁ ରହିଥିଲେ ତାଙ୍କର ଯିବା ବାଟକୁ...ନିଶ୍ୱାସ ନେବା ପାଇଁ ଛାତିରେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ...ମସ୍ତିଷ୍କର ସୂକ୍ଷ୍ମ ତନ୍ତ୍ରୀଗୁଡ଼ାକ ମଧ୍ୟ ବ୍ୟଥାରେ ପୀଡ଼ିତ ହୋଇ ପଡ଼ିଥିଲା... ।

 

ଚାରି

 

ମନ୍ତ୍ରଣାକକ୍ଷରେ ଛୁଞ୍ଚି ପଡ଼ିଲେ ଶବ୍ଦ ଶୁଣାଯିବା ଭଳି ନୀରବତା ବ୍ୟାପୀ ରହିଥିଲା ।

 

ଆହତ ସିଂହ ଭଳି ସମାବିଷ୍ଟ ଅମୀରମାନଙ୍କ ମୁହଁକୁ ନିରୀକ୍ଷଣ କରି ଦେଖୁଥିଲେ ସୁଲତାନ ଇଲତୁମିସ । କଅଣ କହିବା ପାଇଁ ଅମୀରମାନେ ଏ ଜରୁରୀ ବୈଠକ ଡକାଇଛନ୍ତି, ସେ କଥା ବୁଝିବାକୁ ତାଙ୍କର ବାକି ନ ଥିଲା । ଆଉ କେଉଁ ସୂତ୍ରରୁ ଯେ ଗୋପନୀୟ ସଂବାଦ ଅମୀରମାନଙ୍କ ପାଖରେ ପହଞ୍ଚିଛି, ସେ କଥା ବୁଝିବା ଭଳି ଦୂରଦୃଷ୍ଟି ମଧ୍ୟ ଥିଲା ତାଙ୍କର ।

 

କିନ୍ତୁ......

 

ନା, ଏଥିରେ ଦ୍ୱିଧା, ଦ୍ୱନ୍ଦ୍ଵର ପ୍ରଶ୍ନ ନାହିଁ । ନିଷ୍ଠୁର ସତ୍ୟର ସମ୍ମୁଖୀନ ତାଙ୍କୁ ହେବାକୁ ହିଁ ପଡ଼ିବ । ମନେ ମନେ ସେଥିପାଇଁ ନିଜକୁ ପ୍ରସ୍ତୁତ କରିନେଲେ ସୁଲତାନ୍ । ତା ପରେ ଦୃଢ଼କଣ୍ଠରେ ସେ ପଚାରିଲେ, ଯାହା କହିବାର କଥା ତାହା ଆଉ ଅପ୍ରକାଶ୍ୟ ରଖି ଲାଭ ନାହିଁ ଅମୀର ! ମତେ ନିଜ କର୍ଣ୍ଣରେ ସେ କଥା ଶୁଣିବାକୁ ଦିଅ...

 

ସମବେତ ଅମୀରମାନଙ୍କ ମୁହଁରେ ବିଚଳନର ଭଙ୍ଗୀ ଦେଖାଗଲା । କହିବାକୁ ଚେଷ୍ଟା କରି ସୁଦ୍ଧା କେହି ନିଜ ମନ କଥା ହଠାତ୍ ପ୍ରକାଶ କରିପାରିଲେ ନାହିଁ ।

 

ଅବଶେଷରେ ନିଜାମୁଲ୍ ମୁଲକ କମ୍ପିତ କଣ୍ଠରେ କହିଲେ, ଆମେ ଯାହା କହିବାକୁ ଆସିଛୁ, ତାହା ନିଜର ସ୍ଵାର୍ଥ ପାଇଁ ନୁହେଁ...ଦାସବଂଶରେ ମଙ୍ଗଳ...ଭାରତବର୍ଷରେ ତୁର୍କୀ ମୁସଲମାନ ସାମ୍ରାଜ୍ୟର ଭବିଷ୍ୟତ ନିରାପତ୍ତା ପାଇଁ ଆମର ଏ ଆବେଦନ...ସୁଲତାନଙ୍କ ପରେ ଜଣେ ମହିଳା ହେବ ଦାସବଂଶର ଉତ୍ତରାଧିକାରୀଣୀ ଦିଲ୍ଲୀ ସିଂହାସନର ସୁଲତାନା...ଏ କଥା ଭାବିଲା ବେଳକୁ ମନ ଭିତର ବହୁ ଅନାଗତ ଭୟର ଆଶଙ୍କାରେ ଭରି ଉଠୁଛି...

 

`ସୁଲତାନ୍ ଉଚ୍ଚ କଣ୍ଠରେ ହସିଉଠିଲେ ।

 

କହିଲେ, ଏ ଗୋପନୀୟ ସମ୍ବାଦ ତମକୁ ଦେଲା କିଏ ନିଜାମୁଲ୍ ? ଯଦି ବେଗମ ଶାହା ତୁର୍କାନ୍ ଗୋପନୀୟ ସମ୍ବାଦ ଦେଇଥାଆନ୍ତି, ତମେ ତାଙ୍କୁ ବିଶ୍ଵାସ କଲ କାହିଁକି ? ଯେଉଁ ନାରୀ ନିଜ ସ୍ଵାମୀ ସହ ବିଶ୍ଵାସଘାତକତା କରିପାରେ, ତାକୁ କି ଶାସ୍ତି ଦେବାକୁ ତମେ ପରାମର୍ଶ ଦେବ ?

 

ନିଜାମୁଲ୍ ମୁଲକ୍ ବିଚକ୍ଷଣ ଓ ବୁଦ୍ଧିମାନ ବ୍ୟକ୍ତି ।

 

ସେ ସାଙ୍ଗେ ସାଙ୍ଗେ ପ୍ରତିବାଦ କରି ଉଠିଲେ, ଶାହା ତୁର୍କାନ୍ କେବଳ ସୁଲତାନଙ୍କ ପତ୍ନୀ ନୁହଁନ୍ତି, ସେ ବେଗମ...ଦେଶ ପ୍ରତି, ଦାସବଂଶ ପ୍ରତି ତାଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି । ତୁର୍କୀ ସାମ୍ରାଜ୍ୟର ମଙ୍ଗଳ, ଦିଲ୍ଲୀ ସିଂହାସନର ନିରାପତ୍ତା ପାଇଁ ସେ ଯଦି ସୁଲତାନଙ୍କ କଥାର ଅବାଧ୍ୟ ହୋଇଥାଆନ୍ତି, ଆଲ୍ଲା ତାଙ୍କୁ ନିଶ୍ଚୟ କ୍ଷମା କରିବେ ସୁଲତାନ୍ !

 

ଇଲତୁମିସ୍ ହଠାତ୍ ନୀରବ ହୋଇଗଲେ ।

 

ଗମ୍ଭୀର ହୋଇ ଉଠିଲେ । କହିଲେ, ମୁଁ ଆଜି ଜୀବନ ସନ୍ଧ୍ୟାରେ ଉପନୀତ ନିଜାମୁଲ୍ ! ଅନ୍ୟାୟର ଶାସ୍ତିବିଧାନ କରିବା ପାଇଁ ମନରେ ଦମ୍ଭ ଥିଲେ ବି ବାହୁରେ ଶକ୍ତି ନାହିଁ । ରେଜିୟାକୁ ଉତ୍ତରାଧିକାରିଣୀ ଭାବରେ ମନୋନୀତ କଲାବେଳେ ମୁଁ ଦାସବଂଶର ଭବିଷ୍ୟତ କଥା ବେଶି ଭାବିଛି, ଦିଲ୍ଲୀ ସିଂହାସନ କଥା ଅଧିକ ଚିନ୍ତା କରିଛି...

 

କିନ୍ତୁ ଦିଲ୍ଲୀ ସିଂହାସନର ସୁଲତାନ୍ ହେବ ଜଣେ ନାରୀ...ଏ କଥା ତୁର୍କୀ ଅମୀରମାନେ ସହଜରେ ଗ୍ରହଣ କରିନେବେ ତ ? ଆଉ ସେମାନଙ୍କର ବିନା ସହଯୋଗରେ ସୁଲତାନ-ନନ୍ଦିନୀ ଶାସନ କରିବେ... ! ନିଜାମୁଲ୍ ମୁଲକ୍ କଥା ଶେଷ ନ କରି ନୀରବ ହୋଇଗଲେ ।

 

ସୁଲତାନଙ୍କ ମୁହଁରେ ସେତେବେଳ ପର୍ଯ୍ୟନ୍ତ ମଧ୍ୟ କୌଣସି ଭାବାନ୍ତର ନାହିଁ । କେଉଁ ଘଟଣା ଅମୀରମାନଙ୍କ ମନକୁ ଆନ୍ଦୋଳିତ କରୁଛି, ସେ କଥା ବୁଝିବାକୁ ତାଙ୍କୁ ବିଳମ୍ବ ହେଲା ନାହିଁ । ସେ ଅପେକ୍ଷାକୃତ ଶାନ୍ତ କଣ୍ଠରେ କହିଲେ ନିଜାମୁଲ୍ ମୁଲକ୍ ! ତୁମେ କେବଳ ବୁଦ୍ଧିମାନ ନୁହଁ, ବିଚକ୍ଷଣ ପଣ୍ଡିତ ଭାବରେ ତମର ମଧ୍ୟ ଖ୍ୟାତି ରହିଛି । ତୁମେ କଅଣ ସପ୍ତଦଶ ଶତାବ୍ଦୀ ଇରାନର କଥା ବିସ୍ତୃତ ହୋଇଗଲାଣି ? ଇରାନୀ ସୁଲତାନ ଖୁସ୍ରୁ ପାରଜେଭଙ୍କ ପରେ ତାଙ୍କର ଦୁଇ କନ୍ୟା ଇରାନର ସୁଲତାନା ହୋଇ ଶାସନ କରିଥଲେ, ଏ କଥା ଅନ୍ୟ କେହି ନ ଜାଣିଲେ ସୁଦ୍ଧା କଅଣ ତମେ ଜାଣ ନାହିଁ ?

 

କିନ୍ତୁ...କିନ୍ତୁ ସୁଲତାନ ! ଆମେ ଏକ ଭିନ୍ନ ପରମ୍ପରା ଭିତରେ ବଢ଼ିଛୁ । ସୁଲତାନ୍‍ ନନ୍ଦିନୀ ରେଜିୟା ଯେ କ୍ଷମତାସଂପନ୍ନ ମହିଳା; ମୁଁ ଜାଣେ...କିନ୍ତୁ ନାରୀ ପାଖରେ ସକଳ ତୁର୍କୀ ଅମୀର ଆନୁଗତ୍ୟ ପ୍ରକାଶ କରିବେ, ଏ କଥା ଆଶା କରିବା କଅଣ ଆମ ପକ୍ଷରେ ଅସାଧ୍ୟସାଧନ ଭଳି ଏକ ଘଟଣା ନୁହେଁ ? ନିଜାମୁଲ୍ ଭିନ୍ନ ଭାବରେ ସୁଲତାନଙ୍କ ପାଖରେ ପ୍ରସଙ୍ଗଟି ଉତଥାପନ କଲେ-

 

ସୁଲତାନ କିନ୍ତୁ ଯୁକ୍ତିରେ ପରାଜିତ ହୋଇଯିବା ଭଳି ବ୍ୟକ୍ତି ନୁହନ୍ତି ।

 

ସେ ଉତ୍ତର ଦେଲେ, ଜଣେ ନାରୀ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପାଇଁ ତମର ଏ କୁଣ୍ଠିତ ଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି । ତମେ କଅଣ ଜଣେ ନାରୀର ଗର୍ଭରୁ ଜନ୍ମ ହୋଇନାହିଁ ? ସ୍ଵୟଂ ମହମ୍ମଦ କହି ଯାଇଛନ୍ତି, ଜନନୀର ପାଦତଳେ ବୈକୁଣ୍ଠ...ଇସଲାମରେ ନାରୀର ସ୍ଥାନ ଅନେକ ଉଚ୍ଚରେ...ଏ କଥା କଅଣ ତମକୁ ମତେ ସ୍ମରଣ କରାଇ ଦେବାକୁ ହେବ ?

 

ସମବେତ ଅନ୍ୟାନ୍ୟ ଅମୀର୍ମାନେ ଏ ଭଳି ଯୁକ୍ତିରେ ବିଚଳିତ ହୋଇଉଠିଲେ । ଯୁକ୍ତି କଲେ, ଭାରତବର୍ଷରେ ତୁର୍କୀ ସାମ୍ରାଜ୍ୟର ଭର୍ତ୍ତି ଏବେ ସୁଦ୍ଧା ସୁଦୃଢ଼ ହୋଇ ନାହିଁ । ରାଜ୍ୟଶାସନ ସହ ନାରୀର ସମ୍ମାନଗତ କିଛି ସମ୍ପର୍କ ନାହିଁ । ଏ ବିକ୍ଷୁବ୍ଧ, ବିପୁଳ ସାମ୍ରାଜ୍ୟକୁ ସଂଗଠିତ, ଶାସନ କରିବା ଯେ ଜଣେ ନାରୀ ପକ୍ଷରେ ସହଜ ନୁହେଁ, ଏହା ହିଁ ଆମର ଆବେଦନ । କାରଣ ଯେତେ ବୁଦ୍ଧିମତୀ ହେଲେ ବି ରେଜିୟା ନାରୀ...ରାଷ୍ଟ୍ରଶାସନ ଭଳି କଠୋର କାର୍ଯ୍ୟ ପାଇଁ ନାରୀର ଦୈହିକ, ମାନସିକ ଗଠନରେ ଅନେକ ପ୍ରାକୃତିକ ଅସୁବିଧା...

 

ସୁଲତାନଙ୍କର ଧୈର୍ଯ୍ୟଚ୍ୟୂତି ଘଟିଥିଲା ।

 

ମନ୍ତ୍ରଣାକକ୍ଷକୁ ଶଦ୍ଦାୟିତ କରି ସେ ଚିତ୍କାର କରି ଉଠିଲେ, କଠୋର ଶାସନ କରିପାରିବ ନାହିଁ ବୋଲି ନୁହେଁ, ରେଜିୟା ସୁଲତାନା ହେଲେ ଅମୀରମାନଙ୍କ ସ୍ୱେଚ୍ଛାଚାରିତା ଯେ ବହୁ ପରିମାଣରେ ସୁଶାସନ ଯୋଗୁଁ ଖର୍ବ ହେବ, ସେହି ଭୟରେ ତମେ ମୋ ପ୍ରସ୍ତାବର ବିରୋଧ କରୁଛ-

 

ସୁଲତାନଙ୍କ ବଜ୍ରଗମ୍ଭୀର କଣ୍ଠସ୍ୱର ଶୁଣି ସମବେତ ଅମୀରମାନେ ସଂନ୍ତ୍ରସ୍ତ ହୋଇ ପଡ଼ିଲେ । ନିଜାମୁଲ୍ ମୁଲକଙ୍କ କଣ୍ଠସ୍ୱର ସ୍ତବଧ ହୋଇଗଲା । ସେ କମ୍ପିତ କଣ୍ଠରେ କହିଲେ, ଜାହାଁପାନା ! ଆମକୁ ଭୁଲ ବୁଝନ୍ତୁ ନାହିଁ । ଆମେ ଜାଣୁ, ସୁଲତାନନନ୍ଦିନୀ ରେଜିୟା ଶାସନ କ୍ଷେତ୍ରରେ ମଧ୍ୟ ଅଭିଜ୍ଞା...ପରାଦର୍ଶିନୀ । କିନ୍ତୁ ସୁଲତାନା ହେବା ପରେ ତାଙ୍କ ନାରୀସୁଲଭ ସରଳତାର ସୁଯୋଗ ନେଇ ଯେ ବହୁ ଶତ୍ରୁ ତୁର୍କୀ ସାମ୍ରାଜ୍ୟକୁ ବିପନ୍ନ କରିବାକୁ ଉତ୍ସାହିତ ହେବେ, ଏହା ହିଁ ଆମର ଭୟ......

 

ସୁଲତାନ୍ ଇଲତୁମିସ ଅଦୂରସ୍ଥ ମସଜିଦର ଶୀର୍ଷଦେଶକୁ ଚାହିଁଲେ ।

 

କିଛି ସମୟ ନୀରବ ରହି କହିଲେ, ରେଜିୟା କେବଳ ମୋର କନ୍ୟା ନୁହେଁ ନିଜାମୁଲ୍ ! ସେ ମୋର ସହକର୍ମିଣୀ...ଯୁଦ୍ଧକ୍ଷେତ୍ରରେ ଅଶ୍ଵପୃଷ୍ଠରେ ଆରୋହଣ କରି ମୁକ୍ତ କୃପାଣରେ ଶତ୍ରୁ ସଂହାର କଲାବେଳେ ତାର ସିଂହୀସ୍ୱରୂପ ମୁଁ ଦେଖିଛି...ଶାସନ ପରିଚାଳନା କ୍ଷେତ୍ରରେ ଜଟିଳ ପରିସ୍ଥିତିରେ ପାଇଛି ତାର ସୁଚିନ୍ତିତ ପରାମର୍ଶ । ମୁଁ ଜାଣେ, ଦିଲ୍ଲୀ ସିଂହାସନର ସେ ହେଉଛି ଉପଯୁକ୍ତ ଶାସନକର୍ତ୍ତୀ । ମୁଁ ତାକୁ ଉତ୍ତରାଧିକାରିଣୀ ରୂପେ ମନୋନୀତ କରିଯାଇଛି ସେ ମୋର କନ୍ୟା ବୋଲି ନୁହେଁ; କାରଣ ସେ ଏକମାତ୍ର ବ୍ୟକ୍ତି ଯେ କି ଏ ତୁର୍କୀସାମ୍ରାଜ୍ୟକୁ ଭାରତବର୍ଷରେ ସୁଦୃଢ଼ କରିପାରିବ । ସେ ଆଜି ହେଉଛି ମୋ ନୟନର ଜ୍ୟୋତି, ମୋର ମୃତ୍ୟୁ ପରେ ସେ ହେବ ସମଗ୍ର ଭାରତବର୍ଷର ଦୀପ୍ତି ! ଏ ମୋର ଶେଷ କଥା...ଅନ୍ତିମ ଇଚ୍ଛା ।

 

ସୁଲତାନ୍ ଆସନ ପରିତ୍ୟାଗ କରି ଠିଆହେଲେ ।

 

ତାଙ୍କର ସେ ଅନ୍ତିମ ଇଚ୍ଛା ସମବେତ ଅମୀରମାନଙ୍କ ସକଳ ଅନିଚ୍ଛାକୁ ଆଚ୍ଛନ୍ନ କରି ଶାହ୍ୟ ତୁର୍କାନକୁ ହୃଦୟକୁ ଭାରାକ୍ରାନ୍ତ କରି ଦେଲା ।

 

ପାଞ୍ଚ

 

୧୨୩୬ ମସିହା, ଅପ୍ରେଲ, ୨୯ ତାରିଖ ।

 

ହଠାତ୍ ଏକ ଦୁଃସହ ଦୁଃସସ୍ଵାଦ ସାରା ଦିଲ୍ଲୀ ନଗରୀରେ ଶୋକର ଛାୟା ଖେଳାଇଦେଲା ।

 

ସୁଲତାନ ଇଲତୁମିସ୍ ପ୍ରାଣତ୍ୟାଗ କରିଛନ୍ତି ।

 

ମଦ୍ରାସା ମସଜିଦରେ ଜମିଉଠିଲା ସମବେତ ପ୍ରାର୍ଥନାର ଆସର ।

 

“ବିସମିଲ୍ଲାହ—ହିର୍ ରହମାଁ—ନିର୍—ରହିମ୍...” ଧ୍ଵନିରେ ମୁଖରିତ ହୋଇ ଉଠିଲା ପ୍ରତ୍ୟେକ ମସଜିଦ୍; ପ୍ରତ୍ୟେକ ମଦ୍ରାସା !

 

ସୁଲତାନ ବୃଦ୍ଧ ହୋଇଥିଲେ, କିନ୍ତୁ ଏତେ ଶୀଘ୍ର ତାଙ୍କର ଦେହାନ୍ତ ହୋଇଯିବ, ଏ କଥା ସାଧାରଣ ଜନତାର ମନକୁ ସ୍ପର୍ଶ କରି ନଥିଲା । ତେଣୁ ଯେତେବେଳେ ଏ ଶୋକସମ୍ବାଦ ପ୍ରଚାରିତ ହେଲା, ଏକ ବିସ୍ମୟ-ବିମୁଢ଼ ଭାବରେ ଅଚ୍ଛନ୍ନ ହୋଇଉଠିଲା ଦିଲ୍ଲୀନଗରୀ ।

 

କିନ୍ତୁ ଶୋକର ସେ ବେଦନା-ବିଷଣ୍ଣ ପରିବେଶ ଅନ୍ତରାଳରେ ଦିଲ୍ଲୀର ରାଜନୈତିକ ମହଲରେ ଯେ ଆଉ ଏକ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା, ସେ କଥା ଅନୁଭବ କରି ପାରୁଥିଲେ ଚତ୍ଵାରିଂଶ ଅମୀର ।

ସୁଲତାନଙ୍କ ଉତ୍ତରାଧିକାରୀ ଭାବରେ ଦିଲ୍ଲୀ ସିଂହାସନ କିଏ ଆରୋହଣ କରିବ, ସେ ପ୍ରଶ୍ନ ଅନେକଙ୍କ ମନକୁ ଆନ୍ଦୋଳିତ କରୁଥିଲା । ଆଉ ଯେଉଁମାନେ ଉତ୍ତରାଧିକାରୀ ପ୍ରଶ୍ନ ସମ୍ପର୍କରେ ସୁଲତାନଙ୍କ ଅନ୍ତିମ ଦଲିଲ୍ ସମ୍ପର୍କରେ ଜାଣିଥିଲେ, ସେମାନଙ୍କର ମଧ୍ୟ କଳ୍ପନା ପରିକଳ୍ପନାର ଅନ୍ତ ନ ଥିଲା ।

ମୃତ ସୁଲତାନଙ୍କ ଯନାଜା ଯେତେବେଳେ ଦିଲ୍ଲୀର ରାଜପଥ ପରିକ୍ରମା କରୁଥିଲା, ଶାହା ତୁର୍କାନ୍ ତାଙ୍କର ବିଶ୍ଵସ୍ତ ଅମୀରମାନଙ୍କ ସହ ସେତେବେଳେ ପରାମର୍ଶ କରିବାରେ ବ୍ୟସ୍ତ ଥିଲେ ।

ସୁଲତାନନନ୍ଦିନୀ ରେଜିୟା ଦିଲ୍ଲୀ ସିଂହାସନ ଆରୋହଣ କରିବେ, ଏହା ତାଙ୍କ ପକ୍ଷରେ କଳ୍ପନାତୀତ ବ୍ୟାପାର । କିପରି ଭାବରେ ସେ ଘଟଣାର ଗତିକୁ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରଣ କରିବେ, ସେଥିପାଇଁ ସେ ବ୍ୟଗ୍ର ହୋଇ ଉଠିଥିଲେ ।

ଭାରତବର୍ଷରେ ମୁସଲିମ୍ ସାମ୍ରାଜ୍ୟର ବିସ୍ତାର ଘଡ଼ିସନ୍ଧି କାଳରେ ଇଲତୁମିସ୍ ଥିଲେ ଜଣେ ଅସାଧାରଣ ବ୍ୟକ୍ତି । ତାଙ୍କର ଶୂନ୍ୟସ୍ଥାନ ପୂରଣ ହେବା ସହଜ ନୁହେଁ; ସମ୍ଭବ ନୁହେଁ । କିନ୍ତୁ ରାଷ୍ଟ୍ରର ଶାସନକ୍ଷେତ୍ରରେ ଶୂନ୍ୟତାର ସ୍ଥାନ ନାହିଁ । ସେହି ଶୂନ୍ୟତାକୁ ଯଥାଶୀଘ୍ର ପୂରଣ କରିବା ପାଇଁ କିଛିଦିନ ପରେ ବସିଲା ଚତ୍ୱାରିଂଶ ଅମୀରମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଶାହା ତୁର୍କାନ ରେଜିୟା ମଧ୍ୟ ମଣ୍ଡନ କରିଥିଲେ ସେହି ସଭାଗୃହ ।

ସଭାକକ୍ଷରେ କିଛି ସମୟ ପାଇଁ ନିର୍ଜ୍ଜନତା ବ୍ୟାପୀ ରହିଥିଲେ ସୁଦ୍ଧା ସମସ୍ତଙ୍କ ମନ ଭିତରେ ସୃଷ୍ଟି ହୋଇଥିଲା ଅବ୍ୟକ୍ତ ଅସନ୍ତୋଷର ବିଚିତ୍ର କଳରୋଳ । ସୁଲତାନ ଇଲତୁମିସଙ୍କ ଶେଷ ଇଚ୍ଛା କାହାରିକୁ ଅଜ୍ଞାତ ନୁହେଁ; କିନ୍ତୁ କେହି ହେଲେ ସେ କଥା ପ୍ରକାଶ କରିବା ପାଇଁ ସାହସ କରୁ ନ ଥିଲେ ।

ଅବଶେଷରେ ତାଜୁଦ୍ଦିନ ପାଠ କଲେ ମୃତ ସୁଲତାନଙ୍କ ଶେଷ ଇଛାପତ୍ର ।

ନିସ୍ତରଙ୍ଗ ଜଳ ଦେହରେ ଆଘାତ ଲାଗିଲେ ଯେପରି କଲ୍ଲୋଳ ଉଚ୍ଛସିତ ହୋଇ ଉଠେ, ତାଜୁଦ୍ଦିନଙ୍କ ଇଛାପତ୍ର ପାଠ ପରେ ସମବେତ ଅମୀରମାନଙ୍କ ମଧ୍ୟରେ ପ୍ରତିବାଦର ଗୁଞ୍ଜନ ମୁଖରିତ ହୋଇ ଉଠିଲା ।

ସୁଲତାନନନ୍ଦିନୀ ରେଜିୟା ସୁଲତାନା ହେବେ ?

ଅଲ୍ଲା ! ଆଲ୍ଲା !

ନିଜାମୁଲ ମୁଲକ ଚିତ୍କାର କରି ଉଠିଲେ, ଅସମ୍ଭବ...ଅସମ୍ଭବ ! ଏହା ହୋଇପାରେ ନାହିଁ । ଦିଲ୍ଳୀ ସୁଲତାନେଟର ସୁଲତାନା ହେବେ ରେଜିୟା ! ଧର୍ମ ଏହା ସହ୍ୟ କରିବ ନାହିଁ ତାଜୁଦ୍ଦିନ ! ଇସଲାମ ଧର୍ମର ଏହା ପରିପନ୍ଥୀ !

ଉଦଗାରିତ ଲାଭାସ୍ରୋତ ଭଳି ନିଜାମୁଲ ମୁଲକଙ୍କ ପ୍ରତିବାଦକୁ ସମର୍ଥନ କରି ସମବେଦ ଅମୀରମାନଙ୍କ ମଧ୍ୟରୁ ପ୍ରବଳ ପ୍ରତିରୋଧର ସ୍ୱର ଉଚ୍ଚାରିତ ହେଲା । ଶାହା ତୁର୍କାନଙ୍କ ଚକ୍ଷୁତାରକାରେ ଝଲସିତ ହୋଇ ଉଠିଲା ଆଶା, ଆଶ୍ଵାସନା ଆଉ କ୍ରୋଧର ବହ୍ନିଶିଖା ।

ଆଉ ରେଜିୟା !

 

ସଭାକକ୍ଷର ଏକ କୋଣଭାଗରେ ମେଘାକ୍ରାନ୍ତ ଆକାଶରେ ହଠାତ୍ ବିଦ୍ୟୁତର ଝଲକ୍ ଭଳି ବସି ରହି ରୂପର ଆଲୋକରେ ସେ ସମସ୍ତଙ୍କ ଦୃଷ୍ଟିକୁ ଝଲସିତ କରୁଥିଲେ; କିନ୍ତୁ ତାଙ୍କର ସେ ଇନ୍ଦ୍ର-ନୀଳ ଆଖିଡ଼ୋଳାରେ ଅସ୍ଥିରତାର ସାମାନ୍ୟ ଆଲୋଡ଼ନ ସୁଦ୍ଧା ନ ଥିଲା ।

ସୁଲତାନଙ୍କ ଅନ୍ତିମ ଇଚ୍ଛା ତାଙ୍କର ଅଜ୍ଞାତ ଥିଲା ।

କିନ୍ତୁ ସେଭଳି ଇଚ୍ଛାର ଘୋର ପ୍ରତିବାଦ ଯେ ହେବ, ସେ କଥା ତାଙ୍କର ଅଜ୍ଞାତ ନ ଥିଲା-। ସେଥିପାଇଁ ନିର୍ଲପ୍ତ ଭାବରେ ବସିରହି ରେଜିୟା ଉପଭୋଗ କରୁଥିଲେ ଅମୀରମାନଙ୍କ ଆଲୋଚନା-ସମାଲୋଚନା । ଯେଉଁମାନେ ତାଙ୍କ ମୁହଁର ପାଣ୍ଡୁଲିପିରୁ ତାଙ୍କ ମନର ଗୋପନ କଥା ପଢ଼ିବା ପାଇଁ ଚେଷ୍ଟା କରୁଥିଲେ, ଲକ୍ଷ୍ୟ କରୁଥିଲେ ସେମାନ ଏକ ବିଲୋଳ ହସର କ୍ଷୀଣରେଖା ସୁଲତାନନଦିନୀଙ୍କ ସାରା ମୁହଁରେ ବ୍ୟାପୀ ରହିଛି ।

ତାଜୁଦ୍ଦିନ ପ୍ରତିବାଦର ଉତ୍ତର ଦେଇ କହିଲେ, ରେଜିୟା ସୁଲତାନା ହେବେ-ଏହା ସୁଲତାନଙ୍କ ଶେଷ ଇଚ୍ଛା । ଆପଣମାନଙ୍କୁ ମଧ୍ୟ ଏହା ଅଜଣା ନ ଥିଲା । ସେତେବେଳେ ସୁଲତାନଙ୍କ ମୁହଁରେ କେହି ଏ କଥା ପ୍ରତିବାଦ କରି ନ ଥିଲ । ବର୍ତ୍ତମାନ ପ୍ରତିବାଦ କରି ଲାଭ କଅଣ ? ତାଙ୍କ ଶେଷ ଇଚ୍ଛାର ପରିବର୍ତ୍ତନ କରିବା କଅଣ ଭଲ ହେବ ?

ନିଜାମୁଲ୍ ମୁଲକ ଗର୍ଜନ କରି ଉଠିଲେ, ସୁଲତାନ ରୋଗ-ଶଯ୍ୟରେ ଶୋଇରହି ଇଚ୍ଛାପତ୍ର ଲିପିବଦ୍ଧ କରିଯାଇଛନ୍ତି । ତାଙ୍କର ରୁଗଣ ଅବସ୍ଥାରେ ତାଙ୍କ କଥାର ପ୍ରତିବାଦ କରିବା ଉଚିତ ହୋଇ ନ ଥାନ୍ତା । ଭାରତ ବର୍ଷରେ ତୁର୍କୀ ସାମ୍ରାଜ୍ୟର କର୍ଣ୍ଣଧାର ଆଜି ଚତ୍ଵାରିଂଶ ଅମୀର । ସେମାନେ ଇଚ୍ଛା କଲେ ଯେ କୌଣସି ନିଷ୍ପତ୍ତି କରିପାରନ୍ତି ।

ତାଜୁଦ୍ଦିନଙ୍କ ଯୁକ୍ତି ଶୁଣି ଶାହା ତୁର୍କାନଙ୍କ ମୁହଁରେ ଯେଉଁ ଆତଙ୍କର ଛାୟା ଆଚ୍ଛନ୍ନ ହୋଇ ଆସିଥିଲା, ନିଜାମୁଲ୍ ମୁଲକଙ୍କ ଅକାଟ୍ୟ ଯୁକ୍ତି ଶୁଣି ସେ ଆତଙ୍କ ଦୂର ହୋଇଗଲା ।

ଏହି ସମୟରେ ଆଲୋଚନାକକ୍ଷର ଅନ୍ୟ ଏକ କୋଣରୁ ଏକ ତରୁଣ କଣ୍ଠର ସ୍ଵର ଭାସିଆସିଲା;- କିନ୍ତୁ ସୁଲତାନ ତାଙ୍କ ଇଚ୍ଛା ବିରୁଦ୍ଧରେ ସମସ୍ତ ଅଭିଯୋଗ ଶୁଣି ଯେତେବେଳେ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲେ, ସେ ଅଟଳ ସିଦ୍ଧାନ୍ତକୁ ପରିବର୍ତ୍ତନ କରିବାକୁ ଆମେ କିଏ ? ସୁଲତାନ ତାଙ୍କର ଉତ୍ତରାଧିକାରୀ ନିର୍ବାଚନ କରିବା ପାଇଁ ଏକମାତ୍ର ଯୋଗ୍ୟବ୍ୟକ୍ତି । ସେଥିରେ ପରିବର୍ତ୍ତନର ପ୍ରଶ୍ନ ଉଠିପାରେ ନା ।

ଚକିତ ଦୃଷ୍ଟି ରେ ରେଜିୟା ଚାହିଁ ଦେଖିଲେ, ତାଙ୍କ ସପକ୍ଷରେ ଯେଉଁ ଉଦାତ୍ତ କଣ୍ଠସ୍ଵର ଉତ୍ତୋଳିତ ହୋଇଛି, ସେ କଣ୍ଠସ୍ୱର ତୋଳିଛନ୍ତି ଆଲତୁନିୟା...ତାଙ୍କର ବାଲ୍ୟ, କୈଶୋରର ସହଚର, ଉଭିନ୍ନ ଯୌବନର ଶେଷହୀନ ସ୍ଵପ୍ନ !

ଆଲତୁନିୟାଙ୍କ ଯୁକ୍ତିକୁ କେନ୍ଦ୍ରକରି ଆଲୋଚନା କକ୍ଷରେ ସୂତ୍ରପାତ ହେଲା ତୁମୂଳ ସଂଘର୍ଷ । ଚତ୍ଵାରିଂଶ ଅମୀରମାନଙ୍କ ମଧ୍ୟରେ ଆଉ ଯୁକ୍ତିର ସଂଯମ ରହିଲା ନାହିଁ । ଦୁଇ ପକ୍ଷକୁ ସମର୍ଥନ କରି ସାରା କକ୍ଷରେ ଲାଗିଲା ହଟ୍ଟଗୋଳ, ସଂଘର୍ଷ ।

ବିରାଟ ଭାରତବର୍ଷରେ ମୃଷ୍ଟିମେୟ ତୁର୍କୀ, ସୁଲତାନୀ ଶାସନର ମୂଳଦୁଆ ପକାଇଥିଲେ ନିଜର ଏକତା ଯୋଗୁଁ ! କିନ୍ତୁ ରେଜିୟାଙ୍କର ମନେହେଲା, ତାଙ୍କର ଶାସନଗାଦି ପାଇବା ନ ପାଇବା ନେଇ ଯେଉଁ ସଂଘର୍ଷ ସୃଷ୍ଟି ହୋଇଛି, ସେଥିରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଭୁଷୁଡ଼ି ପଡ଼ୁଛି ସେଇ ସୁଦୃଢ଼ ଏକତା ।

ଅମୀରମାନଙ୍କ ମଧ୍ୟରେ ଏକତା ହିଁ ସୁଲତାନଶାହୀ ଶାସନର ସର୍ବଶ୍ରେଷ୍ଠ ଶକ୍ତି ।

ସେ ସଂହତି ଯଦି ବିଖଣ୍ଡିତ ହୁଏ !

ନା-ନା; ନିଜ ଆଖି ଆଗରେ ରେଜିୟା ସେଭଳି ଘଟଣା ଘଟିବାକୁ ଦେବେ ନାହିଁ । ନିଜର ସମସ୍ତ ସୁଖ, ସ୍ୱାଚ୍ଛନ୍ଦ୍ୟ, ସ୍ଵାର୍ଥ ତ୍ୟାଗ କରି ତାଙ୍କୁ ଅକ୍ଷୁଣ୍ଣ ରଖିବାକୁ ହେବ ସେହି ବହୁ କଷ୍ଟଲବଧ ଏକତା ।

ସେ ସଭାକକ୍ଷରେ ଠିଆ ହୋଇ ବିନୀତ କଣ୍ଠରେ ଆବେଦନ କଲେ, ସୁଲତାନ ଚାହିଁଥିଲେ ବି ମୁଁ ଦିଲ୍ଲୀର ସୁଲତାନା ହେବାକୁ ଚାହେଁ ନାହିଁ ତାଜୁଦ୍ଦିନ ! ମୁଁ ଚାହେଁ, ଅମୀରମାନଙ୍କ ମଧ୍ୟରେ ଏକତା, ଦିଲ୍ଲୀରେ ତୁର୍କୀ ଶାସନର ଦୀର୍ଘଜୀବନ । ଏଥିପାଇଁ କେବଳ ଶାସନ କ୍ଷମତା ନୁହେଁ, ଆବଶ୍ୟକ ହେଲେ ପ୍ରାଣ ଦେବା ପାଇଁ ମୁଁ ପ୍ରସ୍ତୁତ । ସ୍ଵେଚ୍ଛାରେ ମୁଁ କ୍ଷମତାର ଲାଳସା ତ୍ୟାଗ କରୁଛି । ଆପଣମାନଙ୍କୁ ନିବେଦନ କରୁଛି, ଏକତାକୁ ଆହତ ହେଲା ଭଳି କୌଣସି କାର୍ଯ୍ୟ ଆପଣମାନେ କରନ୍ତୁ ନାହିଁ ।

ରୌଦ୍ରଦଗଧ ପୃଥିବୀ ଉପରେ ପ୍ରଥମ ବାରିପାତ ଭଳି ସୁଲତାନ ନନ୍ଦିନୀଙ୍କ ଏ ତ୍ୟାଗର ବାଣୀ ସମଗ୍ର ଉତ୍ତପ୍ତ ସଭାକକ୍ଷକୁ ଶୀତଳ କରି ଦେଲା । ନିର୍ବାକ ଭାବରେ ସମସ୍ତେ ଚାହିଁ ରହିଲେ ରେଜିୟାଙ୍କ ମୁହଁ ଆଡ଼କୁ, ଯେଉଁ ମୁଁହରେ ଧୀରେ ସଧୀରେ ବିକଶିତ ହୋଇ ଉଠୁଥିଲା ଅମୃତବୋଳା ହସର କୋରକ !

ଆଲତୁନିୟା ପ୍ରତିବାଦ କରିବାକୁ ଚେଷ୍ଟା କରୁଥିଲେ; କିନ୍ତୁ ରେଜିୟାଙ୍କ ଇଙ୍ଗିତରେ ସେ ନୀରବ ହୋଇଗଲେ । ଆଉ ଶାହା ତୁର୍କାନଙ୍କ ମୁହଁରେ ଯେଉଁ କୁଟିଳ ହାସ୍ୟର ଲାସ୍ୟଲୀଳା ପ୍ରକଟିତ ହେଉଥିଲା, ଅନ୍ୟ କେହି ଦେଖିବା ଆଗରୁ ସେ ତାକୁ ସତର୍କତାର ସହ ଗୋପନ କରିନେଲେ ।

ସେହିଦିନ ରାତ୍ରି ।

ଦିଆନ୍-ଇ-ଆମର ଅଙ୍ଗନେ ଅଙ୍ଗନେ ଝାଡ଼ ଆଲୁଅର ତେଜ ସ୍ତିମୀତ ହୋଇ ଆସୁଛି । ସାରାଦିନର ଅବସନ୍ନତା, ରାଜନୈତିକ ଦ୍ଵନ୍ଦ୍ଵର ଉତ୍ତାପ ବେଗମ ମହଲର ନିର୍ଜ୍ଜନ ପ୍ରକୋଷ୍ଠରେ ଆଚ୍ଛନ୍ନ କରି ଆଣୁଛି କ୍ଳାନ୍ତିର ସ୍ଵାକ୍ଷର ।

ଆଉ ସୁଲତାନନନ୍ଦିନୀ ରେଜିୟାଙ୍କ ଶୟନ କକ୍ଷରେ... !

 

ପ୍ରଦୀପର ଆଲୋକରେ ସମୂଚ୍ଛ୍ଵଳ କକ୍ଷ ମଧ୍ୟରେ ଶୋଇରହି ନିଦ୍ରାଭିଭୂତା ହେବାକୁ ଚେଷ୍ଟା କରୁଛନ୍ତି ରେଜିୟା, ପାରୁ ନାହାନ୍ତି ।

ମନ୍ତ୍ରଣାକକ୍ଷରୁ ଫେରିବା ପରଠାରୁ ତାଙ୍କ ମନର ସମସ୍ତ ଶାନ୍ତି ନଷ୍ଟ ହୋଇ ଯାଇଛି । ସୁଲତାନଙ୍କ ଇଚ୍ଛା ବିରୁଦ୍ଧରେ ମତ ଦେଇ ସେ କଅଣ ଭୁଲ୍ କରିଛନ୍ତି ? ସାମ୍ରାଜ୍ୟର ସୁରକ୍ଷା ପାଇଁ ସିଂହାସନର ମୋହ ତ୍ୟାଗ କରି ସେ କଅଣ ସୁଲତାନଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି ?

ଏ ଚିନ୍ତାର ଶେଷ ନାହିଁ; ଏ ସମସ୍ୟାର ସମାଧାନ ନାହିଁ ।

ସେ କେବଳ ଜାଣନ୍ତି, ସିଂହାସନର ମୋହ ତ୍ୟାଗ କରି ସେ ଏକ ଅବଶ୍ୟମ୍ଭାବୀ ଅନ୍ତର୍ଯୁଦ୍ଧକୁ ଏଡ଼ାଇ ଯାଇ ପାରିଛନ୍ତି । କ୍ଷମତା-ଲାଭର ପ୍ରଲୋଭନ ବିସର୍ଜ୍ଜନ ଦେଇ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରିଛନ୍ତି ତୁର୍କୀ ଅମୀରମାନଙ୍କ ମଧ୍ୟରେ ଏକତା । ଏହାଠାରୁ ଲୋକେ ତାଙ୍କ ନିକଟରୁ ଅଧିକ କଅଣ ଆଶା କରୁଥିଲେ !

ନା–ସେ ସବୁ ବିଷୟ ଭାବି ଆଉ ଲାଭ ନାହିଁ ।

ଢାଳିହୋଇ ଯାଇଥିବା କ୍ଷୀର ପାଇଁ ଅନୁତାପ କରି ଲାଭ କଅଣ ?

ନିଜ ମନକୁ ସାନ୍ତ୍ଵନା ଦେଇ ଶୋଇବାକୁ ଚେଷ୍ଟାକଲେ ରେଜିୟା ।

ଠିକ୍ ଏହି ସମୟରେ କକ୍ଷର ଦ୍ୱାରଦେଶରେ ଆବିର୍ଭୂତା ହେଲା ସେବିକା ପରଭିନ ।

ପୁଣି ଏତେ ରାତିରେ କାହିଁକି ପରଭିନ୍ ? -ରେଜିୟା ପ୍ରଶ୍ନ କଲା ।

ମୁହଁରେ ସ୍ମିତ ହାସ୍ୟରେଖା ଟାଣି ପରଭିନ୍ ଉତ୍ତର ଦେଲା, ଅମୀର୍ ଆଲୁତୁନିୟା ସାକ୍ଷାତ କରିବାକୁ ଚାହୁଁଛନ୍ତି ସୁଲତାନନନ୍ଦିନୀ !

ଅମୀର୍ ଆଲତୁନିୟା !

ଏତେ ରାତିରେ ସାକ୍ଷାତ କରିବାକୁ ଚାହୁଁଛନ୍ତି ? କାହିଁକି ?

ବିସ୍ମୟର ଏକ ତଡ଼ିତ୍ ପ୍ରବାହ ତାଙ୍କର ସର୍ବାଙ୍ଗରେ ସଞ୍ଚାରିତ ହୋଇଗଲା । ନିଜ ମନର ଉଦବିଗ୍ନତାକୁ ଗୋପନ କରି ସେ କହିଲେ, ମୁଁ କ୍ଳାନ୍ତ । କାହାରି ସହିତ ସାକ୍ଷାତ କରିବାକୁ ଚାହେଁ ନାହିଁ । ଏ କଥା ତ ମୁଁ ତତେ ଆଗରୁ କହି ରଖିଥିଲି; ତଥାପି ତୁ ମତେ ବିରକ୍ତ କରିବାକୁ ଆସିଲୁ କାହିଁକି ?

ସୁଲତାନନନ୍ଦିନୀଙ୍କ କଥା ଶୁଣି ପରଭିନ୍ ଭୟରେ ସଂତ୍ରସ୍ତ ହୋଇଗଲା ନାହିଁ; ବରଂ ବିଚିତ୍ର ଏକ ସ୍ନିଗଧ ହସରେ ମୁହଁକୁ ଉଦ୍ଭାସିତ କରି କହିଲା, ଅମୀରଙ୍କୁ ମୁଁ ସେ ସବୁ କଥା ବୁଝାଇ ଦେଇଛି । କିନ୍ତୁ ସେ କିପରି ଅବୁଝା ଆପଣ ଜାଣନ୍ତି ତ ! ଯଦି କଥାବାର୍ତ୍ତା ନ କରିବାର କଥା, ଆପଣ ତାଙ୍କୁ ଫେରାଇ ଦିଅନ୍ତୁ... !

ଏତେ କ୍ଳାନ୍ତି, ଏତେ ଅବସନ୍ନତା ସତ୍ତ୍ଵେ ସେବିକା ପରଭିନର କଥା ଶୁଣି ହସିବାକୁ ଇଚ୍ଛା ହେଉଥିଲା ରେଜିୟାଙ୍କର । ନିଜ ସେବିକା ସଖୀର କଥାର ରହସ୍ୟ ସେ ବୁଝିପାରିଲେ । ଅମୀର ଆଲତୁନିୟା ଜଣେ ସାଧାରଣ ତୁର୍କୀ ଅମୀର୍ ମାତ୍ର ନୁହନ୍ତି । ସେ ତାଙ୍କର ପ୍ରଣୟୀ, ତାଙ୍କ-ତରୁଣୀ ମନର ବହୁ ବାଞ୍ଚିତ ସ୍ୱପ୍ନ । ଅନ୍ୟମାନଙ୍କଠାରୁ ଏ ସମ୍ପର୍କକୁ ଗୋପନ କରି ରଖିଥିଲେ ସୁଦ୍ଧା ପରଭିନ୍ ଆଖିରୁ ଏ କଥା ଲୁଚେଇ ରଖିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ । ସେଥିପାଇଁ ସାଧାରଣ ତୁର୍କୀ ଅମୀର ଦୃଷ୍ଟିରେ ଆଲତୁନିୟାଙ୍କୁ ଦେଖିନାହିଁ ପରଭିନ୍ !

ଆଲତୁନିୟା ଆସିଲେ ।

କକ୍ଷର ନିର୍ଜ୍ଜନତାକୁ ଶବ୍ଦାୟିତ କରି ସେ ରେଜିୟାଙ୍କର ସମୀପବର୍ତ୍ତୀ ହେବା ମାତ୍ରେ ସୁଲତାନନନ୍ଦିନୀ ଚମକି ଉଠିଲେ ।

 

ପ୍ରଶ୍ନ କଲେ, ତମେ ଏପରି ଉତ୍ତେଜିତ କାହିଁକି ? ତମର ଏ କି ରୂପ, ଏ କି ଭଙ୍ଗୀ ! ତମେ କଅଣ ମତେ ଟିକିଏ ହେଲେ ଶାନ୍ତିରେ ରହିବାକୁ ଦେବ ନାହିଁ ?

 

ଆଲତୁନିୟା ଗମ୍ଭୀର ଭାବରେ ବସିଲେ ।

 

ଉତ୍ତର ଦେଲେ, ମୁଁ ନୁହେଁ; ଆପଣ ହିଁ ମୋ ମନରୁ ସମସ୍ତ ସୁଖ, ଶାନ୍ତିକୁ ଅପହରଣ କରି ନେଇଛନ୍ତି ସୁଲତାନନନ୍ଦିନୀ ! ମୋ ବାହୁର ଶକ୍ତି ଉପରେ ଆପଣ ବିଶ୍ଵାସ ରଖିନାହାନ୍ତି । ସୁଲତାନ ଇଲତୁମିସଙ୍କ କନ୍ୟା ହୋଇ କେଉଁ ଏକ ଭୀରୁ ବାଳିକା ଭଳି ଦିଲ୍ଲୀର ସିଂହାସନ ଏକ ମଦ୍ୟପ, ଦୁର୍ବଳ ପୁରୁଷ ରୁକନୁଦ୍ଦିନ ହାତରେ ଟେକି ଦେଇ ଆପଣ ପଳାଇ ଆସିଛନ୍ତି ।

 

ରେଜିୟା ମ୍ଳାନ ଭାବରେ ହସିଲେ ।

 

କହିଲେ, ମୁଁ ଜାଣେ-ମୋ ନିଷ୍ପତ୍ତିରେ ତମେ କ୍ଷୁବଧ ହୋଇଛ । ମୁଁ ଦିଲ୍ଲୀ ସିଂହାସନର ସୁଲତାନା ହୁଏ, ଅନ୍ୟ ଯେକୌଣସି ଲୋକଠାରୁ ତମେ ସେ କଥା ବେଶି ଭାବରେ ଚାହିଁଥିଲ; କିନ୍ତୁ ମୋର ସିଂହାସନ ଦାବୀ ବିରୁଦ୍ଧରେ ଅମୀରମାନଙ୍କ ମନୋଭାବ କେଡ଼େ ତୀବ୍ର, ସେ କଥା ଯଦି ତମେ ଜାଣିଥାଆନ୍ତ...!

 

ଅମୀର ଆଲତୁନିୟା ଏଥର ବିଶେଷ ଉତ୍ତେଜିତ ହୋଇ ଉଠିଲେ । କହିଲେ, ଅମୀରମାନେ ଆପଣଙ୍କୁ ଚାହୁଁ ନ ଥିଲେ, ଏହାର କାରଣ ନୁହେଁ ଯେ ଦିଲ୍ଲୀ ସିଂହାସନ ପାଇଁ ଆପଣ ଅନୁପଯୁକ୍ତା; ବରଂ ଆପଣଙ୍କର ବିଶେଷ ଯୋଗ୍ୟତା ସେମାନଙ୍କୁ ସଂତ୍ରସ୍ତ କରିଥିଲା । ସେମାନେ ଚାହୁଁଥିଲେ ଜଣେ ମଦମତ୍ତ ଦୁର୍ବଳ ସୁଲତାନ ରୁକନୁଦ୍ଦିନଙ୍କ ଭଳି ବ୍ୟକ୍ତି, ଯାହାକୁ ହାତର କ୍ରୀଡ଼ନକ କରି ସେମାନେ ନିଜର ସ୍ଵାର୍ଥସାଧନ କରିପାରିବେ; ସ୍ୱେଚ୍ଛାରେ ସିଂହାସନ ଦାବୀ ପରିତ୍ୟାଗ କରି ସେମାନଙ୍କର ସେହି ଇଚ୍ଛା ଆପଣ ପୂରଣ କଲେ ସୁଲତାନନନ୍ଦିନୀ ! ସେଥିପାଇଁ ମୋର ଏ କ୍ରୋଧ.......

 

ରେଜିୟା କିନ୍ତୁ ବିଚଳିତ ହେବା ଭଳି ମହିଳା ନୁହନ୍ତି ।

 

ସେ ଧୀର କଣ୍ଠରେ କହିଲେ, ମୌଲବୀ, ଅମୀରମାନଙ୍କୁ ତମେ ଭଲକରି ଜାଣ ନାହିଁ ଆଲତୁନିୟା ! ଯୋଗ୍ୟତା, ଅଯୋଗ୍ୟତା ସେମାନଙ୍କ ପାଖରେ ବଡ଼ ପ୍ରଶ୍ନ ନୁହେଁ । ବଡ଼ କଥା ହେଉଛି ମୁଁ ନାରୀ...ପୁରୁଷ ନୁହେଁ । ଜଣେ ନାରୀର ଆଦେଶ ପାଳନ କରି ସେମାନେ ଶାସନକାର୍ଯ୍ୟରେ ସହାୟତା କରିବେ, ଏ କଥା ସେମାନେ କଳ୍ପନା ସୁଦ୍ଧା କରିପାରି ନ ଥିଲେ...

 

କଥା ଶେଷକରି ନିଜ ଦେହକୁ ଥରେ ଭଲ କରି ଚାହିଁଲେ ରେଜିୟା ।

 

ଆଲତୁନିୟାଙ୍କ ଦୃଷ୍ଟି ମଧ୍ୟ ରେଜିୟାଙ୍କ ଦେହସୀମାକୁ ଫେରି ଆସିଲା ।

 

ପ୍ରଦୀପର ଆଲୋକରେ ରେଜିୟାଙ୍କ ଲୀଳାୟିତ ଅଙ୍ଗରାଗ ଝଲସି ଉଠୁଛି । ନିଃଶ୍ୱାସ, ପ୍ରଶ୍ୱାସର ତାଳେ ତାଳେ ପ୍ରକମ୍ପିତ ହେଉଛି ତାଙ୍କର ଦୁଇଟି ଉନ୍ନତ ବୁକୁ...ଦୁଇ ଆଖିର ତୀରେ ତୀରେ ଘନୀଭୂତ ହୋଇ ଆସୁଛି ଅନେକ ଅସୁମାରୀ ସ୍ଵପ୍ନ ।

 

ରେଜିୟା ନାରୀ, ଲାବଣ୍ୟମୟୀ ରମଣୀ ।

 

ପୁରୁଷ ଆଖିରେ ସବୁଦିନ ନାରୀଦେହର ଯେଉଁ ଆବେଦନ, ତା ଛଡ଼ା ରେଜିୟାଙ୍କୁ ଅନ୍ୟ ଦୃଷ୍ଟିରେ କେହି ଦେଖିବାକୁ ସୁଦ୍ଧା ରାଜି ନୁହନ୍ତି ।

 

ରେଜିୟା ଲଜ୍ଜାନମ୍ର କଣ୍ଠରେ କହିଲେ, ମତେ ଏତେ କଅଣ ଦେଖୁଛ ଆଲତୁନିୟା ! ଛୋଟ ପିଲାଦିନୁ ତ ମତେ ଦେଖି ଆସୁଛ... !

 

ଆଲତୁନିୟା ଦୃଷ୍ଟି ଉତ୍ତୋଳନ କଲେ ।

 

କହିଲେ, ଆପଣ ନାରୀ, ଏ କଥା ସୁଲତାନ ମଧ୍ୟ ଜାଣିଥିଲେ । ସବୁ ଜାଣିଶୁଣି ଉତ୍ତରାଧିକାରିଣୀ ଭାବରେ ସେ ଯେତେବେଳେ ଆପଣଙ୍କୁ ମନୋନୀତ କରିଥିଲେ, ତାଙ୍କ ଇଚ୍ଛାବିରୁଦ୍ଧରେ ଯିବା ପାଇଁ କେହିହେଲେ ସାହସ କରିପାରି ନ ଥାନ୍ତେ । ନିଜେ ସିଂହାସନ ତ୍ୟାଗ କରି ଆପଣ ନିଜର ସର୍ବନାଶ କଲେ, ଆମକୁ ମଧ୍ୟ ହତାଶ କଲେ । ଏ ଆପଣଙ୍କର ନିଷ୍ପତ୍ତିରେ ତାଜୁଦ୍ଦିନ କିପରି ମର୍ମାହତ, ସେ କଥା ସହଜରେ ମୁଁ ବୁଝାଇ ପାରିବି ନାହିଁ...

 

ଆଲତୁନିୟାଙ୍କ କଥା ଶୁଣି ନିଃଶବ୍ଦରେ ହସିଲେ ରେଜିୟା ।

 

କହିଲେ, ତମେ କେବଳ ମୋର ଦିଲ୍ଲୀ ସିଂହାସନ ପାଇବା ଚାହଁ ନାହିଁ; ମତେ ମଧ୍ୟ ପାଇବାକୁ ଚାହଁ; କିନ୍ତୁ ସେଥିପାଇଁ ମୁଁ ସୁଲତାନା ହେବାରେ ତମର ଏପରି ଅସୀମ ଆଗ୍ରହ । କିନ୍ତୁ ଅନ୍ୟମାନେ... !

 

ଆଲତୁନିୟା ସାମାନ୍ୟ ଅପ୍ରତିଭ ହେଲେ ।

 

ଉତ୍ତର ଦେଲେ, ଦିଲ୍ଲୀ ସିଂହାସନ ଓ ଆପଣ-ଏ ଦୁଇଟିଯାକ ବସ୍ତୁ ମୋ ଆଖିରେ ଅଚ୍ଛେଦ୍ୟ, ଅଭିନ୍ନ । ଆପଣଙ୍କୁ ବାଦଦେଲେ ଯେପରି ମୁଁ ଦିଲ୍ଲୀସିଂହାସନ କଥା ଭାବିପାରେ ନାହିଁ; ଦିଲ୍ଲୀ ସିଂହାସନକୁ ବାଦ ଦେଇ ଆପଣଙ୍କ କଥା ମଧ୍ୟ ମୁଁ ସେହିପରି କଳ୍ପନା କରିପାରେ ନାହିଁ । ମୋ ଆଖିରେ ଆପଣଙ୍କ ବ୍ୟତୀତ ଆଉ କେହି ଦିଲ୍ଲୀସିଂହାସନ ଆରୋହଣ ପାଇଁ ଉପଯୁକ୍ତ ମନେହୁଅନ୍ତି ନାହିଁ...

 

ସ୍ଵାର୍ଥପର ସବୁ ପୁରୁଷଙ୍କ ଭଳି ତମେ ମଧ୍ୟ ସ୍ଵାର୍ଥପର ଆଲତୁନିୟା ! ତମେ ମତେ ଭଲପାଅ, ସେଥିପାଇଁ ଦିଲ୍ଲୀସିଂହାସନ ଉପରେ ମଧ୍ୟ ତମର ଅସୀମ ସ୍ନେହ; କିନ୍ତୁ ଦିଲ୍ଲୀସିଂହାସନ ଉପରେ ମୋର ଆଗ୍ରହ ଅନ୍ୟ ଦୃଷ୍ଟିରୁ...ଭାରତରେ ତୁର୍କୀ ସାମ୍ରାଜ୍ୟର ବିସ୍ତାର ଦିଗରୁ...ସେଥିପାଇଁ ତୁର୍କୀ ଅମୀରମାନଙ୍କୁ ଅସନ୍ତୁଷ୍ଟ କରି ମୁଁ ସିଂହାସନ ଚାହିଁ ନାହିଁ... -ରେଜିୟା ଦୃଢ଼କଣ୍ଠରେ ଉତ୍ତର ଦେଲେ ।

 

ଅନେକ ସମୟ ପର୍ଯ୍ୟନ୍ତ କିଛି ଉତ୍ତର ଦେଲାନାହିଁ ଆଲତୁନିୟା ।

 

ଦୀର୍ଘ ନୀରବତା ପରେ କମ୍ପିତ କଣ୍ଠରେ କହିଲେ, ତାହାହେଲେ କଅଣ ଦୁର୍ବଳ ରୁକନୁଦ୍ଦିନଙ୍କ ଆଧିପତ୍ୟ ଆମକୁ ମାନିନେବାକୁ ହେବ ?

 

ରେଜିୟା ସ୍ପଷ୍ଟକଣ୍ଠରେ କହିଲେ, ଏଥିରେ ସନ୍ଦେହର ଆବଶ୍ୟକ ନାହିଁ । ରୁକନୁଦ୍ଦିନ ମୋର ଭାଇ । ତମେ ମତେ ଯଦି ଭଲପାଅ, ତାଙ୍କୁ ଶାସନକାର୍ଯ୍ୟରେ ସାହାଯ୍ୟ କରିବା ତମର ପବିତ୍ର କର୍ତ୍ତବ୍ୟ । ତାଜୁଦ୍ଦିନଙ୍କୁ କହିବ-ମୋ ପକ୍ଷରୁ ନୂତନ ସୁଲତାନଙ୍କୁ ସ୍ଵାଗତ ଜଣାଇବା ପାଇଁ ସେ ରଚନା କରିବେ ଏକ ସ୍ଵାଗତ-ଗୀତିକା...

 

ହତାଶ ଓ ବିରକ୍ତିରେ ଆଲତୁନିୟା ପ୍ରଶ୍ନ କଲେ, ତାହାହେଲେ ଦିଲ୍ଲୀସିଂହାସନ ଉପରେ ଆପଣଙ୍କ ଦାବୀ କଅଣ ଏହିପରି ଚିରଦିନ ଉପେକ୍ଷିତ ହୋଇ ରହିବ... ?

 

ରାତ୍ରି ଅନେକ ହୋଇଥିଲା ।

 

ତନ୍ଦ୍ରାର ଆବେଗରେ ନୟନ ମୁଦ୍ରିତ ହୋଇ ଆସୁଥିଲା ରେଜିୟାଙ୍କର । ସେ ତନ୍ଦ୍ରାଜଡ଼ିତ କଣ୍ଠରେ କହିଲେ, ସେ କଥା ମୁଁ କହୁ ନାହିଁ ଆଲତୁନିୟା ! ଆମକୁ ସୁଯୋଗର ଅପେକ୍ଷାରେ ରହିବାକୁ ହେବ...ଆମେ ଆଜିଠାରୁ ବେଶି ସତର୍କ, ବେଶି ସଂଯତ ହେବା ଦରକାର । ଆଶା କରୁଛି, ମୋ ପାଇଁ ତମ ମନରେ ଯେତିକି ସ୍ନେହ ଯେତିକି ପ୍ରେମ ଭରି ରହିଛି, ମୋ ପାଇଁ ସେତିକି ଆନୁଗତ୍ୟ ମଧ୍ୟ ତମ ହୃଦୟରେ ଭରି ରହିବ । ମୁଁ ସିଂହାସନ ଚାହେଁ, କିନ୍ତୁ ଭାରତବର୍ଷରେ ତୁର୍କୀଶକ୍ତିକୁ ଦୁର୍ବଳ କରି ନୁହେଁ...

 

ସୁବର୍ଣ୍ଣ ସୁଯୋଗ ଆସିଥିଲା । ରେଜିୟାଙ୍କ ପଦିଏ କଥାରେ ତାହା ଦୂର ହୋଇଗଲା । ପୁଣି କଅଣ ସତରେ ସେ ସୁଯୋଗ ଫେରି ଆସିବ ?

 

ଆଲତୁନିୟା ରେଜିୟାଙ୍କ ମୁହଁକୁ ଚାହିଁଲେ ।

 

ତାଙ୍କ ଦୁଇ ଇନ୍ଦ୍ର-ନୀଳ ଆଖି ଡୋଳାରେ ଅନେକ ରହସ୍ୟ, ଅନେକ ପରିକଳ୍ପନାର ଇଙ୍ଗିତ । ଅଦ୍ଭୁତ, ବିଚିତ୍ର ଏହି ନାରୀ । ଅନେକ ସମୟରେ ବୁଝିବାକୁ ଚେଷ୍ଟାକରି ସୁଦ୍ଧା ଆଲତୁନିୟା ତାଙ୍କୁ ବୁଝିପାରନ୍ତି ନାହିଁ ।

 

ଦିଲ୍ଲୀସିଂହାସନ ଆରୋହଣ-ଉତ୍ସବ ସମାପ୍ତ ହେଲା ବିପୁଳ ଆନନ୍ଦର କଳରୋଳ ମଧ୍ୟରେ ।

 

ରୁକନୁଦ୍ଦିନ୍ ହେଲେ ଦିଲ୍ଲୀର ସୁଲତାନ ।

 

ଭାରତବର୍ଷର ରାଜନୈତିକ ଆକାଶରେ ଘୋଟିଆସିଲା ଅନେକ ମେଘର ଘନଘଟା ।

 

କୁତବୁଦ୍ଦିନ ଆଇବାକ, ଇଲତୁମିସଙ୍କ ଦୂରଦୃଷ୍ଟି, ଅସାମାନ୍ୟ ବୀରତ୍ୱ, ଅକଳ୍ପନୀୟ କୂଟନୀତି ବଳରେ ଦିଲ୍ଲୀ ଦରବାରରେ ଯେଉଁ ତୁର୍କୀଶାସନର ଭିତ୍ତି ସୁଦୃଢ଼ ହୋଇ ଉଠିଥିଲା, ନୂତନ ସିଂହାସନ ଆରୋହଣ-ଉତ୍ସବର କୋଳାହଳ ସମ୍ପୂର୍ଣ୍ଣ ନୀରବ ହୋଇଯିବା ଆଗରୁ ମନେହେଲା, ସତେ ଯେପରି ସେହି ତୁର୍କୀ ସୁଲତାନୀ ଶାସନର ଭିତ୍ତି ଦୋହଲିବାକୁ ଆରମ୍ଭ କରିଛି ।

 

କାରଣ ରୁକନୁଦ୍ଦିନଙ୍କ ଦୁର୍ବଳତା; ସୁଲତାନ ଶାସନାଧୀନ ଅନୁଗତ ଶାସକମାନଙ୍କୁ ଅଜ୍ଞାତ ନ ଥିଲା । ସେମାନେ ଦେଖିଥିଲେ, ସୁଲତାନ ଇଲତୁମିସଙ୍କ ହାତର କୃପଣ କିପରି ଶତ୍ରୁସଂହାର ପାଇଁ ଚକ୍ରଗତିରେ ଆବର୍ତ୍ତିତ ହୁଏ; ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଜାଣିଥିଲେ-ସୁଲତାନନନ୍ଦିନୀ ରେଜିୟାଙ୍କ ଅପୂର୍ବ ରଣକୌଶଳ । କିନ୍ତୁ ରୁକନୁଦ୍ଦିନ୍.....

 

ପାନଶାଳାର ଲାଳସା-ଲୋହିତ ପରିବେଶ ମଧ୍ୟରେ ଅନେକେ ତାଙ୍କୁ ଦେଖିଥିଲେ କେଉଁ ରୂପସୀ ନର୍ତ୍ତକୀର କଣ୍ଠରେ ବାହୁଛନ୍ଦି ପ୍ରଣୟ ନିବେଦନ କଲାବେଳେ...ଆଉ ଅବା କେହି କେହି ତାଙ୍କୁ ଲକ୍ଷ୍ୟ କରିଥିଲେ ଆକଣ୍ଠ ସୁରାପାନ ଶେଷରେ ଅଶ୍ୱାରୋହଣ କରି ଫେରିବା ବେଳେ ଦିଲ୍ଲୀ ରାଜପଥରେ ସଂଜ୍ଞାହୀନ ହୋଇ ସେ ଭୂପତିତ ହେବା ସମୟରେ...

 

ପାନଶାଳାର ସେହି ଉନ୍ମତ୍ତ ନାରୀଦେହଲୋଭୀ କାମୁକ ପୁରୁଷ ଦିଲ୍ଲୀସିଂହାସନ ଆରୋହଣ କରିବେ, ଏ କଥା ଅନେକଙ୍କ ପାଇଁ ଥିଲା ବିସ୍ମୟର ବସ୍ତୁ । ଆଉ ହୁଏତ କେହି କେହି ଆଶା କରିଥିଲେ, ସିଂହାସନର ଗୁରୁଦାୟିତ୍ୱ ବହନ କଲା ପରେ ପ୍ରକୃତିସ୍ଥ ହେବେ, ଇଲତୁମିସଙ୍କ ଯୋଗ୍ୟ ଉତ୍ତରାଧିକାରୀ ହେବା ପାଇଁ ଉଦ୍ୟମ କରିବେ ରୁକନୁଦ୍ଦିନ !

 

କିନ୍ତୁ ମଣିଷର ପ୍ରକୃତି ଯେ ସହଜରେ ବଦଳେ ନାହିଁ, ଏ କଥା ଦିଲ୍ଲୀ ଅଧିବାସୀମାନଙ୍କୁ ବୁଝିବା ପାଇଁ ମାସ, ବର୍ଷକାଳ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ଦିନ କେତେଟା ପରେ ଦେଖାଗଲା-ସ୍ଵୟଂ ସୁଲତାନ୍ ବଳାତ୍କାର କରି କେଉଁ ନର୍ତ୍ତକୀକୁ ପାନଶାଳାରେ ନଗ୍ନ କରିବାକୁ ଚେଷ୍ଟା କଲାବେଳେ ଯଦି କେହି ସେଥିରେ ବାଧା ଦେବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କୁ ହୋଇଛି ପ୍ରାଣଦଣ୍ତ...

 

ଆଉ ଅବା କେଉଁଦିନ ନିଜ ହାରେମ୍ ପାଇଁ ସୁଲତାନ ଦେଶ ମଧ୍ୟରୁ ସୁନ୍ଦରୀ ରମଣୀ କ୍ରୟ ଲାଗି ଲୋକ ନିଯୁକ୍ତି କରିବା ସମ୍ବାଦ ଦିଲ୍ଲୀ ସହରରେ ଚହଳ ସୃଷ୍ଟି କରିଛି !

 

ସାଧାରଣ ଜନତା ମଧ୍ୟରେ ଏଭଳି ଘଟଣା ପାଇଁ ଯେତିକି ଭୟ, ଆଶଙ୍କା; ବ୍ୟବସାୟୀ ମହଲରେ ଏଥିପାଇଁ ସେତିକି ଆଗ୍ରହ, ସେତିକି ଉତ୍ସାହ ।

 

ଯେଉଁମାନେ ଦିନେ ହେଲେ ଦିଲ୍ଲୀ ସୁଲତାନଙ୍କ ଦର୍ଶନ ପାଇବା ଲାଗି ଚେଷ୍ଟା କରିବାକୁ ଭୟ କରୁଥିଲେ, ସେହି ନଫାଖୋର୍ ଧୂର୍ତ୍ତ ବ୍ୟବସାୟୀମାନେ ଦରବାରରେ ଯାଇ ଭିଡ଼ ଜମାଇବାକୁ ଆରମ୍ଭ କଲେ ।

 

ନୂତନ ସୁଲତାନଙ୍କ ଏକମାତ୍ର ନିଶା ନାରୀ ଆଉ ସୁରା ।

 

ଶାସନ କହିଲେ ସେ କେବଳ ବୁଝୁଥିଲେ ସମ୍ଭୋଗ ।

 

ସେଥିପାଇଁ ସମଗ୍ର ଦିଲ୍ଲୀରେ ପ୍ରତିଦିନ ପ୍ରସାରିତ ହେଉଥିଲା ନୂନତ ଗୁଜବ ।

 

ବହୁପଥ ଅତିକ୍ରମ କରି ଦୋୟାବର ୱାଜିର୍ ଆସିଥିଲେ ନୂତନ ସୁଲତାନଙ୍କ ସହ ପରାମର୍ଶ କରିବାକୁ ଦେଶର ଶାସନ ବ୍ୟବସ୍ଥା ସମ୍ପର୍କରେ...ଦୁଇଦିନ ଦୁଇରାତ୍ରି ବିତିଲା...କିନ୍ତୁ ସୁଲତାନଙ୍କ ସହ ସାକ୍ଷାତ ମିଳିଲା ନାହିଁ । ସୁଲତାନ ହାରେମରେ ପାନୋନ୍ମତ୍ତ ସାକ୍ଷାତ ପାଇଁ ସମୟ ନାହିଁ...

 

ଅଥଚ ଏଇ ଧୂର୍ତ୍ତବ୍ୟବସାୟୀଗଣ, ଯେଉଁମାନେ ନାରୀସଂଗ୍ରହ କାର୍ଯ୍ୟରେ ନିଯୁକ୍ତି, ସେମାନଙ୍କ ପାଇଁ ଦିଆନ୍-ଇ-ଖାସ୍ର ଦରଜା ସବୁବେଳେ ଉନ୍ମୁକ୍ତ !!

 

ଭୟ, କ୍ରୋଧ, ଲଜ୍ଜା ଓ ଅପମାନରେ ୱାଜରଙ୍କର ସର୍ବାଙ୍ଗ ଶିହରି ଉଠୁଥିଲା; କିନ୍ତୁ ସେ ମନୋଭାବକୁ ସେ ସହଜରେ ପ୍ରକାଶିତ କରି ପାରୁ ନ ଥିଲେ । ଇଲତୁମିସଙ୍କ ଅସ୍ତ୍ର ଝଣତ୍କାରରେ ଥରେ ତାଙ୍କର ବିଦ୍ରୋହୀ ମସ୍ତକ ଅବନତ ହୋଇଥିଲା; ସେ ଶିକ୍ଷା ସେ ବିସ୍ମୃତ ହୋଇ ନାହାନ୍ତି । ଆଉ ଥରେ ବିଦ୍ରୋହୀ ହେବାର ଦୁଃସାହସ ତାଙ୍କ ମନରେ ସହଜରେ ଉଦୟ ହେଉ ନାହିଁ ।

 

ତା ଆରଦିନ ପ୍ରଧାନ ସଚିବ ନିଜାମୁଲ୍ ମୁଲକଙ୍କ ପାଖରେ ଅଭିଯୋଗ କଲେ ୱାନିର୍ ତେୟାବର ଭବିଷ୍ୟତ ଉପରେ ଶତ୍ରୁ ଆକ୍ରମଣର ଭୟ...ପରାମର୍ଶ ପାଇଁ ଥରେ ହେଲେ ସୁଲତାନଙ୍କ ସହ ସାକ୍ଷାତ୍ ସୁଦ୍ଧା କଲେ ନାହିଁ ।

 

ନିଜାମୁଲ ମୁଲକ ବିବ୍ରତ ହେଲେ; କିନ୍ତୁ ବିଚଳିତ ହେଲେ ନାହିଁ ।

 

ରୁକନଦ୍ଦିଦ ତାଙ୍କରି ପ୍ରତିବାଦର ଫଳ, ନୂତନ ସୁଲତାନଙ୍କ ବିରୁଦ୍ଧରେ କିଛି କହି ନିଜର ନିର୍ବୋଧତା ଜଣେ ସାମାନ୍ୟ ଅନୁଗତ ୱାଜିରଙ୍କ ଆଗରେ ପ୍ରକାଶ କରିଦେବା ଭଳି ବ୍ୟକ୍ତି ସେ ନୁହଁନ୍ତି । ସେଥିପାଇଁ ଶୂନ୍ୟଦୃଷ୍ଟିରେ ସେ ଆକାଶକୁ ଚାହିଁଲେ ।

 

ଦୋଆବର ୱାଜିର୍ ପୁଣି ଅଭିଯୋଗ କଲେ, ଶୁଣୁଛି ସୁଲତାନ୍ ସବୁବେଳେ ସାକୀସୁରା ନେଇ ଉନ୍ମତ୍ତ...ଅଥଚ ଶତ୍ରୁ ଆକ୍ରମଣର ଭୟରେ ସାରା ଦେଶ ଶଙ୍କିତ !

 

ବୃଦ୍ଧ ନିଜାମୁଲ୍ ନିଜର ଶୁଭ୍ର କେଶରେ କର ସଞ୍ଚାଳନ କରି କହିଲେ, ମୁଁ ଥାଉ ଥାଉ ଆପଣ କିଛି ଚିନ୍ତା କରନ୍ତୁ ନାହିଁ ୱାଜିର୍ ! ଦୋଆବ ଶତ୍ରୁ ଦ୍ଵାରା ଆକ୍ରାନ୍ତ ହେଲେ ଦିଲ୍ଲୀର ସାହାଯ୍ୟ ଯଥାସମୟରେ ପହଞ୍ଚିବ...

 

ୱାଜିର୍ ନୀରବ ହୋଇଗଲେ ।

 

ଛଅ

 

ଶାହାତୁର୍କାନ ସ୍ଵର୍ଣ୍ଣ ଭୂଷଣରେ ସୁସଜ୍ଜିତା ହୋଇ ବେଗମ ମହଲର ମନ୍ତ୍ରଣାକକ୍ଷରେ ପଦଚାରଣ କରୁଥିଲେ ।

 

ତାଙ୍କର ଅନେକ ଦିନର ସ୍ଵପ୍ନ ସଫଳ ହୋଇଛି । ସୁଲତାନୀ ଶାସନର ଚାବିକାଠି ଆସିଯାଇଛି ତାଙ୍କ ହାତମୁଠା ଭିତରକୁ । ସେ ଆଜି କେବଳ ସୁଲତାନଙ୍କ ଛାୟା-ମାତ୍ର ନୁହଁନ୍ତି, କାୟା ବିସ୍ତାର କରି ସେ ଦିଲ୍ଲୀର ଶାସନକୁ ନିୟନ୍ତ୍ରଣ କରିବାର ସୁବିଧା ପାଇଛନ୍ତି !

 

ତାଙ୍କ ସ୍ମୃତିର ଆକାଶରେ ଭାସି ଉଠୁଥିଲା ବେଗମ ମହଲରେ ସେହିସବୁ ଈର୍ଷା-କାତର ଦିନଗୁଡ଼ିକର ଛବି...

 

ସମ୍ଭୋଗବିଳାସୀ ସୁଲତାନଙ୍କ ହାରେମରେ ବହୁ ରମଣୀଙ୍କ ଭିଡ଼ । ସେଇ ‘ଅନେକ’ଙ୍କ ମଧ୍ୟରେ ସେ ଥିଲେ ମାତ୍ର ‘ଏକ’ । ଯେଉଁଦିନ ଅନ୍ୟ କେହି ବେଗମ ସୁଲତାନ ଇଲତୁମିସଙ୍କ ସାମୀପ୍ୟ ଲାଭକରି ଗର୍ବରେ ମୁଣ୍ଡ ଟେକି ଚାଲିଯାଏ; ସେଦିନ ତାଙ୍କ ଛାତି ଭିତରେ ସେ ଅନୁଭବ କରନ୍ତି ଅନିର୍ବାପିତ ଜ୍ଵାଳା, ଯନ୍ତ୍ରଣା !

 

ଅନ୍ୟ କେଉଁ ବେଗମକୁ ତୃଟିପୂର୍ଣ୍ଣ କଥା ପଦେ ସୁଦ୍ଧା କହିଦେଲେ ସୁଲତାନଙ୍କ ପାଖରୁ ତାଙ୍କୁ ସେଥିପାଇଁ ତାଗିଦ୍ ଶୁଣିବାକୁ ହୁଏ । ମନେ ମନେ ସେ ଈର୍ଷାରେ ନିପୀଡ଼ିତ ହୁଅନ୍ତି ସତ୍ୟ, କିନ୍ତୁ ସେ ପୀଡ଼ନର ଯନ୍ତ୍ରଣାକୁ ଅନ୍ୟ କାହାରି ଆଗରେ ପ୍ରକାଶ କରିପାରନ୍ତି ନାହିଁ । ଏହି ଶେଷହୀନ ଯନ୍ତ୍ରଣା, ଅପ୍ରକାଶ୍ୟ ବେଦନା, ଅତୃପ୍ତି ମଧ୍ୟରେ ନିଷ୍ପେସିତ ହୋଇ ସେ ଶ୍ଵାସରୋଧର ବ୍ୟଥା ଅନୁଭବ କରୁଥିଲେ ।

ଆଉ ଯେଉଁଦିନ ସେ ଶୁଣିଲେ ରେଜିୟା ହେବ ସୁଲତାନଙ୍କ ଉତ୍ତରାଧିକାରିଣୀ !

ସମସ୍ତ ଆଶା, ସମସ୍ତ ସ୍ଵପ୍ନ ତାଙ୍କର ସେଦିନ ଧୂଳିସାତ୍ ହୋଇ ଯିବାକୁ ବସିଥିଲା ।

ଯାହା ମାନସିକ ଯନ୍ତ୍ରଣା ଭୋଗକରନ୍ତୁ ପଛେ, ସୁଲତାନଙ୍କ ରାଜତ୍ଵ କାଳରେ ସେ ଥିଲେ ବେଗମ, ଚତ୍ୱାରିଂଶ ଅମୀରମାନଙ୍କ ପାଖରେ ତାଙ୍କର କ୍ଷମତା, ପ୍ରତିପତ୍ତି, ସମ୍ମାନ ଥିଲା ଅମ୍ଳାନ । କିନ୍ତୁ ରେଜିୟା ସୁଲତାନା ହେଲା ପରେ ସେ ସମ୍ମାନ, ପ୍ରତିପତ୍ତି ସେ ପାଇବେ କେଉଁଠୁ ?

ସେଦିନ କଥା ଭାବି ସନ୍ଦେହ ନୁହେଁ-ଭୟରେ ଶିହରି ଉଠିଥିଲେ ଶାହାତୁର୍କାନ୍ ।

ସେ ଜାଣନ୍ତି, ଅମୀର ଆଲତୁନିୟାଙ୍କ ସହ ରେଜିୟାଙ୍କର ଗଢ଼ି ଉଠିଛି ଏକ ମଧୁର ସମ୍ପର୍କ । ସୁଲତାନା ହେଲା ପରେ ହୁଏ ତ ସେମାନଙ୍କର ସାଦି ହୋଇଯିବ । ତା ପରେ କ୍ଷିପ୍ରଗତିରେ ଦିଲ୍ଲୀର ଶାସନକ୍ଷମତା ଚାଲିଯିବ ଆଉ ଜଣେ ଅନାତ୍ମୀୟ ଅମୀର ହାତକୁ । କେଉଁ ଶକ୍ତି ବଳରେ ସେ ଆଉ ଏ ବେଗମ୍ ମହଲରେ ଶୋଭା ପାଇବେ ? କଅଣ ହେବ ତାଙ୍କ ନିଜ ପୁତ୍ର ରୁକନଉଦ୍ଦିନଙ୍କ ଅବସ୍ଥା ?

ସେହି ସବୁ କଥା ଚିନ୍ତା କରି ଅନେକ ରାତ୍ରିରେ ତାଙ୍କର ସୁନିଦ୍ରା ହୋଇ ନ ଥିଲା ।

କେତେ ମନ୍ତ୍ରଣା, କେତେ ଚକ୍ରାନ୍ତ ଫଳରେ ଘଟଣାର ସ୍ରୋତ ଗତି ପରିବର୍ତ୍ତନ କଲା ।

ଚତ୍ୱାରିଂଶ ଅମୀରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସନ୍ଦେହ ଓ ଈର୍ଷାକୁ କେନ୍ଦ୍ର କରି ନିଜ ସପକ୍ଷରେ ସେ ଗଢ଼ି ତୋଳିଲେ ଜନମତ । ଉଦ୍ୟମ ତାଙ୍କର ସଫଳ ହେଲା । ସେ ଉଦ୍ୟମର ପ୍ରଧାନ ଅସ୍ତ୍ର ହେଲେ ନିଜାମୁଲ୍ ମୁଲକ୍ ।

ମନେ ମନେ ହସିଲେ ଶାହାତୁର୍କାନ ।

ରେଜିୟା ନାରୀ-ନାରୀର ଶାସନ ଇସଲାମବିରୋଧୀ-ଏଥିପାଇଁ ନାରୀ-ବିଦ୍ୱେଷୀ ରକ୍ଷଣଶୀଳ ଅମୀରମାନେ ରେଜିୟାଙ୍କ ବିରୁଦ୍ଧରେ କଣ୍ଠସ୍ୱର ଉତ୍ତୋଳନ କଲେ; କିନ୍ତୁ ସେମାନେ ନିର୍ବୋଧ-ସେମାନେ ଜାଣିପାରିଲେ ନାହିଁ ଯେ ରୁଜନ୍ଉଦ୍ଦିନଙ୍କୁ ସୁଲତାନ କଲା ପରେ ପ୍ରଚ୍ଛନ୍ନ ଭାବରେ ପ୍ରତିଷ୍ଠିତ ହେଲା ଆଉ ଜଣେ ନାରୀର ଅଖଣ୍ଡ ଆଧିପତ୍ୟ–ସେ ନାରୀ ହେଉଛନ୍ତି ସେ ସ୍ଵୟଂ !

ନିଜ ପୁତ୍ରକୁ ଭଲକରି ଜାଣନ୍ତି ଶାହାତୁର୍କାନ୍ ।

ଶାସନ କରିବାର ସର୍ବନିମ୍ନ ଶକ୍ତି ସୁଦ୍ଧା ତାହାର ନାହିଁ । ସେଥିପାଇଁ ସେ କେବେ ପୁତ୍ରକୁ ସଚେତନ ମଧ୍ୟ କରିନାହାନ୍ତି । କାରଣ ତାଙ୍କର ଅନ୍ତରର ଇଚ୍ଛା, ନାମକୁ ମାତ୍ର ସୁଲତାନ ହୋଇ ରହିବ ରୁକନଉଦ୍ଦିନ; ପ୍ରକୃତ କ୍ଷମତା ପ୍ରାୟୋଗ କରିବେ ସେ ନିଜେ । ତାଙ୍କର ଇଙ୍ଗିତରେ ଅମୀରମାନେ; ଅନୁଗତ ଓ୍ଵାଜିର୍, ନବାବ ମାନେ ପରିଚାଳିତ ହେବେ...

ସେ ଇଚ୍ଛା ତାଙ୍କର ପୂରଣ ହୋଇଛି ।

ବେଗମ ମହଲରେ ମଧ୍ୟ ଅନୁଭୂତ ହୋଇଛି ତାଙ୍କ ପ୍ରଭୁତ୍ଵ ।

ଯେଉଁ ଅନ୍ୟ ବେଗମମାନେ ଦିନେ ଥିଲେ ତାଙ୍କ ସପତ୍ନୀ; ଆଜି ସେମାନେ ତାଙ୍କ ସେବିକା । ସେହିମାନେ ହିଁ ତାଙ୍କର ପ୍ରଜା; ସେମାନଙ୍କ ଉପରେ ହିଁ ସେ ସୁଲତାନା ! ତାଙ୍କର ଆଦେଶ ଅମାନ୍ୟ କଲେ ବେଗମ ହେବ ବନ୍ଦି; ନ ହେଲେ ଜଘନ୍ୟ ଅପରାଧରେ ଅପରାଧିନୀ !

ବହୁ ଦିନର ଅତୃପ୍ତି ତାଙ୍କର ଦୂର ହୋଇଛି....

କିନ୍ତୁ ରେଜିୟା... !

ଶାହାତୁର୍କାମଙ୍କ ମନଟା ହଠାତ୍ କାହିଁକି ମଳିନ ପଡ଼ିଗଲା ।

ରେଜିୟାଙ୍କୁ ସେ ଶାସନ କ୍ଷମତାରୁ ଦୂରରେ ରଖିଛନ୍ତି ସତ୍ୟ; କିନ୍ତୁ ନିଜ ଶାସନାଧୀନ କରିପାରି ନାହାନ୍ତି । ଆଜି ସୁଦ୍ଧା ବେଗମ ମହୀଲ, ରାଜଦରବାର, ଅମୀରମାନଙ୍କ ମଧ୍ୟରେ ତାଙ୍କର ପ୍ରଭାବ ଅସୀମ, ଅନତିକ୍ରମ୍ୟ । ସେ ଶୁଣିଛନ୍ତି, ରେଜିୟାଙ୍କ ପ୍ରତି ଦେଶରେ ସାଧାରଣ ଜନତାର ଶ୍ରଦ୍ଧା ମଧ୍ୟ ଭରି ରହିଛି ।

ସେଥିପାଇଁ ନିକଟରେ ରେଜିୟାକୁ ଦେଖିଲେ ମସ୍ତକ ତାଙ୍କର ଅବନତ ହୋଇଆସେ । ସବୁ କିଛି ପାଇଥିବାର ଗର୍ବ ଅହଂକାର କିଛି ନ ପାଇଥିବାର ଶୂନ୍ୟତାରେ ହୃଦୟ ଭରି ଉଠେ । ନୂତନ ଚକ୍ରାନ୍ତ, କୁଟିଳ ଚିନ୍ତାରେ ଭାରାକ୍ରାନ୍ତ ହୋଇ ଉଠେ ତାଙ୍କର ମନ ।

ବାହାରେ କାହାର ପଦଶବ୍ଦ ଶୁଭିଲା ।

ଶାହାତୁର୍କାନ ଚମକି ଉଠି ଦେହରକ୍ଷୀକୁ ପଚାରିଲେ, କିଏ ସେ ?

ନିଜାମୁଲ ମୁଲକ୍ ! ଉତ୍ତର ଆସିଲା ।

ବୃଦ୍ଧ ସଚିବ ନିଜାମୁଲ୍ ଗମ୍ଭୀର ଭାବରେ କକ୍ଷରେ ପ୍ରବେଶ କଲେ । ଶାହାତୁର୍କାନଙ୍କର ମନେହେଲା ମସ୍ତକର କେଶ ଭଳି ମୁହଁର ରଙ୍ଗ ମଧ୍ୟ ତାଙ୍କର ସାଦା ହୋଇ ଉଠିଛି ।

କିଛି କାମ ଥିଲା–ଶାହା ତୁର୍କାନ ପ୍ରଶ୍ନ କଲେ ।

ଥିଲା; କିନ୍ତୁ କାମ ନୁହେଁ, କଥା । ବ୍ୟକ୍ତିଗତ କଥା ନୁହେଁ; ସାମ୍ରାଜ୍ୟର କଥା, ଶାସନର କଥା । -ନିଜାମୁଲ୍ ସବୁ କଥା ଗୋଟିଏ ନିଃଶ୍ୱାସରେ ପ୍ରକାଶ କରିବାକୁ ଯେପରି ବ୍ୟଗ୍ର ହୋଇ ଉଠିଥିଲେ !

ଶାହାତୁର୍କାନ୍ ଅନୁମାନ କରିପାରିଲେ ବକ୍ତବ୍ୟ ନୁହେଁ, ଅନେକଗୁଡ଼ିଏ ଅଭିଯୋଗ ନେଇ ନିଜାମୁଲ୍ ତାଙ୍କ ପାଖକୁ ଆସିଛନ୍ତି ।

ପ୍ରସଙ୍ଗ ପରିବର୍ତ୍ତନ କରିବା ପାଇଁ ସେ କୃତ୍ରିମ ଭାବରେ ହସି କହିଲେ; କିନ୍ତୁ ଶାସନର କଥା ମୋ ଆଗରେ କାହିଁକି ନିଜାମୁଲ ! ସେଥିପାଇଁ ତ ସୁଲତାନ ଅଛନ୍ତି !

ଏଥର ବୃଦ୍ଧ ନିଜାମୁଲଙ୍କ ହଁ ରେ ମଧ୍ୟ ଉତ୍ତେଜନାର ସ୍ପର୍ଶ ଦେଖାଗଲା ।

ସେ ଗମ୍ଭୀର କଣ୍ଠରେ ଉତ୍ତର ଦେଲେ, ସୁଲତାନ ଆପଣଙ୍କ ଅଭିଳାଷର ପ୍ରତିକୃତି ମାତ୍ର ମାଲିକା ! ତାଙ୍କ ପଛରେ ମୃତ ସୁଲତାନଙ୍କ ଉଇଲର ସମର୍ଥନ ନ ଥିଲା କିମ୍ଵା ଜନମତର ସମର୍ଥନ ମଧ୍ୟ ନାହିଁ । ଆପଣଙ୍କ ଇଚ୍ଛା କାର୍ଯ୍ୟକାରୀ କରିବା ପାଇଁ ମୁଁ ତାଙ୍କୁ ଦିଲ୍ଲୀର ସୁଲତାନ କରିବାକୁ ଅନ୍ୟ ଅମୀରମାନଙ୍କୁ ପ୍ରବର୍ତ୍ତାଇଛି ମାତ୍ର !

କୁଟିଳ ବ୍ୟଙ୍ଗର ଏକ ହାସ୍ୟରେଖା ଶାହାତୁର୍କାନଙ୍କ ମୁହଁରେ ଉଦୟ ହୋଇ ସାଙ୍ଗେ ସାଙ୍ଗେ ଅସ୍ତ ହୋଇଗଲା ।

ସେ କହିଲେ, ଅଭିଷେକ ଉତ୍ସବ ବେଳେ ଜନତାର ଯେଉଁ ଆନନ୍ଦ କଳରୋଳ, ସେଥିରେ କଅଣ ପ୍ରମାଣିତ ହୋଇ ନାହିଁ ଯେ ତାଙ୍କ ପଛରେ ଜନସମର୍ଥନ ରହିଛି ।

ନିଜାମୁଲ୍ ଏଥର ସାମାନ୍ୟ ବିବ୍ରତ ହେଲେ ।

କହିଲେ, ଅଭିଷେକ-ଉତ୍ସବରେ ଆଡ଼ମ୍ବରେ ଉତ୍ତାପ ଥିଲା; କିନ୍ତୁ ଜନହୃଦୟରେ ଉଷ୍ମତା ନ ଥିଲା । କିନ୍ତୁ ସେ କଥା ଆଜି ଏଠାରେ କାହିଁକି ? ଏକଥା ଆଉ କେହି ଜାଣନ୍ତୁ ନ ଜାଣନ୍ତୁ, ଆମେ ଦୁହେଁ ତ ଅନ୍ତତଃ ଜାଣୁ, ନୂତନ ସୁଲତାନଙ୍କ ସିଂହାସନ ଆରୋହଣ ପଛରେ ଥିଲା କେବଳ ଆମ ଦୁହିଁଙ୍କ ଅପରିସୀମ ପ୍ରଚେଷ୍ଟା !

କେବଳ ବୟୋବୃଦ୍ଧ ନୁହନ୍ତି, ଜ୍ଞାନବୃଦ୍ଧ ଏଇ ନିଜାମୁଲ୍ ମୁଲକଙ୍କ ସହିତ ଯୁକ୍ତି କରିବାକୁ ଆଉ ମନେ ମନେ ପସନ୍ଦ କଲେ ନାହିଁ ଶାହା ତୁର୍କାନ୍ ।

ଶାନ୍ତକଣ୍ଠରେ ପଚାରିଲେ; ଆମ ନିଷ୍ପତ୍ତି କଅଣ ଭୁଲ୍ ବୋଲି ଭାବୁଛନ୍ତି ?

ଭାବି ଆଉ ଲାଭ ନାହିଁ । ସିଂହାସନ ଏକ ଫୁଲଶଯ୍ୟା ନୁହେଁ, କଣ୍ଟକିତ ଶଯ୍ୟା । ସୁଲତାନଙ୍କୁ ସେଥିପାଇଁ ଯୋଗ୍ୟ ହେବାକୁ ପଡ଼ିବ । ତା ନ ହେଲେ ଯେଉଁ ବିପଦକୁ ଏଡ଼ାଇବା ପାଇଁ ଆମେ ତାଙ୍କୁ ସୁଲତାନ୍ କଲେ, ତା ଠାରୁ ବଳି ବିଡ଼ ବିପଦ ହୁଏ ତ ଆସିପାରେ-। -ନିଜାମୁଲଙ୍କ କଣ୍ଠ ଏଥର ଦ୍ଵିଧାହୀନ ।

ଶାହାତୁର୍କାନ୍ ଏଥର ଚମକି ଉଠିଲେ ।

କହିଲେ, ରେଜିୟା କଅଣ ବିଦ୍ରୋହ କରିବାକୁ ଚେଷ୍ଟା କରୁଛି ?

ନିଜାମୁଲ୍ ହସିଲେ ।

ଉତ୍ତର ଦେଲେ, ତାହା ହୁଏ ତ ସତ୍ୟ ନୁହେଁ, କିନ୍ତୁ ସିଂହାସନ ଆରୋହଣ ପରେ ସୁଲତାନ ଯେପରି ମଦ, ନାରୀ, ଲଘୁ ସମ୍ଭୋଗ ବିଳାସରେ ମାତିଛନ୍ତି, ତାହା ରେଜିୟାଙ୍କ ଠାରୁ ବଳି ଦୁର୍ବଳ ଶତ୍ରୁକୁ ମଧ୍ୟ ବିଦ୍ରୋହ ପାଇଁ ଉତ୍ସାହିତ କରିପାରେ ।

ଘଟଣା ମୁଁ କିଛି ବୁଝିପାରୁ ନାହିଁ ନିଜାମୁଲ୍ ! -ଶାହା ତୁର୍କାନଙ୍କ କଣ୍ଠ ଦ୍ଵିଧାଜଡ଼ିତ ।

ସୁଲତାନ ଶାସନର କୌଣସି କଥା ବୁଝୁ ନାହାନ୍ତି । ଅଧୀନସ୍ଥ ୱାଜିର ଦୁର ପ୍ରଦେଶରୁ ସାକ୍ଷାତ ପାଇଁ ଆସି ସୁଦ୍ଧା ତାଙ୍କର ଦର୍ଶନ ପାଉ ନାହାନ୍ତି । ଅଥଚ ସେମାନଙ୍କୁ ଆପ୍ୟାୟିତ କରି ନ ରଖିଲେ ଦିଲ୍ଲୀ ସିଂହାସନ ଅସ୍ତିତ୍ଵ ଦୋହଲି ଯାଇପାରେ । ନିଜାମୁଲ୍ ସ୍ପଷ୍ଟ କଣ୍ଠରେ ସତର୍କବାଣୀ ଘୋଷଣା କଲେ ।

ଏ ସବୁ କଥା ସହଜରେ ସହ୍ୟ କରିପାରିଲେ ନାହିଁ ଶାହାତୁର୍କାନ୍ ତାଙ୍କର ମନେହେଲା, ଏ ସତର୍କ ବାଣୀ ଯେପରି ନୂତନ ସୁଲତାନଙ୍କୁ ନୁହେଁ, ତାଙ୍କୁ ହିଁ ଶୁଣାଇଛନ୍ତି ନିଜାମୁଲ୍ ମୁଲକ୍ ।

ସେ ବିକ୍ଷୁବ୍ଧ କଣ୍ଠରେ ପ୍ରତିବାଦ କଲେ, ରୁକନ୍ଉଦ୍ଦିନ ସୁଲତାନ, ଶାସନ କଥା ବୁଝିବା ଦାୟିତ୍ଵ ତାଙ୍କର । ସେ ସବୁ ବିଷୟରେ ଆପଣ ମୁଣ୍ଡ ନ ଖେଳେଇଲେ ଚଳିବ ନିଜାମୁଲ୍ !

ନିଜାମୁଲ୍ ପ୍ରସ୍ଥାନ କରିଯିବାକୁ ପ୍ରସ୍ତୁତ ହେଲେ । ଆଉ ଯୁକ୍ତି କରି କିଛି ଲାଭ ନାହିଁ ।

କିନ୍ତୁ ଯିବା ପୂର୍ବରୁ ସେ କହିଗଲେ, ଆପଣ ମୋ କଥା ନ ଶୁଣି ପାରନ୍ତି ମାଲିକା ! କିନ୍ତୁ ଦିଲ୍ଲୀରେ ପ୍ରବଳ ଜନରବ କୁତବୁଦଦ୍ଦିନଙ୍କୁ ନୂତନ ସୁଲତାନ କରିବା ପାଇଁ ବହୁ ଅମୀର ଚେଷ୍ଟା ଚଳାଇଛନ୍ତି ।

ନିଜାମୁଲ୍ ମୂଲକ ଶାହାତୁର୍କାନଙ୍କ ଉତ୍ତର ଶୁଣିବାକୁ ଅପେକ୍ଷା ନ କରି ଚାଲିଗଲେ । ଆଉ ଶାହାତୁର୍କାନ ଅନୁଭବ କଲେ, ତାଙ୍କର ଆଖି ଆଗରେ ଯେପରି ବିରାଟ ଏକ ବିସ୍ଫୋରଣ ଘଟିଗଲା !

ସୁଲତାନ୍ ହେବ କୁତବୁଦ୍ଦିନ୍ !

 

ସାତ

 

ଶାହାତୁର୍କାନ୍ ନିଜାମୁଲଙ୍କ କଥାକୁ ଏତେ ସହଜରେ ବିଶ୍ଵାସ କରିପାରୁ ନ ଥିଲେ । ତାଙ୍କର ପ୍ରସ୍ଥାନ ପରେ ବି ଅନେକ ସମୟ ପର୍ଯ୍ୟନ୍ତ ସେ ପ୍ରକୃତିସ୍ଥ ହୋଇପାରି ନ ଥିଲେ । ଅଭିଯୋଗ କରିବାକୁ ଆସି ଶେଷରେ ଧମକ ଦେଇଗଲେ ତାଙ୍କୁ ନିଜାମୁଲ୍ !

 

ମନ୍ତ୍ରଣାକକ୍ଷରୁ ନିଜ ଶୟନକକ୍ଷକୁ ଫେରିଆସିଲେ ଶାହାତୁର୍କାନ୍ ।

 

ବିଶ୍ରାମ ନେଇ କ୍ଳାନ୍ତି ଦୂର କରିବାକୁ ଚେଷ୍ଟାକଲେ

 

କିନ୍ତୁ-ନା-ମାନସିକ ଉତ୍ତେଜନା ନେଇ କ୍ଳାନ୍ତି ବିନୋଦନ ସହଜ ନୁହେଁ; ସମ୍ଭବ ନୁହେଁ । କୁତବୁଦ୍ଦିନ୍ ସୁଲତାନ ହେବା ସମସ୍ୟା ଏକ ପ୍ରେତ ଭଳି ତାଙ୍କୁ ଭୟ ଦେଖାଯାଉଛି । ସେ ଭୟକୁ ତାଙ୍କ ମନରୁ ଦୂର କରିବାକୁ ପଡ଼ିବ ।

 

ନିଜ ପୁତ୍ର ରୁକନ୍ଉଦ୍ଦିନ୍ ସୁଲତାନ ହେଲା ପରେ ଅଖଣ୍ଡ କ୍ଷମତା ଉପଭୋଗ କରିବେ ବୋଲି ସେ ମନେ ମନେ ଯେଉଁ ସ୍ଵପ୍ନ ଦେଖିଥିଲେ; ନିଜମଲଙ୍କ ଧମକ ଶୁଣି ସେ ସ୍ଵପ୍ନ ତାଙ୍କର ଦୁଃସ୍ଵପ୍ନରେ ପରିଣତ ହୋଇଗଲା ।

 

ରୁକନ୍ଉଦ୍ଦିନଙ୍କର ଯଦି କେହି ପ୍ରତିଦ୍ୱନ୍ଦି ଥିଲା, ଶାହାତୁର୍କାନଙ୍କ ମତରେ ସେ ହେଉଚି ରେଜିୟା । ସେଥିପାଇଁ ରୋଜିୟାଙ୍କୁ କ୍ଷମତା ଲାଭର ରାଜପଥରୁ ହଟାଇବା ପାଇଁ ସେ ମନେ ମନେ ଯୋଜନା କରୁଥିଲେ; କିନ୍ତୁ ତାକୁ କ୍ଷମତା ଲାଭର ପଥରୋଧ କରି କୁତବୁଦ୍ଦିନ ଭଳି ଅର୍ବାଚିନ କିଶୋର ଆସି ଠିଆ ହେବ, ଏ କଥା ତାଙ୍କ କଳ୍ପନାଶକ୍ତିକୁ ସୁଦ୍ଧା ସ୍ପର୍ଶ କରିନଥିଲା ।

 

ରୁକନ୍ଉଦ୍ଦିନ ଯେ ଶାସନ ପାଇଁ ଅଯୋଗ୍ୟ, ଏଥିରେ ତାଙ୍କର ତିଳେ ହେଲେ ସନ୍ଦେହ ନ ଥିଲା । ସୁଲତାନଙ୍କ ଏହି ଦୁର୍ବଳତାର ସୁଯୋଗରେ ସେ ପ୍ରକୃତରେ ଦିଲ୍ଲୀର କ୍ଷମତାକୁ ହାତକୁ ଆଣି ପାରିଥିଲେ । ରେଜୀୟାଙ୍କ ଭଳି କ୍ଷମତା ସମ୍ପନ୍ନା ନାରୀ ସୁଲତାନା ହେଲେ ତାଙ୍କର ସେ କ୍ଷମତା ହ୍ରାସ ପାଇବାର ଭୟ ତାଙ୍କୁ ଆତଙ୍କିତ କରି ରଖିଥିଲା; କିନ୍ତୁ କୁତବୁଦ୍ଦିନଙ୍କ ସୁଲତାନ ହେବା କଥା ଶୁଣି ତାଙ୍କର ଦୃଢ଼ ଧାରଣା ହେ।ଇଗଲା, କ୍ଷମତା ସମ୍ପୂର୍ଣ୍ଣ ଭାବରେ ତାଙ୍କର ହାତ ଛଡ଼ା ହୋଇ ବସିଛି...

 

ଘଟଣାର ପରିଣତି କଥା ଚିନ୍ତା କରିବା ମାତ୍ରେ କ୍ରୋଧରେ ତାଙ୍କର ସାରା ଦେହ ଜର୍ଜ୍ଜରିତ ହୋଇ ଉଠିଲା ।

 

କୁତବୁଦ୍ଦିନର ଜନନୀ ସାମାନ୍ୟ ଜଣେ ବାନ୍ଦୀ...

 

କେଉଁ ଅଶୁଭ ମୁହୂର୍ତ୍ତରେ ଇଲତୁମିସଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲା କେଜାଣି, ତାର ସାନ୍ନିଧ୍ୟରେ ଆସିବା ପରେ ଉନ୍ମାଦ ହୋଇ ଉଠିଲେ ସୁଲତାନ । ତାଙ୍କର ସେ ଭାବାନ୍ତର ଦେଖି ସେ ଦିନ ଗୁଡ଼ିକରେ କମ୍ ମାନସିକ ଯନ୍ତ୍ରଣା ଅନୁଭବ କରିନାହାନ୍ତି ଶାହାତୁର୍କ।ନ୍ ।

 

ତାର କିଛି ଦିନ ପରେ କୁତବୁଦ୍ଦିନର ଜନ୍ମ... ।

 

ହସି ହସି ସେଦିନ ଇଲତୁମିସ ଶାହାତୁର୍କାନଙ୍କୁ କହିଥିଲେ, ତୁମେ ଦେଖିବ ମୋର ଏଇ ପୁତ୍ର ହିଁ ହେବ ସବୁଠୁ ବଳି ବୁଦ୍ଧିମାନ....

 

ଈର୍ଷା, ହିଂସାରେ ଶାହାତୁର୍କାନଙ୍କ ଅନ୍ତରାତ୍ମା ଜଳି ଯାଉଥିଲା ।

 

କୁଟିଳ କଟାକ୍ଷ କରି ସେ ସେଦିନ ପ୍ରଶ୍ନ କରିଥିଲେ, ରୁକନଦ୍ଦିନ ଠାରୁ କୁତବୁଦ୍ଦିନ ବେଶି ବୁଦ୍ଧିମାନ ହେବ ବୋଲି ଆପଣ ଭାବୁଛନ୍ତି କାହିଁକି ଜାହାଁପନା !

 

ଈଷତ୍ ହସି ସୁଲତାନ ଉତ୍ତର ଦେଇଥିଲେ, ମୋର କୌଣସି ଗୁଣ ଯୋଗୁଁ ନୁହେଁ, ଏ ପୁତ୍ର ବୁଦ୍ଧିମାନ, ପ୍ରତିଭାଶାଳୀ ହେବ ତାର ମାଆର ସାଧାରଣ ପ୍ରତିଭା ଯୋଗୁଁ । ମାଆ ତାର ଥିଲା ସାଧାରଣ ଜଣେ ବାନ୍ଦୀ...ମୁଁ ଯେଉଁଦିନ ତାକୁ ହାରେମକୁ ବେଗମ୍ କରି ଆଣିଲି ସେ କଅଣ କହିଥିଲା ଜାଣ ?

 

ସୁଲତାନ ନିଜ ପ୍ରଶ୍ନର ଉତ୍ତର ଦେବା ଆଗରୁ ସାମାନ୍ୟ ଅନ୍ୟମନସ୍କ ହୋଇ ଯାଇଥିଲେ-। ତାପରେ ଅତୀତର କେଉଁ ଏକ ପାଶୋରା ସ୍ମୃତିକୁ ବହୁ କଷ୍ଟରେ ସ୍ମରଣ କଲାଭଳି ଉଦାସ ଭାବରେ ଉତ୍ତର ଦେଇଥିଲେ, କୁତବୁଦ୍ଦିନର ମାଆ ମତେ କହିଥିଲା ମୁଁ ସାମାନ୍ୟ ଜଣେ ବାନ୍ଦୀ....ବେଗମ ମହଲରେ ମୁଁ ଶୋଭା ପାଇବି ନାହିଁ । ବାନ୍ଦୀ କେବେ ବେଗମ୍ ହୋଇପାରେ ନାହିଁ-। ଆପଣ ପ୍ରେମ ଦେଇ ମତେ ପବିତ୍ର କରିଛନ୍ତି ସୁଲତାନ । ଦୟା ଦେଖାଇ ମତେ ଶାନ୍ତିଦିଅନ୍ତୁ-। ଏଇ ଅଶ୍ୱଶାଳର ପାର୍ଶ୍ୱଗୃହରେ ଅନ୍ୟ ବାନ୍ଦୀମାନଙ୍କ ସହ ମୁଁ ସୁଖରେ ରହିବି...

 

ଶାହାତୁର୍କାନ୍ ସବୁ ଶୁଣୁଥିଲେ, କିଛି ଉତ୍ତର ଦେଇ ପାରି ନଥିଲେ ।

 

ସୁଲତାନ ନିର୍ଲିପ୍ତ କଣ୍ଠରେ କହି ଚାଲିଥିଲେ, କିନ୍ତୁ ତାକୁ ମୁଁ ନିଜ ବୁକୁ ଉପରକୁ ନିଜେ ତୋଳି ଆଣିଥିଲି ବେଗମ୍ ! ହାରେମର ଅନ୍ତଃପୁରରେ ବାଧ୍ୟକରି ତାକୁ ମୁଁ ସ୍ଥାନ ଦେଇଥିଲି । କିନ୍ତୁ କେବେ ତମେ ଦେଖିଛ ତାଠାରେ ସ୍ୱର୍ଣ୍ଣଭୂଷଣ, ଝୀନ ଶାଢ଼ୀ, ଭୋଗ ବିଳାସ ! କେବେ ହେଲେ ଲକ୍ଷ୍ୟ କରିଛ ତାଠାରେ ବେଗମ ସୁଲଭ ଅହଙ୍କାର, ଗର୍ବ ! କେଉଁ ଦିନ ଅନୁଭବ କରିଛ ପତ୍ନୀର ଅଧିକାରରେ ମୋ ଠାରେ କେବେ ହେଲେ କିଛି ସେ ଦାବି କରିଛି !! ନା କେବେ ନୁହେଁ । ବେଗମ ମହଲ ଯଦି ଆସମାନ ହୁଏ, ତାହାହେଲେ ସେ ସେଥିରେ ଏକ ଉଜ୍ଜ୍ୱଳ ଉଦାସ ନିଃସଙ୍ଗ ନକ୍ଷତ୍ର । ମୁଁ ତାକୁ କେବେ କିଛି ଦେଇ ନଥିଲି, ଦେଇଛି କେବଳ ଏକ ସନ୍ତାନ । ଦେଖିବ ତା ମାଆର ନିରହଙ୍କାର, ସରଳତା, ପ୍ରତିଭା ନେଇ ସେ ପୁତ୍ର ଦିନେ... ।

 

ନା-ନା-ଶାହାତୁର୍କାନ୍ ସେଦିନ ସେକଥା ଆଉ ଶୁଣିପାରି ନଥିଲା । ଅସୁସ୍ଥତାର ଛଳନା କରି ପଳାଇ ଆସିଥିଲା ସେ ଅନ୍ଦର ମହଲକୁ । ସେଦିନ ତାଙ୍କର ପ୍ରଥମଥର ପାଇଁ ଇଚ୍ଛା ହୋଇଥିଲା ଆତ୍ମହତ୍ୟା କରିବାକୁ । ସୁଲତାନଙ୍କ ମୁହଁରୁ ଅନେକ ସମୟରେ ଅନ୍ୟ ବେଗମଙ୍କ ପ୍ରଶଂସା ଶୁଣି ଧୈର୍ଯ୍ୟଧରି ରହିଛନ୍ତି; କିନ୍ତୁ ତାଙ୍କର ନିଜ ପୁତ୍ର ଥାଉ ଥାଉ ସେ ସୁଲତାନଙ୍କ ମୁହଁରୁ ନିଜ ସପତ୍ନୀ ପୁତ୍ରର ପ୍ରଂଶସା ଶୁଣିବେ, ଏକଥା ତାଙ୍କ ପକ୍ଷରେ ଅସହ୍ୟ ।

 

କିନ୍ତୁ ଇଚ୍ଛା କରି ମଧ୍ୟ ଆତ୍ମହତ୍ୟା କରି ପାରି ନଥିଲେ ଶାହାତୁର୍କାନ ।

 

ଦିଲ୍ଲୀ ସିଂହାସନର ଏଇ ଅତୁଳ ଐଶ୍ୱର୍ଯ୍ୟ, ଆକଣ୍ଠ ଉପଭୋଗ କରିବାର ଲାଳସା ତାଙ୍କ ମନରୁ ପର ମୁହୂର୍ତ୍ତରେ ଆତ୍ମହତ୍ୟା କରିବାର ମନୋବୃତ୍ତିକୁ ପୋଛି ଦେଇଥିଲା । ବରଂ ଆହତ ସର୍ପିଣୀ ଭଳି ସେ ଈର୍ଷାର ବିଷଜ୍ୱାଳାରେ ଉତଫଣ ହୋଇ ଉଠିଥିଲେ...

 

ଆଜି ନିଜାମୁଲଙ୍କଠାରୁ କୁତବୁଦ୍ଦିନର ସୁଲତାନ ହେବା କଥା ଶୁଣି ସେ ସବୁ ବିସ୍ମୃତପ୍ରାୟ କଥା ସବୁ ତାଙ୍କ କର୍ଣ୍ଣ ଗହ୍ୱରରେ ଧ୍ୱନିତ ହେବାକୁ ଲାଗିଲା ।

 

ସେ ଭାବିଥିଲେ ମାତା ପୁତ୍ର ଦୁହେଁ ନିର୍ବୋଧ, ନିରୀହ । କିନ୍ତୁ ଆଜି ତାଙ୍କର ମନେ ହେଲା ସେ ନିର୍ବୋଧତାର ମୁଖା ତଳେ ଏବଂ ନିରୀହତାର ଆବରଣ ତଳେ ଲୁଚି ରହିଥିଲା ସୁଲତାନ ହେବାର ଉଚ୍ଚାକାଙକ୍ଷା...ଷଡ଼ଯନ୍ତ୍ର !

 

ଶାହାତୁର୍କାନଙ୍କ ଦୃଷ୍ଟିର ପରିଧିରେ ଆବର୍ତ୍ତିତ ହେବାକୁ ଲାଗିଲା ପ୍ରତିଶୋଧ ନେବାର ବିକଟ କଳ୍ପନା । ଉପାଧାନକୁ ବୁକୁରେ ଚାପିଧରି ଅଧର ଦଂଶନ କରି ସେ ମନେ ମନେ ଶପଥ କଲେ କୁତବୁଦ୍ଦିନ ଓ ତାର ମାଆକୁ ସପ୍ତାହକ ମଧ୍ୟରେ ସେ ନିଶ୍ଚୟ ନିଶ୍ଚିହ୍ନ କରିଦେବେ !

 

ଆଠ

 

ବେଗମ ମହଲରେ ଚାପା ଉତ୍ତେଜନାର ଗୁଞ୍ଜନ ।

 

କିପରି ଏକ ଅଶାନ୍ତ ଉଷ୍ମତାରେ ଭରି ଉଠିଛି ସାରା ହାରେମ୍ ।

 

ଦିଲ୍ଲୀ, ସିନ୍ଧ, ଆରବ, ଇରାନ ପ୍ରଭୃତି ବହୁ ଦେଶର, ବହୁଭାଷାର ଶରୀରସୁନ୍ଦରୀ ନାରୀମାନଙ୍କର ବିଚିତ୍ର ମିଳନସ୍ଥଳୀ ଏଇ ଦିଲ୍ଲୀ ହାରେମ୍ ! ତୁର୍କୀ ସୁଲତାନଙ୍କ ଆମୋଦର ଆଧାର ହେବାପାଇଁ ସମସ୍ତ ଏଇ ଆବଦ୍ଧ ମହଲରେ ଏକତ୍ରିତ ! ବହୁ ବେଗମଙ୍କ ପ୍ରାଣ ସ୍ପନ୍ଦନ ଗୋଟିଏ ବୀଣାର ତାରରେ ସ୍ପନ୍ଦିତ ହୁଏ... ସେ ବୀଣାର ତାର ହେଲା ସୁଲତାନଙ୍କ ସ୍ନେହ ! ଭିନ୍ନ ଭିନ୍ନ ବେଗମମାନଙ୍କ ସମ୍ୱନ୍ଧର ଏକମାତ୍ର ଯୋଗସୂତ୍ର ସୁଲତାନ !

 

ଇଲତୁମିସଙ୍କ ଦେହାନ୍ତ ପରେ ସେଥିପାଇଁ ସେ ସମ୍ପର୍କର ସୂତ୍ର ଛିନ୍ନ ହୋଇ ଯାଇଥିଲା । କିପରି ଏକ ବିଷାଦର ଗ୍ଲାନିରେ ଆଚ୍ଛନ୍ନ ହୋଇ ରହିଥିଲା ବେଗମ ମହଲ । କିନ୍ତୁ ରୁକନଦ୍ଦିନ ସୁଲତାନ ହେବା ପରେ ଏଲତୁମିସଙ୍କ ବେଗମ ମହଲରେ ବିଷାଦ ବଦଳରେ ଘୋଟି ଆସିଲା ଆତଙ୍କର କଳାମେଘ !

 

ଶାହାତୁର୍କାନ୍ ବେଗମ ମହଲର ସର୍ବମୟକର୍ତ୍ତୀ ।

 

ତାଙ୍କ ନିଃଶ୍ୱାସରେ ପ୍ରଳୟର ପ୍ରଭଞ୍ଜନ, ତାଙ୍କର ଇଙ୍ଗିତରେ ମରଣର ତାଣ୍ଡବ ନୃତ୍ୟ !

 

ତାଙ୍କ ଆଦେଶ ଅମାନ୍ୟ କଲେ ରକ୍ଷା ନାହିଁ !

 

ଅନ୍ୟ ବେଗମମାନଙ୍କ ମନରେ ସଞ୍ଚାରିତ ହେଲା ସନ୍ଦେହର ବିଭୀଷିକା । ହରେମ‌ରେ ଥାଇ ସତେ ଯେପରି ସେମାନେ ବେଗମ ନୁହନ୍ତି, ବାନ୍ଦୀ !

 

ସେଦିନ ନିଶାର୍ଦ୍ଧରେ ଜଣେ ଇରାନୀ ବେଗମଙ୍କ କକ୍ଷରେ ହଠାତ ପ୍ରଦୀପର ଆଲୋକ ଜଳି ଉଠିଲା । ବେଗମ ଜଣକ ସଦ୍ୟ ତନ୍ଦ୍ରାର ଆବେଶ ମୁକ୍ତ ହୋଇ ଦୃଷ୍ଟି ମେଲି ଚାହିଁଲେ, ଶାହାତୁର୍କାନ୍ ।

 

ଏତେ ରାତିରେ ? ଆପଣ ?

 

ଶାହତୁର୍କାନଙ୍କ ଅତନ୍ଦ୍ର ଆଖିରେ କିନ୍ତୁ ଅନେକ ରହସ୍ୟର ଘନଘଟା । ବେଗମଙ୍କ କାନ୍ଧରେ ଚାପଦେଇ ସେ କହିଲେ, ଚାରିଆଡ଼େ ଭୀଷଣ ଷଡ଼ଯନ୍ତ୍ର ଭଉଣୀ ! ମୋର ଏକମାତ୍ର ନୟନ ପିତୁଳି ରୁକନଦ୍ଦିନ । ସେ ସୁଲତାନ ହେବାପରେ ତା ଉପରେ ଡାଆଣୀ ଦୃଷ୍ଟି ପଡ଼ିଛି । ମୁଁ ନିଜ କାନରେ ଶୁଣି ଆସିଲି...

 

କଥା ଶେଷ ନ କରି ନୀରବ ହୋଇଗଲେ ଆକସ୍ମିକ ଭାବରେ ! ଶାହାର୍ତୁକାନ ।

 

ଇରାମୀ ବେଗମଙ୍କ ଆଖିରୁ ତନ୍ଦ୍ରା ତୁଟି ଯାଇଥିଲା ମନରୁ ଜଡ଼ତା ଦୂର ହୋଇ ଯାଇଥିଲା । ବିସ୍ଫାରିତ ନୟନରେ ଚାହିଁ ସେ ପ୍ରଶ୍ନ କଲେ, ନୂଆ ସୁଲତାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର...-!

 

ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ଶାହାତୁର୍କାନ କହିଲେ, ଆଉ କେହି ନୁହେଁ...କୁତବୁଦ୍ଦିନ ଆଉ ତାର ମାଆ...ନୂଆ ସୁଲତାନଙ୍କୁ ହତ୍ୟା କରିବା ପାଇଁ ଗୋପନ ଷଡ଼ଯନ୍ତ୍ର ଚାଲିଛି...କେତେଜଣ ଅମୀର ମଧ୍ୟ ସେମାନଙ୍କ ସହ ଯୋଗ ଦେଇଛନ୍ତି...

 

ଏଥର ଆତଙ୍କ ନୁହେଁ ବିସ୍ମୟର ବିଦ୍ୟୁତ୍ ସଞ୍ଚାରିତ ହେଲା ଇରାନୀ ବେଗମଙ୍କ ମନରେ-। ଫୁଲର ପାଖୁଡ଼ା ମନ ଯାହାର କୋମଳ, ପାହାନ୍ତାର ଶିଶୀର ଭଳି ବ୍ୟବହାର ଯାହାର ନିରୀହ, ସେଇ କୁତବୁଦ୍ଦିନର ଜନନୀ ନୂଆ ସୁଲତାନଙ୍କୁ ହତ୍ୟା କରିବା ପାଇଁ... !

 

ବାହାରେ ସ୍ତରିଭୂତ ଅନ୍ଧକାର ।

 

ରାତ୍ରି ଗଭୀର । ହୁଏତ ସନ୍ଦେହ କରି କେହି ଏ ପ୍ରଦୀପ୍ତ କକ୍ଷ ପାଖକୁ ଆସି ଯାଇପାରେ-। ସେଥିପାଇଁ ଉତ୍କଣ୍ଠିତ ଭାବରେ ଶାହାର୍ତୁକାନ୍ ଚାପା କଣ୍ଠରେ କହି ଉଠିଲେ, ତମକୁ ଏକଥା ସୁଲତାନ୍ ଓ ଅନ୍ୟ ଅମୀରମାନଙ୍କୁ ଦରବାରରେ କହିବାକୁ ହେବ ଭଉଣୀ । କିନ୍ତୁ ମୋ ଠାରୁ ଏକଥା ଶୁଣିଛ ବୋଲି କହିବ ନାହିଁ । ଲୋକେ ତାକୁ ଭୁଲ ବୁଝିବେ । ତମ ଉପରେ ଅମୀରମାନଙ୍କ ବିଶ୍ୱାସ ଅକଳନ । ତମେ କହିଲେ ସମସ୍ତେ ବିଶ୍ୱାସ କରିବେ...ନୂଆ ସୁଲତାନଙ୍କ ଜୀବନ ରକ୍ଷା ହେବ...

 

ଇରାନୀ ବେଗମ ଶିହରି ଉଠିଲେ ।

 

ତାଙ୍କ ଦେହରେ ଖେଳିଗଲା ଭୟ ଓ ସନ୍ଦେହର ବିଦ୍ୟୁତ୍ ପ୍ରବାହ । ପଚାରିଲେ, ଆପଣଙ୍କ ନାମ କହିବି ନାଇଁ... କେଉଁଠୁ ଶୁଣିଛି ବୋଲି କହିବି ? ଅଭିଯୋଗ ପ୍ରମାଣ କରି ନପାରିଲେ ଦରବାରରେ...

 

ତମ ହାତ ଧରୁଛି ଭଉଣୀ ! ନୂଆ ସୁଲତାନଙ୍କ ଜୀବନରକ୍ଷା ପାଇଁ ଏତିକି ମାତ୍ର ମୁଁ ବିଶ୍ଵସ୍ତ ସୂତ୍ରରୁ ଶୁଣିଛି । ମୋ ଉପରେ କଅଣ ବିଶ୍ଵାସ ନାହିଁ ? -ଶାହାତୁର୍କାନଙ୍କ କଣ୍ଠରେ କରୁଣ ମିନତି ।

 

ନୂଆ ସୁଲତାନ ସିଂହାସନ ଆରୋହଣ କଲାପରେ ଶାହାତୁର୍କାନଙ୍କ କଣ୍ଠର ତେଜ ଭାବଭଙ୍ଗୀର ଆଡ଼ମ୍ବର ନୀରବରେ ଆଖିରୁ ଲୁହ ପୋଛି ଅନେକ ଥର ଲକ୍ଷ୍ୟ କରିଛନ୍ତି ଇରାନୀ ବେଗମ ।

 

ତାଙ୍କର ମନେ ହୋଇଛି, ଇଲତୁମିସଙ୍କ ଦେହାନ୍ତ ପରେ ତାଙ୍କ ଭଳି ମୃତ-ସୁଲତାନଙ୍କର ସମସ୍ତ ବେଗମ ଶ୍ରୀହୀନା ହୋଇ ଯାଇଥିଲେ; କିନ୍ତୁ ନୂଆ ସୁଲତାନଙ୍କ ସିଂହାସନ ଆରୋହଣ ପରେ ସେ ସମସ୍ତ ଅପହୃତ, ଶ୍ରୀ ସତେ ଯେପରି ଆସି ଏକାକିନୀ ଶାହାତୁର୍କାନଙ୍କଠାରେ ଠୁଳ ହୋଇଥିଲା ! କଣ୍ଠସ୍ଵରରେ କି ଔଦ୍ଧତ୍ୟ ! ବ୍ୟବହାରରେ କି ଇତରତା !

 

ହଠାତ୍ ତାଙ୍କ କଣ୍ଠରେ ଏ ପ୍ରାର୍ଥନା-ସୁଲଭ ନମ୍ରତା କାହିଁକି ?

 

ନିଜପୁତ୍ରର ପ୍ରାଣରକ୍ଷା ପାଇଁ ! ନା...ଅନ୍ୟକିଛି...

 

ଇରାନୀ ବେଗମ ନିଜ ଦୁଇହାତ ପାପୁଲିରେ ନିଜ ମୁହଁ ଚାପିଧରି ଅସ୍ପଷ୍ଟ କଣ୍ଠରେ କହି ଉଠିଲେ, ନା-ନା-ଯାହା ମୁଁ ନିଜ କାନରେ ନ ଶୁଣିଛି; ନିଜ ଆଖିରେ ନ ଦେଖିଛି, ତାହା ସତ୍ୟ ବୋଲି ମୁଁ ଦରବାରରେ କହି ପାରିବି ନାହିଁ... ।

 

ପ୍ରଦୀପର ଆଲୋକରେ ଝଲମଲ୍ ହେଉଥିବା ଶାହାତୁର୍କାନଙ୍କ ମୁହଁରେ କକ୍ଷ ବାହାରେ ଘନୀଭୂତ ହୋଇଥିବା ରାତିର ଅନ୍ଧକାର ଆସି ନେଶି ହୋଇଗଲା । ଏକ କୃଦ୍ଧ ଦୃଷ୍ଟି ନିକ୍ଷେପ କରି ସେ କକ୍ଷ ଛାଡ଼ି ଆସିଲେ ।

 

ସେଦିନ ରାତି ପାହି ସକାଳ ହେଲା ।

 

ଆସିଲା ପୁଣି ତା ପରେ କେତେ ରାତି, କେତେ ଅନ୍ଧକାର !

 

କେବଳ ସେ ଇରାମୀ ବେଗମଙ୍କ କକ୍ଷରେ ନୁହେଁ; ବାନ୍ଦୀ, ବେଗମ, ଦେହରକ୍ଷୀ; ପରିଚାରିକା-ସମସ୍ତଙ୍କ କକ୍ଷରେ ଚାଲିଲା ଏଇ ଦୃଶ୍ୟର ଅବତାରଣା । ସକଳେ ସମସ୍ତଙ୍କ ମୁହଁରେ ଭୟ ଓ ସନ୍ଦେହର ଚିହ୍ନ; କିନ୍ତୁ କେହି କାହାରିକୁ କିଛି କହି ପାରୁ ନାହାନ୍ତି, ପଚାରି ପାରୁ ନାହାନ୍ତି । କିଏ ତୁଣ୍ଡ ଖୋଲିବ ନୂଆ ସୁଲତାନ ଜନନୀଙ୍କ ବିରୁଦ୍ଧରେ !

 

ସତେ କଅଣ କୁତବୁଦ୍ଦିନ ଓ ତାଙ୍କ ମାଆ ନୂଆ ସୁଲତାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି !

 

ରାଜସିଂହାସନ ଆରୋହଣ କରିବାର ବୟସ ହୋଇ ନାହିଁ କୁତବୁଦ୍ଦିନଙ୍କର । ସିଂହାସନର ପ୍ରଲୋଭନ, ଷଡ଼ଯନ୍ତ୍ରର ପରିକଳ୍ପନା କଅଣ ତାଙ୍କ ମସ୍ତକରେ ପ୍ରବେଶ କରିପାରେ ?

 

କିନ୍ତୁ ଅପପ୍ରଚାର ସବୁବେଳେ ବୃଥା ହୁଏ ନାହିଁ । ବରଂ ଅପପ୍ରଚାରକୁ ଯଦି ବାରମ୍ବାର ବହୁ ମୁଖରେ ପ୍ରଚାର କରାଯାଏ, ତାହା ସତ୍ୟର ପ୍ରତ୍ୟୟ ସୃଷ୍ଟି କରେ ଅନେକଙ୍କ ମନରେ । ଶାହାତୁର୍କାନଙ୍କ ପରିକଳ୍ପନା ବ୍ୟର୍ଥ ହୋଇ ନଥିଲା ।

 

ହାରେମ୍ର ପ୍ରତ୍ୟେକ ବେଗମ, ବାନ୍ଦୀ, ଦେହରକ୍ଷୀ କୁତବୁଦ୍ଦିନ ଓ ତାଙ୍କର ମାଆଙ୍କୁ ଦେଖିଲେ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁବାକୁ ଲାଗିଲେ ।

 

ସମସ୍ତଙ୍କ ଦୃଷ୍ଟିରେ ସନ୍ଦେହ...

 

ସମସ୍ତଙ୍କ ଉକ୍ତିରେ ଆଶଙ୍କା...

 

ସମସ୍ତଙ୍କ ଭାବଭଙ୍ଗିରେ ଘୃଣାର ବ୍ୟଞ୍ଜନା...

 

କୁତବୁଦ୍ଦିନ ଓ ତାଙ୍କର ଜନନୀ ଏକ ଭୀଷଣ ଷଡ଼ଯନ୍ତ୍ରରେ ଲିପ୍ତ !

 

ନଅ

 

ନିଜେ ଚମକି ଉଠିଲେ ନିଜାମୁଲ୍ ମୁଲକ ।

 

ଦରବାରରେ ଏକ ନାଟକୀୟ ପରିସ୍ଥିତି । କୁତବୁଦ୍ଦିନ ଓ ତାଙ୍କର ଜନନୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ । ସ୍ଵୟଂ ସୁଲତାନ୍ ମଧ୍ୟ ଅଭିଯୋଗର ସତ୍ୟତାକୁ ବିଶ୍ୱାସ କରୁଛନ୍ତି ।

 

ଦିଲ୍ଲୀ ସିଂହାସନ ଅଧିକାର ପାଇଁ ସୁଲତାନଙ୍କୁ ଗୋପନରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ?

 

ଅମୀରମାନେ ସ୍ତବଧ । ବିଶ୍ୱାସ କରିବାକୁ ସେମାନଙ୍କଠାରେ ଯେତିକି ଅନିଛା, ଷଡ଼ଯନ୍ତ୍ରର ପରିଣତି କଥା ଚିନ୍ତା କରି ସେମାନେ ସେତିକି ଆତଙ୍କିତ !

 

ରାଜସିଂହାସନ ପାଇଁ ଷଡ଼ଯନ୍ତ୍ର ଦିଲ୍ଲୀ ସିଂହାସନ ଆଉ ତୁର୍କୀ ସାମ୍ରାଜ୍ୟର ଇତିହାସରେ କିଛି ଅଭିନବ ଘଟଣା ନୁହେଁ । କିନ୍ତୁ କୁତବୁଦ୍ଦିନଙ୍କ ଭଳି କିଶୋର ଆଉ ବେଗମଙ୍କ ଭଳି ନିରୀହା ରମଣୀଙ୍କ ପକ୍ଷରେ ଏହା କିଭଳି ରହସ୍ୟମୟ ଆଉ ଅବିଶ୍ଵାସ ମନେ ହେଉଥିଲା ।

 

କିନ୍ତୁ ଅଭିଯୋଗ ପ୍ରମାଣିତ ହେବାରେ କିଛି ଅସୁବିଧା ହେଲା ନାହିଁ ।

 

ଦୁଇଜଣ ଦେହରକ୍ଷୀ, ଜଣେ ବାନ୍ଦୀ ଏ ଅଭିଯୋଗର ସତ୍ୟତା ସଂପର୍କରେ ପ୍ରତ୍ୟକ୍ଷ ବିବରଣୀ ଉପସ୍ଥାପିତ କଲେ । କୁତବୁଦ୍ଦିନ କେବଳ ତୁର୍କୀ ଅମୀରମାନଙ୍କ ସହିତ ନୁହେଁ; ହିନ୍ଦୁ କାଫେରମାନଙ୍କ ସହଯୋଗରେ ବିଦ୍ରୋହ ସୃଷ୍ଟି କରିବାକୁ କଥାବାର୍ତ୍ତା କରୁଥିବା କଥା ସେମାନେ ଶୁଣିଛନ୍ତି ବୋଲି ପ୍ରକାଶ କଲେ ।

 

ଆଉ ତାଙ୍କର ଜନନୀ...ମୃତ ସୁଲ୍‍ତାନଙ୍କ ବେଗମ୍... !

 

ହାରେମର ଶୋଭାବର୍ଦ୍ଧନ ପାଇଁ ସୁଲତାନ୍ ତାଙ୍କୁ ଘୋଡ଼ାଶାଳାର ବାନ୍ଦୀ ପଦରୁ ବୁକୁ ଉପରକୁ ତୋଳି ଆଣିବା ଆଗରୁ ତାଙ୍କର କୁଆଡ଼େ ଗୋପନ ସମ୍ପର୍କ ଥିଲା ଜଣେ କାଫେର୍ ରାଜପୁତ୍ ସହିତ । ବାନ୍ଦୀ ଦୁଇଜଣ ସାକ୍ଷ୍ୟ ଦେଲେ, ଥରେ ନୁହେଁ ଅନେକ ଥର ସେମାନେ ଦେଖିଛନ୍ତି ନିଶାର୍ଦ୍ଧରେ ଜଣେ ଅଶ୍ୱାରୋହୀ ରାଜପୁତ୍ ତୀରବେଗରେ ଅଶ୍ଵ ଛୁଟାଇ ଆସନ୍ତି ଘୋଡ଼ାଶାଳ ପାଖକୁ...ନିଃଶବ୍ଦ ପଦକ୍ଷେପରେ ଦ୍ୱାର ଖୋଲି ବେଗମ ସେହି ଅଶ୍ୱାରୋହଣ କରନ୍ତି...ଶଯ୍ୟା ତାଙ୍କର ଶୂନ୍ୟ ରହେ...ପୁଣି ସକାଳର ସୂର୍ଯ୍ୟ ଯମୁନାର ଜଳଦର୍ପଣରେ ମୁଖ ଦେଖିବା ଆଗରୁ ସେହି ରାଜପୁତ୍ ଅଶ୍ୱାରୋହୀ ତାଙ୍କୁ ଛାଡ଼ି ଦେଇ ଯାଆନ୍ତି...

 

ଜଣେ କାଫେର୍ ରାଜପୁତର ରକ୍ଷିତା ନାରୀ ସୁଲତାନଙ୍କ ବେଗମ୍ ।

 

ଦରବାରରେ ଉପବିଷ୍ଟ ଦୁଇଜଣ ମୌଲବୀ କ୍ରୋଧରେ ଅସ୍ଥିର ହୋଇ ଉଠିଲେ । ସେମାନଙ୍କ ଭିତରୁ ଜଣେ ଚିତ୍କାର କଲା, ଏ ସବୁ ଜାଣି ସୁଦ୍ଧା ତମେ ସମ୍ରାଟ ଇଲତୁମିସଙ୍କ ଆଗରେ ଏ ତଥ୍ୟ ପ୍ରକାଶ କରି ନ ଥିଲ କାହିଁକି ବାନ୍ଦୀ ! ଏହାର ଶାସ୍ତି ତମେ କଅଣ ଜାଣ ?

 

ବାନ୍ଦୀ ଦୁଇଜଣ ଶାସ୍ତି କଥା ଶୁଣି ମୁହ୍ୟମାନ ହୋଇଗଲେ । ଭୟରେ ସେମାନଙ୍କ ମୁହଁରୁ କଥା ବାହାରିଲା ନାହିଁ ।

 

ଶାହାତୁର୍କାନ୍ ଲକ୍ଷ କଲେ ତାଙ୍କର ସମସ୍ତ ପରିକଳ୍ପନା ମୌଲବୀଙ୍କ ଗୋଟିଏ ଅପ୍ରାସଙ୍ଗିକ ପ୍ରଶ୍ନ ଯୋଗୁଁ ପଣ୍ଡ ହୋଇ ଯିବାକୁ ବସିଛି । ଯଦି ବାନ୍ଦୀ ଦୁଇଜଣ ଆତ୍ମରକ୍ଷା ପାଇଁ କହି ବସନ୍ତି ଯେ; ଏସବୁ କଥା ମିଥ୍ୟା...ଆମେ କିଛି ଜାଣି ନାହୁଁ !!

 

ଦରବାରର ସମସ୍ତେ ଚାହିଁ ରହିଛନ୍ତି ବାନ୍ଦୀ ଦୁଇଜଣଙ୍କ ମୁହଁକୁ ପ୍ରଶ୍ନର ଉତ୍ତର ଶୁଣିବାପାଇଁ । ବାନ୍ଦୀ ଦୁଇଜଣଙ୍କ ମୁହଁ ଭୟରେ ରକ୍ତ ଶୂନ୍ୟ ହୋଇଯାଇଛି ।

 

ଶାହାତୁର୍କାନ୍ ଅନୁଭବ କଲେ ତାଙ୍କର ବୁକୁର ସ୍ପନ୍ଦନ ମଧ୍ୟ ଦୃତ ତାଳରେ ସ୍ପନ୍ଦନ ହେଉଛି-

 

ହୁଏତ ବାନ୍ଦୀ ଦୁଇଜଣ ଆଉ ଗୋଟିଏ ମୁହୂର୍ତ୍ତ ବିଳମ୍ବ କଲେ ଏଭଳି ତଥ୍ୟ ପ୍ରକାଶ କରି ବସିବେ, ଯାହା ତାଙ୍କ ପରିକଳ୍ପନାର ପରିଣତିକୁ ବିପରୀତମୁଖୀ କରିଦେବ !

 

ଉଦଗ୍ରୀବ ଜନତାର ଭିଡ଼ ଠେଲି ଶାହାତୁର୍କାନ୍ ନିଜେ ଆଗେଇ ଗଲେ ସୁଲତାନଙ୍କ ପାଖକୁ ।

 

ବଜ୍ରଗମ୍ଭୀର କଣ୍ଠରେ ସେ କହିଲେ, ଅତୀତର ଘଟଣା ନେଇ ସମୟ ନଷ୍ଟ କରିବା ବର୍ତ୍ତମାନ ସମୟ ନୁହେଁ ମୌଲବୀ ମହାଶୟ ! ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏ ଅଭିଯୋଗକୁ ବିଚାର କରାଯାଉ । ସୁଲତାନ ଯାହାକୁ ନିଜର ବେଗମ କରି ଆଣିଲେ ତାଙ୍କର ଅତୀତର କଳଙ୍କିତ କାହାଣୀ ସାମାନ୍ୟ ଦୁଇଜଣ ବାନ୍ଦୀ ପ୍ରକାଶ କରିବେ ବୋଲି ଆଶା କରିବା ବୃଥା । ବର୍ତ୍ତମାନ ପ୍ରଶ୍ନ ହେଉଛି, ସୁଲତାନଙ୍କ ଦୁର୍ବଳତାର ସୁଯୋଗ ନେଇ ଯେଉଁ ବାନ୍ଦୀ ବେଗମ ହୋଇଥିଲେ ସେ ନିଜର ଅଭିସନ୍ଧି ପୂରଣ ପାଇଁ ହିନ୍ଦୁ କାଫେରଙ୍କ ହାତରେ ଦିଲ୍ଲୀ ସିଂହାସନକୁ ସମର୍ପଣ କରି ଦେବାକୁ ବ୍ୟଗ୍ର.....ନୂଆ ସୁଲତାନଙ୍କ ବଦଳରେ କୁତବୁଦ୍ଦିନଙ୍କୁ ସୁଲତାନ କରିବା ଉଦ୍ୟମ କେବଳ ନୁହେଁ, ଦିଲ୍ଲୀରୁ ତୁର୍କୀ ଶାସନକୁ ଲୋପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର...ଏହା କେବଳ ସିଂହାସନ କିମ୍ବା ସାମ୍ରାଜ୍ୟ ନୁହେଁ....ସାରା ଇସଲାମ ଧର୍ମ ବିରୁଦ୍ଧରେ ଷଡ଼ଯନ୍ତ୍ର....

 

ଶାହାତୁର୍କାନଙ୍କ କଣ୍ଠସ୍ଵରରେ ଭରି ରହିଥିଲା ବିପୁଳ ଆବେଗର ଉତ୍ତାପ....ଧର୍ମାଦ୍ଧ ମୌଲବୀ, ସମ୍ରାଜ୍ୟଲୋଭୀ ଅମୀରମାନଙ୍କୁ ଉତ୍ତେଜିତ....କରିବା ପାଇଁ ତାଙ୍କ ଭାଷଣରେ ଥିଲା ଅନେକ ଅନେକ ଯୁକ୍ତି...ପ୍ରେରଣା...

 

ସମବେତ ଅମୀରମାନଙ୍କ ମଧ୍ୟରେ ଉଠିଲା ତୀବ୍ର ପ୍ରତିବାଦର କଳରୋଳ ।

 

ବୃଦ୍ଧ ସଚିବ ନିଜାମୁଲ୍ ମୁଲକ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ; କିନ୍ତୁ ପାରିଲେ ନାହିଁ । ଉତ୍ତେଜନାର ଅଗ୍ନିରେ ଅଧିକାଂଶ ରକ୍ଷଣଶୀଳ ଅମୀର ପୋଡ଼ି ଭସ୍ମ କରି ଦେଇଥିଲେ ସେମାନଙ୍କର ବିଚାର, ବୁଦ୍ଧି । ସେମାନଙ୍କ ସମସ୍ତ କଣ୍ଠରୁ ଗୋଟିଏ ସ୍ୱର ଉତ୍ତୋଳିତ ହେଲା, ଶାସ୍ତି...ଶାସ୍ତି....ପ୍ରାଣଦାଣ୍ଡ !

 

ଲକ୍ଷ ପ୍ରଦୀପର ଆଲୋକ ଜଳୁଥିଲା ଶାହାତୁର୍କାନଙ୍କ ଆଖିର ଡୋଳାରେ, ମୁହଁର ତ୍ଵକ୍ ଉପରେ । ସେ ଆଲୋକ ଆନନ୍ଦ, ଆତ୍ମତୃପ୍ତିର ଆଲୋକ ଶିଖା ।

 

ଆଉ ଠିକ୍ ସେହି ମୁହୂର୍ତ୍ତରେ କେଉଁ କ୍ରୂର ଜହ୍ଲାଦର ଛୁରୀକା ଘାତରେ କିଶୋର କୁତବୁଦ୍ଦିନଙ୍କ ଦୁଇ ଆଖିର ଆଲୋକ ଚିରଦିନପାଇଁ ନିର୍ବାପିତ ହୋଇଗଲା ।

 

ଆଉ ତାଙ୍କର ଜନନୀ ବେଗମ... !

 

କଳଙ୍କର କାଳିମା ଟୀକା କପାଳରେ ଧାରଣ କରି, କେହି କେହି କୁହନ୍ତି ସେ ନିର୍ବାସିତା ହେଲେ ତୁର୍କୀ ସାମ୍ରାଜ୍ୟର ସୀମା ବାହାରକୁ....ଜନରବ କୁହେ, ପୁତ୍ରର ଚକ୍ଷୁ ନଷ୍ଟ ହେବା କଥା କାନରେ ଶୁଣି ସେ ପାଗଳିନୀ ହୋଇ ଆତ୍ମହତ୍ୟା କରିଥିଲେ ।

 

ମଧ୍ୟଯୁଗର ଭାରତବର୍ଷରେ ଅପରାଧ ପାଇଁ ବହୁ ପ୍ରକାର ଶାସ୍ତି ବିଧାନ କଥା ଇତିହାସ ନିଜ ପୃଷ୍ଠାରେ ଲିପିବଦ୍ଧ କରି ରଖିଛି, କିନ୍ତୁ ଶାହାତୁର୍କାନଙ୍କ ବୁକୁ ମଧ୍ୟରେ ଯେଉଁ ହିଂସ୍ରତାର ଅଗ୍ନି ପ୍ରଜ୍ଜ୍ଵଳିତ ହେଉଥିଲା ତାର ନିର୍ବାପନ ପାଇଁ କୁତବୁଦ୍ଦିନ୍ ଓ ତାଙ୍କ ଜନନୀଙ୍କ ଭଳି ନିରପରାଧ, ନିରପରାଧିନୀ ବ୍ୟକ୍ତିଙ୍କୁ ଯେଉଁ ଶାସ୍ତି ଦିଆଯାଇଥିଲା; ତାର ତୁଳନା ପାଇଁ ଇତିହାସର ଅନ୍ୟ ଗୋଟିଏ ସୁଦ୍ଧା ଉଦାହରଣ ନାହିଁ !

 

ଦଶ

 

ରେଜିୟା କକ୍ଷର ଗୋଟିଏ କୋଣରେ ନିର୍ବାକ୍ ହୋଇ ବସି ରହିଥିଲେ ।

 

ତାଙ୍କ କର୍ଣ୍ଣଗହ୍ଵରରେ ଅଜାଡ଼ି ହୋଇ ପଡ଼ୁଥିଲା କିଶୋର କୁତବୁଦ୍ଦିନର ବୁକୁଫଟା କାନ୍ଦଣାର ସ୍ୱର । ତାର ବିକ୍ଷତ ନୟନର ଶୋଣିତ ଧାରା ଗଙ୍ଗା ଯମୁନାର ସ୍ରୋତଭଳି ଭାସି ଉଠୁଥିଲା ସୁଲତାନ ନନ୍ଦିନୀଙ୍କ ଆଖି ଆଗରେ ।

 

ନିଜର ନୀତିଦୀର୍ଘ ଜୀବନକାଳ ମଧ୍ୟରେ ବହୁ ରାଜନୈତିକ ଅବିଚାର, ଅତ୍ୟାଚାରର କାହାଣୀ ଶୁଣିଛନ୍ତି, ଦୃଶ୍ୟ ସେ ଦେଖିଛନ୍ତି । ଶାସନର ଶୃଙ୍ଖଳା ସାଧାରଣ ନିରପତ୍ତା ଦୃଷ୍ଟିରୁ ସୁଲତାନଙ୍କୁ ଅନେକ ସମୟରେ ଅନେକ ନିଷ୍ଠୁର ଶାସ୍ତି ବିଧାନ କରିବାକୁ ହୁଏ; କିନ୍ତୁ ନିଜର ପ୍ରତିଦ୍ୱନ୍ଦୀଙ୍କୁ ନିଃଶେଷ କରିବା ପାଇଁ ଏଭଳି ନିର୍ମମ ହତ୍ୟା କରାଯାଇ ପାରେ, ଏକଥା ତାଙ୍କର ଚିନ୍ତାଧାରାକୁ ସ୍ପର୍ଶ କରି ନଥିଲା ।

 

ରେଜିୟା ଜାଣନ୍ତି କୁତବୁଦ୍ଦିନ୍ ଓ ତାର ମାଆଙ୍କ ବିରୁଦ୍ଧରେ ହୋଇଥିବା ଶାସ୍ତିବିଧାନ ଦିଲ୍ଲୀର ସୁଲତାନ କରି ନାହାନ୍ତି, ତାଙ୍କ ନାମରେ ସେ ଶାସ୍ତିବିଧାନ କରିଛନ୍ତି ସ୍ଵୟଂ ଶାହାତୁର୍କାନ୍ ! ଶାହାତୁର୍କାନଙ୍କ ବିଷଦୃଷ୍ଟିରୁ ଜଣେ ସରଳ କିଶୋର ସୁଦ୍ଧା ବାଦ୍ ଗଲା ନାହିଁ !

 

ଏକ ଅବ୍ୟକ୍ତ ବେଦନାର ଯନ୍ତ୍ରଣାରେ ସେ ଛଟପଟ ହେବାକୁ ଲାଗିଲେ ।

 

ଦିଲ୍ଲୀସିଂହାସନର ଅଧିକାର; ଦାବୀ ସେ ସ୍ୱେଚ୍ଛାରେ ହସି ହସି ପରିତ୍ୟାଗ କରି ଆସିଥିଲେ ତୁର୍କୀ ସାମ୍ରାଜ୍ୟବାଦର ସୁରକ୍ଷା ପାଇଁ...ଦିଲ୍ଲୀ ସିଂହାସନରେ ତୁର୍କୀ ଅମୀରମାନଙ୍କ ଶାସନ ଅଧିକାରକୁ ଦୀର୍ଘଜୀବୀ କରିବା ପାଇଁ । କିନ୍ତୁ ନୂତନ ସୁଲତାନ ଯେଉଁପରି ଭାବରେ ଶାସନ ନାମରେ ସ୍ୱେଚ୍ଛାଚାର ଚଳାଇଛନ୍ତି, ସେଥିରେ ତାଙ୍କର ଲକ୍ଷ୍ୟ ପୂରଣ ହେବ ତ ?

 

ସନ୍ଦେହ ଓ ଆଶଙ୍କାରେ ରେଜିୟା ଶିହରି ଉଠିଲେ ।

 

ତାଙ୍କର ମନେ ହେଲା ସୁଲତାନା ହେବାର ଅଧିକାର ସ୍ୱେଚ୍ଛାରେ ତ୍ୟାଗ କରି ନଥିଲେ ସେ ହୁଏତ କୁତବୁଦ୍ଦିନର ଆଖି ଦୁଇଟିକୁ ରକ୍ଷା କରି ପାରି ଥାଆନ୍ତେ ! ରାଜପ୍ରାସାଦରେ ଆତଙ୍କରାଜ୍ ବ୍ୟାପି ନଥାନ୍ତା !

 

ଏକ ଅପ୍ରୀତିକର ଅପରାଧବୋଧରେ ମନ ତାଙ୍କର ପୀଡ଼ିତ ହୋଇ ପଡ଼ିଲା ।

 

ସୁଲତାନ ନହେଲେ ସୁଦ୍ଧା ଦେଶପ୍ରତି, ପ୍ରଜାମାନଙ୍କ ପ୍ରତି ତାଙ୍କର ନିଜର କର୍ତ୍ତବ୍ୟ ରହିଛି-। ସବୁ ବିଷୟରେ ନିର୍ଲିପ୍ତ ରହିବା ତାଙ୍କ ପକ୍ଷରେ ଶୋଭନୀୟ ନୁହେଁ; କିନ୍ତୁ ଯେତେ ହେଲେ ସେ ନାରୀ । ମନ ଦୁଃଖ କରିବା ଭିନ୍ନ ସେ ଅଧିକ କଅଣ କରି ପାରିବେ ?

 

ହଠାତ୍ ଆଲତୁନିୟାଙ୍କ କଥା ସ୍ମରଣ ହେଲା ତାଙ୍କର ।

 

ଅନେକ ଦିନ ହେଲା ଏଇ ତରୁଣ-ବନ୍ଧୁଙ୍କ ସହ ତାଙ୍କର ସାକ୍ଷାତ ହୋଇନାହିଁ । ଅଥଚ ଅତୀତରେ ଗୋଟିଏ ଦିନ ସାକ୍ଷାତ ନହେଲେ ଆଲତୁନିୟା କିପରି ଅସ୍ଥିର ହୋଇ ଉଠୁଥିଲେ !

 

ପରିଚାରିକା ହାତରେ ଆଲତୁନିୟାଙ୍କୁ ଆସିବା ପାଇଁ ସମ୍ବାଦ ପଠାଇଲେ ରେଜିୟା । ତାଙ୍କର ଆସିବା ପଥକୁ ଉଦଗ୍ରୀବ ଭାବରେ ଅପେକ୍ଷା କରିବାକୁ ଲାଗିଲେ ।

 

ସାରା ମୁହଁରେ ବିଷର୍ଣ୍ଣତାର ଘନପ୍ରଲେପ ବୋଳି ଲଘୁପଦକ୍ଷେପରେ କକ୍ଷରେ ପ୍ରବେଶ କଲେ ଆଲତୁନିୟା । ତାଙ୍କର ଆସିବାର ଭଙ୍ଗୀରେ ମିଳନର ଉଦବିଗ୍ନତା ନଥିଲା, ଥିଲା ଏକ ଅହେତୁକ ଅଭିମାନର ଛାୟା ।

 

ରେଜିୟା ବୁକୁ ଭିତରୁ ଉଠି ଆସୁଥିବା ଉଦଗତ ହାସ୍ୟକୁ ସଂଯତ କରି ନେଇ କହିଲେ, ତମେ କେବଳ ଚତ୍ଵାରିଂଶ ଅମୀରମାନଙ୍କ ମଧ୍ୟରୁ ଅନ୍ୟତମ ନୁହଁ ଆଲତୁନିୟା ! ତମେ ମୋର ବନ୍ଧୁ-। ବାପାଙ୍କ ମୃତ୍ୟୁ ପରେ ମୁଁ କିପରି ନିଃସହାୟା ହୋଇ ପଡ଼ିଛି ତମେ ଜାଣ । ବେଳେ ବେଳେ ମୋ ପାଖକୁ ଆସି ସେ ନିଃସଙ୍ଗତା ଦୂର କରିବା କଅଣ ତମର କର୍ତ୍ତବ୍ୟ ନୁହେଁ ?

Unknown

 

ଆଲତୁନିୟା ଉତ୍ତର ନଦେଇ କିଛି ସମୟ ଗମ୍ଭୀର ଭାବରେ ବସି ରହିଲେ ।

 

କୌତୁହଳୀ ହୋଇ ରେଜିୟା ପ୍ରଶ୍ନ କଲେ, ଆଲ୍ଲାଙ୍କ କସମ ଖାଇ ତମେ କଅଣ ସିଦ୍ଧାନ୍ତ କରିଛ, ମତେ ପଦେ ହେଲେ ସୁଦ୍ଧା କଥା କହିବ ନାହିଁ ?

 

ମୁଖମଣ୍ଡଳରୁ ଗାମ୍ଭୀର୍ଯ୍ୟର କାରୁକାର୍ଯ୍ୟକୁ ବିପର୍ଯ୍ୟସ୍ତ ନକରି ଆଲତୁନିୟା ଉତ୍ତର ଦେଲେ, ଆପଣ କେବଳ ନିଜକୁ ନିଃସହାୟା କରି ନାହାନ୍ତି ସୁଲତାନ ନନ୍ଦିନୀ ! ବିଶ୍ଵଆଗରେ ତ୍ୟାଗର ପରାକାଷ୍ଠା ଦେଖାଇବାକୁ ଯାଇ ମତେ ମଧ୍ୟ ନିଃସହାୟ କରିଛନ୍ତି । ମୁଁ ଆଜି ସବୁ ବିୟୋଗାନ୍ତକ ନାଟକର ନୀରବ ଦର୍ଶକ । ମୁହଁ ଖୋଲି ଲାଭ କଅଣ କୁହନ୍ତୁ ?

 

ଆଲତୁନିୟାଙ୍କ ଅନୁଯୋଗ ଓ ଅଭିମାନର ଅର୍ଥ ବୁଝିଲେ ରେଜିୟା ।

 

ଈଷତ୍ ହସି କହିଲେ, ମୁଁ ଜାଣେ, ସବୁ କଥା ପାଇଁ ତମେ ମତେହିଁ କେବଳ ଦୋଷ ଦେବ । ଦୋଷ ଦେବା କିନ୍ତୁ ନାରୀର ପ୍ରକୃତି, ପୁରୁଷର କର୍ତ୍ତବ୍ୟ ନୁହେଁ । ଏକଥା କଅଣ ଯୁକ୍ତି ଦେଇ ମତେ ବୁଝାଇବାକୁ ପଡ଼ିବ ?

 

ଆଲତୁନିୟା ସବୁ କିଛି ସହ୍ୟକରି ପାରନ୍ତି; କିନ୍ତୁ ନିଜ ପୌରୁଷ ଉପରେ ଆଘାତ ସହ୍ୟକରିବା ତାଙ୍କ ପକ୍ଷରେ ଅସହ୍ୟ । ସେ ଚିତ୍କାର କରି ଉଠିଲେ, ମତେ ପୁରୁଷ ବୋଲି କୁହନ୍ତୁ ନାହିଁ, କୁହନ୍ତୁ ବାନ୍ଦା ! ଆଜ୍ଞା ପାଳନ ମୋର ଧର୍ମ, ଆଦେଶ ଦେବା ନୁହେଁ !

 

କିନ୍ତୁ ସହଜରେ ବିରକ୍ତ ହେବାର ପାତ୍ରୀ ନୁହନ୍ତି ରେଜିୟା ।

 

ହସି ହସି କହିଲେ, ତମେତ ଜାଣ ଆଲତୁନିୟା ! ବାପା ଇଲତୁମିସ୍ ଥିଲେ ତୁର୍କୀଜାତିର ଇଲବାରି ବଂଶର ସନ୍ତାନ । କିନ୍ତୁ ବାନ୍ଦା ହୋଇ ତାଙ୍କୁ ଘୂରି ବୁଲିବାକୁ ହୋଇଥିଲା ନିଜ ଭାଇମାନଙ୍କ ଅବିଚାର ଯୋଗୁ । ହେଲେ ନିଜର ତେଜ ସେ ହରାଇଥିଲେ କି ? ନିଜର ଶକ୍ତି ଯୋଗୁ ତ ସେ ସାମାନ୍ୟ ବାନ୍ଦାରୁ ହୋଇଥିଲେ ବାଦଶାହା !

 

ଦୃଷ୍ଟି ଫେରାଇ ଆଲତୁନିୟା ଓଲଟି ପ୍ରଶ୍ନ କରିଥିଲେ; କିନ୍ତୁ ସେ ପ୍ରଶ୍ନ କାହିଁକି ? ସୁଲତାନ ଆପଣଙ୍କୁ ଦିଲ୍ଲୀ ତଖତ ଦେଇ ଯାଇଥିଲେ, ତଖତେଶ୍ୱରୀ କରିବାକୁ ବାଗଦାଦର ଖଲିପାଙ୍କ ଠାରୁ ଅନୁମତି ମଧ୍ୟ ଆଣିଥିଲେ । କିନ୍ତୁ ଗୋଟାଏ ଖିଆଲରେ ବାଗଦାଦ୍ ଖଲିଫାଙ୍କ ସମ୍ମତି, ସୁଲତାନଙ୍କ ଶେଷଇଚ୍ଛାକୁ ଅବମାନନା କରି...

 

ଏଥର ସଶବ୍ଦରେ ହସିଲେ ରେଜିୟା ।

 

ଉତ୍ତର ଦେଲେ, ବାପା ମତେ ଦିଲ୍ଲୀର ତଖତ ଦେଇ ଯାଇଥିଲେ ସତ୍ୟ; କିନ୍ତୁ ପୁତ୍ର କରି ଜନ୍ମ ଦେଇ ନଥିଲେ । ତାହାହିଁ ହେଉଛି ମୋର ଦୁର୍ଭାଗ୍ୟ । ବାପାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ମୁଁ ତିଷ୍ଠି ରହି ପାରିଲି; କିନ୍ତୁ ବିରୋଧୀ ଅମୀରମାନଙ୍କ ଇଚ୍ଛା ବିରୁଦ୍ଧରେ ଯାଇଥିଲେ...

 

ଆଲତୁନିୟା ତାଙ୍କୁ କଥା ଶେଷ କରିବାକୁ ଦେଲେ ନାହିଁ । ମଝିରେ ବାଧା ଦେଇ କହିଲେ, ଅମୀରମାନଙ୍କୁ ଆପଣଙ୍କର ଅଯଥା ଭୟ । ସେମାନେ ସୁଲତାନଙ୍କ ଇଚ୍ଛା ବିରୁଦ୍ଧରେ କେବେହେଲେ ବିଦ୍ରୋହ କରି ନଥାନ୍ତେ ।

 

ଗଭୀର ଚିନ୍ତାର ସମୁଦ୍ରରେ ନିମଗ୍ନ ହୋଇଗଲେ ରେଜିୟା ।

 

ସ୍ୱଗତୋକ୍ତି କଲା ଭଳି କହିଲେ ସୁଲତାନ ଇଲତୁମିସଙ୍କୁ ମୁଁ ବହୁବାର ଲକ୍ଷ୍ୟ କରିଛି ଆଲତୁନିୟା । ନିଜ ତରବାରୀ ବଳରେ ରାଜ୍ୟ ଜୟକରି ଫେରିଲା ପରେ ମଧ୍ୟ ଅମୀରମାନଙ୍କୁ ଖୁସି କରିବା ପାଇଁ ସେ ପ୍ରତିଦିନ ରାତ୍ରିରେ ସେମାନଙ୍କ ପାଖକୁ ଯାଆନ୍ତି, …ନିଜର କୋଷମୁକ୍ତ ତରବାରୀ ସେମାନଙ୍କ ପାଦତଳେ ଥୋଇ କୃତଜ୍ଞତା ଜଣାଇ କହନ୍ତି, ଆପଣମାନଙ୍କ ସାହାଯ୍ୟ ଯୋଗୁହିଁ ମୁଁ ଶତ୍ରୁଜୟ କରି ଫେରିଲି...ଏ ବିଜୟ ମୋର ନୁହେଁ; ଆପଣମାନଙ୍କର । କାରଣ ସେ ବୁଝିଥିଲେ ଶତ୍ରୁ ପରିବେଷ୍ଟିତ ଏଇ ହିନ୍ଦୁସ୍ଥାନରେ ଅମୀରମାନଙ୍କ ଏକତାହିଁ ତୁର୍କୀ ସାମ୍ରାଜ୍ୟବାଦର ରକ୍ଷା କବଚ...ପ୍ରଧାନ ଶକ୍ତି...ସେ ଶକ୍ତିକୁ ଆହତ କରି ମୁଁ କଅଣ ବେଶୀଦିନ ସୁଲତାନ ହୋଇ ରହି ପାରି ଥାଆନ୍ତି ?

 

ଆଲତୁନିୟା ଅବିଶ୍ୱାସର ହସ ହସିଲେ ।

 

କହିଲେ; କିନ୍ତୁ ଅମୀରମାନଙ୍କ ଶତ୍ରୁତା କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ଆଜି ଆମେ ଚାରିଆଡ଼େ ଶତ୍ରୁ ସୃଷ୍ଟି କରିବାକୁ ଆରମ୍ଭ କରିଛୁ । ହିନ୍ଦୁ ପ୍ରଜାମାନେ ନୂଆ ସୁଲତାନଙ୍କ କାର୍ଯ୍ୟକଳାପରେ ବିବ୍ରତ ହୋଇ ବିଦ୍ରୋହୀ ହୋଇ ଉଠୁଛନ୍ତି... ।

 

ରେଜିୟା ଉତ୍ତର ଦେଲେ, ହିନ୍ଦୁସ୍ଥାନରେ ହିନ୍ଦୁମାନେ ଆମର ବଡ଼ ଶତ୍ରୁ ନୁହନ୍ତି; ପ୍ରଜାମାନଙ୍କୁ ଶତ୍ରୁ କରି କେହି କେବେ ଶାସନ କରି ପାରେ ନାହିଁ; ସେ ଯେତେ ଶକ୍ତିଶାଳୀ ଶାସକ ହେଉ ପଛେ ! ଭାରତବର୍ଷରେ ତୁର୍କୀ ସାମ୍ରାଜ୍ୟର ପ୍ରଧାନ ଶତ୍ରୁ ମୋଙ୍ଗଲ...

 

ମୋଙ୍ଗଲ ! -ବିସ୍ମୟରେ ପ୍ରଶ୍ନକଲେ ଆଲତୁନିୟା

 

ହଁ-ଯାଯାବର ଜାତିର ସମ୍ରାଟ ଦୁର୍ଦ୍ଦଶ, ବର୍ବର ମୋଙ୍ଗଲ । ସେମାନଙ୍କର ପ୍ରାଧାନ୍ୟ ଆଜି ବିସ୍ତୃତ ହୋଇଛି ଚୀନର ପ୍ରାଚୀର ଠାରୁ ଭଲଗା ନଦୀ ପର୍ଯ୍ୟନ୍ତ ବିରାଟ ଭୂଖଣ୍ଡ । ମୁଁ ସେମାନଙ୍କୁ ଦେଖିନି, ସୁଲତାନଙ୍କଠାରୁ ଶୁଣିଛି ସେମାନଙ୍କର ଚକ୍ଷୁ କଂସା ନିର୍ମିତ ପାତ୍ର ଭେଦ କଲା ଭଳି ତୀକ୍ଷଣ; କାନ୍ଧ ଉପରେ ଥିବା ମସ୍ତକ ହାଣ୍ଡି ଭଳି ବସିଥାଏ । ଦେହଠାରୁ ପାଦ ପର୍ଯ୍ୟନ୍ତ ସର୍ବତ୍ର ଦୁର୍ଗନ୍ଧ ! ଛାତିର ଅର୍ଦ୍ଧାଂଶ କୃଷ୍ଣକାୟ, ଅପରାର୍ଦ୍ଧ ଶ୍ଵେତରଙ୍ଗ । ବିରାଟ ଲମ୍ବା ଦାଢ଼ୀ । ଖସ୍ ଖସ୍ ଚମଡ଼ା । ଏ ଚମଡ଼ାରେ କେବଳ ପାଦୁକା ନିର୍ମାଣ କରାଯାଇ ପାରେ ! ଆଉ ଏମାନେ କଅଣ ଖାଆନ୍ତି ଜାଣ ? କୁକୁର, ଘୁଷୁରି ଯାହା କିଛି ଆଗରେ ପଡ଼ିଲା....

 

କଥା ଶେଷ କରି ଦମ୍ ନେଲେ ରେଜିୟା ।

 

ଭୌତିକ କାହାଣୀ ଶୁଣିଲା ଭଳି ସବୁ ଶୁଣିଗଲେ ଆଲତୁନିୟା; କିନ୍ତୁ କିଛି ଉତ୍ତର ଦେଲେ ନାହିଁ ।

 

ରେଜିୟା କହିଲେ, ଏଇ ବର୍ବର, ଦୁର୍ଦ୍ଦଶ ମୋଙ୍ଗଲମାନଙ୍କ ଲୋଲୁପ୍ତ ଦୃଷ୍ଟି ପଡ଼ିଛି ଦିଲ୍ଲୀ ସିଂହାସନ ଉପରେ । ଦିଲ୍ଲୀର ସିଂହାସନ ସେଥିପାଇଁ କୁସୁମିତ ନୁହେଁ; କଣ୍ଟକିତ । ତୁର୍କୀ ସାମ୍ରାଜ୍ୟକୁ ରକ୍ଷା କରିବାକୁ ହେଲେ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ଆଲତୁନିୟା ! ଏହାହିଁ ଆଲ୍ଲାଙ୍କର ଇଚ୍ଛା...

 

ବିଦ୍ରୁପର ହସ ହସି ଆଲତୁନିୟା ଉତ୍ତର ଦେଲେ; କିନ୍ତୁ ସତର୍କ ଦୃଷ୍ଟି ରଖିବାକୁ ଶାହାତୁର୍କାନ୍ ଆମକୁ ଜୀବିତ ରଖିବେ ତ ? ଯେଉଁ ଉପାୟରେ ସେ କିଶୋର କୁତବୁଦ୍ଦିନ ଓ ତାଙ୍କ ମାଆଙ୍କୁ ନିଜ ପଥରୁ ଅପସାରିତ କଲେ ମୋର ମନେ ହେଉଛି, ଖୁବ୍ ଶୀଘ୍ର ଆପଣଙ୍କୁ ମଧ୍ୟ ସେଇ ଉପାୟରେ ସେ ଦିଲ୍ଲୀ ସୀମାରୁ ଦୂରକୁ ଅପସାରିତ କରିନେବେ...

 

ରେଜିୟା ଏଥର ହସି ହସି ଲୋଟିଗଲେ ।

 

କହିଲେ, ମୁଁ ଦେଖୁଛି ଦୂରଦୃଷ୍ଟି ବୋଲି ଏକ ପଦାର୍ଥ ତମଠାରେ ସଂପୂର୍ଣ୍ଣ ଅଭାବ । ମୋ ପାଇଁ ଜନତାର ଶ୍ରଦ୍ଧା, ଅମୀରମାନଙ୍କ ଆନୁଗତ୍ୟ କେତେ ବେଶି; ଶାହାତୁର୍କାନ୍ ସେ କଥା ଭଲ କରି ଜାଣନ୍ତି । ମତେ ହତ୍ୟା କରିବା ପାଇଁ ଯଦି ସେ ଉଦ୍ୟମ କରନ୍ତି, ତାର ପରିଣତି କଅଣ ହେବ ସେ କଥା କଅଣ ସେ ଜାଣନ୍ତି ନାହିଁ ? ରାଜନୀତିରେ କେହି କାହାର ଦୟା ଉପରେ ନିର୍ଭର କରେ ନାହିଁ; ଏଥିପାଇଁ ପ୍ରଜା ଓ ଅମୀରମାନଙ୍କ ସ୍ନେହ, ଶ୍ରଦ୍ଧା ଅର୍ଜ୍ଜନ କରିବାକୁ ହୁଏ । ଯେତେଦିନ ପର୍ଯ୍ୟନ୍ତ ପ୍ରଜାମାନଙ୍କ ସ୍ନେହ ଶ୍ରଦ୍ଧା, ତମ ଭଳି ଅମୀରମାନଙ୍କ ଆନୁଗତ୍ୟ ମୋ ପାଇଁ ଅକ୍ଷୂଣ୍ଣ ରହିଥିବ, ସେ ପର୍ଯ୍ୟନ୍ତ ମତେ ସ୍ପର୍ଶ କରିବାକୁ ସାହସ କରିବେ ନାହିଁ ଶାହାତୁର୍କାନ୍ । ଆଉ ଯେଉଁଦିନ ମୁଁ ସେସବୁ ହରାଇ ବସିବି, ସେ ଦିନ ଯେ କେହି ମତେ ନିର୍ବାସନ ଦଣ୍ଡ ଦେଇପାରେ...

 

ରେଜିୟାଙ୍କ ଯୁକ୍ତି ପାଖରେ ପରାସ୍ତ ହୋଇଗଲେ ଅମୀର ଆଲତୁନିୟା ।

 

ଫେନିଳ ଯୌବନା ଏହି ନାରୀ ମନରେ କି ଗଭୀର ଚିନ୍ତା ଗୋପନ ରହିଛି, ତାହା ଲକ୍ଷ୍ୟ କରିବାକୁ ସେ ତାଙ୍କୁ ନିର୍ନିମେଷ ନୟନରେ ଚାହିଁ ରହିଲେ ।

 

କଅଣ ଦେଖୁଚ । ମତେତ ପିଲାଦିନୁ ଦେଖି ଆସୁଛ-ରେଜିୟା ଲଘୁ ପରିହାସ କଲେ ।

 

ନା, ଦେଖୁନି, ଭାବୁଛି । ନୂଆ ସୁଲତାନଙ୍କ ବିରୁଦ୍ଧରେ କେବଳ ପ୍ରଜାମାନେ ନୁହନ୍ତି, କୁତବୁଦ୍ଦିନଙ୍କ ଦୁର୍ଦ୍ଦଶାପରେ ଅମୀରମାନେ ମଧ୍ୟ ବିରକ୍ତ ହୋଇ ଉଠିଛନ୍ତି । ଏପରି କି ସ୍ଵୟଂ ନିଜାମୁଲ୍ ମୁଲକ... । ପ୍ରସଙ୍ଗ ପରିବର୍ତ୍ତନ କରି ନିଜର ମନ୍ତବ୍ୟ ଉପସ୍ଥାପିତ କଲେ ଆଲତୁନିୟା ।

 

ଆଲତୁନିୟାଙ୍କ ମନ୍ତବ୍ୟ ଶୁଣି ଗମ୍ଭୀର ହୋଇଗଲେ ରେଜିୟା ।

 

ତାଙ୍କ ମୁହଁର ରେଖାଗୁଡ଼ିକ ସାମାନ୍ୟ କୁଞ୍ଚିତ ହୋଇଗଲା ।

 

ଅସ୍ପଷ୍ଟ; ଅଥଚ ଦୃଢ଼ କଣ୍ଠରେ ସେ କହିଲେ, ଅମୀରମାନଙ୍କ ଏହି ଅସନ୍ତୋଷକୁ ତମେ ଭୟ କରନାହିଁ । ମୁଁ ଚାହେଁ ଏହି ଅସନ୍ତୋଷ ଅରଣ୍ୟର ଦାବାଗ୍ନି ଭଳି ଅମୀର, ମୌଲବୀମାନଙ୍କ ମଧ୍ୟରେ ବ୍ୟାପ୍ତ । ପ୍ରଜାମାନଙ୍କ ଭିତରେ ଏ ଅସନ୍ତୋଷ ନ ବ୍ୟାପୀ ଅମୀରମାନଙ୍କ ମଧ୍ୟରେ ଏହା ଯେତେ ବ୍ୟାପିବ, ମୁଁ ସେତେ ଖୁସି ହେବି । ସେମାନଙ୍କ ମନର ଏଇ ଅସନ୍ତୋଷ ହିଁ ମତେ ଆଣିଦେବ ଦିଲ୍ଲୀର ତଖତ । ଆହି ଅସନ୍ତୋଷର ଅଗ୍ନିରେ ପୋଡ଼ି ଭସ୍ମ ହୋଇଯିବ ଶାହା ତୁର୍କାନଙ୍କ ସମସ୍ତ ଚକ୍ରାନ୍ତ କ୍ଷମତାଲାଭର ଲାଳସା ।

 

ରେଜିୟା ନୀରବ ହୋଇଗଲେ ।

 

ଆଲତୁନିୟା ଲକ୍ଷ୍ୟ କଲେ ତାଙ୍କ ମୁହଁରେ ବିଚିତ୍ର ଏକ ଆଲୋକର ଔଜ୍ଜଲ୍ୟ ଝଲମଲ୍ ହେଉଛି ।

 

ଏଗାର

 

ଦିଲ୍ଲୀର ସୁଲତାନ ରୁକନଦ୍ଦିନ !

 

ସିଂହାସନ କହିଲେ ସେ ବୁଝୁଥିଲେ ସମ୍ଭୋଗ !

 

ସେ ଦିନ ମଣି ମାଣିକ୍ୟ ଖଚିତ ପ୍ରମୋଦ ଭବନରେ ଅର୍ଦ୍ଧଶାୟିତ ଅବସ୍ଥାରେ ସେ ଗୋଟିଏ ପରେ ଗୋଟିଏ ପାନପାତ୍ର ନିଃଶେଷ କରି ଚାଲିଥିଲେ । ଜଣେ ଅପୂର୍ବ ସୁନ୍ଦରୀ ବେଗମଙ୍କ ପୁଷ୍ପ-କୋମଳ-କୋଳରେ ମୁଣ୍ଡ ରଖି ଆଖି ଜୁଳୁ ଜୁଳୁ କରି ବେଳେ ବେଳେ ସେ ଚିତ୍କାର କରୁଥିଲେ, ଫିର୍...ଫିର୍ ଲାଓ ସୁରା...

 

ଦୁଇଜଣ ଚ୍ଚରାନୀ ବେଗମ ପାନପାତ୍ର ତୋଳି ଦେଉଥିଲେ ତାଙ୍କ ହାତକୁ । ଚାରିଜଣ ଆରବୀ ବେଗମ ତାଙ୍କର ପାଦ ମଞ୍ଚାଳି ଦେଉଥିଲେ । ଅତରର ଭୁରୁ ଭୁରୁ ସୁରଭିରେ ପ୍ରମୋଦ ସମୀରଣ ନାସାରନ୍ଧ୍ରର ଉତ୍ତେଜକ ସ୍ନାୟୁ-ଗ୍ରନ୍ଥି ସ୍ପର୍ଶ କରି ଦେହରେ ସୃଷ୍ଟି କରିଥିଲା ବିପୁଳ ଉନ୍ମାଦନା-

 

ସାକୀ ଆଉ ସୁରା !

 

ଏହାହିଁ ଥିଲା ସୁଲତାନଙ୍କ ଜୀବନର ଦୁଇଟି କୂଳପ୍ଲାବିନୀ ସ୍ରୋତ ! ସେହି ନିଶାର ସ୍ରୋତରେ ନିଜକୁ ଭସାଇ ଦେଉଥିବା ବେଳେ ସେ ସଂସାରର ଅନ୍ୟ କିଛି କଥା ଭାବୁ ନଥିଲେ । ସୁଲତାନଙ୍କ ସମ୍ଭୋଗ ପାଇଁ ପାଥେୟ ଯୋଗାଇବା ପ୍ରଜାମାନଙ୍କର ଧର୍ମ ବୋଲି ସେ ଧରି ନେଇଥିଲେ । ସେମାନଙ୍କର ମତାମତ ପ୍ରତି ନଥିଲା ତାଙ୍କର ତିଳେ ହେଲେ ଭ୍ରୁକ୍ଷେପ ।

 

ସେଦିନ ପ୍ରମୋଦ ଭବନରେ ସେଇ ପ୍ରକୋଷ୍ଠରେ ସୁରାପାନର ଆସର ଜମି ଉଠିଥିବା ବେଳେ ଦ୍ୱାରରକ୍ଷୀ ସମ୍ବାଦ ଦେଲା, ମନ୍ତ୍ରୀ ନିଜମୁଲ୍ ମୁଲକ ଆସୁଛନ୍ତି ଜାହାଁପାନା !

 

ନିଜାମୁଲ୍ ମୁଲକ !

 

କକ୍ଷରେ ସମବେତ କାମିନୀଗଣ ସଂତ୍ରସ୍ତ ହୋଇ ଉଠିଲେ । ନିଜାମୁଲ୍ କକ୍ଷରେ ପ୍ରବେଶ କରିବା ଆଗରୁ ସେମାନେ ନିକଟସ୍ଥ ବିଶ୍ରାମ କକ୍ଷକୁ ଚାଲିଗଲେ ।

 

ରୁକନଦ୍ଦିନ ନିଜାମୁଲ୍ ମୁଲକ ଆସିବା ସମ୍ବାଦ ଶୁଣିଲେ; କିନ୍ତୁ ହଠାତ୍ ନିଜର କର୍ତ୍ତବ୍ୟ ସ୍ଥିର କରିପାରିଲେ ନାହିଁ ।

 

ହଠାତ୍ ନିଜାମୁଲ୍ ଏଠାରେ କାହିଁକି ?

 

ବିସ୍ରସ୍ତ ପରିଧେୟ ସଂଯତ କରି ନେଇ ସେ ଅପେକ୍ଷା କଲେ ।

 

ଭିତରକୁ ପ୍ରବେଶ କରିପାରେ କି ? -ନିଜାମୁଲଙ୍କ କଣ୍ଠସ୍ୱର ଶୁଣାଗଲା ।

 

ଏତେଦୂର ଆସିଲେଣି ଯେତେବେଳେ ଭିତରକୁ ନ ଆସିବାର କିଛି ମାନେ ହୁଏ ନାହିଁ ନିଜାମୁଲ ! ଭିତରକୁ ଆସ- କିନ୍ତୁ ବେଶି ସମୟ ମତେ ବ୍ୟସ୍ତ କର ନାହିଁ । -ସୁଲତାନ ବିରକ୍ତ କଣ୍ଠରେ ଉତ୍ତର ଦେଲେ । ସେତେବେଳ ପର୍ଯ୍ୟନ୍ତ ସୁଦ୍ଧା ସୁରା-ପାନ-ଜନିତ ଉତ୍ତେଜନା ତାଙ୍କ ଦେହ-ମନର ସମସ୍ତ ସ୍ନାୟୁଗ୍ରନ୍ଥିକୁ ପୀଡ଼ିତ କରି ରଖିଥିଲା ।

 

ସଙ୍କୁଚିତ ଭାବରେ ପ୍ରମୋଦଭବନର ସେ କକ୍ଷରେ ପ୍ରବେଶ କରି ନିଜାମୁଲ ମୁଲକ ନିବେଦନ କଲେ, ବିଚାର ପରାମର୍ଶ ପାଇଁ ଆପଣଙ୍କୁ ଯଥା ସ୍ଥାନରେ ବହୁ ଥର ଅପେକ୍ଷା କରି ଯେତେବେଳେ ସାକ୍ଷାତ ପାଇଲି ନାହିଁ, ପ୍ରମୋଦ ଭବନକୁ ଆସିବା ଭିନ୍ନ ଅନ୍ୟ କିଛି ଉପାୟ ନ ଥିଲା ସୁଲତାନ ! ତୁର୍କୀ ଅମୀର୍ ମାନଙ୍କ ତରଫରୁ ଆପଣଙ୍କୁ କେତୋଟି କଥା ଜଣାଇ ଦେବା ମୁଁ ଜରୁରୀ ମନେ କଲି ।

 

ସୁଲତାନ ସବୁ ଶୁଣିଲେ । ବିରକ୍ତରେ ମୁଖ ବିକୃତ କଲେ । କିନ୍ତୁ କିଛି ହେଲେ ଉତ୍ତର ଦେଲେ ନାହିଁ । ନିଜମୁଲ୍ ଅଗତ୍ୟା ପୁଣି ନିଜେ କହିଲେ, ଶାସନ ସମ୍ପର୍କରେ ଆପଣ ଧ୍ୟାନ ନ ଦେବା ଫଳରେ ଭୀଷଣ ବିଶୃଙ୍ଖଳା ସୃଷ୍ଟି ହେଲାଣି । ଆପଣ ସମ୍ଭୋଗ, ବିଳାସରେ ମାତି ରହି କର୍ତ୍ତବ୍ୟରେ ଅବହେଳା କଲେ ତାର ପରିଣତି କେବଳ ଆପଣ ଏକାକୀ ନୁହନ୍ତି, ଆମ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ ।

 

ଆଉ ନିରବ ରହିପାରିଲେ ନାହିଁ ସୁଲତାନ୍ ।

 

ତୀବ୍ର ପ୍ରତିବାଦ କଲା ଭଳି କର୍କଶ କଣ୍ଠରେ ଚିତ୍କାର କରି ଉଠିଲେ । ଯେଉଁ ବୟସରେ ଉପଦେଶ ଦେଇଥିଲେ, ତାହା ପାଳନ କରି ମୁଁ ସତ୍ ମଣିଷ ହୋଇ ପାରି ଥାଆନ୍ତି; ସେ ବୟସ ମୁଁ ଅନେକ ଦିନ ଧରି ଅତିକ୍ରମ କରି ଆସିଲିଣି ନିଜାମୁଲ୍ ! ଆଜି ସେସବୁ କଥା ଶୁଣାଇ ମତେ ବିରକ୍ତକର ନାହିଁ । ସମ୍ଭୋଗକୁ ବାଦ ଦେଇ ସୁଲତାନ୍ ହେବାରେ ମୋର କୌଣସି ଆଗ୍ରହ ନାହିଁ ।

 

କିନ୍ତୁ ପ୍ରଜାମାନଙ୍କର ସୁଖ...ଭାରତବର୍ଷରେ ତୁର୍କୀ ସାମ୍ରାଜ୍ୟର ନିରାପତ୍ତା...ଏ ସବୁ ପ୍ରତି ଧ୍ୟାନ ଦେବା ତ ସୁଲତାନଙ୍କର କର୍ତ୍ତବ୍ୟ ! -ନିଜାମୁଲ୍ ପୁଣି ଥରେ ସୁଲତାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ ।

 

ବିକଟ ହାସ୍ୟରେ କକ୍ଷ ପ୍ରକମ୍ପିତ କରି ସୁଲତାନ୍ ଉତ୍ତର ଦେଲେ, ମତେ ଯେତେବେଳେ ଆପଣମାନେ ସୁଲତାନ୍ କଲେ, ସେ କଥା ଭାବି ଦେଖିବା ଆପଣଙ୍କର ଉଚିତ ଥିଲା । ସୁଲତାନ୍ ଇଲତୁମିସ୍ ସମ୍ଭବତଃ ଏ ବିଷୟରେ ଅବହିତ ଥିଲେ । ସେଥିପାଇଁ ଜନକ ହୋଇ ସୁଦ୍ଧା ସେ ମତେ ସିଂହାସନରୁ ବଞ୍ଚିତ କରି ଯାଇଥିଲେ । କିନ୍ତୁ କାହିଁକି ଆପଣମାନେ ତାଙ୍କ ଇଚ୍ଛା ବିରୁଦ୍ଧରେ ମତେ ଏ ସିଂହାସନରେ ବସାଇଛନ୍ତି ?

 

ନିଜ ଅସ୍ତ୍ରରେ ନିଜେ ଆହତ ହୋଇ ନିଜାମୁଲ ନିର୍ବାକ ହୋଇଗଲେ ।

 

ଅପରାଧୀ ଭଳି ବିନୀତ କଣ୍ଠରେ କହିଲେ, ସୁଲତାନ ହେଲେ ଶାସନ କରିବାକୁ ହୁଏ, ଏ କଥା ସୁଲତାନ ପଦବୀ ଗ୍ରହଣ କଲାବେଳେ ଆପଣ ମଧ୍ୟ ଜାଣନ୍ତି । ଆପଣଙ୍କୁ ସୁଖୀ କରିବା ଭିନ୍ନ ଆଉ କେଉଁ ଉଦ୍ଦେଶ୍ୟରେ ଆପଣଙ୍କୁ ସୁଲତାନ୍ କରିବାକୁ ଆମେ ଚାହିଁଥିଲୁ ?

 

ସୁଲତାନ୍ ଏକ ଦୃଷ୍ଟିରେ ଚାହିଁ ରହିଲେ ନିଜାମୁଲ ମୂଲକଙ୍କ ଆଡ଼କୁ ଆକ୍ଷେପ କଲା ଭଳି ଶାଣିତ କଣ୍ଠରେ ଉତ୍ତର ଦେଲେ, କେବଳ ମୋର ମଙ୍ଗଳ ପାଇଁ ନୁହେଁ; ନିଜର ସ୍ଵାର୍ଥସାଧନ ପାଇଁ ଆପଣମାନେ ଚାହୁଥିଲେ ମୋର ସୁଲତାନ ପଦ । ମାଆ ଶାହାତୁର୍କାନ, ଆପଣ-ଦୁହେଁ ଯାକ ଚାହୁଁଥିଲ ମୁଁ ସୁଲତାନ ହେଲେ ପ୍ରକୃତରେ ଶାସକ ହେବେ ଆପଣ...ମୁଁ ସେଥିରେ ବାଧା ଦେଇ ନାହିଁ...ମୁଁ ମୋର ସାକୀ, ସୁରା ନେଇ ମୋର ଆନନ୍ଦରେ ଅଛି...ଶାସନ କରିବାକୁ ଛାଡ଼ି ଦେଇଛି ଆପଣ ଦୁହିଁଙ୍କୁ... ପୁଣି ମତେ ସେହି ଶାସନ ପାଇଁ ଆପଣମାନେ ବ୍ୟସ୍ତ କରୁଛନ୍ତି କାହିଁକି ?

 

ଆଉ ଯୁକ୍ତି ଦେଇ ସୁଲତାନଙ୍କୁ ବୁଝାଇବା ସହଜ ନୁହେଁ ।

 

ରେଜିୟାଙ୍କ ଶାସନକୁ ବିରୋଧ କରି ସେ ଏ ଦୁରବସ୍ଥାକୁ ଆମନ୍ତ୍ରଣ କରିଛନ୍ତି । ଆଜି କାହା ଆଗରେ ତାର ସେ ପ୍ରତିବାଦ କରିବେ !

 

ସୁଲତାନ୍ ନିଜାମୁଲଙ୍କ ମାନସିକ ଦୁଶ୍ଚିନ୍ତା କଥା ଅନୁମାନ କରିପାରିଲେ । ଗୋଟିଏ ସୁରାର ପିଆଲା ତାଙ୍କ ଆଡ଼କୁ ଆଗେଇ ଦେଇ କହିଲେ, ଆସନ୍ତୁ-ଦୁହେଁଯାକ ଆମେ ମିତ୍ର ହୋଇ ରହିବା-ମୋ ପାନପାତ୍ର ସହିତ ଆପଣଙ୍କ ପିଆଲାକୁ ସ୍ପର୍ଶ କରାଇ ଆସନ୍ତୁ ସ୍ୱାକ୍ଷର କରିବା, ଆମେ ଆମର ମୈତ୍ରୀର ବନ୍ଧନ-ଏ ମୈତ୍ରୀର ସର୍ତ୍ତ ଅନୁସାରେ ଆପଣ ମୋର ବିଳାସ, ସମ୍ଭୋଗରେ କେବେ ବାଧା ଦେବେ ନାହିଁ...ମୁଁ ମଧ୍ୟ ଆପଣଙ୍କ ଶାସନଗତ ସିଦ୍ଧାନ୍ତରେ କେବେ ହସ୍ତକ୍ଷେପ କରିବି ନାହିଁ...

 

ନିଜାମୁଲ୍ ମୁଲକ ସବୁ ଶୁଣିଲେ ।

 

ସୁରାର ପିଆଲାକୁ ତୋଳି ନେବାକୁ ତାଙ୍କ ହାତ ଉଠିଲା ନାହିଁ ।

 

ବାର

 

ବସିଲା ଚତ୍ୱାରିଂଶ ଅମୀରମାନଙ୍କ ମିଳିତ ମନ୍ତ୍ରଣାସଭା ।

 

ନୂଆ ସୁଲତାନ ସିଂହାସନ ଆରୋହଣ କଲା ପରେ ତାଙ୍କ ଅଜ୍ଞାତରେ ଏପରି ମିଳିତ ମନ୍ତ୍ରଣାସଭା ଏହି ପ୍ରଥମ । ଏହି ସଭାକୁ ଶାହାତୁର୍କାନଙ୍କୁ ମଧ୍ୟ ଡକାଯାଇ ନ ଥିଲା । ସେଠାରେ ଉପସ୍ଥିତ ଥିଲେ କିନ୍ତୁ ସୁଲତାନ-ନନ୍ଦିନୀ ରେଜିୟା ।

 

ସମସ୍ତଙ୍କ ମୁହଁରେ ଗଭୀର ଚିନ୍ତାର ଚିହ୍ନ ।

 

ଯେଉଁମାନେ ଏକଦା ରେଜିୟାଙ୍କ ସିଂହାସନ ଆରୋହଣ ପ୍ରସ୍ତସ୍ଥାବକୁ ତୀବ୍ର ବ୍ୟଙ୍ଗ କରିଥିଲେ, ସେମାନେ ମଧ୍ୟ ଅସହାୟ ଭାବରେ ଚାହିଁରହିଥିଲେ ସୁଲତାନ-ନନ୍ଦିନୀଙ୍କ ମୁହଁକୁ । କାରଣ ଆଜି ସେମାନଙ୍କୁ ସେମାନଙ୍କ ଭ୍ରମର ମାସୁଲ୍ କଡ଼ା ଗଣ୍ଡା ହିସାବ କରି ଦେବାକୁ ହେଉଛି । ହୁଏ ତ ଆଉ କାଳବିଳମ୍ବ କଲେ ସେମାନଙ୍କୁ ବିଦେଶୀ ଆକ୍ରମଣକାରୀ କିମ୍ବା ଅନ୍ୟ ଶତ୍ରୁର କାରାଗାରରେ ଅନ୍ଧକାରରେ ବନ୍ଦୀ ହୋଇ ରହିବାକୁ ପଡ଼ିପାରେ ।

 

ସାମ୍ରାଜ୍ୟ ଥିଲେ ସେମାନେ ହେବେ ଅମୀର୍ !

 

ଯଦି ସାମ୍ରାଜ୍ୟର ପତନ ହୁଏ... ?

 

ଚତ୍ୱାରିଂଶ ଅମୀର୍ ଚମକି ଉଠନ୍ତି...ପୁଣି କ୍ରୀତଦାସର ଜୀବନ-ଯେଉଁ ଅଭିଶପ୍ତ ଜୀବନରୁ ମୁକ୍ତି ଦେଇ ଇଲତୁମିସ୍ ସେମାନଙ୍କୁ ଅମୀର କରି ଯାଇଛନ୍ତି !

 

ନା. ନା-ଏ ପରିସ୍ଥିତିକୁ ସେମାନେ ବେଶିଦିନ ଲାଗି ରହିବାକୁ ଦେବେ ନାହିଁ । ଜଣେ ଅପାରଗ ସୁଲତାନ୍...ଆଉ ଶାହାତୁର୍କାନଙ୍କ ଭଳି ଜଣେ ରହସ୍ୟମୟୀ ନାରୀ ହାତରେ ଦିଲ୍ଲୀର ଶାସନକୁ କ୍ରୀଡ଼ାନକ କରି ସେମାନେ ନିଜ ଭବିଷ୍ୟତ ସହିତ ଜୁଆ ଖେଳି-ପାରିବେ ନାହିଁ ।

 

କିନ୍ତୁ ଏ ପରିସ୍ଥିତିର ପରିବର୍ତ୍ତନ କଅଣ ସମ୍ଭବ ?

 

ପ୍ରଥମେ ତୁଣ୍ଡ ଖୋଲିଲେ ବୃଦ୍ଧ ତାଜିଉଦ୍ଦିନ ।

 

ରେଜିୟାଙ୍କୁ ଲକ୍ଷ୍ୟ କରି ସେ କହିଲେ, ବର୍ତ୍ତମାନ ଆପଣଙ୍କୁ ଏ ସମସ୍ତ ବିଶୃଙ୍ଖଳାର ପଥରୋଧ କରି ଆଗେଇ ଆସିବାକୁ ହେବ ସୁଲତାନ-ନନ୍ଦିନୀ ! ଏହା ହିଁ ଉପଯୁକ୍ତ ସମୟ...

 

ତାଜିଉଦ୍ଦିନଙ୍କ କଥା ପ୍ରତିଧ୍ୱନିତ ହେଲା ଆଉ କେତେଜଣ ଅମୀରଙ୍କ କଣ୍ଠରେ ।

 

ରେଜିୟା ଇଚ୍ଛା କରି ମଧ୍ୟ ତୁଣ୍ଡ ଖୋଲି ପାରୁ ନ ଥିଲେ । ସେ ଜାଣନ୍ତି; ପରିସ୍ଥିତିର ଚାପାରେ ପଡ଼ି ଅମୀରମାନେ ତାଙ୍କୁ ସୁଲତାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ କହୁଥିଲେ ସୁଦ୍ଧା, ସେ ସୁଲତାନା ହେଲେ ଏହିମାନଙ୍କ ମଧ୍ୟରୁ ଅନେକେ ତାର ବିରୋଧ କରିବେ । ସେ ଜାଣନ୍ତି, ସୁଲତାନ ତାଙ୍କୁ ଉତ୍ତରାଧିକାରିଣୀ ଭାବରେ ଇଚ୍ଛା ପତ୍ରରେ ମନୋନୟନ କରିଗଲା ପରେ ଏମାନଙ୍କ ମଧ୍ୟରୁ ବହୁ ଅମୀର ଯାଇ ତାର ପ୍ରତିବାଦ କରୁଥିଲେ । ଯଦି ବା ଆଜି ସେମାନେ ତାଙ୍କୁ ନିଜର ସ୍ୱାର୍ଥପାଇଁ ସମର୍ଥନ କରନ୍ତି; ଅନ୍ୟାନ୍ୟ ପ୍ରଗଣା, ପ୍ରଦେଶର ନବାବ, ବାଦଶାହାମାନେ ତାଙ୍କୁ ଅକୁଣ୍ଠିତ ଚିତ୍ତରେ ସମର୍ଥନ କରିବେ କାହିଁକି ? ସେମାନେ ଚାହାନ୍ତି ଜଣେ ଦୁର୍ବଳ ସୁଲତାନ...ନିଜର କ୍ଷମତା ଅଧିକ ଭାବରେ ପ୍ରୟୋଗ କରିବା ପାଇଁ ତାହା ହିଁ ଏକମାତ୍ର ପଥ...

 

ନାରୀ ବିରୁଦ୍ଧରେ ପୁରୁଷର ନ୍ୟୂନ ମନୋଭାବ ମିଶି ରହିଛି ସେମାନଙ୍କ ରକ୍ତରେ । ଜଣେ ନାରୀର ଆଦେଶ ପାଳନ କରି ଶାସନ କରିବା ସେମାନଙ୍କର ପକ୍ଷରେ ଏକପ୍ରକାର ଅସହ୍ୟ ଘଟଣା...

 

ରେଜିୟାଙ୍କ ନୀରବତାର ସୁଯୋଗ ନେଇ ଆଲତୁନିୟା ଯୁକ୍ତି କଲେ, ବର୍ତ୍ତମାନ ପୁଣି ସୁଯୋଗ ଆସିଛି ସୁଲତାନ-ନନ୍ଦିନୀ ! ମୃତ-ସୁଲତାନଙ୍କ ଇଚ୍ଛା ପୂରଣ ପାଇଁ ଏ ହେଉଛି ମାହେନ୍ଦ୍ର ଲଗ୍ନ...

 

ଆଲତୁନିୟାଙ୍କୁ ବାଧା ଦେଲେ ରେଜିୟା ।

 

କହିଲେ, ସବୁ କଥାରେ ତରତର ହେବା ତମର ଏକ ବଦଭ୍ୟାସ । ରାଜନୀତିରେ ଏଭଳି ଅସ୍ଥିରତାର ସ୍ଥାନ ନାହିଁ । ଆମେ ଯାହା ଏଠାରେ ସ୍ଥିର କରିବା ତାହା ଅନୁଗତ ପ୍ରଦେଶର ନବାବମାନେ ମାନିନେବେ କାହିଁକି ?

 

ନିଜାମୁଲ୍ ମୁଲକ ଆଉ ମୂକ ହୋଇ ରହିପାରିଲେ ନାହିଁ ।

 

କହିଲେ, ବର୍ତ୍ତମାନ ଯେଉଁ ସମ୍ବାଦ ମିଳୁଛି ଏକା ଦିଲ୍ଲୀ ନୁହେଁ; ମୁଲତାନ, ହାସି, ଲାହୋର୍ ଚାରିଆଡ଼େ ବିଦ୍ରୋହର ସୂଚନା ମିଳୁଛି...ସେମାନେ ଦିଲ୍ଲୀର କର୍ତ୍ତୃତ୍ୱ ମାନିବାକୁ ରାଜି ନୁହନ୍ତି । ମାଲିକ ଇଜ୍ଜୁଦିନ ଆୟାଜ, ମାଲିକ ସଫିଉଦ୍ଦିନ କୁଜ୍ଜି ଆଉ ମାଲିକ ଆଲ୍ଲାଉଦ୍ଦିନ ଜାନି ପ୍ରମୁଖ ସମସ୍ତ ନବାବ୍ ଦିଲ୍ଲୀର ନିୟନ୍ତ୍ରଣରୁ ମୁକ୍ତ ହୋଇଯିବାକୁ ଭିତରେ ଭିତରେ ଉଦ୍ୟମ ଚଳାଇଥିବା ସମ୍ବାଦ ମଧ୍ୟ ମୋ ପାଖରେ ପହଞ୍ଚିଛି । ଏ ସବୁ ଗୁରୁତର ଘଟଣା । ସହଜରେ ଏସବୁ କଥାକୁ ଏଡ଼ାଇ ଦେଲେ ଚଳିବ ନାହିଁ ।

 

ବିକୃତମୁଖା ଅମୀର ବଲବନ୍ କ୍ରୂଦ୍ଧ ଦୃଷ୍ଟିରେ ଅନ୍ୟମାନଙ୍କୁ ଥରେ ଲେଖାଏଁ ଚାହିଁ ଦେଇ କହିଲେ, ଦିଲ୍ଲୀ ଶାସନ ହୁଗୁଳା ହୋଇଗଲେ ଏକା ମୁଲତାନ, ଲାହୋର କିମ୍ବା ହାଁସି ପ୍ରଦେଶର ନବାବ ନୁହନ୍ତି, ଶ୍ୱାନ, ଶୃଗାଳ ମଧ୍ୟ ସ୍ୱଧୀନ ହେବାକୁ ଚେଷ୍ଟା କରିବେ । ଏଠାରେ ଶାସନ ନାମରେ ଯେଉଁ ସକୀ-ସୁରାର ଉତ୍ସବ ଚାଲିଛି, ସେଥିରେ ଜଣେ ସୁଲତାନ ଶାସନ କରୁଛନ୍ତି ବୋଲି ମନେହେଉ ନାହିଁ । ଏ ସମସ୍ତ ବିଶୃଙ୍ଖଳା ମୂଳରେ ଶାହାତୁର୍କାନ...

 

ଅମୀର ବଲବନଙ୍କୁ ସମର୍ଥନ କରିବାକୁ ମଧ୍ୟ ଅଭାବ ହେଲେ ନାହିଁ ଅମୀର୍ ।

 

ରେଜିଆ ଅନୁଭବ କଲେ, ଶହାତୁର୍କାନଙ୍କ ଉପରେ ଅମୀରମାନଙ୍କ ଆବିଶ୍ୱାସ ବିଦ୍ୱେଷ ଏଥିମଧ୍ୟରେ ସହସ୍ରଗୁଣିତ ହୋଇ ଉଠିଛି । ତାଙ୍କ ପାଇଁ ଏହା ଏକ ଆଶ୍ୱାସନାର କଥା । କାରଣ ସେ ଭଲ କରି ଜାଣନ୍ତି, ତାଙ୍କ ସିଂହାସନପ୍ରାପ୍ତି ପଥରେ ରୁକନଦ୍ଦିନ ନୁହନ୍ତି, ଶାହାତୁର୍କାନ୍ ହିଁ ପ୍ରଧାନ ପ୍ରତିବନ୍ଧକ ।

 

କିନ୍ତୁ ଶାହାତୁର୍କାନଙ୍କ ବିରୁଦ୍ଧରେ ହଠାତ୍ କିଛି କର୍ମପନ୍ଥା ଗ୍ରହଣ କରିବାକୁ ଉତ୍ସାହିତ କରିବା ସେ ଉଚିତ ମନେ କଲେ ନାହିଁ ବରଂ ଶାହାତୁର୍କାନଙ୍କ ପ୍ରତି ଅମୀରମାନଙ୍କ ବିଦ୍ଵେଷର ପରିମାଣଟା ଜାଣିବା ପାଇଁ ସେ କହିଲେ, ଶାହାତୁର୍କାନ୍ କିନ୍ତୁ ଯାହା କିଛି କରିଛନ୍ତି, ସେ ସବୁ କରାଯାଇଛି ସୁଲତାନଙ୍କ ନାମରେ...ଏପରିକି କୁତବୁଦ୍ଦିନ ଓ ତାଙ୍କ ମାଆଙ୍କୁ ଯେଉଁ ଶାସ୍ତି ଦିଆଗଲା, ତାହା ମଧ୍ୟ ଦରବାରର ବିଚାର ଅନୁସାରେ ଦିଆଯାଇଛି...ଆମଠାରୁ ଶାହାତୁର୍କାନ ବହୁ ପରିମାଣରେ ଚାଲାକ୍...ତାଙ୍କର ସମସ୍ତ ଅଭିସନ୍ଧିମୂଳକ ଚକ୍ରାନ୍ତ ଆମର ନୀରବ ସମର୍ଥନ ଦ୍ଵାରା ହିଁ ସେ କରାଇ ନେଇଛନ୍ତି...

 

ରେଜିୟାଙ୍କ ଯୁକ୍ତିର ଇଙ୍ଗିତ ଅବୋଧ୍ୟ ରହିଲା ନାହିଁ ଅମୀରମାନଙ୍କୁ ଶାହାତୁର୍କାନଙ୍କ କାର୍ଯ୍ୟରେ ବିରୋଧ ନ କରି ସେମାନେ ଯେ ତାଙ୍କୁ ଏଭଳି ଚକ୍ରାନ୍ତ କରିବା ପାଇଁ ଉତ୍ସାହିତ କରିଛନ୍ତି; ସେ କଥା ରେଜିଆ ସେମାନଙ୍କୁ ବୁଝାଇ ଦେବାକୁ ଚାହାନ୍ତି ।

 

ତାଜୁଦ୍ଦିନ କଠୋର କଣ୍ଠରେ ମନ୍ତବ୍ୟ କଲେ; କିନ୍ତୁ ତାଙ୍କର ଏଭଳି କାର୍ଯ୍ୟକୁ ଆଉ ମୁହୂର୍ତ୍ତେ ସୁଦ୍ଧା ସହ୍ୟ କରାଯିବ ନାହିଁ । କାରଣ ସେ କେବଳ କୁତବୁଦ୍ଦିନ ଓ ତାଙ୍କ ଜନନୀଙ୍କୁ ଶାସ୍ତି ଦେଇ ସନ୍ତୁଷ୍ଟ ହୋଇ ରହିନାହାନ୍ତି; ସ୍ଵୟଂ ସୁଲତାନଙ୍କ କନିଷ୍ଠ ଭ୍ରାତା ଗିୟାସୁଦ୍ଦିନ ମହମ୍ମଦଙ୍କୁ ମଧ୍ୟ ସେହିଭଳି ଷଡ଼ଯନ୍ତ୍ରର ଶୀକାର କରିବାକୁ ସେ ଉଦ୍ୟମ ଚଳାଇଛନ୍ତି । ଅଯୋଧ୍ୟାର ନବାବ୍ ଭାବରେ ଏହି ଅଳ୍ପଦିନ ମଧ୍ୟରେ ଗିୟାସୁଦ୍ଦିନ ଅସାଧାରଣ ଦକ୍ଷତାର ପରିଚୟ ଦେଇଛିନ୍ତି । କିନ୍ତୁ ତାଙ୍କର ଯୋଗ୍ୟତାହିଁ ତାଙ୍କର କାଳ ହୋଇଛି । ଶାହାତୁର୍କାନ୍ ସୁଲତାନଙ୍କ କାନେ କାନେ ତାଙ୍କ ବିରୁଦ୍ଧରେ ତୁମୁଳ ମିଥ୍ୟା ପ୍ରଚାର ଚଳାଇଛନ୍ତି...

 

ରେଜିୟାଙ୍କର ଶୁଣିବାକୁ ଆଉ ଧୈର୍ଯ୍ୟ ନ ଥିଲା ।

 

ସେ ଉଦ୍ଦାତ୍ତ କଣ୍ଠରେ କହିଲେ, ଦିଲ୍ଲୀ ସିଂହାସନ କହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ବହୁ ତୁର୍କୀସୈନ୍ୟ ଓ ସେନାପତିଙ୍କ ସ୍ୱେଦ ଓ ଶୋଣିତରେ ଏ ସିଂହାସନ ଆମର ଆୟତ୍ତାଧୀନ ହୋଇଛି-। ଭାରତବର୍ଷରେ ଇସଲାମ୍ ଧର୍ମର ପ୍ରସାର ଏବଂ ତୁର୍କୀ ସାମ୍ରାଜ୍ୟର ବିସ୍ତାର ପାଇଁ ଏ ସିଂହାସନ ଆମର ନିୟନ୍ତ୍ରଣରେ ଆହୁରି ବହୁ ବର୍ଷ ରହିବା ଦରକାର । ଏହା ହିଁ ଖୋଦାଙ୍କର ଇଚ୍ଛା । ଏ ସିଂହାସନ ସୁରକ୍ଷା ଦାୟିତ୍ୱ ଆପଣମାନଙ୍କର...ଏଥିପାଇଁ ଯଦି ଆବଶ୍ୟକ ହୁଏ, ଆପଣମାନଙ୍କୁ ଆହୁରି କଠୋର, ଆହୁରି ଦୃଢ଼ ହେବାକୁ ପଡ଼ିବ...ଆଲ୍ଲା ଆପଣମାନଙ୍କୁ ଏଥିପାଇଁ ଶକ୍ତି ଓ ସାହସ ଦିଅନ୍ତୁ...ଏହା ହିଁ ମୋର କାମନା...

 

ବିପଦର ସତର୍କ ଘଣ୍ଟା ବାଜିଗଲା ।

 

ସମସ୍ତେ ଯେପରି ରେଜିୟାଙ୍କଠାରୁ ଏହି ଆହ୍ୱାନ ଶୁଣିବା ପାଇଁ ଆଗ୍ରହରେ ଅପେକ୍ଷା କରୁଥିଲେ !

 

ସମବେତ କଣ୍ଠରେ ଆବାଜ୍ ଉଠିଲା, ଶାହାତୁର୍କାନଙ୍କୁ ଶେଷଥର ସତର୍କ କରି ଦିଆଯାଉ...ସେ ଯଦି ସଂଯତ ନ ହୁଅନ୍ତି, ସୁଶୃଙ୍ଖଳ ନ ହୁଅନ୍ତି, ଅମୀରମାନଙ୍କ ଇଚ୍ଛା ବିରୁଦ୍ଧରେ ଯାଆନ୍ତି, ତେବେ ତାର ଶାସ୍ତି ତାଙ୍କୁ ଭୋଗ କରିବାକୁ ହିଁ ହେବ !

 

ନିଜାମୁଲ୍ ମୁଲକଙ୍କ ମୁହଁରୁ ଆଲୋକ ଲିଭିଗଲା ।

 

ପରମ ତୃପ୍ତିରେ ମନେ ମନେ ଉଲ୍ଲସିତ ହେଲେ ରେଜିୟା । ଶର ସନ୍ଧାନ ତାଙ୍କର ଅବ୍ୟର୍ଥ !!

 

ତେର

 

ଅଶ୍ଵର ଖୁରାଘାତରେ ଦିଲ୍ଲୀର ରାଜପଥ ଧୂଳିପଟଳରେ ଆଚ୍ଛନ୍ନ ହୋଇ ଆସୁଥିଲା । ବାତ୍ୟା ଗତିରେ ଅଶ୍ଵ ଦୁଇଟି ଛୁଟି ଚାଲିଥିଲେ ଯମୁନାର ତୀର ଲକ୍ଷ କରି !

 

ସମ୍ମୁଖଭାଗରେ ସୁଲତାନ-ନନ୍ଦିନୀ ରେଜିୟା ।

 

ପଶ୍ଚାଦରେ ଅଶ୍ଵାରୋହଣ କରି ଅଗ୍ରଗାମୀ ଅଶ୍ଵର ଅନୁଧାବନ କରୁଥିଲେ ମାଲିକ୍ ଆଲତୁନିୟା । ଅନେକ ଦିନ ପରେ ସେମାନେ ଆଜି ବାହାରିଛନ୍ତି ସାନ୍ଧ୍ୟ ଭ୍ରମଣରେ । ଏହି କେତେ ଦିନର ରାଜନୈତିକ ଉତ୍ତେଜନା, ସଂଘର୍ଷ ଦ୍ଵନ୍ଦ୍ଵ ଏବଂ ସିଂହାସନ ନେଇ ରାଜପ୍ରାସାଦରେ ପାରସ୍ପରିକ ସନ୍ଦେହ ଇର୍ଷା ସେ ଦୁଇଜଣଙ୍କ ମାନସିକ ସ୍ଥିତିକୁ ସପୂର୍ଣ୍ଣ ବିକୃତ କରି ଦେଇଥିଲା । ଯେଉଁ ପରିବେଶ ଭିତରେ ମନର ଅଭ୍ୟନ୍ତରରେ ସ୍ନେହ, ପ୍ରେମର ଶତଦଳ ପାଖୁଡ଼ା ମେଲି ଫୁଟିଉଠେ, ମନର ସେଇ ପରିବେଶ ସଂପୂର୍ଣ୍ଣ ରୁଗଣ ହୋଇ ଯାଇଥିଲା ।

 

ଅନେକ, ଅନେକ ଦିନ ପରେ ରେଜିୟା ନିଜେ ସମ୍ବାଦ ପଠାଇଥିଲେ, ବହୁଦିନ ହେଲା ଦୁହେଁ ସାଂଧ୍ୟଭ୍ରମଣରେ ଯାଇନାହୁଁ ଆଲତୁନିୟା ! ଆଜି କାହିଁକି ମନ ଭିତର ବିପୁଳ ଏକ ଶୂନ୍ୟତାରେ ଭରିଗଲା ଭଳି ମନେହେଉଛି ! ଚାଲ...

 

ଆଲତୁନିୟାଙ୍କ ହୃଦୟ ବି ଭରି ଉଠିଥିଲା ସେଇ ପଦେ ମାତ୍ର କଥାରେ ।

 

ଅଶ୍ୱଶାଳାରୁ ଅଶ୍ୱାରୋହଣ କରି ଲଗାମ୍ ଉପରେ ହାତ ପକାଇବା ମାତ୍ରେ ମନ ତାଙ୍କର ଲଗାମଛଡ଼ା ଅଶ୍ଵଗତିରେ ଚାଲିଥିଲା କାହିଁ କେତେ ଦୂରକୁ...

 

ଅଶ୍ଵର ଖୁରାରେ ଖୁରାରେ ଧୂଳିର ଝଡ଼ ଉଠାଇ ଛୁଟି ଚାଲିଲା ବେଳେ ତାଙ୍କର ମନେ ହେଉଥିଲା, ସତେ ଯେପରି ସେମାନେ ଚତ୍ଵାରିଂଶ ତୁର୍କୀ-ଅମୀରଙ୍କ ଆଖିରେ ଧୂଳି ପକାଇ ଜମିନ୍ ଛାଡ଼ି ଆସମାନ୍ ଆଡ଼କୁ ପଳାଇ ଯାଉଛନ୍ତି...

 

ରେଜିୟାଙ୍କ ଅଶ୍ଵ ଗତି ମନ୍ଥର କରି ଠିଆ ହୋଇଗଲା ।

 

ସଂଧ୍ୟାର ଆକାଶରେ ସେତେବେଳେ ସୂର୍ଯ୍ୟାସ୍ତର ରଙ୍ଗ ।

 

କାନ୍ତ-ସଲିଳା ଯମୁନାର ଉର୍ମିଳ ବୁକୁରେ ରକା-ରଜନୀର ଜହ୍ନ ନିଜ ମୁଖ ଦେଖିବାକୁ ଉଙ୍କି ମାରୁଛି ।

 

ରେଜିୟା ସମ୍ମୋହିତ କଣ୍ଠରେ କହିଲେ, ବିଳମ୍ବ ନକରି ଆଶ୍ଵ-ପୃଷ୍ଠରୁ ଅବତରଣ କରି ଅସ ଅଲତୁନିୟା ! ସଂଧ୍ୟାର ରାଗ ଯେ ମଳିନ ହୋଇ ଆସିଲା... !

 

ଆହା, ଯମୁନାକୂଳର ଏକ ସଂଧ୍ୟା କି ଚମତ୍କାର ! ଅଥଚ...ସେମାନେ କେତେଦିନ ହେଲା ବିସ୍ମୃତ ହୋଇ ଯାଇଥିଲେ ଏଇ ସଂଧ୍ୟାର ଆକାଶ...ଯମୁନାର ଜଳ-କଲ୍ଲୋଳ ! ଅଲତୁନିୟା ମନ୍ତ୍ରମୁଗ୍ଧ ଭଳି ଅଶ୍ଵରୁ ଅବରୋହଣ କରି କହିଲେ, ମୋର ହାତ ଧରନ୍ତୁ ସୁଲ୍‍ତାନ-ନନ୍ଦିନୀ ! ଆସନ୍ତୁ... ବୁକୁଭରି ଆହରଣ କରି ନେବା ଏଇ ନଦୀ ଉପକଣ୍ଠର ମୁକ୍ତ ସମୀରଣ... ରାଜପ୍ରାସାଦର କକ୍ଷରେ ଆବଦ୍ଧ ରହି ଅନେକ ଦିନ ହେବ ଏଇ ସଂଧ୍ୟା ସମୀରଣର ସ୍ପର୍ଶ ମିଳିନାହିଁ... ।

 

ନୌକା ଆରୋହୀ କେତେ ଲୋକ ଯମୁନା ବୁକୁରେ ଭାସି ଯାଉଥିଲେ ଦୂରରୁ ଦୂରକୁ । ହୁଏ ତ କେହି ମତ୍ସ୍ୟଜୀବୀ ଧୀବର ଅଥବା ଆର କୂଳକୁ ଯାତ୍ରା କରୁଥିବା ଯାତ୍ରୀ ସେମାନେ । ସେମାନଙ୍କ ନୌକାର ଗତି ସହିତ ଯମୁନାର ସଲିଳରେ ତରଙ୍ଗର ଉଚ୍ଛ୍ଵାସ ଜାଗି ଉଠୁଥିଲା । ସେମାନଙ୍କ ନୌକାସବୁ ଦୂରକୁ ଦୂରକୁ ଭାସିଗଲା ବେଳେ ମନେ ହେଉଥିଲା ସତେ ଅବା ପକ୍ଷୀ କେତୋଟି ସଞ୍ଚିରି ଯାଉଛନ୍ତି ଆକାଶର ନୀଳ ବୁକୁରେ !

 

ରେଜିୟାଙ୍କ ସନ୍ନିକଟବର୍ତ୍ତୀ ହୋଇ ମାଲିକ୍ ଆଲତୁନିୟା ନିମ୍ନ କଣ୍ଠରେ କହିଲେ, ଆଉ କେତେଦିନ ଶାହାଜାଦୀ ! ବୁକୁର ଏ ଦୀର୍ଘଶ୍ୱାସକୁ ରୁଦ୍ଧକରି କେତେଦିନ ଆଉ ଏପରି ନିଃସଙ୍ଗ ଭାବରେ ଅନ୍ୟର ନୌକାଯାତ୍ରା ଦେଖି ଆମେ ନିଜକୁ ଭୁଲାଇବା...ଅଥଚ ଆମ ଯୁଗ୍ମଜୀବନର ନୌକା ଥରେ ହେଲେ ଭସାଇବା ନାହିଁ ଜୀବନ-ଯମୁନାର ଏ କଲ୍ଲୋଳିତ ଜଳ ଦେହରେ !!

 

ଆଲତୁନିୟାଙ୍କ ଉଷ୍ମ ନିଃଶ୍ୱାସ ଏକ ବିଷଧର ସରୀସୃପ ଭଳି ରେଜିୟାଙ୍କ ମୁହଁର କୋମଳ ତ୍ୱକ୍ ଉପରେ ସଞ୍ଚରି ଯାଉଥିଲା ।

 

ତାଙ୍କର ମନେହେଲା, ମାଲିକ୍ ଆଲତୁନିୟା ଭୀଷଣ ଭାବରେ ଭାବପ୍ରବଣ ହୋଇ ଉଠିଛନ୍ତି । ଯେଉଁ କଥା ଶାହୀ ମଂଜିଲର ରାଜକୀୟ ପରିବେଶ ଭିତରେ ସେ ପ୍ରକାଶ କରିପାରୁ ନ ଥିଲେ, ଯମୁନାର ଏ ନିର୍ଜନ ପରିବେଶ ଭିତରେ ଅତି ସ୍ପଷ୍ଟ ଭାବରେ ସେ ପ୍ରକାଶ କରିଛନ୍ତି !

 

କିଛି ଉତ୍ତର ଦେବାକୁ ହଠାତ୍ ତାଙ୍କର ସାହସ ହେଲା ନାହିଁ ।

 

ନିଜ ମନୋଭାବକୁ ଅତି ସ୍ପଷ୍ଟ ଭାବରେ ପ୍ରକାଶ କରି ରେଜିୟାଙ୍କ ଠାରୁ କୌଣସି ଉତ୍ତର ନ ପାଇବାରୁ ଆଲତୁନିୟା ଅଭିମାନ ନୁହେଁ, ଭୟରେ ସାମାନ୍ୟ ଶିହରି ଉଠିଲେ ।

 

ପଚାରିଲେ, ମନର କଥାକୁ ମୁହଁରେ ପ୍ରକାଶ କରି ମୁଁ କଅଣ ଅପରାଧ କରିଛି ? ବହୁ ଥର ଭାବିଛି, ଏ କଥା ଆପଣଙ୍କୁ ସ୍ପଷ୍ଟ କହିବି, କାରଣ ଏ କଥା ବହୁ ଥର ଅପେକ୍ଷା କରି ଆପଣଙ୍କ ମୁହଁରୁ ଶୁଣିବି ବୋଲି ଶୁଣି ପାରିନାହିଁ । ମୋର ମନେ ହେଉଛି, ସୁଲ୍‍ତାନଙ୍କ ଶାସନରେ ଶାହାତୁର୍କାନଙ୍କ ଆଧିପତ୍ୟ ଫଳରେ ଆମର ସମସ୍ତ କଳ୍ପନା କେବଳ ଅଧା ଦେଖା ସ୍ଵପ୍ନରେ ବୋଧ ହୁଏ ରହିଯିବ...ମୋର ଧାରଣା ସେ କେବଳ ଆପଣଙ୍କୁ ସିଂହାସନରୁ ବଞ୍ଚିତ କରି ସନ୍ତୁଷ୍ଟ ହେବେ ନାହିଁ; ଆମ ଦୁହିଁଙ୍କ ପରସ୍ପର ଠାରୁ ବିଚ୍ଛିନ୍ନ କରି ନେବା ପାଇଁ ମଧ୍ୟ ଉଦ୍ୟମ କରିବେ ।

 

ଆଲତୁନିୟାଙ୍କ ଯୁକ୍ତି ଶୁଣି ଚମକି ଉଠିଲେ ରେଜିୟା ।

 

ତାଙ୍କ କାନ୍ଧ ଉପରେ ମୃଦୁ ଚାପଦେଇ କହିଲେ, ତମର ସମସ୍ତ ଭୟ ଅମୂଳକ ଆଲତୁନିୟା ! ପ୍ରେମ-ପ୍ରଣୟ ବ୍ୟାପାରରେ ସବୁ ପୁରୁଷଙ୍କ ଭଳି ତମ ମନ ମଧ୍ୟ ଅଯଥା ଚଞ୍ଚଳ, ଅସ୍ଥିର, ସନ୍ଦେହୀ । ଶାହାତୁର୍କାନ ମତେ ଦିଲ୍ଲୀ ସିଂହାସନରୁ ବଞ୍ଚିତ କରିବା ସହଜ ହୋଇପାରେ, କିନ୍ତୁ ତମ ମନର ସିଂହାସନରୁ ମତେ ବିଚ୍ୟୁତ କରିବା ଏତେ ସହଜ ନୁହେଁ । ସତ କୁହ, ତମ ମନର ସିଂହାସନରେ ମୋର ଅଭିଷେକ କଅଣ ହୋଇ ସାରିନାହିଁ !!

 

ଏକ ସ୍ନିଗ୍ଧ ମଧୁର ରୋମାଞ୍ଚରେ ଆଲତୁନିୟାଙ୍କ ସାରା ଦେହ ରୋମାଞ୍ଚିତ ହୋଇ ଉଠିଲା ।

 

ଆଖି ଆଗରେ ତାଙ୍କର ଭାସି ଉଠିଲା ରାଜବାଟିକାର ସେଇ ତରୁଛାୟା ଶୀତଳ ନିର୍ଜନ ପରିବେଶରେ କିଶୋରୀ ରେଜିୟାଙ୍କ ସହ ତାଙ୍କ ପ୍ରଥମ ପ୍ରଣୟର ମଧୁର ସ୍ମୃତିସବୁ । ଦୁହେଁଯାକ ନିଜ ନିର୍ବୋଧ କୈଶୋରରେ ସେ ରାଜବାଟିରେ ଯେତିକି ଫୁଲ ନ ତୋଳିଛନ୍ତି, ତା ଠାରୁ ବେଶି ଥର ଫୁଲଗଛର କଣ୍ଟାରେ ନିଜ ହାତ ଆଙ୍ଗୁଠିକୁ ରକ୍ତାକ୍ତ କରିଛନ୍ତି...ଜଣକର ରକ୍ତ ରଙ୍ଗା ଆଙ୍ଗୁଳିକୁ ଅନ୍ୟ ଜଣେ ଅଧର, ଜିହ୍ନରେ ସ୍ପର୍ଶ କଲା ବେଳେ ରୁଧିରର ଲବଣାକ୍ତ ସ୍ଵାଦ ନୁହେଁ, ଅସ୍ଵାଦନ କରିଛନ୍ତି ପ୍ରଣୟର ଅମୃତ ସ୍ଵାଦ !

 

ଆଉ ଯୁଦ୍ଧ-କୌଶଳ ଶିକ୍ଷାଳୟରେ !

 

ସବୁ ମନେପଡ଼ୁଛି ଆଲତୁନିୟାଙ୍କର ଅଧା ଦେଖା ସ୍ଵପ୍ନ ଭଳି ।

 

ସେ ଦିନ ସେ ଅମୀର ନ ଥିଲେ; ଥିଲେ ମାତ୍ର କ୍ରୀତଦାସ ।

 

କିନ୍ତୁ ତାଙ୍କ ଯୁଦ୍ଧକୌଶଳ, ବୀରତ୍ଵ ମୁଗ୍‍ଧ କରିଥିଲା ସୁଲତାନ ଇଲତୁମିସଙ୍କୁ । ନିଜର କିଶୋରୀ କନ୍ୟାକୁ ତାଙ୍କରି ସହ ଯୁଦ୍ଧକୌଶଳ ଶିକ୍ଷା କରିବାକୁ ଅବାଧରେ ଛାଡ଼ି ଦେଇଥିଲେ । ଅଳ୍ପ ଦିନରେ ବୁଦ୍ଧିମତୀ ରେଜିୟା ଯୁଦ୍ଧକୌଶଳ ଶିକ୍ଷାର ଦେଖାଇଥିଲେ ଅସାଧାରଣ ପାରଦର୍ଶିତା । କେବଳ ତାଙ୍କୁ ହିଁ ବାଦ ଦେଲେ ଅନ୍ୟ ସବୁ ସମର ଶିକ୍ଷାର୍ଥୀଙ୍କ ଠାରୁ ରେଜିୟା ଥିଲେ ଅଗ୍ରଗାମୀ । କିନ୍ତୁ ଯେଉଁଦିନ ଯୁଦ୍ଧ କୌଶଳ ପରୀକ୍ଷାରେ ସେ ମଧ୍ୟ ରେଜିୟାଙ୍କୁ ପାଖରେ ପରାସ୍ତ ହୋଇଗଲେ.... ?

 

ଆଲତୁନିୟା ଘଟଣାଟି ସ୍ମରଣ କରି ମନେ ମନେ ହସିଲେ !

 

ସେ ଦିନ ସେ ସୁଲତାନନନ୍ଦିନୀଙ୍କ ପାଖରେ ନିଜେ ଯାଇ ନତମସ୍ତକରେ ଠିଆ ହୋଇଥିଲେ । କୈଶୋରର ନିର୍ମୋକ ଛାଡ଼ି ରେଜିୟା ସେଦିନ ପାଦ ବଢ଼ାଉଥିଲେ ଯୌବନର ସ୍ୱର୍ଣ୍ଣ ସିଂହାସନ ଆଡ଼କୁ । ଅମଳିନ କାନ୍ତିରେ ଝଲସି ଉଠୁଥିଲା ତାଙ୍କର ଅଙ୍ଗଲତା । ଆଖିର ଦୃଷ୍ଟିରେ ସମ୍ମୋହନ....ଚାଲିର ଛନ୍ଦରେ ନୂତନ ଏକ ଅଭିଜାତ୍ୟ....

 

ବିମୁଗ୍ଧ ଦୃଷ୍ଟି ନିକ୍ଷେପ କରି ଶାହାଜାଦୀ ତାଙ୍କୁ ପ୍ରଶ୍ନ କରିଥିଲେ, ମୁଣ୍ଡ ତଳକୁ ପୋତି ଠିଆ ହୋଇ ରହିଲ ସେ ମାଲିକ୍ ! ଘଟଣା କଅଣ ?

 

ଯୁଦ୍ଧକୌଶଳ ଶିକ୍ଷାରେ ମୁଁ ଆଜି ଆପଣଙ୍କ ପାଖରେ ପରାସ୍ତ ହୋଇଯାଇଛି ସୁଲତାନନନ୍ଦିନୀ ! ଆପଣଙ୍କ ବିଜୟ ପାଇଁ ଅଭିବାଦନ ଜଣାଇବା ଲାଗି ସ୍ୱେଚ୍ଛାରେ ସେଥିପାଇଁ ଏଠାକୁ ଆସିଛି । ଆପଣ ମୋର ଅଭିନନ୍ଦନ ଗ୍ରହଣ କରନ୍ତୁ । .....ଆଲତୁନିୟା ବାକ୍ୟ ଶେଷକରି ଉତ୍ତର ଶୁଣିବା ପାଇଁ ଅପେକ୍ଷା କରି ରହିଲେ ।

 

ରେଜିୟାଙ୍କ ମୁହଁରେ ବିଜୟର ହସ ହଠାତ୍ ଝଲସି ଉଠି ପୁଣି ଅଖଣ୍ଡ ଗାମ୍ଭୀର୍ଯ୍ୟର ମେଘ ତଳେ ଲୁଚିଗଲା । କିଛି ସମୟ ପର୍ଯ୍ୟନ୍ତ ସେ ନୀରବ ରହିଥିଲେ ।

 

ତା’ପରେ ଶୂନ୍ୟ ଆକାଶକୁ ଚାହିଁ ଉଦାସ କଣ୍ଠରେ ସେ ଉତ୍ତର ଦେଇଥିଲେ, ତମେ ମୋର ଶୈଶବର ସାଥି, କୈଶୋରର ଦୋସର । ତମେ, ଆଜି ଯୁଦ୍ଧକୌଶଳ ଶିକ୍ଷାରେ ମୋ ପାଖରୁ ହାରି ଯାଇଛ ସତ, କିନ୍ତୁ ଜିଣି ଯାଇଛ ମୋର ମନ ହୃଦୟ । ସମସ୍ତ ତରୁଣ ତୁର୍କୀ ଅମୀରମାନଙ୍କ ମଧ୍ୟରୁ ତମେ ହେଉଛ ଜଣେ ମାତ୍ର ଯୋଦ୍ଧା, ଯାହାର ବାହୁର ମାଂସପେଶୀରେ ମୁଁ ଲକ୍ଷ୍ୟ କରିଛି ଅଜେୟ ଶକ୍ତି, ଯାହାର ଚିନ୍ତାଧାରାରେ ଅନୁଭବ କରିଛି ରାଜନୈତିକ ଦୂରଦୃଷ୍ଟି । ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ବିସ୍ତାର, ଇସଲାମ୍ ଧର୍ମର ପ୍ରସାର ପାଇଁ ମୁଁ କେବଳ ତମରି କାନ୍ଧରେ ଭରାଦେଇ ଠିଆ ହେବାକୁ ଚାହେଁ...ଆମ ଦୁଇ ଜଣଙ୍କ ମିଳିତ ଶକ୍ତିର ସମନ୍ଵୟରେ ଦୀର୍ଘଜୀବୀ ହେବ ଏ ଦେଶରେ ତୁର୍କୀଶାହି ଶାସନ...

 

ପୁଷ୍ପବାଟିକାର କୁସୁମ ଚୟନ ଭିତରୁ ଦୁହିଁଙ୍କ ମଧ୍ୟରେ ଯେଉଁ ମଧୁର ଆନ୍ତରିକତା ଲୋଧ୍ର ରେଣୁରଞ୍ଜିତ ହୋଇ ଗଢ଼ି ଉଠିଥିଲା, ଯୁଦ୍ଧ କୌଶଳ-ଶିକ୍ଷାର ସେ ଜୟ-ପରାଜୟ ପରେ ରେଜିୟାଙ୍କ ମୁହଁରେ ପ୍ରଥମ ସ୍ଵୀକୃତି ରୂପେ ତାହା ପ୍ରକାଶ ପାଇଥିଲା ।

 

ସେଦିନର ସ୍ମୃତି ମଲିକ୍ ଆଲତୁନିୟା ଜୀବନରେ କେବେହେଲେ ଭୁଲିପାରିବେ ନାହିଁ ।

 

ସେହିଦିନୁ ସୁଲତାନନନ୍ଦିନୀଙ୍କ ସହ ତାଙ୍କର ପ୍ରଣୟ ଘନିଷ୍ଠରୁ ଘନିଷ୍ଠତର ହୋଇ ଉଠିଛି-। ଦୁହେଁ ନିଜର ବିଶ୍ଵାସ, ପ୍ରତ୍ୟୟ, ସ୍ନେହ, ସହଯୋଗ ଦେଇ ସେଇ ଭଲପାଇବାର ବିହଙ୍ଗକୁ ମନର ପିଞ୍ଜରାରେ ଅନେକ ଦିନ ହେଲା ପାଳି ଆସୁଛନ୍ତି । ସେଇ ଭଲ ପାଇବାର ସୁକୁମାର ବିହଙ୍ଗମ ଡେଣା ତୋଳି ଉଡ଼ିବାକୁ ଚାହେଁ...ଆବଦ୍ଧ ପିଞ୍ଜରାର ବେଷ୍ଟନୀ ବିଦୀର୍ଣ୍ଣ କରି ସମସ୍ତଙ୍କ ଆଗରେ ପ୍ରକାଶ କରିବାକୁ ଚାହେ ନିଜର ଆତ୍ମପରିଚୟ...

 

ଆଲତୁନିୟାଙ୍କର ଭୟ, ଯଦି ସେ ଭଲ ପାଇବାର ସୁକୁମାର ଶୁକପକ୍ଷୀକୁ ନିଜ ମନ ପିଞ୍ଜରାରୁ ମୁକ୍ତି ଦେଇ ସେମାନେ ବିବାହ ବନ୍ଧନରେ ଆବଦ୍ଧ ନ କରନ୍ତି, ଶାହାତୁର୍କନାଙ୍କ ବିଷ ନିଶ୍ଵାସରେ ସେ ପ୍ରଣୟ-ଶୁକ ପକ୍ଷୀର ପିଞ୍ଜରା ଭିତରେ ହିଁ ଅକାଳମୃତ୍ୟୁ ଘଟିବ ।

 

ସେଥିପାଇଁ ସେ ଆଉ ସାହସ ସଂଗ୍ରହ କରି ସେ କଥା ପ୍ରସଙ୍ଗ ଉତଥାପନା କରିଥିଲେ ।

 

କିନ୍ତୁ ସେ ପ୍ରସ୍ତାବକୁ ଏଡ଼ାଇ ଯିବା ପାଇଁ ରେଜିୟା ଏଭଳି ଏକ ପ୍ରଶ୍ନ କରି ବସିଲେ ଯେ, କି ଉତ୍ତର ଦେବେ ସେ କଥା ସହଜରେ ଭାବି ପାରିଲେ ନାହିଁ ଆଲତୁନିୟା । କେବଳ ଆହତ ଅଭିମାନଭରା କଂପିତ କଣ୍ଠରେ ସେ କହିଲେ, ତାହାହେଲେ ଆପଣ ଏ ବିବାହ ଚାହାଁନ୍ତି ନାହିଁ ?

 

ପ୍ରଶ୍ନ ଶୁଣି ଚମକି ଉଠିଲେ ରେଜିୟା ।

 

ଉତ୍ତର ଦେଲେ, ଯେତେ ହେଲେ ବି ମୁଁ ନାରୀ । ସ୍ଵାମୀ, ସନ୍ତାନ ମୋର ନାରୀତ୍ଵର ପୂର୍ଣ୍ଣତା ପାଇଁ ଏକ ଅପରିହାର୍ଯ୍ୟ ଅଙ୍ଗ ।

 

ତା ହେଲେ ? -ଆଲତୁନିୟାଙ୍କ କଣ୍ଠସ୍ୱର, ।

 

ଏଥର ମ୍ଲାନ ଭାବରେ ହସିଲେ ରେଜିୟା । ଭୀରୁ ଚନ୍ଦ୍ରିକାର ସ୍ପର୍ଶରେ ତାଙ୍କ ମୁହଁର ସେ ହସ ଝରା ଶେଫାଳି ଭଳି ଝଡ଼ିପଡ଼ିଲା ।

 

ସେ କହିଲେ, ତମେ କ’ଣ ଆଲତୁନିୟା ! ମୁଁ କେବଳ ନାରୀ ହୋଇ ଜନ୍ମ ହୋଇ ନି; ଖୋଦାଙ୍କ ଦୟାରୁ ହେଉ ବା ଅଭିଶାପରୁ ହେଉ ମୁଁ ସୁଲତାନଙ୍କ ପରିବାରରେ ଜନ୍ମ ହୋଇଛି। ଶାହାଜାଦୀ ହୋଇ ଜନ୍ମ ହେବାରେ ଯେତିକି ସୁଯୋଗ, ସେତିକି ଦାୟିତ୍ଵ ମଧ୍ୟ ରହିଛି । ନିଜର ବ୍ୟକ୍ତିଗତ ସୁଖ ଅପେକ୍ଷା ପ୍ରଜାମାନଙ୍କ ସୁଖ କଥା ମଧ୍ୟ ମତେ ଭାବିବାକୁ ହେବ । ଆଉ ତମେ କ’ଣ, ମୁଁ କେବେହେଲେ ବ୍ୟକ୍ତିଗତ ସୁଖ ପାଇଁ ଆଜି ପର୍ଯ୍ୟନ୍ତ ଉଦ୍ୟମ କରି ନାହିଁ । ନିଜ ପାଇଁ ବଞ୍ଚିରହିବା ଲାଗି ମୋ ମନରେ ତୀବ୍ର ଘୃଣା । ମୁଁ ଜାଣେ, ବିବାହ କଲେ ବ୍ୟକ୍ତିଗତ ଭାବରେ ସୁଖୀ ହେବି, ତମକୁ ମଧ୍ୟ ଖୁସି କରି ପାରିବି । କିନ୍ତୁ ତୁର୍କୀ ସାମ୍ରାଜ୍ୟର ଏହା ଦ୍ଵାରା ହିତ ସାଧିତ ହେବ ?

 

ଆଲତୁନିୟା ବିସ୍ମିତ ହୋଇ ରେଜିୟାଙ୍କ ମୁହଁକୁ ଚାହିଁ ରହିଲେ । ସୁଲତାନନନ୍ଦିନୀଙ୍କ କଥା କାନରେ ଶୁଣିପାରୁଥିଲେ ସୁଦ୍ଧା ମନରେ ବିଚାର କରି କିଛି ବୁଝି ପାରୁ ନ ଥିଲେ ।

 

ବିସ୍ମୟ ବିମୁଢ଼ କଣ୍ଠରେ ସେ କହିଲେ, ମୁଁ ତରୁଣ, ଆପଣ ତରୁଣୀ । ବିବାହ ଲାଗି ଆମର ବୟସ ହୋଇଛି । ଦୁହିଁଙ୍କ ମଧ୍ୟରେ ସେଥିପାଇଁ ଉତ୍ସାହର ମଧ୍ୟ ଉଣା ନାହିଁ । ଜାତି, ପଦବୀ ଦୃଷ୍ଟିରୁ ମଧ୍ୟ ଏଥିରେ ପ୍ରତିବନ୍ଧକର କୌଣସି ପ୍ରଶ୍ନ ନାହିଁ । ତଥାପି ଆପଣ...

 

ତାଙ୍କୁ ବାକ୍ୟ ଶେଷ କରିବାକୁ ଦେଲେ ନାହିଁ ରେଜିୟା ।

 

ଶାସନ କଲା ଭଳି ମୃଦୁ ଧମକ ଦେଇ କହିଲେ, ତମେ ସବୁ ପୁରୁଷ ପ୍ରଣୟକୁ ଦେହଧର୍ମୀ ବୋଲି ଧରି ନିଅ-ତାହା ହିଁ ହେଉଛି ପ୍ରଧାନ ବିପଦ । ପ୍ରଣୟ ହେଉଛି ପ୍ରାଣର ଏକ ଢେଉ । କିନ୍ତୁ ବିବାହ ତା ଠାରୁ ଆହୁରି ଅଧିକ କିଛି ଗୁରୁତ୍ଵପୂର୍ଣ୍ଣ । ଦିଲ୍ଲୀର ଏ ଅଶାନ୍ତ ରାଜନୈତିକ ବାତାବରଣ ମଧ୍ୟରେ ଆମର ବିବାହ କଥା ଘୋଷିତ ହେଲେ ଅନ୍ୟାନ୍ୟ ତୁର୍କୀ ଅମୀରମାନଙ୍କ ମଧ୍ୟରେ ତା’ର କି ପ୍ରତିକ୍ରିୟା ହେବ, ଥରେ ଭାବି ଦେଖିଛ ? ଆମର ବିବାହ ସହିତ ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ଭବିଷ୍ୟତ ପ୍ରଶ୍ନ ମଧ୍ୟ ଜଡ଼ିତ-ଏଥିପାଇଁ ଆମକୁ ଧୈର୍ଯ୍ୟ ଧରି ସୁଯୋଗର ଅପେକ୍ଷା କରିବାକୁ ହେବ ଆଲତୁନିୟା !

 

ଆଲତୁନିୟା ନୀରବ ହୋଇଗଲେ । କଥା କହିବାକୁ ତାଙ୍କର ଆଉ ସାହସ ନ ଥିଲା ।

 

ଚଉଦ

 

ଆହତ ସିଂହୀ ଭଳି ରାଗ, କ୍ରୋଧ, ଈର୍ଷା ଓ ହିଂସାର ଥରୁଥିଲେ ଶାହାତୁର୍କାନ I

 

ସ୍ଥିର ହୋଇ ବସିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ଉଠିଥିଲା । ଅସ୍ଥିର ଭାବରେ କକ୍ଷରେ ପଦଚାରଣ କରି ସେ ଗୋଟାକୁ ଗୋଟା ତପ୍ତଶ୍ଵାସ ତ୍ୟାଗ କରୁଥିଲେ ।

 

ନିଜାମୁଲ୍ ମୁଲକ କିନ୍ତୁ ଅବିଚଳିତ, ସ୍ଥିର ।

 

ମନରେ ସେ ସଂକଳ୍ପ କରି ଆସିଛନ୍ତି, ଆଜି ଯାହାହେଉ, ଗୋଟାଏ କିଛି ସମାଧାନ ସେ କରିବେ । ଶାସନ ପରିଚାଳନା କ୍ଷେତ୍ରରୁ ଶାହାତୁର୍କାନଙ୍କ ଆଧିପତ୍ୟ ଦୂର ନ କଲେ ଦିଲ୍ଲୀ ଶାସନରେ ସ୍ଥିରତା ଆସିବ ନାହିଁ । ହିନ୍ଦୁସ୍ଥାନରୁ ତୁର୍କୀ ସାମ୍ରାଜ୍ୟର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତରେ ପରିଣତ ହୋଇଯିବ ?

 

ଶାହାତୁର୍କାନ୍ ଆଉ ଥରେ ଦୃଢ଼ କଣ୍ଠରେ ପ୍ରଶ୍ନ କଲେ, ଏ କଅଣ ଆପଣଙ୍କ ନିଜ ମତ ନା ଅନ୍ୟ ଅମୀରନଙ୍କର ସମ୍ମିଳିତ ମନ୍ତବ୍ୟ ।

 

ନିଜ ପକ୍ଵ କେଶରେ ଅଙ୍ଗୁଳିଚାଳନା କରୁ କରୁ ନିଜାମୁଲ୍ କହିଲେ, ଆପଣ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ପଚାରି ପାରନ୍ତି, ସାମ୍ରାଜ୍ୟର ଚାରିଆଡ଼େ ଆଜି ବିଦ୍ରୋହର ସୂଚନା । ବିଭିନ୍ନ ପ୍ରଦେଶର ନବାବ, ସୁବାଦାରମାନେ ଦିଲ୍ଲୀ ଶାସନ ଉପରୁ ଅସ୍ଥା ହରାଇ ସାରିଲେଣି । ଅମୀରମାନଙ୍କ ମଧ୍ୟରେ ଅସନ୍ତୋଷ ଦାବାଗ୍ନି ଭଳି ବ୍ୟାପିବାରେ ଲାଗିଛି । ଆପଣ ଯଦି ସୁଲତାନଶାହି ଶାସନର ମଙ୍ଗଳ ଚାହାନ୍ତି, ଶାସନ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ.....

 

ଉଚ୍ଚକଣ୍ଠରେ ଅଟ୍ଟହାସ୍ୟ କରି ଉଠିଲେ ଶାହାତୁର୍କାନ ।

 

ଉଚ୍ଚକଣ୍ଠରେ ମନ୍ତବ୍ୟ କଲେ, ଅମୀରମାନଙ୍କୁ କହିରଖ ନିଜାମୁଲ୍ ! ଇଲତୁମିସଙ୍କର ମୁଁ ରକ୍ଷିତା ନ ଥିଲି, ଥିଲି ବେଗମ୍ । ମୋରି ସ୍ଵାମୀଙ୍କ ବାହୁ ବଳରେ ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ବିସ୍ତାର ଘଟିଛି....ଶାସନ କିପରି କରିବାକୁ ହୁଏ ମୁଁ ଜାଣେ.... ସେମାନେ ସ୍ମରଣ ରଖନ୍ତୁ ଯେ ଅମୀର୍ ରୂପେ ଖୋଦା ସେମାନଙ୍କୁ ମାତୃଜଠରରୁ ଜନ୍ମ ଦେଇ ନ ଥିଲେ.....ସେମାନେ ଥିଲେ ବାନ୍ଦା.....ମୋର ସ୍ଵାମୀ ହିଁ ସେମାନଙ୍କୁ ସମ୍ମାନ ଦେଖାଇ ଅମୀର ଉପାଧି ଦେଇଛନ୍ତି...ବେଗମ୍ ଶାସନକ୍ଷେତ୍ରରୁ ଅପସରି ଯିବା ଅପେକ୍ଷା ବାନ୍ଦାମାନେ ବାଦଶାହା ହେବା ଚେଷ୍ଟାରୁ ନିବୃତ୍ତ ହେଲେ ତୁର୍କୀଶାହି ଶାସନର ମଙ୍ଗଳ ହେବ.....ସୁଲତାନଙ୍କ ବ୍ୟତୀତ ଆଉ କାହାରି ଆଦେଶ ପାଳନ କରିବାକୁ ମୁଁ ଜନ୍ମ ହୋଇନାହିଁ । ସେମାନେ ମୋର ଅନୁକମ୍ପାକୁ ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ... ହଁ... ଏ ମୋର ଶେଷ କଥା...

 

ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ଧରି ପାରିଲେ ନାହିଁ ନିଜାମୁଲ୍ । ନିଜ ଦୁଇ କାନରେ ହାତ ଦେଇ ଦେଲେ । ଆଲ୍ଲା ! ଆଲ୍ଲା ! ତାଙ୍କ ଭାଗ୍ୟରେ ପୁଣି ଏସବୁ ଶୁଣିବାକୁ ବାକି ଥିଲା !

 

ସେ ଭାବୁଥିଲେ, ଶାହାତୁର୍କାନଙ୍କୁ ସ୍ମରଣ କରାଇ ଦିଅନ୍ତେ, ଏକା ଚତ୍ଵାରିଂଶ ଅମୀର୍ ବାନ୍ଦୀରୁ ଅମୀର ହୋଇ ନାହାନ୍ତି... ସେ ନିଜେ ମଧ୍ୟ ବାନ୍ଦୀରୁ ହୋଇଛନ୍ତି ବେଗମ୍ ! କିନ୍ତୁ ସେ କଥା କହି କିଛି ଲାଭ ନାହିଁ । କ୍ଷମତାର ନିଶାରେ ଉନ୍ମାଦିନୀ ହୋଇଛନ୍ତି ଶାହାତୁର୍କାନ । କୌଣସି ଯୁକ୍ତି ତାଙ୍କ ପକ୍ଷରେ ଗ୍ରହଣୀୟ ନୁହେଁ ।

 

ନିଜାମୁଲ୍ ନିର୍ବୋଧ ଭଳି ବସିରହି ସ୍ମୃତିଚାରଣ କରିବାକୁ ଲାଗିଲେ ।

 

ବହୁ ବିପଦରୁ ତୁର୍କୀ ସାମ୍ରାଜ୍ୟର ଏହି ଚାରାଗଛ ହିନ୍ଦୁସ୍ଥାନର ଉର୍ବର ମୃତ୍ତିକାରୁ ରସ ଗ୍ରହଣ କରି ମହାଦ୍ରୁମରେ ପରିଣତ ହୋଇଛି । ସର୍ବଗ୍ରାସୀ ବାତ୍ୟା ଭଳି ମୋଙ୍ଗଲ ଆକ୍ରମଣକାରୀ ଯେତେବେଳେ ଏହି ନୂତନ ଉଦ୍ଭିଦକୁ ଧ୍ଵଂସ କରିବା ପାଇଁ ଝାମ୍ପ ଦେଇଛନ୍ତି, ତୁର୍କୀ ଅମୀରମାନଙ୍କ ସମ୍ମିଳିତ ଶକ୍ତି ତାକୁ ସେ ବିପଦରୁ ରକ୍ଷା କରିଛି । ହିନ୍ଦୁ କାଫେରମାନଙ୍କ ଦୁର୍ଜ୍ଜୟ ଶକ୍ତିକୁ ପରାଭୂତ କରିଛି ସେଇ ଏକତାଇ ଶକ୍ତି ।

 

କିନ୍ତୁ ଶାହାତୁର୍କାନ୍ ଆଜି ସେଇ ସମ୍ମିଳିତ ଶକ୍ତି, ବହୁ ବଞ୍ଚିତ ଏକତାକୁ ଖଣ୍ଡବିଖଣ୍ଡ କରିବାକୁ ପ୍ରତିଜ୍ଞାବଦ୍ଧ । ବାହ୍ୟ ଶତ୍ରୁକୁ ପରାସ୍ତ କରିବା ସେମାନଙ୍କ ପକ୍ଷରେ ସହଜ ହୋଇଛି; କିନ୍ତୁ ଭିତରର ଶତ୍ରୁକୁ ପରାସ୍ତ କରାଯିବ କିପରି ? କିଏ ସେ ଆଜି ମହାସମୁଦ୍ରର ତରଙ୍ଗର ପ୍ରତିରୋଧ କରି ଠିଆ ହେବ ?

 

ନିଜାମୁଲ୍ ମନେ ମନେ ଭାବିଲେ ।

 

ସେ ଥିଲା ଜଣେ ମାତ୍ର ବ୍ୟକ୍ତି ନାସିର-ଉଦ୍ଦିନ-ମହମ୍ମଦ; ସୁଲତାନଙ୍କ ଏକମାତ୍ର ଯୋଗ୍ୟ ପୁତ୍ର । କିନ୍ତୁ ତାର ଅକାଳ ମୃତ୍ୟୁ ପରେ ସେ ସମସ୍ତ ଆଶା ଧୂଳିସାତ୍ ହୋଇ ଯାଇଛି । ବର୍ତ୍ତମାନ ଏକମାତ୍ର ଭରସା ରେଜିୟା...ସୁଲତାନ ଇଲତୁମିସ୍ ଠିକ୍ ବୁଝିଥିଲେ । ସେ ନିଜେ ସେଥିରେ ଅନ୍ତରାୟ ହୋଇ ନ ଥିଲେ... !

 

ଶାହାତୁର୍କାନ ଗର୍ଜ୍ଜନ କରୁଛନ୍ତି, ମୋର ଶେଷ କଥା ମୁଁ ଆପଣଙ୍କୁ ଶୁଣାଇ ଦେଇଛି । ମତେ ଶାସନ ପରିଚାଳନାକ୍ଷେତ୍ରରୁ ହଟାଇ ନିଜର ଆଧିପତ୍ୟ ବିସ୍ତାର କରିବା ଭଳି ଚକ୍ରାନ୍ତରୁ ନିବୃତ୍ତ ନ ହେଲେ ଅମୀର୍ ମାନଙ୍କୁ କଠିନ ଶାସ୍ତି ଭୋଗ କରିବାକୁ ହେବ । ହୁଏ ତ କୁତବୁଦ୍ଦିନ ଭଳି... ।

 

ଧମକରେ ଉୟଭୀତ ହେବା ଭଳି ବ୍ୟକ୍ତି ନୁହନ୍ତି ନିଜାମୁଲ୍ ମୁଲକ ।

 

ବୟସ ତାଙ୍କୁ ଅଭିଜ୍ଞ କରିଛି, ସହିଷ୍ଣୁ କରିଚି ।

 

ସେ ନିର୍ଲିପ୍ତ ଭାବରେ ଶାହାତୁର୍କାନଙ୍କ ସମସ୍ତ ଧମକକୁ ଗଳାଧିଃକରଣ କରି ଶାନ୍ତ କଣ୍ଠରେ କହିଲେ, ମୁଁ ଆପଣଙ୍କ ନିଜ ହିତ ଦୃଷ୍ଟିରୁ ସବୁ କଥା କହୁଛି । ଆପଣ ଯେତେବେଳେ ଯାହା କହିଛନ୍ତି, ମୁଁ ଆପଣଙ୍କ କଥାର ଅମାନ୍ୟ କରି ନି । ମତେ ଯଦି ଆପଣ ନିଜର ଶେଷ କଥା ଶୁଣାଇବାକୁ ଚାହୁଥାଆନ୍ତି...ମୁଁ ମଧ୍ୟ ଆପଣଙ୍କୁ ମୋର ଶେଷ କଥା ଶୁଣାଇବାକୁ ଚାହେଁ...

 

ନିଜାମୁଲଙ୍କ ଶେଷ କଥା ଶୁଣିବା ପାଇଁ ଉତତ୍କର୍ଣ୍ଣ ହୋଇ ଚାହିଁ ରହିଲେ ଶାହାତୁର୍କାନ ।

 

ନିଜାମୁଲ୍ ଗମ୍ଭୀର କଣ୍ଠରେ କହିଲେ, କୁତବୁଦ୍ଦିନ ଓ ତା’ର ମାଆଙ୍କୁ ଚକ୍ରାନ୍ତ କରି ଶାସ୍ତି ଦେଇ ଦେଲା ପରେ ଆପଣ ଯଦି ଭାବୁଥାଆନ୍ତି, ରୁକନଦ୍ଦିନଙ୍କ ପ୍ରତିଦ୍ଵନ୍ଦୀ ଆଉ କେହି ନାହାନ୍ତି, ତା ହେଲେ ଆପଣ ଦିବାସ୍ୱପ୍ନ ଦେଖୁଛନ୍ତି । ବର୍ତ୍ତମାନ ସୁଦ୍ଧା ସୁଲତାନ ନନ୍ଦିନୀ ରେଜିୟା ଦିଲ୍ଲୀ ସିଂହାସନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି....ଦିନକୁ ଦିନ ତାଙ୍କ ସମର୍ଥକ ସଂଖ୍ୟା ସାରା ହିନ୍ଦୁସ୍ଥାନରେ ବୄଦ୍ଧି ପାଇବାରେ ଲାଗିଛି । ତାଙ୍କ ବିରୁଦ୍ଧରେ କୌଣସି ଚକ୍ରାନ୍ତମୂଳକ ଅଭିଯୋଗ ଦରବାରରେ କଲେ ତାହା ବିପ୍ଳବର ରୂପ ଧାରଣ କରିବ...କାରଣ ରେଜୟା କୁତବୁଦ୍ଦିନ ନୁହନ୍ତି । ସ୍ମରଣ ରଖନ୍ତୁ, ସୁଲତାନ୍ ଇଲତୁମିସ୍ ତାଙ୍କରି ନାମରେ ହିନ୍ଦୁସ୍ଥାନରେ ପ୍ରଥମ ଟଙ୍କା ପ୍ରଚଳନ କରିଥିଲେ । ସୁଲତାନଙ୍କ ସାହାଯ୍ୟକାରିଣୀ ଭାବରେ ସେ ବହୁବାର ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ପରିଚାଳନା କରିଛନ୍ତି....ତାଙ୍କ ଅନୁପସ୍ଥିତିରେ ଦରବାରରେ ବିଚାର କରିଛନ୍ତି । ଶାସନ ପରିଚାଳନା କରିଛନ୍ତି । ତାଙ୍କ ହାତରେ ତଲୱାର ଥରେ ଝଲସି ଉଠିଲେ ଆପଣଙ୍କ ସମସ୍ତ ଚକ୍ରାନ୍ତ ଏବଂ ପରିକଳ୍ପନାର କଳ୍ପତରୁ ଭୁଲୁଣ୍ଠିତ ହେବ ।

 

କଥା ଶେଷ କରି ଯିବା ପାଇଁ ଉଠି ଠିଆହେଲେ ନିଜାମୁଲ୍ ।

 

ଶାହାତୁର୍କାନ ଦୃଷ୍ଟିର ପ୍ରଦୀପରୁ ହଠାତ୍ ଆଲୋକ ନିର୍ବାପିତ ହୋଇଗଲା ।

 

ପ୍ରେତ ଦେଖିଲା ଭଳି ଚମକି ଉଠି ସେ କହିଲେ କିନ୍ତୁ, ସେ ଯେ ନାରୀ... ! ଅମୀରମାନେ....ନବାବମାନେ କଅଣ ତାଙ୍କୁ ସମର୍ଥନ କରିବେ ?

 

ପ୍ରସ୍ଥାନ କରିଯିବା ପୂର୍ବରୁ ଥରେ ପଛକୁ ଚାହିଁ ନିଜାମୁଲ ମୁଲକ ବିଦ୍ରୁପ କଲା ଭଳି କହିଲେ, ହଁ-ସେ ଏକା ନାରୀ ନୁହନ୍ତି; ଆପଣ ମଧ୍ୟ ନାରୀ । ଆପଣଙ୍କ ପରୋକ୍ଷ ଶାସନ ଯେଉଁମାନେ ମାନିବା ଉଚିତ ବୋଲି ଆପଣ ଭାବୁଛନ୍ତି, ରେଜିୟାଙ୍କ ପ୍ରତ୍ୟକ୍ଷ ଶାସନ ସେମାନେ ମାନିବେ ବୋଲି ମଧ୍ୟ ଆପଣ ଆଶାକରିବା ଉଚିତ ।

 

ନିଜାମୁଲଙ୍କ ପ୍ରସ୍ଥାନ ପଦଶଦ୍ଦ କ୍ରମେ ଷ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ଆସିଲା ।

 

କିନ୍ତୁ ଠିଆ ହୋଇଥିବା ସ୍ଥାନରୁ ପାଦେ ହେଲେ ଘୁଞ୍ଚିବାକୁ ସମର୍ଥା ହେଲେ ନାହିଁ ଶାହାତୁର୍କାନ୍ । ତାଙ୍କ ଆଖି ଆଗରେ ସ୍ପଷ୍ଟ ଦିବାଲୋକରେ ଅନ୍ଧକାର ଘନୀଭୂତ ହୋଇ ଆସୁଥିଲା । ସେ ଅନୁଭବ କରୁଥିଲେ, -ପ୍ରବଳ ଭୂମିକମ୍ପ ଫଳରେ ସତେ ଯେପରି ସମଗ୍ର ବେଗମ ମହଲ ତଳକୁ ତଳକୁ ଦବିଯାଉଛି !

 

ପନ୍ଦର

 

ତ୍ରୟୋଦଶ ଶତାଦ୍ଦୀର ଭାରତବର୍ଷ ବହୁତ ଘାତ-ପ୍ରତିଘାତ ଏବଂ ଜୟ-ପରାଜୟର ସଂଘାତରେ ସଂତ୍ରାସ୍ତ ଜଣେ ଭାରତୀୟ ସମ୍ରାଟ ଯଦି ଭାରତୀୟ ଅଞ୍ଚଳ ଶାସନ କରିବାକୁ ଦେଶର ସ୍ଵାଧୀନତା ବୋଲି କୁହାଯାଏ, ତାହାହେଲେ ସେହି ସ୍ୱାଧୀନତାର ସୂର୍ଯ୍ୟାସ୍ତ ପରେ ବୈଦେଶିକ ଶାସନର ଅନ୍ଧକାର ସାରା ଦେଶକୁ କ୍ରମେ କ୍ରମେ ଆଚ୍ଛନ୍ନ କରି ଆଣୁଥିଲା ।

 

କୁତବୁଦ୍ଦିନ ଆଇବାକ୍ ଭାରତବର୍ଷରେ ତୁର୍କୀ ସାମ୍ରାଜ୍ୟର ଯେଉଁ ମୂଳଦୁଆ ପକାଇବାକୁ ଆରମ୍ଭ କରିଥିଲେ, ଇଲତୁମିସ୍ ସେହି ମୂଳଦୁଆ ଉପରେ ଗଢ଼ି ତୋଳିଥିଲେ ସୁଲତାନ ଶାହି ଶାସନର ସମ୍ମୁଚ୍ଚ ମୀନାର୍ । ମୋଙ୍ଗଲଦସ୍ୟୁ ଚେଙ୍ଗିଜ୍ ଖାଁ, ଚମ୍ବଲ, ଝାନସି, ନରୱ୍ଵରର ହିନ୍ଦୁ ସମ୍ରାଟମାନେ ତାଙ୍କର ସେହି ସାମ୍ରାଜ୍ୟ-ବିସ୍ଥାର ଉଦ୍ୟମରେ ବହୁ ବିଘ୍ନ ଘଟାଇଥିଲେ ସତ୍ୟ; କିନ୍ତୁ ଶେଷରେ ସେ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା ।

 

ତୁର୍କୀ ସାମ୍ରାଜ୍ୟବାଦର ବିସ୍ତାର କେବଳ ଦେଶର ରାଜନୈତିକ ସ୍ଵାଧୀନତା ନୁହେଁ, ଦେଶର ସୁପ୍ରତିଷ୍ଠିତ ଧର୍ମଧାରଣା, ସାଂସ୍କୃତିକ ପରମ୍ପରା ଉପରେ ମଧ୍ୟ ନୂତନ ଆପଦକୁ ଆମନ୍ତ୍ରଣ କରି ଆଣିଥିଲା ।

 

ଭାରତବର୍ଷର କୋଟି କୋଟି ହିନ୍ଦୁ ନିଜ ଧର୍ମ ହରାଇବାର ଭୟରେ ବ୍ୟଥିତ ହୋଇ ପଡ଼ିଥିଲେ ।

 

ତୁର୍କୀ ସାମ୍ରାଜ୍ୟର ବିସ୍ତାର ଅର୍ଥ ବୁଝାଯାଉଥିଲା ହିନ୍ଦୁ କାପେରର ପରାଜୟ !

 

ସେଥିପାଇଁ ହିନ୍ଦୁ ସମ୍ପ୍ରଦାୟର ନେତା ବର୍ତ୍ତୃଙ୍କୁ ପରାସ୍ତ କରିବା ପାଇଁ ଇଲତୁମିସଙ୍କ ଜ୍ୟେଷ୍ଠପୁତ୍ର ନାସିରଉଦ୍ଦିନ ମହମ୍ମଦଙ୍କୁ ଯେଉଁ ଧର୍ମଯୁଦ୍ଧ କରିବାକୁ ହୋଇଥିଲା, ଇତିହାସ କହେ, ସେଥିରେ ବିଂଶ ସହସ୍ରାଧିକ ମୁସଲମାନ କର୍ତ୍ତୃଙ୍କ ତରବାରୀରେ ହାଣ ଖାଇ ଶହୀଦ୍ ହୋଇଥିଲେ ।

 

ସେଇ ନିରୀହ ଧର୍ମଭୀରୁ ମୁସଲମାନ ଯୱାନମାନେ ସେଦିନ ପ୍ରାଣ ଦେଲାବେଳେ ଜାଣି ନ ଥିଲେ, ଶାହାତୁର୍କାନ କିମ୍ଵା ରୁକନଦ୍ଦିନଙ୍କୁ ବେଗମ ବା ସୁଲତାନ୍ କରିବାକୁ ସେମାନଙ୍କୁ ପ୍ରାଣ ଦେବାକୁ ହୋଇଛି...ସେମାନଙ୍କୁ ଧାରଣା ଦିଆଯାଇଥିଲା-ଇସଲମ ଧର୍ମର ପ୍ରଚାର ପାଇଁ ଆଲ୍ଲାଙ୍କ ଆଦେଶରେ ସେମାନେ ଜେହାଦରେ ଲମ୍ଫ ଦେଉଛନ୍ତି !

 

ସାମ୍ରାଜ୍ୟ ବିସ୍ତାର ପାଇଁ ଧର୍ମକୁ ଆୟୁଧ କରି ସେଦିନ ଭାରତବର୍ଷରେ ଯେଉଁ ରଣତାଣ୍ଡବ ସୃଷ୍ଟି ହୋଇଥିଲା, ସେଥିରେ ହୁଏତ ରୁଧିର ସ୍ରୋତରେ ଲୋହିତ ହୋଇ ଉଠିଥିଲା ରଣଙ୍ଗନ; କିନ୍ତୁ କଳଙ୍କର କାଳିମାରେ କୃଷ୍ଣକାୟ ହୋଇ ଉଠିଥିଲା ଇତିହାସର ପୃଷ୍ଠା ।

 

ସେଲଉକସଙ୍କର ସେଇ ଆଶ୍ଚର୍ଯ୍ୟ, ବିଚିତ୍ର ଏ ଦେଶ, ଭାରତବର୍ଷ !

 

ତାହାର ଗୋଟିଏ ଅଞ୍ଚଳ ଯଦି ସୁଲତାନଙ୍କ ବଶ୍ୟତା ସ୍ଵୀକାର କରୁଥିଲା, ଅନ୍ୟ କୌଣସି ଅଞ୍ଚଳରେ ଜଳିଉଠୁଥିଲା ବିଦ୍ରୋହର ବହ୍ନି । ବିଜୟ ଓ ବିଦ୍ରୋହ-ଏହି ଦୁଇ ଚଳମାନ ସ୍ରୋତରେ ଭାସି ଚାଲିଥିଲା ସୁଲତାନ୍ ଇଲତୁମିସଙ୍କ ସମଗ୍ର ଜୀବନ ।

 

ତାଙ୍କର ମୃତ୍ୟୁ ପରେ ବିଜୟ ବଦଳରେ ବିଦ୍ରୋହ ହିଁ ହେଲା ସବୁ ଅନୁଗତ ଅଞ୍ଚଳର ଧ୍ଵନି ।

 

ଆନୋଲାର କ୍ଷତ୍ରୀୟ-ରାଜପୁତ୍, ସିନ୍ଧ୍‍ ଆର ପଟେ ମୋଙ୍ଗଲ୍ ଲାହୋର, ମୁଲତାନ୍, ହାଁସି, ଅଯୋଧ୍ୟାର ୱାଜିର, ନବାବମାନେ ସ୍ଵାଧୀନତାର ସ୍ଵପ୍ନରେ ବିହ୍ଵଳ ହୋଇ ଉଠିଲେ । ଦିଲ୍ଲୀର ଶାସନ କରିବାର କ୍ଷମତା ନୂଆ ସୁଲତାନଙ୍କ ସୁରାର ପିଅଲା ଆଉ ଶାହାତୁର୍କନଙ୍କ ଖିଆଲର ଦୁଃସ୍ଵପ୍ନ ମଧ୍ୟରେ ଆବଦ୍ଧ ହୋଇ ରହିଲା ।

 

ତନ୍ଦ୍ରାଚ୍ଛନ୍ନ ଭାରତବର୍ଷର ସ୍ନାୟୁରେ ସ୍ନାୟୁରେ ସଞ୍ଚାରିତ ହେଲା କ୍ଷମତା ଲାଭର ନୂତନ ଉନ୍ମାଦନା ଓ ତଜ୍ଜନିତ ଅନ୍ତର୍ବିପ୍ଳବର ଷଡ଼ଯନ୍ତ୍ର...ବିଦ୍ରୋହର ନୂତନ ପରିକଳ୍ପନା ।

 

ଦିଲ୍ଲୀର ଚତ୍ଵାରିଂଶ ଅମୀର ସବୁ ବୁଝୁଥିଲେ ସତ୍ୟ; କିନ୍ତୁ କଅଣ କର୍ତ୍ତବ୍ୟ, ତାହା ସ୍ଥିର କରିପାରୁ ନ ଥିଲେ । ସେମାନେ ଅନୁଭବ କରୁଥିଲେ, ସେମାନଙ୍କ ଆଖି ଆଗରେ ଗୋଟିକ ପରେ ଗୋଟିଏ ଅନ୍ୟାୟ ଘଟିଯାଉଛି; କିନ୍ତୁ ସେମାନେ ତା’ର ପ୍ରତିରୋଧ କରିପାରୁ ନାହାନ୍ତି ।

 

ଆଉ ରେଜିୟା !

 

ସେ ନିଜାମୁଲ୍ ମୁଲକଙ୍କ ମୁହଁକୁ ଚାହିଁ ମୃଦୁ ମୃଦୁ ହସୁଥିଲେ ।

 

କହୁଥିଲେ, ଆପଣ ଜାଣନ୍ତି ମୁଁ ନାରୀ । ସ୍ନେହ ଦେଇ ମନ କିଣିପାରେ; ଅସ୍ତ୍ର ଧରି ରାଜ୍ୟ ଜିଣିପାରେ ନାଇଁ । ସେଥିପାଇଁ ତ ସ୍ୱେଚ୍ଛାରେ ସେଦିନ ପିତାଙ୍କ ଇଚ୍ଛାକୁ ଅସ୍ଵୀକାର କରି ସିଂହାସନ ଉପରୁ ମୋର ଦାବୀ ପ୍ରତ୍ୟାହର କରିନେଲି ! ପୁଣି କାହିଁକି ଆପଣ ଆଜି ରାଜ୍ୟର ଦୁର୍ଯୋଗ କଥା ମତେ କହୁଛନ୍ତି ?

 

ନିଜାମୁଲ ମୁଲକ ଏକ ପ୍ରାଣହୀନ ପ୍ରତିମା ଭଳି ବସି ରହିଥିଲେ ।

 

ଆଉ ଭାରତବର୍ଷର ଇତିହାସ... !

 

ନିଜାମୁଲଙ୍କ ମୁହଁର କୁଞ୍ଚିତ ରେଖାରେ ସେ ଇତିହାସ ଯେପରି ଗତି ବଦଳାଇବ ବୋଲି ନୂତନ ପଥ ଖୋଜୁଥିଲା !

 

ଷୋହଳ

 

ଶାହାତୁର୍କାନଙ୍କ ଆଖିରୁ କିଏ ନିଦ୍ରା ଅପହରଣ କରି ନେଇଛି ।

 

ଆଖି ବୁଜି ଶୋଇବାକୁ ଚେଷ୍ଟାକଲେ ବି ନିଦ୍ରା ଆସୁନାହିଁ ।

 

କିଏ ସେ କ୍ରୂର ଆତତାୟୀ ଭଳି ହରଣ କରି ନେଇଛି ତାଙ୍କ ଆଖିରୁ ନିଦ୍ରାର ସମ୍ମୋହନ-!

 

ନିଜାମୁଲ ମୁଲକ ?

 

ଶାହାତୁର୍କାନ୍ ନୟନ ବିସ୍ଫାରିତ କରି ଚାହିଁଲେ

 

ନା-ପାଖରେ କେହି ନାହିଁ । ନିଜାମୁଲ୍ ନାହାନ୍ତି, ନାହିଁ ମଧ୍ୟ ରେଜିୟା । ତଥାପି ତାଙ୍କ ଆଖିକୁ ନିଦ ଆସୁନି କାହିଁକି ?

 

ଶାହାତୁର୍କାନ୍ ଝରକା ଫାଙ୍କରେ ବେଗମ ମହଲର ଅନ୍ୟ କକ୍ଷ ଆଡ଼କୁ ଚାହିଁଲେ ।

 

ଧଳା ମଲମଲ୍‍ ପଥରରେ ନିର୍ମିତ ସେଇସବୁ । କୋଠରୀଗୁଡ଼ିକ...ଯାହା ଦେହରେ କେତେ କାରୁକାର୍ଯ୍ୟ, କେତେ କୁଟ୍ଟିକମର ବିଚିତ୍ର ସୌନ୍ଦର୍ଯ୍ୟ...ଅତୁଳନୀୟ ଶିଳ୍ପୀକୃତି । ସେଇସବୁ କୋଠରୀଗୁଡ଼ିକ ଆଜି ମନେହେଉଛି ନୀରବ, ନିସ୍ତବଧ ପ୍ରେତପୁରୀ ଭଳି ।

 

ସେହି କୋଠରୀରୁ ଭାସି ଆସୁନାହିଁ କେଉଁ ଅପରୂପ ଲାବଣ୍ୟମୟୀ ନର୍ତ୍ତକୀର ପଦମଞ୍ଜିର ଧ୍ଵନି...ସୁଲତାନଙ୍କ ଭାବ-ବିହ୍ୱଳିତ କଣ୍ଠର ଉଚ୍ଛ୍ୱସିତ କଳରୋଳ...ଅଥବା କେଉଁ ବେଗମର୍ ଲଜ୍ଜା-କୁଣ୍ଠିତ କଣ୍ଠର ଈଷା-ଉଦ୍ରେକି ସ୍ଵରଲହରୀ !

 

ସୁଲତାନ ଇଲତୁମିସଙ୍କ ମୃତ୍ୟୁ ପରେ...

 

ନୂଆ ସୁଲତାନଙ୍କ ସିଂହାସନ ଆରୋହଣ ପରେ, ତାଙ୍କରି ଇଙ୍ଗିତରେ ଅନ୍ୟ ବେଗମଙ୍କ ବାସଗୃହରୁ ଆନନ୍ଦର ଆଲୋକ ପ୍ରଦୀପ ଲିଭିଯାଇଛି । ଚିରଦିନ ପାଇଁ ନିର୍ବାସିତ ହୋଇଛି ସୁଖ-ସମ୍ଭୋଗର ସମସ୍ତ ଉତ୍ସବ-ତାଙ୍କ ଆଖି ଆଗରେ ଆଜି କେହି ବେଗମ୍ ହସିକରି କଥା କହିପାରନ୍ତି ନାହିଁ–ମୂଲ୍ୟବାନ ମିଶରୀୟ ଝୀନ ବାସ ଅଥବା ଜରିଲଗା ସ୍ଵର୍ଣ୍ଣଖଚିତ ପଶମ ବସ୍ତ୍ର ବ୍ୟବହାର କରିବାକୁ ସାହସ କରନ୍ତି ନାହିଁ-ସୁଲତାନଙ୍କ ଅନ୍ୟ ବେଗମମାନଙ୍କ କୋଠରୀରେ ଯେଉଁସବୁ ମୂଲ୍ୟବାନ ହୀରା, ମୋତି, ମାଣିକ୍ୟର ଅଳଙ୍କାର, ଅଙ୍ଗଭୂଷଣମାନ ଥିଲା, ସେ ନିଜେ ତାକୁ ନେଇ ଆସିଛନ୍ତି ନିଜ ପାଖକୁ... ବେଗମମାନଙ୍କ ଦେହରୁ ଶ୍ରୀ ତୁଟିଛି...ଅନ୍ୟ ବେଗମ୍ ମହଲରୁ ଶୋଭା-ସମ୍ପଦ ଆସି ଠୁଳ ହୋଇଛି ତାଙ୍କ ନିଜ କୋଠରୀରେ...

 

ଶାହାତୁର୍କାନ୍ ନିଜେ ଆଦେଶ ଦେଇଛନ୍ତି, ରାତ୍ରି ବାରଟା ପରେ ତାଙ୍କ ନିଜ କୋଠରୀ ଭିନ୍ନ ତାଙ୍କ ବିନା ଅନୁମତିରେ ଅନ୍ୟ କୌଣସି ବେଗମଙ୍କ କୋଠରୀରେ ଆଲୋକ ଜଳିବ ନାହିଁ । ଅକ୍ଷରେ ଅକ୍ଷରେ ପାଳିତ ହୋଇଛି ତାଙ୍କର ଆଦେଶ-ରାତ୍ରି ବାରଟା ପରେ ତାଙ୍କ ନିଜ କୋଠରୀ ଭିନ୍ନ ଅନ୍ୟ ସମସ୍ତ କକ୍ଷ ଅନ୍ଧକାରର କାରାଗାରରେ ବନ୍ଦୀ !

 

ପୁଣି ପ୍ରତି ବେଗମଙ୍କ ଶୟନକକ୍ଷ ଚାରିପଟେ ତାଙ୍କ ନିଜ ବିଶ୍ଵସ୍ତ ଦେହରାକ୍ଷୀମାନେ ପହରା ଦେଉଛନ୍ତି । ପ୍ରତି ବେଗମ ଓ ତାଙ୍କ ସନ୍ତାନ ସନ୍ତତିମାନଙ୍କ କଥାବାର୍ତ୍ତା, ଚାଲିଚଳନ ସମସ୍ତ ବିଷୟରେ ତାଙ୍କ ପାଖରେ ନିୟମିତ ସମ୍ବାଦ ପରିବେଷିତ ହେଉଛି-

 

ହାରେମର ପ୍ରତିଟି ବ୍ୟକ୍ତିକୁ ସେ କଠୋର ହସ୍ତରେ ଶାସନ କରୁଛନ୍ତି । କାହାରି ପ୍ରତିବାଦ ନାହିଁ କାହାରି ପ୍ରତିରୋଧ ନାହିଁ...ତାଙ୍କ ମନୋମୁଖୀ ଶାସନ ହାତରେ ସମସ୍ତେ ଜଣେ ଜଣେ ପ୍ରାଣହୀନ କ୍ରୀଡ଼ନକ !

 

ଅଥଚ ରାଜ୍ୟରେ ଶାସନର ବନ୍ଧନ ଶିଥିଳ ହୋଇଯାଇଛି ବୋଲି କି ପ୍ରବଳ ଜନରବ !

 

ରାଜ୍ୟର ଅନ୍ୟ ଅଂଶ କେବେ ନିଜ ଆଖିରେ ବୁଲି ଦେଖି ନାହାନ୍ତି ଶାହାତୁର୍କାନ । ପ୍ରଜାମାନଙ୍କ ସୁଖଦୁଃଖ କେବେହେଲେ ସେ ବୁଝିନାହାନ୍ତି । ଯୁଦ୍ଧଭୂମି କେବଳ ତାଙ୍କର କଳ୍ପନାର ବସ୍ତୁ...ଶତ୍ରୁର ସ୍ଵରୂପ ସେ କେବେ ପ୍ରତ୍ୟକ୍ଷ କରିନାହାନ୍ତି-ତାଙ୍କର ସମରଭୂମି ଏଇ ବେଗମ୍ ମହଲ...ରାଜଦରବାର-ତାଙ୍କର ଶତ୍ରୁ ଏହି ବେଗମ...ଅମୀରମାନେ !

 

କାରଣ ସେ ଜାଣନ୍ତି, ଏଇମାନଙ୍କୁ ଦମନ କରିପାରିଲେ ଶାସନ କ୍ଷମତା ତାଙ୍କର ଅକ୍ଷୂର୍ଣ୍ଣ ରହିବ-ନିରଙ୍କୁଶ ଶାସନରେ କେହି ତାଙ୍କୁ ବାଧା ଦେଇପାରିବେ ନାହିଁ । ଅଥଚ ନିଜାମୁଲ ମୁଲକ କହିଗଲେ, ତାଙ୍କ ଶାସନର ଦିନ ଗଣନା ହୋଇଗଲାଣି-ତାଙ୍କୁ ଶାସନକ୍ଷେତ୍ରରୁ ଓହରି ଯିବାକୁ ହେବ-

 

ନିଜାମୁଲଙ୍କ ଧମକ କଥା ସ୍ମରଣ କରି ସେଦିନ ରାତ୍ରିର ଘନ ଶୀତଳତା ମଧ୍ୟରେ ବି ସେ ଚମକି ଉଠିଲେ । ନିଜକୁ ସମ୍ଭାଳି ନେଇ ସେ ଚାହିଁଲେ ବେଗମ୍ ମହଲର ସେଇ ଶୂନ୍ୟ କୋଠରୀକୁ, ଯେଉଁଥିରେ କୁତବୁଦ୍ଦିନର ମାଆ ଅନେକ ଦିନ ଧରି ସୁଲତାନଙ୍କ ସ୍ନେହ, ସରାଗ ଉପଭୋଗ କରୁଥିଲା... !

 

ସେଇ ତାଲା-ବନ୍ଦ, ଶୂନ୍ୟ କୋଠରୀଟା ତାଙ୍କ ଆଖିକୁ ମନେ ହେଲା ଏକ କବର ଭଳି, ଯେଉଁ କବର ଦେହରୁ ଏକ ମୃତ ପ୍ରେତାତ୍ମାର କଣ୍ଠସ୍ୱର...କିରି କିରି ହସ ଆସି ତାଙ୍କ କାନ ଭିତରେ ଅଜାଡ଼ି ହୋଇ ପଡ଼ୁଥିଲା ।

 

କାହାର, କାହାର ଏ କଣ୍ଠସ୍ୱର-କାହାର ଏ ବିକଟାଳ ହସ !!

 

ଶାନ୍ତ ସମୀରଣ ସ୍ରୋତରେ ନୈଶ ଟିଟ୍ଟିଭର ସ୍ୱର ଶୁଣାଯାଉଛି । ନା-ଆଉ କେହି କୁଆଡ଼େ ନାହାନ୍ତି । ଦୀର୍ଘକାୟ, ବଳିଷ୍ଠ ଦେହରକ୍ଷୀଗୁଡ଼ାକ ଅଦୂରସ୍ଥ ଦରଜା ପାଖରେ ଟହଲ ମାରୁଛନ୍ତି-ସେମାନଙ୍କ ପାଦୁକାର ଠକ୍ ଠକ୍ ଶବ୍ଦ ଗଭୀର ରାତ୍ରିର ନିସ୍ତବଧତା ଯାହା ଭଙ୍ଗ କରୁଛି-କିନ୍ତୁ ଏ ବିକଟାଳ ହସ ସେ ଶୁଣୁଛନ୍ତି କିପରି ?

 

ନିଜକୁ ପ୍ରକୃତିସ୍ଥ କରି ଶାହାତୁର୍କାନ ନିଶ୍ଚଳ ଭାବରେ ଠିଆହୋଇ ପୁଣି କାନ ଡେରିଲେ-। ଏଥର କେବଳ ନାରୀକଣ୍ଠ ନୁହେଁ-ଗୋଟିଏ ଅସହାୟ କିଶୋରର ବୁକୁଫଟା କ୍ରନ୍ଦନଧ୍ଵନି ତିକ୍ଷଣ ତୀର ଭଳି ଛୁଟି ଆସି ସତେ ଯେପରି ତାଙ୍କ କର୍ଣ୍ଣ କୁହରରେ ବିଦ୍ଧ ହୋଇଗଲା !!

 

କିଏ ସେ ?

 

କୁତବୁଦ୍ଦିନ !

 

ହୁଁ- । ଶାହାତୁର୍କାନ ଅଧର ଦଂଶନ କରି ନିଜ ମନକୁ ଦୃଢ଼ କଲେ ।

 

ସେ ଶୁଣିଛନ୍ତି; କ୍ରୁର ଜହ୍ଲାଦ କୁତବୁଦ୍ଦିନଙ୍କ ଆଖିଡ଼ୋଳା ଦୁଇଟା ତାଡ଼ିନେଲା ବେଳେ ଧାର ଧାର ଉଷ୍ମ ଶୋଣିତରେ କୁଆଡ଼େ ସେ ବନଭୂମି ସିନ୍ଦୂରିତ ହୋଇ ଉଠିଥିଲା । ଆଉ ଏହିପରି କରୁଣ ଆର୍ତ୍ତ ବିଳାପରେ କୁତବୁଦ୍ଦିନ ମୂଖରିତ କରିଥିଲା ସେଇ ବନଭୂମି ।

 

କିନ୍ତୁ ସେ’ତ ଅନେକ ଦିନ ତଳର କଥା !

 

ସମୟର ସ୍ରୋତକୁ ଅତିକ୍ରମ କରି ଅତୀତର ସେ ସ୍ମୃତି ଆଜି ତାଙ୍କୁ ଭୟ ଦେଖାଉଛି କାହିଁକି ?

 

ଆଜି କେବଳ ସେ ବେଗମ୍ ନୁହନ୍ତି, ସୁଲତାନ୍-ଜନନୀ ।

 

ତାଙ୍କୁ କଠୋର ହେବାକୁ ହେବ-ନିଷ୍ଠୁର ହେବାକୁ ପଡ଼ିବ ।

 

ଯୁଦ୍ଧ ଜୟ କରି ସୁଲତାନ୍ ଫେରିଆସିଲେ, ଯୁଦ୍ଧର ଚିତ୍ର ଜାଣିବା ପାଇଁ ଅନେକ ଥର ସେ ସୁଲତାନଙ୍କ ପାଖରେ ଅଳି କରିଛନ୍ତି । ପଚାରିଛନ୍ତି, ଯୁଦ୍ଧଜୟର ସମସ୍ତ ଘଟଣା ପୁଙ୍ଖାନୁପୁଙ୍ଖ ଭାବରେ ତାଙ୍କୁ କହିବାକୁ ।

 

କିନ୍ତୁ ଯୁଦ୍ଧ କ୍ଳାନ୍ତ ସୁଲତାନ ସେ ବିଷୟରେ ଏକାନ୍ତ ନିଷ୍ପୃହ ।

 

ଓଲଟି ତାଙ୍କୁ କହନ୍ତି, ଯୁଦ୍ଧର ବିଭୀଷିକା, ତୀର, ତରବାରୀ, ଆର୍ତ୍ତନାଦ, ଜୟୋଲ୍ଲାସ-ଏ ସବୁ କଳ୍ପନା କରିବାର କଥା ନୁହେଁ । ଫୁଲବନର ବେଗମ ତମେ-କଣ୍ଟକିତ ସେ ସବୁ କାହାଣୀ ଶୁଣିଲେ ଭୟ ପାଇବ । ମୁଁ ଯୁଦ୍ଧର ବିଭୀଷିକା ଜୟକରି ଆସିଛି । ଚାହେଁ ଶାନ୍ତି, ସେ ଯୁଦ୍ଧକ୍ଷେତ୍ର କଥା ସ୍ମରଣ କରାଇ ଦେଇ ତମେ ମତେ ବ୍ୟଥିତ କର ନାହିଁ ।

 

ଶହାତୁର୍କାନ୍ କିନ୍ତୁ ସହଜରେ ଛାଡ଼ିବା ଭଳି ବେଗମ୍ ନୁହନ୍ତି ।

 

ପଚାରନ୍ତି, ଶୁଣିଅଛି, ତମ ଶାଣିତ ତରବାରୀରେ ସହସ୍ର ସହସ୍ର ଶତ୍ରୁ ମସ୍ତକ ସ୍କନ୍ଧଚ୍ୟୁତ ହୁଏ-କିନ୍ତୁ କାହିଁ ତମ ହାତରେ ତ ବିନ୍ଦୁଏ ହେଲେ ଶୋଣିତର ଚିହ୍ନ ନାହିଁ- !

 

ସୁଲତାନ୍ ଇଲତୁମିସ୍ ମୃଦୁ ମୃଦୁ ହସନ୍ତି ତାଙ୍କ କଥା ଶୁଣି ।

 

ଉତ୍ତର ଦିଅନ୍ତି, ସେ ରକ୍ତର ଦାଗ ମୁଁ ଯମୁନାର ଜଳରେ ଧୋଇ ଦେଇ ଆସିଛି ବେଗମ୍-! ଶୁଣିଛି, କାଫେରମାନେ କହନ୍ତି-ଯମୁନାର ଜଳ କୁଆଡ଼େ ଭାରି ପବିତ୍ର-ସେ ଜଳରେ ଅଙ୍ଗଧୌତ କଲେ କୁଆଡ଼େ ସବୁ ପାପ କ୍ଷୟ ହୁଏ... ।

 

ସୁଲୁତାନଙ୍କ ଲଘୁ ପରିହାସ ଶୁଣି ରୋମାଞ୍ଚିତ ହୁଅନ୍ତି ଶାହାତୁର୍କାନ୍ ।

 

ପୁଣି ପ୍ରଶ୍ନ କରନ୍ତି, ତମେ ଏତେ ନରହତ୍ୟା କର, ଭୟ ଲାଗେନାହିଁ ! ସେମାନେ କାଫେର୍ ହୁଅନ୍ତୁ-ମୋଙ୍ଗଲ ହୁଅନ୍ତୁ-ଯେତେ ହେଲେ ତ ମଣିଷ- !

 

ଶାହାତୁର୍କାନ୍ ଲକ୍ଷ୍ୟ କରନ୍ତି ତାଙ୍କ ପ୍ରଶ୍ନ ଶୁଣି ବିପୁଳ ଭାବାନ୍ତର ସୃଷ୍ଟି ହୁଏ ସୁଲତାନଙ୍କ ମନରେ । ନିର୍ଲିପ୍ତ ଭାବରେ ଉର୍ଦ୍ଧ୍ୱକୁ ଚାହିଁ ସେ ଉତ୍ତର ଦିଅନ୍ତି, ସେ କଥା ମୁଁ ଭଲ କରି ଭାବିନାହିଁ ବେଗମ୍ ! ଜାଣିଛି, ସୁଲତାନ ହେଲେ ଯୁଦ୍ଧ କରିବାକୁ ହୁଏ-ପ୍ରଜାମାନଙ୍କ ପାଇଁ-ଇସଲାମ୍ ଧର୍ମର ପ୍ରସାର ପାଇଁ-ସାମ୍ରାଜ୍ୟର ସୁରକ୍ଷା ପାଇଁ ଏ ସଂଗ୍ରାମ ଲୋଡ଼ା...ଭୟର ପ୍ରଶ୍ନ ନାହିଁ- ଶତ୍ରୁ ସଂହାର ପାଇଁ ଭୟ କଲେ ମୌଲବୀ ହୋଇ ହୁଏ, ସୁଲତାନ୍ ନୁହେ...

 

ଶାହାତୁର୍କାନ୍ ଲକ୍ଷ୍ୟ କରନ୍ତି, ତାଙ୍କ ପ୍ରଶ୍ନ ଶୁଣି ସୁଲତାନଙ୍କ ମୁହଁରେ ଯେଉଁ ଅନୁତାପର ଛାୟା ପଡ଼ିଥିଲା, କଥା ଶେଷ କଲାବେଳକୁ ତା ବଦଳରେ ଫୁଟିଉଠିଛି ତାଙ୍କର ସେହି ମୁହଁ; ଉପରେ ନିଷ୍ଠୁରତା ବ୍ୟଞ୍ଜନା-

 

ସୁଲ୍‍ତାନଙ୍କଠାରୁ ଆଉ କୌଣସି ସୁଗୁଣ ଶିକ୍ଷା କରି ନ ଥିଲେ ବି ସେ ଶିକ୍ଷା କରିଥିଲେ ଏଇ ନିଷ୍ଠୁରତାର ନିଷ୍ଠା । ଶାସନ କରିବାର ପ୍ରବୃତ୍ତି ସହିତ ସେହି ନିଷ୍ଠୁରତାର ମାତ୍ରା ଦିନକୁ ଦିନ ତାଙ୍କର ବୃଦ୍ଧି ପାଇଛି ।

 

ଆଜି ସେହି କଥା ସ୍ମରଣ କରି ମନେ ମନେ ସାହସ ସଂଗ୍ରହ କଲେ ଶାହାତୁର୍କାନ୍ ।

 

ଶାସନରେ ମାୟାମମତାର ସ୍ଥାନ ନାହିଁ ।

 

ଯେ ତାଙ୍କ ସ୍ୱାର୍ଥ ପଥରେ ଅନ୍ତରାୟ ହୋଇ ଠିଆହେବ, ତାକୁ ଯେ କୌଣସି ଉପାୟରେ ପଥରୁ ଘୁଞ୍ଚେଇବାକୁ ସେ କେବେହେଲେ ପଛେଇବେ ନାହିଁ ।

 

କୁତବୁଦ୍ଦିନ୍ ଦିନେ ଆସି ତାଙ୍କ ପଥରେ ବାଟ ଓଗାଳି ଠିଆ ହୋଇଥିଲା ।

 

ଅମୀରମାନେ ଚକ୍ରାନ୍ତ କରୁଥିଲେ ତାକୁ ସୁଲତାନ୍ କରି ତାଙ୍କର ସର୍ବନାଶ କରିବେ ।

 

ଶାହାତୁର୍କାନ ତାହା ଘଟିବାକୁ ଦେଲେ ନାହିଁ । ସେ ଯୁଦ୍ଧକ୍ଷେତ୍ରକୁ ଯାଇନାହାନ୍ତି, ହାତରେ ଅସ୍ତ୍ର କେବେ ଧାରଣ କରିନାହାନ୍ତି; କାରଣ ଯୁଦ୍ଧ ଶତ୍ରୁ ସଂହାର ପାଇଁ ଏକମାତ୍ର ପଥ ବୋଲି ତାଙ୍କର ଧାରଣା ହୋଇ ନାହିଁ ।

 

ସେ ଜାଣନ୍ତି, ପ୍ରତ୍ୟକ୍ଷ ଯୁଦ୍ଧ ଠାରୁ ଶତ୍ରୁ ସଂହାର ପାଇଁ ବଳିଷ୍ଠ ଉପାୟ ହେଉଛି ଚକ୍ରାନ୍ତ ।

 

ସେଇ ଚକ୍ରାନ୍ତର ଜାଲରେ ପଡ଼ି ନିର୍ବାସିତା ହେଲେ କୁତବୁଦ୍ଦିନର ମାଆ-ନିଜରଦୃଷ୍ଟି ଶକ୍ତି ହରାଇ ବସିଲା କୁତବୁଦ୍ଦିନ ।

 

ପଥ ତାଙ୍କର ନିଷ୍କଣ୍ଟକ ହେଲା ।

 

ପୁଣି ନୂତନ ଏକ ତୀକ୍ଷଣ କଣ୍ଟକକୁ ହାତ ଆଙ୍ଗୁଠିରେ ଦେଖାଇ ଦେଇ ଯାଇଛନ୍ତି ନିଜାମୁଲ ମୁଲକ । ସାମାନ୍ୟ ବିଳମ୍ବ କରିଥିଲେ ହୁଏ ତ ସେ କଣ୍ଟା ମାଡ଼ି ଝୁଣ୍ଟି ପଡ଼ିଥାଆନ୍ତେ ଶାହାତୁର୍କାନ୍ । ତାଙ୍କର ସ୍ୱପ୍ନ ଦେଖା ଅସଂପୂର୍ଣ୍ଣ ରହିଥାଆନ୍ତା ।

 

ଆଜି କିନ୍ତୁ ସମୟ ଅତୀତ ହୋଇଯାଇ ନାହିଁ ।

 

ଧମକ ଦେବା ବଦଳରେ ତାଙ୍କୁ ବାଟ ଦେଖାଇ ଦେଇ ଯାଇଛନ୍ତି ଶାହାତୁର୍କାନ୍ ।

 

ରେଜିୟା.... ! ରେଜିୟା.... !

 

ନାମଟା ଦୁଇ ଥର ଉଚ୍ଚାରଣ କରିସାରି ଶାହାତୁର୍କାନ୍ ସ୍ତବଧ ହୋଇଗଲେ ।

 

ଆଉ ଠିଆହୋଇ ରହିବା ପାଇଁ ପାଦରେ ତାଙ୍କର ଶକ୍ତି ନାହିଁ । ରେଜିୟାଙ୍କ ନାମ ଉଚ୍ଚାରଣ କରିବା ମାତ୍ରେ ଆଲତୁନିୟାର ମୁହଁ ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । ସେଇ ବଳିଷ୍ଠ ବପୁ, ତୀକ୍ଷ୍ଣ ଦୃଷ୍ଟିସଂପନ୍ନ ଅମୀର୍ ମାଲିକ ଆଲତୁନିୟା...

 

ବାତାୟନ ପାଖରୁ ଫେରିଆସି ଶଯ୍ୟା ଉପରେ ଲୋଟି ପଡ଼ିଲେ ଶାହାତୁର୍କାନ୍ ।

 

ତୂଳିତଳ୍ପ ଶର୍ଯ୍ୟାରେ ଆଜି ଆଉ ଶୟନର ଶାନ୍ତି ନାହିଁ-ବିପୁଳ ଏକ ମାନସିକ ଅଶାନ୍ତି ତାଙ୍କର ସମସ୍ତ ଦେହ-ମନକୁ ପୀଡ଼ିତ କରି ରଖିଛି । ସେ ଜଟିଳ ସମସ୍ୟାର ସମାଧାନ କରି ନ ସାରିଲେ ତାଙ୍କର ଆଦୌ ନିଦ୍ରା ହେବ ନାହିଁ...

 

ଗୁପ୍ତଚରଠାରୁ ସମ୍ବାଦ ମିଳିଥିଲା, କିଛିଦିନ ଆଲତୁନିୟା ସହ ରେଜିୟା ଯାଇଥିଲେ ସାଂଧ୍ୟଭ୍ରମଣରେ...ସକାଳୁ ଏକାକିନୀ ଅଭ୍ୟାସ ଅନୁସାରେ ଅଶ୍ଵପୃଷ୍ଠରେ ବସି ନଗର ଭ୍ରମଣରେ ଯିବା ବ୍ୟତୀତ ରେଜିୟା ଅନ୍ୟ ସବୁ ସମୟରେ ସାଙ୍ଗରେ ନେଉଛନ୍ତି ଆଲତୁନିୟାକୁ...

 

ଆଲତୁନିୟା ଛାୟା ଭଳି ଲାଗିରହିଛି ରେଜିୟାଙ୍କ ପାଖେ ପାଖେ...

 

ଚତ୍ଵାରିଂଶ ଅମୀରମାନଙ୍କ ମଧ୍ୟରେ ମାଲିକ ଆଲତୁନିୟାଙ୍କ ସମ୍ମାନ, ଖାତିର ଅକଳ୍ପନୀୟ ।

 

ଶାହାତୁର୍କାନ ମଧ୍ୟ ଜାଣନ୍ତି ରେଜିୟା କେବଳ ପ୍ରଜାମାନଙ୍କ ମଧ୍ୟରେ ନୁହେଁ, ଅମୀରମାନଙ୍କ ମଧ୍ୟରେ ବି ଖୁବ୍ ସମ୍ମାନିତା । ଦିଲ୍ଲୀ ସିଂହାସନ ସ୍ୱେଚ୍ଛାରେ ତ୍ୟାଗ କରି ଅମୀରମାନଙ୍କ ଇଚ୍ଛା ପ୍ରତି ସମ୍ମାନ ପ୍ରଦର୍ଶନ କଲା ପରେ ତାଙ୍କ ପ୍ରତି ପୂର୍ବ-ବିତୃଷ୍ଣ ଅମୀରମାନେ ବି ଅନୁରକ୍ତ ହୋଇ ପଡ଼ିଛନ୍ତି ।

 

ନିଜାମୁଲ୍ ମୁଲକ ଯାହା କହୁଥିଲେ, ତାହା ଅସମ୍ଭବ ନୁହେଁ ।

 

ହୁଏତ ଦିନେ ଯେଉଁମାନେ ରେଜିୟାଙ୍କ ସିଂହାସନପ୍ରାପ୍ତିକୁ ଦୃଢ଼ଭାବରେ ବିରୋଧ କରୁଥିଲେ, ସେମାନେ ଏଥି ଭିତରେ ତାଙ୍କର ମତ ବଦଳାଇ ସାରିଲେଣି । ମୁହଁରେ ଯେତେ ମନା କରନ୍ତୁ ପଛେ, ସେ ନିଜେ ଜାଣନ୍ତି, ଦିଲ୍ଲୀ ସିଂହାସନାର ସୁଲତାନ ହେବା ପାଇଁ ରେଜିୟାଙ୍କ ଠାରେ ଭରି ରହିଛି ସମସ୍ତ ସୁଗୁଣ...

 

ନାରୀ ହୋଇ ମଧ୍ୟ ଯୁଦ୍ଧକ୍ଷେତ୍ରରେ ସେ ଅପରାଜିତା ।

 

ଶାସନ ପରିଚାଳନାରେ ଦକ୍ଷତା ତାଙ୍କର ପ୍ରମାଣିତ ।

 

ତାଙ୍କର ନାମରେ ହିନ୍ଦୁସ୍ଥାନରେ ପ୍ରଥମେ ଟଙ୍କାର ପ୍ରଚଳନ କରିଥିଲେ ସୁଲତାନ ଇଲତୁମିସ୍ ।

 

ସେ ଯଦି ରୁକନଦ୍ଦିନର ଅପାରଗତାର ସୁଯୋଗ ନେଇ ସୁଲତାନା ହେବାକୁ ବିଦ୍ରୋହ କରେ... ?

 

ଶାହାତୁର୍କାନ ଜାଣନ୍ତି ତାହାହେଲେ, ହଜାର ହଜାର ସୈନ୍ୟ, ୱାଜିର, ନବାବ ରେଜିୟାଙ୍କ ପଛରେ ଠିଆହେବେ...ହୁଏତ ଦିଲ୍ଲୀ ସିଂହାସନ ଦଖଲ କରିଯିବା ପାଇଁ ତାଙ୍କୁ ଘଣ୍ଟା କେତୋଟି ଲାଗିବ ନାହିଁ । ତା’ହେଲେ-ତା ପରେ... ?

 

ଶାହାତୁର୍କାନ ଗଭୀର ଅସ୍ଵସ୍ତିରେ ଛଟପଟ ହେଲେ ।

 

ଯେଉଁ ଉପାୟରେ କୁତୁବୁଦ୍ଦିନ ଓ ତା’ର ମାଆଙ୍କ ନାମରେ ମିଥ୍ୟା ଷଡ଼ଯନ୍ତ୍ର କରି ସେ କଠୋର ଶାସ୍ତିବିଧାନ ପାଇଁ ଦରବାରର ସ୍ଵୀକୃତି ଆଣିପାରିଲେ, ରେଜିୟାଙ୍କ ବିରୁଦ୍ଧରେ ସେଭଳି ଷଡ଼ଯନ୍ତ୍ର କଲେ ତାଙ୍କର ଏ ଯାବତ୍ ସମସ୍ତ ଷଡ଼ଯନ୍ତ୍ର ହୁଏ ତ ଧରାପଡ଼ିଯିବ ।

 

ତାହାହେଲେ ?

 

ନୟନ ମୁଦ୍ରିତ କରି ନୂତନ ଷଡ଼ଯନ୍ତ୍ରର ଉପାୟ ମନେ ମନେ ସ୍ଥିରକଲେ ଶାହାତୁର୍କାନ ।

 

ମସ୍ତିଷ୍କ ତାଙ୍କର କୁଭାବନା, ମିଥ୍ୟା ଷଡ଼ଯନ୍ତ୍ରର ଗନ୍ତାଘର ।

 

ଉପାୟ ଏକ ଅଭାବ ହେଲା ନାହିଁ ତାଙ୍କୁ ।

 

ନିଜ ଦୁଇ ହାତର ପାପୁଲିକୁ ମୁଠା ମୁଠା କରି ସେ ଅସ୍ପଷ୍ଟ କଣ୍ଠରେ ଉଚ୍ଚାରଣ କଲେ, ମତେ ଆହୁରି କଠୋର ହେବକୁ ହେବ...ଆହୁରି ସାବଧାନ ହେବାକୁ ପଡ଼ିବ...ଶତ୍ରୁ ଶକ୍ତିଶାଳୀ, କିନ୍ତୁ ଅପରାଜେୟ ନୁହେଁ !

 

ତାଙ୍କ କଣ୍ଠର ସେ ସ୍ୱଗତୋକ୍ତି କକ୍ଷର ସମୀରମଣର ସଞ୍ଚାରିତ ହୋଇ ବିପୁଳ ନିସ୍ତବଧତା ମଧ୍ୟରେ ଲୀନ ହୋଇଗଲା ।

 

ସତର

 

ସ୍ଵପ୍ନ !

 

ନା-ଦୁଃସ୍ଵପ୍ନ !

 

ଏଭଳି ଦୁଃସ୍ଵପ୍ନ ଜୀବନରେ ଏଇ ପ୍ରଥମ ଦେଖୁଛନ୍ତି ସୁଲତାନନନ୍ଦିନୀ ।

 

ମୋଗଲ ସମ୍ରାଟ ଚେଙ୍ଗିସ ଖାଁ ଗିରିଗହ୍ୱର ଭଳି ଏକ ବିକଟାଳ ମୁଖ ବିସ୍ତାର କରି ଧାଇଁ ଆସୁଛନ୍ତି । ତାଙ୍କର ଦାନ୍ତଗୁଡ଼ାକ ଠିକ୍ ତଲୱାର ଭଳି-ଆଖି ଦୁଇଟା ଜଳୁଛି ଅଗ୍ନିପିଣ୍ଡ ଭଳି-ଲହ ଲହ ଜିଭ-ନିଃଶ୍ଵାସ ପ୍ରଶ୍ୱାସ ଗତି ଠିକ୍ ପ୍ରଭଞ୍ଜନ ପରି–

 

ସମସ୍ତ ଦିଲ୍ଲୀ-ସୈନ୍ୟ ପରାସ୍ତ ହୋଇଗଲେଣି–

 

ଏକାକିନୀ ସଂଗ୍ରାମ କରୁଛନ୍ତି ରେଜିୟା । କିନ୍ତୁ ନିଷ୍ଫଳ, ନିରର୍ଥକ ସେ ସଂଗ୍ରାମ । କୌଣସି ଅସ୍ତ୍ରଶସ୍ତ୍ର ଭେଦ କରୁନାହିଁ ଚେଙ୍ଗିସ୍ ଖାଁଙ୍କ ଦେହ-ପର୍ବତ ଦେହରେ ଟେକା ବାଜି ଭାଙ୍ଗିଗଲା ଭଳି ସମସ୍ତ ଶାଣିତ ଅସ୍ତ୍ର ତିକ୍ଷ୍ଣତା ହରାଇ ଖସିପଡ଼ୁଛି ଚେଙ୍ଗିସ୍ ଖାଁଙ୍କ ଦେହରୁ-ଯୁଦ୍ଧ ଭୟରେ ସମସ୍ତ ଆଶା ତ୍ୟାଗ କରି ହତାଶ ହୋଇ ପଡ଼ୁଛନ୍ତି ରେଜିୟା–

 

ଏହି ସମୟରେ ମାଲିକ ଅଲତୁନିଆ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

 

କିନ୍ତୁ ଆଖିର ପଲକ ମାତ୍ରେ ଇସ୍ପାତ୍ ଭଳି ଦୁଇ ଶକ୍ତ ବାହୁର ଆବେଷ୍ଟନୀରେ ଚେଙ୍ଗିସ୍ ଖାଁ । ପିଷ୍ଟ୍ କରିଦେଲେ ମାଲିକ୍ ଆଲତୁନିୟାଙ୍କ ଦେହ...

 

ତା’ପରେ ସ୍ଵୟଂ ରେଜିୟାଙ୍କ ପାଳି...

 

ସାରା ଦେହରେ ଅସହ୍ୟ ଯନ୍ତ୍ରଣା । ରକ୍ତ ଝରୁଛି ମୁହଁରୁ । ମାଂସ ଖଣ୍ଡ ଖଣ୍ଡ ଛିଡ଼ିପଡ଼ିଛି ଦେହରୁ । ରେଜିୟାଙ୍କର ମନେହେଉଛି, ସତେ ଯେପରି ଚେଙ୍ଗିସ୍ ଖାଁଙ୍କ ବିସ୍ଫାରିତ ମୁଖଗହ୍ୱର ଭିତରେ ଭାରତର ବିସ୍ତୃତ ସମସ୍ତ ତୁର୍କୀ ସାମ୍ରାଜ୍ୟ ନିମିଷକ ଭିତରେ ଲୀନ ହୋଇଗଲା !

 

ତା’ପରେ କଣ ଘଟିଲା ରେଜିୟାଙ୍କର ସ୍ମରଣ ନାହିଁ ।

 

ନିଦ୍ରାଭଙ୍ଗ ପରେ ସେ ଭୀଷଣ, ମର୍ମନ୍ତୁଦ ସ୍ଵପ୍ନକୁ ଆଉ ଥରେ ସ୍ମରଣ କରିବା ପାଇଁ ସୁଦ୍ଧା ତାଙ୍କର ସାହସ ହେଉ ନ ଥିଲା । ସେ ମଧ୍ୟ ବୁଝିପାରୁ ନ ଥିଲେ ସେ ସ୍ୱପ୍ନର ମର୍ମ କଥା ।

 

ସ୍ୱପ୍ନର ସମସ୍ତ ବିବରଣୀ ଆଲତୁନିୟାଙ୍କ ଆଗରେ ବର୍ଣ୍ଣନା କରି ଜିଜ୍ଞାସୁ ଦୃଷ୍ଟିରେ ଚାହିଁରହିଲେ ରେଜିୟା ଆଲତୁନିୟା ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯାହାଙ୍କୁ ଏ ସ୍ଵପ୍ନବୃତ୍ତାନ୍ତ କହିବାକୁ ସେ ମନସ୍ଥ କରିଥିଲେ । କାରଣ ସେ ଜାଣନ୍ତି, ତାଙ୍କ ବିନା ଅନ୍ୟ କାହାରିକୁ ଏସବୁ କଥା କହିଲେ ତାର ଭିନ୍ନ ଅର୍ଥ କରାଯିବ ।

 

ଆଲତୁନିୟା ନିବିଷ୍ଟ ମନରେ ଲକ୍ଷ୍ୟ କରୁଥିଲେ ରେଜିୟାଙ୍କ ମୁହଁ ।

 

ଏପରି ବିଚଳନ, ଏପରି ଅସ୍ଥିରତା ତାଙ୍କଠାରେ ସେ ଏହି ପ୍ରଥମ ଥର ଲକ୍ଷ୍ୟ କରୁଛନ୍ତି । ପୁଣି ଅନ୍ୟ କିଛି ଗୁରୁତର ବାସ୍ତବ ଘଟଣା ନୁହେଁ; କେବଳ ସାମାନ୍ୟ ମାତ୍ର ଏକ ସ୍ଵପ୍ନ ପାଇଁ !

 

କିଛି କହୁନ-ନୀରବ ରହିଲ ଯେ ! -ରେଜିୟା ପ୍ରଶ୍ନକଲେ ।

 

ତାଙ୍କ କଥାକୁ ଲଘୁ ଭାବରେ ଗ୍ରହଣ କରିଛନ୍ତି, ଏଭଳି କୌଣସି ଭାବଭଙ୍ଗୀ ପ୍ରକାଶ ନ କରି ଆଲତୁନିୟା ଉତ୍କଣ୍ଠିତ ହୋଇ କହିଲେ, ଚେଙ୍ଗିସ୍ ଖାଁ ଆଜି ଆଉ ଜୀବିତ ନାହାନ୍ତି । ସେ ଆଜି ବିସ୍ମୃତିର ଗର୍ଭରେ ଲୀନ; କିନ୍ତୁ ମୋଙ୍ଗଲ-ଦସ୍ୟୁମାନେ ଯେ ସିନ୍ଧୁ ନଦୀ ଆରପଟେ ଦିଲ୍ଲୀ ଉପରକୁ ଝାମ୍ପ ଦେବା ପାଇଁ ସୁଯୋଗର ଅପେକ୍ଷା କରୁଛନ୍ତି, ସେ କଥା ମତେ ଭଲଭାବରେ ଜଣା । ସେ ଦୃଷ୍ଟିରୁ ଏ ଦୁଃସ୍ଵପ୍ନ ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟା ଧ୍ଵନି...ଆମକୁ ସାବଧାନ ରହିବାକୁ ହେବ...

 

ରେଜିୟାଙ୍କ ମନରୁ ଉତ୍କଣ୍ଠା, ଉଦବିଗ୍ନତା ସେତେବେଳ ପର୍ଯ୍ୟନ୍ତ ସୁଦ୍ଧା ଦୂର ହୋଇ ନ ଥିଲା ।

 

ସେ ବ୍ୟଥିତ କଣ୍ଠରେ କହିଲେ, ଜୀବନରେ ସ୍ଵପ୍ନ, ଦୁଃସ୍ୱପ୍ନ ମୁଁ ଅନେକ ଦେଖିଛି...କିନ୍ତୁ ଏ ସ୍ଵପ୍ନ ଦେଖିଲା ପରେ ମନ ମୋର ଯେପରି ଦୁର୍ବଳ ହୋଇ ପଡ଼ିଛି, ସେଭଳି କେବେହେଲେ ଘଟି ନ ଥିଲା । ମୋର ମନେ ହେଉଛି ଭାରତରେ ମୁସଲମାନ ସାମ୍ରାଜ୍ୟର ଭାଗ୍ୟ ଏକ ନୂତନ ବିପଦସଙ୍କୁଳ ପଥଦେଇ ଗତି କରୁଛି । ହୁଏ ତ କୌଣସି ଆକସ୍ମିକ ବିପଦର ସମ୍ମୁଖୀନ ହେବ । ଅସମ୍ଭବ ନୁହେଁ ।

 

କିନ୍ତୁ ସେଥିପାଇଁ ଉପାୟ କଣ ? -ବିସ୍ମିତ କଣ୍ଠରେ ପ୍ରଶ୍ନକଲେ ମାଲିକ୍ ଆଲତୁନିୟା ।

 

ସେ ସୁଲତାନ-ନନ୍ଦିନୀଙ୍କ ଠାରୁ ବହୁ ସମୟରେ ବହୁ ଦୁଃସମ୍ବାଦ ପାଇଛନ୍ତି । କିନ୍ତୁ ସେ ଏଭଳି ବିଚଳିତ ହେବା କେବେ ଲକ୍ଷ୍ୟ କରି ନାହାନ୍ତି । ସାମାନ୍ୟ ଏକ ଦୁଃସ୍ଵପ୍ନ ଦେଖି ଭୟରେ ବିବ୍ରତ ହେବା ଭଳି ଉପାଦାନରେ ଗଢ଼ା ନୁହନ୍ତି ରେଜିୟା । କଅଣ ପାଇଁ ତାଙ୍କର ଏ ଶୋଚନୀୟ ଦୁଶ୍ଚିନ୍ତା !

 

ରେଜିୟା ଆଲତୁନିୟାଙ୍କ କଥା ଶୁଣି ସାହସ ହରାଇଲେ ନାହିଁ ।

 

ବରଂ ଆଲତୁନିୟାଙ୍କୁ ପାଖରେ ପାଇ ସେ ଅନେକ ପରିମାଣରେ ନୂତନ ସାହସ ସଂଗ୍ରହ କରିଥିଲେ । ସେ ଲଘୁ ପରିହାସ କରି କହିଲେ, ବିପଦରେ ଅଧୀର ହେବା ନାରୀ ପକ୍ଷରେ ସ୍ଵାଭାବିକ । ବିପଦବେଳେ ଉପାୟ ବାହାର କରିବା ପୁରୁଷର ଧର୍ମ; ଆଉ ତମେ ଯଦି ଉପାୟ କଅଣ ବୋଲି ମତେ ପ୍ରଶ୍ନକର, ମୁଁ କଅଣ ଉତ୍ତର ଦେବି ?

 

ଆଲତୁନିୟା ଅପ୍ରତିଭ ବୋଧକଲେ ।

 

କିଛି ସମୟ ନୀରବରେ ଚିନ୍ତାକରି କହିଲେ, ବିପଦର ସ୍ଵରୂପ ନ ଜାଣିଲେ ତାର ପ୍ରତିକାର ବ୍ୟବସ୍ଥା କରିବା ସହଜ କିମ୍ବା ସମ୍ଭବ ନୁହେଁ । କିନ୍ତୁ ମୋର ମନେହେଉଛି, ଏ ବିପଦ ବାହ୍ୟ ବିପଦ ନୁହେଁ, ଏ ବିପନ୍ନତା ଆମ ନିଜ ଭିତରର ଦୁର୍ବଳତାର ପରିଣତି । ଆମକୁ ଏଥର ସାହସ ସଂଗ୍ରହ କରିବାକୁ ହେବ । ସୁବର୍ଣ୍ଣ ସୁଯୋଗ ଆସି ଆମ ଦୁର୍ବଳତା ଯୋଗୁ ହାତଛଡ଼ା ହୋଇଗଲା । ସେ ସୁଯୋଗର ସଦବ୍ୟବହାର ଆମେ କରିପାରିଲୁ ନାହିଁ କେବଳ ନିଜ ମନର ଦୁର୍ବଳତା ଯୋଗୁଁ–ଆଜି ଯଦି କୌଣସି ବିପଦ ଆମ ଉପରକୁ ଆସେ, ତାହା କେବଳ ସେହି ଦୁର୍ବଳତା ପାଇଁ-ସୁଲତାନ ଦୁର୍ବଳ ହେଲେ ସାମ୍ରାଜ୍ୟ ଉପରେ ବିପଦ ଅବଶ୍ୟମ୍ଭାବୀ-

 

ଆଲତୁନିଆ ନିଜର ବକ୍ତବ୍ୟ ଶେଷ କରିବା ଆଗରୁ ପରିଚାରିକା ପରଭିନ୍ ଆସି ଖବର ଦେଲା, ଅଶ୍ଵରକ୍ଷୀ ଏକ ଜରୁରୀ ଗୋପନୀୟ ସଂବାଦ ନେଇ ବାହାରେ ଅପେକ୍ଷା କରୁଛି-

 

ଅଶ୍ଵରକ୍ଷୀ !

 

ସାଙ୍ଗେ ସାଙ୍ଗେ ତାକୁ ଭିତରକୁ ଆସିବାକୁ ଅନୁମତି ଦେଲେ ରେଜିୟା ।

 

ପଛକୁ ସତର୍କ ଦୃଷ୍ଟିରେ ଚାହିଁ ଚାହିଁ ଅଶ୍ଵରକ୍ଷୀ ଭିତରେ ପ୍ରବେଶ କଲା ।

 

ରେଜିୟା ଦେଖିଲେ, ତାଙ୍କର ପ୍ରିୟ, ବିଶ୍ଵସ୍ତ ଅଶ୍ଵରକ୍ଷୀ ୟାକୁତ୍ । ମୁହଁରେ ଭୟର ଚିହ୍ନ । ଆଖିରେ ସତର୍କ ଦୃଷ୍ଟି । ସାରା ଦେହ ତାର ଗୋଟି ସୁଦ୍ଧା ଥରୁଛି ।

 

କଅଣ ସଂବାଦ ୟାକୁତ୍ !

 

ୟାକୁତ୍ କଥା କହିବାକୁ ଚେଷ୍ଟା କରି କହିପାରିଲେ ନାହିଁ ପ୍ରଥମେ । କେବଳ କଣ୍ଠ ତାର ଥରିଲା । ସତେ ଯେପରି ଏକ ଭୟଙ୍କର ସଂବାଦକୁ ଆତ୍ମପ୍ରକାଶର ସୁଯୋଗ ଦେବା ପାଇଁ ଜିହ୍ୱା ତାର ଭୟରେ ଜଡ଼ ହୋଇ ଯାଉଛି !

 

ରେଜିୟା କହିବାକୁ ତାକୁ ସାହସ ଦେଲେ ।

 

ୟାକୁତ୍ ବର୍ଣ୍ଣନା କଲା ତାର ଗୋପନୀୟ ସଂବାଦର ଇତିବୃତ୍ତି !

 

ରାତ୍ରିର ସେହି ଦୁଃସ୍ଵପ୍ନ ପୁଣି ଥରେ ଜୀବନ୍ତ ରୂପରେ ଉଭା ହେଲା ଆସି ରେଜିୟାଙ୍କ ଆଖି ଆଗରେ । ସ୍ଵପ୍ନ ଓ ବାସ୍ତବତା ସହ ଏପରି ନିବିଡ଼ ସଂପର୍କ ଥାଇପାରେ, ତାହା ସେ କଳ୍ପନା ସୁଦ୍ଧା କରି ନ ଥିଲେ ।

 

ସେ ଲକ୍ଷ୍ୟକଲେ ରାଗ, କ୍ରୋଧ ଓ ପ୍ରତିହିଂସାର ଅଗ୍ନିରେ ଆଲତୁନିଆଙ୍କ ସମଗ୍ର ମୁଖମଣ୍ଡଳ ଲୋହିତ ହୋଇ ଉଠିଛି ।

 

ସେ କଅଣ କହିବାକୁ ଯାଉଥିଲେ, ତାଙ୍କ ପାଟିରେ ହାତ ଦେଇ ତାଙ୍କୁ ନୀରବ କରାଇଦେଲେ ରେଜିୟା ।

 

କହିଲେ, ଏ ସବୁଥିରେ ପିଲାଳିଆମୀ ଶୋଭାପାଏ ନାହିଁ ଆଲତୁନିୟା । ଆଲ୍ଲା ଆମ ଧୈର୍ଯ୍ୟର ପରୀକ୍ଷା କରୁଛନ୍ତି ।

 

ଅଠର

 

ସବୁ ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଛି ।

 

ଆଲୋଚନା କକ୍ଷର ଶହେ ଗଜ ଦୂରରେ ମଣିଷ ତ ଦୂରର କଥା, କୌଣସି ପଶୁପକ୍ଷୀ ଯେପରି ସେମାନଙ୍କ କଥା ଶୁଣିବାକୁ ନ ଥାନ୍ତି, ତାର ବ୍ୟବସ୍ଥା ଶେଷ କଲେ ଶାହାତୁର୍କାନ ।

 

ତାଙ୍କର ଅତ୍ୟନ୍ତ ବିଶ୍ୱାସୀ କେତେଜଣ ତୁର୍କୀ ଅମୀର ଆଉ ଅନୁଚର, ଦେହରକ୍ଷୀ ସେହି ସୁରକ୍ଷିତ କକ୍ଷ ମଧ୍ୟରେ ବସି ରହିଥିଲେ । ସେମାନଙ୍କୁ ହଠାତ୍ ଏପରି କାହିଁକି ଡକାଯାଇଛି, ସେ କଥା ସେମାନେ ଏ ପର୍ଯ୍ୟନ୍ତ ସୁଦ୍ଧା ଜାଣିନାହାନ୍ତି । ଶାହାତୁର୍କାନଙ୍କ ମୁହଁରୁ ସେକଥା ଶୁଣିବା ପାଇଁ ସେମାନଙ୍କର ଆଗ୍ରହର ସେଥିପାଇଁ ଅନ୍ତ ନାହିଁ ।

 

ଶାହାତୁର୍କାନଙ୍କ ବେଶଭୂଷାରେ ଆଜି ବିଚିତ୍ର ଏକ ବିଶୃଙ୍ଖଳା । ନିଜେ ସେ ନିଜ ପରିଧେୟ ପ୍ରତି ସୁଦ୍ଧା ଧ୍ୟାନ ଦେଇ ନାହାନ୍ତି । ମୁହଁରେ ମଧ୍ୟ କ୍ଲାନ୍ତିର ସ୍ଵାକ୍ଷର । ଉଦବେଗ, ଦୁଶ୍ଚିନ୍ତାରେ ଆଖିପତା ତଳେ ସ୍ପଷ୍ଟ ହୋଇ ଉଠୁଛି କଳାଦାଗ ।

 

ଜୀବନର ଚରମ ପରୀକ୍ଷାର ସେ ଆଜି ସମ୍ମୁଖୀନ ହେଉଛନ୍ତି । ଯଦି ଏ ପରୀକ୍ଷାରେ ସେ ବିଫଳ ହୁଅନ୍ତି, ତେବେ ତାର ଭୟାବହ ପରିଣତି ବିଷୟ ତାଙ୍କୁ ଅଜ୍ଞାତ ନୁହେଁ । ଆଉ ଯଦି ସେ ସଫଳ ହୁଅନ୍ତି... !

 

ଆନନ୍ଦ, ଉତ୍ତେଜନାରେ ସଫଳତାର ପରିଣତି କଥା ଚିନ୍ତା କରି ଉଲ୍ଲସିତ ହୋଇ ଉଠନ୍ତି ଶାହାତୁର୍କାନ । ନିରଙ୍କୁଶ ଭାବରେ ସେ ଶାସନ କରିବେ ଦିଲ୍ଲୀ ନିଜେ ବଞ୍ଚିଥିବା ପର୍ଯ୍ୟନ୍ତ !

 

ଅମୀରମାନେ ଉଦବିଗ୍ନ ।

 

ଶାହାତୁର୍କନଙ୍କ ମନର ଅସ୍ଥିରତା ସେମାନଙ୍କ ଆଗ୍ରହ ଓ ଆଶଙ୍କାକୁ ପ୍ରତ୍ୟେକ ମୁହୂର୍ତ୍ତରେ ବଢ଼ାଇବାରେ ଲାଗିଛି । କଅଣ ପାଇଁ ଏତେ ଗୋପନୀୟ ଭାବରେ-ଏତେ ରାତିରେ- !

 

ମୁଁ ଆପଣମାନଙ୍କୁ ଏକ ସଂକଟମୟ ମୁହୂର୍ତ୍ତରେ ଆଜି ଏଠାକୁ ଆମନ୍ତ୍ରଣ କରିଛି । ଆଜି ଏ ସଂକଟ କେବଳ ଏକାକିନୀ ମୋ ପାଇଁ ନୁହେଁ-ଆପଣମାନଙ୍କ ପାଇଁ-ସମଗ୍ର ତୁର୍କୀ ସମ୍ରାଜ୍ୟବାଦ ପାଇଁ- । ନାଟକୀୟ ଭାବରେ କଥାଟି ଆରମ୍ଭ କରିଦେଇ ଶାହାତୁର୍କାନ୍ ସମବେତ ଅମୀରମାନଙ୍କ ଭାବାନ୍ତର ଲକ୍ଷ୍ୟ କଲେ ।

 

ଏକାକିନୀ ଶାହାତୁର୍କନଙ୍କ ପାଇଁ ନୁହେଁ; ସେ ସମସ୍ତଙ୍କ ପାଇଁ ବିପଦ !

 

ସେମାନଙ୍କ ଭିତରୁ ଜଣେ ଆତଙ୍କିତ ଅମୀର୍ ପ୍ରଶ୍ନ କଲେ, କଅଣ ବାହ୍ୟ ଶତ୍ରୁ ସୈନ୍ୟ ଯମୁନା ଆରପଟେ ପହଞ୍ଚିଗଲେଣି... ? ଆମ ସୈନ୍ୟବାହିନୀ ଏ ପର୍ଯ୍ୟନ୍ତ ସୁଦ୍ଧା ସମ୍ବାଦ ପାଇ ନାହାନ୍ତି ?

 

ଶାହାତୁର୍କାନ୍ ତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶରେ ନୀରବ ରହିବାକୁ ଇଙ୍ଗିତ ଦେଲେ ।

 

କହିଲେ, ବାହ୍ୟଶତ୍ରୁ ନୁହେଁ...ଭିତରର ଶତ୍ରୁ । ଆମ ସମସ୍ତଙ୍କୁ ଜଣ ଜଣ କରି ହତ୍ୟା କରିବା ପାଇଁ ଭୀଷଣ ଷଡ଼ଯନ୍ତ୍ର ଚାଲିଛି... ।

 

ତରବାରୀକୁ କୋଷମୁକ୍ତ କରି ଅନ୍ୟ ଜଣେ ଅମୀର୍ ପ୍ରଶ୍ନ କଲେ ସେ ଷଡ଼ଯନ୍ତ୍ରକାରୀ ଦୁର୍ବୃର୍ତ୍ତର ନାମୋଚ୍ଚାରଣ କରନ୍ତୁ ମାଲିକା ! ମୁଁ...

 

ଶାହାତୁର୍କାନ୍ ବୃଦ୍ଧ ଅମୀରଙ୍କୁ ଧୈର୍ଯ୍ୟ ଧରିବାକୁ ଇଙ୍ଗିତ ଦେଇ କହିଲେ, ଷଡ଼ଯନ୍ତ୍ର ପ୍ରତିରୋଧ ପାଲଟା ଷଡ଼ଯନ୍ତ୍ର ଦ୍ୱାରା କରାଯାଏ ଅମୀର; ଅସ୍ତ୍ର ଦ୍ୱାରା ନୁହେଁ । ଆପଣମାନେ ମୋର ସବୁ ବିଶ୍ଵସ୍ତ ବନ୍ଧୁ...ଦିଲ୍ଲୀ ସାମ୍ରାଜ୍ୟର ସୁରକ୍ଷା ଆପଣମାନଙ୍କ ସହଯୋଗ ଉପରେ ନିର୍ଭର କରୁଛି । ଆମ ସମସ୍ତଙ୍କୁ ହତ୍ୟା କରିବା ପାଇଁ ରେଜିୟା ଉଦ୍ୟମ ଚଳାଇଛନ୍ତି...କାରଣ ସେ ଜାଣନ୍ତି, ଆମେ ଜୀବିତ ଥିବାଯାଏ ସେ କଦାପି ଦିଲ୍ଲୀ ସିଂହାସନ ପାଇବେ ନାହିଁ...ଆପଣମାନଙ୍କ ଉପରେ ରାଗ, କାରଣ ସେଦିନ ସୁଲତାନଙ୍କ ଇଚ୍ଛାପତ୍ରର ବିରୋଧ କରି ଆପଣମାନେ ହିଁ ତାଙ୍କ ସୁଲତାନା ହେବା ପଥରେ ଅନ୍ତରାୟ ହୋଇଥିଲେ ।

 

ରେଜିୟା !

 

ନାମଟା ଶୁଣି ଅମୀର୍ ଓ ଅନୁଚରମାନଙ୍କ ମଧ୍ୟରେ ଏକ ଅଖଣ୍ଡ ନୀରବତା ବ୍ୟାପୀଗଲା-। ସେମାନଙ୍କୁ ହତ୍ୟା କରିବା ପାଇଁ ସୁଲତାନନନ୍ଦିନୀ ଚେଷ୍ଟା କରୁଛନ୍ତି, ଏକଥା ବିଶ୍ୱାସ କରିବା ପାଇଁ ମଧ୍ୟ ସେମାନଙ୍କ ବିବେକକୁ ବାଧୁଥିଲା ।

 

ସେମାନଙ୍କର ମନୋଭାବ ବେଶ୍ ସ୍ପଷ୍ଟଭାବରେ ବୁଝିପାରିଲେ ଶାହାତୁର୍କାନ ।

 

ସେ କହିଲେ, ମୁଁ ଜାଣେ, ରେଜିୟା ଯେତେ ହେଲେ ବି ମୋର କନ୍ୟା । ତାକୁ ମୁଁ ଭଲ ଭାବରେ ଜାଣେ । ସେ ଏଭଳି କାର୍ଯ୍ୟ କରିବାକୁ ନିଜେ କେବେ ଚିନ୍ତା କରିପାରେ ନା । କିନ୍ତୁ ଆପଣମାନେ ଜାଣନ୍ତି, ସେ ଆଜି ନିଜ ନିୟନ୍ତ୍ରଣରେ ନାହିଁ । ଆଲତୁନିୟା ଆଜି ତାର ସର୍ବସ୍ଵ । ଅନ୍ୟ ଅମୀରମାନଙ୍କ ଆଖିରେ ଧୂଳି ଦେଇ ସେ ନିଜ ହାତକୁ ଦିଲ୍ଲୀ ସିଂହାସନ ନେବାକୁ ଚାହେଁ...ରେଜିୟା ତା’ ହାତରେ ଏକ କ୍ରୀଡ଼ନକ ଭଳି । ରେଜିୟା ପ୍ରତି ଆପଣମାନଙ୍କ ବିଶ୍ଵାସ ଓ ସମ୍ମାନ କେତେ, ତାହା ତାକୁ ଅଜ୍ଞାତ ନାହିଁ । ସେହି ବିଶ୍ଵାସରେ ସେ ଆପଣମାନଙ୍କ ବିରୁଦ୍ଧରେ ରେଜିୟାଙ୍କୁ ଉତ୍ତେଜିତ କରିଛି । ସେମାନଙ୍କ ସମସ୍ତ ଷଡ଼ଯନ୍ତ୍ରର ପରିକଳ୍ପନା ଶେଷ ହୋଇଛି । ଆଉ ଗୋଟିଏ ଦିନ ବିଳମ୍ବ ହେଲେ ସବୁ ଗଣ୍ଡଗୋଳ ହୋଇଯିବ; ଏଥିପାଇଁ ରେଜିୟାଙ୍କୁ ଦୋଷ ଦେଇ ଲାଭ ନାହିଁ-। ସେ ନାରୀ ପୁଣି ତରୁଣୀ । ଏ ବୟସରେ ନିଜ ବିବେକ ଅନୁସାରେ ପରିଚାଳିତ ହେବା ଅପେକ୍ଷା, ନିଜ ପ୍ରେମିକ ଇଚ୍ଛା ଅନୁସାରେ ପରିଚାଳିତ ହେବା ପାଇଁ ନାରୀ ବେଶି ଭଲ ପାଏ । ରେଜିୟାଙ୍କ ସେହି ଦୁର୍ବଳ ନାରୀତ୍ୱର ସୁଯୋଗ ନେଇ ଆଲତୁନିୟା ହେବାକୁ ଚାହେଁ ସୁଲତାନ୍...ଆପଣମାନେ ତାଙ୍କରି ଭଳି ଜଣେ ଜଣେ ଅମୀର ହୋଇ ସୁଦ୍ଧା ଚିରଦିନ ତାଙ୍କର ଦାସ ହୋଇ ରହିବେ... ?

 

କିନ୍ତୁ ଉପାୟ ! ...ଅମୀରମାନଙ୍କ କଣ୍ଠରେ ସମ୍ମିଳିତ ସ୍ଵର ।

 

ଶାହାତୁର୍କାନ୍ ହସିଲେ ।

 

କହିଲେ, ଏକମାତ୍ର ଉପାୟ ରେଜିୟାଙ୍କ ପ୍ରତି ମନରୁ ସମସ୍ତ ମମତାର ବିଷର୍ଜନ...ଏ ଷଡ଼ଯନ୍ତ୍ର କଥା ଦରବାରରେ କହିଲେ କେହି ବିଶ୍ୱାସ କରିବେ ନାହିଁ...କାରଣ ରେଜିୟାଙ୍କ ପ୍ରତି ଅନ୍ୟ ଅମୀରମାନଙ୍କର ମଧ୍ୟ ଅପରିସୀମ ଶ୍ରଦ୍ଧା...ସେ ଜୀବିତ ରହିବା ଅର୍ଥ ଆମର...ମୃତ୍ୟୁ, ଦାସତ୍ୱ...

 

ସମଗ୍ର ଆଲୋଚନା କକ୍ଷରେ ହଠାତ୍ ଏକ ନିସ୍ତବଧତାର ହିମଶୀତଳ ପରିବେଶ ସୃଷ୍ଟି ହେଲା ।

 

ରେଜିୟାଙ୍କ ମୃତ୍ୟୁ !

 

ଅଧିକାଂଶ ବ୍ୟକ୍ତି ମୁହଁ ତଳକୁ କଲେ ।

 

ଶାହାତୁର୍କାନ୍ ବିଚଳିତ ଭାବରେ କହିଲେ, ରାଜନୀତିରେ ମାୟାମମତାର ପ୍ରଶ୍ନ ନାହିଁ ଅମୀର ! ରେଜିୟା ଆଜି ସୁଲତାନଙ୍କ ନନ୍ଦିନୀ ନୁହେଁ, ସେ ଅମୀର ଆଲତୁନିୟାଙ୍କ ପ୍ରଣୟ-ଭିକାରିଣୀ । ପ୍ରଣୟ-ପାଗଳିନୀ ସେହି ନାରୀ ହରାଇ ବସିଛି ଆମମାନଙ୍କ ପ୍ରତି ତାର ଦାୟିତ୍ଵ; ଦେଶ ପ୍ରତି ତାର କର୍ତ୍ତବ୍ୟ । ଏହାର ଏକମାତ୍ର ଶାସ୍ତି ମୃତ୍ୟୁ...ମୃତ୍ୟୁ...

 

ଶାହାତୁର୍କାନ୍ ଜାଣନ୍ତି, ରେଜିୟାଙ୍କ ପ୍ରତି ଅମୀରମାନଙ୍କର ଯେତିକି ମମତା, ଆଲତୁନିୟାଙ୍କ ପ୍ରତି ସେତିକି ଈର୍ଷା । ସେମାନଙ୍କ ମନରେ ସେହି ସଞ୍ଚିତ ଈର୍ଷାକୁ ସେ ନିଜ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରିବାକୁ ବ୍ୟଗ୍ର ।

 

ତାଙ୍କର ସେ ଦୂରଦୃଷ୍ଟି ବ୍ୟର୍ଥ ହେଲା ନାହିଁ ।

 

ସମବେତ ଅମୀର କେତେଜଣଙ୍କ ମଧ୍ୟରେ ଗଭୀର ଅସ୍ଵସ୍ତି ଓ ଅସ୍ଥିରତା ପ୍ରକାଶ ପାଇଲା ।

 

ସେମାନଙ୍କ ଭିତରୁ ଜଣେ ପ୍ରଶ୍ନ କଲା, କିନ୍ତୁ କିପରି ଭାବରେ କିଏ ଏହି ଦୂରୁହ କାର୍ଯ୍ୟ କରି ପାରିବ ମାଲିକା ! ଦରବାରର ବିଚାରରେ ତାଙ୍କୁ ଶାସ୍ତି ଦେବା ଯେପରି ଅସମ୍ଭବ, କୌଣସି ଆତତାୟୀ ଦ୍ଵାରା ତାଙ୍କୁ ନିହତ କରିବା ମଧ୍ୟ ତା’ ଠାରୁ ବଳି ଦୁଃସାଧ୍ୟ ବ୍ୟାପାର...ରେଜିୟାଙ୍କ ପାଇଁ ସ୍ନେହ ସମର୍ଥନ ସର୍ବତ୍ର...

 

ଶାହାତୁର୍କାନ୍ କହିଲେ, ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଲେ କୌଣସି କାର୍ଯ୍ୟ ଦୁଃସାଧ୍ୟ ରହିବ ନାହିଁ... ଖୋଦାଙ୍କ ନାମରେ ଆପଣମାନେ ଏଠାରେ ଶପଥ କରନ୍ତୁ, ଏ ସମ୍ବାଦ ଯେପରି ବାହାରେ ପ୍ରକାଶ ନ ପାଏ ।

 

ପ୍ରତ୍ୟୁଷରୁ ଅଶ୍ୱାରୋହଣ କରି ଭ୍ରମଣରେ ଯିବା ରେଜିୟାଙ୍କର ଏକ ଦୈନନ୍ଦିନ କାର୍ଯ୍ୟ । ହସ୍ତୀପୃଷ୍ଠରେ ଆରୋହଣ କରିବା ଅପେକ୍ଷା ଅଶ୍ୱାରୋହଣରେ ତାଙ୍କର ଆଗ୍ରହ ଅଧିକ । ଯମୁନାକୂଳରୁ କିଛି ଦୂର ଗଲା ପରେ ପଡ଼େ ଏକ ସମୁଚ୍ଚଭୂମି... ଯାହା ଉପରେ ଲମ୍ଫଦେଇ ରେଜିୟାଙ୍କ ଅଶ୍ଵ ଅପର ପାର୍ଶ୍ୱରେ ଠିଆହୁଏ... ଏହି ଉଚ୍ଚଭୂମି ଉପରେ ଲମ୍ଫ ଦେବାର କୌଣସି ଦିନ ତ୍ରୁଟି କରନ୍ତି ନାହିଁ ରେଜିୟା ।...

 

ଲମ୍ଫ ଦେଇ ଅଶ୍ଵ ଯେଉଁଠି ଠିଆ ହୋଇଯାଏ, ସେହି ସ୍ଥାନରେ ଖନନ ହେବ ଏକ ସୁଗଭୀର ଗର୍ତ୍ତ । ଯେତେବେଳେ ରେଜିୟାଙ୍କ ଅଶ୍ଵ ଉଚ୍ଚଭୂମିକୁ ଅତିକ୍ରମ କରିବାକୁ ଲମ୍ଫ ଦେବ, ସେହି ଗର୍ତ୍ତରେ ପଡ଼ି ପ୍ରାଣ ହରାଇବେ ରେଜିୟା । ଗର୍ତ୍ତ ଉପରେ ଘାସ, ମାଟିର ଏକ ଆସ୍ତରଣ ଦେଇ ଦିଆଯିବ ଯେ ଦୂରରୁ ତାହା ଗର୍ତ୍ତ ଭଳି ମନେହେବ ନାହିଁ...ଏପରି ଭାବରେ ପ୍ରାଣ ହରାଇଲେ କେହି ସଂଦେହ କରିବେ ନାହିଁ...ଆବଶ୍ୟକ ହେବ ନାହିଁ ମଧ୍ୟ ଜଣେ ଆତତାୟୀ... ।

 

ଶାହାତୁର୍କାନ ନିଜ ଗୋପନୀୟ ପରିକଳ୍ପନାଟି ପ୍ରକାଶ କରି ସମସ୍ତଙ୍କ ମୁହଁକୁ ଚାହିଁଲେ । ଭୟ ଓ ଆଶଙ୍କାର ଛାୟା ଭିନ୍ନ କାହାର ମୁହଁରେ ପ୍ରତିବାଦର ଚିହ୍ନ ନାହିଁ ।

 

ରାତ୍ରି ଅନେକ ହୋଇଛି ।

 

ଶେଷ ହେଲା ମଧ୍ୟ ଷଡ଼ଯନ୍ତ୍ରର ସମସ୍ତ ପରିକଳ୍ପନା ।

 

ଉଣେଇଶି

 

ଅଶ୍ଵରକ୍ଷୀ ଜମାଲ୍ଉଦ୍ଦିନ ୟାକୁତ୍ ସାମାନ୍ୟ ଜଣେ ଆବିସିନୀୟ ଦାସ ମାତ୍ର !

 

କିନ୍ତୁ ସୁଲତାନଙ୍କ ପରିବାର ସହ ସଂପର୍କ ତାର ଘନିଷ୍ଠ ।

 

ଶୈଶବରୁ ରେଜିୟା ଅଶ୍ୱାରୋହଣ କରି ଭ୍ରମଣରେ ଗଲାବେଳେ ଏହି ୟାକୁତ ହିଁ ହୁଏ ତାଙ୍କର ସହଚର ।

 

ଶୈଶବର ନିର୍ମୋକ ପରିତ୍ୟାଗ କରି ରେଜିୟା ହେଲେ ତରୁଣୀ ।

 

ଅଶ୍ୱାରୋହଣରୁ ଯୁଦ୍ଧପରିଚାଳନା ପର୍ଯ୍ୟନ୍ତ ସକଳ କାର୍ଯ୍ୟରେ ଫୁଟିଉଠିଲା ତାଙ୍କର ଦକ୍ଷତା, ପାରଦର୍ଶିତା । ଆଉ କିଶୋରୀ ଜୀବନର ତାଙ୍କର ସେହି ସହଚର ଯୌବନରେ ହେଲା ରେଜିୟାଙ୍କ ପ୍ରଧାନ ଅଶ୍ୱରକ୍ଷୀ ।

 

ଦେହର ରଙ୍ଗ ଘନକୃଷ୍ଣ ହେଲେ ବି ୟାକୁତର ମୁହଁର ଗଢ଼ଣ ଥିଲା ଜଣେ ଗ୍ରୀକ୍ ଦେବତାଙ୍କ ଭଳି କମନୀୟ । ଦୀର୍ଘକାୟ ଏହି ବଳିଷ୍ଠ ପୁରୁଷ ଜଣକ ସୁଲତାନ ନନ୍ଦିନୀଙ୍କ ସ୍ଵତନ୍ତ୍ର ଅଶ୍ୱର ଦାୟିତ୍ୱରେ ଥିଲା ।

 

ପ୍ରତ୍ୟୁଷରୁ ଅଶ୍ୱାରୋହଣ କରି ବୁଲି ଯାଆନ୍ତି ରେଜିୟା ।

 

ରାତ୍ରିରୁ ସେହି ଅଶ୍ୱକୁ ସେଥିପାଇଁ ପ୍ରସ୍ତୁତ କରି ରଖେ ୟାକୁତ୍ ।

କିନ୍ତୁ ସେଦିନ ଅଶ୍ଵଶାଳାରେ ରେଜିୟାଙ୍କର ସେ ପ୍ରିୟ ଅଶ୍ଵକୁ ନ ଦେଖି ସେ ବିବ୍ରତ ହେଲା । ତାର ଧାରଣା ହେଲା ହୁଏ ତ ସକାଳେ ସେ ଯେଉଁଆଡ଼େ ବୁଲିଯାଏ, ସେହି ସ୍ଥାନକୁ ରାତିରେ ଅଶ୍ୱଟି ଚାଲିଯାଇଛି ।

ଅଶ୍ୱର ସନ୍ଧାନରେ ବାହାରିଥିଲା ୟାକୁତ୍ ।

ହଠାତ୍ ତାର ଦୃଷ୍ଟି ପଥାରୁଢ଼ ହେଲା, ଯେଉଁ ସ୍ଥାନରେ ଅଶ୍ଵ ଉପରେ ରେଜିୟା ଲମ୍ଫ ଦିଅନ୍ତି, ସେଠାରେ କେତେ ଜଣ ଲୋକ ଅନ୍ଧକାରରେ କୌଣସି ଗୁରୁତର କାର୍ଯ୍ୟରେ ଗଳଦଘର୍ମ ହୋଇ ଲାଗି ପଡ଼ିଛନ୍ତି । ଅନ୍ଧକାରରେ ଲୋକଗୁଡ଼ିକଙ୍କ ଆକୃତି ଦେଖାଯାଉଛି କୃଷ୍ଣଛାୟା ଭଳି ।

କଅଣ କରୁଛନ୍ତି ସେମାନେ ?

ସନ୍ଦେହ ଓ ଆଶଙ୍କାରେ ସତର୍କ ଦୃଷ୍ଟି ରଖି ସେ ଦିଗକୁ ଅଗ୍ରସର ହେଲା ୟାକୁତ୍ ।

ସେମାନେ ବେଗମ୍ ମହଲର ଗୃହରକ୍ଷୀ ।

ଖନନ କରି ଚାଲିଛନ୍ତି ସେମାନେ ଏକ ସୁଗଭୀର ଗର୍ତ୍ତ ଏବଂ ସେ ଗର୍ତ୍ତର ମୁଖଗହ୍ୱରକୁ ଘାସରେ ଆଚ୍ଛାଦିତ କରିବା ପାଇଁ ମଧ୍ୟ ଆଉ କେତେଜଣ ଉଦ୍ୟମ ଚଳାଇଛନ୍ତି ।

ସେ ଦୃଶ୍ୟ ଦେଖି ୟାକୁତ୍ ବିସ୍ମୟରେ ବିମୂଢ଼ ହୋଇଗଲା ।

କିନ୍ତୁ କିଛି ସମୟ ପରେ ଧାରଣା ହେଲା-ସେ ଯଦି ତତ୍ପର ହୋଇ କିଛି ପ୍ରତିକାର ନ କରେ, ତାହାହେଲେ ହୁଏ ତ କାଲି ପ୍ରତ୍ୟୁଷରୁ ଏପରି କିଛି ଘଟଣା ଘଟିବ, ଯାହା କଳ୍ପନା କରିବା ପାଇଁ ସେ ଅକ୍ଷମ !

ତା ପରେ ରୁଦ୍ଧଶ୍ୱାସରେ ସେ ବାୟୁବେଗରେ ଧାଇଁ ଆସି ରେଜିୟାଙ୍କ ଆଗରେ କିପରି ସେ ସବୁ ଘଟଣା ବର୍ଣ୍ଣନା କଲା, ତାହା ସେ ନିଜେ ମଧ୍ୟ ଅନୁମାନ କରିପାରୁ ନ ଥିଲା । ଭୟ, ଆତଙ୍କ, ସନ୍ଦେହ ଓ ଉତ୍ତେଜନାରେ ତାର ସର୍ବାଙ୍ଗ ଥରୁଥିଲା ।

ଆଲତୁନିଆ ମଧ୍ୟ ଉତ୍ତେଜନାରେ ଅସ୍ଥିର ହୋଇ ଉଠିଥିଲେ ।

ରେଜିୟାଙ୍କ ଇଙ୍ଗିତକୁ ଉପେକ୍ଷା କରି ସେ ଚିତ୍କାର କରି ଉଠିଲେ-ମୋର ସମସ୍ତ ସହ୍ୟଶକ୍ତି ସୀମା ଅତିକ୍ରମ କରିଛି । ଆଜି ଏହି ନିଶାର୍ଦ୍ଧରେ ମୁଁ ଏହାର ଏକ ସମାଧାନ ଚାହେଁ । ମୁଁ କାହାରି କିଛି ବାରଣ ମାନିବାକୁ ପ୍ରସ୍ତୁତ ନୁହେଁ ।

ଏ ସବୁ ଆକସ୍ମିକ ଦୁଃସମ୍ଵାଦ, ଅଧୀର ଉତ୍ତେଜନା ମଧ୍ୟରେ ରେଜିୟାଙ୍କ ମୁଁହର ରେଖା ଗୁଡ଼ିକରେ କୌଣସି ପରିବର୍ତ୍ତନ ସୁଦ୍ଧା ଘଟି ନ ଥିଲା । ଗଭୀର ଭାବରେ ଚିନ୍ତାମଗ୍ନ ଥିଲେ ସୁଦ୍ଧା ସେ ଆଦୌ ବିଚଳିତ ହୋଇ ନ ଥିଲେ ।

ଆଲତୁନିୟାଙ୍କ କଥା ଶୁଣି ସାରିବା ପରେ ସେ ଗମ୍ଭୀର କଣ୍ଠରେ କହିଲେ, ତମେ ଯାହା କହୁଛ, ସେଥିରେ ଶାହାତୁର୍କାନଙ୍କ ଲକ୍ଷ୍ୟ ହିଁ ସାଧିତ ହେବ । ଧୈର୍ଯ୍ୟହୀନ ଭାବରେ କେହି ବିପଦର ସମ୍ମୁଖୀନ ହୁଏ ନାହିଁ; ନୂତନ ବିପଦକୁ ଆମନ୍ତ୍ରଣ କରେ ମାତ୍ର...

ଆପଣ କଅଣ କହିବାକୁ ଚାହୁଁଛନ୍ତି...

ଅଲତୁନିଆଙ୍କୁ ବାକ୍ୟ ଶେଷ କରିବାର ସୁବିଧା ଦେଲେ ନାହିଁ ରେଜିୟା ।

ସ୍ପଷ୍ଟ କଣ୍ଠରେ ସେ କହିଲେ, ମୁଁ କହିବାକୁ ଚାହେଁ, ଏ ସୁଯୋଗକୁ ଆମେ ଆମ ନିଜ ଉଦ୍ଦେଶ୍ୟ ସାଧନ ପାଇଁ ଚତୁରତାର ସହ ବିନିଯୋଗ କରିବା । ତାଙ୍କର ଚକ୍ରାନ୍ତ ଯେ ଧରାପଡ଼ି ଯାଇଛି, ଏକଥା ଶାହାତୁର୍କାନ ଭୁଲରେ ସୁଦ୍ଧା ଜାଣିବା ଉଚିତ ନୁହେଁ; ତା ହେଲେ ସେ ଏ ଚକ୍ରାନ୍ତର ଅଭିଯୋଗରୁ ଖସିଯିବା ପାଇଁ ଚେଷ୍ଟାକରିବେ । ତା ଆପେକ୍ଷା ବର୍ତ୍ତମାନ ଗର୍ତ୍ତ ଖନନ କାର୍ଯ୍ୟ କରୁଥିବା ଦେହରକ୍ଷୀମାନଙ୍କୁ ବର୍ତ୍ତମାନ ଚିହ୍ନଟ କରାଯାଉ...ସେମାନଙ୍କୁ ଧମକ ଦିଆଯାଉ ଯେ ଆମେ ଏ ଖବର ପାଇଥିବା ସମ୍ବାଦ ସେମାନେ ଅନ୍ୟ କାହାରିକୁ ଯେପରି ନ ଦିଅନ୍ତି । କାଲି ସକାଳୁ ମୁଁ ପୂର୍ବଭଳି ଆଶାରୋହଣ କରି ଯିବି...ସେଠାରେ ମୋ ଅଶ୍ଵ ଲମ୍ଫ ଦେଲାବେଳେ ଅନ୍ୟ ଅମୀର ମାନେ ଉପସ୍ଥିତ ରହିବା ଆବଶ୍ୟକ । ତା’ହେଲେ ଚର୍ତ୍ତନେନ ରହସ୍ୟ ପ୍ରକାଶ ପଇଲାବେଳେ ସେମାନେ ପ୍ରତ୍ୟକ୍ଷ ସାକ୍ଷୀ ରହିବେ ।

କିନ୍ତୁ ତା ଫଳରେ ଲାଭ ? -ଆଲତୁନିଆ ପ୍ରଶ୍ନ କଲେ ।

ଲାଭ ? -ହସିଲେ ରେଜିୟା ।

କହିଲେ, ଶାହାତୁର୍କାନ ଯେ ନାରୀ ନୁହଁନ୍ତି, ସଇତାନୀ-ଏ କଥା ରାଜ୍ୟର ସମସ୍ତେ ଜାଣନ୍ତି । ଜାଣି ସୁଦ୍ଧା ଜାଣନ୍ତି ନାହିଁ କେବଳ ଚତ୍ଵାରି°ଶ ଅମୀର । ସେଇମାନଙ୍କ ସମର୍ଥନକୁ ପୁଞ୍ଜିକରି ଶାହାତୁର୍କାନ ଏ ସବୁ ନାରକୀୟ କାଣ୍ଡ କରି ଚାଲିଛନ୍ତି । କାଲି ଘଟଣା ସ୍ଥଳରେ ଶାହାତୁର୍କାନଙ୍କ ମୁହଁରୁ ମୁଁ ସେହି ମୁଖା ଖୋଲି ଦେବାକୁ ଚାହେଁ । ମତେ ହତ୍ୟା କରିବା ପାଇଁ ସେ ଷଡ଼ଯନ୍ତ୍ର କରୁଥିଲେ, ଏ କଥା ପ୍ରଚାରିତ ହେବା ପରେ କଅଣ ଅବସ୍ଥା ହେବ, ସେ କଥା ମୁଁ ବେଶ୍ ବୁଝି ପାରୁଛି ଆଲତୁନିୟା ! ତମେ ଅନ୍ୟ ଅମୀରମାନଙ୍କୁ କାଲି ପ୍ରତ୍ୟୁଷରେ ଘଟଣାସ୍ଥଳରେ ଉପସ୍ଥିତ ହେବା ପାଇଁ ଅନୁରୋଧ କର । ଆଉ ୟାକୁତ୍... !

ୟାକୁତକୁ ଆଦେଶଟା ମୁହଁରେ ଦେବାକୁ ପଡ଼ିଲା ନାହିଁ ।

ରେଜିୟାଙ୍କ ଇଙ୍ଗିତ ବୁଝିପାରି ସେ ସଙ୍ଗେ ସଙ୍ଗେ ଝଡ଼ ବେଗରେ କକ୍ଷରୁ ନିଷ୍କାନ୍ତ ହୋଇଗଲା । ଦେହରକ୍ଷୀ ମାନଙ୍କୁ ରେଜିୟାଙ୍କ ନିର୍ଦ୍ଦେଶ ଅନୁସାରେ ଜବତ୍‍ କରିବା ତାର କାର୍ଯ୍ୟ ।

ଆଲତୁନିୟା ମଧ୍ୟ ଆମୀର୍ ମାନଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ହେବାକୁ ବୁଝାଇବା ଲାଗି ବାହାରି ପଡ଼ିଲେ ।

କ୍ଲାନ୍ତ ଭାବରେ ଶଯ୍ୟା ଉପରେ ଲୋଟି ପଡ଼ିଲେ ରେଜିୟା ।

 

କୋଡ଼ିଏ

 

ସେଦିନ ରାତ୍ରିରେ ଦିଲ୍ଲୀ ସହର ନିଦ୍ରାମଗ୍ନ ଥିଲା ସତ୍ୟ; କିନ୍ତୁ ଅତନ୍ଦ୍ର ଆଖିରେ ଏକ ନାଟକୀୟ ଘଟଣାର ଦୃଶ୍ୟସଜ୍ଜା ପାଇଁ କେତେଜଣ କୁଶଳୀ କଳାକାର ବ୍ୟସ୍ତ ଥିଲେ ରାତ୍ରିର ପ୍ରତ୍ୟେକ ମୁହୂର୍ତ୍ତ...

 

ଆଲତୁନିୟା, ୟାକୁତ୍ ପ୍ରସ୍ଥାନ କରି ଯିବା ପରେ ନିଜ ପରିଚାରିକା ପରଭିନ୍‍କୁ ସାଙ୍ଗରେ ଧରି ରେଜିୟା ପହଞ୍ଚିଲେ ନିଜର ପିତୃ-ପ୍ରତିମ ଶୁଭାକାଙ୍କ୍ଷୀ ତାଜୁଦ୍ଦିନଙ୍କ ଗୃହରେ ।

 

ସଦ୍ୟ ନିଦ୍ରାରୁ ଉଠି ତାଜୁଦ୍ଦିନ୍ ସୁଲତାନ-ନନ୍ଦିନୀଙ୍କୁ ଦେଖି ବିସ୍ମିତ ହେଲେ । କିନ୍ତୁ ସମସ୍ତ ଘଟଣା ଶୁଣି ସାରିବା ପରେ ତାଙ୍କ ଆଖିପତାର ଘନୀଭୂତ ତନ୍ଦ୍ରା ତରଳି ନିଶ୍ଚିହ୍ନ ହୋଇଗଲା ।

 

ରାତ୍ରି ଶେଷ ହେବା ପାଇଁ ଆଉ ଘଣ୍ଟା କେତୋଟି ଅବଶିଷ୍ଟ ମାତ୍ର ।

 

ଏହି ଅଳ୍ପ ସମୟ ମଧ୍ୟରେ ପରିସ୍ଥିତିକୁ ନିଜ ସପକ୍ଷରେ ନିୟନ୍ତ୍ରଣ କରିବା ପାଇଁ କଅଣ କରାଯାଇପାରେ ? କିପରି ଭାବରେ...

 

ତାଜୁଦ୍ଦିନ ଅସ୍ପଷ୍ଟ କଣ୍ଠରେ ଉଚ୍ଚାରଣ କଲେ, ଶାହାତୁର୍କାନଙ୍କୁ ଶାସ୍ତି ଦେବା ପାଇଁ ଏହା ହିଁ ହେଉଛି ଶେଷ ସୁଯୋଗ । ଏ ସୁଯୋଗ କୌଣସି ମତେ ନଷ୍ଟ ହେବାକୁ ଦିଆଯାଇ ପାରେନା ।

 

ରେଜିୟାଙ୍କୁ ଲକ୍ଷ୍ୟ କରି ସେ କହିଲେ, ଏ ସମ୍ବାଦ ଆମର ସମସ୍ତ ସମର୍ଥକଙ୍କ ପାଖରେ ପହଞ୍ଚିବା ଦରକାର । ସେନାବାହିନୀର ଅଧିନାୟକ, କାଜି, ମୌଲାନା ସମସ୍ତେ ଏ ନାଟକର ପ୍ରତ୍ୟକ୍ଷ୍ୟଦର୍ଶୀ ହେବା ଉଚିତ । ତାହାହେଲେ ସେମାନେ ବୁଝିବେ, ଶାହାତୁର୍କାନ୍ ରାଜ୍ୟର ଓ ଧର୍ମର ଶୁଭାକାଙକ୍ଷୀ ବୋଲି ପ୍ରଚାର କରୁଥିବା ବେଳେ ତାଙ୍କ ସଂକୀର୍ଣ୍ଣ ମନର ଅନ୍ତରାଳରେ କି ଜଘନ୍ୟ ଈର୍ଷା, ହିଂସା ଗୋପନ ରହିଛି...ସେମାନେ ଜାଣିବେ ଦେଶର ଓ ଇସଲାମ୍ ଧର୍ମର ପ୍ରକୃତ ଶୁଭାକାଙକ୍ଷୀ କିଏ ? କାହା ହାତରେ ରାଷ୍ଟ୍ରର ନିରାପତ୍ତା ସୁରକ୍ଷିତ ହୋଇପାରିବ ?

 

କିନ୍ତୁ ଏତେ ରାତିରେ ମୌଲବୀ, ସେନାନାୟକମାନଙ୍କୁ ବା ଏ ଖବର ଦିଆଯାଇ ପାରିବ କିପରି ? -ରେଜିୟା ହତାଶ କଣ୍ଠରେ ପ୍ରଶ୍ନ କଲେ ।

 

ନିଜ ପକ୍ଵ ଶ୍ମଶ୍ରୁରେ ଅଙ୍ଗୁଳି ଚାଳନା କରୁ କରୁ ତାଜୁଦ୍ଦିନ କହିଲେ, ସେନାନାୟକମାନଙ୍କୁ ସଂବାଦ ଦେବା ଦାୟିତ୍ଵ ମୁଁ ନେଉଛି...କାଲି ପ୍ରତ୍ୟୁଷ-ପ୍ରାର୍ଥନା ପାଇଁ ମସଜିଦକୁ ଯେଉଁମାନେ ଯିବେ, ସେମାନଙ୍କୁ ସମ୍ବାଦ ଦେବା ଅସାଧ୍ୟ ବ୍ୟାପାର ହେବ ନାହିଁ...

 

ପଶମ ପୋଷାକରେ ଆଚ୍ଛାଦିତ ହୋଇ ତାଜୁଦ୍ଦିନ ଉଠି ଠିଆ ହେଲେ । ତାଙ୍କ ରେଖାବହୁଳ ମୁହଁ ଉପରେ ଝଲମଲ୍ କରୁଥିଲା ଏକ ଉଜ୍ଜ୍ୱଳ ଆଭା ।

 

ମନର ଗଭୀର ଆତ୍ମବିଶ୍ଵାସ, କର୍ତ୍ତବ୍ୟନିଷ୍ଠା ତାଙ୍କ ଦେହରେ ଆଣି ଦେଇଥିଲା ନୂତନ ଶକ୍ତି ।

 

ପ୍ରତ୍ୟୁଷର ଅଶ୍ୱାରୋହଣ ପାଇଁ ପ୍ରସ୍ତୁତ ହେବା ଲାଗି ଉଠି ଠିଆହେଲେ ମଧ୍ୟ ରେଜିୟା ।

 

କିଛି ସମୟ ପରେ ଯମୁନାର ନୀଳଜଳରେ ଲାଗିଲା ଆସି ପ୍ରଭାତ ରଶ୍ମିର ପ୍ରଥମ ସ୍ପର୍ଶ-

 

ନିଦ୍ରିତା ନଗରୀ ଦିଲ୍ଲୀର ବିପଣି ବିଥିକାରେ ସଞ୍ଚାରିତ ହେଲା ନୂତନ ଜୀବନୀଶକ୍ତି ।

 

କିଛି ସମୟ ପରେ ଦେଖାଗଲା ସକାଳର ଆଲୋକ ସ୍ପଷ୍ଟ ହେବା ଆଗରୁ ଅଗଣିତ ଜନତାର ସ୍ରୋତ ଆଗେଇ ଚାଲିଛି, ସେହି ନାଟକୀୟ ଘଟଣାସ୍ଥଳକୁ...ଯେଉଁଠି ରେଜୀୟାଙ୍କ ଅଶ୍ଵ ଲମ୍ଫ ଦେବ !

 

ବାୟୁ ବେଗରେ ଏକ ଚାପା ଗୁଜବ ଅଳ୍ପ ସମୟ ମଧ୍ୟରେ ସାରା ଦିଲ୍ଲୀରେ ପ୍ରଚାରିତ ହୋଇ ଯାଇଛି । ଯମୁନାର ତୀର ଆରପଟେ କୌଣସି ଏକ ଅଘଟଣ ଘଟିବା ସମ୍ବାଦ ପାଇ କେବଳ ଅମୀର, ସେନାବାହିନୀର ଅଧିନାୟକ, କାଜି କିମ୍ବା ମୌଲବୀ ନୁହନ୍ତି; ଅଗଣିତ ସାଧାରଣ ଜନତା ପାଗଳ ଭଳି ଛୁଟି ଚାଲିଛନ୍ତି । ଏ ସମ୍ବାଦ ସେମାନଙ୍କୁ କିଏ ଦେଲା, ସେ କଥା ସେମାନେ ଭଲ କରି ଭାବି ଦେଖିନାହାନ୍ତି, କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେମାନଙ୍କ ଶ୍ରମର ବିରାମ ନାହିଁ ।

 

ସକାଳ ହେଲାବେଳକୁ ଦେଖାଗଲା ଯମୁନାକୂଳରୁ ଘଟଣାସ୍ଥଳ ପର୍ଯ୍ୟନ୍ତ ସମୁଦ୍ରର ଜୁଆର ଭଳି ଉଦବେଳିତ ହୋଇ ଉଠିଛି ସଂଖ୍ୟାହୀନ ଜନତାର ଭିଡ଼ । ସମସ୍ତଙ୍କ ଦୃଷ୍ଟିରେ ଅଧୀର ଆଗ୍ରହ, ମନରେ ନାନା ଆଶଙ୍କା, ଭୟ, ସନ୍ଦେହ ।

 

କିଛି ସମୟ ପରେ ଦେଖାଗଲା, ଅଶ୍ଵ ଆରୋହଣ କରି ଦୂରରୁ ଛୁଟି ଆସୁଛନ୍ତି ସୁଲତାନନନ୍ଦିନୀ ରେଜିୟା । ଦେହରେ ଆଚ୍ଛାଦିତ ହୋଇଛି ଗାଢ଼ ରକ୍ତବର୍ଣ୍ଣର ପୋଷାକ । ଶୋକର ସ୍ମୃତିଚିହ୍ନ ସ୍ୱରୂପ ସେ ପିନ୍ଧିଛନ୍ତି ଲାଲ୍ ପରିଧେୟ, କିନ୍ତୁ ମୁଁହରେ ବିଲୋଳ ହସ, ବିସ୍ମୟର ଚିହ୍ନ ।

 

ରେଜିୟାଙ୍କୁ ଦେଖିବା ମାତ୍ରେ ଜନତା ମଧ୍ୟରେ ଆନନ୍ଦ କୋଳାହଳ ଦେଖାଗଲା ।

 

କୁର୍ଣ୍ଣିସ୍ ପକାଇ ଶହ ଶହ ଜନତା ତାଙ୍କୁ ବାଟ ଛାଡ଼ିଦେଲେ ।

 

ସ୍ଵାଭାବିକ୍ ଭାବରେ ସେ ଉଚ୍ଚଭୂମି ପାଖରେ ପହଞ୍ଚିବା ପରେ କୌଶଳ ସହ ଅଶ୍ଵ ତାଙ୍କର ଲମ୍ଫ ଦେଲା ।

 

ଖୋଦିତ ଗର୍ତ୍ତର ଠିକ୍ ଅପର ପାର୍ଶ୍ୱରେ ଅଶ୍ୱ ଉପରୁ ଡେଇଁପଡ଼ି ଠିଆ ହୋଇଗଲେ ରେଜିୟା । ତାଙ୍କ ପ୍ରିୟ ଅଶ୍ୱର ପଛ ଦୁଇ ଗୋଡ଼ ସେହି ଗର୍ତ୍ତ ଧାରରେ ରହିଯିବା ଫଳରେ, ଗର୍ତ୍ତ ଉପରେ କୃତ୍ରିମ ଭାବରେ ଆଚ୍ଛାଦନ କରାଯାଇଥିବା ଘାସ-ମାଟିର ଆସ୍ତରଣ ଭୂପତିତ ହେଲା ।

 

ସମବେତ ଜନତା ବିସ୍ମୟରେ ଆର୍ତ୍ତନାଦ କରି ଉଠିଲେ ।

 

ରେଜିୟା ଉତ୍ତେଜିତ ଭାବରେ ତାଜୁଦ୍ଦିନଙ୍କୁ ନିର୍ଦ୍ଦେଶ ଦେଲେ ସାଙ୍ଗେ ସାଙ୍ଗେ ଘଟଣାର ଅନୁସନ୍ଧାନ କରିବାକୁ ।

 

ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ ତାଜୁଦ୍ଦିନ ଓ ଆଲତୁନିୟା ।

 

ଯେଉଁମାନେ ଗତ ରାତ୍ରିରେ ଏ ଗର୍ତ୍ତ ଖନନକାର୍ଯ୍ୟ ସଂପନ୍ନ କରିଥିଲେ, ସେମାନଙ୍କୁ ଜନତା ସମ୍ମୁଖକୁ ଅଣାଗଲା ।

 

କ୍ରୁଦ୍ଧ ଜନତାର ଲୋହିତ ଚକ୍ଷୁ ଦେଖି ଦେହରକ୍ଷୀମାନେ ଜୀବନ ଭୟରେ ପ୍ରକାଶ କଲେ ଶାହାତୁର୍କାନଙ୍କ ରହସ୍ୟମୟ ଷଡ଼ଯନ୍ତ୍ରର ରୋମାଞ୍ଚକର କାହାଣୀ ।

 

ସେ କାହାଣୀ ଶୁଣି ସ୍ତବ୍ଧ ହେଲେ ସେନାବାହିନୀର ଅଧିନାୟକଗଣ ।

 

ବିଶ୍ଵାସଘାତକତାର ସେ ପ୍ରତ୍ୟକ୍ଷ ଦୃଶ୍ୟ ଦେଖି ମୁଣ୍ଡ ତଳକୁ କଲେ ମୌଲବୀ, କାଜିବୃନ୍ଦ-

 

ଉଚ୍ଛୃଙ୍ଖଳ ଜନତା ଦାବୀ କଲେ, ଶାହାତୁର୍କାନଙ୍କୁ ଏହି ଗର୍ତ୍ତରେ କବର ଦିଆଯାଉ...ଏ ବିଶ୍ଵାସଘାତକତାର କ୍ଷମା ନାହିଁ ।

 

ରେଜିୟା ସେମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇ ଡକାଇଲେ ନିଜାମୁଲ୍ ମୁଲକଙ୍କୁ ।

 

ବୃଦ୍ଧ ଅମାତ୍ୟ ଅଧୋବଦନରେ ଆସି ଠିଆହେଲେ ଜନତାର କାଠଅଡ଼ାରେ ।

 

ତାଙ୍କର ଧାରଣା ହୋଇଥିଲା, ତାଙ୍କର ସତର୍କବାଣୀ ଶୁଣି ସାବଧାନ ହୋଇଛନ୍ତି ଶାହାତୁର୍କାନ୍ । ଏହି କେତେଦିନ ହେଲା ଶାହାତୁର୍କାନ୍ ଶାସନ ପରିଚାଳନାରେ ଆଉ ହସ୍ତକ୍ଷେପ କରୁ ନ ଥିଲେ । ଆଖ ପାଖ ଅଞ୍ଚଳରେ ହୋଇଥିବା ବିଦ୍ରୋହ ଦମନ କରିବା ପାଇଁ ତାଙ୍କ ପରାମର୍ଶକ୍ରମେ ସମ୍ଭୋଗ ବିଳାସ ଛାଡ଼ି ସୁଲତାନ ଯାଇଥିଲେ ସେନା-ବାହିନୀର ଅଧିନାୟକ ହୋଇ-। ସେ ଭାବିଥିଲେ, ଏଥର ସୁଲତାନୀଶାହି ଶାସନର ଧାରା ବଦଳିଲା... ।

କିନ୍ତୁ... ।

 

ଜନତାର ସମ୍ମୁଖରେ ନିଜାମୁଲଙ୍କୁ ଦେଖି ରେଜିୟା ପ୍ରଶ୍ନ କଲେ, ମତେ ହତ୍ୟା କରିବା ପାଇଁ ଏଠାରେ ଯେଉଁ ଷଡ଼ଯନ୍ତ୍ର କରାଯାଇଥିଲା, ଜନତା ସେ ସମ୍ପର୍କରେ ଆପଣଙ୍କ ମତାମତ ଜାଣିବାକୁ ଚାହୁଛନ୍ତି ନିଜାମୁଲ ମୁଲକ !

 

ନିଜାମୁଲ୍ ମୁଲକଙ୍କ ଆଖି ଲୁହରେ ଛଳ ଛଳ ହୋଇ ଆସିଲା ।

 

Unknown

ସେ କଂପିତ କଣ୍ଠରେ କହିଲେ, ଆପଣ ଖୋଦାଙ୍କ ମେହେରବାନିରୁ ଏ ବିପଦରୁ ରକ୍ଷା ପାଇ ଯାଇଛନ୍ତି, ଏ ମୋ ପକ୍ଷରେ ପରମ ଆନନ୍ଦର କଥା । ବିଶ୍ୱାସ କରନ୍ତୁ, ଏ ଷଡ଼ଯନ୍ତ୍ର ସଂପର୍କରେ ମୁଁ କିଛିହେଲେ ଜାଣି ନାହିଁ ।

 

ନିଜାମୁଲ୍ ମୁଲକଙ୍କ ଏଭଳି ଉତ୍ତରରେ ଜନତା ଶାନ୍ତ ହେବା ବଦଳରେ ବିକ୍ଷୁବଧ ହୋଇ ଉଠିଲେ ।

 

ରେଜିୟା କହିଲେ, ଆପଣ ସୁଲତାନଙ୍କ ମୁଖ୍ୟ ଅମାତ୍ୟ । ଆପଣ ଯଦି ଏପରି ଏକ ଭୀଷଣ ଷଡ଼ଯନ୍ତ୍ର ସମ୍ପର୍କରେ ନିଜର ଅଜ୍ଞତା ପ୍ରକାଶ କରନ୍ତି, ତାହାହେଲେ ରାଜ୍ୟର ନିରାପତ୍ତା ଆପଣଙ୍କ ହାତରେ ସୁରକ୍ଷିତ ତ ?

 

ରେଜିୟା କଥାରେ ଜନତା ମଧ୍ୟରେ ସମର୍ଥନସୂଚକ ଆନନ୍ଦ-ଧ୍ଵନି ପ୍ରକାଶ ପାଇଲା ।

 

ରେଜିୟା କହିଲେ, ସୁଲତାନ ବର୍ତ୍ତମାନ ଦିଲ୍ଲୀରେ ଅନୁପସ୍ଥିତ । ବିଦ୍ରୋହ ଦମନ ପାଇଁ ସେ ରାଜଧାନୀ ବାହାରକୁ ଯାଇଛନ୍ତି। ଏ ଘଟଣା ପରେ ଜନତାର କ୍ରୂଧ ମନୋଭାବ ଆପଣ ଲକ୍ଷ୍ୟ କରୁଥିବେ । ଯେ ଏହି ଷଡ଼ଯନ୍ତ୍ର ସହ ଲିପ୍ତ, ତାଙ୍କୁ କି ଶାସ୍ତି ଦିଆଯିବ, ଆପଣ କହନ୍ତୁ ।

 

ନିଜାମୁଲ୍ ବିନୀତ ଭାବରେ କହିଲେ, ଅପରାଧୀ ନିଶ୍ଚୟ ଶାସ୍ତି ଭୋଗ କରିବ ଶାହାଜାଦୀ ! ଆଲ୍ଲାଙ୍କ କସମ୍ ନେଇ ମୁଁ କହୁଛି, ସୁଲତାନ ରାଜଧାନୀକୁ ଫେରିଆସିବା ପରେ ମୁଁ ତାର ଉପଯୁକ୍ତ ବ୍ୟବସ୍ଥା କରିବି ।

 

ନିଜାମୁଲ‌୍ ମୁଲକଙ୍କ ଉକ୍ତି ଶୁଣି ଉଦଗ୍ରୀବ ଜନତା ଆଡ଼କୁ ଦୃଷ୍ଟି ଫେରାଇଲେ ରେଜିୟା ।

 

ଜନତା ଉତକ୍ଷିପ୍ତ, ଉଚ୍ଛୃଙ୍ଖଳ ।

 

ସେମାନଙ୍କ କଣ୍ଠରେ ଗୋଟାଏ ସ୍ୱର, ଆମେ ଶାହାତୁର୍କାନଙ୍କୁ ଏହି ଗର୍ତ୍ତରେ କବର ଦେବାକୁ ଚାହୁଁ । ସୁଲତାନଙ୍କ ଆଦେଶ ଆମର ଆବଶ୍ୟକ ନାହିଁ ।

 

ତା’ ପରେ ହୋ’ ହାଲ୍ଲାରେ ଆକାଶ ପୃଥିବୀ ପ୍ରକମ୍ପିତ କରି ସେମାନେ ଶାହୀମଂଜିଲ ଆଡ଼କୁ ମାଡ଼ି ଚାଲିଲେ ।

 

ଉଚ୍ଛୃଙ୍ଖଳ, ଉତକ୍ଷିପ୍ତ ଜନସମୁଦ୍ରର ପଥରୋଧ କରିପାରିଲେ ନାହିଁ ନିଜାମୁଲ୍ ମୁଲକ କିମ୍ବା ରେଜିୟା । ଜନତା ମନରୁ ଧୈର୍ଯ୍ୟର ବାଲିବନ୍ଧ ଭୁଷୁଡ଼ି ପଡ଼ିଛି । ଜନସମୁଦ୍ରରେ ଜାଗିଛି ଅସନ୍ତୋଷର ଉତ୍ତାଳ ତରଙ୍ଗ । ସେ ତରଙ୍ଗର ପ୍ରତିରୋଧ କରିବ କିଏ ?

 

ବାଇଶି

 

ସଫଳତାର ସହ ବିଦ୍ରୋହ ଦମନ ଶେଷକରି ଦିଲ୍ଲୀକୁ ଫେରି ଆସୁଥିଲେ ସୁଲତାନ ରୁକନୁଦ୍ଦିନ୍ । ଜୀବନରେ ଏହା ତାଙ୍କର ପ୍ରଥମ ଗୌରବମୟ ବିଜୟ । ଯେଉଁମାନେ ତାଙ୍କୁ ଦୁର୍ବଳ, କାପୁରୁଷ ବୋଲି ପରିହାସ କରି କହୁଥିଲେ, ତାଙ୍କର ବିଜୟ ଏଥର ସେମାନଙ୍କୁ ନୀରବ କରିଦେବ ବୋଲି କଳ୍ପନା କରି ସୁଲତାନ ମନେ ମନେ ଉଲ୍ଲସିତ ହୋଇ ଉଠୁଥିଲେ ।

 

ତାଙ୍କ ସହ ସାଥି ହୋଇ ଫେରୁଥିବା ବିଶ୍ୱସ୍ତ ଅମୀର କରିମ୍ଉଦ୍ଦିନ ଜାହିଦଙ୍କୁ ସୁଲତାନ କହିଲେ, ଏଥର ଦିଲ୍ଲୀ ସିଂହାସନରେ ମୋର ଆସନ ଦୃଢ଼ ହେଲା ଜାହିଦ ! ଯେଉଁମାନେ ଭାବୁଥିଲେ, ଅମୀରମାନଙ୍କ ଅନୁକମ୍ପା ଉପରେ ନିର୍ଭର କରି ମୁଁ ସୁଲତାନ ହୋଇଛି, ଏ ବିଦ୍ରୋହ ଦମନ ଫଳରେ ସେମାନେ ବୁଝିବେ, ଦିଲ୍ଲୀସିଂହାସନ ଉପରେ ମୋର ପ୍ରଭୁତ୍ୱ ମୁଁ ତଲୱାର ବଳରେ ହିଁ ସାବ୍ୟସ୍ତ କରିଛି । କିନ୍ତୁ ଏ ଶାସନ ଦାୟିତ୍ୱରେ ମୁଁ ସବୁବେଳେ ବ୍ୟସ୍ତ ରହିବାକୁ ଚାହେ ନାହିଁ । ଏ ଦାୟିତ୍ୱ ଆପଣମାନଙ୍କର । ଏ ବିଦ୍ରୋହଦମନଜନିତ କ୍ଲାନ୍ତି ପରେ ମୁଁ କେଳିମନ୍ଦିରରେ ବିଶ୍ରାମ ଗ୍ରହଣ କରିବି...

 

କରିମ୍ଉଦ୍ଦିନ ଜାହିଦ୍ ଏକମତ ହେଲେ ସୁଲତାନଙ୍କ କଥାରେ ।

 

ଏଥର ସୁଲତାନଙ୍କ ସପକ୍ଷରେ ଯୁକ୍ତି କରିବା ପାଇଁ ସେମାନଙ୍କୁ ସୁଯୋଗ ମିଳିବ । ରୁକନଦ୍ଦିନଙ୍କୁ ଜଣେ ସ୍ତ୍ରୈଣ, ମାତାଲ୍ ବୋଲି ଆକ୍ଷେପ କରି ଯେଉଁମାନେ ପରିହାସ କରୁଥିଲେ, ସେମାନେ ଜବତ ହୋଇ ରହିବେ । ଆଉ ବିଦ୍ରୋହୀ ଉଜିର୍, ନବାବମାନେ... !

 

ସେମାନେ ସମୁଚିତ ଶିକ୍ଷା ଲାଭ କରିଛନ୍ତି ।

 

ଏକମୁଠା ତାସର ଖେଳ ଭଳି ସେମାନଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । ସୁଲତାନଙ୍କ ବିରାଟ ସୈନ୍ୟବାହିନୀର ସମ୍ମୁଖୀନ ହୋଇ ନ ପାରି ସେମାନେ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି ।

 

ଅନ୍ତତଃ ଆଉ କିଛି ବର୍ଷ ପାଇଁ ସେମାନେ ବିଦ୍ରୋହ କରିବାକୁ ସାହସ କରିବେ ନାହିଁ ।

 

ସୁଲତାନ ଇଲତୁମିସଙ୍କ ମୃତ୍ୟୁ ପରେ ସ୍ୱାଧୀନ ଭାବରେ ନବାବ୍ ହେବା ପାଇଁ ସେମାନେ ଯେଉଁ ସୁନେଲୀ କଳ୍ପନା କରୁଥିଲେ, ସେ କଳ୍ପନାର ମିନାର ଏଥର ଭାଙ୍ଗି ଭୁଷୁଡ଼ି ପଡ଼ିଛି-

 

ଦିଲ୍ଲୀ ନିକଟବର୍ତ୍ତୀ ହୋଇ ଆସୁଥିଲା ।

 

ଅମୀର ଫକିରୁଦ୍ଦିନ୍ ଦୁରକୁ ନିରୀକ୍ଷଣ କରି କହିଲେ, ଶାହିମଞ୍ଜିଲ୍ ପାଖରେ ଏତେ ଜନତାର ଭିଡ଼ ଜମିଛି କାହିଁକି ଖୋଦାବନ୍ଦ୍ !

 

ଫକିରୁଦ୍ଦିନଙ୍କ କଣ୍ଠରେ ଆତଙ୍କର ସ୍ୱରମୁର୍ଚ୍ଛନା ।

 

ସୁଲତାନ୍ ହସି ହସି କହିଲେ, ଆମର ବିଦ୍ରୋହ ଦମନ ଓ ପ୍ରତ୍ୟାଗମନ ସମ୍ବାଦ ହୁଏତ ରାଜଧାନୀରେ ପହଞ୍ଚିଯାଇଛି । ଆମକୁ ସ୍ୱାଗତ, ଅଭିନନ୍ଦନ ଜଣାଇବା ପାଇଁ ହୁଏ ତ ଏ ବିପୁଳ ଜନସମାଗମ ।

 

କିନ୍ତୁ ସେମାନେ ଯେତେ ଶାହୀମଞ୍ଜିଲ ନିକଟବର୍ତ୍ତୀ ହେଲେ, ସେତେ ସେମାନଙ୍କ ମନରେ ସନ୍ଦେହ, ଆଶଙ୍କା ଘନୀଭୂତ ହେବାକୁ ଲାଗିଲା ।

 

ଏ ଜନସମାବେଶ ଯେ ସ୍ଵାଗତ, ଅଭିନନ୍ଦନ ପାଇଁ ନୁହେଁ, ଫକିରଉଦ୍ଦିନ ସେ କଥା ବେଶ୍ ଭଲ ଭାବରେ ବୁଝିପାରୁଥିଲେ । ସମବେତ ଜନତାର ଉତ୍ତେଜିତ କଣ୍ଠସ୍ଵର; ହଟ୍ଟଗୋଳ ମଧ୍ୟରେ ଏକ ନୂତନ ବିପଦର ସୂଚନା ସ୍ପଷ୍ଟ ହେଉଥିଲା ।

 

ସୁଲତାନ ବିସ୍ମିତ ଭାବରେ ଅମୀରମାନଙ୍କ ଆଡ଼କୁ ଚାହିଁଲେ ।

 

ଅମୀର ରସିଉଦ୍ଦିନ ମାଲକାନି ସନ୍ଦିଗଧ କଣ୍ଠରେ କହିଲେ, କିଛି ବିଭ୍ରାଟ ସୃଷ୍ଟି ହୋଇଥିବା ଭଳି ମନେହେଉଛି । ସାରା ଦିଲ୍ଲୀ ସହରର ଲୋକେ ଶାହୀମଞ୍ଜିଲ୍ ପାଖରେ ଠୁଳ ହୋଇଛନ୍ତି । ସେମାନଙ୍କ ଉତ୍ତେଜିତ କଣ୍ଠସ୍ୱରରୁ ମନେହେଉଛି ଶାହୀମଞ୍ଜିଲ ଭିତରେ ସମ୍ଭବତଃ କୌଣସି ବିପଦ ସୃଷ୍ଟି ହୋଇଛି ।

 

ସୁଲତାନଙ୍କୁ ଦେଖି ଉତକ୍ଷିପ୍ତ ଜନତା ତାଙ୍କ ଆଡ଼କୁ ଛୁଟିବାକୁ ଲାଗିଲେ ।

 

ସେମାନଙ୍କ ମିଳିତକଣ୍ଠରେ ଗୋଟାଏ ଆବଜ୍-ଆମେ ଶାହାତୁର୍କାନଙ୍କ ପ୍ରଣାଦଣ୍ଡ ଚାହୁଁ ସୁଲତାନ !

 

ରୁକନଦ୍ଦିନଙ୍କ ସପ୍ନଭଙ୍ଗ ହେଲା ।

 

ତାଙ୍କର ସନ୍ଦେହ ହେଲା, ସେ ବିଦ୍ରୋହ ଦମନ ପାଇଁ ରାଜଧାନୀ ବାହାରକୁ ଯାଇଥିବାବେଳେ କୌଣସି ଅମୀର ହୁଏ ତ ରାଜଧାନୀରେ ବିଦ୍ରୋହୀ ହୋଇ ଉଠିଛନ୍ତି ।

 

ଅଶ୍ୱ ଉପରୁ ଡେଇଁପଡ଼ି ଘଟଣାର କାରଣ ଜାଣିବା ପାଇଁ ସେ ଚିତ୍କାର କଲେ, ନିଜାମୁଲ୍ ମୁଲକ ! ନିଜାମୁଲ୍ ମୁଲକ !

 

ନା-ନିଜାମୁଲ୍ ମୁଲକଙ୍କର ପତ୍ତା ସୁଦ୍ଧା ନାହିଁ ।

 

ସୁଲତାନ ଅସ୍ଥିର ଭାବରେ ରେଜିୟାଙ୍କ ଆଡ଼କୁ ଚାହିଁ ପଚାରିଲେ, କଅଣ ହୋଇଛି ଏଠାରେ ? କାହିଁକି ନବର ପାଖରେ ଏତେ ଜନସମାଗମ ?

 

ସମବେତ ଅମୀର୍ ଓ ସେନାନାୟକମାନଙ୍କୁ ସମ୍ମୁଖରେ ଦେଖି ରେଜିୟା ସାହସ ସଂଗ୍ରହ କଲେ ।

 

ବର୍ଣ୍ଣନା କଲେ ଶାହାତୁର୍କାନଙ୍କ ନାରକୀୟ ଷଡ଼ଯନ୍ତ୍ରର ବିସ୍ତୃତ କାହାଣୀ...

 

ଗର୍ତ୍ତ ଖନନ କରୁଥିବା ଦେହରକ୍ଷୀମାନେ ଘଟଣାର ସତ୍ୟତା ସମ୍ପର୍କରେ ସାକ୍ଷ୍ୟଦେଲେ-

 

ରେଜିୟା ନମ୍ର ସ୍ପଷ୍ଟକଣ୍ଠରେ ଆବେଦନ କଲେ, ଶାହାତୁର୍କାନ୍ ଏ ଗର୍ତ୍ତ ଖନନ କରି କେବଳ ମତେ ମାରିଦେବା ପାଇଁ ସେ ଷଡ଼ଯନ୍ତ୍ର କରିଥିଲେ ତା ନୁହେଁ, ଏ ଗର୍ତ୍ତରେ ସେ କବର ଦେବାକୁ ଚାହିଁଥିଲେ ଜନତାର ଆଶା, ଆକାଙକ୍ଷା ଆଉ ଅମୀରମାନଙ୍କ ବିଚାର ବୁଦ୍ଧି, ସବୁ କିଛି । ନିଜ ବ୍ୟକ୍ତିଗତ ସ୍ଵାର୍ଥସାଧନ ପାଇଁ ଜଣେ ନାରୀ କଅଣ କରିପାରେ, ଏ ତାର ନଗ୍ନ ଉଦାହରଣ । କେବଳ ମୋର ଜୀବନ ଆଜି ବିପଦାପନ୍ନ ନୁହେଁ; ଶାହାତୁର୍କାନଙ୍କ ସ୍ୱାର୍ଥନ୍ଧତା ଯୋଗୁ ସମଗ୍ର ତୁର୍କୀ ସମ୍ରାଜ୍ୟବାଦ...ଇସଲାମ୍ ଧର୍ମ ଆଜି ବିପଦରେ... !

 

ରେଜିୟାଙ୍କ ତେଜୋଦୀପ୍ତ, ଯୁକ୍ତିଯୁକ୍ତ ନମ୍ର ନିବେଦନ ସ୍ପର୍ଶ କଲା ସମବେତ ସମସ୍ତ ମୌଲବୀ, ଉଲେମା, କାଜି, ସେନାନାୟକ ଏବଂ ଅମୀରମାନଙ୍କ ପ୍ରାଣ, ଅନ୍ତର । ସେମାନେ ସ୍ତବ୍ଧ ଭାବରେ ଠିଆହୋଇ ରହିଲେ ।

 

ଜନତା କଣ୍ଠରୁ ପୁଣି ଆବାଜ ଉଠିଲା, ଆମେ ନ୍ୟାୟ ଚାହୁଁ ସୁଲତାନ ! ଆମେ ଚାହୁଁ ଶାହାତୁର୍କାନଙ୍କ ପ୍ରାଣଦଣ୍ଡ ଆଦେଶ...

 

କିଂକର୍ତ୍ତବ୍ୟବିମୁଢ଼ ସୁଲତାନ ଜନତାର ଦାବୀ ଶୁଣି କ୍ରୋଧରେ ଜର୍ଜ୍ଜରିତ ହୋଇ ପଡ଼ିଲେ-। ନିଜ ମନର ସମସ୍ତ ଭାରସାମ୍ୟ ହରାଇ ସେ ଚିତ୍କାର କଲେ, ଏ ସମସ୍ତ ଅଭିଯୋଗ ମିଥ୍ୟା, ଶାହାତୁର୍କାନ୍ ଦୋଷୀ ନୁହଁନ୍ତି, ମୋ ବିରୁଦ୍ଧରେ ଏହା ଏକ ପୂର୍ବପରିକଳ୍ପିତ ଷଡ଼ଯନ୍ତ୍ର । ମୁଁ ରାଜଧାନୀରେ ନ ଥିବା ବେଳେ ରେଜିୟା ନିଜେ ସିଂହାସନ ଲାଭ କରିବା ପାଇଁ ଏ ହୀନ ଷଡ଼ଯନ୍ତ୍ରର ଜାଲ ବିଛାଇଛନ୍ତି । ଏଥିପାଇଁ ରେଜିୟାଙ୍କୁ ହିଁ ମୁଁ ପ୍ରାଣଦଣ୍ଡ ଆଦେଶ ଦେଉଛି....

 

ମୁହୂର୍ତ୍ତକ ମଧ୍ୟରେ ପ୍ରଳୟ ଘଟିଗଲା ।

 

ସୁଲତାନଙ୍କଠାରୁ ଏଭଳି ଅନ୍ୟାୟ ଆଦେଶ କେହି ଆଶା କରି ନ ଥିଲେ ।

 

ଜନତା ଓ ଅମୀରମାନଙ୍କ ମଧ୍ୟରେ ଏଭଳି ଆଦେଶର ତୀବ୍ର ପ୍ରତିକ୍ରିୟା ଲକ୍ଷ୍ୟକରି ରେଜିୟା ବିନୀତ କଣ୍ଠରେ କହିଲେ, ଏହା ହିଁ ଯଦି ସୁଲତାନଙ୍କ ଆଦେଶ ଏବଂ ଆପଣମାନେ ଯଦି ଏ ଆଦେଶକୁ ସମର୍ଥନ କରୁଛନ୍ତି, ତେବେ ଶାସ୍ତି ଗ୍ରହଣ ପାଇଁ ମୁଁ ରାଜି । ହିନ୍ଦୁସ୍ଥାନରେ ଇସଲାମ୍ ଧର୍ମର ପ୍ରଚାର ଓ ତୁର୍କୀ ସାମ୍ରାଜ୍ୟର ପ୍ରସାର ପାଇଁ ଦିନେ ମୁଁ ସ୍ୱେଚ୍ଛାରେ ସିଂହାସନର ଦାବୀ ତ୍ୟାଗ କରିଥିଲି । ଆଜି ଯଦି ସେଥିପାଇଁ ମତେ ଆତ୍ମହତ୍ୟା କରିବାକୁ ହୁଏ, ସେଥିପାଇଁ ମୁଁ ପ୍ରସ୍ତୁତ ।

 

ସୁଲତାନନନ୍ଦିନୀଙ୍କ ଏହି ଶେଷବାଣୀ ସମବେତ ଜନତା ମଧ୍ୟରେ ସୃଷ୍ଟିକଲା ବିଦ୍ରୋହର ବହ୍ନି । ସହସ୍ର ସହସ୍ର ଜନତା, ଶତ ଶତ ସୈନ୍ୟ, ସେନାନାୟକ, ଅମୀର, ଉଲେମା ତାଙ୍କର ପକ୍ଷ ସମର୍ଥନ କରି ସୁଲତାନଙ୍କ ଆଦେଶର ପ୍ରତିବାଦ କଲେ ।

 

ରୁକନଦ୍ଦିନ ନିଜ ଆଦେଶ ବିରୁଦ୍ଧରେ ପ୍ରତିବାଦ ଶୁଣି ଅପମାନରେ ଅଗ୍ନିଶର୍ମା ହୋଇ ଉଠିଲେ ।

 

ସୈନ୍ୟବାହିନୀକୁ ଲକ୍ଷ୍ୟ କରି କହିଲେ, ଯେଉଁମାନେ ମୋ ଆଦେଶରେ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ଏଠାରେ ହତ୍ୟାକର ।

 

ସୁଲତାନଙ୍କ କଥା ଶେଷ ହେବା ଆଗରୁ ଉତକ୍ଷିପ୍ତ ଜନତା କ୍ରୋଧରେ ପାଗଳ ହୋଇ ଉଠିଲେ । ଯେଉଁ ସୈନ୍ୟବାହିନୀ ସୁଲତାନଙ୍କ ଇଙ୍ଗିତରେ ବିଦ୍ରୋହ ଦମନ ବେଳରେ ପ୍ରାଣର ମମତା ଛାଡ଼ି ଯୁଦ୍ଧକ୍ଷେତ୍ରକୁ ଡେଇଁ ପଡ଼ିଥିଲେ, ସେମାନେ ସୁଲତାନଙ୍କ ଅନ୍ୟାୟ ଆଦେଶର ପ୍ରତିବାଦ କରି ଠିଆହେଲେ ରୋଜିୟାଙ୍କ ପଛରେ...ସେମାନଙ୍କ କୋଷମୁକ୍ତ ତରବାରୀ ସୂର୍ଯ୍ୟାଲୋକରେ ଝଲସି ଉଠିଲା ସୁଲତାନଙ୍କ ଆଦେଶ ପାଳନ ପାଇଁ ନୁହେଁ; ତାଙ୍କ ଆଦେଶକୁ ଅମାନ୍ୟ କରିବା ଲାଗି !

 

ଜୀବନ ସଂକଟର ସମ୍ମୁଖୀନ ହେଲେ ସୁଲତାନ ରୁକନଦ୍ଦିନ ।

 

ସେ ଚାରିଆଡ଼େ ଚାହିଁ ଦେଖିଲେ କେବଳ ଶତ୍ରୁ...ଶତ୍ରୁ ! ସମୁଦ୍ରର ଗର୍ଜ୍ଜନ ଭଳି ଗର୍ଜ୍ଜମାନ ଜନସମୁଦ୍ର ଶାହାତୁର୍କାନଙ୍କ ମସ୍ତକ ବଦଳରେ ସ୍ଵୟଂ ତାଙ୍କରି ମସ୍ତକକୁ ସ୍କନ୍ଧଚ୍ୟୁତ କରିବା ପାଇଁ ଦାବୀ କରୁଛି ।

 

ଜୀବନ ଭୀରୁ ରୁକନଦ୍ଦିନ ବିଦ୍ରୋହୀ ଜନତାର କ୍ରୋଧରୁ ନିଜକୁ ବଞ୍ଚାଇବା ପାଇଁ ଅଶ୍ୱାରୋହଣ କରି ପଳାଇବାକୁ ଚେଷ୍ଟା କଲେ ।

 

କିନ୍ତୁ ସେ ଯିବେ କୁଆଡ଼େ ?

 

ଚତୁର୍ଦ୍ଦିଗରେ ବିଦ୍ରୋହର ଅଗ୍ନି ଶିଖା ଲହ ଲହ ଜିହ୍ଵା ବିସ୍ତାର କରି ତାଙ୍କ ଆଡ଼କୁ ମାଡ଼ି ଆସୁଛି । ତାଙ୍କର ପଳାୟନର ସମସ୍ତ ପଥ ଅବରୁଦ୍ଧ । ଯମୁନାର ଜଳ-ତରଙ୍ଗରେ ମଧ୍ୟାହ୍ନର ସୂର୍ଯ୍ୟାଲୋକ ଝଲସୁଛି ଶାଣିତ ତରବାରୀ ଭଳି । ଦିଲ୍ଲୀ ରାଜପଥର ପିପାସିତ ଉତ୍ତପ୍ତ ମୃତ୍ତିକା ମାଗୁଛି ଧାର ଧାର ରକ୍ତ; ତୃଷ୍ଣା ନିବାରଣ ପାଇଁ । ଚାରିଆଡ଼େ ରକ୍ତର ପିପାସା, ଚାରିଆଡ଼େ ଉଦ୍ୟତ ଖଡଗର ଝଣତକାର ।

 

କେଉଁ ଗୋପନୀୟ ଅନ୍ଧକାର ପଥ ଦେଇ ରୁକନଦ୍ଦିନ୍ ପଳାୟନ କରିବେ ନିଜର ପ୍ରାଣରକ୍ଷା ପାଇଁ ???

 

ତେଇଶି

 

ଜାତିର ଇତିହାସରେ, ରାଷ୍ଟ୍ରର ଇତିହାସରେ ବ୍ୟକ୍ତିର ଜୀବନରେ ଥରେ ଆସେ ଏହି ଅନାହୂତ, ଅପ୍ରତ୍ୟାଶିତ ଘଡ଼ିସନ୍ଧି ମୁହୂର୍ତ୍ତ, ଯେତେବେଳେ ସମୟର ଦାବୀ ପାଖରେ ସମସ୍ତଙ୍କୁ ମସ୍ତକ ଅବନତ କରିବାକୁ ହୁଏ । ବହୁ ଗୌରବମୟ ଜାତି, ବହୁ ଉନ୍ନତ ରାଷ୍ଟ୍ର, ବହୁ ଉଦ୍ଧତ ବ୍ୟକ୍ତି ସମୟର ଏହି ଶାସ୍ତି ଗ୍ରହଣ କରି ଅବନତ ହୁଅନ୍ତି ।

 

ଇତିହାସର ସର୍ପିଳ ଗତିରେ ଜାତି, ରାଷ୍ଟ୍ର ଓ ବ୍ୟକ୍ତି ଜୀବନର ଗତି ପରିବର୍ତ୍ତିତ ହୁଏ । ମହାକାଳର ଏହି ଆହ୍ୱାନକୁ କେହି ଏଡ଼ାଇ ପାରନ୍ତି ନାହିଁ ।

 

ସେ ଦିନର ସେହି ଅପ୍ରତ୍ୟାଶିତ ଘଟଣା....

 

ଅକଳ୍ପନୀୟ ପରିସ୍ଥିତି....

 

ହିନ୍ଦୁସ୍ଥାନରେ ତୁର୍କୀ ଶାସନର ଗତିକୁ ଏକ ସଂପୂର୍ଣ୍ଣ ଭିନ୍ନ ଦିଗରେ ପ୍ରବାହିତ କରିନେଲା-

 

ଶାହାତୁର୍କାନଙ୍କ ପାପପାଇଁ ସୁଲତାନ ରୁକନଦ୍ଦିନଙ୍କୁ ଗ୍ରହଣ କରିବାକୁ ହେଲା ଭୀଷଣ ଶାସ୍ତି । ବିଦ୍ରୋହ ଦମନ କରି ଫେରିଥିବାର ବିଜୟ ଗୌରବ, ଜନ-ବିଦ୍ରୋହର ଅଗ୍ନି ଧାସରେ ପୋଡ଼ି ମଳିନ ପଡ଼ିଗଲା ।

 

ପଳାୟନ କରିବାକୁ ଚେଷ୍ଟା କରି ସୁଦ୍ଧା ସେ ପାରିଲେ ନାହିଁ । ତାଙ୍କ ଦୁଇ ହାତରେ ଲାଗିଲା ଲୌହ ଶିକୁଳି ।

 

ଆଉ ଶାହାତୁର୍କାନ... !

 

ନିଜର ଷଡ଼ଯନ୍ତ୍ର ପରିକଳ୍ପନାର ଶୋଚନୀୟ ପରିଣତି ଦେଖି ଛଦ୍ମବେଶରେ ଦିଲ୍ଲୀ ଛାଡ଼ି ପଳାୟନ କରିବାକୁ ଚେଷ୍ଟା କରୁଥିବାବେଳେ ମାଲିକ୍ ଆଲତୁନିୟାଙ୍କ ହାତରେ ସେ ହେଲେ ବନ୍ଦିନୀ-

 

ଜନତା ଦାବୀ କଲା, ସେ ମାତା-ପୁତ୍ର ଦୁଇଜଣଙ୍କୁ ସେମାନଙ୍କ ଆଗରେ ହତ୍ୟା କରାଯାଉ । ସେମାନେ ସେମାନଙ୍କ ରକ୍ତ ଦେଖି ସାରିଲେ ହିଁ ଫେରିବେ...

 

ଉତକ୍ଷିପ୍ତ ଜନତାର ଏଭଳି ଅସମ୍ଭବ ଦାବୀ ଦେଖି ରେଜିୟା ମଧ୍ୟ ବ୍ୟଥିତା ହେଲେ । ତାଙ୍କର ମନେ ହେଲା, ସମସ୍ତ ଘଟଣା ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି । ଦୋଷୀକୁ ଦଣ୍ଡ ଦେବା ନାମରେ ଅରାଜକତାର ବୀଜ ବପନ କରାଯାଉଛି ।

 

ପରିସ୍ଥିତିକୁ ସମ୍ଭାଳିବା ପାଇଁ ସେ ତାଜୁଦ୍ଦିନଙ୍କୁ ଅନୁରୋଧ କଲେ ।

 

ଏ ସମସ୍ତ ନାଟକୀୟ ଘଟଣାର ନୀରବଦ୍ରଷ୍ଟା ତାଜୁଦ୍ଦୀନ ଗମ୍ଭୀର କଣ୍ଠରେ ନିବେଦନ କଲେ, ଦୋଷୀର ବିଚାର କରାଗଲା ପରେ ଶାସ୍ତି ବିଧାନ କରାଯିବ । ବିନା ବିଚାରରେ କାହାରିକୁ ଶାସ୍ତି ଦେବା ଇସଲାମ୍ ଧର୍ମର ପରିପନ୍ଥୀ । ପବିତ୍ର କୋରାନ୍ ନାମରେ ମୁଁ ଶପଥ କରି କହୁଛି; ଦୋଷୀ ପ୍ରତି କେବେ ହେଲେ ଦୟା ପ୍ରଦର୍ଶନ କରାଯିବ ନାହିଁ । ଆଇନ୍ ଅନୁସାରେ ଶାସ୍ତି ଦିଆଯିବ-

 

ଉତ୍ତ୍ୟକ୍ତ ଜନତା ତରଫରୁ ଦାବୀ ହେଲା, ସୁଲତାନ ଇଲତୁମିସଙ୍କ ମୃତ୍ୟୁପରେ ଦିଲ୍ଲୀରୁ ଆଇନର ଶାସନ ଭାଙ୍ଗି ପଡ଼ିଛି । ଆଉ ଆଇନର ଶାସନ କଥା କହି ଆମ ସହ ପ୍ରତାରଣା କରିବା ଉଚିତ ନୁହେଁ । ଦିଲ୍ଲୀରେ ଆଇନ୍ କାହିଁ ?

 

ଅଧୈର୍ଯ୍ୟ ନହୋଇ ତାଜୁଦ୍ଦିନ ବିନୀତ ଭାବରେ କହିଲେ ଆପଣମାନେ ଠିକ୍ କହିଛନ୍ତି, ରୁକନଦ୍ଦିନ ଓ ଶାହାତୁର୍କାନଙ୍କ ଯୋଗୁ ଦେଶରୁ ଆଇନର ଶାସନ ଲୋପ ପାଇଛି । ଆମକୁ ସେହି ଆଇନର ଶାସନ ପୁର୍ନପ୍ରତିଷ୍ଠା କରିବାକୁ ହେବ । ସେଥିପାଇଁ ମୁଁ ପ୍ରସ୍ତାବ କରୁଛି ରୁକନଦ୍ଦିନଙ୍କ ବଦଳରେ ଆଜିଠାରୁ ଦିଲ୍ଲୀର ସୁଲତାନା ହୁଅନ୍ତୁ ରେଜିୟା... ।

 

ସୁଲତାନା ରେଜିୟା !

 

ସମବେତ ଜନତାର କର୍ଣ୍ଣରେ ସତେ ଯେପରି ଅମୃତ ବୃଷ୍ଟି ହୋଇଗଲା ।

 

ସମର୍ଥକ ସୂଚକ କରତାଳି ଧ୍ଵନିରେ ପ୍ରକମ୍ପିତ ହେଲା ଘଟଣାସ୍ଥଳୀ ।

 

ଜନତାର ମନରେ ଘନିଭୂତ ହୋଇ ରହିବା ଅସନ୍ତୋଷ, ଅଶାନ୍ତି ହଠାତ୍ ସତେ ଯେପରି ଜଳ ହୋଇ ବହିଗଲା ।

 

ବିପୁଳ ହର୍ଷଧ୍ଵନି, ଆନନ୍ଦଶତ୍କାର ମଧ୍ୟରେ ସମବେଦ ଚତ୍ତ୍ଵାରିଂଶ ଅମୀର୍ ରେଜିୟାଙ୍କୁ ସୁଲତାନା ଭାବରେ ସେହି ସ୍ଥାନରେ ସ୍ଵୀକାର କଲେ ।

 

ସେନାନାୟକମାନେ ତାଙ୍କ ପାଦତଳେ କୋଷମୁକ୍ତ ତରବାରୀ ରଖି ଅଙ୍ଗୀକାର କଲେ ସେମାନଙ୍କର ଆନୁଗତ୍ୟ ।

 

ବିନାଯୁଦ୍ଧ, ବିନା ରକ୍ତପାତରେ ଜନତାର ଆନ୍ତରିକ ଅଭିନନ୍ଦନ ମଧ୍ୟରେ ରେଜିୟା ହେଲେ ଦିଲ୍ଲୀର ସୁଲତାନା !

 

ଇଲତୁମିସଙ୍କ ଶେଷ ଇଚ୍ଛା ପୂରଣ ହେଲା ।

 

ଆନୁଷ୍ଠାନିକ ଭାବରେ ଦିଲ୍ଲୀ ସିଂହାସନ ପରିଚାଳନା ଦାୟିତ୍ଵ ଗ୍ରହଣ କରି ରେଜିୟା ଘୋଷଣା କଲେ, ଆଲ୍ଲାଙ୍କ ନାମରେ ଆପଣମାନଙ୍କ ସମ୍ମୁଖରେ ମୁଁ ଶପଥ ନେଉଛି ମୁଁ ନାରୀ କିନ୍ତୁ ଯେକୌଣସି ପୁରୁଷଠାରୁ ମୁଁ ଅଧିକ ଦକ୍ଷତାର ସହିତ ରାଜ୍ୟ ଶାସନ କରିବାକୁ ଚେଷ୍ଟା କରିବି । ଯଦି ମୁଁ ମୋ ଶପଥ ପୂରଣ ଦିଗରେ ସକ୍ଷମ ନହୁଏ, ତା ହେଲ ଆପଣମାନେ ମୋର ମସ୍ତକ ଛେଦ ‘କରି ମୋ ଅଯୋଗ୍ୟତାର ଶାସ୍ତି ବିଧାନ କରିବେ । ହିନ୍ଦୁସ୍ଥାନର ଉନ୍ନତି, ତୁର୍କୀ ସାମ୍ରାଜ୍ୟର ସୁରକ୍ଷା’ ଇସଲାମ ଧର୍ମର ପ୍ରଚାର ହେବ ମୋ ଜୀବନର ବ୍ରତ । ଖୋଦା ଏଥିପାଇଁ ମତେ ଶକ୍ତି ଦିଅନ୍ତୁ ।

 

ସୁଲତାନା ରେଜିୟାଙ୍କ ସେ ଘୋଷଣା ପରେ ସେ ଉତ୍ତପ୍ତ ପରିବେଶ ଶୀତଳ ହୋଇଗଲା । ଏକ ନୂତନ ପ୍ରାଣ-ଚାଞ୍ଜଲ୍ୟରେ ସଂଜୀବିତ ହୋଇ ଉଡ଼ିଲା ଦିଲ୍ଲୀ ସହର । ନୂତନ ଆଶା, ନବୀନ ଉଦ୍ଦୀପନାରେ ଜନ ଜୀବନର ଯମୁନା ପ୍ରବାହ ପ୍ଳାବିତ କଲା ଭାରତ ଇତିହାସର ସେହି ଗୌରବମୟ ପୃଷ୍ଠା !

 

ଚବିଶ

 

ଶାହୀ ମଂଜିଲ୍ । ରାଜପ୍ରାସାଦ ।

 

ଦିଲ୍ଲୀ ସିଂହାସନ ଆରୋହଣ କରିବାପରେ ରେଜିୟା ପ୍ରବେଶ କଲେ ଶାହୀମଂଜିଲର ସୁସଜ୍ଜିତ ଅଳିନ୍ଦରେ । ଜନାତାର ବିପୁଳ ଅଭିନନ୍ଦନ, ଆକୁଣ୍ଠିତ ଶୁଭେଚ୍ଛା ନେଇ ସୁଲତାନା ହେବା ପରେ ଦାୟିତ୍ୱର ଗୁରୁ ଭାରରେ ମସ୍ତକ ତାଙ୍କର ଅବନତ ହୋଇ ପଡ଼ୁଥିଲା ।

 

ସିଂହାସନ ଆରୋହଣ କରିବା ପାଇଁ ତାଙ୍କୁ ଶତ୍ରୁର ଶୋଣିତରେ ହସ୍ତ ପ୍ରକ୍ଷାଳନ କରିବାକୁ ହୋଇନାହିଁ ସତ୍ୟ; କିନ୍ତୁ ଶାହାତୁର୍କାନ୍, ରୁକନଦ୍ଦିନଙ୍କ ଭଳି ବହୁ ଆତ୍ମୀୟଙ୍କୁ ହରାଇବାକୁ ପଡ଼ିଛି ।

 

ତାଙ୍କର ବାସ ଗୃହରେ ଶଯ୍ୟା କୁସୁମିତ ।

 

କିନ୍ତୁ ଶାସନର ପଥ ତାଙ୍କର କଣ୍ଟକାକୀର୍ଣ୍ଣ ।

 

ଜନତା ଆଗରେ ସେ ଶପଥ ନେଇଛନ୍ତି, ନାରୀ ହୋଇ ସୁଦ୍ଧା ସେ ପୁରୁଷଠାରୁ ବଳି ଅଧିକ ଦକ୍ଷତାର ସହ ଶାସନ ପରିଚାଳନା କରିବେ । ଏଥିପାଇଁ ତାଙ୍କ ନିଜ ମନ ଭିତରେ ଆତ୍ମବିଶ୍ଵାସ ଓ ଦୃଢ଼ତାର ଅଭାବ ନାହିଁ ।

 

କିନ୍ତୁ ରାଜ୍ୟର ଏ ପରିବର୍ତ୍ତିତ, ବିଚିତ୍ର ପରିସ୍ଥିତିରେ ସେ ନିଜର ଶପଥ ରକ୍ଷା କରି ପାରିବେତ !

 

ନିଜର ସହକର୍ମୀ, ଶୁଭାକଂକ୍ଷୀ ବନ୍ଧୁମାନଙ୍କୁ ବିଦାୟ ଦେଇ ସୁଲତାନା ଶାହୀମଂଜିଲର ସେହି ନିର୍ଜନ ଅଳିନ୍ଦରେ ପଦଚାରଣ କରିବାକୁ ଲାଗିଲେ ।

 

କକ୍ଷରେ ଦେୱାଲରେ ଝୁଲୁଛି ଭାରତବର୍ଷରେ ତୁର୍କୀ ଶାସକମାନଙ୍କ ପ୍ରତିକୃତି । କେଉଁ ନିପୂଣ କଳାକାର ଅଙ୍କନ କରିଛି ସେଇ କାଳଜୟୀ ବୀର ପୁରୁଷମାନଙ୍କ ଛବି ।

 

ନିସ୍ତବ୍ଧ ଭାବରେ ସେହି ପ୍ରତିକୃତିଗୁଡ଼ିକୁ ଚାହିଁ ରହିଲେ ରେଜିୟା ।

 

ପ୍ରଥମେ ତାଙ୍କର ଦୃଷ୍ଟି ପଥାରୁଢ଼ ହେଲା ମୁଜଉଦ୍ଦିନ ମହମ୍ମଦ ଘୋରିଙ୍କ ସେହି ଦୀର୍ଘକାୟ ଛବି । ମଧ୍ୟ ଏସିଆର ଏହି ମହାନ ବୀର ପୁରୁଷ ନିଜ ରାଜ୍ୟର ଭୌଗୋଳିକ ସୀମାରେଖା ପ୍ରସାରିତ କରିବାପାଇଁ ହିନ୍ଦୁସ୍ଥାନ ଉପରେ ପ୍ରଥମେ ଆରମ୍ଭ କରିଥିଲେ ସୁପରିକଳ୍ପିତ ଆକ୍ରମଣ... । ମାମୁଦଙ୍କ ଭଳି କେବଳ ଲୁଣ୍ଠନ କିମ୍ବା କାଫେର-ସଂହାର ମତାନ୍ଧତା ନେଇ ସେ ଆକ୍ରମଣ କରି ନଥିଲେ, ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟବାଦର ପ୍ରତିଷ୍ଠା ହିଁ ଥିଲା ତାଙ୍କର ଅନ୍ତିମ ଇଚ୍ଛା-

 

ଅଶ୍ୱପୃଷ୍ଠରେ ଉପବିଷ୍ଟ ମହମ୍ମଦ ଘୋରିଙ୍କ ସେଇ ଛବିକୁ ନିରୀକ୍ଷଣ କଲାବେଳେ ରେଜିୟାଙ୍କ ଆଖିରେ ନାଚି ଉଠିଥିଲା ତିରୋରୀ ଯୁଦ୍ଧର ଇତିହାସ...ପୃଥ୍ୱୀରାଜ ଚହ୍ୱାନଙ୍କ ଭଳି ବୀର ହିନ୍ଦୁ ସମ୍ରାଟଙ୍କ ଦ୍ଵାରା ଶୋଚନୀୟ ପରାଜୟର ସ୍ମୃତି...

 

ପିତା ଇଲତୁମିସଙ୍କ ଠାରୁ ଶୁଣିଛନ୍ତି ସେ...

 

ହିନ୍ଦୁ ସୈନ୍ୟ ପରାଜିତ ତୁର୍କୀ ସୁଲତାନଙ୍କ ଅନୁଧାବନ କରୁ ଥାଆନ୍ତି...ପ୍ରାଣ ବିକଳରେ ଆତ୍ମରକ୍ଷା ପାଇଁ ପଳାୟନ କରୁଥାଆନ୍ତି ମହମ୍ମଦ ଘୋରି...ସମ୍ମୁଖରେ ଏକ ଶୀର୍ଣ୍ଣସ୍ରୋତା ନଦୀ ତଟ ଦେଖି ସେ ଅଶ୍ଵ ଠିଆ କରାଇଥିଲେ...

 

ତାଙ୍କର ଜଣେ ବିଶ୍ଵସ୍ତ ଅନୁଚର କହିଲା ଏ ବିଶ୍ରାମର ବେଳ ନୁହେଁ ସୁଲତାନ । ହିନ୍ଦୁ ସୈନ୍ୟବାହିନୀ ଆମର ଅନୁସରଣ କରୁଛନ୍ତି...ଯୁଦ୍ଧରେ ଆମର ଯେଉଁ ଶୋଚନୀୟ ପରାଜୟ ହୋଇଛି, ସେଥିରେ ଆଉ କାହାରିଠାରେ ଆମର ପ୍ରତିରୋଧ ଶକ୍ତି ନାହିଁ...ଏ ପୈତୃକ ପ୍ରାଣ ନେଇ ଚାଲନ୍ତୁ ଆମେ ପଳାଇବା...

 

ଅନୁଚରର ଉକ୍ତି ଶୁଣି ସ୍ମିତହାସ୍ୟର ଏକ ଅସ୍ପଷ୍ଟ ରେଖା ମହମ୍ମଦଙ୍କ ମୁହଁରେ ଦେଖାଦେଇ ଅପସରି ଗଲା । ସେ ବିସ୍ମୟ ବିମୁଢ଼ ଭାବରେ କହିଲେ ଆଉ ପଳାଇବା କୁଆଡ଼େ ? ପଥ କାହିଁ । ମଧ୍ୟ ଏସିଆରେ ଆମର ସେ ପୈତୃକ ରାଜ୍ୟ ଆଉ ଆମର ହୋଇ ନାହିଁ...ବର୍ବର ମୋଙ୍ଗଲ ମାନେ କେବଳ ମଧ୍ୟ ଏସିଆରୁ ଆମକୁ ବିତାଡ଼ିତ କରିନାହାନ୍ତି, ସେମାନଙ୍କ ହାତରେ ସିନ୍ଧ୍ ଆଫଗାନିସ୍ଥାନ ମଧ୍ୟ ପଡ଼ି ଯାଇଛି । ଆମର ପୈତୃକ ପ୍ରାଣ ଅଛି କିନ୍ତୁ ପୈତୃକ ରାଜ୍ୟ ନାହିଁ । ମଧ୍ୟ ଏସିଆରେ ଆଜି ତୁର୍କୀ ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ବେଳ...ଆମକୁ ବଞ୍ଚି ରହିବାକୁ ହେଲେ ଆମର ଏକମାତ୍ର ଆଶ୍ରୟସ୍ଥଳ ଏହି ହିନ୍ଦୁସ୍ଥାନ...ଏହି ସୈନ୍ଧବ ଗାଙ୍ଗେୟ ସମତଳ ଭୂମି...ହିନ୍ଦୁସ୍ଥାନ ସୁନା ହୀରାର ଦେଶ...ମୋତି ମାଣିକ୍ୟର ମାଟି...ଆରବର ଧୁ ଧୁ ବାଲି ଖଜୁରି ବଣରେ ପ୍ରାଣ ବଞ୍ଚାଇବା ଅପେକ୍ଷା ହିନ୍ଦୁସ୍ଥାନର ଏ ସୁନା ହୀରା ମୋତି ମାଣିକ୍ୟର ମାଟିରେ ପ୍ରାଣ ହରାଇବା ଭଲ...ଆମକୁ ବଞ୍ଚି ରହିବାକୁହେଲେ ଏହି ହିନ୍ଦୁସ୍ଥାନରେ ଆମକୁ ନୂତନ ତୁର୍କୀ ସାମ୍ରାଜ୍ୟ ସ୍ଥାପନ କରିବାକୁ ହିଁ ହେବ...

 

ଜୀବନ-ଭୀରୁ ତୁର୍କୀ ଅନୁଚର ଜଣକ ଅନାଗତ ଆଶଙ୍କାରେ ଦୀର୍ଘ ଶ୍ୱାସ ତ୍ୟାଗକରି କହିଥିଲା କିନ୍ତୁ ଏହା କଣ ସମ୍ଭବ ? ପୃଥ୍ୱୀରାଜଙ୍କ ସେ ଯୋଦ୍ଧା ବେଶ ଦେଖି ଆପଣ କଅଣ ବୁଝିପାରୁ ନାହାନ୍ତି, ହିନ୍ଦୁ ମାନଙ୍କୁ ସାମରିକ କ୍ଷେତ୍ରରେ ପରାସ୍ତ କରିବା ଏକ ଅସମ୍ଭବ ବ୍ୟାପାର-

 

ଶୀର୍ଣ୍ଣ ସ୍ରୋତା ତଟିନୀରୁ ଚଳ ଚଳ ଜଳ ପିଇ ତୃଷା ନିବାରଣ କରୁଥିଲେ ମହମ୍ମଦ ।

 

ନିଃଶ୍ଵାସ ନେଇ ସେ ଉତ୍ତର ଦେଇଥିଲେ ସମ୍ମୁଖ ସମରରେ ଯାହା ସମ୍ଭବ ନୁହେଁ, ମିଥ୍ୟା ଚକ୍ରାନ୍ତଦ୍ଵାରା ତାହା ଆମକୁ କରିବାକୁ ହିଁ ହେବ । ହିନ୍ଦୁମାନେ ସରଳ; ଧର୍ମବିଶ୍ଵାସୀ । ଏକତା ଅଭାବରୁ ସେମାନେ ଦୁର୍ବଳ । ଏହାରି ସୁଯୋଗ ନେଇ ଆମକୁ ଶତ୍ରୁ ସହ ମୁକାବିଲା କରିବାକୁ ହେବ...ପରାଜୟର ଛଳନା କରି ଯୁଦ୍ଧ କ୍ଷେତ୍ରରୁ ପଳାଇ ଆସିବାକୁ ଆରମ୍ଭକଲେ ହିନ୍ଦୁ ସୈନ୍ୟମାନେ ବିଜୟ ଗର୍ବରେ ବିଶୃଙ୍ଖଳ ହୋଇ ପଡ଼ିବେ-ଠିକ୍ ସେହି ସୁଯୋଗରେ ହଠାତ୍ ଆମେ ପାଲଟା ଲଢ଼େଇ କରି ପଛପଟୁ ସେହି ବିଶୃଙ୍ଖଳ ସୈନ୍ୟବାହିନୀକୁ ପରାସ୍ତ କରି ଦେଇ ପାରିବା ।

 

କିନ୍ତୁ ଯୁଦ୍ଧ କ୍ଷେତ୍ରରେ ଏଭଳି ଅନ୍ୟାୟ ଚକ୍ରାନ୍ତ କଅଣ ଇସଲାମଧର୍ମାନୂମୋଦିତ ହେବ ଖୋଦାବନ୍ଦ ? -ବିସ୍ମୟରେ ପ୍ରଶ୍ନ କରିଥିଲା ତୁର୍କୀ ଅନୁଚର ଜଣକ ।

 

ଏକ କୁଟିଳ ହାସ୍ୟରେଖା ପ୍ରକଟିତ ହୋଇଥିଲା ସୁଲତାନଙ୍କ ଅଧର-ଉପାନ୍ତରେ ।

 

ସେ ଅସ୍ପଷ୍ଟ କଣ୍ଠରେ ଉତ୍ତର ଦେଇଥିଲେ, ହିନ୍ଦୁସ୍ଥାନରେ ଇସଲାମ ଧର୍ମର ପ୍ରଚାର ପାଇଁ ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ-କାଫେରମାନଙ୍କ ହାତରେ ପରାସ୍ତ ହୋଇ କେଉଁ ମୁହଁରେ ମୁଁ ଗଜନିକୁ ଫେରିବି ?

 

ସ୍ଵପ୍ନ ତାଙ୍କର ସଫଳ ହୋଇଥିଲା ।

 

ଚକ୍ରାନ୍ତ ତାଙ୍କର ଅବ୍ୟର୍ଥ ।

 

ଦ୍ଵିତୀୟ ତିରୋରୀ ଯୁଦ୍ଧରେ ତାଙ୍କର ସେହି ଛଳନା, ଚକ୍ରାନ୍ତର ବିଜୟଦ୍ଵାରା ହିଁ ହିନ୍ଦୁସ୍ଥାନରେ ସେ ପକାଇଥିଲେ ତୁର୍କୀ ସାମ୍ରାଜ୍ୟର ମୂଳଦୁଆ ।

 

ମହମ୍ମଦଙ୍କ ପ୍ରତିକୃତି ପାଖରେ କୁର୍ଣ୍ଣିସ୍ ପକାଇ ରେଜିୟା ଅନ୍ୟ ଏକ ପ୍ରତିକୃତି ପାଖରେ ଠିଆ ହୋଇଥିଲେ ।

 

ଏ କାହାର ପ୍ରତିକୃତି ।

 

କୁତବୁଦ୍ଦିନ ଆଇବାକ୍ ।

 

ଗ୍ରୀସୀୟ ଦେବତାଙ୍କ ଭଳି ଅପୂର୍ବ ସୁନ୍ଦର ମୁଖମଣ୍ଡଳ । ଆଖିରେ ଅମଳିନ ଜ୍ୟୋତି । ହାତରେ କୋଶମୁକ୍ତ ତଲୱାର୍ । ଠିଆହେବାର ଭଙ୍ଗୀରେ ଏକ ଅପୂର୍ବ ଔଦ୍ଧତ୍ୟ ।

 

ମହମ୍ମଦ ଘୋରି ହିନ୍ଦୁସ୍ଥାନରେ ପକାଇଥିବା ତୁର୍କୀ ସାମ୍ରାଜ୍ୟର ମୂଳଦୁଆକୁ ସେ ବିସ୍ତୃତ କରିଥିଲେ ସତ୍ୟ, କିନ୍ତୁ ସେ ନଥିଲେ ତାଙ୍କର ଉତ୍ତରାଧିକାରୀ ବଂଶଧର ।

 

ମହମ୍ମଦ ଥିଲେ ଅପତ୍ୟହୀନ ।

 

ତାଙ୍କ ପରେ ତାଙ୍କ ଭ୍ରାତୁଷ୍ପୁତ୍ର ଗିୟାସୁଦ୍ଦିନ ମହମ୍ମଦ ଅଧିକାର କରିଥିଲେ ଗଜନିର ସିଂହାସନ । ସାମ୍ରାଜ୍ୟର ସୀମାରେଖାକୁ ବିସ୍ତୃତ କରିବା ତ ଦୂରର କଥା, ଗଜନି ଭିନ୍ନ ଅନ୍ୟ କୌଣସି ଅଧିକୃତ ରାଜ୍ୟ ଶାସନ କରିବାପାଇଁ ମଧ୍ୟ ତାଙ୍କର ଆଗ୍ରହ ନଥିଲା । ସେ ଦାୟିତ୍ଵ ପଡ଼ିଥିଲା ତାଙ୍କର ଦାସମାନଙ୍କ ହାତରେ ।

 

ମହମ୍ମଦଙ୍କ କ୍ରୀତଦାସ ଥିଲେ ଆଇବାକ୍ ।

 

ହିନ୍ଦୁସ୍ଥାନରେ ଥିବା ତୁର୍କୀ ସାମ୍ରାଜ୍ୟର ଶାସନ ଦାୟିତ୍ୱ ନ୍ୟସ୍ତ ଥିଲା ତାଙ୍କ ଉପରେ

 

ତାଙ୍କର ଅସାଧାରଣ ବୀରତ୍ୱ, ରାଜନୈତିକ ବିଚକ୍ଷଣତା ଯୋଗୁ କାଫେର୍, ମୋଙ୍ଗଲ୍ ଆଉ ନାସିରଉଦ୍ଦିନ କୁଇବଚାଙ୍କ ଭଳି ତୁର୍କୀଦାସଙ୍କ ଶତ୍ରୁତା ସତ୍ଵେ ସେ ଦିଲ୍ଲୀ ସିଂହାସନରେ ପ୍ରତିଷ୍ଠା କରିଥିଲେ ତାଙ୍କର ଆଧିପତ୍ୟ ।

 

ଶତ୍ରୁର ବିକ୍ରମ ତାଙ୍କୁ ସଂତ୍ରସ୍ତ କରି ପାରି ନଥିଲା ।

 

ତାଙ୍କ ହାତରୁ ଦିଲ୍ଲୀ ସିଂହାସନର ଅଧିକାର କାଢ଼ି ନେବାପାଇଁ ନାସିରଉଦ୍ଦିନ, ତାଜୁଦ୍ଦିନ ୟାଲଜିଜଙ୍କ ଭଳି ବହୁ ଈର୍ଷା ପରାୟଣ ତୁର୍କୀ ଅମୀର୍ ପ୍ରଚେଷ୍ଟା କରିଥିଲେ । ବହୁ ସଂଗ୍ରାମରେ ସେମାନଙ୍କର ସମ୍ମୁଖୀନ ହୋଇଥିଲେ ଆଇବାକ୍ ।

 

ଶତ୍ରୁ ପରାଭୂତ ହୋଇଥିଲା ।

 

ଦିଲ୍ଲୀ ସିଂହାସନରେ ପ୍ରତିଷ୍ଠିତ ହୋଇଥିଲା କ୍ରୀତଦାସମାନଙ୍କର ସମ୍ମିଳିତ ଆଧିପତ୍ୟ !

 

ଏହି ସେହି ବୀର ପୁରୁଷ ଆଇବାକ୍ !

 

କୃତଜ୍ଞତାରେ ରେଜିୟାଙ୍କ ମସ୍ତକ ତାଙ୍କ ପ୍ରତିକୃତି ପାଖରେ ଅବନତ ହୋଇ ପଡ଼ିଲା ।

 

ଗୋଟିଏ ଦେୱାଲ୍ ଛାଡ଼ି କକ୍ଷର ଅପର ଦେୱାଲ୍ ପାଖରେ ସେ ଠିଆ ହେଲେ ।

 

କାହାର ଏ ପ୍ରତିକୃତି ?

 

ସୁଲତାନ ଇଲତୁମିସ୍ !

 

କୁତବୁଦ୍ଦିନ ଆଇବକ୍ଙ୍କ ପ୍ରିୟତମ ଦାସ, ପରବର୍ତ୍ତୀକାଳରେ ତାଙ୍କର ସୁଯୋଗ୍ୟ ଜାମାତା ଇଲ୍ତୁମିସ୍ !

 

ଇଲତୁମିସଙ୍କ ଦୃଷ୍ଟିରେ ହିଂସା କିମ୍ବା କ୍ରୋଧର ଚିହ୍ନ ନଥିଲା । ତା ବଦଳରେ ଫୁଟି ଉଠିଥିଲା ଦାର୍ଶନିକ ସୁଲଭ ପ୍ରଶାନ୍ତ ଭାବ । ଆଇବାକଙ୍କ ଦାସମାନଙ୍କୁ ଦାସତ୍ୱର ବନ୍ଧନରୁ ମୁକ୍ତି ଦେଇ ସେ ଅମୀର ଭାବରେ ପ୍ରତିଷ୍ଠିତ କରାଇଥିଲେ । ସେଇ ଚତ୍ୱାରିଂଶ ଅମୀରମାନଙ୍କ ହାତରେ ଛାଡ଼ି ଦେଇଥିଲେ ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ଭବିଷ୍ୟତ !

 

ଏଇ ତାଙ୍କର ପ୍ରିୟତମ ପିତା । ତାଙ୍କରି ରକ୍ତ ଭଉଁରୀ ଖେଳୁଛି ତାଙ୍କ ରକ୍ତ କୋଷରେ । ତାଙ୍କରି ସ୍ନେହ, ତାଙ୍କରି ଶିକ୍ଷା ଆଜି ତାଙ୍କୁ ସୁଲତାନା ହେବାକୁ ଯୋଗ୍ୟା କରିଛି !

 

ପିତାଙ୍କ ଠାରୁ ସେ ଗୋଟିଏ କଥା ଶିଖିଛନ୍ତି ।

 

ଅସ୍ତ୍ର ଦ୍ଵାରା ରାଜ୍ୟର ଭୌଗଳିକ ସୀମା ଜୟ କରି ହୁଏ, ଜନତାର ହୃଦୟ ଜୟ କରି ହୁଏ ନାହିଁ । ଆଉ ଜନତାର ହୃଦୟ ଜୟ ନକଲେ କୌଣସି ସାମ୍ରାଜ୍ୟ ସ୍ଥାୟୀ ହୁଏ ନାହିଁ ।

 

ଶତ୍ରୁଦ୍ଵାରା ପରିବେଷ୍ଟିତ ପରିବେଶ ଭିତରେ ସୁଲତାନ୍ ରାଜ୍ୟଜୟ କରିଥିଲେ; କିନ୍ତୁ ଜନତାର ହୃଦୟ ଜୟ କରିବାର ସୁଯୋଗ ପାଇ ପାରି ନ ଥିଲେ । ସେ ଆଶା କରୁଥିଲେ, ଉତ୍ତରାଧିକାରିଣୀ ଭାବରେ ତାଙ୍କର ସେ ସ୍ଵପ୍ନକୁ ସେ ସଫଳ କରିବେ ।

 

ସୁଲତାନଙ୍କ ଶେଷ କଥା ତାଙ୍କର କାନରେ ଅନୁରଣିତ ହୋଇ ଉଠୁଥିଲା ।

 

“ରେଜିୟା ମୋ ଦୃଷ୍ଟିର ଉଜ୍ଜ୍ୱଳ ଆଲୋକ ଶିଖା...ମୁଁ ଚାହେଁ ଦିଲ୍ଲୀ ସିଂହାସନ ଆରୋହଣ କରି ଆଲୋକରେ ସେ ସାରା ଦେଶକୁ ଉଦ୍ଭାସିତ କରୁ” ।

 

ସୁଲତାନଙ୍କ ସେ ଶେଷ କଥା ସ୍ମରଣ କରିବା ମାତ୍ରେ ତାଙ୍କ ଦୁଇ ଆଖିର ପତା ପୂର୍ଣ୍ଣ କରି ଅଶ୍ରୁର ଉଚ୍ଛ୍ୱାସ ଜାଗି ଉଠୁଥିଲା ।

 

ସେ ମନେ ମନେ ଚିନ୍ତା କରୁଥିଲେ, ସାରା ଦେଶକୁ ଆଲୋକିତ କଲା ଭଳି ଦିବ୍ୟ ଜ୍ୟୋତି ସତେ କଣ ତାଙ୍କ ଭିତରେ ସଞ୍ଚିତ ହୋଇ ରହିଛି !

 

ରେଜିୟା କକ୍ଷ ପରିକ୍ରମା ଶେଷ କରି ଦ୍ଵାର ଦେଶରେ ଆସି ଠିଆ ହେଲେ ।

 

ଅଳିନ୍ଦ ଦେୱାଲରେ ଝୁଲୁଥିବା ତାଙ୍କ ପୂର୍ବ ବଂଶଧରମାନଙ୍କ ପ୍ରତିକୃତି ପରିକ୍ରମା କରିସାରିବା ପରେ ତାଙ୍କର ମନେ ହେଉଥିଲା ସତେ ଯେପରି ସେ ସାଲ, ହିଜିରିର ସୀମା ଅତିକ୍ରମ କରି ଗୋଟିଏ ଯୁଗ ପରିକ୍ରମା ଶେଷ କଲେ !

 

ସେ ଦିଲ୍ଲୀ ସିଂହାସନର ସୁଲତାନା ହେଲାପରେ ଆରମ୍ଭ ହେଲା ଏକ ନୂତନ ଯୁଗ, ନୂତନ ଇତିହାସ ! ଅଳିନ୍ଦ ଦ୍ଵାରର ସେଇ ଛାୟାଚ୍ଛନ୍ନ ଅନ୍ଧକାରରେ ଏକାକିନୀ ଠିଆ ହୋଇ ସୁଲତାନା ରେଜିୟା ନିଜ ଦର୍ପଣରେ ଦେଖୁଥିଲେ ଇତିହାସର ସେହି ସର୍ପିଳ ଗତି...ବହୁ ସାମ୍ରାଜ୍ୟର ଉତଥାନ ପତନ ଭିତରେ ଧାରା ଯାହାର ଅବାରିତ !

 

ପଚିଶ

 

ରୁକନଦ୍ଦିନଙ୍କ ଶାସନ ଶେଷ ହେବା ସଙ୍ଗେ ସଙ୍ଗେ ଦିଲ୍ଲୀର ଶାସନ କ୍ଷେତ୍ରରେ ମଧ୍ୟ ଘଟିଲା ଅଭୂତପୂର୍ବ ପରିବର୍ତ୍ତନ । ଯେଉଁ ଅମୀର, କାଜି, ଅନ୍ୟାନ୍ୟ ପଦସ୍ଥ କର୍ମଚାରୀମାନେ ନୂତନ ସୁଲତାନଙ୍କ ଦୁର୍ବଳତାର ସୁଯୋଗ ନେଇ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଆରମ୍ଭ କରିଥିଲେ, ସେମାନେ ବିପଦ ଗଣିଲେ । ସୁଲତାନଙ୍କ ଶାସନରେ ସେମାନେ ବୁଝିଲେ ସେମାନଙ୍କୁ କ୍ଷୁର ଧାରରେ ପାଦ ରଖି ଚାଲିବାକୁ ହେବ ।

 

ରେଜିୟା ଜାଣିଥିଲେ ଚତ୍ୱାରିଂଶ ଅମୀର ହିଁ ହେଉଛନ୍ତି ତାଙ୍କର ପ୍ରଧାନ ଶକ୍ତି ।

 

ସେମାନଙ୍କୁ ଅସନ୍ତୁଷ୍ଟ କରିବା ତାଙ୍କର ଅଭିପ୍ରାୟ ନଥିଲା ।

 

ନିଜାମୁଲ୍ ମୁଲକଙ୍କ ସମସ୍ତ ଦୁର୍ବଳତା ଓ ଦୋଷ ତ୍ରୁଟି ସତ୍ଵେ ତାଙ୍କୁ ସମ୍ମାନର ସହ ପୂର୍ବ ଆସନରେ କାଏମ୍ ରଖିଲେ ରେଜିୟା ।

 

ତାଜୁଦ୍ଦିନ ଆଉ ଆଲତୁନିୟା ତାଙ୍କ ଜୀବନର ବହୁ ସଂକଟମୟ ମୁହୂର୍ତ୍ତରେ ସହାୟତା କରିଛନ୍ତି । ସେମାନଙ୍କ କଥା ବିସ୍ମୃତ ହୋଇ ନଥିଲେ ସୁଲତାନା । ସେ ଦୁହିଙ୍କ ପ୍ରତି ତାଙ୍କ ମନର ଦୁର୍ବଳତା ଅତି ଗଭୀର । ଜଣେ ତାଙ୍କର ରାଜନୈତିକ ଗୁରୁ, ଆଉ ଜଣେ ହୃଦୟର ଅନ୍ତରତମ ବନ୍ଧୁ, ପ୍ରିୟତମ । ସେମାନଙ୍କୁ ଶାସନର ଗୁରୁତ୍ୱପୂର୍ଣ୍ଣ ପଦରେ ସେ ସ୍ଥାନ ଦେଇ ନିଶ୍ଚିତ ହେଲେ ।

 

ଆଉ ଯେଉଁମାନେ ତାଙ୍କର ଅନୁକମ୍ପା ଯୋଗୁ ଶାସନ କ୍ଷେତ୍ରର ବିଭିନ୍ନ ଆସନ ଅଳଙ୍କୃତ କଲେ ସେମାନେ ହେଉଛନ୍ତି ତରୁଣ ତୁର୍କୀ...ଯେଉଁମାନଙ୍କ ବିଚାରବୁଦ୍ଧି, ବାହୁବଳ ଉପରେ ନିର୍ଭର କରୁଥିଲା ହିନ୍ଦୁସ୍ଥାନରେ ତୁର୍କୀ ଶାସନର ଭବିଷ୍ୟତ !

 

ସୁଲତାନା ଏହି ନୂତନ ବ୍ୟବସ୍ଥା ଫଳରେ ଶାସନ କ୍ଷେତ୍ରରେ ସଂଚାରିତ ହେଲା ନୂତନ ରକ୍ତ, ନୂତନ କର୍ମ ତତ୍ପରତା ।

 

ତରୁଣ ତୁର୍କୀମାନଙ୍କୁ ଶାସନ କ୍ଷେତ୍ରରେ ସ୍ଥାନ ଦେଇଥିବା ହେତୁ ଇଲତୁମିସଙ୍କ ପୁରାତନ ରକ୍ଷଣଶୀଳ ବନ୍ଧୁମାନେ କ୍ଷୂର୍ଣ୍ଣ ହୋଇଥିଲେ ସତ୍ୟ, କିନ୍ତୁ ମୁହଁ ଖୋଲି ସେମାନେ କୌଣସି ପ୍ରତିବାଦ କରି ପାରି ନଥିଲେ ।

 

ସେମାନଙ୍କ ଆଖି ଆଗରେ ସେମାନଙ୍କ ପୂର୍ବ ପ୍ରତିପତ୍ତି, ଆଧିପତ୍ୟ ତରୁଣ ତୁର୍କୀମାନଙ୍କ ହାତକୁ ହସ୍ତାନ୍ତରିତ ହୋଇଗଲା, ଏହା ଲକ୍ଷ୍ୟ କରି ସେମାନେ କେବଳ ମନେ ମନେ ଅସନ୍ତୋଷରେ କୁହୁଳୁ ଥିଲେ ।

 

ସେମାନେ ସ୍ପଷ୍ଟ ଭାବରେ ବୁଝିପାରୁଥିଲେ, ରେଜିୟା କେବଳ ସୁଲତାନା ହୋଇ ସନ୍ତୁଷ୍ଟ ନୁହନ୍ତି, ଶାସନ କରିବାକୁ ସେ କୃତ-ସଂକଳ୍ପ ।

 

ନୂତନ ନିଯୁକ୍ତି ଶେଷ କରି ବିଶ୍ରାମ କକ୍ଷକୁ ଫେରିବା ପରେ ହଠାତ୍ ଆଉ ଜଣଙ୍କ କଥା ସ୍ମରଣ ହେଲା ସୁଲତାନଙ୍କର...ସେ ବ୍ୟକ୍ତି ହେଉଛି ଜଲାଲ୍ ଉଦ୍ଦିନ ୟାକୁତ୍ ।

 

ୟାକୁତ୍ ତୁର୍କୀ ନୁହେଁ, ଆବିସିନୀୟ ଦାସ ମାତ୍ର ।

 

କିନ୍ତୁ ଆବାଲ୍ୟରୁ ସେ ତାଙ୍କର ସହଚର, ତାରି ଯୋଗୁହିଁ ଶାହାତୁର୍କାନଙ୍କ ମୃତ୍ୟୁ ଷଡ଼ଯନ୍ତ୍ରରୁ ସେ ରକ୍ଷା ପାଇଲେ, ଦିଲ୍ଲୀ ସିଂହାସନ ଲାଭ କଲେ ।

 

ବିଚିତ୍ର ଏକ ଅଶ୍ୱସ୍ତିରେ ଭରି ଉଠିଲା ରେଜିୟାଙ୍କମନ । ଗଭୀର କୃତଜ୍ଞତାରେ ୟାକୁତ୍ ପ୍ରତି ତାଙ୍କର ମନ ନଇଁ ପଡ଼ିଲା ।

 

ୟାକୁତକୁ ଆସିବା ପାଇଁ ସେ ସାଙ୍ଗେ ସାଙ୍ଗେ ଦେହରକ୍ଷୀ ହସ୍ତରେ ସମ୍ବାଦ ପ୍ରେରଣ କଲେ ।

 

ଇଲତୁମିସଙ୍କ ମୃତ୍ୟୁ ପରେ ଥରେ ହେଲେ ଶାହୀମଞ୍ଜିଲର ଅନ୍ଦର ମହଲରେ ପ୍ରବେଶ କରି ନଥିଲା ୟାକୁତ୍ ।

 

ସୁଲତାନାଙ୍କ ନିର୍ଦ୍ଦେଶ ପାଇ ତାଙ୍କ ବିଶ୍ରାମ କକ୍ଷକୁ ଆସିବା ପାଇଁ ସେଥିଲାଗି ପାଦ ତାର ଥରିବାକୁ ଲାଗିଲା ।

 

କାହିଁକି ଡକାଇଛନ୍ତି ତାକୁ ନୂତନ ସୁଲତାନା !

 

ୟାକୁତକୁ ନିଜ ବିଶ୍ରାମ କକ୍ଷରେ ନିରୀକ୍ଷଣ କରି ଦେଖିଲେ ସୁଲତାନା ।

 

ପିଲାଦିନୁ ସେ ଥିଲା ଏକାନ୍ତ ଭାବରେ ଲଜ୍ୟା-ଶୀଳ । ତାର ସେ ଦାସ-ସୁଲଭ ବିନମ୍ର ଆନୁଗତ୍ୟ ତାର ଚାଲି ଚଳନ ଭାବଭଙ୍ଗୀରେ ଆଣି ଦେଇଥିଲା ଏକ ବିଚିତ୍ର ମାଧୂର୍ଯ୍ୟ । ତାରୁଣ୍ୟର ପ୍ରାବଲ୍ୟରେ କୈଶୋରର ଦେହ ଗଠନରେ ତାର ବହୁ ପରିବର୍ତ୍ତନ ଘଟିଥିଲେବି ତାର ସେ ଭାବଭଙ୍ଗୀ, ଚାଲିଚଳନରେ କୈଶୋରର ସେହି ଲଜ୍ୟା-ନମ୍ରଭାବ ଅତୁଟ ରହିଛି ।

 

ୟାକୁତର ଏହି ଅପରିବର୍ତ୍ତନ ବିନମ୍ରଭାବ ଆନନ୍ଦ ଦେଲା ରେଜିୟାଙ୍କୁ ।

 

ମୃଦୁ ହସି ସେ କହିଲେ, ସୁଲତାନା ହେଲାପରେ ବହୁ ଅମୀର, ଦେହରକ୍ଷୀ ପାର୍ଶ୍ୱଚର ମୋ ପାଖରେ ସେମାନଙ୍କର ପଦୋନ୍ନତି ପାଇଁ ଆବେଦନ କରିଛନ୍ତି । କିନ୍ତୁ ତମେ ଥରେ ହେଲେ ନିଜ ପାଇଁ କହି ନାହିଁ କାହିଁକି ?

 

ସୁଲତାନଙ୍କ କଥା ଶୁଣି ସ୍ତମ୍ଭିତ ହେଲା ୟାକୁତ୍ ।

 

ଶାହୀମଞ୍ଜିଲର ଅନ୍ଦର ମହଲରେ ପ୍ରବେଶ କରିବାବେଳେ ତା ମନରେ ଯେଉଁ ଭୀତ ସଞ୍ଚାରିତ ହୋଇଥିଲା ସୁଲତାନାଙ୍କ କଥା ଶୁଣି ସେ ଭୟ ତାର ଦୁର ହୋଇଗଲା ।

 

ସେ କହିଲା ଆପଣଙ୍କ ଅନୁକମ୍ପାହିଁ ମୋର ସବୁଠାରୁ ବଳି ବଡ଼ ସମ୍ପଦ ସୁଲତାନା । ମୁଁ କୌଣସି ଉଚ୍ଚ ପଦ ଚାହେଁ ନାହିଁ ।

 

ରେଜିୟା କିଛି ସମୟ ନୀରବରେ ସବୁକଥା ଚିନ୍ତା କଲେ ।

 

ସ୍ମିର ହସି କହିଲେ, ଶାହା ତୁର୍କାନଙ୍କ ଷଡ଼ଯନ୍ତ୍ର ସମ୍ବାଦ ଦେଇ ତମେ ମୋର ଜୀବନ ରକ୍ଷା କରିଛ ୟାକୁତ୍ । ମୁଁ ତମର ସେ ଋଣ ବାକି ରଖିବାକୁ ଚାହେଁ ନାହିଁ । ତମେ ଆଜିଠାରୁ ହେଲା ଅମୀର-ଇ-ଆଖିର୍ !

ଅମୀର-ଇ-ଆଖୁର ।

ଶାହୀ ମଞ୍ଜିଲର ସମସ୍ତ ଅଶ୍ୱରକ୍ଷୀମାନଙ୍କ ମଧ୍ୟରେ ମୁଖ୍ୟ ।

ଏତେ ବଡ଼ ସମ୍ମାନ: ଏତେ ବଡ଼ ପଦ ଆଶା କରିନଥିଲା ୟାକୁତ୍ । ସୁଲତାନାଙ୍କ ଏପରି ଅପ୍ରତ୍ୟାଶିତ ଅନୁଗ୍ରହ ଲାଭ କରି ସେ ବିହ୍ୱଳ ହୋଇ ପଡ଼ିଲା ।

କୁଞ୍ଜିସ୍ ପକାଇ ପଛାଇ ପଛାଇ ପ୍ରସ୍ଥାନ କରିଗଲା ବେଳେ ସେ କହିଗଲା, ଆପଣଙ୍କର ଏହି ଅନୁଗ୍ରହ ସବୁଦିନ ଏ ବାନ୍ଦା ପାଇଁ ଅକ୍ଷୂର୍ଣ୍ଣ ଥାଉ ଖଲିପତ୍-ଆଲ୍ଳାହ !

ୟାକୁତ୍ ପ୍ରସ୍ଥାନ କରିଗଲା ପରେ ନିଜାମୁଲ୍ ମୁଲକଙ୍କୁ ଡକାଇ ପଠାଇଲେ ରେଜିୟା ।

କକ୍ଷରେ ପ୍ରବେଶକରି ସୁଲତାନଙ୍କୁ ଅଭିବାଦନ ଜଣାଇ ନିଜାମୁଲ ପଚାରିଲେ, ଏ ସମୟରେ ମତେ ଡକାଇଲେ କାହିଁକି ସୁଲତାନା ।

ମୁଖ ମଣ୍ଡଳରେ ଗଭୀର ଗାମ୍ଭୀର୍ଯ୍ୟ ଫୁଟାଇ ରେଜିୟା କହିଲେ, ୟାକୁତକୁ ମୁଁ ଅମୀର-ଇ-ଆଖୁର ପଦରେ ଅଭିଷିକ୍ତ କରିଛି ନିଜାମୁଲ । ଏ ସମ୍ବାଦଟା ଆପଣଙ୍କୁ ଦେବାପାଇଁ ମୁଁ ଡକାଇଥିଲି ।

ସାମାନ୍ୟ ଏକ ଆବିସିନୀୟ କ୍ରୀତଦାସ ତୁର୍କୀ ସାମ୍ରାଜ୍ୟର ଆମୀର-ଇ-ଆଖୁର ।

ସୁଲତାନାଙ୍କ ଏଭାଳି ନିଷ୍ପତ୍ତିରେ ମନେମନେ ସୁଖୀହୋଇ ପାରିଲେ ନାହିଁ ନିଜାମୁଲ ମୁଲକ । ଆଗେ ସୁଲତାନ କୌଣସି ଗୁରୁତ୍ୱପୂର୍ଣ୍ଣ ପଦରେ କାହାକୁ ଅଧିଷ୍ଠିତ କରିବା ଆଗରୁ ତାଙ୍କ ସହ ପରାମର୍ଶ କରୁଥିଲେ । ରେଜିୟା କେବଳ ନିଷ୍ପତ୍ତି ନିଜେ କରିସାରି ତାଙ୍କୁ ସମ୍ବାଦ ଦେଉଛନ୍ତି ।

ବହୁ ଭାବିଚିନ୍ତି ସେ କହିଲେ, ଏପରି ଏକ ନିଷ୍ପତ୍ତିରେ ଅନ୍ୟ ଅମୀର ମାନେ ହୁଏତ ସୁଖୀ ହେବେନାହିଁ । ବହୁ ତୁର୍କୀ ଅଶ୍ୱରକ୍ଷୀ ଥାଉ ଥାଉ ଜଣେ ଆବିସିନୀୟ କ୍ରୀତଦାସକୁ ମୁଖ୍ୟ ଅଶ୍ୱରକ୍ଷୀ କରିବାରେ-

ନିଜାମୁଲ ମୁଲକ ବାକ୍ୟ ଶେଷକରିବା ଆଗରୁ ସୁଲତାନା ମୃଦୁ ଧମକ ଦେଇ କହିଲେ, ଯୋଗ୍ୟତାହିଁ ପଦୋନ୍ନତିର ଏକମାତ୍ର ମାପକାଠି ନିଜାମୁଲ । ଜାତିର ପ୍ରଶ୍ନ ଏ କ୍ଷେତ୍ରରେ ଅବାସ୍ତବ-ମୁଁ ଆପଣଙ୍କୁ ଆଉ ଗୋଟିଏ ସମ୍ବାଦ ଦେବାକୁ ଚାହେଁ-ହାରେମର ଯେଉଁ ଖୋଜାକୁ ମୋର ଦ୍ୱାରରକ୍ଷୀ ଭାବରେ ନିଯୁକ୍ତ କରାଯାଇଛି, ମୁଁ ତାକୁ ବରଖାସ୍ତ କରିବାକୁ ଚାହୁଁଛି । ସୁଲତାନାଙ୍କ ଦ୍ୱାରରକ୍ଷୀ ହେବ ଜଣେ ଖୋଜା, ନପୁଂସକ, ଏକଥା ମୁଁ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସହ୍ୟକରି ପାରିବି ନାହିଁ ।

ୟାକୁତର ନବ ନିଯୁକ୍ତି ନିଷ୍ପତ୍ତି ଠାରୁ ସୁଲତାନାଙ୍କ ଖୋଜା ବରଖାସ୍ତ ନିଷ୍ପତ୍ତିରେ ବେଶି ବିସ୍ମିତ ହେଲେ ନିଜାମୁଲ ମୁଲକ ।

ମୁହଁର ତେଜ ତାଙ୍କର ବିବର୍ଣ୍ଣ ହୋଇଗଲା ।

 

ସେ କମ୍ପିତ କଣ୍ଠରେ କହିଲେ, ତୁର୍କୀ ହାରେମରେ ଖୋଜାମାନେ ଦ୍ଵାରରକ୍ଷୀ ନିଯୁକ୍ତି ହେବା ଏକ ପ୍ରାଚୀନ ବିଧି । ତୁର୍କୀ ମହିଳାମାନଙ୍କ ସମ୍ମାନ ତଥା ନିରାପତ୍ତା ଦୃଷ୍ଟିରୁ ଖୋଜା ଦ୍ଵାରରକ୍ଷୀ ହିଁ ସବୁଠୁଁ ବଳି ନିର୍ଭର ଯୋଗ୍ୟ...

 

ଏଥର ଧୈର୍ଯ୍ୟଚ୍ୟୁତି ଘଟିଲା ରେଜିୟାଙ୍କର ।

 

ସେ କହିଲେ, ମୁଁ ସୁଲତାନଙ୍କ ବେଗମ ନୁହେଁ ନିଜାମୁଲ । ମୁଁ ଦିଲ୍ଲୀର ସୁଲତାନା । ମୋର ସମ୍ମାନ ଆଉ ନିରାପତ୍ତା ରକ୍ଷା କରିବ ଜଣେ ଖୋଜା...ନପୁଂସକ ।

 

ନୀରବ ହୋଇଗଲେ ନିଜାମୁଲ ମୁଲକ ।

 

ରେଜିୟା କହିଲେ, ନପୁଂସକ ଦେହରକ୍ଷୀ, ଦ୍ୱାରରକ୍ଷୀ ନିଯୁକ୍ତି କରି ତୁର୍କୀ ମହିଳାମାନଙ୍କ ସମ୍ମାନ ରକ୍ଷା ଉଦ୍ୟମ ଏକ ବିକୃତ ମସ୍ତିଷ୍କର ଚିନ୍ତା । ବେଗମମାନଙ୍କ ସମ୍ମାନରକ୍ଷା ଚିନ୍ତା ନୁହେଁ, ସୁଲତାନଙ୍କ ବେଗମ ମାନଙ୍କ ପ୍ରତି ଥିବା ସନ୍ଦେହ, ଅବିଶ୍ଵାସ ଜନିତ ବିକୃତ ଚିନ୍ତାରୁ ହିଁ ଏଭଳି ବ୍ୟବସ୍ଥା କରାଯାଇଥିଲା । ଅନ୍ୟ ପୁରୁଷମାନଙ୍କ ପ୍ରତି ବେଗମମାନେ କାଳେ ପ୍ରଲୁବଧା ହେବେ ଏଇ ଭୟରୁ ନପୁଂସକ ଦ୍ଵାରରକ୍ଷୀ ସେମାନେ ନିଯୁକ୍ତି କରିଥିଲେ । ଏହା ତୁର୍କୀ ବେଗମମାନଙ୍କ ବ୍ୟକ୍ତିତ୍ଵ ପ୍ରତି ଘୋର ଅପମାନ । ମୁଁ ଏ ସନ୍ଦେହ, ଅବିଶ୍ଵାସର ବାତାବରଣ ଶାହୀ ମଞ୍ଜିଲରୁ ଦୂର କରିବାକୁ ଚାହେଁ ନିଜାମୁଲ । ମୋର କୌଣସି ଦ୍ଵାରରକ୍ଷୀ ଲୋଡ଼ା ନାହିଁ...ମୁଁ ଦିଲ୍ଲୀର ସୁଲତାନା । ମୋର ସମସ୍ତ ପ୍ରଜା, ଅମୀତ, ୱାଜିର୍ କାଜି, ମୌଲବୀମାନଙ୍କ ପାଇଁ ଦ୍ଵାର ମୋର ଉନ୍ମୁକ୍ତ...ସେମାନେ ପୁରୁଷ ହୁଅନ୍ତୁ କି ନାରୀ ହୁଅନ୍ତୁ ।

 

ନାରୀ ପୁରୁଷ ନିର୍ବିଶେଷରେ ସୁଲତାନାଙ୍କ ଦ୍ଵାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ।

 

ନିଜାମୁଲ ମୁଲକ ହତବାକ୍ ହୋଇ ଚାହିଁରହିଲେ ରେଜିୟାଙ୍କ ମୁହଁକୁ ।

 

କମ୍ପିତ କଣ୍ଠରେ କହିଲେ, ଏ ଗଜନି ନୁହେଁ ସୁଲତାନା ! ଏ ହିନ୍ଦୁସ୍ଥାନ । ଜିମ୍ନି, କାଫେରମାନଙ୍କ ଦେଶ । ସେମାନଙ୍କ ଲାଳସା ସିକ୍ତ-ଅପବିତ୍ର ଦୃଷ୍ଟିରୁ ତୁର୍କୀ ବେଗମ, ମହିଳାମାନଙ୍କୁ ରକ୍ଷା କରିବା ଆମର କର୍ତ୍ତବ୍ୟ ।

 

ରେଜିୟା ହସିଲେ ।

 

କହିଲେ, ମୁଁ ଗଜନିର ନାମ ଶୁଣିଛି, ସେ ସ୍ଥାନ ଦେଖିନାହିଁ । ଏହି ଜିମ୍ନି, କାଫେରମାନଙ୍କ ଦେଶରେ ମୋର ଜନ୍ମ । ହିନ୍ଦୁସ୍ଥାନ ମୋର ଜନ୍ମଭୂମି, ଏ ମାଟିର ରସ, ଏ ବାୟୁର ସ୍ପର୍ଶରେ ମୁଁ ଜୀବନ ଧାରଣ କରିଛି । ଏ ଦେଶ ଉପରେ ମୋର କୌଣସି ଅବିଶ୍ଵାସ ନାହିଁ । ମୁଁ ନିଜ ଚାରିପଟେ ପଥରର ଦେୱାଲ ତିଆରି କରି ନିଜକୁ ପ୍ରଜାମାନଙ୍କ ଠାରୁ ବିଛିନ୍ନ କରି ରଖିବାକୁ ଚାହେଁ ନାହିଁ...

 

ନିଜାମୁଲ ମୁଲକ ବିଦାୟ ଅଭିନନ୍ଦନ ଜଣାଇ ଉଠିଲେ ।

 

ଶାହୀ ମଞ୍ଜିଲରେ ଯମୁନା-ଜଳ-ସ୍ପର୍ଶୀ ମୁକ୍ତ ସମୀରଣର ଶୀତଳ ସ୍ପର୍ଶ ସୃଷ୍ଟି କଲା ନୂତନ ଶିହରଣ ସଞ୍ଚାରିତ କଲା ନୂତନ ଜୀବନ ଶକ୍ତି ।

 

ଛବିଶ

 

ତୁର୍କୀ ହାରମର ଖୋଜା ।

 

ହାଃ...ହାଃ...ହାଃ

 

ମନ ଭରି ହସିଲା ଖୋଜା ମୋବାରକ୍ ।

 

ଆଜି ଠାରୁ ତାର ଛୁଟି । କାମ ନାହିଁ । ଅତନ୍ଦ୍ର ଆଖିରେ ଆଉ ତାକୁ ବେଗମ ମହଲର ଦ୍ୱାର ଦେଶରେ ଜଗି ବସିବାକୁ ପଡ଼ିବ ନାହିଁ । ସୁଲତାନା ସବୁ ଖୋଜାଙ୍କୁ ବିଦାୟ ଦେଉଛନ୍ତି । ଏଥରକ ହାରେମ୍ ହେବ ଖୋଜଶୁନ୍ୟ ।

 

କିନ୍ତୁ ସେ ଯିବ କୁଆଡ଼େ ?

 

ଗ୍ରାମକୁ ? ବାପ ଭାଇଙ୍କ ପାଖକୁ । ଘର ସଂସାର କରିବାକୁ ?

 

ହୋଃ...ହୋଃ...ହୋଃ...

 

ପୁଣିଥରେ ଉଚ୍ଚ କଣ୍ଠରେ ହସିଲା ଖୋଜା, ନପୁଂସକ ମୋବାରକ୍ ।

 

ଇରାନର ତାର ସେଇ ଛୋଟ ଗାଁ, ବାପା, ଭାଇଙ୍କ କଥା ଆଜି ଏତେଦିନ ପରେ ପୁଣି ମୋବାରକର ମନେ ପଡ଼ୁଥିଲା । ସେ ଅନେକ ବର୍ଷ ତଳର କଥା ।

 

ହାରେମ୍ ପାଇଁ ସୁନ୍ଦରୀ ଝିଅ ଖୋଜିବା ପାଇଁ ଯାଇଥିଲେ ଦଳେ ସିନ୍ଦୁକୀ । ଗାଁ ମୁଣ୍ଡରେ ଠିଆହୋଇ ସେମାନେ ଧରି ଆଣୁଥିବା ଝିଅଙ୍କୁ ଦାନ୍ତ ନିକୁଟି ଦେଖୁଥିଲା ମୋବାରକ୍ ।

 

ତା ଉପରେ ଆଖି ପଡ଼ିଗଲା ମାତ୍ରେ ସିନ୍ଦୁକୀମାନେ ଠିଆ ହୋଇଗଲେ । ସେମାନଙ୍କ ଭିତରୁ ଜଣେ କହିଲା, ଏତ ଗୋଟାଏ ଭଲ ଖୋଜା ହୋଇ ପାରିବ । ମୁହଁରେ ବସନ୍ତ ଚିହ୍ନ । ଦାନ୍ତ ବାହାଡ଼ା । ରଙ୍ଗ କଳା । ମୁହଁଟା ଦିଶୁଚି ଶୃଗାଳ ମୁହଁ ଭଳି । ଚାଲ ଚାଲ ଧରିନେବା–

 

ତାପରେ ସେମାନେ ତା ହାତଧରି ଟାଣିଥିଲେ ।

 

ଭୟରେ, ଆଶଙ୍କାରେ ସେ ପଚାରିଥିଲା, ମତେ କୁଆଡ଼େ ନେଉଛ ।

 

ସେମାନେ ସାଙ୍ଗରେ ନେଉଥିବା ସୁନ୍ଦରୀ ଇରାନୀ ଝିଅଟିକୁ ଦେଖାଇ କହିଥିଲେ, ଏ ଝିଅ ସାଙ୍ଗରେ ତୋର ସାଦୀ କରାଇବାକୁ ଚାଲ-ଚାଲ- ।

 

ସାଦୀ ।

 

ଏଇ ପରମ ସୁନ୍ଦରୀ ଇରାନୀ ଝିଅ ସହିତ ।

 

ଭୟ ସହିତ ଏକ ପ୍ରଲୋଭନ ମଧ୍ୟ ମନକୁ ତାର ଆର୍ଦ୍ରକରି ଦେଇଥିଲା ସେଦିନ । ତାକୁ ବିବାହ କରାଇ ଦେବେ ବୋଲି ସିନ୍ଦୁକୀ ମାନେ ଧରି ଆଣିଥିଲେ ତାକୁ ଏହି ଶାହୀ ମଞ୍ଜିଲକୁ ।

 

କିନ୍ତୁ ଭାଗ୍ୟର ବିଡ଼ମ୍ବନା ।

 

ସେ ଇରାନୀ କିଶୋରୀ ହେଲା ସୁଲତାନଙ୍କ ବେଗମ । ଆଉ ସେ-

 

ଓଃ, ସେ ସବୁ କଥା ମନେ ପକାଇଲେ ଦେହର ସେ ଶୁଖିଲା କ୍ଷତ ପୁଣି କଞ୍ଚା ହୋଇଯାଇ ପୋଡ଼ି ଉଠୁଛି । ସତେ କି ଯେମିତି ରକ୍ତ ଝରି ଆସୁଛି ସେ ଶୁଖିଲା ଘାଆ ଦେହରୁ ।

 

ତାକୁ ନପୁଂସକ, ଖୋଜା କରିବା ପାଇଁ ତା ଉପରେ କ୍ରମାଗତ ଭାବରେ ଚାଲିଲା ଅକଥନୀୟ ଅତ୍ୟାଚାର । ଦିନେ କି ସପ୍ତାହେ ନୁହେଁ, ମାସ ମାସ ଧରି ।

 

ଶେଷରେ ଦିନେ ଆସିଲେ ସୁଲତାନଙ୍କ ଅନ୍ତରଙ୍ଗ ଚିକିତ୍ସକ ।

 

ସମସ୍ତଙ୍କ ଆଗରେ ତାକୁ ନଗ୍ନହୋଇ ଠିଆ ହେବାକୁ ପଡ଼ିଲା ।

 

ଅନ୍ତରଙ୍ଗ ପରୀକ୍ଷା କରିସାରି ଘୋଷଣା କଲେ, ସେ ପୁରୁଷତ୍ଵହୀନ ଖୋଜା ।

 

ତା ପରେ କାର୍ଯ୍ୟ ତାର ସ୍ଥିରକରି ଦିଆଗଲା । ବେଗମ୍ ମହଲର ମହିଳାମାନଙ୍କ ମଧ୍ୟରେ ସେ ହେବ ଦ୍ଵାରରକ୍ଷୀ !

 

ଇରାନୀ ବେଗମ ଫାତିମା ସହ ବିବାହର ସ୍ଵପ୍ନ ତାର ମଉଳି ଗଲା । ସେ ହେଲା ତାଙ୍କର ଦ୍ଵାରରକ୍ଷୀ ।

 

ଯମୁନାର ସ୍ରୋତ ଭଳି ଅନେକଗୁଡ଼ାଏ ବର୍ଷ ଏଥିମଧ୍ୟରେ ନୀରବରେ ବହିଯାଇଛି ।

 

ମୋବାରକ ତରୁଣ ହୋଇଛି, ପୁରୁଷ ହୋଇ ନି ! କଣ ଗୁଡ଼ାଏ କଟୁ ଔଷଧ ଖାଇ, ଶାରୀରିକ ଅତ୍ୟାଚାର ସହି ସେ ହରାଇ ବସିଛି ତାର ସମସ୍ତ ପୌରୁଷ । ବୟସ ତାକୁ ବଳିଷ୍ଠ କରିଛି; କିନ୍ତୁ ପୁରୁଷ କରିପାରିନି । ଶାହୀମଞ୍ଜିଲର ଉତ୍କଷ୍ଟ ଖାଦ୍ୟ ତାର ଦେହର ଗଢ଼ଣକୁ ସୁନ୍ଦର କରିଛି; କିନ୍ତୁ ପୁରୁଷଜନୋଚିତ ସାମର୍ଥ୍ୟ ଆଣି ଦେଇ ନାହିଁ ।

 

ଶାହୀମଞ୍ଜିଲର ବାଗାନରେ ଫାତିମା ବିବି ଭଳି ଅନେକ ବୁଲ୍ ଵୁଲ୍ ଙ୍କ ଭିଡ଼ । ସେ ସମସ୍ତେ ସୁଲତାନଙ୍କ କ୍ଷଣିକ ସମ୍ଭୋଗର ସାମଗ୍ରୀ । ସୁଲତାନଙ୍କ ଭିନ୍ନ ଅନ୍ୟ କୌଣସି ପୁରୁଷର ପ୍ରବେଶ ସେଠାରେ ନିଷିଦ୍ଧ । କେବଳ ପୁରୁଷ ନାମଧାରୀ ତା ଭଳି କେତେକ ନପୁଂସକ ଖୋଜା ବେଗମ ମାନଙ୍କୁ ଏଠାରେ ପହରା ଦିଅନ୍ତି ଦିନ ରାତି !

 

ଏଭଳି ଏକ ଅଭିଶପ୍ତ ଜୀବନ ନେଇ ମୋବାରକ ଅନେକ ଥର ଯନ୍ତ୍ରଣାରେ କାତର ହୋଇଛି । ଅନେକ ଥର ଭାବିଛି-ଜହର ଖାଇ ଆତ୍ମହତ୍ୟା କରିବ; କିନ୍ତୁ ଅନ୍ୟ ଖୋଜାମାନଙ୍କ ଟାହୁଲି-ଟାପରା ଶୁଣି ସେଥିରୁ ବିରତ ହୋଇଛି । ସେମାନଙ୍କ ମେଳରେ ପୁରୁଷ ହୋଇ ସୁଦ୍ଧା ନାରୀ ଭଳି ବଞ୍ଚି ରହିଛି ମୋବାରକ !

 

ଶାହୀମହଲର ଖୋଜା ! ପୁରୁଷମାନଙ୍କ ଦୃଷ୍ଟିରେ ଘୃଣିତ ଅପଦାର୍ଥ; ନାରୀମାନଙ୍କ ଦୃଷ୍ଟିରେ ଦୟାର ପାତ୍ର !

 

ମୋବାରକର ଆଜି ନୌକରୀ ଚାଲିଗଲା । ତୁର୍କୀ ହାରେମ୍ କୁଆଡ଼େ ଭାଙ୍ଗି ଦିଆଯିବ । ନୂଆ ସୁଲତାନାଙ୍କ ଆଦେଶ ।

ଫତିମା ବେଗମ୍ ପୁଣି ତାଙ୍କ ଦେଶକୁ ଫେରିଯିବ କି ?

ମୋବାରକ ଜାଣେନାହିଁ । ଜାଣି ମଧ୍ୟ ଲାଭ ନାହିଁ । କାରଣ ସେ ପୁରୁଷ ନୁହେଁ; ଖୋଜା-

ନିଜ ଦେହକୁ ନିରୀକ୍ଷଣ କରି ଦେଖିଲା ମୋବାରକ୍ ।

ତାର ହୃଷ୍ଟପୃଷ୍ଟ ବାହୁ, ପିଠି, ଗଣ୍ଡ-ଚାରିଆଡ଼େ ଦଂଶନର କ୍ଷତ । ଏ କ୍ଷତ ସୁଲତାନଙ୍କ କର୍ମଚାରୀମାନେ ଆଘାତ ଦେଇ ସୃଷ୍ଟିକରି ନାହାନ୍ତି; ବେଗମ ମହଲର ଯୌନ-ଅତୃପ୍ତ-ମହିଳାମାନେ ତାର ନିଃସହାୟ ଦେହକୁ ନିଜର ଉତ୍ତେଜିତ ଦେହ-ମନ ଦ୍ଵାରା ଏପରି ବିଦୀର୍ଣ୍ଣ କରିଛନ୍ତି । ମୋବାରକ ସେ ଦଂଶନ ଆଘାତ ସହି କାନ୍ଦିଛି, କାନ୍ଦିଛନ୍ତି ମଧ୍ୟ ସେହି ଉନ୍ମାଦିନୀ-ପ୍ରାୟ ବେଗମଗଣ-

ବେଗମ ମହଲର ବାୟୁମଣ୍ଡଳ ସେମାନଙ୍କ ଗୋରୁଦ୍ୟମାନ ଆତ୍ମାର ହାହାକାରରେ ଭାରାକ୍ରାନ୍ତ ହୋଇ ଉଠିଛି ।

ବେଗମ ମହଲର ପୁଷ୍ପ-ବନ ଏଥର ଉଜୁଡ଼ି ଯିବ । ହ୍ରାସ ପାଇବ ସେଇ ଅଶ୍ରୁଳ ହାହାକାରରେ ଉତ୍ତେଜିତ ଉଷ୍ମ ପରିବେଶ ।

ମୋବାରକର ଆଖି ଆଗରେ ଭାସିଉଠୁଥିଲା ସେଦିନ ରାତ୍ରିର ସେଇ ଭୟଙ୍କର ଦୃଶ୍ୟର ସ୍ମୃତି ।

ସେଦିନ ଜଣେ ଆଫଗାନୀ ବେଗମଙ୍କ କକ୍ଷକୁ ଅଭିସାରରେ ଗଲେ ସୁଲତାନ୍ ।

ଫେରିବା ପଥରେ ମୋବାରକ ଦେଖିଲା-ଇରାନୀ ବେଗମ ଫାତିମା ବିବି ଅଶ୍ରୁସଜଳ ଆଖିରେ ଠିଆ ହୋଇଛନ୍ତି । ସତୃଷ୍ଣ ଦୃଷ୍ଟି ତାଙ୍କର ଲାଖି ରହିଛି ଆଫଗାନୀ ବେଗମଙ୍କ ଶୟନକକ୍ଷ ଦ୍ୱାର ଦେଶରେ, ଯେଉଁ କକ୍ଷରୁ ଭାସି ଆସୁଥିଲା ନୂପୁରର ରୁଣୁଝୁଣୁ ଶବ୍ଦ ।

ଅଭିସାରରେ ଏପରି ନୂପୁର ନିକ୍ୱଣ ପ୍ରତି ବେଗମଙ୍କ ଶୟନକକ୍ଷରେ ବର୍ଷକେ ତିନି ଚାରିଥରରୁ ବେଶି ଶୁଣାଯାଏ ନାହିଁ । କିନ୍ତୁ ବହୁ ସମୟରେ ଶୁଣାଯାଏ ଚାପାକ୍ରନ୍ଦନର ଧ୍ଵନି, ଆହତ ଆତ୍ମାର ଆର୍ତ୍ତନାଦ ।

ମୋବାରକ୍ ଚାଲି ଆସୁଥିଲା ।

ତାକୁ ହାତଠାରି ଡାକିଲେ ଫାତିମା ବେଗମ୍ ।

ତାଙ୍କ ପାଖକୁ ଗଲା ମୋବାରକ୍, ଭୟରେ, ଆଶଙ୍କାରେ, ସନ୍ଦେହରେ ।

ଫାତିମା ବେଗମ ଡାକିନେଲେ ତାକୁ ସେଇ ଶୟନକକ୍ଷ ଭିତରକୁ, ଯେଉଁ କକ୍ଷକୁ ସୁଲତାନ ଅଭିସାରରେ ଗଲାବେଳେ ମୋବାରକ ଗୋଟାକ ପରେ ଗୋଟାଏ ଦୀର୍ଘଶ୍ୱାସ ତ୍ୟାଗକରି ଅନେକ ଥର ନିଜ ମନକୁ ଅକାରଣରେ କାରୁଣ୍ୟରେ ଭରି ଦିଏ ।

ଅତରର ଭୁରୁ ଭୁରୁ ଗନ୍ଧରେ ସାରା କକ୍ଷ ସୁରଭିତ ।

 

କାଶ୍ମୀର ଗାଲିଚା ଉପରେ ବିଛାହୋଇଛି ପୁଣି ସଜଫୁଟ ଗୋଲାପ । ସୁବର୍ଣ୍ଣ ପ୍ରଦୀପରେ ଶିଖା ତୋଳି ଜଳୁଛି ସ୍ତିମିତ ଆଲୋକ

 

ଏ କକ୍ଷକୁ ତାକୁ ଆମନ୍ତ୍ରଣ କାହିଁକି ?

 

ଫାତିମା ବେଗମ ଆଖିରୁ ଲୁହ ପୋଛି ନେଇ ହସିଲେ । ତାଙ୍କର ଇନ୍ଦ୍ରନୀଳ ଆଖି ଡୋଳାରେ ଚିକ୍ ଚିକ୍ କରି ଉଠିଲା ଏକ ନୂତନ ଆଲୋକର ଦୀପ୍ତି ।

 

ଧୀର କଣ୍ଠରେ ସେ କହିଲେ, ତୁ ପରା ମତେ ସାଦୀ କରିବୁ ବୋଲି ଏଠାକୁ ଆସିଥିଲୁ ମୋବାରକ ? ଆ; ଆଜି ଆମର ସାଦୀ ।

 

ସ୍ଵପ୍ନ ଦେଖିଲା ଭଳି ଲାଗୁଥିଲା ସବୁ ମୋବାରକକୁ ।

 

ଭିତରପଟୁ କକ୍ଷର ଦରଜା ଫାତିମା ବେଗମ ବନ୍ଦ କରିଦେଲା ପରେ ସେ ରୀତିମତ ଅଜ୍ଞାତ ଭୟ ଓ ଆତଙ୍କରେ ଶିହରୀ ଉଠିଲା ।

 

ସେ ଦିନେ ସିନ୍ଧୁକୀମାନଙ୍କୁ ଏ ବିବାହ କଥା କହିଥିଲା । ସେ କଥା ବେଗମ ଅବା ଜାଣିଲେ କିପରି ? ସେଥିପାଇଁ କଅଣ ତାକୁ ଶାସ୍ତି ଦେବା ପାଇଁ... ।

 

ନା; ଫାତିମା ବେଗମଙ୍କ ମୁହଁରେ କ୍ରୋଧର ଚିହ୍ନ ନାହିଁ । ବରଂ ହସର ଆଲୋକରେ ସାରା ମୁହଁ ତାଙ୍କର ଝଲମଲ କରି ଉଠୁଛି । କାଶ୍ମୀର ଆତ ଭଳି ଇଷତ୍-ରକ୍ତିମ ଗଣ୍ଡରେ ବିନ୍ଦୁ ବିନ୍ଦୁ ଘର୍ମ । ଉତ୍ତେଜନାରେ ସେ ଥରି ଉଠୁଛନ୍ତି ।

 

ନିଜ ଦୁଇହାତ ପାପୁଲିରେ ତାର ମୁହଁକୁ ଚାପିଧରି ଆଦର କଲେ ଫାତିମା ବେଗମ । ପାପୁଲିରେ ଚାପ ଦେଇ ତା ବାହୁର ମାଂସପେଶିକୁ ପରୀକ୍ଷା କରି ଦେଖିଲେ । ତା ପରେ ଭାରି ଖାପଛଡ଼ା କଣ୍ଠରେ କହିଲେ, ମୁଁ ତୋର ବେଗମ, ତୁ ମୋର ସୁଲତାନ୍ । ଦେ-ପୋଷାକ ଖୋଲି ଦେ-

 

ଭୟରେ ଆତଙ୍କରେ ସେତେବେଳକୁ ମୋବାରକ ପାଦତଳ ଝାଳରେ ଓଦା ହୋଇ ଆସୁଥିଲା । ବେଗମଙ୍କ କଣ୍ଠରେ ଏକ ଅବାସ୍ତବ କଥା... !

 

ସେ କମ୍ପିତ କଣ୍ଠରେ ଉତ୍ତର ଦେଇଥିଲା, ମୁଁ ଆପଣଙ୍କର ଗୋଲାମ ହଜୁର !

 

ସେତେବେଳକୁ ତା କଥା ଶୁଣିବାକୁ ଅପେକ୍ଷା ନ ରଖି ଫାତିମା ବେଗମ ନିଜର ଅଙ୍ଗବାସ ଉନ୍ମୋଚିତ କରିବାକୁ ଆରମ୍ଭ କରିଥିଲେ । ଉତ୍ତରୀ, ଶାଢ଼ୀ, ଚୋଳି, କାଞ୍ଚୁଲି ବେଗମଙ୍କ ଦେହରୁ ସ୍ଥାନଚ୍ୟୁତ ହୋଇ ତଳେ ଲୋଟୁଥିଲା । ବେଗମଙ୍କ ଦଗଧ ସୁବର୍ଣ୍ଣ ବର୍ଣ୍ଣର ଅଙ୍ଗରେଖା ସ୍ତମିତ ଆଲୋକରେ ଜଳୁଥିଲା ପ୍ରଲୋଭନର ଏକ ଅଗ୍ନିଶିଖା ଭଳି ।

 

ମାନସିକ ଉତ୍ତେଜନା ନୁହେଁ ଶାରୀରିକ ଯନ୍ତ୍ରଣାରେ ମୋବାରକର ଦେହ କଣ୍ଟକିତ ହୋଇ ଉଠୁଥିଲା ବେଗମଙ୍କ ସେ ନଗ୍ନ ଅଙ୍ଗରେଖା ଦେଖି । ବନ୍ଦ-ଦରଜା ଉନ୍ମୁକ୍ତ କରି ସେ ପଳାଇ ଆସିବାକୁ ଉଦ୍ୟମ କରୁଥିବା ବେଳେ ଫାତିମା ବେଗମ ତାକୁ ଉନ୍ମାଦିନୀଙ୍କ ଭଳି ନିଜ ଦୁଇ ବାହୁରେ ଚାପି ଧରି ନିଜ ଦେହରେ ପିଷ୍ଟ କରିବାକୁ ଚେଷ୍ଟା କଲେ ।

 

ଶ୍ୱାସରୋଧର ଯନ୍ତ୍ରଣାରେ କେବଳ ଛଟପଟ ହୋଇଥିଲା ମୋବାରକ ।

 

ନିଜ ଗଣ୍ଡଦେଶ, ବାହୁ, ପିଠିରେ ସେ ଅନୁଭବ କରିଥିଲା ବେଗମଙ୍କ ତୀକ୍ଷ୍ଣ ଦନ୍ତର ଦଂଶନ ଜ୍ଵାଳା ।

 

ତା ପରେ କିଛି ସମୟ ପରେ କଇଁ କଇଁ ହୋଇକାନ୍ଦି ଉଠିଥିଲେ ଫାତିମା ବେଗମ ।

 

ତାର ଅର୍ଦ୍ଧମୃତ ଦେହରେ ପଦାଘାତ କରି ବାହାରକୁ ତଡ଼ି ଦେଇଥିଲେ ।

 

ନପୁଂସକର ସେଇ ଲଜ୍ଜା, ଅପମାନ କିନ୍ତୁ ବେଶିଦିନ ଅନ୍ୟ ଖୋଜାମାନଙ୍କ ଠାରୁ ଗୋପନ କରି ରଖିପାରି ନ ଥିଲା ମୋବାରକ ।

 

ଏଭଳି ଅନୁଭୂତି ତା ପାଇଁ ନୂତନ ହେଲେ ବି ଅନ୍ୟ ଖୋଜାମାନଙ୍କ ପାଇଁ ପ୍ରଥମ ନୁହେଁ-। ଉପବାସୀ ଦେହ ମନ ନେଇ ବିଭିନ୍ନ ଦେଶର ଯେଉଁ ଶରୀର-ସୁନ୍ଦରୀ ଝିଅମାନେ ତୁର୍କୀ ହାରେମକୁ ବେଗମ ହୋଇ ଆସନ୍ତି, ଦୀର୍ଘଦିନ ସୁଲତାନଙ୍କ ଦ୍ଵାରା ଉପେକ୍ଷିତା ହୋଇ ରହିବା ପରେ ସେମାନେ ନିଜ ଯୌନକ୍ଷୁଧା ନିବାରଣ ପାଇଁ ଅନ୍ୟତ୍ର ଦୃଷ୍ଟିନିକ୍ଷେପ କରନ୍ତି ।

 

କିନ୍ତୁ ବେଗମ ମହଲରେ ନପୁଂସକ, ଖୋଜାମାନଙ୍କୁ ଛାଡ଼ିଦେଲେ ସୁଲତାନଙ୍କ ସତର୍କ ଦୃଷ୍ଟି ଅତିକ୍ରମ କରି ଅନ୍ୟ କୌଣସି ପୁରୁଷର ପ୍ରବେଶ ଏଠାରେ ନିଷିଦ୍ଧ । ସେଥିପାଇଁ ସେହି ଯୌନ-ସମ୍ଭୋଗ-ଅତୃପ୍ତ ବେଗମମାନଙ୍କ ଉନ୍ମାଦନାର ଶୀକାର ହୁଅନ୍ତି ନିଃସହାୟ ଖୋଜାମାନେ !

 

ମରୀଚିକାର ଧୁ ଧୁ ବାଲି ଜଳର ଭ୍ରମ ଆଣିଦିଏ ସିନା, କଣ୍ଠର ତୃଷ୍ଣା ନିବାରଣ କରିପାରେ ନାହିଁ ।

 

ବେଗମମାନଙ୍କ ଅତୃପ୍ତ କ୍ଷୁଧାର ଆଘାତ ସହିବାକୁ ହୁଏ ଖୋଜାମାନଙ୍କୁ ।

 

ଏଥରକ ବେଗମ ମହଲ କ୍ରମେ କ୍ରମେ ଶୂନ୍ୟ ହେବ ।

 

ମୁକ୍ତି ପାଇବେ ଖୋଜାବୃନ୍ଦ ।

 

ଏ କଥା ସ୍ମରଣ କରି ମନେ ମନେ ଖୁସି ହେଲା ମୋବାରକ୍ ।

 

ଶାହୀ ମଞ୍ଜିଲ୍ ପ୍ରାଚୀର ଅତିକ୍ରମ କରି ସେ ବାହାରକୁ ଆସିଲା ।

 

ପ୍ରଥମେ ଦେଖାହେଲା ଉସମାନ୍ ମିଆଁ ସହିତ, ଶାହୀ ମଞ୍ଜିଲର ବାହାରେ ।

 

ଉସମାନ୍ ମିଆଁ, ସିନ୍ଧୁକୀ, ସୁଲତାନଙ୍କ ହାରେମ୍ ପାଇଁ ରୂପବତୀ କନ୍ୟା ଆମଦାନି କରିବା ଯାହାର ପ୍ରଧାନ ବ୍ୟବସାୟ ।

 

ଶାହୀ ମଞ୍ଜିଲ୍ ବାହାରେ ମୋବାରକ ମିଆଁକୁ ଦେଖି ତୋବା ତୋବା ହୋଇଗଲା ଉସମାନ । ହାତ ପାପୁଲିରେ ଦୁଇ ଆଖିକୁ ଭଲକରି ମଳି ନିରୀକ୍ଷଣ କରି ଦେଖିଲା ସେ ।

 

ତା ପରେ ଚକିତ କଣ୍ଠରେ ପଚାରିଲା, ହେ ଖୋଜା ! ଏଣେ କୁଆଡ଼େ ?

 

ଯେଉଁ କେତେଜଣ ସିନ୍ଧୁକୀ ମୋବାରକକୁ ଫାତିମା ବିବି ସାଙ୍ଗରେ ବିବାହ ଦେବାକୁ କହି ସୁଲତାନଙ୍କ ପାଖକୁ ଧରି ଆଣିଥିଲେ, ସେମାନଙ୍କ ମଧ୍ୟରେ ଥିଲା ଏଇ ଉସମାନ୍ ମିଆଁ ।

 

ମଞ୍ଜିଲ୍ ବାହାରେ ପ୍ରଥମେ ସେଇ ଉସମାନକୁ ଦେଖି ଫୁ ଫୁ ହୋଇ କନ୍ଦି ପକାଇଲା ମୋବାରକ ।

 

ଉସମାନର ରାଗ ସେତେବେଳକୁ ସପ୍ତମକୁ ଉଠିଛି ।

 

ସେ ଧମକ ଦେଇ ଚିତ୍କାର କଲା, ଏଠାରେ ପେଖନା କାଢ଼ୁଛୁ କଅଣ ବେଗମ ମହଲ କଅଣ ଭଲ ଲାଗୁ ନାହିଁ ?

 

କାନ୍ଦ ବନ୍ଦ କରି ମୋବାରକ ଚାହିଁଲା ଉସମାନ ମିଆଁର ମୁହଁକୁ ।

 

କହିଲା, ନୂଆ ସୁଲତାନା ମତେ ନୌକାରୀରୁ ବାହାର କରି ଦେଇଛନ୍ତି ଭାୟା ! ଏଥରକ ଆଉ ନୂଆ ବେଗମ ହରେମକୁ ଆସିବେ ନାହିଁ । ସୁଲତାନା ତ ନିଜେ ଔରତ୍ ! ବେଗମ ଆଉ ଦରକାର କଅଣ ? ମତେ ତମେ ଏଠାକୁ ଧରି ଆଣି ନଷ୍ଟ କରିଦେଲ ଭାୟା ! ଏଥରକ ମୁଁ କଅଣ କରିବି ?

 

ସିନ୍ଧୁକୀ ଉସମନ୍ ମିଆଁ ମିଆଁ କରି ଚାହିଁରହିଲା ମୋବାରକ ମୁହଁକୁ ।

 

ବେଗମ ମହଲକୁ ଆଉ ଔରତ ଅମଦାନି ହେବେ ନାହିଁ !

 

ସୁଲତାନା ନିଜେ ଔରତ !

 

ଖୋଜା ମୋବାରକକୁ ନୌକାରୀରୁ ଦରଖାସ୍ତ କରି ଦିଆଯାଇଛି ।

 

ସେ ନିଜେ ଏଣିକି କଅଣ କରିବ ?

 

ମୋବାରକର ଆଖି ଲୁହ ଏଥର ସଂକ୍ରମିତ ହୋଇଆସିଲା ଉସମାନ ମିଆଁ ଆଖିକୁ । ତାର କାନ୍ଦିବା ପାଇଁ ଖୁବ୍ ଇଚ୍ଛା ହେଉଥିଲା ।

 

ସତେଇଶି

 

ବେଗମ ମହଲକୁ କେନ୍ଦ୍ରକରି ଏହି ସିନ୍ଧୁକୀ ସମ୍ପ୍ରଦାୟ !

 

ସୁଲତାନଙ୍କ ଦରବାରରେ ଯେଉଁମାନଙ୍କ ଖାତିର, ମୌଲବୀଙ୍କ ଠାରୁ ଉଣା ନୁହେଁ !

 

ଅଥଚ ରେଜିୟା ସୁଲତାନା ହେବା ପରେ ଦିଲ୍ଲୀ ସହରର ଧୂଳିମାଟି ଭଳି ସେମାନେ ଅପଦାର୍ଥରେ ପରିଣତ ହୋଇଗଲେ !

 

ଉସମାନ ମିଆଁ ଆସମାନ୍ କୁ ଚାହିଁ ଗୋଟାଏ ପରେ ଗୋଟିଏ ଦୀର୍ଘଶ୍ଵାସ ତ୍ୟାଗ କରୁଥିଲା ।

 

ଖୋଜା ମୋବାରକ୍ ଯାହା କହୁଥିଲା, ସତ୍ୟ । ସୁଲତାନା ଆଦେଶ ଦେଇଛନ୍ତି, ବେଗମ ମହଲକୁ ଆଉ ଔରତ ଆମଦାନି କରାଯିବ ନାହିଁ । ବିଭିନ୍ନ ଦେଶରୁ ଯେଉଁ ସିନ୍ଧୁକୀମାନେ ରୂପସୀ ତରୁଣୀ ଆମଦାନି କରି ସୁଲତାନଙ୍କ ଠାରୁ ପ୍ରଚୁର ସୁନା ହୀରା ଉପହାର ନେଉଥିଲେ, ସେମାନଙ୍କ ପାଦତଳୁ ଜମିନ୍ ଦବିଯାଉଛି, ସେମାନଙ୍କ ମୁଣ୍ତ ଉପରେ ଆସମାନ୍ ଛିଣ୍ଡି ପଡ଼ୁଛି !

 

ଦିଲ୍ଲୀ ସହରର ଚୌଧୁରୀ ପରିବାରର ସନ୍ତାନ ଉମାନାଥ । ଖାଣ୍ଟି ହିନ୍ଦୁ । କେବଳ ସିନ୍ଧୁକୀ ହେବା ଲୋଭରେ ସେ ମନ୍ଦିର ଛାଡ଼ି ମିସଜିଦରେ ପଶିଥିଲା । ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେପରି ମନ୍ଦିରରେ ଖୋଜି ନ ଥିଲା, ଆଲ୍ଲାଙ୍କୁ ମଧ୍ୟ ସେ ମସଜିଦରେ ସେହିପରି ଖୋଜି ନାହିଁ । ଖୋଜିଛି କେବଳ ସୁନା, ହୀରା, ମୋତି, ମାଣିକ୍ୟ ସୁଲତାନଙ୍କ ଦରବାରରୁ ମୁକ୍ତି ପାଇଛି ଜିଜିୟା ଦାଉରୁ ।

 

ଉମାନାଥ ହୋଇଛି ଉସମାନ୍ ।

 

କେବଳ ଲାଭର ଲୋଭରେ ।

 

ହରେମ୍ ପାଇଁ ଔରତ୍ ଖୋଜି ସେ ବୁଲିଛି ଗଜନି, ତୁର୍କୀ, ଆଫଗାନିସ୍ତାନ, ସିନ୍ଧ୍, ଦେୱାବ୍ ଇତ୍ୟାଦି କେତେ ନୂଆ ରାଜ୍ୟ, କେତେ ନୂତନ ସ୍ଥାନ । ସାଙ୍ଗରେ ସୁଲତାନଙ୍କ ଫୌଜ୍ । ସାଙ୍ଗରେ ସୁଲତାନଙ୍କ ଆଦେଶନାମା-ସୁରତ୍ ଔରତ୍ ହାରେମ୍ ପାଇଁ !

 

ସୁଲତାନଙ୍କ ସମ୍ଭୋଗର ସାମଗ୍ରୀ ହେବା ପାଇଁ ଔରତ୍ କିଛି ସହଜରେ ମିଳନ୍ତି ନାହିଁ ।

 

ସେଥିପାଇଁ କେତେ କୌଶଳ, କେତେ ଚେଷ୍ଟା !

 

ସେ ସବୁ କଥା ସ୍ମରଣ କରି ଉତ୍ତେଜନାରେ ଅସ୍ଥିର ହୋଇ ଉଠିଲା ଉସମାନ୍‍ ।

 

କୌଣସି ଅଞ୍ଚଳରେ ଜଣେ ସୁନ୍ଦରୀ ଝିଅ ଥିବା ସମ୍ବାଦ ମିଳିଲେ ସେଥିପାଇଁ ପ୍ରଥମେ ଲୋକ ପଠାଯାଏ । ଟଙ୍କା, କଉଡ଼ି, ସୁନା, ଚାନ୍ଦିର ଲୋଭ ଦେଖାଯାଏ । ସହଜରେ ଯଦି ଝିଅର ଅଭିଭାବକ ହାରେମକୁ ପଠାଇବା ପାଇଁ ରାଜି ହୋଇ ଯାଆନ୍ତି, ତେବେ ଝାମଲା କମ୍ ।

 

କିନ୍ତୁ ଯଦି ଝିଅର ଅଭିଭାବକମାନେ ରାଜି ନ ହୁଅନ୍ତି... !

 

ତେବେ ସିନ୍ଧୁକୀମାନଙ୍କର ଦାୟିତ୍ଵ ବଢ଼ିଯାଏ । ଗୁପ୍ତଚର ପଠାଯାଇ ଝିଅର ଗତିବିଧି ପ୍ରତି ଲକ୍ଷ୍ୟ ରଖାଯାଏ । ସୁବିଧା ମିଳିବା ମାତ୍ରେ ଜବରଦସ୍ତ ଝିଅକୁ ଅଣାହୁଏ ହାରେମକୁ ।

 

ଯଦି ତା ମଧ୍ୟ ସମ୍ଭବ ନ ହୁଏ !

 

ଗଭୀର ନିଶାର୍ଦ୍ଧରେ ସେ ଝିଅ ରହୁଥିବା ଗ୍ରାମ ଉପରେ ଆକ୍ରମଣ ହୁଏ । ହୁ ହୁ ନିଆଁରେ ଜଳିଯାଏ କେତେ ଘର । ପ୍ରତିରୋଧ କରୁଥିବା ବହୁ ବ୍ୟକ୍ତି ଆହତ ହୁଅନ୍ତି । ଜବରଦସ୍ତ ଝିଅକୁ ଅଶ୍ଵପୃଷ୍ଠରେ ବସାଇ ଅଣାଯାଏ ହାରେମକୁ.....

 

ଏଭଳି କାର୍ଯ୍ୟକୁ ପାପ ବୋଲି ମନେକରେ ନାହିଁ ଉସମାନ ।

 

କେଉଁ ସାଧାରଣ ପରିବାରର ଝିଅକୁ ସେମାନେ ଆଣନ୍ତି ସୁଲତାନଙ୍କ ବେଗମ୍ କରିବା ପାଇଁ । ଝିଅର ଭାଗ୍ୟ ଭଲ ଥିଲେ ଏଭଳି ସୁଯୋଗ ମିଳେ । ଇଚ୍ଛାକଲେ ସମସ୍ତେ ବେଗମ ହୋଇପାରନ୍ତି ନାହିଁ । ଆଲ୍ଲା ଯାହା ଦେହରେ ଅଧିକ ରୂପ ଦେଇଛନ୍ତି, ସେ କେବଳ ସୁଲତାନଙ୍କ ବେଗମ ହୋଇପାରେ !

 

ସୁଲତାନ ହେଉଛନ୍ତି ଶାହଇ-ଆଲିମ୍, ବିଶ୍ୱପତି । ଆଲ୍ଲାଙ୍କ ଅବତାର ।

 

ସୁନ୍ଦରୀ ରମଣୀମାନଙ୍କ ଉପରେ ତାଙ୍କର ଅଧିକାର ଇସଲାମ୍ ଧର୍ମାନୁମୋଦିତ ।

 

ସୁନ୍ଦରୀ ରମଣୀ ହାରେମକୁ ଆଣିବା ପାଇଁ ଯେଉଁ ଗ୍ରାମରେ ଅଗ୍ନିକାଣ୍ଡ, ଆକ୍ରମଣ ହୁଏ, ସେ ଗ୍ରାମର ଲୁଣ୍ଠିତ ଧନ ଯାଏ ସିନ୍ଧୁକୀମାନଙ୍କ ଘରକୁ । ସୁନ୍ଦରୀ ରମଣୀ ପାଇଁ ସୁଲତାନଙ୍କ ପାଖରୁ ମଧ୍ୟ ମିଳେ ବହୁ ମୂଲ୍ୟବାନ ଉପହାର ।

 

ଦିଲ୍ଲୀରେ ସୁଲତାନ ଶାସନ ପ୍ରତିଷ୍ଠିତ ହେବା ଦିନଠାରୁ ଏହି ସିନ୍ଧୁକୀମାନେ ସମସ୍ତଙ୍କଠାରୁ ଅଧିକ ବିତ୍ତଶାଳୀ ହୋଇ ପାରିଛନ୍ତି ଅନ୍ୟାନ୍ୟ କର୍ମଚାରୀମାନଙ୍କ ଠାରୁ ବେଶି । କେବଳ ଯେ କାଞ୍ଚନ ଲୋଭରେ ସିନ୍ଧୁକୀମାନେ ନିଜ ଜୀବନକୁ ବିପନ୍ନ କରି ଗ୍ରାମ ଆମନ୍ତ୍ରଣ କରନ୍ତି, ତା ନୁହେଁ; ବହୁ ସମୟରେ କାଞ୍ଚନ ସହିତ କାମିନୀ ମଧ୍ୟ ମିଳିଯାଆନ୍ତି ।

 

ସୁଲତାନଙ୍କ ଆଖିରେ ଧୂଳି ଦେବା ପାଇଁ ବହୁ ସୁନ୍ଦରୀ ରମଣୀଙ୍କୁ ସିନ୍ଧୁକୀମାନେ ରପ୍ତାନି କରନ୍ତି ଦୂର ଦେଶକୁ । ହାରେମକୁ ଔରତ୍ ଆମଦାନି କରିବା ଅପେକ୍ଷା; ଦୂର ଦେଶକୁ ରପ୍ତାନି କରିବାରେ ବହୁ ଟଙ୍କା, ସୁନା, ଚାନ୍ଦି ମିଳେ ।

 

ରେଜିୟା ସୁଲତାନା ହେଲାପରେ ସିନ୍ଧୁକୀମାନଙ୍କର ସେ ସମସ୍ତ ସୌଭାଗ୍ୟ ଆଖିର ପଲକରେ ନଷ୍ଟ ହୋଇଗଲା । ହାରେମକୁ ଔରତ ଆମଦାନୀ ବନ୍ଦ ହେବା ସହିତ ଦୁର ଦେଶକୁ ଔରତ୍ ରପ୍ତାନି ସୁଯୋଗ ମଧ୍ୟ ଲୋପ ପାଇଗଲା ।

 

ଆଉ କି ବ୍ୟବସାୟ କରି ଜୀବିକା ନିର୍ବାହ କରିବେ ସିନ୍ଧୁକୀମାନେ ?

 

ଉସମାନ ମିଆଁ ଆଖିଡ଼ୋଳା ବଡ଼ ବଡ଼ କରି ଉପରକୁ ଚାହିଁଲା ।

 

ଶାହୀମଞ୍ଜିଲ୍ର ବେଗମ ମହଲ-ତୁର୍କୀ ହାରେମ୍ !

 

ଯାହାକୁ କେନ୍ଦ୍ର କରି ଦିଲ୍ଲୀରେ ଗଢ଼ିଉଠିଥିଲା ବିତ୍ତଶାଳୀ ସିନ୍ଧୁକୀ ସଂପ୍ରଦାୟ, ନପୁଂସକ ଖୋଜାଗୋଷ୍ଠୀ ।

 

ସେଥିପାଇଁ କେତେ ପୁରୁଷ ନପୁଂସକ ଖୋଜା ହେଲେ ।

 

ଉସମାନ୍ ଭଳି କେତେ ହିନ୍ଦୁଧର୍ମ ଛାଡ଼ି ମୁସଲମାନ ହେଲେ ।

 

ସେ କଥା ସ୍ମରଣ କରି ଉସମାନ ଆଖିରେ ଲୁହ ଜମି ଆସୁଥିଲା ।

 

ଜାତି ଗଲା କିନ୍ତୁ ପେଟ ପୁରିଲା ନାହିଁ !

 

ଅଠେଇଶି

 

ଦିଆନ୍-ଇ-ଖାସ୍ରେ ପ୍ରଜାମାନଙ୍କ ଅଭିଯୋଗ ଶୁଣିବା ପାଇଁ ସ୍ୱୟଂ ସୁଲତାନା ଉପସ୍ଥିତ ।

 

ପ୍ରଜା ଓ ସୁଲତାନଙ୍କ ମଧ୍ୟରେ ଯେପରି କୌଣସି ଦୁର୍ଲଂଘ୍ୟ ପ୍ରାଚୀର ଗଢ଼ି ନ ଉଠେ, ସେଥିପାଇଁ ରେଜିୟା ସଦାତତ୍ପର । କାରଣ ଏହି ଜନତାର ଦାବୀ ହିଁ ତାଙ୍କୁ ସୁଲତାନା କରିଛି, ଚତ୍ୱରିଂଶ ଅମୀରମାନଙ୍କ ସମ୍ମିଳିତ ସମର୍ଥନ; କିମ୍ବା ତରବାରୀର ବିଜୟ ନୁହେଁ !

 

ସୁଲତାନା ଜାଣିଥିଲେ, ରୁକନ୍ଉଦ୍ଦିନଙ୍କ ଶାସନକାଳରେ ତାଙ୍କର ଦୁର୍ବଳତାର ସୁଯୋଗ ନେଇ ବହୁ ରାଜକର୍ମଚାରୀ, ତୁର୍କୀ ଅମୀର ଅତ୍ୟାଚାରୀ ହୋଇ ଉଠିଥିଲେ । ସେମାନଙ୍କ ଅତ୍ୟାଚାର ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରବଳରୁ ପ୍ରବଳତର ହୋଇ ଉଠିଛି । ବାହ୍ୟଶତ୍ରୁ ଆଜି ତୁର୍କୀସାମ୍ରାଜ୍ୟର ଧ୍ୱଂସପାଇଁ ସୁଯୋଗ ଅପେକ୍ଷା କରୁଥିବାବେଳେ ପ୍ରଜାମାନେ ଯଦି ଅସନ୍ତୁଷ୍ଟ, ବିଦ୍ରୋହୀ ହୋଇ ଉଠନ୍ତି, ତେବେ ସେ ସମ୍ମିଳିତ ବିଦ୍ରୋହର ମୁକାବିଲା କରିବା କିଛି ସହଜ କଥା ନୁହେଁ ।

 

ତାଙ୍କୁ ମଧ୍ୟ ଏ କଥା ଅଜ୍ଞାତ ନଥିଲା, ଶାହାତୁର୍କାନଙ୍କ ହସ୍ତକ୍ଷେପ ଓ ରୁକନ୍ଉଦ୍ଦିନଙ୍କ ନିଷ୍କ୍ରିୟତା ଯୋଗୁଁ ତୁର୍କୀ ସେନା-ବାହିନୀର ସଂଗଠନ, ଶକ୍ତି ମଧ୍ୟ ଦୁର୍ବଳ ହୋଇ ପଡ଼ିଛି । କୌଣସି ବଡ଼ ଧରଣର ଯୁଦ୍ଧ ପାଇଁ ଦିଲ୍ଲୀ ତୁର୍କୀ ବାହିନୀର ଶକ୍ତି ନାହିଁ । ଏତେବେଳେ ଏକମାତ୍ର ଭରସା ଜନ ସହଯୋଗ । ଜନତାର ସକ୍ରିୟ ସମର୍ଥନ ବିନା ବିଶୃଙ୍ଖଳ ଶାସନ ବ୍ୟବସ୍ଥାକୁ ସୁଶୃଙ୍ଖଳ କରିବା ଯେପରି ଦୁଃସାଧ୍ୟ, ବାହାର ଶତ୍ରୁର ପ୍ରତିରୋଧ କରିବା ମଧ୍ୟ ସେହିପରି କଷ୍ଟକର ।

 

ଜନତା ସହିତ ପ୍ରତ୍ୟକ୍ଷ ସଂପର୍କ ପ୍ରତିଷ୍ଠା ବିନା ତୁର୍କୀ ଶାସନ ପ୍ରତି ସେମାନଙ୍କର ଆନୁଗତ୍ୟ ହାସଲ କରିବା ଅସମ୍ଭବ । ସେଥିପାଇଁ ସେ ଦାୟିତ୍ୱ ନିଜେ ମୁଣ୍ଡକୁ ନେଇଥିଲେ ।

 

ସୁଲତାନା ଦରବାରରେ ନିଜେ ସବୁ ଅଭାବ-ଅଭିଯୋଗ ଶୁଣିବେ ବୋଲି ଦିଲ୍ଲୀ ସହରରେ ସଂବାଦ ପ୍ରଚାରିତ ହେବା ମାତ୍ରେ ଅଗଣିତ ଜନତାର ସ୍ରୋତ ଲମ୍ବି ଆସିଲା ଦରବାର ପାଖକୁ । ସମସ୍ତେ ଅଭିଯୋଗ, ଅଭାବ ପୂରଣ ଦାବୀ ନେଇ ଆସି ନ ଥିଲେ, ସେଥିମଧ୍ୟରୁ ବହୁ ସଂଖ୍ୟକ ନାରୀ-ପୁରୁଷ ଆସିଥିଲେ ନୂତନ ସୁଲତାନଙ୍କ ଦର୍ଶନ ପାଇଁ, ତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ଲାଗି !

 

ରୁକଉଦ୍ଦିନଙ୍କ ଶାସନରେ ସୁଲତାନଙ୍କ ଦର୍ଶନ ପ୍ରଜାମାନଙ୍କ ପକ୍ଷରେ ଥିଲା ଏକ ଅସମ୍ଭବ ବ୍ୟାପାର । ନୂତନ ସୁଲତାନଙ୍କ ଶାସନରେ ସେ ସୁଯୋଗ ସୁଲଭ ହୋଇ ଉଠିବା ଫଳରେ ପ୍ରଜାମାନଙ୍କ ମଧ୍ୟରେ ଦରବାର ଦର୍ଶନ ଏକ ଅବଦମନିତ ଆକାଙକ୍ଷାରେ ପରିଣତ ହୋଇଗଲା ।

 

ପ୍ରଜାମାନଙ୍କୁ ଦେଖାଦେବାକୁ ଆସିଲେ ସୁଲତାନା...

 

ନାରୀର ପୋଷାକରେ ଆଚ୍ଛାଦିତ ହୋଇ ନୁହେଁ; ପୁରୁଷର ପୋଷାକ ପିନ୍ଧି; ସାମରିକ ବେଶରେ । ସେ ଯେ ସାମାନ୍ୟ ଜଣେ ନାରୀ ନୁହନ୍ତି, ଦିଲ୍ଲୀର ସୁଲତାନା, ତାହା ତାଙ୍କର ପୋଷାକପରିଚ୍ଛେଦ, କଥାବାର୍ତ୍ତା, ଭାବଭଙ୍ଗୀରୁ ଅତି ସ୍ପଷ୍ଟ ହୋଇ ଉଠୁଥିଲା ।

 

ରେଜିୟାଙ୍କ ସୁଲତାନା-ସୁଲଭ ପରିଧେୟ ବ୍ୟବହାରରେ ଦିଲ୍ଲୀର ବହୁ ସାଧାରଣ ପ୍ରଜାମାନଙ୍କ ମନରେ ନୂତନ ପ୍ରତ୍ୟୟ ସୃଷ୍ଟି ହୋଇଥିଲା ।

 

କିନ୍ତୁ ଚତ୍ଵାରିଂଶ ଅମୀର ଆଉ ତୁର୍କୀ ଉଲେମାମାନଙ୍କ ମନରେ...

 

ସେମାନେ ରେଜିୟାଙ୍କ ସୁଲତାନା ହେବା ଘଟଣାକୁ ପରିସ୍ଥିତି ଦୃଷ୍ଟିରୁ ସହ୍ୟ କରିଥିଲେ ସୁଦ୍ଧା, ତାଙ୍କର ଦରବାର ଦର୍ଶନ, ପୁରୁଷ ପୋଷକ-ପରିଧାନ ସେମାନଙ୍କ ପକ୍ଷରେ ଅସହ୍ୟ ହୋଇ ଉଠିଲା । ବିଶେଷ କରି ରକ୍ଷଣଶୀଳ ଉଲେମା, ମୌଲବୀମାନଙ୍କର ଧାରଣା ହେଲା, ହିନ୍ଦୁ କାଫେର୍ ପ୍ରଜାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁଲତାନା ଇସଲାମ ଧର୍ମର ବିରୁଦ୍ଧାଚରଣ କରୁଅଛନ୍ତି...

 

ସେଦିନ ମନ୍ତ୍ରଣା-ମଞ୍ଜିଲ ନିଜାମୁଲ୍-ମୁଲକଙ୍କୁ ଭାବ-ଗମ୍ଭୀର ଅବସ୍ଥାରେ ଦେଖି ରେଜିୟାଙ୍କ ଧାରଣା ହେଲା, ହୁଏ ତ ସେ କୌଣସି ଗୁରୁତର ରାଜନୈତିକ ଆଲୋଚନା ଲାଗି ତାଙ୍କ ପାଇଁ ଏପରି ଭାବରେ ଅପେକ୍ଷା କରିଛନ୍ତି ।

 

କିନ୍ତୁ ନିଜାମୁଲ୍-ମୁଲକଙ୍କ କଣ୍ଠରୁ ଯେଉଁ ବାଣୀ ସ୍ଫୁରିତ ହେଲା, ତାହା ରାଜନୈତିକ ନୁହେଁ; ଅଭିଯୋଗମୂଳକ ।

 

ନିଜାମୁଲ୍ ନିଜ ବକ୍ତବ୍ୟ ପେଶ୍ କଲେ, ସୁଲତାନ ଇଲତୁମିସଙ୍କ ସମୟରେ ଆପଣ ଆଜି ଭଳି କେବେ ଏପରି ବାହାରକୁ ବାହାରୁ ନ ଥିଲେ...ବାହାରିଲେ ବି ଆପଣଙ୍କ ମୁହଁ ଉପରେ ସବୁବେଳେ ଢାଙ୍କି ହୋଇ ରହୁଥିଲା ରେଶମ ଲୁଗାର ଏକ ପାତଳ ଘୋଡ଼ଣୀ...

 

ସୁଲତାନା ବିସ୍ମିତା ହୋଇଗଲେ ।

 

ଓଲଟି ପ୍ରଶ୍ନକଲେ, କିନ୍ତୁ ସେକଥା ଆଜି ଏଠାରେ କାହିଁକି ? ସୁଲତାନଙ୍କ ଶାସନରେ ମୁଁ ଥିଲି ଶାହାଜାଦୀ...ଆଜି କିନ୍ତୁ ମୁଁ ସୁଲତାନା । ମୋର ସ୍ଥାନ ଶାହୀମଞ୍ଜିଲର ନିଭୃତ ଅଳିନ୍ଦ ନୁହେଁ-ଦରବାର, ଯୁଦ୍ଧକ୍ଷେତ୍ର, ରାଜ୍ୟ ଭ୍ରମଣ, ଅଭିଯୋଗ ଶବଣ... ! ପ୍ରଜାମାନଙ୍କଠାରୁ ନିଜକୁ ଦୂରରେ ରଖି ମୁଁ ଦେଶ ଶାସନ କରିବି କିପରି ?

 

ନିଜାମୁଲ୍ ମୁଲକ ବିବ୍ରତ ହେଲେ ନାହିଁ ।

 

କହିଲେ, ଠିକ୍...ଆପଣ ଠିକ୍ କହିଛନ୍ତି । କିନ୍ତୁ ଯାହା ହେଲେ ବି ଆପଣ ନାରୀ । ଆପଣ ଯେତେ ବାହାରକୁ ବାହାରିବେ, ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବେ, ଆପଣଙ୍କ ନାରୀତ୍ୱ ସେତେ ବେଶି ଭାବରେ ପ୍ରକଟିତ ହେବ-

 

ମୋର ବ୍ୟକ୍ତିତ୍ୱ ଅପେକ୍ଷା ମୋ ନାରୀତ୍ୱ କଅଣ ଆପଣଙ୍କୁ ବେଶି ମୁଗଧ କରିଛି ନିଜାମୁଲ ମୁଲକ ! -ରେଜିୟାଙ୍କ କଣ୍ଠରେ ଚାପା ପରିହାସର ଇଙ୍ଗିତ ।

 

‘ଆଲ୍ଲା, ଆଲ୍ଲା’ କହି ନିଜାମୁଲ ଅପ୍ରତିଭ ହୋଇ ପଡ଼ିଲେ ।

 

କହିଲେ, ଅପଣ ମୋର କନ୍ୟା ଭଳି ସୁଲତାନା । ଆପଣଙ୍କ କଣ୍ଠରେ ମୋ’ ପ୍ରତି ଏଭଳି ଆକ୍ଷେପ କଅଣ ଶୋଭନୀୟ ?

 

ସୁଲତାନା ସଶବ୍ଦରେ ହସିଉଠିଲେ !

 

କହିଲେ, ମୁଁ ଯେପରି ଆପଣଙ୍କ କନ୍ୟା ଭଳି, ପ୍ରଜାମାନଙ୍କ ପାଇଁ ମୁଁ ସେମାନଙ୍କର ମାଆ ଭଳି । ଆପଣଙ୍କ ମନରେ ଯଦି ମୋ ପ୍ରତି ଦୁର୍ବଳତା ପ୍ରକାଶ ପାଇବା ଏକ ଅଚିନ୍ତନୀୟ ଘଟଣା, ମୋ ନାରୀତ୍ଵ ପ୍ରତି ପ୍ରଜାମାନଙ୍କର ଦୁର୍ବଳତା ପ୍ରକାଶ ପାଉଛି ବୋଲି ଆପଣ ଚିନ୍ତା କରୁଛନ୍ତି କିପରି ? ଯେଉଁ ଦୀନ, ଅତ୍ୟାଚାରିତ ପ୍ରଜା ମୋର ଦର୍ଶନ ପାଇଁ ଆସନ୍ତି, ସେମାନେ ମୋ ନାରୀତ୍ଵରେ ମୁଗ୍ଧହୋଇ କୌଣସି ଅବୈଧ ଲାଳସା ମନରେ ପୋଷଣ କରି ଆସନ୍ତି ନାହିଁ...ଆସନ୍ତି ମୋ ଠାରୁ ନ୍ୟାୟ, ବଦାନ୍ୟତା ପ୍ରତ୍ୟାଶା କରି । ସେମାନଙ୍କର ସେ ଆଶା-ଆକାଙକ୍ଷା ପୂରଣ କରିବା, ସେମାନଙ୍କର ଅଭିଯୋଗ ଶୁଣିବା ସୁଲତାନାଙ୍କ ଧର୍ମ ।

 

ନିଜାମୁଲ- ମୁଲକ ଏଥର ସୁଲତାନାଙ୍କ ଅକାଟ୍ୟ ଯୁକ୍ତି ପାଖରେ ପରାସ୍ତ ହୋଇଗଲେ । କଥାର ସ୍ଵର ପରିବର୍ତ୍ତନ କରି ସେ କହିଲେ, ଆପଣ ଯାହା କହୁଛନ୍ତି, ତାର ଯାଥାର୍ଥ୍ୟ ମୁଁ ସ୍ୱୀକାର କରୁଛି । କିନ୍ତୁ ତୁର୍କୀ ଅମୀର, ଉଲେମାମାନଙ୍କ ମଧ୍ୟରେ ଏଥିପାଇଁ ନାନାପ୍ରକାର ଆଲୋଚନା ଚାଲିଛି । ସେମାନଙ୍କ ମତାମତ ପ୍ରତି ଗୁରୁତ୍ଵ ଆରୋପ କରିବା କଅଣ ଆପଣଙ୍କର କର୍ତ୍ତବ୍ୟ ନୁହେଁ ?

 

ରେଜିୟା ବିଚଳିତ ହେବା ବଦଳରେ ଏ କଥା ଶୁଣି ବିରକ୍ତ ହୋଇ ଉଠିଲେ ।

 

କହିଲେ-ପ୍ରଜାମାନେ ଯେତେବେଳେ ବିପୁଳ ଆଗ୍ରହରେ, ନ୍ୟାୟ ପାଇବା ଆଶାରେ ସତୃଷ୍ଣ ନୟନରେ ମୋ ଆଡ଼କୁ ଚାହିଁରହନ୍ତି, ତାଙ୍କର ସେ ଦୃଷ୍ଟିରେ ଅମୀର୍-ଉଲେମାମାନେ ହୁଏ ତ ନିଜ ମାନସିକ ବିକୃତି ଯୋଗୁଁ ଅବୈଧ ଲଳସାର ସୁଚନା ଦେଖିପାରନ୍ତି, କିନ୍ତୁ ମୁଁ ସେମାନଙ୍କ ଦୃଷ୍ଟିରେ ଦେଖେ ମୋଠାରୁ କରୁଣା ଲାଭ କରିବାର ବ୍ୟାକୁଳ ଆଗ୍ରହ...

 

ସୁଲତାନାଙ୍କ ହୃଦବୋଧ କରିବା ପାଇଁ ନିଜାମୁଲ୍ ଯୁକ୍ତି କଲେ, ଇସଲାମ ଧର୍ମର ଆଚରଣବିଧି ଦୃଷ୍ଟିରୁ ଆପଣ ପୁରୁଷ ପୋଷାକ ପରିଧାନ କରିବା କଅଣ ଅନ୍ୟାୟ ନୁହେଁ ? ଇସଲାମ ଧର୍ମ ଅନୁସାରେ ନାରୀର ସ୍ଥାନ ଅନ୍ତଃପୁରରେ... ସୁଲତାନା ହେଲେ ମଧ୍ୟ ଆପଣ ନାରୀ...ଇସଲାମ ଧର୍ମର ନିର୍ଦ୍ଦେଶ ମାନିବା କଅଣ ଆପଣଙ୍କର କର୍ତ୍ତବ୍ୟ ନୁହେଁ ?

 

ନିଜାମୁଲ ମୁଲକଙ୍କ କଥା ଶୁଣି ଦୁଇ ଆଖିର ଡୋଳାରେ ବିସ୍ମୟର ବିଦ୍ୟୁତ୍ ଚିକ୍ ଚିକ୍ କରି ଉଠିଲା ।

 

ସେ କହିଲେ, ଆପଣ ଜଣେ ଜ୍ଞାନୀ ବ୍ୟକ୍ତି ବୋଲି ମୁଁ ଆପଣଙ୍କୁ ଏ ପର୍ଯ୍ୟନ୍ତ ସମ୍ମାନ ଦେଖାଇ ଆସିଛି; କିନ୍ତୁ ଆପଣଙ୍କ ମୁହଁରୁ ଏଭଳି ଦୁର୍ବଳ ଯୁକ୍ତି ଶୁଣି ଆପଣଙ୍କ ପାଣ୍ଡିତ୍ୟ ସଂପର୍କରେ ମୋର ଧାରଣା ବଦଳି ଯାଇଛି । ନାରୀମାନେ ଅନ୍ତଃପୁରରେ ମୁଖ ଆଚ୍ଛାଦନ କରି ରହିବେ ବୋଲି କୋରାନରେ କେଉଁଠି ଲେଖାଅଛି ଆପଣ ମତେ ଦେଖାଇ ଦେଇ ପାରିବେ ? ବରଂ ସ୍ଵୟଂ ମହମ୍ମଦ ନାରୀମାନଙ୍କୁ ପତିତ ଅବସ୍ଥାରୁ ଉଦ୍ଧାର କରିବା ପାଇଁ ସବୁବେଳେ ଉଦ୍ୟମ କରି ଆସିଥିଲେ । ତାଙ୍କର ପତ୍ନୀ ଆଶିୟା ସୈନ୍ୟବାହିନୀର ଥିଲେ ଅଧିନାୟିକା, ତାଙ୍କର ପ୍ରିୟତମା କନ୍ୟା ଫାତିମା ଆରବିୟାର ରାଜନୀତିରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ, ତାଙ୍କର ନାତୁଣୀ ସାକିନା କାରବାଲାର ସମରପ୍ରାଙ୍ଗଣରେ ହତିଆର ଧରି ବୀର ରମଣୀ ଭଳି ଯୁଦ୍ଧ କରିଥିଲେ...ଆଉ ମୁସଲମାନ ମହିଳା ସୁଲତାନା ହେବାର ଉଦାହରଣ ? ସୁଲତାନ୍ ସାଲ୍ଲାଦ୍ଦିନ ଭାତିଜାଙ୍କର ବାନ୍ଦୀ ସାଜାର-ଅଦ୍-ଦୁର ହୋଇଥିଲେ ସୁଲତାନା...

 

ନିଜାମୁଲ ମୁଲକଙ୍କ ଆଖି ଆଗରେ ଅନ୍ଧକାର ଘୋଟି ଆସିଲା ।

 

ନିଜର କନ୍ୟା-ସଦୃଶା ଜଣେ ଅଳ୍ପବୟସ୍କା ନାରୀ ପାଖରୁ ଧର୍ମଗ୍ରନ୍ଥ ଇତିହାସର ଏ ଅକାଟ୍ୟ ଯୁକ୍ତି ଶୁଣି ସେ ସ୍ତମ୍ଭିତ ହୋଇ ଯାଇଥିଲେ ।

 

ନିଜର ସମ୍ମାନ ରକ୍ଷା ପାଇଁ ସେ ବିନୀତ କଣ୍ଠରେ କହିଲେ, ଆପଣଙ୍କ ସମସ୍ତ ଯୁକ୍ତି ମୁଁ ମାନୁଛି । କିନ୍ତୁ ଅସନ୍ତୁଷ୍ଟ ଉଲେମାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ଦରବାରକୁ ଗଲାବେଳେ ମୁହଁ ଉପରେ ଏକ ସୁକ୍ଷ୍ମ ରେଶମୀ ଘୋଡ଼ଣୀ ଦେଲେ-ଯେତେହେଲେ ଆମେ କାଫେରମାନଙ୍କ ଦ୍ୱାରା ପରିବେଷ୍ଟିତ । ସେମାନଙ୍କ ପାଦଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ....

 

ସୁଲତାନାଙ୍କ ଧୈର୍ଯ୍ୟ ଏଥର ଶେଷ ସୀମାରେ ପହଞ୍ଚିଥିଲା ।

 

ସେ ଚିତ୍କାର କଲା ଭଳି ଉଚ୍ଚକଣ୍ଠରେ କହିଲେ, ମୋ ନିଜ ମନରେ କୌଣସି ଦୁର୍ବଳତା ନାହିଁ, କାଫେର ହେଲେ ବି ପ୍ରଜାମାନଙ୍କ ମନରେ ମଧ୍ୟ ନାହିଁ କୌଣସି ପାପଇଚ୍ଛା । ତେଣୁ ମୋ ମୁହଁରେ ରେଶମର ଘୋଡ଼ଣୀ ପକାଇବା ଅନାବଶ୍ୟକ । ବରଂ ଆପଣଙ୍କ ଭଳି ଯେଉଁ ଅମୀର ଓ ଉଲେମାମାନଙ୍କ ମନ ବିକୃତିରେ ବିବର୍ଣ୍ଣ ହୋଇଯାଇଛି, ସେମାନେ ସମସ୍ତେ ନିଜ ମନର ବିକୃତିକୁ ଘୋଡ଼ାଇବାକୁ ମୁହଁ ଉପରେ ଗୋଟାଏ ଲେଖା ପରଦା, ଆଚ୍ଛାଦାନ କରି ଦିଅନ୍ତୁ-କିନ୍ତୁ ସେ ପରଦା ରେଶମର ସୂକ୍ଷ୍ମବସ୍ତ୍ର ହେବା ଉଚିତ ନୁହେଁ, ତାହାହେଲେ ସେ ପାତଳ ପରଦା ଭେଦକରି ସେମାନଙ୍କ ବିକୃତି ପୁଣି ଆତ୍ମପ୍ରକାଶ କରିବ, ବରଂ ସେମାନଙ୍କ ବିକୃତ ମନ ଉପରେ ସେମାନେ ଏକ ଲୁହାର ଘୋଡ଼ଣୀ ଢାଙ୍କିଦିଅନ୍ତୁ....

 

ସୁଲତାନାଙ୍କ ମନରେ ଦୃଢ଼ତା, କଥାର ବ୍ୟଙ୍ଗ ଲକ୍ଷ୍ୟକରି ବିପୁଳ ବିକ୍ଷୋଭରେ ନିଜାମୁଲ ମୁଲକଙ୍କ କଣ୍ଠ ରୁଦ୍ଧ ହୋଇ ଆସୁଥିଲା । ସେ ଆଉ କୌଣସି କଥା କହିପାରିଲେ ନାହିଁ ।

 

ସୁଲତାନାଙ୍କୁ କୁର୍ଣ୍ଣିସ୍ ପକାଇ ପଛାଇ ପଛାଇ ପ୍ରସ୍ଥାନ କରି ଗଲା ବେଳେ ତାଙ୍କ ମନର ସମସ୍ତ ଅସନ୍ତୋଷ ମୁହଁର କୁଞ୍ଚିତ ରେଖାରେ ଫୁଟି ଉଠୁଥିଲା ।

 

ଅଣତିରିଶି

 

ରେଜିୟା କେବଳ ସୁଲତାନା ହୋଇ ସନ୍ତୁଷ୍ଟ ନୁହନ୍ତି । ଶାସନ କରିବାକୁ ବଦ୍ଧପରିକର, ଏ କଥା ଲକ୍ଷ୍ୟକରି ଯେଉଁ ଅଳ୍ପ କେତେଜଣ ଅମୀର୍ ଈର୍ଷାର ଅନଳରେ ଦଗ୍‍ଧ ହୋଇଥିଲେ, ଗିୟାସୁଦ୍ଦିନ ବଲବନ୍ ଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ।

 

ନିଜାମୁଲ୍ ମୁଲକଙ୍କଠାରୁ ରେଜିୟାଙ୍କ ପୁରୁଷପୋଷାକ ପରିଧାନ, ଦରବାର ଦର୍ଶନ ସଂପର୍କରେ ଦୃଢ଼ମତ ଶୁଣି ତାଙ୍କ ମନରେ ସନ୍ଦେହ, ଈର୍ଷାର ମାତ୍ରା ବହୁଗୁଣିତ ହେବାକୁ ଆରମ୍ଭ କଲା ।

 

ସାମାନ୍ୟ ଜଣେ ଭିସ୍ତି, ଜଳବାହକର ପଦରୁ ନିଜ ବୁଦ୍ଧିର ବିଚକ୍ଷଣତା ଯୋଗୁଁ ସେ ଉତ୍ତୀର୍ଣ୍ଣ ହୋଇଥିଲେ ଅମୀର୍ ପଦକୁ । ସଫଳତା ନିଶୁଣିର ପାହାଚରେ ପାଦ ରଖି ଅମୀର୍ ପଦରୁ ସୁଲତାନ ହେବାର ସ୍ୱପ୍ନ ତାଙ୍କ ମନରେ ଅନେକ ଦିନ ହେଲା ନିବିଡ଼ରୁ ନିବିଡ଼ତର ହେବାକୁ ଲାଗିଥିଲା ।

 

ରୁଜନଦ୍ଦିନ ସୁଲତାନ୍ ହେବା ପରେ ତାଙ୍କର ମନେ ହୋଇଥିଲା, ଯେପରି ଭାବରେ ସେ ସାମାନ୍ୟ କ୍ରୀତଦାସରୁ ତୁର୍କୀ ଅମୀର୍ ଆସନ ଅଳଙ୍କୃତ କରିଛନ୍ତି, ସେଥିରେ ସେ ସୁଲତାନ୍ ହେବା କିଛି ବଡ଼ କଥା ନୁହେଁ । ରୁକନଦ୍ଦିନ ଦୁର୍ବଳ, ମଦ୍ୟପ, ଭୀରୁ । ସୁଲତାନ ହୋଇ ସେ ବେଶିଦିନ ରହିପାରିବେ ନାହିଁ । ଆଉ ରେଜିୟା- !

 

ନା-ତାଙ୍କର ସମସ୍ତ ଗଣନା ଭୁଲ୍ ବୋଲି ତାଙ୍କୁ ଆଜି ମାନିବାକୁ ହେଉଛି ।

 

ନାରୀ ହୋଇ ସୁଦ୍ଧା ପୁରୁଷଙ୍କଠାରୁ ବଳି ଅଧିକ ବିଚକ୍ଷଣତାର ସହ ଶାସନ ପରିଚାଳନା କରୁଛନ୍ତି ରେଜିୟା । ବର୍ଷ, ମାସ ପାଇଁ ନୁହେଁ, ଆଜୀବନ ସୁଲତାନା ହୋଇ ରହିବାର ସଫଳ ଆୟୋଜନରେ ସେ କୌଣସି ଗୋଟିଏ ହେଲେ ସୁଦ୍ଧା ତ୍ରୁଟି କରୁନାହାନ୍ତି । ଆଉ ଦିନକୁ ଦିନ ତାଙ୍କର ଲୋକପ୍ରିୟତା ଯେପରି ଭାବରେ ବୃଦ୍ଧି ପାଇବାରେ ଲାଗିଛି...... !

 

ବଲବନ୍ ଅବାକ୍ ହୋଇ ବସି ଭାବିବାକୁ ଲାଗିଲେ ।

 

ତାଙ୍କର ସ୍ମରଣ ଅଛି ଯେଉଁଦିନ କ୍ରୀତଦାସର ବିପଣୀରେ ସେ ଅବହେଳିତ, ଉପେକ୍ଷିତ ହୋଇ ପଡ଼ି ରହିଥିଲେ, ତାଙ୍କର ଖର୍ବକାୟ ଚେହେରା, ବସନ୍ତ ଚିହ୍ନ-ବିକୃତ-ମୁଖମଣ୍ଡଳ ଦେଖି କେହି ତାଙ୍କୁ ଦାସଭାବରେ କ୍ରୟ କରିବାକୁ ରାଜି ହେଉ ନ ଥିଲେ । ଏପରି କି ସୁଲତାନ୍ ଇଲତୁମିସ୍ ଅନ୍ୟ କେତେକ ଦାସ କ୍ରୟ କଲାବେଳେ ତାଙ୍କ ମୁହଁକୁ ସୁଦ୍ଧା ଚାହୁଁ ନ ଥିଲେ ।

 

ନିଜ ତରଫରୁ ବଲବନ୍ କହିଥିଲେ, ଆପଣ ଯଦି ଅନ୍ୟମାନଙ୍କୁ ଦାସ ଭାବରେ କ୍ରୟ କରୁଛନ୍ତି, ମତେ ମଧ୍ୟ କ୍ରୟ କରନ୍ତୁ ଶାହ-ଇ-ଆଲମ୍ ! ଆପଣଙ୍କ ଟଙ୍କା କେବେ ପାଣିରେ ପଡ଼ିବ ନାହିଁ... !

 

ତାଙ୍କର ସେ କାକୁତି-ମିନତି ଶୁଣି ଦୟାପରବଶ ହୋଇ ତାଙ୍କୁ କ୍ରୟ କରିଥିଲେ ସୁଲତାନ । ତାଙ୍କୁ କ୍ରୟକରି ସୁଲତାନଙ୍କ ଅର୍ଥ ଯେ ବୃଥା ହୋଇ ନାହିଁ, ଏ କଥା ପ୍ରମାଣ କରିବାକୁ ନିଜର ସମସ୍ତ ଶକ୍ତି ଦେଇ ଉଦ୍ୟମ କରିଥିଲେ ବଲବନ୍ ।

 

ତାଙ୍କୁ ଯେତେବେଳେ ଯେଉଁ କାର୍ଯ୍ୟ ଦିଆଯାଇଥିଲା, ସେ ନିଷ୍ଠାର ସହ ତାହା ପାଳନ କରିଥିଲେ । ତାଙ୍କର ଏହି କର୍ତ୍ତବ୍ୟନିଷ୍ଠା, ଆନୁଗତ୍ୟ, ବିଚାରବୁଦ୍ଧି ତାଙ୍କୁ ଉଚ୍ଚ ଆସନକୁ ଉଠିବା ପାଇଁ ସାହାଯ୍ୟ କରିଥିଲା । ଗୁଣଗ୍ରାହୀ ଥିଲେ ସୁଲତାନ ଇଲତୁମିସ୍ । ସାମାନ୍ୟ ଜଳ-ବାହକର କାର୍ଯ୍ୟରୁ ସେ ତାଙ୍କୁ ଉଠାଇ ଆଣି ସ୍ଥାନ ଦେଇଥିଲେ ଚତ୍ୱାରିଂଶ ଅମୀରମାନଙ୍କ ମଧ୍ୟରେ ।

 

ସୁଲତାନ ହେବାର ନିଶା ଲାଗିଥିଲା ବଲବନଙ୍କ ମନରେ, ସୁଲତାନଙ୍କ ଦେହାନ୍ତ ପରେ-

 

ରୁକନଦ୍ଦିନଙ୍କ ସ୍ଵୈରାଚାର, ଦୁର୍ବଳ ଶାସନ ତାଙ୍କର ଏ ସ୍ଵପ୍ନକୁ ଆହୁରି ପ୍ରଗାଢ଼ କରିଥିଲା-। ସେ ଆଶା କରିଥିଲେ ଯେ ରୋଜିୟା ହେବେ ଆହୁରି ଦୁର୍ବଳ-ଶାସକ...ଆହୁରି ଅପାରଗ ସୁଲତାନ !

 

କିନ୍ତୁ !... କିନ୍ତୁ... !

 

ଗିୟାସୁଉଦ୍ଦିନ ବଲବନ୍ ଅନୁଭବ କଲେ ତାଙ୍କର ସମସ୍ତ ପରିକଳ୍ପନା ନୂତନ ସୁଲତାନାଙ୍କ ବ୍ୟାପକ ଲୋକପ୍ରିୟତା, ରାଜନୈତିକ ଦୁରଦୃଷ୍ଟି ଏବଂ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ମଧ୍ୟରେ ଲୀନ ହୋଇ ଯିବାକୁ ଲାଗିଛି । କେବଳ ତୁର୍କୀ ଅମୀର; ସେନାନାୟକ, ପ୍ରଜାମାନଙ୍କ ମଧ୍ୟରେ ନୁହେଁ; କାଫେରମାନଙ୍କ ମଧ୍ୟରେ ବି ଧୀରେ ଧୀରେ ଲୋକପ୍ରିୟତା ହାସଲ କରୁଛନ୍ତି ରୋଜିୟା !

 

ତା’ ହେଲେ ?

 

ବଲବନଙ୍କ ବିକୃତ ମୁଖ ଦୁଶ୍ଚିନ୍ତାରେ ଆହୁରି ବିବର୍ଣ୍ଣ ହୋଇ ଉଠିଲା ।

 

ତିରିଶି

 

ସୁଲତାନାଙ୍କୁ ଅଭିବାଦନ ଜଣାଇ ନିଜର ଆସନ ଗ୍ରହଣ କଲେ ବଲବନ୍ ।

 

ଧୀର କଣ୍ଠରେ କହିଲେ, ଶୁଣିଲି, ଆପଣ ପୁରୁଷ ପୋଷାକରେ ଦରବାରରେ ଦର୍ଶନ ଦେବାକୁ ସ୍ଥିର କରିଛନ୍ତି ସୁଲତାନା !

 

ରୋଜିୟା କହିଲେ, ସେତିକି ନୁହେଁ-ଜିମ୍ମିମାନଙ୍କ ଉପରୁ ଜିଜିଆ ଉଠାଇ ଦେବି ବୋଲି ମଧ୍ୟ ସ୍ଥିର କରିଛି ।

 

ଚମକାଇ ଦେବାକୁ ଆସି ନିଜେ ଚମକି ଉଠିଲେ ବଲବନ ।

 

ସେ ଆଶା କରିଥିଲେ, ପୁରୁଷ ପୋଷାକ ପିନ୍ଧି କାଫେରମାନଙ୍କୁ ଦରବାରରେ ଦେଖା ଦେବା ସଂପର୍କରେ ତାଙ୍କର ପ୍ରତିକୂଳ ମନ୍ତବ୍ୟ ଶୁଣି ସୁଲତାନା ହୁଏ ତ ତାଙ୍କର ମତ ପରିବର୍ତ୍ତନ କରିବେ । ଜିମ୍ମି, ଅଣମୁସଲମାନମାନଙ୍କ ଉପରୁ ଜିଜିୟା ଉଠାଇ ଦେବା ଭଳି ଏକ ନୂତନ ନିଷ୍ପତ୍ତି ଯେ ଘୋଷଣା କରି ବସିବେ, ଏହା ଥିଲା ତାଙ୍କର କଳ୍ପନାତୀତ ଘଟଣା !

 

କିନ୍ତୁ ନିଜ ମନର ନୈରାଶ୍ୟ ଏପରି ହଠାତ୍ ପ୍ରକାଶ କରି ଧରାପଡ଼ିଯିବା ଭଳି ବ୍ୟକ୍ତି ନୁହନ୍ତି ବଲବନ୍ । ସେ ବିସ୍ମିତ ହେବା ଭଳି ମୁଖଭଙ୍ଗୀ କରି କହିଲେ, କିନ୍ତୁ ଏ କିପରି କଥା ସୁଲତାନା ! ଆମେ ଜିମ୍ମି, ଅଣ-ମୁସଲମାନମାନଙ୍କ ଉପରେ ଶାସନ କରୁଛୁ, ଜିଜିୟା ଉଠାଇ ଦେଲେ ଆମେ ଏ କଥା ଅନୁଭବ କରିବା କିପରି ? ସେମାନେ ଜିଜିୟା ଦିଅନ୍ତି ଆମର ଅଧିନତାର ସୀକୃତିସ୍ୱରୂପ...

 

ରେଜିୟା ମୃଦୁହସି କହିଲେ, ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଧାରଣା । କର, ଟିକସ ବସାଇ ପ୍ରଜାମାନଙ୍କ ଠାରୁ ଆନୁଗତ୍ୟ ହାସଲ କରି ହୁଏ ନାହିଁ, ବରଂ ଏଭଳି ଅପମାନସୂଚକ କର, ଟିକସ ଦ୍ଵାରା ସେମାନଙ୍କୁ ଅଯଥାରେ ଉତ୍ତେଜିତ କରାଯାଏ...ଶାସନର ଦୃଢ଼ତା ଓ ସ୍ଥିରତା ପାଇଁ ପ୍ରଜାମାନଙ୍କ ମଧ୍ୟରେ ଏପରି ଉତ୍ତେଜନା ସୃଷ୍ଟି ହେଉ ବୋଲି ମୁଁ ଚାହେଁ ନାହିଁ...

 

ଅଣ-ମୁସଲମାନ, ଜିମ୍ମିମାନେ ଜିଜିୟା ଦିଅନ୍ତି; କାରଣ ସେମାନଙ୍କୁ ଯୁଦ୍ଧବେଳେ ଅସ୍ତ୍ର ଧରିବାକୁ ପଡ଼େ ନାହିଁ । ସୁଲତାନ ସେମାନଙ୍କ ବ୍ୟକ୍ତିଗତ ନିରାପତ୍ତା, ସମ୍ପତ୍ତିର ନିରାପତ୍ତା ଦାୟିତ୍ଵ ବହନ କରନ୍ତି, ଅଥଚ ସେମାନଙ୍କୁ ସୈନ୍ୟବାହିନୀରେ ଯୋଗଦେବାକୁ କୁହାଯାଏ ନାହିଁ । ସେଥିପାଇଁ ସେମାନକୁ ଦେବାକୁ ହୁଏ ଜିଜିୟା । ଏଥିରେ ଉତ୍ତେଜିତ ହେବାର କଅଣ ବା ଅଛି ? -ଜଣେ ଅଭିଜ୍ଞା ରାଜନୀତିଜ୍ଞା ଭଳି ଯୁକ୍ତି ଉପସ୍ଥାପିତ କଲେ ବଲବନ୍ ।

 

ଆଚ୍ଛା, ସେମାନେ ଯଦି ଆମ ସପକ୍ଷରେ ଶତ୍ରୁ ବିରୁଦ୍ଧରେ ଅସ୍ତ୍ର ଧାରଣ କରନ୍ତି, ତୁର୍କୀ ବାହିନୀରେ ଯୋଗ ଦିଅନ୍ତି, ତେବେ ସେମାନଙ୍କ ଉପରୁ ଜିଜିୟା ଉଠାଇ ଦିଆଯାଇ ପାରିବତ ? -ଲଘୁ ପରିହାସରେ ପ୍ରଶ୍ନ କଲେ ରେଜିୟା ।

 

ସୁଲତାନାଙ୍କ କଥା ଶୁଣି ବଲବନ୍ ନିଜେ ହିଁ ଉତ୍ତେଜିତ ହୋଇ ଉଠିଲେ ।

 

କହିଲେ, କାଫେର୍ ଜିମ୍ମିମାନଙ୍କୁ ଆମେ ବିଶ୍ୱାସ କରି ଆମ ସୈନ୍ୟବାହିନୀରେ ସ୍ଥାନ ଦେବା ? କୌଣସି ଜିମ୍ମି, କାଫେର୍ ବିଦେଶୀ ମୁସଲମାନ ଶାସକମାନଙ୍କ ପାଇଁ ପ୍ରାଣ ଦେଇ ଲଢ଼େଇ କରିବ ବୋଲି ଆପଣ ବିଶ୍ୱାସ କରୁଛନ୍ତି ?

 

ଆମର ଅବିଶ୍ଵାସ ପାଇଁ ଅଗଣିତ ଦୀନ, ଦୁଃସ୍ଥ ହିନ୍ଦୁ ପ୍ରଜା ଜିଜିୟା ଦେବେ, ଏ କଥା, ଏ ଯୁକ୍ତିରେ ମଧ୍ୟ ମୋର ବିଶ୍ଵାସ ନାହିଁ । ମୋ ଆଖିରେ ସମସ୍ତେ ମୋର ପ୍ରଜା । -ରେଜିୟା ବଲବନଙ୍କୁ ସରଳ ଭାବରେ ନିଜର ଯୁକ୍ତି ବୁଝାଇବାକୁ ଚେଷ୍ଟା କଲେ ।

 

ବଲବନଙ୍କ ଦୁଇ ଆଖିରେ କ୍ରୋଧର ଅଗ୍ନି ଶିଖା ଜଳି ଉଠିଲା ।

 

ସେ କହିଲେ, ଆଶ୍ଚର୍ଯ୍ୟ ! ଆମେ କଅଣ କେବଳ ହିନ୍ଦୁସ୍ଥାନରେ ସୁଶାସନ ପ୍ରତିଷ୍ଠା କରିବାକୁ ଆସିଛୁ ! ହିନ୍ଦୁସ୍ଥାନରେ ଇସଲାମ୍ ଧର୍ମର ପ୍ରସାର ଘଟାଇବା କଅଣ ଆମର କାମ୍ୟ ନୁହେଁ-? ଯଦି ମୁସଲମାନଧର୍ମୀଙ୍କ ଠାରୁ ଜିମ୍ମିମାନେ ଅଧିକ କର, ଟିକସ ନ ଦେବେ, ଲୋକେ କଅଣ ପାଇଁ ମନ୍ଦିର ଛାଡ଼ି ମସଜିଦକୁ ଆସିବେ ? କେବଳ ଯୁଦ୍ଧରେ ଯୋଗଦେବା କାର୍ଯ୍ୟରୁ ମୁକ୍ତି ଦେବାପାଇଁ ନୁହେଁ, ମୁସଲମାନ ଧର୍ମ ଗ୍ରହଣ କରିବା ଲାଗି ବାଧ୍ୟ କରିବାକୁ ଏ ଜିଜିୟା ତୁର୍କୀ ସୁଲତାନ, ମୁସଲମାନ ଶାସକମାନେ ବସାଇ ଯାଇଛନ୍ତି । ତାକୁ ଉଠାଇଦେଲେ ଇସଲମ୍ ଧର୍ମର ପ୍ରଚାର ହେବ କିପରି ?

 

ଜିଜିୟାର ଧମକ ଦେଇ ଇସଲାମ୍ ଧର୍ମର ପ୍ରଚାର ! ମୁଁ ତମ କଥା କିଛି ବୁଝିପାରୁ ନାହିଁ ବଲବନ୍ ! ତମ ଠାରୁ ମୋର ମଧ୍ୟ ହିନ୍ଦୁସ୍ଥାନରେ ଇସଲାମ୍ ଧର୍ମ ପ୍ରଚାର ପାଇଁ କମ୍ ଆଗ୍ରହ ନାହିଁ, କିନ୍ତୁ ଧମକ ଦେଇ ଧର୍ମାନ୍ତର ଘଟାଇବାକୁ ଚେଷ୍ଟା କଲେ ଲୋକେ ଧର୍ମ-ଦ୍ରୋହୀ ହୁଅନ୍ତି; ଅନ୍ୟ ଧର୍ମରେ ଦୀକ୍ଷିତ ହୁଅନ୍ତି ନାହିଁ ! ସେକ୍ ଅଲିବିନ୍ ଉସମାନଙ୍କ ନାମ ଶୁଣିଛ ବଲବନ ! -କ୍ଷୁବଧ କଣ୍ଠରେ ପ୍ରଶ୍ନ କଲେ ସୁଲତାନା ।

 

ଶୁଣିଛି । ଯାହାଙ୍କର କବର ଆଜି ସୁଦ୍ଧା ଲାହୋରରେ ରହିଛି । ...ସଂକ୍ଷେପରେ ବଲବନ ଉତ୍ତର ଦେଲେ ।

 

ସେ ମରିଯାଇ କବରସ୍ଥ ହୋଇଛନ୍ତି ସତ୍ୟ; କିନ୍ତୁ ତାଙ୍କ କବର ପାଖରେ ହିନ୍ଦୁ, ମୁସଲମାନ ସଂପ୍ରଦାୟ ଶହ ଶହ ଲୋକ ପ୍ରତିଦିନ ଆସି ଠୁଳ ହୁଅନ୍ତି । ସମ୍ମାନ ଦେଖାନ୍ତି । କାହିଁକି-? କାରଣ ସେ କେବଳ ଜଣେ ମୁସଲମାନ୍ ନ ଥିଲେ, ଶହ ଶହ ହଜାର ହଜାର ଜିମ୍ମିଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଇ ନଥିଲେ, ସେ ଥିଲେ ଜଣେ ସୁଫି-ସନ୍ୟାସୀ, ଯେ ନିଜେ ମାନବିକତାର ଧର୍ମରେ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ହାତରେ ଅସ୍ତ୍ର ନ ଥିଲା, ଜିଜିୟା ବସାଇବର କ୍ଷମତା ନ ଥିଲା । ନିଜର ମାନବିକ ଆବେଦନ ଫଳରେ ସହସ୍ର ସହସ୍ର ଜିମ୍ମିଙ୍କ ହୃଦୟ ପରିବର୍ତ୍ତନ କଲେ ସେ ସେମାନଙ୍କୁ ଇସଲମ୍ ଧର୍ମରେ ଦୀକ୍ଷିତ କରାଇଥିଲେ । ଅସ୍ତ୍ରର ଧମକ, ଜିଜିୟାର ଚାପରେ ଧର୍ମାନ୍ତର ଘଟାଇବା ଅପେକ୍ଷା ମୁଁ ଭାବୁଛି ଏହି ହୃଦୟ ପରିବର୍ତ୍ତନ ଫଳରେ ଯେଉଁମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇ ପାରିବ, ସେହିମାନେ ହିଁ ହେବେ ଅଲ୍ଲାଙ୍କ ପ୍ରକୃତ ଭକ୍ତ । -କଥା ଶେଷ କରି ବଲବନଙ୍କ ମୁହଁକୁ ଚାହିଁଲେ ସୁଲତାନା ।

 

ସେ ଜାଣିଥିଲେ, ବଲବନ୍ ଜଣେ ବୁଦ୍ଧିମାନ ବ୍ୟକ୍ତି । ତାଙ୍କର ଯୁକ୍ତି ହୁଏତ ତାଙ୍କ ମନକୁ ସ୍ପର୍ଶ କରିବ । ସେ ଯଦି ବଲବନଙ୍କୁ ନିଜ ମତ ବୁଝାଇ ଦେଇପାରନ୍ତି, ତାହାହେଲେ ଅନ୍ୟ ଅମୀରମାନକୁ ବୁଝାଇବା ତାଙ୍କ ପକ୍ଷରେ ଅସାଧ୍ୟ ହେବ ନାହିଁ ।

 

କିନ୍ତୁ ଅମୀର ବଲବନ୍ ସୁଲତାନାଙ୍କ ଅଦ୍ଭୁତ ଧର୍ମବ୍ୟାଖ୍ୟା ଶୁଣି ଅବାକ୍ ହୋଇ ଯାଇଥିଲେ । ଜଣେ ମୁସଲମାନ ସୁଲତାନାଙ୍କ ମୁହଁରୁ ଜିମ୍ମିମାନଙ୍କ ପ୍ରତି ଏତେ ସ୍ନେହ, ସହାନୁଭୂତିର କାରଣ ସେ କିଛିହେଲେ ବୁଝିପାରୁ ନ ଥିଲେ ।

 

ସେ ନିମ୍ନକଣ୍ଠରେ କହିଲେ, ସହସ୍ର ସହସ୍ର ମୁସଲମାନ୍ ହିନ୍ଦୁସ୍ଥାନରେ ଲଢ଼େଇ କରି ପ୍ରାଣ ଦେଇଛନ୍ତି, ଆପଣଙ୍କୁ ସୁଲତାନା କିମ୍ବା ମତେ ଅମୀର କରିବାକୁ ନୁହେଁ...କାଫେରମାନଙ୍କ ହାତରେ ପ୍ରାଣ ଦେଲାବେଳେ ମନରେ ଗୋଟିଏ ସାନ୍ତ୍ଵନା ନେଇ ସେମାନେ ମରିଛନ୍ତି ଯେ ହିନ୍ଦୁସ୍ଥାନରେ ସେମାନଙ୍କ ପ୍ରାଣବଳି ଦ୍ଵାରା ଇସଲାମର ପ୍ରସାର ଘଟିବ । ଯଦି ସୁଫୀ ସନ୍ୟାସୀମାନଙ୍କ ହୃଦୟ ପରିବର୍ତ୍ତନ ଦ୍ଵାରା ଏ କଥା ସମ୍ଭବ, କଅଣ ପାଇଁ ସେମାନେ ନିଜ ମାତୃଭୂମି ଛାଡ଼ି କାଫେରମାନଙ୍କ ଏ ଦେଶରେ କବର ନେଇଛନ୍ତି ସୁଲତାନା !

 

ଅଭୁତ, ଜଟିଳ ଏକ ପ୍ରଶ୍ନ ।

 

ଏ ପ୍ରଶ୍ନର କି ଉତ୍ତର ଅବା ଦେଇପାରନ୍ତେ ସୁଲତାନା ! ଏଭଳି ଚିନ୍ତାରେ ଯୁକ୍ତି ଅପେକ୍ଷା ଭାବପ୍ରବଣତାର ପ୍ରଶ୍ନ ଅଧିକ ଭାବରେ ଜଡ଼ିତ । କୌଣସି ସରଳ କାରଣ ଦର୍ଶାଇ ଏଭଳି ପ୍ରଶ୍ନର ଉତ୍ତର ଦିଆଯାଇପାରେ ନାହିଁ ।

 

ରେଜିୟା ଭାବ-ଗମ୍ଭୀର କଣ୍ଠରେ କହିଲେ, ପ୍ରଥମ ଅବସ୍ଥାରେ ଆମେ ଯେତେବେଳେ ହିନ୍ଦୁସ୍ଥାନରେ ପ୍ରବେଶ କରିବାକୁ ଚାହିଁଲେ, ହିନ୍ଦୁ ସମ୍ରାଟମାନଙ୍କର ଆକ୍ରମଣର ସମ୍ମୁଖୀନ ହେଉଥିଲୁ, ସେତେବେଳେ ଯୁଦ୍ଧ ହିଁ ଥିଲା ଧର୍ମପ୍ରଚାରର ଏକମାତ୍ର ବାଟ । କିନ୍ତୁ ଦିଲ୍ଲୀ ସିଂହାସନ ଅଧିକାର କଲା ପରେ, ହିନ୍ଦୁମାନେ ଆମର ଆଧିପତ୍ୟ ସ୍ଵୀକାର କଲାପରେ, ଧର୍ମପ୍ରଚାର ପାଇଁ ଆମେ କଅଣ ଭିନ୍ନ ପନ୍ଥା ଅନୁସରଣ କରିବା ଉଚିତ ନୁହେଁ ? ଜିଜିୟାର ଧମକରେ ଯେଉଁମାନେ ଆଜି ଇସଲାମ ଧର୍ମ ଗ୍ରହଣ କରିବେ, କାଲି ଯଦି ଆମେ କୌଣସି କାରଣରୁ ଦିଲ୍ଲୀ ସିଂହାସନ ହରାଉ, ତାହାହେଲେ ସେମାନେ କଅଣ ଇସଲାମ ଧର୍ମ ପ୍ରତ୍ୟାଖାନ କରିବାକୁ ଆଗଭର ହେବେ ନାହିଁ ? କିନ୍ତୁ ହୃଦୟ ପରିବର୍ତ୍ତନ ଦ୍ଵାରା ସେମାନେ ସ୍ୱେଚ୍ଛାରେ ମୁସଲମାନ ହେଲେ, ଧର୍ମତ୍ୟାଗର ଭୟ କମ୍ ହେବ ନାହିଁ କି ?

 

ସୁଲତାନାଙ୍କ କଥା ଶୁଣି ବଲବନ୍ ମନେମନେ ହସିଲେ ।

 

କହିଲେ, ହିନ୍ଦୁମାନଙ୍କ ଧର୍ମର ବଡ଼ କଥା ହେଲା, ଥରେ ଅନ୍ୟ ଧର୍ମ ଗ୍ରହଣ କଲେ, ଆଉ ହିନ୍ଦୁଧର୍ମକୁ ଫେରିହୁଏ ନାହିଁ । ସେଥିପାଇଁ ହିନ୍ଦୁ ମାନେ ଧର୍ମ ଛାଡ଼ିବାକୁ ସହଜରେ ରାଜି ହୁଅନ୍ତି ନାହିଁ, ଏଥିପାଇଁ ତାଙ୍କୁ ବାଧ୍ୟ କରାଯିବା ଦରକାର । ଆଉ ଥରେ ଧର୍ମ ଛାଡ଼ି ମୁସଲମାନ ହେଲେ ଯେତେ ପ୍ରାୟଶ୍ଚିତ୍ତ କଲେ ମଧ୍ୟ ସେମାନଙ୍କୁ ହିନ୍ଦୁ ଧର୍ମରେ ପ୍ରବେଶ ଅଧିକାର ମିଳିବ ନାହିଁ । ମୁଁ ଦେଖିଛି, ଯେଉଁମାନେ ଆମ ଧମକରେ ଡରି ମୁସଲମାନ ହୋଇଛନ୍ତି, ସେମାନେ ସୁନା, ଚାନ୍ଦି ହୀରା-ନୀଳାରେ ଐଶ୍ଵର୍ଯ୍ୟାଶାଳୀ ହୋଇଥିଲେ ସୁଦ୍ଧା ଗରିବ ହିନ୍ଦୁମାନେ ତାଙ୍କୁ ସମ୍ମାନ କରନ୍ତି ନାହିଁ; ସେମାନଙ୍କୁ ଛୁଇଁଲେ ଅଙ୍ଗ ଅପବିତ୍ର ହେଲା ବୋଲି ମନେକରନ୍ତି । ହିନ୍ଦୁମାନେ ବିଚିତ୍ର ଜାତି ସୁଲତାନା ! ସେମାନଙ୍କ ନିଜ ଧର୍ମର ଏହି କଠୋର ନୀତି ହିଁ ଆମକୁ ଇସଲାମଧର୍ମର ପ୍ରଚାର ପାଇଁ ସୁବିଧା ଦେଇଛି...ଜିଜିୟାର ଭୟ ଉଠିଗଲେ ଆମେ ଜଣେ ହେଲେ ହିନ୍ଦୁକୁ ମୁସଲମାନ କରିପାରିବା ନାହିଁ...ଆମେ ଥରେ ଅସ୍ତ୍ର ବଳରେ ହେଉ କିମ୍ବା ଜିଜିୟା ଧମକରେ ହେଉ ଜିମ୍ମି ମାନଙ୍କୁ ମୁସଲମାନ କରିଦେଲେ, ହିନ୍ଦୁଧର୍ମର ରକ୍ଷଣଶୀଳତା ସେମାନଙ୍କୁ ଚିରଦିନ ମୁସଲମାନ କରି ରଖିବ-

 

ରେଜିୟା ବୁଝିଲେ, ରକ୍ଷଣଶୀଳ ଉଲେମାମାନଙ୍କ ଦ୍ଵାରା ଅମୀର ବଲବନ ସଂପୂର୍ଣ୍ଣ ଭାବରେ ପ୍ରଭାବିତ । ତାଙ୍କୁ ଏପରି ଭାବରେ ବୁଝାଇବା ସହଜ ନୁହେଁ ।

 

ସେ ପ୍ରସଙ୍ଗ ପରିବର୍ତ୍ତନ କରି କହିଲେ, ମତେ ଭୁଲ ବୁଝ ନାହିଁ ବଲବନ ! ମୁଁ ଜିଜିୟା ଉଠାଇ ଇସଲାମ ଧର୍ମର ପ୍ରସାର ପଥରେ ଅନ୍ତରାୟ ହେବାକୁ ଚାହୁଁ ନାହିଁ । ମୁଁ ଚାହୁଁଛି, ହିନ୍ଦୁ ପ୍ରଜାମାନଙ୍କୁ ଆମ ପ୍ରତି ଅନୁରକ୍ତ କରିବା ପାଇଁ । ବର୍ତ୍ତମାନ ମୁହୂର୍ତ୍ତରେ ସେମାନଙ୍କ ଆନ୍ତରିକ ସାହାଯ୍ୟ ବିନା ମୋଙ୍ଗଲମାନଙ୍କ ପ୍ରତିରୋଧ କରିବା ସହଜ ନୁହେଁ । ସମ୍ବାଦ ପାଇଛି ସିନ୍ଧ୍ ଆରପଟେ ଦିଲ୍ଲୀ ଆକ୍ରମଣ ପାଇଁ ବିରାଟ ମୋଙ୍ଗଲବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି । ଏଣେ ରୁକନଦ୍ଦିନଙ୍କ ଶାସନ ସମୟରେ ତାଙ୍କର ଦୁର୍ବଳ-ଶାସନର ସୁଯୋଗ ନେଇ ଅନୁଗତ ରାଜ୍ୟର ନବାବ, ବାଦଶାହାମାନେ ବିଦ୍ରୋହୀ ହୋଇ ଉଠିଛନ୍ତି । ଯେଉଁ ବିଦ୍ରୋହୀମାନଙ୍କୁ ସୁଲତାନ ଯୁଦ୍ଧରେ ପରାସ୍ତ କରି ଆସିଥିଲେ, ସେମାନେ ବର୍ତ୍ତମାନ ପୁଣି ବିଦ୍ରୋହ କରିବାର ମସୁଧା କରୁଛନ୍ତି । ଏତେବେଳେ ଯଦି ହିନ୍ଦୁ ପ୍ରଜାମାନେ ବିଦ୍ରୋହ କରନ୍ତି ? ସେଥିପାଇଁ ମୁଁ ଭାବୁଛି, ଜିଜିୟା ଉଠାଇ ଦେଇ ସେମାନଙ୍କ ମନରେ ଆମ ପ୍ରତି ଆନୁଗତ୍ୟ ସୃଷ୍ଟି କରିବି...ଏହା ଆମର ଦୟା ନୁହେଁ, ଘୁଷ୍ ।

 

ବଲବନଙ୍କ ଆଖି ଆଗରୁ ରହସ୍ୟର ଏକ କଳା ପରଦା ଅପସାରିତ ହୋଇଗଲା ।

 

ସେ ପଚାରିଲା, ତାହାହେଲେ ଜିଜିୟା ଉଠାଇବା କଅଣ ଆପଣଙ୍କର ଶେଷ ସିଦ୍ଧାନ୍ତ ? ଫଳରେ ରାଜକୋଷର ଯେଉଁ କ୍ଷତିହେବ... !

 

ରେଜିୟା ରହସ୍ୟମୟ ଭାବରେ ହସିଲେ ।

 

କହିଲେ, ଶେଷ ନିଷ୍ପତ୍ତି ନିର୍ଭର କରୁଛି ଆପଣମାନଙ୍କ ସମ୍ମତି ଉପରେ । ମୁଁ ସବୁ ଅମୀରମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବି । ଯଦି ହିନ୍ଦୁସ୍ଥାନରେ ଆମର ଭିତ୍ତି ଦୃଢ଼କରିବା ଦୃଷ୍ଟିରୁ ଆପଣମାନେ ମୋ ପ୍ରସ୍ତାବକୁ ସମର୍ଥନ କରନ୍ତି...

 

ବଲବନ୍ ସୁଲତାନାଙ୍କ କଥାର ଗୋପନ ରହସ୍ୟ ବୁଝିବାକୁ ଚେଷ୍ଟାକଲେ, କିନ୍ତୁ ପାରିଲେ ନାହିଁ । ବୟସରେ ସାନ ହେଲେ ବି ସୁଲତାନାଙ୍କ କଥା ଓ ଚିନ୍ତାରେ କିପରି ଏକ ଅଦ୍ଭୁତ ପରିପକ୍ଵତାର ସ୍ପର୍ଶ ସେ ଅନୁଭବ କଲେ ।

 

ସୁଲତାନା ହସୁଛନ୍ତି ।

 

କିନ୍ତୁ ସେ ହସର ପ୍ଲାବନ କେବଳ ଦୁଇ ଓଠରେ ।

 

ଆଖିର ଡୋଳାରେ, ଦୃଷ୍ଟିର ଭଙ୍ଗୀରେ କିପରି ଏକ ରହସ୍ୟମୟ ଗାମ୍ଭୀର୍ଯ୍ୟ ସ୍ପଷ୍ଟ ହୋଇ ଉଠୁଛି । ସେ ପ୍ରକୃତରେ କଅଣ ଭାବୁଛନ୍ତି ?

 

ଏକତିରିଶି

 

ବେଗମ୍ ମହଲରୁ ନପୁଂସକ, ଖୋଜା ବିତାଡ଼ିତ...

 

ହାରେମ୍ ପାଇଁ ଶରୀର-ସୁନ୍ଦରୀ ରମଣୀ ସଂଗ୍ରହକାରୀ ସିନ୍ଧୁକୀମାନେ ଉତକ୍ଷିପ୍ତ, କାରଣ ସୁଲତାନାଙ୍କ ଶାସନରେ ତୁର୍କୀ ହାରେମ୍ ଶୂନ୍ୟତାରେ ପୂର୍ଣ୍ଣ ହେବାକୁ ଆରମ୍ଭ କରିଛି ! ନାରୀ ଆମଦାନି ସ୍ଥଗିତ !

 

ଆଉ ମୌଲବୀ, ଉଲେମାମାନେ... !

 

ରେଜିୟାଙ୍କ ପୁରୁଷ ପୋଷାକ ପରିଧାନ, ଦରବାର ଦର୍ଶନ ସେମାନଙ୍କ ରକ୍ଷଣଶୀଳ ମନର ସମସ୍ତ ସୂକ୍ଷ୍ମତନ୍ତ୍ରୀକୁ ଏକ ଅସହ୍ୟ ଉଦବେଗରେ ପୀଡ଼ିତ କରି ରଖିଥିଲା ।

 

ଜିମ୍ମିମାନଙ୍କ ଉପରୁ ଜିଜିୟା ଉଠାଇବା ପ୍ରସ୍ତାବ ପ୍ରତିକ୍ରିୟାଶୀଳ ଅମୀରମାନଙ୍କ ଧୈର୍ଯ୍ୟର ଶେଷ ସୀମାରେ ଏକ ଗାର ଟାଣିଦେଲା । କାଫେର୍, ଜିମ୍ମିମାନଙ୍କ ଉପରୁ ଜିଜିୟା ଉଠିଯିବ, ରାଜକୋଷ ହେବ ଶୂନ୍ୟ, ବିଳାସବ୍ୟସନ ପାଇଁ ଟଙ୍କା ଅଭାବ...ଏ କଥା ଅମୀର ହୋଇ ସେମାନେ ସହ୍ୟ କରିବେ କିପରି ?

 

ଫଳରେ ସାରା ଦିଲ୍ଲୀର ବାୟୁମଣ୍ଡଳ ଚାପା-ଉତ୍ତେଜନାର ମୃଦୁ-ଗୁଞ୍ଜନରେ ଅନୁରଣିତ ହୋଇ ଉଠିଲା । ମସଜିଦର ପ୍ରାର୍ଥନା ସଭାରେ ପାନଶାଳାର ଉଦ୍ଦାମ-ବିଳାସ ବେଳରେ ଚାଲିଲା ଚୁପଚାପ୍ ଆଲୋଚନା । ସୁଲତାନା କଅଣ କେଉଁ ହିନ୍ଦୁ କାଫେରର... !

 

ବାହାରକୁ ପ୍ରକାଶ ପାଉ ନ ଥିଲେ ସୁଦ୍ଧା ଏହି ପରିବ୍ୟାପ୍ତ ଅସନ୍ତୋଷ, ଅବରୁଦ୍ଧ ଉତ୍ତେଜନା ସମଗ୍ର ତୁର୍କୀ ଶାସକ ମହଲରେ ଏକ ତୀବ୍ର ଆଲୋଡ଼ନ ସୃଷ୍ଟି କଲା । ଯେଉଁମାନେ ଦିନେ ରେଜିୟାଙ୍କ ସିଂହାସନ ଆରୋହଣ ପାଇଁ ଦାବୀ କରି ଗଗନ-ଭୁବନ ପ୍ରକମ୍ପିତ କରୁଥିଲେ ସେମାନଙ୍କ ମନରେ ସୃଷ୍ଟି ହେଲା ସନ୍ଦେହର କୁହେଳିକା ।

 

ରେଜିୟା କଅଣ ସୁଲତାନା ହେବା ପରେ ନିଜର ସମସ୍ତ ଦୂରଦୃଷ୍ଟି ହରାଇ ବସିଲେଣି-?

 

ଜିମ୍ମିମାନଙ୍କ ଉପରୁ ଜିଜିୟା ଉଚ୍ଛେଦ...

 

କାଫେରମାନେ ଆଉ ମୁସଲମାନମାନଙ୍କୁ ମାନିବେ ତ ?

 

ଆଲ୍ଲା ! ଆଲ୍ଲା ! କି ଆତ୍ମଘାତୀ, ସାଂଘାତିକ ପ୍ରସ୍ତାବ ! ହିନ୍ଦୁ କାଫେରମାନେ ଆଉ ମୁସଲମାନମାନଙ୍କୁ ମାନିବେ ତ ?

 

ଅମୀର, କାଜି, ଉଲେମା, ମୌଲବୀ ମହଲରେ ଚହଳ ପଡ଼ିଗଲା ।

 

ହିନ୍ଦୁସ୍ଥାନରୁ ତୁର୍କୀ ଶାସନର ଆୟୁଷ ଶେଷ ହୋଇ ଆସିଲା ବୋଲି ସମସ୍ତେ ଦିନ ଗଣନା କରିବାକୁ ଲାଗିଲେ । ନିଜାମୁଲ୍ ମୁଲକ, ଗିୟାସୁଉଦ୍ଦିନ ବଲବନ ପ୍ରମୁଖ ବିଶିଷ୍ଟ ଅମାତ୍ୟ, ଅମୀରମାନେ କଳ୍ପନା କରିବାକୁ ଲାଗିଲେ, ଏହା ପରେ କଅଣ ହେବ ?

 

Unknown

ଏହି ସମୟରେ ଆଉ ଏକ ଦୁଃସମ୍ବାଦ ଏ ସମସ୍ତ ଉତ୍ତେଜନାକୁ ଏକ ବିଭୀଷିକାରେ ପରିଣତ କରିଦେଲା ।

 

ସମ୍ବାଦ ମିଳିଲା, ରାନ୍ଥାମ୍ଭୋର ଦୁର୍ଗର ପତନ ଘଟିଛି ।

 

ଚୌହାନବଂଶୀୟ କଫେରମାନେ ଅଧିକାର କରି ନେଇଛନ୍ତି ଦୁର୍ଗ ।

 

ଦୁର୍ଗ ରକ୍ଷା ଦାୟିତ୍ଵରେ ଥିବା ମାଲିକ୍ ସଫିଉଦ୍ଦିନ ଆଇବାକଙ୍କର ମୃତ୍ୟୁ ଘଟିଛି ।

 

କେବଳ ଅସନ୍ତୁଷ୍ଟ ଅମୀରମାନଙ୍କ ପାଇଁ ନୁହେଁ, ରାନ୍ଥାମ୍ଭୋର ଦୁର୍ଗର ପତନ, ସଫିଉଦ୍ଦିନ ଆଇବାକଙ୍କ ମୃତ୍ୟୁ ସ୍ୱୟଂ ସୁଲତାନାଙ୍କୁ ମଧ୍ୟ ବ୍ୟାକୁଳ ବେଦନାରେ ବ୍ୟଥିତ କଲା । ମାଲିକ୍ ସଫିଉଦ୍ଦିନ ଥିଲେ ରୋଜିୟାଙ୍କର ବିଶ୍ଵସ୍ତ ବ୍ୟକ୍ତି । ତାଙ୍କର ଶକ୍ତି ଉପରେ ଥିଲା ସୁଲତାନାଙ୍କର ଅଗାଧ ଆସ୍ଥା । ତାଙ୍କର ମୃତ୍ୟୁ ସମ୍ବାଦରେ ସୁଲତାନା ଦୁଃଖିତା ହେବା ସ୍ଵାଭାବିକ୍ ।

 

କିନ୍ତୁ ବିପଦରେ ଭାଙ୍ଗି ପଡ଼ିବା ଭଳି ବ୍ୟକ୍ତି ନୁହଁନ୍ତି ରେଜିୟା ।

 

ରାନ୍ଥାମ୍ଭୋର ଦୁର୍ଗର ପୁନର୍ଦଖଲ ପାଇଁ ସେ ମନେ ମନେ ସଂକଳ୍ପ କଲେ ।

 

ସେ ଜାଣିଥିଲେ, ରାନ୍ଥାମ୍ଭୋର ଦୁର୍ଗ ହିନ୍ଦୁ-ରାଜପୁତମାନଙ୍କର ବହୁ ଅଭିଳାଷିତ ଦୁର୍ଗ । ପୃଥ୍ୱୀରାଜ ଚୌହ୍ୱାନଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଗୋବିନ୍ଦରାଜ ଏହି ଦୁର୍ଗକୁ ଦଖଲ କରିବା ପାଇଁ ବାରମ୍ବାର ତୁର୍କୀ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଦୁର୍ଗରକ୍ଷା ପାଇଁ ହଜାର ହଜାର ତୁର୍କୀସୈନ୍ୟଙ୍କ ରକ୍ତରେ ସିନ୍ଦୂରିତ ହୋଇଛି ଧୂସରସମତଳ ଭୂମି । ଦିଲ୍ଲୀ ସୁଲତାନ ଦୁର୍ଗ ଉପରେ କର୍ତ୍ତୃତ୍ଵ ବଜାୟ ରଖିଛନ୍ତି ସତ୍ୟ; କିନ୍ତୁ ଦୁର୍ଗ କେବେ ବିପଦମୁକ୍ତ ହୋଇ ନାହିଁ ।

 

ସୁଲତାନ ଇଲତୁମିସଙ୍କ ଶାସନ କାଳରେ ପରାହତ ରାଜପୁତ୍ ବାହିନୀ ଦୁର୍ଗ ଆକ୍ରମଣ ପରିକଳ୍ପନା ସ୍ଥଗିତ ରଖିଥିଲେ । କିନ୍ତୁ ତାଙ୍କର ମୃତ୍ୟୁପରେ, ରୁକନଦ୍ଦିନଙ୍କ ଦୁର୍ବଳ ଶାସନର ସୁଯୋଗରେ ସେମାନେ ପୁଣି ଦୁର୍ଗ ଦଖଲ ପାଇଁ ଉତ୍ସାହିତ ହୋଇଛନ୍ତି ।

 

ଦିଲ୍ଲୀର ସୁଲତାନା ଯେ ଦୁର୍ବଳ ନୁହନ୍ତି, ଏକଥା ରାଜପୁତମାନଙ୍କୁ ଜଣାଇ ଦେବା ପାଇଁ ସେ ରାନ୍ଥାମ୍ଭୋର ଦୁର୍ଗ ପୁନଦଖଲ କରିବା ଦରକାର । ଏଥିରେ କେବଳ ଗୋଟିଏ ଦୁର୍ଗ ଜୟ, ପରାଜୟର ପ୍ରଶ୍ନ ନୁହେଁ; ସମଗ୍ର ଦିଲ୍ଲୀ ଶାସନର ଶକ୍ତିସାମର୍ଥ୍ୟର ପ୍ରଶ୍ନ ଜଡ଼ିତ ।

 

ଏଥିପାଇଁ ଏକମାତ୍ର ପନ୍ଥା ଯୁଦ୍ଧ... !

 

ମାଲିକ୍ କୁତବୁଦ୍ଦିନ ହୁସେନଙ୍କୁ ଏଥିପାଇଁ ପ୍ରେରଣ କଲେ ସୁଲତାନା ।

 

ଭୟଙ୍କର ରକ୍ତାକ୍ତ ସଂଗ୍ରାମ ପରେ ତୁର୍କୀ ସୈନ୍ୟ ଦଖଲ କଲେ ରାନ୍ଥାମ୍ଭୋର ଦୁର୍ଗ । ଦିଲ୍ଲୀର ସୁଲତାନା ଯେ ଆକ୍ରମଣକାରୀଙ୍କୁ ଭୟ କରନ୍ତି ନାହିଁ; ଦୁର୍ଗରକ୍ଷା ପାଇଁ ଦୁର୍ବଳ ନୁହନ୍ତି, ଏକଥା ରାଜପୁତମାନଙ୍କୁ ରଣକ୍ଷେତ୍ରରେ ଜଣାଇ ଦେବା ପରେ ସ୍ଵସ୍ତିର ନିଃଶ୍ୱାସ ତ୍ୟାଗ କଲେ ରେଜିୟା ।

 

ତୁର୍କୀ ସୈନ୍ୟ ଦୁର୍ଗ ଜୟ କରିଛନ୍ତି ସତ୍ୟ, କିନ୍ତୁ ଶକ୍ତିକ୍ଷୟ କରି ଦୁର୍ବଳ ହୋଇ ପଡ଼ିଛନ୍ତି । ସୁଲତାନା ଜାଣିଥିଲେ, ପରାଜିତ, ଆହତ ରାଜପୁତମାନେ କେବେହେଲେ ଏ ପରାଜୟକୁ ସ୍ୱୀକାର କରି ନୀରବ ରହିବେ ନାହିଁ । ପୁଣି ହୁଏତ ଅଳ୍ପ କେତେଦିନ ପରେ ଋଣଦୁନ୍ଦୁଭି ବାଜିଉଠିବ । ସବୁଦିନ ପାଇଁ ଦୁର୍ଗ-ଦଖଲ କରିବାକୁ ହେଲେ ରାଜପୁତ୍ ଶକ୍ତି ସହିତ ଲାଗି ରହିବ ଦିଲ୍ଲୀ ସୁଲତାନାଙ୍କ ତୁମୁଳ ସଂଘର୍ଷ । ସେ ସଂଘର୍ଷ ପ୍ରଭାବ ପଡ଼ିବ ତାଙ୍କର ନିଜ ହିନ୍ଦୁ ପ୍ରଜାମାନଙ୍କ ଉପରେ-। ସେ ଅଣ-ମୁସଲମାନ ପ୍ରଜାମାନଙ୍କ ଆନୁଗତ୍ୟ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତା ହୁଏତ ବ୍ୟର୍ଥ ହୋଇଯିବ ।

 

ଆଉ କିଏ ଜାଣେ, ସଫିଉଦ୍ଦିନ ଆଇବାକଙ୍କ ଭଳି କୁତବୁଦ୍ଦିନ ହୋସେନ୍ ଯଦି ରାଜପୁତମାନଙ୍କ ହାତରେ... !

 

ପରାଜିତ ହୋଇ ଦୁର୍ଗରୁ ବିତାଡ଼ିତ ହେବା ଅପେକ୍ଷା, ଦୁର୍ଗଜୟ ପରେ ସେ ଯଦି ଦୁର୍ଗ ଛାଡ଼ି ଚାଲି ଆସିବାକୁ ତୁର୍କୀ ବାହିନୀକୁ ନିର୍ଦ୍ଦେଶ ଦିଅନ୍ତି... !

 

କଥାଟି ସ୍ମରଣ କରି ମନେ ମନେ ହସିଲେ ସୁଲତାନା ।

 

ତାହାହେଲେ ହିନ୍ଦୁ, ରାଜପୁତମାନେ ବୁଝିବେ, ଦିଲ୍ଲୀର ସୁଲତାନା ଆକ୍ରମଣର ପ୍ରତିରୋଧ ପାଇଁ ଦୁର୍ବଳ ନୁହନ୍ତି; କିନ୍ତୁ ସାମାନ୍ୟ ଏକ ଦୁର୍ଗ ପାଇଁ ସେ ରାଜପୁତମାନଙ୍କ ବନ୍ଧୁତ୍ଵ ହରାଇବାକୁ ଚାହାନ୍ତି ନାହିଁ ।

 

ବିଜୟ ଲାଭ ପରେ ରାନ୍ଥାମ୍ଭୋର ଦୁର୍ଗ ରାଜପୁତ୍ ଶତ୍ରୁଙ୍କ ହାତରେ ସମର୍ପଣ କରି ଫେରିଆସିବେ ତୁର୍କୀ ବାହିନୀ !

 

ସମ୍ବାଦଟି ପ୍ରଚାରିତ ହେବା ମାତ୍ରେ ନିଜାମୁଲ୍ ମୁଲକ ଏବଂ ଅନ୍ୟାନ୍ୟ ଅମୀରମାନଙ୍କ ମନରେ ସନ୍ଦେହ ଓ ବିସ୍ମୟର ଏକ ତଡ଼ିତ୍ ପ୍ରବାହ ସଞ୍ଚାରିତ ହୋଇଗଲା ।

 

ନିଜକୁ ଲୋକପ୍ରିୟ କରିବା ପାଇଁ କଅଣ ସୁଲତାନା ତୁର୍କୀ ସାମ୍ରାଜ୍ୟକୁ ହିନ୍ଦୁ-କାଫେରମାନଙ୍କ ହାତରେ ସମର୍ପଣ କରିଦେବାକୁ ଚାହାନ୍ତି ?

 

ନିଜାମୁଲ୍ ମୁଲକ ଚିତ୍କାର କରି ଉଠିଲେ, ନାରୀ ଯେ ଶାସନ ପରିଚାଳନା ପାଇଁ ଅଯୋଗ୍ୟ, ଏ ଘଟଣା ପରେ ମୋର ଆଉ ତିଳେ ହେଲେ ସନ୍ଦେହ ନାହିଁ । ଏଭଳି ଅନୁଚିତ କାର୍ଯ୍ୟ ପାଇଁ ସୁଲତାନାଙ୍କୁ କୈଫିୟତ୍ ଦେବାକୁ ହିଁ ହେବ ।

 

ଅମୀର, ଅମାତ୍ୟମାନଙ୍କ ଅଭିଯୋଗ ଧୀରସ୍ଥିର ଭାବରେ ଶୁଣିଲେ ସୁଲତାନ ।

 

କହିଲେ, ନାରୀ ବୋଲି ଦୁର୍ବଳତା ଯୋଗୁଁ ଯେ ମୁଁ ଦୁର୍ଗ ଛାଡ଼ି ଚାଲିଆସିବାକୁ ମାଲିକ ହୋସେନଙ୍କୁ ନିର୍ଦ୍ଦେଶ ଦେଇଛି, ଏ କଥା ଆପଣମାନେ ଭାବୁଛନ୍ତି କାହିଁକି ? ଏହି ଦୁର୍ଗକୁ ଦଖଲ କରି ମୋର ପିତାମହ କୁତବୁଦ୍ଦିନ ଆଇବାକ୍ କଅଣ ରାଜପୁତମାନଙ୍କ ହାତରେ ଛାଡ଼ିଦେଇ ନ ଥିଲେ !

 

କିନ୍ତୁ ସେତେବେଳେ ସମୟ ଭିନ୍ନ ଥିଲା ସୁଲତାନା ! ହିନ୍ଦୁସ୍ଥାନରେ ଆମର ଆସନ, ଶାସନ ସୁଦୃଢ଼ ହୋଇ ନ ଥିଲା । ରାଜନୈତିକ କୌଶଳ ଦୃଷ୍ଟିରୁ ଆଇବାକ୍ ରାଜପୁତମାନଙ୍କ ହାତରେ ବିଜିତ ଦୁର୍ଗକୁ ଛାଡ଼ି ଦେଇଥିଲେ । କିନ୍ତୁ ଆଜି ତ ଆଉ ସେ ପରିସ୍ଥିତି ନାହିଁ !- ମାଲିକ୍ ବଲବନ୍ ଯୁକ୍ତି ଦର୍ଶାଇବାକୁ ଚେଷ୍ଟା କଲେ ।

 

ସ୍ମିତ ହସି ସୁଲତାନା ଉତ୍ତର ଦେଲେ, ସେଦିନ ଯଦି ରାଜନୈତିକ କୌଶଳ ଦୃଷ୍ଟିରୁ ବିଜିତ ଦୁର୍ଗ ରାଜପୁତମାନଙ୍କ ହାତରେ ଛାଡ଼ି ଦେବାକୁ ମନସ୍ଥ କରିଥିଲେ ଆଇବାକ୍ ! ଆଜି ସେହି କୌଶଳ ଦୃଷ୍ଟିରୁ ସେ ଦୁର୍ଗ ପୁଣି ସେମାନଙ୍କ ହାତରେ ଛାଡ଼ି ଦେବା ଜରୁରୀ ମାଲିକ ! ଆମେ ସିଂହାସନ ଦଖଲ କରିଛୁ, କିନ୍ତୁ ଶାସନ ସୁପ୍ରତିଷ୍ଠିତ କରି ପାରି ନାହୁଁ । ହିନ୍ଦୁ ପ୍ରଜାମାନଙ୍କ ବିନା ଆନୁଗତ୍ୟରେ ଏ ଦିଲ୍ଲୀରେ ତୁର୍କୀଶହୀ ଶାସନ କେବେହେଲେ ସୁପ୍ରତିଷ୍ଠିତ ହୋଇ ପାରେନା । ସେଥିପାଇଁ ଯଦି ଆଜି ସାମାନ୍ୟ ଏକ ଦୁର୍ଗ ଆମକୁ ହିନ୍ଦୁମାନଙ୍କୁ ଉପହାର ଦେବାକୁ ପଡ଼ୁଥାଏ, ସେଥିରେ ବିଚଳିତ ହେବାର କଅଣ ଅଛି ?

 

କେବଳ କାଫେର୍....କେବଳ ହିନ୍ଦୁମାନଙ୍କ ପାଖରେ ଆତ୍ମସମର୍ପଣ କରିବାର ଯୁକ୍ତି ! କାଫେରମାନଙ୍କୁ ତୁର୍କୀ ସାମ୍ରାଜ୍ୟର ମାନ୍, ଇଜ୍ଜତକୁ ଘୁଷ୍ ଦେଇ ସୁଲତାନା ହେବାର ହୀନଚେଷ୍ଟା ! ନା-ନା, ଏ ସବୁ ଅସହ୍ୟ !

 

ଆଉ କିଛି ଯୁକ୍ତି ନ କରି ଅମୀର; ଅମାତ୍ୟମାନେ ମନ୍ତ୍ରଣାକକ୍ଷ ତ୍ୟାଗକରି ଚାଲିଆସିଲେ, ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ଭାଗ୍ୟାକାଶରେ ଘନୀଭୂତ ହୋଇ ଆସିଲା ଏକ ପ୍ରାସାଦବିପ୍ଳବର ଘୂର୍ଣ୍ଣିବାତ୍ୟା !

 

ବତିଶି

 

ରେଜିୟା ସୁଲତାନା ହୋଇଛନ୍ତି; କିନ୍ତୁ ସୁଲଭ ହୋଇନାହିଁ ତାଙ୍କୁ ସୁନିଦ୍ରା । ଅନ୍ତତଃ ସେଦିନ ଅର୍ଦ୍ଧରାତ୍ରିରେ ସହଚରୀ ପରଭିନର୍ ଡାକ ଶୁଣି ତାଙ୍କର ତାହା ହିଁ ଧାରଣା ହେଲା ।

 

ନିଦ୍ରା-ବିଜଡ଼ିତ ନୟନରେ ସେ ପଚାରିଲେ, ହଠାତ୍ କଅଣ... ?

 

ମାଲିକ୍ ଆଲତୁନିୟା ଅପେକ୍ଷା କରୁଛନ୍ତି ବୋଲି କହି ଅପସରି ଗଲା ପରଭିନ୍ ।

 

ଏ ନିଶାର୍ଦ୍ଧରେ ହଠାତ୍ କାହିଁକି ଆଲତୁନିୟା ?

 

ଶୟନକକ୍ଷ ସଂଲଗ୍ନ ଅଷେକ୍ଷା-ଗୃହରେ ଆଲତୁନିୟା ଉତ୍ତେଜିତ ଭାବରେ ପଦାଚାରଣ କରୁଥିଲେ । ରେଜିୟା ତାଙ୍କୁ ବହୁ ସମୟରେ ଉତ୍ତେଜିତ ଅବସ୍ଥାରେ ଦେଖିଛନ୍ତି । କିନ୍ତୁ ଆଜି ଯେପରି ବିପୁଳ ଉତ୍ତେଜନାରେ ଆଲତୁନିୟାଙ୍କ ଦେହ ମନ ଆନ୍ଦୋଳିତ ହେଉଥିବାର ଲକ୍ଷଣମାନ ପ୍ରକାଶ ପାଉଛି, ଏପରି ଭାବରେ ସେ କେବେହେଲେ ତାଙ୍କୁ ଦେଖି ନ ଥିଲେ ।

 

ବଦ୍ଧମୁଷ୍ଠି ଉତ୍ତୋଳନ କରି ବାହାରକୁ କାହା ଉଦ୍ଦେଶ୍ୟରେ ଚାହୁଁଛନ୍ତି ଆଲତୁନିଆ । ପୁଣି ଉତ୍ତପ୍ତ ଦୀର୍ଘଶ୍ଵାସ ତ୍ୟାଗକରି ନିଜ ଦୁଇ ହାତ ପାପୁଲିରେ: ନିଜ ମଥାକୁ ସେ ଅସ୍ଥିର ଭାବରେ ଚାପି ଧରୁଛନ୍ତି ।

 

ଆଲତୁନିୟାଙ୍କର କଅଣ ହୋଇଛି ?

 

ଏତେ ରାତିରେ, ଏପରି ଭାବରେ... ? -ପ୍ରଶ୍ନ କଲେ ରେଜିୟା ।

 

ଅଙ୍ଗୁଳି ଇଙ୍ଗିତରେ ସୁଲତାନାଙ୍କୁ ନୀରବ ରହିବାକୁ ନିର୍ଦ୍ଦେଶ ଦେଲେ ମାଲିକ୍ ଆଲତୁନିଆ । ତାଙ୍କର ସନ୍ନିକଟବର୍ତ୍ତୀ ହୋଇ କହିଲେ, ଆମ ଚାରିପଟେ ଜଘନ୍ୟ ଷଡ଼ଯନ୍ତ୍ରର ଜାଲ ବିଛାଇ ଦିଆଯାଇଛି ସୁଲତାନା ! ବର୍ତ୍ତମାନ ଏ ଷଡ଼ଯନ୍ତ୍ରର ସମ୍ମୁଖୀନ ହେବା କଷ୍ଟକର । ଶତୃ ଆମର ଚାରିପଟେ...

 

ଷଡ଼ଯନ୍ତ୍ର ! ଶତୃ ! ବିଦ୍ରୋହ !

 

ସୁଲତାନା ଶିହରି ଉଠିଲେ ।

 

ବିବ୍ରତ କଣ୍ଠରେ ପ୍ରଶ୍ନକଲେ, କିଏ ଏ ବିଦ୍ରୋହ ସଙ୍ଗଠିତ କରିଛି ଆଲତୁନିୟା !

 

ବାହାରେ ରାତ୍ରିର ଘନ ନୀଳ ଅନ୍ଧକାର । ଚାରିଆଡ଼ ନିର୍ଜ୍ଜନ ।

 

ସେଇ ନିର୍ଜ୍ଜନତା ଭିତରେ ଚାପା କଣ୍ଠରେ ଆଲତୁନିଆ କହିଲେ, ଅନ୍ୟ କେହି ନୁହେଁ, ବିଶ୍ୱାସଘାତକ ନିଜମୁଲ୍ ମୁଲକ । ସେନାନାୟକ କୁଜ୍ଜି, ଜାନି ଏବଂ ଇଜ୍ଜୁଦ୍ଦିନ ଆୟାଜ୍ ମଧ୍ୟ ତାଙ୍କ ସହ ଏ ବିଦ୍ରୋହରେ ଯୋଗ ଦେଇଛନ୍ତି ।

 

ନିଜାମୁଲ୍ ମୁଲକ ବିଦ୍ରୋହୀ !

 

ପ୍ରଥମେ ଏ କଥା ବିଶ୍ୱାସ କରିପାରିଲେ ନାହିଁ ସୁଲତାନା । ସନ୍ଦିଗ୍‍୍‍ଧ କଣ୍ଠରେ ସେ ପ୍ରଶ୍ନ କଲେ, କିନ୍ତୁ ତମେ ଏ ସମ୍ବାଦ ଠିକ୍ ବୋଲି ଜାଣିଲ କିପରି ?

 

ଆଲତୁନିୟାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା ।

 

ସେ ବିଚଳିତ ହୋଇ କହିଲେ, ସେ ଚାରି ଜଣ କେବଳ ଏ ଷଡ଼ଯନ୍ତ୍ରର ପରିକଳ୍ପନା କରିନାହାନ୍ତି, ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାଦେଶିକ ନବାବମାନଙ୍କୁ ମଧ୍ୟ ରାଜି କରାଇଛନ୍ତି । ଏ ଚାରିଜଣଙ୍କ ସ୍ଵାକ୍ଷରରେ ଆପଣଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଆମର ବିଶ୍ଵସ୍ତ ନବାବ୍ ଏ ଗୋପନୀୟ ତଥ୍ୟ ମତେ ଜଣାଇଛନ୍ତି...ଆପଣ ସେମାନଙ୍କ ସ୍ୱହସ୍ତ ଲିଖିତ ପତ୍ର ଦେଖିପାରନ୍ତି...

 

ନିଜାମୁଲ ମୁଲକ, ଆୟାଜ, କୁଜ୍ଜି ଓ ଜାନିଙ୍କ ଦସ୍ତଖତ ଥିବା ପତ୍ର ପାଠ କରି ସୁଲତାନାଙ୍କ ମନରୁ ସମସ୍ତ ସଂଦେହ ଦୂର ହୋଇଗଲା । ସୁଲତାନା କିପରି ଜିମ୍ମି, କାଫେରମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତୁର୍କୀ ସାମ୍ରାଜ୍ୟ ସେମାନଙ୍କ ହାତରେ ସମର୍ପଣ କରିଦେବାକୁ ଯୋଜନା କରିଛନ୍ତି, ତାର ବହୁ କାଳ୍ପନିକ ବିବରଣୀ ରହିଛି ସେ ପତ୍ରରେ । ଶେଷରେ ଅନୁରୋଧ କରାଯାଇଛି, ପବିତ୍ର ଇସଲାମ ଧର୍ମର ସୁରକ୍ଷା ପାଇଁ ସେମାନେ ବିଦ୍ରୋହ ଘୋଷଣା କରନ୍ତୁ । ସେମାନଙ୍କ ସୈନ୍ୟବାହିନୀ ଆସନ୍ତୁ ଦିଲ୍ଲୀ ଅଭିମୁଖେ...ସେଠାରେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଦିଆଯିବ...

 

ପତ୍ରପାଠ ଶେଷ କରି ସୁଲତାନା ଗମ୍ଭୀର ହୋଇଗଲେ ।

 

ଆଲତୁନିୟା ଲକ୍ଷ୍ୟ କଲେ, ତନ୍ଦ୍ରାବିହ୍ଵଳିତ ତାଙ୍କର କୋମଳ ମୁଖମଣ୍ଡଳରେ ଚିନ୍ତାର ରେଖାଗୁଡ଼ିକ କଠିନ ହୋଇ ଉଠିଛି । ଦୁଇ ଇନ୍ଦ୍ର-ନୀଳ ଆଖିରୁ ସ୍ଫୁରିତ ହେଉଛି ଅଗ୍ନିକଣା । ମୁହଁର ମାଂସପେଶୀରେ ଏକପ୍ରକାର ପୁରୁଷସୁଲଭ ନିଷ୍ଠୁରତାର ଭଙ୍ଗୀ ଫୁଟିଉଠିଛି ।

 

ସେ କର୍କଶ କଣ୍ଠରେ ଆଦେଶ ଦେଲେ, ଯେଉଁମାନେ ପବିତ୍ର ଇସଲାମଧର୍ମ ନାମରେ ନିଜର ସ୍ଵାର୍ଥସାଧନ ପାଇଁ ବିଦ୍ରୋହର ସ୍ଵପ୍ନ ଦେଖୁଛନ୍ତି, ମୁଁ ସେମାନଙ୍କୁ ଉଚିତ ଶିକ୍ଷା ଦେବି ଆଲତୁନିୟା ! ଏ ଉତ୍ତେଜିତ ହେବାର ସମୟ ନୁହେଁ; କାର୍ଯ୍ୟ ପାଇଁ ତତ୍ପର ହେବାର ସମୟ । ତମେ ଆମର ସମସ୍ତ ବିଶ୍ଵସ୍ତ କର୍ମଚାରୀ, ସେନା-ନାୟକ ଓ ସୈନ୍ୟମାନଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ ଦିଅ...ଯମୁନା କୂଳରେ ଶିବିର ସ୍ଥାପନ କରି ମୁଁ ବିଦ୍ରୋହ ଦମନ ପାଇଁ ଯୁଦ୍ଧ ପ୍ରସ୍ତୁତି କରିବି...ଅଯୋଧ୍ୟାର ନବାବ୍ ମାଲିକ୍ ଇଜ୍ଜୁଦ୍ଦିନ ହାସିଙ୍କୁ ସୈନ୍ୟସାମନ୍ତ ନେଇ ଦିଲ୍ଲୀ ଆସିବାକୁ ଗୁପ୍ତଚର ହାତରେ ସମ୍ବାଦ ପଠାଅ...

 

ସୁଲତାନାଙ୍କ କଣ୍ଠରେ ସେହି ତେଜୋଦୀପ୍ତ ବାଣୀ ଶୁଣି ଆଲତୁନିୟାଙ୍କ ଶଙ୍କିତ ହୃଦୟରେ ସାହସ, ଶକ୍ତି ସଂଚାରିତ ହେଲା । ଯୁଦ୍ଧଆୟୋଜନ କରିବା ପାଇଁ ସେ ଦ୍ରୁତପଦରେ ପ୍ରସ୍ଥାନ କରିଗଲେ ।

 

ସେ କାଳରାତ୍ରିର ଅନ୍ଧକାର ବିଦୀର୍ଣ୍ଣ କରି ଉଠିଲା ନୂତନ ସକାଳର ସୂର୍ଯ୍ୟ ।

 

ରାତ୍ରିର ଅନ୍ଧକାର ଶୁଣିଥିଲା ଗୋପନ ଷଡ଼ଯନ୍ତ୍ରର ସମ୍ବାଦ, ସକାଳର ଆଲୋକ ଦେଖିଲା ବିଦ୍ରୋହ ଦମନର ପ୍ରସ୍ତୁତି ପର୍ବ ।

 

ଅଶ୍ୱାରୋହୀ, ହସ୍ତୀଆରୋହୀ ସୈନ୍ୟମାନେ ଦିଲ୍ଲୀର ରାଜପଥରେ ଶୋଭାଯାତ୍ରା କରି ଚାଲିଲେ । ପଦାତିକ ବାହିନୀର ରଣହୁଙ୍କାରରେ ଧ୍ଵନିତ ହେଲା ଦିଲ୍ଲୀ ସହର । ବିଦ୍ରୋହ ସମ୍ବାଦ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ସହସ୍ର ସହସ୍ର ଜିମ୍ମି, ଅଣ-ମୁସଲମାନ ପାଇକ ଠିଆହେଲେ ସୁଲତାନାଙ୍କ ପଛରେ । ଯମୁନାକୂଳରେ ପଡ଼ିଲା ଯୁଦ୍ଧର ଶିବିର...

 

ଆଉ ଅଯୋଧ୍ୟାର ନବାବ୍ ଇଜ୍ଜୁଦ୍ଦିନ ହାଁସି !

 

ସୁଲତାନାଙ୍କୁ ସାହାଯ୍ୟ କରିବାକୁ ଆସିବାବେଳେ ସେ ସମ୍ମୁଖୀନ ହେଲେ ବିଦ୍ରୋହୀମାନଙ୍କ ସହିତ ଅର୍ଦ୍ଧପଥରେ । ଗଙ୍ଗାକୂଳରେ ପହଞ୍ଚିଲା ବେଳକୁ ସେନାବାହିନୀ ତାଙ୍କର ବିପର୍ଯ୍ୟସ୍ତ । କ୍ଷମତ ଲୋଭୀ ପ୍ରାଦେଶିକ ନବାବମାନଙ୍କ ସମ୍ମିଳିତ ଶକ୍ତି ପାଖରେ ସେ ପରାସ୍ତ ହେଲେ । ତାଙ୍କ ଶୋଣିତ ସ୍ନାନକରି କର୍ଦ୍ଦମାକ୍ତ ହେଲା ଦିଲ୍ଲୀର ରାଜପଥ ।

 

ଇଜୁଦ୍ଦିନ ହାଁସିଙ୍କ ମୃତ୍ୟୁ ସୁଲତାନାଙ୍କ ପାଇଁ ପ୍ରଚଣ୍ଡ ଆଘାତ...କାରଣ ସେ ଥିଲେ ତାଙ୍କର ବିଶ୍ଵାସ ବନ୍ଧୁ । କିନ୍ତୁ ସେଥିରେ ଭାଙ୍ଗି ପଡ଼ିଲେ ନାହିଁ ସୁଲତାନା । ଆଲତୁନିୟାଙ୍କୁ ଡାକି ନିର୍ଦ୍ଦେଶ ଦେଲେ, ପ୍ରାଦେଶିକ ନବାବମାନଙ୍କ ସମ୍ମିଳିତ ଶକ୍ତିର ସମ୍ମୁଖୀନ ହେବା ହୁଏ ତ ସମ୍ଭବ ହେବ ନାହିଁ...ସେଥିପାଇଁ ନବାବମାନଙ୍କ ମଧ୍ୟରେ ବିଭେଦର ବୀଜ ବପନ କରିବାକୁ ପଡ଼ିବ । ସେମାନଙ୍କ ମଧ୍ୟରେ ପ୍ରଚାର କରିବାକୁ ହେବ ଯେ ବୃଦ୍ଧ ନିଜାମୁଲ୍ ମୁଲକ ସ୍ଵୟଂ ସୁଲତାନ ହେବାକୁ ଚକ୍ରାନ୍ତ ଚଳାଇଛନ୍ତି । ସେମାନେ କଅଣ ରେଜିୟାଙ୍କ ବଦଳରେ ନିଜାମୁଲ୍ ମୁଲକଙ୍କୁ ସୁଲତାନ କରିବାକୁ ଚାହାନ୍ତି ।

 

ରେଜିୟାଙ୍କ ଦୂରଦୃଷ୍ଟି ଗଭୀର, ଲକ୍ଷ୍ୟ ଅବ୍ୟର୍ଥ ।

 

ସେ ମିଥ୍ୟାପ୍ରଚାର ଶତ୍ରୁଶିବିରରେ ସୃଷ୍ଟିକଲା ତୁମୂଳ ବିଭେଦ...

 

ସେହି ସୁଯୋଗରେ ବିଦ୍ରୋହୀ ଆୟାଜଙ୍କ ସହ ସାକ୍ଷାତ କରି ଆଲତୁନିୟା ତାଙ୍କୁ ସୁଲତାନାଙ୍କ ପକ୍ଷକୁ ନେଇ ଆସିଲେ । ଫଳରେ ନିଜାମୁଲ ମୁଲକ ହୋଇପଡ଼ିଲେ ନିଃସଙ୍ଗ, ନିଃସହାୟ

 

ତା ଆରଦିନ ପ୍ରଭାତରୁ ଦେଖାଗଲା ନିଜାମୁଲ୍ ମୁଲକଙ୍କ ବିଦ୍ରୋହ ଶିବିରରେ ଅଗ୍ନିର ଶିଖା ଆକାଶକୁ ମଥା ତୋଳି ଜଳୁଛି । ପଳାତକ ହୋଇଛନ୍ତି ନିଜାମୁଲ୍ ମୁଲକ । ସୁଲତାନାଙ୍କ ସୈନ୍ୟବାହିନୀ ଶୋଚନୀୟ ଭାବରେ ପରାସ୍ତ କରିଛନ୍ତି ବିଦ୍ରୋହୀମାନଙ୍କୁ...

 

ହଠାତ୍ ଯେପରି ନିଜାମୁଲ ମୁଲକଙ୍କ ନେତୃତ୍ଵରେ ବିଦ୍ରୋହର ବହ୍ନି ଜଳିଉଠିଥିଲା, ଆକସ୍ମିକ ଭାବରେ ସେହିପରି ସେ ଅଗ୍ନି ନିର୍ବାପିତ ହେଲା ।

 

ଅର୍ଦ୍ଧଚନ୍ଦ୍ରଲାଞ୍ଛିତ ବିଜୟ ପତାକା ଉଡ଼ିଲା ସୁଲତାନାଙ୍କ ଆନନ୍ଦମୁଖରିତ ଶିବିରରେ ।

 

ତେତିଶି

 

ରେଜିୟା ଉଦ୍ଦାତ୍ତ କଣ୍ଠରେ ଘୋଷଣା କଲେ, ବିଦ୍ରୋହୀମାନଙ୍କ ଏକମାତ୍ର ଶାସ୍ତି ମୃତ୍ୟୁ......ନିଜାମୁଲ୍ ମୁଲକଙ୍କ ସମେତ କେହି ଏ ଶାସ୍ତିରୁ ବାଦ୍ ଯିବେ ନାହିଁ !

ଆକାଶ ଆଚ୍ଛନ୍ନ କରି ଯେଉଁ ଝଡ଼ ଉଠିଥିଲା, ସେ ଝଡ଼ର ଗତି ଶାନ୍ତ ହୋଇଗଲା । ସର୍ବନାଶ କରିବା ଆଗରୁ ଝଡ଼ଟା ମୁଣ୍ଡ ଉପର ଦେଇ ବହିଗଲା । କିନ୍ତୁ ସେ ଝଡ଼ର ଆଘାତରେ ବିପର୍ଯ୍ୟସ୍ତ ହୋଇଗଲା ତୁର୍କୀ ସାମ୍ରାଜ୍ୟର ଅନେକ କିଛି ।

ବିଦ୍ରୋହ ଶାନ୍ତ ହେବା ପରେ ସୁଲତାନା ବୁଝିଲେ, କେବଳ ଜନସମର୍ଥନ ଦ୍ଵାରା ଦିଲ୍ଲୀ ସିଂହାସନ ହାତରେ ରଖିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ, ଏଥିପାଇଁ ବିଭିନ୍ନ ପ୍ରାଦେଶିକ ରାଜ୍ୟ ଉପରେ କର୍ତ୍ତୃତ୍ଵ ଓ ନିୟନ୍ତ୍ରଣକୁ ତାଙ୍କୁ ସୁଦୃଢ଼ କରିବାକୁ ହେବ ।

ସେଥିପାଇଁ ତାଙ୍କୁ ବିଶ୍ଵସ୍ତ ବନ୍ଧୁମାନଙ୍କ ସାହାଯ୍ୟ ନେବାକୁ ହେବ ।

ବିଦ୍ରୋହ ଦମନରେ ତାଙ୍କୁ ବିଶେଷ ଭାବରେ ସାହାଯ୍ୟ କରିଥିଲେ ଆୟାଜ୍ ।

ସୁଲତାନା ତାଙ୍କୁ ଲହୋରର ନବାବ୍ ପଦରେ ଅଧିଷ୍ଠିତ କରି ସେ ଋଣ ପରିଶୋଧ କରିବାର ଉଦ୍ୟମ କଲେ ।

ଆଉ ଆଲତୁନିୟା... !

ତାଙ୍କର ପ୍ରିୟତମ ପ୍ରେମିକ, ଦୁର୍ଦ୍ଦିନର ସହଚର ଆଲତୁନିୟା !

ସେଦିନ ନିର୍ଜନ ଶୟନକକ୍ଷରେ ଆଲତୁନିୟାଙ୍କ ହାତ ଉପରେ ହାତ ରଖି ରେଜିୟା କହିଲେ, ଦିନକୁ ଦିନ ତମର ଋଣ ଭାରରେ ମସ୍ତକ ମୋର ଅବନତ ହୋଇ ପଡ଼ୁଛି ଆଲତୁନିୟା ! ସାରା ଜୀବନରେ ହୁଏ ତ ମୁଁ ତମର ଏ ଋଣ ପରିଶୋଧ କରିପାରିବି ନାହିଁ... ।

ଆଲତୁନିୟାଙ୍କ ମୁହଁରେ ସଲ୍ଲଜ ହସର ଏକ ପ୍ରଗଲଭ୍ ତରଙ୍ଗ ଉଚ୍ଛ୍ୱସିତ ହୋଇଉଠିଲା-

ସେ କହିଲେ, ବିପଦରେ ଆପଣଙ୍କ ପାଖରେ ଠିଆ ହୋଇ ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି ସୁଲତାନା । ଏଥିରେ ଆପଣଙ୍କୁ ଋଣୀ କରିବାର ମୋର କୌଣସି ଅହଂକାର ନାହିଁ ।

ଶୂନ୍ୟ ଆକାଶକୁ ଚାହିଁ ସୁଲତାନା କହିଲେ, ସେ ବିପଦର ଦିନ କିନ୍ତୁ ଶେଷ ହୋଇ ଯାଇନାହିଁ । ବିଶ୍ଵାସ-ଘାତକମାନଙ୍କର ବିଷନିଃଶ୍ଵାସରେ ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ନବନିର୍ମିତ ଶିବିରରୁ ଖଣ୍ଡ ଖଣ୍ଡ ହୋଇ ପ୍ରସ୍ତର ଖସିପଡ଼ିବାକୁ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାତିନ୍ଦା ପ୍ରଦେଶ ସମସ୍ୟା-ସଙ୍କୁଳ ପ୍ରଦେଶ ହୋଇ ରହିଛି । ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ଏ ପ୍ରଦେଶ ଉପରେ ଆମର ନିୟନ୍ତ୍ରଣ ନ ରହିଲେ ଆମର ସ୍ଥିତି ନିରାପଦ ନୁହେଁ । ମୁଁ ଭାବୁଛି, ତମେ ଯିବ ଭାତିନ୍ଦାର ଶାସକ ହୋଇ... କେବଳ ତମରି ହାତରେ ଭାତିନ୍ଦାର ଶାସନଭାର ଅର୍ପଣ କରିଦେଲେ ମୁଁ ମାନସିକ ଶାନ୍ତି ପାଇପାରିବି... ।

ଭାତିନ୍ଦାର ଶାସକ ହେବେ ଆଲତୁନିୟା !

ଐଶ୍ଚର୍ଯ୍ୟ, ଆୟତନ ଏବଂ ରାଜନୈତିକ ଗୁରୁତ୍ତ୍ଵ ଦୃଷ୍ଟିରୁ ଭାତିନ୍ଦା ପ୍ରଦେଶ ଶାସନ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ଭାତିନ୍ଦାର ଶାସନ ଦାୟିତ୍ଵ ଦେଇ ଆଲତୁନିୟାଙ୍କୁ ସେ ଦୃଷ୍ଟିରୁ ଅନୁଗୃହୀତ କରିଥିଲେ ସୁଲତାନା । କିନ୍ତୁ ତାଙ୍କୁ ଦିଲ୍ଲୀ ଛାଡ଼ି ଭାତିନ୍ଦା ଯିବାକୁ ହେବ, ଏ କଥା କଳ୍ପନା କରିବା ମାତ୍ରେ ଆଲତୁନିୟାଙ୍କ ମୁହଁରୁ ସମସ୍ତ ସରାଗର ଜ୍ୟୋତି ଲିଭିଗଲା ।

ଏ ତାଙ୍କର ପ୍ରିୟତମ ଦିଲ୍ଲୀ... !

ଅନେକ ସ୍ଵପ୍ନର ମକକା, ମଦିନା ଏହି ଦିଲ୍ଲୀ !

ସେ କରୁଣ କଣ୍ଠରେ କହିଲେ, ମତେ ସତେ କଣ ଦିଲ୍ଲୀ ଛାଡ଼ିଯିବାକୁ ଯିବାକୁ ପଡ଼ିବ ସୁଲତାନା ?

ମ୍ଲାନ ହସ ହସି ରେଜିୟା କହିଲେ, ତମକୁ ନିଜ ପାଖରୁ ଦୂରକୁ ପଠାଇବା ଭଳି ନିଷ୍ପତ୍ତି ମୁଁ କିଛି ଆନନ୍ଦରେ କରିନାହିଁ ଆଲତୁନିୟା ! କେବେହେଲେ ଆଜି ପର୍ଯ୍ୟନ୍ତ ମୁଁ ଦୂରରେ ରହିନାହିଁ । କିନ୍ତୁ ପରିସ୍ଥିତିର ଆହ୍ଵାନ ଆମକୁ ଗ୍ରହଣ କରିବାକୁ ହିଁ ହେବ । ତମ ବିନା ଭାତିନ୍ଦାର ଶାସନ ଦାୟିତ୍ଵ ଅନ୍ୟ କାହାରିକୁ ଦେବା ପାଇଁ ମୁଁ ଭାବିପାରୁ ନି... ।

ଭାତିନ୍ଦା ଯିବାର ଆକସ୍ମିକ ଆଦେଶ ପାଇ ଆଲତୁନିୟା ବିବ୍ରତ ହୋଇ ପଡ଼ିଥିଲେ । ରେଜିୟାଙ୍କ ଯୁକ୍ତି ଶୁଣିସାରିବା ପରେ ତାଙ୍କର ସେ ! ବିବ୍ରତବୋଧ ବିଚିତ୍ର ଏକ କାରୁଣ୍ୟରେ ପରିଣତ ହୋଇଗଲା ।

ସେ ନିମ୍ନକଣ୍ଠରେ କହିଲେ, ଦିଲ୍ଲୀ ଛାଡ଼ି ଚାଲିଯିବାରେ ମୋର ଆପତ୍ତି ନାହିଁ, କିନ୍ତୁ ଆପଣଙ୍କୁ ଛାଡ଼ି ଦୂରକୁ ଯିବାରେ ମୋର ଘୋର ଆପତ୍ତି । ଆପଣଙ୍କ ଠାରୁ ଦୂରରେ ରହିବା କଥା ଭାବିବା ମାତ୍ରେ... ।

ବାକ୍ୟ ଶେଷକରି ପାରିଲେ ନାହିଁ ମାଲିକ୍ ଆଲତୁନିୟା ।

ତାଙ୍କର କଣ୍ଠରୁଦ୍ଧ ହେଲା ।

ରେଜିୟା ଲକ୍ଷ୍ୟ କଲେ, ଏ କଣ୍ଠସ୍ୱର, ଏ ବ୍ୟାକୁଳ ବ୍ୟଥା ଭାତିନ୍ଦାର ନବନିଯୁକ୍ତ ଶାସକ ଆଲତୁନିୟାଙ୍କର ନୁହେଁ; ଏ ତାଙ୍କର ପ୍ରଣୟ-ପ୍ରାର୍ଥୀ ଆଲତୁନିୟାଙ୍କର ଗୋପନ ବ୍ୟଥାର ଆତ୍ମପ୍ରକାଶ ! ନାରୀ ହୋଇ ସେ ଏ ହୃଦୟର ଆହ୍ଵାନକୁ ଏଡ଼ାଇ ଯିବେ ବା କିପରି ?

ରେଜିୟା ସ୍ନିଗଧ କଣ୍ଠରେ କହିଲେ, ଯୌବନ ଠାରୁ ଜୀବନ ବଡ଼ ଆଲତୁନିୟା ! ସବୁଠାରୁ ବଡ଼ ହିନ୍ଦୁସ୍ଥାନରେ ଇସଲାମର ସ୍ୱାର୍ଥରକ୍ଷା । ଦୂରରେ ରହିଲେ ବି ତମେ ରହିବ ମୋ ମନର ଅତି ନିକଟରେ...ସେଥିପାଇଁ ଅଯଥାରେ ମନସ୍ତାପ କର ନାହିଁ... ।

ସ୍ଵଳ୍ପାଲୋକିତ କକ୍ଷରେ ଇଦ୍ର ଜହ୍ନ ଭଳି ଝଲସୁଥିଲା ରେଜିୟାଙ୍କ ଦେହର ଜ୍ୟୋତି । ଆଲତୁନିୟାଙ୍କ ଆଖିରେ ସେ ମନେ ହେଉଥିଲେ ଏକ ରହସ୍ୟମୟୀ ମଧୁର ସ୍ଵପ୍ନ ଭଳି...ଯେଉଁ ସ୍ୱପ୍ନର ସ୍ମୃତିରେ ତାଙ୍କ ଦେହର ସମସ୍ତ ସ୍ନାୟୁଗ୍ରନ୍ଥି ଚିର-ଉନ୍ମୁଖ !

ରେଜିୟାଙ୍କ ହୀରାର ଆଙ୍ଗୁଠିରେ ମୃଦୁ ଚାପଦେଇ ଆଲତୁନିୟା ବିନୀତ କଣ୍ଠରେ କହିଲେ, ଭାତିନ୍ଦା ଯିବା ପାଇଁ ମୋର ଆପତ୍ତି ନାହିଁ ସୁଲତାନା ! ଆପଣଙ୍କ ଆଦେଶ ପାଳନ କରି ମୁଁ ସମୁଦ୍ରରେ ଲମ୍ଫ ଦେବାକୁ ସୁଦ୍ଧା ପ୍ରସ୍ତୁତ...କିନ୍ତୁ ମୁଁ ଭାତିନ୍ଦା ଯିବି ଗୋଟିଏ ସର୍ତ୍ତରେ...

ସର୍ତ୍ତ !

 

କଅଣ ହୋଇପାରେ ସେ ସର୍ତ୍ତ !

 

ରେଜିୟାଙ୍କ ମନ ସନ୍ଦେହର ଛାୟାରେ ଆଚ୍ଛନ୍ନ ହୋଇଗଲା ।

 

ଆଲତୁନିୟା ନମ୍ରକଣ୍ଠରେ କହିଲେ, ଭାତିନ୍ଦା ଯିବା ପୂର୍ବରୁ ମୁଁ ଚାହେଁ ସାଦି...ବିବାହ । ଆପଣଙ୍କଠାରୁ ବିଚ୍ଛିନ୍ନ ହୋଇ ରହିବା ପାଇଁ ମୋର ଧୈର୍ଯ୍ୟ ନାହିଁ... ।

 

ସାଦି, ବିବାହ !

 

ଚମକି ଉଠିଲେ ରେଜିୟା ।

 

କହିଲେ ନା-ନା-ତମେ ଯେ କୌଣସି ସର୍ତ୍ତ ଦିଅ, ମୁଁ ରଖିବି । କିନ୍ତୁ ବିବାହ କଥା ବର୍ତ୍ତମାନ ଉଠାଅ ନାହିଁ । ତମେ ଭଲ କରି ଜାଣ, ଏ ବିବାହକୁ ଅଧିକାଂଶ ଅମୀର ଶୁଭ ଦୃଷ୍ଟିରେ ଦେଖିବେ ନାହିଁ । ଗୋଟିଏ ବିଦ୍ରୋହ ଦମନ କରି ଶାନ୍ତିର ନିଃଶ୍ୱାସ ମାରିବା ଆଗରୁ ପୁଣି ଏକ ନୂତନ ବିଦ୍ରୋହକୁ ମୁଁ ଆମନ୍ତ୍ରଣ କରିପାରିବି ନାହିଁ...

 

ଏଥର ଆଲତୁନୀୟାଙ୍କ ମୁଖର ରେଖାଗୁଡ଼ିକ କୁଞ୍ଚିତ ହୋଇଗଲା ।

 

କାରୁଣ୍ୟ ବଦଳରେ ତାଙ୍କ ମୁହଁରେ ଫୁଟିଉଠିଲା ଅସନ୍ତୋଷର ଚିହ୍ନ ।

 

ସେ କହିଲେ, ଅମୀରମାନେ କେବେହେଲେ ଆମ ବିବାହକୁ ସମର୍ଥନ କରିବେ ନାହିଁ । ଏହାର ଅର୍ଥ କଅଣ ଆମର ବିବାହ କେବେହେଲେ ହେବ ନାହିଁ ? ଆପଣଙ୍କୁ ପାଇବାର ଇଚ୍ଛା କଅଣ ମୋର ଏକ ମୃଗତୃଷ୍ଣା ? ମୁଁ ଆପଣଙ୍କ ଠାରୁ ଆଜି ଏକ ସ୍ପଷ୍ଟ ଉତ୍ତର ଶୁଣିବାକୁ ଚାହେଁ ସୁଲତାନା ! ଏ ବିବାହ ହୋଇପାରିବ କି ନାହିଁ ସେ ସମ୍ପର୍କରେ ଆପଣଙ୍କ ଶେଷ ନିଷ୍ପତ୍ତି ଜଣାନ୍ତୁ । ଆପଣ ଯଦି ମନା କରନ୍ତି, ମୁଁ ମନଦୁଃଖ କରିବି ନାହିଁ । କିନ୍ତୁ ଆଉ ଗୋଟିଏ ହେଲେ ମୁହୂର୍ତ୍ତ ମୁଁ ସନ୍ଦେହ କିମ୍ବା ଆଶଙ୍କା ଭିତରେ ରହିବାକୁ ଚାହେଁ ନା...

 

ଆଲତୁନିୟାଙ୍କ କଣ୍ଠରେ ଏ କର୍କଶ କଥା ଶୁଣି ସୁଲତାନାଙ୍କ ଦୁଇ ଆଖି ଲୁହର ପ୍ଲାବନରେ ଭରି ଉଠିଲା । ସୁଲତାନାଙ୍କ ଆଖିରେ ଅଶ୍ରୁ…ଏଇ ପ୍ରଥମ ଦେଖିଲେ ଆଲତୁନିୟା !

 

ସୁଲତାନା କମ୍ପିତ କଣ୍ଠରେ କହିଲେ, ସଂସାରରେ ସମସ୍ତଙ୍କର ସନ୍ଦେହ, ଅବିଶ୍ୱାସ ନେଇ ମୁଁ ବଞ୍ଚିରହିପାରେ ଆଲତୁନିୟା ! କିନ୍ତୁ ତମର ସନ୍ଦେହ, ତମର ଅବିଶ୍ୱାସ ନେଇ ମୁଁ ବଞ୍ଚିରହିବି କିପରି ? ସୁଲତାନା ହେଲେ ବି ମୁଁ ନାରୀ । ପୁରୁଷର ପୋଷାକ ତଳେ ନିଜକୁ ଯେତେ ଅନ୍ୟମାନଙ୍କ ଆଖିରୁ ଗୋପନ କରିବାକୁ ଚାହିଁଲେ ବି ନିଜ ମନ ପାଖରେ ନିଜକୁ ମୁଁ ଗୋପନ ରଖିପାରି ନାହିଁ । ପୁରୁଷର ସାନ୍ନିଧ୍ୟ ବିନା ନାରୀତ୍ଵ ଅପୂର୍ଣ୍ଣ । ସେଇ ଅପୂର୍ଣ୍ଣତାର ଯନ୍ତ୍ରଣାରେ ମୁଁ କିପରି ଅସ୍ଥିତ, ଦଗ୍ଧ ହେଉଛି, ସେ କଥା ତମେ କଳ୍ପନା କରିପାରିବ ନାହିଁ । ଆଜି ଯଦି ମୁଁ ଭାତିନ୍ଦା ଯିବାକୁ ତମକୁ କହୁଛି, ତାର କାରଣ ନୁହେଁ ଯେ...

 

ପରମ ସନ୍ତୋଷରେ ଭରିଉଠିଲା ଆଲତୁନିୟାଙ୍କ ମନ ।

 

ରେଜିୟାଙ୍କ ହସ୍ତପାପୁଲି ଉପରେ ନିଜ ଓଠର ସ୍ପର୍ଶ ରଖି ସେ କହିଲେ, ମତେ କ୍ଷମା କରନ୍ତୁ ସୁଲତାନା ! ଆପଣଙ୍କୁ ଅଯଥାରେ ସନ୍ଦେହ କରି ମୁଁ ଆହତ କରିଛି...କାଲି ସକାଳୁ ମୁଁ ଭାତିନ୍ଦା ଯାତ୍ରା କରିବି... ।

 

ନିବିଡ଼ ମମତା ଓ ଗଭୀର କୃତଜ୍ଞତାରେ ରେଜିୟାଙ୍କ ଆଖିରେ ଅଶ୍ରୁ ବିନ୍ଦୁ ଚିକ୍ ଚିକ୍ କରି ଉଠିଲା ।

 

ଚଉତିରିଶି

 

ହିନ୍ଦୁକୁଶ ପର୍ବତର ଉଚ୍ଚତାକୁ ଅତିକ୍ରମ କରି ସେମାନେ ଯେଉଁଦିନ ମଧ୍ୟ-ଏସିୟାର ମରୁଅଞ୍ଚଳକୁ ଜୀବନ ପଣ କରି ଭାରତ ବର୍ଷରେ ପାଦ ଦେଇଥିଲେ‚ ସେମାନଙ୍କ ମନରେ ଥିଲା ଅନେକ ସ୍ଵପ୍ନ‚ ଅନେକ ଲୋଭ । କିନ୍ତୁ ସେମାନେ ହେବେ ଦିଲ୍ଲୀର ଶାସକ‚ ହିନ୍ଦୁସ୍ଥାନର ଭାଗ୍ୟବିଧାତା‚ ଏ କଥା ହୁଏତ ମନରେ କେବେ ତାଙ୍କର ସ୍ଥାନ ପାଇ ନଥିଲା ।

 

ସେଥିପାଇଁ ସତର ଥର ସୁନା‚ ହୀରା ଲୁଣ୍ଠନ କରି; ମନ୍ଦିର‚ ଦେବବିଗ୍ରହ ଭାଙ୍ଗି ମାମୁଦ ଫେରି ଯାଇଥିଲେ ଗଜନି; କିନ୍ତୁ ଦିଲ୍ଲୀ ସିଂହାସନରେ ବସିବାର ପ୍ରଲୋଭନ ମନରେ କେବେ ପୋଷଣ କରି ନଥିଲେ । ମୃତ୍ୟୁବେଳେ ସ୍ୱର୍ଣ୍ଣସ୍ତୂପକୁ ସତୃଷ୍ଣ ନୟନରେ ଚାହିଁ ସେ ସ୍ମରଣ କରିଥିଲେ ସ୍ଵର୍ଣ୍ଣପ୍ରସୂ ଭାରତ ବର୍ଷର ଐଶ୍ୱର୍ଯ୍ୟମୟୀ ଐତିହ୍ୟକୁ; ଦିଲ୍ଲୀର ସିଂହାସନକୁ ନୁହେଁ !

 

ଇତିହାସର ଗତି ବଦଳିଲା ।

 

ଭାରତବର୍ଷର ସ୍ଵର୍ଣ୍ଣମୟ ଅତୀତ ଉପରେ ଘୋଟିଆସିଲା ବୈଦେଶିକ ଆକ୍ରମଣର ଘନ ଘୋର ଅନ୍ଧକାର ।

 

ତୁର୍କୀ ମୁସଲମାନ ଆକ୍ରମଣକାରୀଙ୍କ ଆଘାତରେ ଭାଙ୍ଗିଯିବାକୁ ଲାଗିଲା ଭାରତବର୍ଷର ସ୍ଵାଧୀନତାର ଗୌରବ-ବିଗ୍ରହ । ଯବାନ୍ମାନଙ୍କ ଆକ୍ରମଣରେ ଧ୍ଵସ୍ତବିଧ୍ୱସ୍ତ ହେଲା ଭାରତବର୍ଷ । ଯେଉଁମାନେ ଲୁଣ୍ଠନ କରିବାକୁ ଆସିଥିଲେ‚ ସେମାନେ ଦେଖିଲେ ରାଜତ୍ଵ କରିବାର ସ୍ଵପ୍ନ !

 

ଭାରତବର୍ଷରେ‚ ଦିଲ୍ଲୀରେ ପ୍ରତିଷ୍ଠିତ ହେଲା ତୁର୍କୀ ଶାହ ଶାସନ !

 

ତୁର୍କୀ ମୁସଲମାନ ଐତିହାସିକମାନେ ବି ବିସ୍ମିତ ହେଲେ ଭାରତବର୍ଷର ସ୍ଵାଧୀନ ସମ୍ରାଟମାନଙ୍କର ଶୋଚନୀୟ ପରାଜୟ ଦେଖି । କାରଣ ଅନୁସନ୍ଧାନ ପାଇଁ ସେମାନେ ଅନୁଶୀଳନ କରିଥିଲେ ହିନ୍ଦୁ-ମାନଙ୍କର ମାନସିକ ସ୍ଥିତି ।

 

ହିନ୍ଦୁମାନଙ୍କର ଧାରଣା‚ ସେମାନଙ୍କର ଧର୍ମହିଁ ସବୁ ଧର୍ମଠାରୁ ବଳି ଶ୍ରେଷ୍ଠ; ସେମାନଙ୍କ ଦେଶ ପୃଥିବୀର ସବୁ ଦେଶଠାରୁ ଗରିୟାନ୍‚ ସେମାନଙ୍କ ସୈନ୍ୟ ପୃଥିବୀର ଅନ୍ୟ ସମସ୍ତ ସୈନ୍ୟମାନଙ୍କ ଠାରୁ ବୀର‚ ଶକ୍ତିଶାଳୀ !

 

ନିଜ ସମ୍ପର୍କରେ ସେମାନଙ୍କର ଏହି ଉଚ୍ଚଧାରଣା ହୋଇଥିଲା ସେମାନଙ୍କର ପରାଜୟର ପ୍ରଧାନ କାରଣ । ପୃଥିବୀର ଅନ୍ୟ ଦେଶ‚ ଅନ୍ୟ ଜାତି ସମ୍ପର୍କରେ ସେମାନଙ୍କର ଧାରଣା ଥିଲା ସଂକୀର୍ଣ୍ଣ । କସ୍ତୁରୀମୃଗ ଭଳି ନିଜ ସୌରଭରେ ସେମାନେ ଏତେ ମୁଗ୍ଧ ଥିଲେ ଯେ‚ ଅନ୍ୟ କଥା ଭାବିବାକୁ ସେମାନଙ୍କର ସମୟ ନଥିଲା ।

 

ଇତିହାସ ସବୁ କଥା କ୍ଷମା କରିପାରେ‚ କ୍ଷମା କରିପାରେ ନାହିଁ କେବଳ ଅଜ୍ଞତା‚ ଅଯଥା ଆତ୍ମାଶ୍ଲାଘା । ଇତିହାସର ଏହି ଇଙ୍ଗିତକୁ ଉପେକ୍ଷା କରି ବହୁ ଦୁର୍ଜ୍ଜୟ ଶକ୍ତି ସମୟର ଭୀଷଣ ଶାସ୍ତି ଗ୍ରହଣ କରିଛନ୍ତି । ଭାରତବର୍ଷର ହିନ୍ଦୁସମ୍ରାଟମାନଙ୍କୁ ମଧ୍ୟ ଦିନେ ଏହି ଶାସ୍ତି ଗ୍ରହଣ କରିବାକୁ ହୋଇଥିଲା ।

 

ନିଜର ଶକ୍ତିକୁ ଅଯଥାରେ ଅତିରିକ୍ତ ପ୍ରଶଂସା କରି ସେମାନେ ଶତ୍ରୁର ଶକ୍ତିକୁ ହେୟ ମନେ କରିଥିଲେ । ସେଥିପାଇଁ ନିଜ ନିଜ ମଧ୍ୟରେ ଲାଗିଥିବା ଅର୍ନ୍ତଯୁଦ୍ଧର ସମାଧାନ ପାଇଁ ସେମାନେ ସାହାଯ୍ୟ ଗ୍ରହଣ କରିଥିଲେ ବିଦେଶୀଶକ୍ତିର । ସେମାନଙ୍କର ଧାରଣା ଥିଲା‚ ଥରେ ଅନ୍ତର୍ଦେଶୀୟ ଶତ୍ରୁ ପରାସ୍ତ ହୋଇଗଲେ ବାହ୍ୟଶତ୍ରୁକୁ ପରାସ୍ତ କରିବା ସେମାନଙ୍କ ପକ୍ଷରେ ଦୁଃସାଧ୍ୟ ହେବ ନାହିଁ ।

 

ଏହିନୀତିରେ ବିଶ୍ୱାସ କରୁଥିବା ହେତୁ ଜୟପାଳ ପୃଥ୍ଵୀରାଜଙ୍କୁ ପରାସ୍ତ କରିବା ପାଇଁ ମହମ୍ମଦ ଘୋରୀଙ୍କ ସାହାଯ୍ୟ ନେଇଥିଲେ । କିନ୍ତୁ ପୃଥ୍ଵୀରାଜଙ୍କୁ ପରାସ୍ତ କରି ସେ ମୁସଲମାନ ଆକ୍ରମଣକାରୀଙ୍କୁ ଉତ୍ସାହିତ କରିଥିଲେ ହିନ୍ଦୁସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ।

 

ଅଣ୍ଟିଛୁରି ତଣ୍ଟି କାଟେ ।

 

ହିନ୍ଦୁ ସମ୍ରାଟମାନଙ୍କ ପରାଜୟ ପାଇଁ ହିନ୍ଦୁରାଜାମାନେ ହିଁ ଅଣ୍ଟିଛୁରି ହେଇ ଝଲସି ଉଠିଥିଲେ ଯବାନ ଆକ୍ରମଣକାରୀମାନଙ୍କ ହାତରେ...

 

ତୁର୍କୀ ମୁସଲମାନ ଆକ୍ରମଣକାରୀ ତିରୋରୀ ଯୁଦ୍ଧରେ କେବଳ ପୃଥ୍ଵୀରାଜଙ୍କୁ ନୁହେଁ; ଭାରତବର୍ଷର ଐକ୍ୟ‚ ସଂହତିକୁ ହିଁ ପରାସ୍ତ କରିଥିଲେ । ସେ ପରାଜୟର କଳଙ୍କରେଖା ଲିଭାଇ ନ ପାରି ଜୟଚନ୍ଦ ଆତ୍ମଗ୍ଳାନିରେ କରିଥିଲେ ଆତ୍ମହତ୍ୟା !

 

ଦିଲ୍ଲୀ ସିଂହାସନ ଆସିଥିଲା ତୁର୍କୀ ମୁସଲମାନ ଆକ୍ରମଣକାରୀମାନଙ୍କ ହାତମୁଠାକୁ ।

 

କିନ୍ତୁ ସେତିକିରେ ଶେଷ ହୋଇ ନ ଥିଲା ଷଡ଼ଯନ୍ତ୍ରର ଚକ୍ରାନ୍ତ !

 

ତୁର୍କୀ ସୁଲତାନ, ଅମୀରମାନେ ମଧ୍ୟ କ୍ଷମତା ଲୋଭରେ ନିଜ ନିଜ ମଧ୍ୟରେ ଆରମ୍ଭ କରି ଦେଇଥିଲେ ବିଦ୍ରୋହ, ଷଡ଼ଯନ୍ତ୍ର ।

 

ରୁକନଦ୍ଦିନ, ଶାହାତୁର୍କାନ ଏଇ ବିଦ୍ରୋହୀ ଷଡ଼ଯନ୍ତ୍ରକାରିଣୀର ଭୂମିକା ନେଇ କଠିନ ଶାସ୍ତି ଭୋଗ କରିଥିଲେ । ଦରବାରରେ ସେମାନଙ୍କୁ ମିଳିଥିଲା ପ୍ରାଣଦଣ୍ତ ଆଦେଶ ।

 

ଆଉ ବୃଦ୍ଧ ନିଜାମୁଲ୍ ମୁଲକ !

 

ବିଚାରା ବିଦ୍ରୋହର ଜୂଆଖେଳରେ ହାରିଯାଇ ପଳାୟନ କରି ପ୍ରାଣରକ୍ଷା ପାଇଁ ସେ କରିଥିଲେ ଶେଷ ଚେଷ୍ଟା ।

 

କିନ୍ତୁ ବେଶି ଦୂର ସେ ଯାଇପାରି ନ ଥିଲେ ।

 

ସିମୁର୍ ପାହାଡ଼ର ପାର୍ବତ୍ୟଭୂମିରେ, ନିର୍ଜ୍ଜନ ପରିବେଶରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁରେ ଅଶ୍ରୁବିସର୍ଜ୍ଜନ କରିବାକୁ ତାଙ୍କ ପାଖରେ ନ ଥିଲେ ଜଣେହେଲେ ଆତ୍ମୀୟସ୍ଵଜନ । ମରୁଭୂମିର ଏକାକୀ କ୍ଳାନ୍ତ ପଥିକ ଭଳି ସେ ବିଶ୍ରାମ ନେଇଥିଲେ, ଶେଷ ବିଶ୍ରାମ !

 

ହିନ୍ଦୁସ୍ଥାନରେ ତୁର୍କୀ ଶାହି ଶାସନର ଇତିହାସ ଗତି ବଦଳାଇ ପୁଣି ଭିନ୍ନ ବାଟରେ ଆଗେଇ ଯାଇଥିଲା !

 

ପଇଁତିରିଶି

 

ବିଦ୍ରୋହର ଅବସାନ ପରେ ତୁର୍କୀ ସାମ୍ରାଜ୍ୟରେ ଫେରି ଆସିଥିଲା ସ୍ଥିରତ ଶାନ୍ତି । କିନ୍ତୁ ଏ ନିଶ୍ଚଳତା ଝଡ଼ର ପୂର୍ବ ସୂଚନା ମଧ୍ୟ ହୋଇପାରେ, ସେ ଦିଗ ପ୍ରତି ସତର୍କ ଥିଲେ ସୁଲତାନା ।

 

ଚତ୍ଵାରିଂଶ ଅମୀରମାନଙ୍କ ଉପରୁ ତାଙ୍କର ଆସ୍ଥା ତୁଟି ଯାଇଥିଲା ।

 

ସୁଲତାନଙ୍କ ଅମଳର ଅଧିକାଂଶ କ୍ରୀତଦାସ ଯେ ଅମୀର୍ ହେବା ପରେ ଅଧିକ ଅପଦାର୍ଥ, ଲୋଭୀ, ସ୍ଵାର୍ଥପର ହୋଇ ଉଠିଛନ୍ତି, ସେ କଥା ସେ ବେଶ୍ ଭଲ ଭାବରେ ଅନୁଭବ କରୁଥିଲେ । ସୁରାପନ, ଅଫିମଖିଆ, ହୁକାଟଣା, ନାରୀମାନଙ୍କୁ ନେଇ ଅଳସ ମୁହୂର୍ତ୍ତକୁ ଉତ୍ତେଜିତ କରି ତୋଳିବାର ସମ୍ଭୋଗ—ବିଳାସ ମଧ୍ୟରେ ଅଧିକାଂଶ ଅମୀରଙ୍କର ସମୟ କଟୁଥିଲା । ଶାସନକ୍ଷେତ୍ରରେ କୌଣସି ପ୍ରକାର ନୂତନ ପଦକ୍ଷେପ, ପ୍ରଗତିଶୀଳ ଦୃଷ୍ଟିକୋଣ ସେମାନଙ୍କ ପାଇଁ ଥିଲା ଜହର ଭଳି ପରିତ୍ୟାଜ୍ୟ । ହିନ୍ଦୁମାନଙ୍କୁ ଘୃଣାକରିବା ଥିଲା ସେମାନଙ୍କର ସହଜାତ ପ୍ରବୃତ୍ତି । ଏତେଦିନର ଦିଲ୍ଲୀ ଅବସ୍ଥାନ ପରେ ବି ସେମାନେ ମନେକରୁଥିଲେ ନିଜକୁ ବିଦେଶୀ ଭଳି

 

ରେଜିୟା ଅନୁଭବ କରୁଥିଲେ, ହିନ୍ଦୁସ୍ଥାନକୁ, ହିନ୍ଦୁମାନଙ୍କୁ ଘୃଣା କରିବା ହିଁ ସେମାନଙ୍କର ଏକମାତ୍ର ଆଭିଜାତ୍ୟ ।

 

ଏଭଳି ଲୋକଙ୍କୁ ନେଇ ତୁର୍କୀ ଶାହି ଶାସନର ଭିତ୍ତି ସୂଦୃଢ଼ କରିବା କଷ୍ଟକର ।

 

ସେଥିପାଇଁ ନିଷ୍କରୁଣ ଭାବରେ ରେଜିୟା ଏଭଳି ରକ୍ଷଣଶୀଳ ତୁର୍କୀ ଅମୀରମାନଙ୍କୁ ଶାସନକ୍ଷେତ୍ରରୁ ଅପସାରିତ କରିଦେଲେ ।

 

ନୂତନ ନିଜାମୁଲ୍ ମୁଲକ୍, ମୁଖ୍ୟ ଅମାତ୍ୟ ଭାବରେ ନିଯୁକ୍ତ ହେଲେ ଖ୍ୱାଜା ମୁହାଜ୍ଜ୍ଵାବୁଦ୍ଦିନ । ସଫିଉଦ୍ଦିନ୍ ଆଇବାକ୍ ହେଲେ ସେନାବାହିନୀର ମୁଖ୍ୟ ଅଧିନାୟକ ।

 

ଖ୍ୱାଜା ମୁହାଜ୍ଜ୍ଵାବୁଦ୍ଦିନ ଅମୀରମାନଙ୍କ ମଧ୍ୟରେ ସବୁଠାରୁ ବଳି ଅପରିଚିତ ହେଲେ ହେଁ, ବୟସରେ ତରୁଣ ହୋଇଥିବାରୁ ଦୃଷ୍ଟିଭଙ୍ଗୀ ଥିଲା ତାଙ୍କର ଅପେକ୍ଷାକୃତ ପ୍ରଗତିଶୀଳ । ସଫିଉଦ୍ଦିନ ଆଇବାକ୍ ଥିଲେ ସୁଲତାନାଙ୍କ ଏକାନ୍ତ ଅନୁଗତ ବନ୍ଧୁ ।

 

ଆୟାଜଙ୍କ ହାତରେ ଲାହୋର ଓ ଆଲତୁନିୟାଙ୍କ ଉପରେ ଭାତିନ୍ଦା ପ୍ରଦେଶର ଦାୟିତ୍ଵ ନେଇ ସେ ଯେପରି ନିଶ୍ଚିନ୍ତ ହୋଇଥିଲେ, ନୂତନ ଅମାତ୍ୟ, ସେନାନାୟକ ଦାୟିତ୍ଵ ଦୁଇଜଣ ଦକ୍ଷ, ଅନୁଗତ ବ୍ୟକ୍ତିଙ୍କ ହାତରେ ଅର୍ପଣ କରି ସେ ସେହି ପରିମାଣରେ ଆଶ୍ୱସ୍ତ ହେଲେ ।

 

ଆଉ ଜମାଲ୍-ଉଦ୍ଦିନ-ୟାକୁତ୍... !

 

ଅମୀରୁ-ଇ-ଆଖିରୁ ପଦରୁ ଉନ୍ନୀତ କରି ସୁଲତାନା ତାଙ୍କୁ କଲେ ଅମୀର-ଉଲ-ଉମରା, ଅମୀରମାନଙ୍କ ମଧ୍ୟରେ ମୁଖ୍ୟ !

 

ଆଲତୁନିୟା ଦିଲ୍ଲୀରୁ ଭାତିନ୍ଦା ଚାଲିଯିବା ପରେ ୟାକୁତ୍ ହିଁ ଥିଲା ସୁଲତାନାଙ୍କ ଅନ୍ତରଙ୍ଗ ବନ୍ଧୁ । ଏହି କେତେଦିନ ମଧ୍ୟରେ ଏକଦା- ଆବିସିନୀୟ କ୍ରୀତଦାସ ଏଇ ତରୁଣ; ରେଜିୟାଙ୍କ ମନର ଅତି ସନ୍ନିକଟବର୍ତ୍ତୀ ହୋଇ ପାରିଥିଲା । କେବଳ ବିଶ୍ଵସ୍ତ କର୍ମଚାରୀ ଭାବରେ ନୁହେଁ; ଅନ୍ତରଙ୍ଗ ବନ୍ଧୁ ଭାବରେ ୟାକୁତ୍ ଉପରେ ସେ ନିର୍ଭର କରିବାକୁ ଆରମ୍ଭ କରିଦେଲେ । ଅମୀରମାନଙ୍କ ମଧ୍ୟରେ ତାଙ୍କୁ ମୁଖ୍ୟସ୍ଥାନ ଦେଇ ଅନ୍ୟମାନଙ୍କ ଦୃଷ୍ଟିରେ ତାଙ୍କୁ ସମ୍ମାନିତ କରିବାକୁ ଚେଷ୍ଟା କରିଥିଲେ ରେଜିୟା ।

 

ୟାକୁତଙ୍କ ପରେ ଆମୀର୍-ଇ-ଆଖୁର ଆସନରେ ଅଧିଷ୍ଠିତ ହେଲେ ବଲବନ୍ । ନିଜର ଯୋଗ୍ୟତା ଅନୁସାରେ ଏଭଳି ପଦବୀ ଯଥେଷ୍ଟ ନୁହେଁ ବୋଲି ଅନୁଭବ କରୁଥିଲେ ସୁଦ୍ଧା ବଲବନ୍ ସୁଲତାନାଙ୍କ ନୂତନ ନିଯୁକ୍ତିକୁ ପ୍ରତ୍ୟାଖାନ କରିପାରି ନ ଥିଲେ । କାରଣ, ପ୍ରାସାଦ ବିଦ୍ରୋହ ସହ ତାଙ୍କର ଗୋପନ ସମ୍ପର୍କ ଥିବା ଜାଣି ସୁଦ୍ଧା, ପ୍ରାଣଦଣ୍ଡ ନ ଦେଇ ସୁଲତାନା ତାଙ୍କ ପଦୋନ୍ନତି କରିଛନ୍ତି, ଏହା ହିଁ ଥିଲା ତାଙ୍କ ପକ୍ଷରେ ଆଶ୍ୱାସନାର କଥା ।

 

ବିଦ୍ରୋହ ପରେ ସୁଲତାନାଙ୍କର ଏଭଳି ନୂତନ ନିଯୁକ୍ତି ବହୁ ଅମୀର୍, ମାଲିକଙ୍କ ହୃଦୟରେ ଜ୍ଜ୍ଵାଳାର ଯନ୍ତ୍ରଣା ସୃଷ୍ଟି କରିଥିଲା, ଅପେକ୍ଷା କୃତ ଅଜ୍ଞାତ, ତରୁଣ ତିର୍କୀଙ୍କ ପଦୋନ୍ନତି, ଜଣେ ଆବିସିନୀୟ କ୍ରୀତଦାସର ମୁଖ୍ୟ-ଅମୀର୍ ପଦଲାଭ, ସେମାନଙ୍କର ବୟସର ଅହଂକାର, ଅଭିଜ୍ଞତାର ଗୌରବକୁ କରିଥିଲା ଭୁଲୁଣ୍ଠିତ ।

 

ପ୍ରାସାଦ-ବିପ୍ଲବର ଶୋଚନୀୟ ପରିଣତ ଦେଖି ସେମାନେ ଆଉ ଏକ ବିଦ୍ରୋହ କଥା କଳ୍ପନା କରିବାକୁ ଭୟ ପାଇଥିଲେ କିନ୍ତୁ ସେମାନଙ୍କ ମନର ଅସନ୍ତୋଷ, ଅପମାନ-ଜନିତ ଲଜ୍ଜା ତୁର୍କୀଶାହି ଅମୀର୍ ମହଲରେ ସୃଷ୍ଟି କରିଥିଲା ପ୍ରବଳ ଆଲୋଡ଼ନ ।

 

ରେଜିୟାଙ୍କୁ ଅଜ୍ଞାତ ନ ଥିଲା ଅମୀରମାନଙ୍କ ମନର ଏହି ଗୋପନ ଅସନ୍ତୋଷର କାହାଣୀ । କିନ୍ତୁ ଅଭିଜ୍ଞତା ତାଙ୍କୁ ବୁଦ୍ଧିମତୀ କରିଥିଲା । ସେ ଜାଣିଥିଲେ, ଅମୀରମାଙ୍କୁ ଖୋସାମତ୍ କରି କେବେହେଲେ ସନ୍ତୁଷ୍ଟ କରିହେବ ନାହିଁ; ସେମାନଙ୍କୁ ଠିକଣା ବାଟକୁ ଆଣିବାକୁ ହେଲେ ଦରକାର ଦୃଢ଼ କାଯ୍ୟାନୁଷ୍ଠାନ ।

 

ସେ ପୁରୁଷ ନୁହନ୍ତି, ନାରୀ । ନାରୀ ଯେ ଶାସନ ପାଇଁ ଅଯୋଗ୍ୟ-ଏଭଳି ବଦ୍ଧମୂଳ ଧାରଣା ରକ୍ଷଣଶୀଳ ଅମୀର, ମାଲିକମାନଙ୍କ ମନରୁ ଦୃଢ଼ କରିବା ଥିଲା ତାଙ୍କର ସାଧ୍ୟାତୀତ ବ୍ୟାପାର । ଅତୀତରେ ଏଥିପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ । ସେ ଦିଗରେ ଆଉ କୌଣସି ନୂତନ ପରୀକ୍ଷା ନ କରି, ତାଙ୍କ ପ୍ରତି ଆସହିଷ୍ଣୁ ବ୍ୟକ୍ତିମାନଙ୍କୁ ସେ ଶାସନ ଠାରୁ ଦୂରରେ ରଖିବାକୁ ଶେଷରେ ନିଷ୍ପତ୍ତି କଲେ ।

 

ରକ୍ଷଣଶୀଳ ତୁର୍କୀ ଅମୀରମାନଙ୍କ ପ୍ରତି ତାଙ୍କର ଅବିଶ୍ଵାସ, ତାଙ୍କ ପ୍ରତି ତୁର୍କୀ ଆମୀରମାନଙ୍କ ଅସହିଷ୍ଣୁତା, ସୁଲତାନାଙ୍କ ମନରେ ଯେଉଁ ଶୂନ୍ୟତା, ନିଃସହାୟ ଭାବ ସୃଷ୍ଟି କରିଥିଲା, ସେ ଶୂନ୍ୟତା ପୂରଣ କଲା ୟାକୁତ୍ !

 

ୟାକୁତ୍ ତୁର୍କୀ ନୁହେଁ, ଆବିସିନୀୟ !

 

ତୁର୍କୀ ଅମୀରମାନଙ୍କ ଭଳି ତାର ଅଯଥା ଜାତିର ଗର୍ବ ନାହିଁ; ନାହିଁ ମଧ୍ୟ ଶାସନକ୍ଷେତ୍ରରେ ଅଧିକାର ପାଇଁ କୌଣସି ବଂଶଗତ ଦାବୀ । ଅଥଚ ସେ ବିଚକ୍ଷଣ ବୁଦ୍ଧିମାନ, ଶକ୍ତିମାନ ତରୁଣ । ତାର ଆନୁଗତ୍ୟ, ଯୋଗ୍ୟତା, ଶକ୍ତି-ସକଳ ସଂଦେହର ଉର୍ଦ୍ଧ୍ୱରେ !

 

ୟାକୁତର ସୁଗଠିତ ବଳିଷ୍ଠ ଦେହ, ବିଚକ୍ଷଣ ବୁଦ୍ଧି ଓ ସର୍ତ୍ତହୀନ ଆନୁଗତ୍ୟ ଲକ୍ଷ୍ୟକରି ରେଜିୟା ଅନେକ ସମୟରେ ବିସ୍ମିତା ହୁଅନ୍ତି ।

 

ତାଙ୍କର ଧାରଣା ହୁଏ, ଆଳତୁନିୟା ଠାରୁ ମଧ୍ୟ ୟାକୁତ୍ ତାଙ୍କର ଆହୁରି ନିକଟତମ, ଅନ୍ତରଙ୍ଗ ସୁହୃଦ ।

 

ଆଲତୁନିୟା ବିଶ୍ଵସ୍ତ ହେଲେ ମଧ୍ୟ ଅତିମାତ୍ରାରେ ଅଭିମାନୀ । ଜାତିଗତ ଅହଙ୍କାର ତାଙ୍କୁ ଅନେକ ସମୟରେ ଅନ୍ଧ କରିଦିଏ । ସେ ତାଙ୍କୁ ସବୁ କଥାରେ ସାହାଯ୍ୟ କରନ୍ତି ଗୋଟିଏ ସର୍ତ୍ତରେ...ସାଦି !

 

ତାଙ୍କୁ ସାହାଯ୍ୟ କରିବା ପଛରେ ଆଲତୁନିୟାଙ୍କର ଯେ ପ୍ରଚ୍ଛନ୍ନ ରହିଛି ଏକ ବ୍ୟକ୍ତିଗତ ସ୍ୱାର୍ଥ, ସେ କଥା ଅନୁଭବ କରି ରେଜୀୟା ବହୁ ସମୟରେ ବ୍ୟଥିତ ହୋଇଛନ୍ତି । ଆଲତୁନିୟାଙ୍କର ପ୍ରଣୟ ପ୍ରତି ତାଙ୍କର ନିଜ ମନରେ ବି ସନ୍ଦେହ ହୋଇଛି । ଯଦି ତାଙ୍କୁ ପାଇବାର ପ୍ରଲୋଭନ ନ ଥାନ୍ତା, କିଏ ଜାଣେ, ସେ ଦିନେ ମଧ୍ୟ ବିଦ୍ରୋହର ପତାକା ଧରି...

 

ଅଥଚ ୟାକୁତ୍ !

 

ତାଙ୍କ ପାଇଁ ସେ ପ୍ରାଣ ଦେବାକୁ ପ୍ରସ୍ତୁତ; କିନ୍ତୁ କୌଣସି ପ୍ରତିଦାନ ପାଇଁ ଆଗ୍ରହୀ ନୁହେଁ-। ତାଙ୍କ ପାଇଁ ୟାକୁତ୍ ର ତ୍ୟାଗ, କଷ୍ଟସ୍ୱୀକାର ପଛରେ କୌଣସି ନ୍ୟସ୍ତସ୍ୱାର୍ଥ ନାହିଁ, କୌଣସି ସର୍ତ୍ତ ନାହିଁ ।

 

ନାରୀ ଚାହେଁ ଜଣେ ପୁରୁଷର ସର୍ତ୍ତହୀନ ସହୃଦୟତା ।

 

ସେଭଳି ସହୃଦୟତା ତାଙ୍କୁ ଦେଇ ପାରିନାହାନ୍ତି ଆଲତୁନିୟା ।

 

ଚାହିଁ ନ ଥିଲେ ବି ସେଭଳି ଆନ୍ତରିକ ସହଯୋଗ ଦେଇଆସିଛି ୟାକୁତ୍; ହୁଏ ତ ନିଜ ଅଜ୍ଞାତରେ !

 

ସେଦିନ ୟାକୁତର ସହୃଦୟତା ଭିତରେ ଏପରି ଏକ ନିଃସ୍ୱାର୍ଥପର ଭବାବେଗ ଲକ୍ଷ୍ୟକରି ଉଲ୍ଲସିତା ହେଲେ ରେଜିୟା । ଆଲତୁନିୟାଙ୍କ ଅନୁପସ୍ଥିରେ, ସେ ଯେ ଆଜି ସୁଦ୍ଧା ଦିଲ୍ଲୀରେ ନିଃସହାୟ ନୁହନ୍ତି, ଏ କଥା ଅନୁଭବ କରି ସେ ଡକାଇ ପଠାଇଲେ ୟାକୁତଙ୍କୁ ।

 

ସେଇଭଳି ଧୀର, ନମ୍ର, ବିନୀତ ଭଙ୍ଗୀରେ କୁର୍ଣ୍ଣିସ୍ ପକାଇ ଆସି ଠିଆହେଲେ ୟାକୁତ୍ ।

 

ସୁଲତାନା ତାଙ୍କୁ ସ୍ନେହାର୍ଦ୍ର କଣ୍ଠରେ କହିଲେ, ଅମୀର୍-ଉଲ୍-ଉମରା ପଦରେ ଅଧିତିଷ୍ଠ ହେବା ପରେ ଅଶ୍ୱଶାଳା ପାଖରେ ତମେ ଅବସ୍ଥାନ କରିବା ଉଚିତ ନୁହେଁ ୟାକୁତ୍ ! ତମେ କାଲି ଠାରୁ ଶାହୀମଂଜିଲ ସମୀପବର୍ତ୍ତୀ ଏକ ମହଲକୁ ଚାଲିଆସ । ତମେ ମୋର ବନ୍ଧୁ...ସୁହୃଦ । ଅନ୍ତରର ଏତେ ନିକଟତମ ହୋଇ ସୁଦ୍ଧା କଅଣ ତମେ ଏତେ ଦୂରରେ ରହିବା ଭଲ ?

 

ସୁଲତାନାଙ୍କ କଥାର ତାତ୍ପର୍ଯ୍ୟ ହୃଦୟଙ୍ଗମ କଲା ୟାକୁତ୍ ।

 

କିନ୍ତୁ ତା’ଠାରେ କିଛିହେଲେ ପ୍ରଗଳଭତା ପରିଲକ୍ଷିତ ହେଲା ନାହିଁ ।

 

କେବଳ ତାର ଦୁଇ ଉଜ୍ଜ୍ଵଳ ଆଖିକୋଣରେ ଚିକ୍ ଚିକ୍ କରି ଉଠିଲା ଏକ ଅପୂର୍ବ ଜ୍ୟୋତି ଏବଂ ଦୁଇ ଅଧରର ପ୍ରାନ୍ତରେ ଉଦବେଳିତ ହୋଇ ଉଠିଲା ସ୍ମିତହାସ୍ୟର ଏକ ମଧୁର ଆଲେଖ୍ୟ ।

 

ୟାକୁତର ଘନକୃଷ୍ଣ ମୁଖମଣ୍ଡଳରେ ହାସ୍ୟରେଖା ଯେ ଏପରି ଅପୂର୍ବ ଦେଖାଯାଏ, ତାହା ଲକ୍ଷ୍ୟକରି ସୁଲତାନାଙ୍କ ମନରେ ଅନେକ ସ୍ୱପ୍ନର କଳି ମୁକୁଳିତ ହୋଇଗଲା ।

 

ଛତିଶି

 

ଶାହୀମଂଜିଲର ଚତୁର୍ଦ୍ଦିଗରେ ବାଗାନ୍, ଉଦ୍ୟାନ ।

 

ଧାଡ଼ି ଧାଡ଼ି ଝାଡ଼ଗଛରେ ଭରିଉଠିଛି ସେହି ସୁସଜ୍ଜିତ ବାଗାନ୍ ସବୁ । ଉଦ୍ୟାନ ମଝିରେ କ୍ଷୁଦ୍ର କ୍ଷୁଦ୍ର ଜଳାଶୟ, ଜଳ ଝରଣା । ଇରାନ୍, ପାରସ୍ୟର ବିଭିନ୍ନ ଅଞ୍ଚଳରୁ ଅଣାଯାଇ ଭିନ୍ନ ଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଗଛସବୁ ଲଗାଯାଇଛି ଏହି ବାଗାନରେ । ପାରସ୍ୟର ଗୋଲାପ, ତୁରସ୍କର ବର୍ଣ୍ଣବାହାର ଫୁଲଗଛର ଶୋଭାରେ ଉଦ୍ୟାନଗୁଡ଼ିକ ମନେ ହେଉଛି ଗୋଟିଏ ଗୋଟିଏ ଚିତ୍ରିତ ଗାଲିଚା ଭଳି !

 

ରାତ୍ରି ସେତେବେଳକୁ ଅନେକ ହୋଇଛି ।

 

ସୁଲତାନା ଶୟନ-ଅଳିନ୍ଦର ସୀମା ଅତିକ୍ରମ କରି ସେ ଅନ୍ଧକାରରେ ଆସି ଠିଆ ହେଲେ ବାଗାନର ପାର୍ଶ୍ଵଭାଗରେ ।

 

କେଉଁ ସୁଫୀ ସନ୍ୟାସୀଙ୍କ କଣ୍ଠରେ ଓମାରଖାୟାମଙ୍କ ଗୀତ ଝଙ୍କାର ଶୁଣି ସେ ଉଚ୍ଚକିତ ମନରେ ସେଠାରେ ଆସି ଠିଆ ହୋଇଥିଲେ, ତାହା ତାଙ୍କର ସ୍ମରଣ ନାହିଁ ।

 

ଅନ୍ଧକାରରେ ପଡ଼ି ଚକ୍ ଚକ୍ କରୁଥିବା ଦର୍ପଣ ଭଳି ବାଗାନର ସେ ଜଳାଶୟଗୁଡ଼ିକ ସେତେବେଳେ ମନେହେଉଥିଲା ରେଜିୟାଙ୍କର ।

 

ନାନାଜାତିର ଫୁଲର ସୌରଭରେ ତାଙ୍କର ଘ୍ରାଣେନ୍ଦ୍ରିୟ ଉତ୍ତେଜିତ ହୋଇ ଉଠୁଥିଲା ।

 

ଏତେ ରାତିରେ ସେ ଏଠାରେ କାହିଁକି ?

 

ନିଜକୁ ମନେ ମନେ ପ୍ରଶ୍ନକଲେ ସୁଲତାନା ।

 

ଆଜି କେଜାଣି କାହିଁକି ମନ ତାଙ୍କର ଏକ ବିପୁଳ ଶୂନ୍ୟତାରେ ଭରିଉଠିଛି । ବିଚିତ୍ର ଏକ ଅସ୍ଥିରତାରେ ଉନ୍ମନ ହୋଇ ଉଠୁଛି ତାଙ୍କର ଚିନ୍ତାଧାରା ।

 

ଦରବାରର କାର୍ଯ୍ୟ ଶେଷକରି ଶୟନ-ଅଲିନ୍ଦ ମଧ୍ୟରେ ପ୍ରବେଶ କଲାବେଳେ ହାରେମର ଶୂନ୍ୟ କୋଠରୀଗୁଡ଼ିକ ତାଙ୍କ ମନକୁ ନିବିଡ଼ ଭାବରେ ବେଦନାର୍ଦ୍ର କରିଦେଇଥିଲା ।

 

ସୁଲତାନଙ୍କ ବେଗମମାନେ ହାରେମ୍ ଛାଡ଼ି ଚାଲିଯାଇଛନ୍ତି । ଶାହୀମଂଜିଲରେ ଶେଷ ହୋଇଛି ସେମାନଙ୍କର ଆବଶ୍ୟକତା । ସୁଲତାନ ନାହାନ୍ତି, ହାରେମର କି ଆବଶ୍ୟକତା ଥାଇପାରେ !

 

ରେଜିୟା ଶୁଣିଛନ୍ତି, ହାରେମର ଲଳନାମାନେ ଶାହୀମଂଜିଲ ଛାଡ଼ିଗଲାବେଳେ ତାଙ୍କୁ କୁଆଡ଼େ ମନଭରି ଅଭିଶାପ ଦେଇ ଯାଇଛନ୍ତି । ସେମାନେ ପ୍ରସ୍ଥାନ କରିଗଲା ପରେ ବି ସତେ ଯେପରି ସେମାନଙ୍କର ଉତ୍ତପ୍ତ ଦୀର୍ଘଶ୍ଵାସ ପ୍ରଭଞ୍ଜନ ହୋଇ ପ୍ରବାହିତ ହେଉଛି ହାରେମର ପ୍ରତ୍ୟେକ ଅଳିନ୍ଦରେ !

 

ସେହିସବୁ ବେଗମମାନେ ଆଜି କଅଣ କରୁଥିବେ ?

 

ଅନ୍ୟ କାହାକୁ ସାଦି କରି ଘରସଂସାର !!

 

ସେ ସମ୍ଭାବନା ହୁଏ ତ ସେମାନଙ୍କ ଜୀବନରେ ଶେଷ ହୋଇ ଯାଇଛି ।

 

ସମ୍ଭବତଃ କେହି ହୋଇଥିବ ବାଈଜୀ,...ପାନଶାଳା କିମ୍ବା କେଉଁ ଜଲସାଗୃହର ନର୍ତ୍ତକୀ...କାହାର ପଦମଞ୍ଜିର ଧ୍ଵନିରେ ଯେଉଁ ଜଲସା ଘରର କୋଣ ଅନୁକୋଣ-ଅନୁରଣିତ ହେଉଥିବ-ଅଥବା ଅନ୍ୟ କେଉଁ ବେଗମ୍ କୌଣସି ବିତ୍ତଶାଳୀ କାମୁକ ପୁରୁଷର ରକ୍ତରେ କାମନାର ଘୁଂଘୁର ବଜାଉଥିବ ।

 

ନା-ଏସବୁ କଥା ଚିନ୍ତାକରି ଆଜି ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ ରେଜିୟା । ଏ ସବୁ ଅବାନ୍ତର ଚିନ୍ତାକୁ ମନରୁ ବିଦାୟ ଦେଇ ଶୋଇବାକୁ ସେ ସବୁପ୍ରକାର ଚେଷ୍ଟା କରୁଥିଲେ । ନିଦ ଘୋଟି ଆସୁଥିଲା ତାଙ୍କ ଆଖି ପତାରେ...

 

ଏଇ ସମୟରେ ବାହାରେ ଶୁଣାଗଲା କେଉଁ ସୁଫୀ ସନ୍ନ୍ୟାସୀର ଓମାରଗୀତିକା...ମୃଗ୍ଧା ହରିଣୀ ଭଳି ଉତ୍କର୍ଣ୍ଣ ହୋଇ ଶୁଣିଥିଲେ ସୁଲତାନା ସେଇ ସଂଗୀତର ସ୍ଵର...ସୁଫୀ ସନ୍ନ୍ୟାସୀ ଜଣକ କଣ୍ଠ ଥରାଇ ଗାଉଥିଲା...

 

କେଉଁ ଆଲୋକିତ ସଂଧ୍ୟାରେ ଯଦି ତମେ ଆସ, ଏ ସବୁଜ ଘାସ, ଏଇ ଅଙ୍ଗୁରବନ, ଗୋଲାପଫୁଲର ଉପବନରେ ତମେ ହୁଏ ତ ଭେଟିବ ମୋର ସୁରା ନିଃଶେଷିତ ଶୂନ୍ୟ ପିଆଲା-ଆକାଶରେ ତାରାର ଦୀପ ଜଳୁଥିବ...ହେ ସ୍ଵପ୍ନ-ବିହ୍ୱଳା ସାଥି ! ସେଇ ସ୍ଵଳ୍ପାଲୋକିତ ଉପବନରେ ମୋର ଶୂନ୍ୟ ପିଆଲାକୁ ଧରି ତମେ ଆକାଶକୁ ଚାହିଁବ-ମୁଁ ନ ଥିବି...ପାତ୍ରରେ ସୁରା ନ ଥିବ-ଥିବ କେବଳ ମୋର ସ୍ମୃତି...ଦୁଇ ଆଖିର ଲୁହରେ ପାରିବ ସଜଳ କରି ସେ ସ୍ମୃତିକୁ ? ଯଦି ପାର-ସେ ମୋର ହେବ ଶ୍ରେଷ୍ଠ ଗୌରବ !

 

ସନ୍ନ୍ୟାସୀର କଂପିତ କଣ୍ଠରେ ଏ ଓମାରଖାୟାମୀ ବିରହ ସଂଗୀତର କଥା ଝଂକୃତ ହୋଇ ଏକ କରୁଣ ସ୍ଵରଲହରୀ ସୃଷ୍ଟି କରିଥିଲା ରେଜିୟାଙ୍କ ମନରେ ।

 

ଫିରଦୂଶି, ନିଜାମିଙ୍କ କାବ୍ୟ ସହିତ ଓମାରଖାୟାମଙ୍କ ସାକୀସୁରାର କବିତା ବାରମ୍ୱାର ଝଂକୃତ ହୋଇଛି ତାଙ୍କ ମଜଲିସ୍-ମଂଜିଲର କୋଣ-ଅନୁକୋଣରେ । ତାଙ୍କର କବ୍ୟାନୁରାଗ ଯୋଗୁ ହିଁ ବହୁ ପାର୍ଶୀ କବି ମଣ୍ଡନ କରିଛନ୍ତି ତାଙ୍କର ଦରବାର ।

 

କିନ୍ତୁ ଓମାରଙ୍କ କବିତାର ସ୍ୱରଲହରୀ, କଥାର ମର୍ମଭେଦୀ ସ୍ପର୍ଶ ତାଙ୍କୁ ଆଜି ଯେପରି ବ୍ୟାକୁଳ କରିଛି, କେବେହେଲେ ସେଭଳି ସେ ଅନୁଭବ କରି ନ ଥିଲେ ।

 

ଏ ରାତ୍ରିର ନିର୍ଜନତାରେ କଅଣ କୁହୁକ ଅଛି !

 

ନା-ତାଙ୍କ ନିଜ ନିଃସଙ୍ଗ ମନ ସହ ଏ ଭାବମୟ ସଂଗୀତର ରହିଛି କିଛି ଗୋପନ ସଂପର୍କ !

 

ଶୟନ-ଅଳୀନ୍ଦ ପ୍ରାଚୀର ଭେଦକରି ସୁଫୀ-ସନ୍ନ୍ୟାସୀର ଏ ସଙ୍ଗୀତ କିପରି ସୁଲତାନାଙ୍କ କର୍ଣ୍ଣରେ ପ୍ରବେଶ କଲା, ସେକଥା ସେ ନିଜେ ମଧ୍ୟ ବୁଝିପାରୁ ନ ଥିଲେ ।

 

ମନ୍ତ୍ର-ଚାଳିତ ଭଳି ସେ ଚାଲି ଚାଲି ଆସି ଠିଆ ହୋଇଥିଲେ ବାଗାନର ପାର୍ଶ୍ଵଦେଶରେ-। କିନ୍ତୁ ସନ୍ୟାସୀ ଜଣକ ଗୀତ ଗାଇ ଗାଇ ଚାଲିଯିବା ଫଳରେ ତା କଣ୍ଠର ସଂଗୀତ କ୍ରମେ କ୍ରମେ ଅସ୍ପଷ୍ଟ ହୋଇ ଆସିଲା ।

 

ଆଶ୍ଚର୍ଯ୍ୟ !

 

ରେଜିୟା ମଧ୍ୟ ସେ ସଂଗୀତର ସ୍ୱର ଅନୁସରଣ କରି ଉଦ୍ୟାନ ଅତିକ୍ରମ କରି ପହଞ୍ଚିଲେ ଶେଷ ଜଳାଶୟ ପାଖରେ-ଯେଉଁ ଜଳାଶୟର ଜଳ ମୁକୁରରେ ପ୍ରତିବିମ୍ବିତ ହୋଇଥିଲା ନକ୍ଷତ୍ରଖଚିତ ଆକାଶର ଛାୟା !

 

ହଁ-ଦୂର ପ୍ରାନ୍ତରର ଏକ କୋଣରେ ଠିଆହୋଇ ଆକାଶକୁ ଚାହିଁ ଓମାରଗୀତିକା ଗାନକରୁଛି ଜଣେ ସୁଫୀ-ସନ୍ୟାସୀ-ନିଜ ସଙ୍ଗୀତରେ ସେ ନିଜେ ଏଭଳି ତନ୍ମୟ ହୋଇ ରହିଛି ଯେ ଅନ୍ୟ କାହାରିକୁ ଚାହିଁ ଦେଖିବାକୁ ତାର ସମୟ ନାହିଁ !

 

ଆଉ ସେ ଅନ୍ୟ ଜଳାଶୟ କୂଳରେ ଠିଆ ହୋଇଛି କିଏ ?

 

କ୍ଷୀଣ ଚନ୍ଦ୍ରାଲୋକରେ ସୁଲତାନା ଦେଖିଲେ, ୟାକୁତ୍ !

 

ନୂତନ ବାସଗୃହକୁ ଆସିବା ପରେ ଏ ନିର୍ଜ୍ଜନ ପରିବେଶରେ ପ୍ରଥମ କରି ୟାକୁତକୁ ଦେଖିଲେ ସୁଲତାନା । କ୍ଷୀଣକଣ୍ଠରେ ତାର ନାମ ଧରି ଡାକିଲେ ।

 

ୟାକୁତ୍ ସମ୍ଭବତଃ ସେହି ସୁଫୀ-ସନ୍ୟାସୀ କଣ୍ଠରୁ ତାଙ୍କ ଭଳି ଓମାରଗୀତିକା ଶୁଣୁଥିଲା ମୁଗ୍ଧ ହୋଇ । ସୁଲତାନାଙ୍କ ଡାକ ଶୁଣି ସେ ଚମକି ପଛକୁ ଚାହିଁଲା

 

ସ୍ୱୟଂ ସୁଲତାନା !

 

କିନ୍ତୁ ତାଙ୍କ ଦେହରେ ନାହିଁ ଦରବାରର ସେଇ ପୁରୁଷ ପୋଷାକ ।

 

ରେଜିୟା ଦେଖିଲେ, କଳା ମାର୍ବଲ ପଥରରେ କେଉଁ ନିପୁଣ ଶିଳ୍ପୀହସ୍ତରେ ନିର୍ମିତ ଏକ ଦେବ-ମୂର୍ତ୍ତି ଭଳି ଚେହେରା ନେଇ ତାଙ୍କ ଆଗରେ ଠିଆ ହୋଇଛି ୟାକୁତ୍-ହାତରେ ତାର ଏକ ବୃନ୍ତଚ୍ୟୁତ ରକ୍ତ-ଗୋଲାପ !

 

ଆଉ ୟାକୁତ୍ ଦେଖିଲା... !

 

ଅପରୂପ ଲାବଣ୍ୟମୟୀ ସୁଲତାନା ରେଜିୟା ତାର ସମ୍ମୁଖରେ, ଦେହରେ ଯାହାଙ୍କର ଲହଡ଼ି ଭାଙ୍ଗୁଛି ଫେନିଳ ଯୌବନ.... । ସ୍ଵାଭାବିକ ସଂକ୍ଷିପ୍ତ ରାତ୍ରିବାସ ଅନ୍ତରାଳରୁ ସ୍ପଷ୍ଟ ହୋଇ ଉଠୁଛି ତାଙ୍କର ପ୍ରତ୍ୟେକ ଅଙ୍ଗରେଖା...ଶ୍ୱାସପ୍ରଶ୍ୱାସର ତାଳରେ ଆନ୍ଦୋଳିତ ହେଉଥିବା ଦୁଇ ପୀନ ପୟୋଧର....ଶଙ୍ଖମରାଳ ଗ୍ରୀବା...ଦୁଇ ବର୍ତ୍ତୁଳ ନିତମ୍ବର ଛନ୍ଦ, ଆଖିର ସମ୍ମୋହନ... !

 

ସୁଲତାନାଙ୍କ ଉଦ୍ୟାନକୁ ଏପରି ଅସମୟରେ ଆସି ସେ ଭୁଲ୍ କରିଛି । ଯଦି କେହି ସେ ଦୁହିଁଙ୍କୁ ଏପରି ଅବସ୍ଥାରେ ଦେଖେ !

 

କୌଣସି ଉତ୍ତର ନ ଦେଇ ଦ୍ରୁତ ପଦରେ ପ୍ରସ୍ଥାନ କରିବାକୁ ଉପକ୍ରମ କଲା ୟାକୁତ୍ ।

 

ବିହ୍ଵଳିତ କଣ୍ଠରେ ରେଜିୟା କହିଲେ, ତୁମେ ଚାଲି ଯାଉଛ ଯେ ! ବିଶ୍ଵାସ କର ! ମୁଁ ସୁଲତାନା ନୁହେଁ, ଜଣେ ମାତ୍ର ନାରୀ.... !

 

ନିଜ ନାରୀର ସଂପର୍କରେ ଜୀବନରେ ଏ ପ୍ରଥମ ଥର ପାଇଁ ରେଜିୟା ଆଜି ଏତେ ସଚେତନ ହୋଇ ଉଠିଛନ୍ତି । ସାମ୍ରାଜ୍ୟରେ ଆଜି ତାଙ୍କୁ ସୁଲତାନା ଭାବରେ ସମସ୍ତେ ସମ୍ମାନ ଦେଖାଇବାକୁ ଚାହାନ୍ତି । ନାରୀଭାବରେ କେହି ଜଣେ ହେଲେ ତାଙ୍କୁ ସ୍ନେହ-ସହାନୁଭୂତି ଦେବାକୁ ଚାହେଁ ନାହିଁ !

 

କିନ୍ତୁ ଏ ନିର୍ଜନ ରାତିର ନିଶ୍ଚଳତା ଭିତରେ ସେ ସୁଲତାନାର କୃତ୍ରିମ ପୋଷାକ ଖୋଲି ରଖି ମୁହୂର୍ତ୍ତ କେତୋଟି ପାଇଁ ଅନ୍ତତଃ ନାରୀ ହୋଇ ବଞ୍ଚିବାକୁ ଚାହାନ୍ତି । ଅନୁଭବ କରିବାକୁ ଚାହାନ୍ତି ନିଜ ନାରୀତ୍ୱର ସ୍ଥିତି, ଅନ୍ୟ ଜଣକ ମନରେ ସଞ୍ଚାରିତ କରିବାକୁ ଚାହାନ୍ତି ନିଜର ରମଣୀ-ସତ୍ତା !

 

କିନ୍ତୁ ୟାକୁତ୍ ଯେ ଚାଲିଯାଉଛି କେଉଁ ଭୀରୁପୁରୁଷ ପରି, ଚୋରିକରି ଧରା ପଡ଼ି ପଳାୟନ କରିବାକୁ ଚାହୁଁଥିବା ତସ୍କର ଭଳି !

 

ତା’ର ପଥରୋଧ କରି ତା ସମ୍ମୁଖରେ ଠିଆହେଲେ ରେଜିୟା ।

 

କମ୍ପିତ କଣ୍ଠରେ ପ୍ରଶ୍ନ କଲେ, ତମେ କଅଣ ସତରେ ଚାଲିଯିବ ?

 

କିଛି ଉତ୍ତର ନ ଦେଇ ହସିଲା ୟାକତ୍ ।

 

ତାର ସୁଦୃଢ଼ ପେଶିବହୁଳ ଘନ-କୃଷ୍ଣ ମୁଖମଣ୍ଡଳରେ ସେହି ହୃଦୟ-ଦାହୀ ହସ ଦେଖି ରେଜିୟା ରୋମାଞ୍ଚିତ ହୋଇ ଉଠିଲେ ।

 

ୟାକୁତ୍ ହାତରୁ ସେ ରକ୍ତଗୋଲାପକୁ ଛଡ଼ାଇ ଆଣି ଆଘ୍ରାଣ କରିବାକୁ ଲାଗିଲେ ।

 

ସେଇ ଗୋଲାପର ସୁରଭିରେ ସତେ ଯେପରି ମିଶିରହିଛି ୟାକୁତର ଆକୃତ୍ରିମ ହୃଦୟରେ ସୁଗନ୍ଧ । ସେ ଗୋଲାପର କୋମଳ ପାଖୁଡ଼ାରେ ସତେ ଯେପରି ଭରି ରହିଛି ତା ଅନ୍ତରର ଉତ୍ସର୍ଗିକୃତ ବିନମ୍ର କୋମଳତା !

 

ଗୋଲାପର ସୁରଭି ସହିତ ୟାକୁତର ହୃଦୟର ସ୍ପର୍ଶକୁ ଆକଣ୍ଠ ଆଘ୍ରାଣ କରି ନିଜ ମନର ଶୂନ୍ୟତାକୁ ବିସ୍ମୃତ ହେବାକୁ ଚାହୁଁଥିଲେ ସୁଲତାନ । ନୀଡ଼ହରା ବିହଙ୍ଗୀଟି ଭଳି ୟାକୁତର ବଳିଷ୍ଠ ପୌରୁଷ ଭିତରେ ସେ ଚାହୁଁଥିଲେ ମୁହୂର୍ତ୍ତେ ମାତ୍ର ଆଶ୍ରୟ !

 

ସଇଁତିରିଶି

 

ସମୟ ଅତିକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ତୁର୍କୀ ଅମୀରମାନଙ୍କ ମଧ୍ୟରେ ବୁଦ୍ଧି ପାଇଲା ଅସ୍ଥିରତା । ସେମାନେ ଲକ୍ଷ୍ୟକଲେ, ଦରବାରରେ କବି, ଶିଳ୍ପୀ, କଳାକାରମାନଙ୍କ ତୁଳନାରେ ସେମାନଙ୍କ ସ୍ଥାନ ନିମ୍ନରେ । ଜ୍ଞାନର ପ୍ରସାର, ଶିକ୍ଷାର ବିକାଶ ନାମରେ ସୁଲତାନା ମଦ୍ରାସା, ବିଦ୍ୟାଳୟ ବସାଇବାରେ ପ୍ରଚୁର ଟଙ୍କା ବ୍ୟୟ କରୁଛନ୍ତି । ଅମୀର ମାନଙ୍କୁ ବିଳାସ ଉତ୍ସବ ପାଇଁ ରାଜକୋଷ ଶୂନ୍ୟ !

ଜିଜିୟା ଉଠାଇଦେବା ପରେ ଜିମ୍ମି, କାଫେରମାନେ ମଧ୍ୟ ଉଚ୍ଛୃଙ୍ଖଳ ହୋଇ ଉଠିଛନ୍ତି । ଦିଲ୍ଲୀରେ ଉଲେମା, ମୌଲବୀମାନଙ୍କର ସମ୍ମାନ ହ୍ରାସ ପାଇଛି । ଏ ସବୁ ବିଷୟରେ କୌଣସି ପ୍ରତିବାଦ କଲେ ସେ କଥାରେ କର୍ଣ୍ଣପାତ କରିବାକୁ ସୁଲତାନା ସଂପୂର୍ଣ୍ଣ ନାରାଜ !

ଯେଉଁ ଜିମ୍ମିମାନେ ନୁଆ ମୁସଲମାନ ହୋଇଛନ୍ତି; ସେମାନଙ୍କୁ ମଧ୍ୟ ଶାସନକ୍ଷେତ୍ରରେ ଉଚ୍ଚ ଆସନ ଦେଉଛନ୍ତି ରେଜିୟା । ପ୍ରତିବାଦ କଲେ ଉତ୍ତର ମିଳୁଛି, ଯୋଗ୍ୟତ ହିଁ ଶାସନକ୍ଷେତ୍ରରେ ନିଯୁକ୍ତି ଲାଗି ଏକମାତ୍ର ମାପକାଠି । ମୁଁ ଦକ୍ଷତାର ସହ ଶାସନ ନ କଲେ ତୁର୍କୀ ବୋଲି ଆପଣମାନେ ମତେ କ୍ଷମାକରିବେ କି ?

ନା-ଆଉ କୌଣସି ପ୍ରତିବାଦ ନିରର୍ଥକ ।

ସୁଲତାନାଙ୍କ କାର୍ଯ୍ୟର ପ୍ରତିରୋଧ ନ କଲେ ଶାନ୍ତି ନାହିଁ, ସୁଖ ନାହିଁ ।

କିନ୍ତୁ କିଏ ବା କିପରି ଭାବରେ ଏ ଗୁରୁଦାୟିତ୍ଵ ବହନ କରିବ ?

ଅମୀର ବଲବନଙ୍କ ମୁଣ୍ଡରେ ଗୋଟାଏ ନୂଆ ଉପାୟ ପ୍ରବେଶ କଲା ।

ମାଲିକ ଆଏତଗିନ୍‍ ଆଲତୁନିୟାଙ୍କର ବିଶିଷ୍ଟ ବନ୍ଧୁ । ସୁଲତାନାଙ୍କ ସମର୍ଥକ ଅମୀରମାନଙ୍କ ଉପରେ ମଧ୍ୟ ପ୍ରଭାବ ତାଙ୍କର ଅପରିସୀମ । ତାଙ୍କରି ସାହାଯ୍ୟରେ ହିଁ ସୁଲତାନଙ୍କ ବିରୁଦ୍ଧରେ ଗଢ଼ି ତୋଳିବାକୁ ହେବ ନୂତନ ବିଦ୍ରୋହ ।

ଆଏତଗିନ୍‍ ହେବେ ନୂତନ ବିଦ୍ରୋହର ସୂତ୍ରଧର !

ସେଦିନ ଏକାନ୍ତରେ ଆଏତଗିନଙ୍କ ସହ ସାକ୍ଷାତ କଲେ ବଲବନ୍ । ଯୁକ୍ତି କଲେ, ସମ୍ବାଦ ମିଳିଛି ଲାହୋରର ନବାବ ଇଜ୍ଜୁଦିନ ଆୟାଜ୍ ବିଦ୍ରୋହୀ ହୋଇ ଉଠିଛନ୍ତି । ସେ ବିଦ୍ରୋହ ଦମନ କରିବାକୁ ସେନାବାହିନୀର ନେତୃତ୍ଵ ନେଇ ସ୍ଵୟଂ ସୁଲତାନ ଲାହୋର ଯାଉଛନ୍ତି । ଯଦି ସେ ବିଦ୍ରୋହ ଦମନରେ ବିଫଳ ହୁଅନ୍ତି, ତାଙ୍କୁ ସିଂହାସନଚ୍ୟୁତା କରିବା କଷ୍ଟକର କଥା ହେବ ନାହିଁ । କିନ୍ତୁ ଯଦି ସେ ବିଦ୍ରୋହ ଦମନ କରି ଫେରିଆସନ୍ତି, ତାହାହେଲେ ଆମକୁ ନୂତନ ଉପାୟ ବାହାର କରିବାକୁ ହେବ.... ।

ସୁଲତାନାଙ୍କ ୠଣଦକ୍ଷତା ଜାଣନ୍ତି ଆଏତଗିନ୍ ।

ପରାଜୟ ଯେ ସୁଲତାନାଙ୍କ ଭାଗ୍ୟଲିପି ନୁହେଁ; ତାହା ଅନୁମାନ କରିବାକୁ ତାଙ୍କୁ କଷ୍ଟ ଲାଗି ନ ଥିଲା । ତେଣୁ ସୁଲତାନାଙ୍କୁ ସିଂହାସନାଚ୍ୟୁତା କରିବା ପାଇଁ ଆଉ କି ଉପାୟ କରାଯାଇପାରେ, ସେ କଥା ଜାଣିବା ପାଇଁ ବଲବନଙ୍କ ମୁହଁକୁ ଆଗ୍ରହରେ ଚାହିଁରହିଲେ ।

ବଲବନ୍ ନିମ୍ନକଣ୍ଠରେ କହିଲେ, ଆଲତୁନିୟାଙ୍କୁ ସୁଲତାନାଙ୍କ ବିରୁଦ୍ଧରେ ଉତ୍ତ୍ୟକ୍ତ କରିବାକୁ ହେବ । ସେ ପ୍ରକୃତରେ ହେଉଛନ୍ତି ସୁଲତାନାଙ୍କ ଅସଲ ଶକ୍ତି । ସେ ଯଦି ସୁଲତାନାଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି... !

 

ଆଏତଗିନ୍ ଭ୍ରୂକୁଞ୍ଚିତ କରି କହିଲେ, ଆପଣ ସ୍ଵପ୍ନ ଦେଖୁ ନାହାନ୍ତି ତ ! ଆଲତୁନିୟା ରେଜିୟାଙ୍କୁ ବିବାହ କରିବା ପାଇଁ ଦିନ ଗଣନା କରୁଛନ୍ତି । ସେ ତାଙ୍କର ପ୍ରଣୟୀ...ତାଙ୍କୁ ସୁଲତାନାଙ୍କ ବିରୁଦ୍ଧରେ ମତାଇବା କଅଣ ସହଜ କଥା ?

 

ଖର୍ବକାୟ ବଲବନଙ୍କ ବିକୃତ ମୁଖରେ ଏକ କୁଟିଳ ହାସ୍ୟରେଖା ଫୁଟିଉଠିଲା ।

 

ସେ କହିଲେ, ଆଲତୁନିୟାଙ୍କ ସେ ବିବାହପ୍ରଶ୍ନ ବର୍ତ୍ତମାନ ସ୍ୱପ୍ନରେ ପରିଣତ ହେଲାଣି ମାଲିକ୍ ! ଆବିସିନୀୟ କ୍ରୀତଦାସ ୟାକୁତଙ୍କ ପ୍ରଣୟ ସମୁଦ୍ରରେ ସୁଲତାନା ଝାସ ଦେଇଛନ୍ତି...ପ୍ରତିଦିନ ଶାହୀମଞ୍ଜିଲର ବାଗାନରେ ଚାଲିଛି ସେମାନଙ୍କର ଅବୈଧ ପ୍ରଣୟଲୀଳା । ବାଗାନରକ୍ଷକ ମୁହଁରୁ ଆପଣ ଏ ସମ୍ବାଦ ନିଜେ ଶୁଣିପାରନ୍ତି... ।

 

ଆଲତୁନିୟାଙ୍କର ଜଣେ ନିକଟତମ ବନ୍ଧୁ ଆଏତଗିନ୍ ।

 

ୟାକୁତ୍ ସହ ରେଜିୟାଙ୍କ ଅବୈଧ ପ୍ରଣୟ ଗଢ଼ି ଉଠିଥିବା କଥା ସେ ବିକ୍ଷିପ୍ତ ଭାବରେ ଏଣୁ ତେଣୁ ଶୁଣିଥିଲେ । କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ବାଗାନରକ୍ଷକ ମୁଖରୁ ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଶୁଣି ତାଙ୍କ ଦେହର ଲୋମସବୁ ଟଙ୍କାରିତ ହୋଇଗଲା ।

 

ବଲବନ୍ କହିଲେ, ଏ ସମ୍ବାଦ ଆମକୁ ସତର୍କତାର ସହ ଆଲତୁନିୟାଙ୍କ ପାଖରେ ପହଞ୍ଚାଇ ଦେବାକୁ ହେବ...ତାଙ୍କୁ ସୂଚନା ଦେବାକୁ ହେବ ସେ ବିଦ୍ରୋହ ଘୋଷଣା କରିବେ । ବିଦ୍ରୋହ ଦମନ କରିବାକୁ ଯାଇ ସୁଲତାନା ବନ୍ଦିନୀ ହେଲେ ଆମେ ଇଲତୁମିସଙ୍କ କନିଷ୍ଠ ପୁତ୍ରଙ୍କୁ ଦିଲ୍ଲୀରେ ସୁଲତାନ୍ ଭାବରେ ଘୋଷଣା କରିବା । ନୂତନ ସୁଲତାନଙ୍କ ଶାସନରେ ଆଲତୁନିୟାଙ୍କ ପଦୋନ୍ନତି ଯେ ନିଶ୍ଚିତ, ଏ ପ୍ରତିଶ୍ରୁତି ମଧ୍ୟ ତାଙ୍କୁ ଦିଆଯିବା ଦରକାର... !

 

ବଲବନଙ୍କ ଯୁକ୍ତି ଶୁଣି ଆଏତଗିନ୍ ମଧ୍ୟ ଉତ୍ସାହିତ ହେଲେ ।

 

ଦିଲ୍ଲୀରୁ ସେମାନେ ପ୍ରତ୍ୟକ୍ଷ ବିଦ୍ରୋହ କରିବା ଆଉ ସମ୍ଭବ ନୁହେଁ । କିନ୍ତୁ ଆଲତୁନିୟା ଯଦି ଭାତିନ୍ଦାରେ ବିଦ୍ରୋହ ଘୋଷଣା କରନ୍ତି, ତାହାହେଲେ ସୁଲତାନା ପରାଜିତ ହେବା କିଛି ବିଚିତ୍ର ନୁହେଁ । ଆଉ ଯଦି ଆଲତୁନିୟା ପରାସ୍ତ ହୁଅନ୍ତି, ସେଥିରେ ମଧ୍ୟ ଦୁର୍ବଳ ହୋଇ ପଡ଼ିବେ ସୁଲତାନା-। ସେମାନଙ୍କ ବିନା ପରାମର୍ଶରେ କୌଣସି କାର୍ଯ୍ୟ କରିବାକୁ ସେ ସାହସ କରିବେ ନାହିଁ-। ଦରବାରରେ ପୁଣି ପୂର୍ବ ସମ୍ମାନ ଫେରିପାଇବେ ଅମୀରମାନେ !

 

ଯେଉଁମାନଙ୍କୁ ନିଜାମୁଲ୍-ମୁଲ‌କଙ୍କ ପ୍ରାସାଦ ବିପ୍ଳବର ବ୍ୟର୍ଥତା ପରେ ଉଚ୍ଚ ଆସନରେ ବସାଇଥିଲେ ସୁଲତାନା, ସେହିମାନେ ପୁଣି ଏକ ନୀରବ ବିଦ୍ରୋହର ଷଡ଼ଯନ୍ତ୍ର ରଚନା କଲେ ତାଙ୍କ ବିରୁଦ୍ଧରେ; ତାଙ୍କ ଅଜ୍ଞାତରେ !

 

ବିଦ୍ରୋହ, ଷଡ଼ଯନ୍ତ୍ର, ବିଶ୍ୱାସଘାତକତା ଥିଲା ସେଦିନ ତ୍ରୟୋଦଶ ଶତାବ୍ଦୀ ଇତିହାସର ଏକ ବିଶେଷ ଅଙ୍ଗ । ହିନ୍ଦୁସ୍ଥାନରେ ତୁର୍କୀ ଶାହି ଶାସନରେ ସେଇ ଇତିହାସର ଥରେ ନୁହେଁ, ବହୁ ଥର ପୁନରାବୃତ୍ତି ଘଟିଥିଲା ।

 

ଅଠତିରିଶ

 

ଲାହୋର ବିଦ୍ରୋହ ଦମନ କରି ଦିଲ୍ଲୀ ଫେରିଆସିଲେ ସୁଲତାନା ।

 

ବିଦ୍ରୋହୀ ଆୟାଜ ସୁଲତାନାଙ୍କ ପାଦତଳେ ଲୋଟି କରିଥିଲେ ଜୀବନଭିକ୍ଷା । ନିଜର ସମସ୍ତ ଶୁଭାକାଙକ୍ଷୀ, ଅମୀର-ମାଲିକମାନଙ୍କ ବିରୋଧ ସତ୍ଵେ ରେଜିୟା ଉଦାର ହୃଦୟରେ କ୍ଷମା କରିଥିଲେ ଆୟାଜଙ୍କୁ । କିନ୍ତୁ ତାଙ୍କଠାରୁ ଶାସନ କ୍ଷମତା କାଢ଼ି ନିଆଗଲା ।

 

ଯୁଦ୍ଧରେ ପରାସ୍ତ ହୋଇ ଝେଲମ୍ ନଦୀବାଟେ ପଳାୟନ କରିବାକୁ ଚେଷ୍ଟା କରିଥିଲେ ଆୟାଜ୍ । କିନ୍ତୁ ସେଠାରେ ସେ ସମ୍ମୁଖୀନ ହେଲେ ମୋଙ୍ଗଲମାନଙ୍କର । ତାଙ୍କର ତଣ୍ଟି ଚିପି ହତ୍ୟା କରିବା ପାଇଁ ମୋଙ୍ଗଲମାନେ ଚକ୍ରାନ୍ତ କରୁଥିବାବେଳେ କୌଣସିମତେ ପ୍ରାଣ ଘେନି ସେ ପଳାଇ ଆସି ସୁଲତାନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ।

 

ତାଙ୍କ ଭଳି କୃତଘ୍ନ, ବିଦ୍ରୋହୀକୁ ସୁଲତାନା କ୍ଷମା କରିବେ, ଏକଥା ସେ ନିଜେ ମଧ୍ୟ ବିଶ୍ଵାସ କରିପାରୁ ନ ଥିଲେ ।

 

କ୍ଷମାଲାଭ କରି ସେ ବିସ୍ମିତ ଦୃଷ୍ଟିରେ ଚାହିଁଲେ ରେଜିୟାଙ୍କ ମୁହଁକୁ ।

 

ସେଇ ଉଦାର, କ୍ଷମାଶୀଳ ଦୃଷ୍ଟି । ଓଠରେ ସେହି ପ୍ରସନ୍ନ ହାସ୍ୟରେଖା ।

 

ସୁଲତାନା କହିଲେ, ମୁଁ ଜାଣେ, ତମେ କ୍ଷମାର ଅଯୋଗ୍ୟ ଆୟାଜ୍ ! ତମେ ପ୍ରଥମେ ମୋ ପିତାଙ୍କ ଇଚ୍ଛାପତ୍ରର ବିରୋଧ କରି ମୋ ସିଂହାସନ ଆରୋହଣ ବିରୁଦ୍ଧରେ ସ୍ଵର ଉଠାଇଥିଲ-। ମୁଁ ତମକୁ ଭୁଲ ବୁଝି ନ ଥିଲି । ତମେ ପୁଣି ନିଜାମୁଲ୍-ମୁଲକଙ୍କ ସହ ମିଳି ମୋ ବିରୁଦ୍ଧରେ ବିଦ୍ରୋହ କରିଥିଲ । ଶେଷ ମୁହୂର୍ତ୍ତରେ ଭ୍ରମ ବୁଝିପାରି ବିଦ୍ରୋହରୁ ନିବୃତ୍ତି ହୋଇଥିଲ ବୋଲି ଲାହୋର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଦେଶର ଶାସକ ଭାବରେ ମୁଁ ତମକୁ ନିଯୁକ୍ତ କରିଥିଲି । କିନ୍ତୁ ତମର ପ୍ରକୃତି ବଦଳିଲା ନାହିଁ । ପୁଣି ତମେ ବିଦ୍ରୋହ କଲ । ତଥାପି ମୁଁ ତମକୁ କ୍ଷମାକରୁଛି-ଯଦିଓ ମୁଁ ଜାଣେ ତମକୁ କ୍ଷମା ଦେବାଯୋଗୁଁ ମୋର ନୂତନ ନିଜାମୁଲ୍-ମୁଲକ, ନାଇବ-ଇ-ଲାସକର ପ୍ରମୁଖ ମତେ କେବେ ସହଜରେ କ୍ଷମା କରିବେ ନାହିଁ ! ତମକୁ ମୁଁ କ୍ଷମା ଦେଉଛି, କାରଣ ମୁଁ ନାରୀ-। ଶାସ୍ତିଦେଇ ମୁଁ ସନ୍ତୁଷ୍ଟ ହୋଇପାରିବି ନାହିଁ । କାରଣ ପ୍ରତିହିଂସା ପୁରୁଷର ଧର୍ମ ହୋଇପାରେ, ନାରୀର ନୁହେଁ !

 

ଆୟାଜଙ୍କ ଆଖିରୁ ଧାର ଧାର ଅଶ୍ରୁ ବହି ତାଙ୍କର ଗଣ୍ଡଦେଶ ପ୍ଲାବିତ କରୁଥିଲା ।

 

ଆଉ ଏଭଳି ନିଷ୍ପତ୍ତିରେ ଶତ୍ରୁକୁ ବିଦ୍ରୋହୀ ହେବାକୁ ଉତ୍ସାହିତ କରାଯାଉଛି ବୋଲି ଦରବାରରେ ଯେଉଁ ମାଲିକ୍, ଅମୀରମାନେ ମନେ କରୁଥିଲେ, ସେମାନଙ୍କ ଆଖିରୁ ସ୍ଫୁରିତ ହେଉଥିଲା ଅଗ୍ନିକଣିକା !

 

ସେମାନଙ୍କର ମନେ ହେଉଥିଲା ଉଦାରତା, ଲୋକପ୍ରିୟତା ପାଇଁ ସୁଲତାନା ତୁର୍କୀସାମ୍ରାଜ୍ୟକୁ ଦୁର୍ବଳ କରିଦେବେ, ବାହ୍ୟଶତ୍ରୁ ଆକ୍ରମଣ ପାଇଁ ପଥ ଉନ୍ମୁକ୍ତ ହୋଇଯିବ !

 

ଅଣଚାଳିଶି

 

ଗୁପ୍ତଚର ସମ୍ବାଦ ଦେଇ ଯାଇଛି, ୟାକୁତ୍ ସହ ତାଙ୍କର ଅବୈଧ ପ୍ରଣୟ ସମ୍ପର୍କ ନେଇ ରାଜଧାନୀରେ ସୃଷ୍ଟି ହୋଇଛି ପ୍ରବଳ ଜନରବ । ରାସ୍ତାଘାଟ, ଭୋଜନାଳୟ, ପାନଶାଳା-ସର୍ବତ୍ର ଏଇ ବିଷୟରେ ଆଲୋଚନା ଚାଲିଛି । ଜିମ୍ମି-ମୁସଲମାନ, ଅମୀର୍-ପ୍ରଜା, ସମସ୍ତଙ୍କ ଭିତରେ ଏହି ବିଷୟ ନେଇ ଆଲୋଚନା । ଲଘୁ ପରିହାସ, ବ୍ୟଙ୍ଗବିଦ୍ରୂପ ।

 

ସମ୍ବାଦ ଶୁଣି ରେଜିୟାଙ୍କ କର୍ଣ୍ଣମୂଳ ଆରକ୍ତ ହୋଇ ଉଠିଲା ।

 

ସତରେ କଅଣ ୟାକୁତ୍ ସହିତ ତାଙ୍କର ସମ୍ପର୍କ ଅବୈଧ ?

 

ଖୁବ୍ ପିଲାଦିନୁ ୟାକୁତ୍ ସହ ତାଙ୍କର ପରିଚୟ । ଜଣେ ବିଶ୍ଵସ୍ତ କର୍ମଚାରୀ ଭାବରେ ତାଙ୍କ ପାଖରେ ସେ କାର୍ଯ୍ୟକରି ଆସିଛି । ତାର ଆନୁଗତ୍ୟ ଓ ଦକ୍ଷତାରେ ମୁଗ୍ଧ ହୋଇ ତାକୁ ସମ୍ମାନର ସମୁଚ୍ଚ ଶିଖରକୁ ଉନ୍ନୀତ କରିଛନ୍ତି ସୁଲତାନା ।

 

ଜଣେ ନିଗ୍ରୋ କ୍ରୀତଦାସର ଏ ପଦୋନ୍ନତିରେ ତୁର୍କୀ ଅମୀରମାନେ ରୁଷ୍ଟ ହେବା ସ୍ଵାଭାବିକ୍ । ସେଭଳି ଈର୍ଷାକାତର ପ୍ରତିବାଦରେ ସେ କେବେ କର୍ଣ୍ଣପାତ କରିନାହାନ୍ତି । କିନ୍ତୁ ୟାକୁତକୁ ନେଇ ତାଙ୍କ ବିରୁଦ୍ଧରେ ଯେଉଁ ଅପପ୍ରଚାର ଚାଲିଛି, ତାକୁ କଅଣ ସେ ଏଡ଼ାଇ ଯାଇ ପାରିବେ ?

 

ରେଜିୟା ଗଭୀର ଅସ୍ଵସ୍ତିରେ ଅସ୍ଥିର ହୋଇ ଉଠିଲେ ।

 

ଏହି କେତେଦିନ ଧରି ଆଲତୁନିୟାଙ୍କ ଅନୁପସ୍ଥିତିରେ ୟାକୁତ୍ ସହ ତାଙ୍କର ଯେ ଆନ୍ତରିକତା ପ୍ରଗାଢ଼ ହୋଇ ଉଠିଛି, ଏଥିରେ ସନ୍ଦେହ ନାହିଁ । ତାଙ୍କର ନିଛାଟିଆ ନାରୀଜୀବନର ସହଚର ଭାବରେ ୟାକୁତ ତାଙ୍କର ଖୁବ୍‍ ନିକଟବର୍ତ୍ତୀ ହୋଇ ପାରିଛି । ଗଭୀର ରାତ୍ରିର ଅନ୍ଧକାରରେ । ଆୟତ ଅପରାହ୍ନର ବିଶ୍ରାମ ଅବସରରେ ତାଙ୍କ ସହ ଘନିଷ୍ଠ ହୋଇ ବସି ସାମ୍ରାଜ୍ୟ ଶାସନ ସମ୍ପର୍କୀୟ ବହୁ ଗୋପନୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସେ କରିଛି । କିନ୍ତୁ ଆଲତୁନିୟାଙ୍କ ସହ ତାଙ୍କର ଯେଉଁ ପ୍ରଣୟ ସମ୍ପର୍କ; ସେଭଳି ସମ୍ପର୍କ କଅଣ ୟାକୁତ୍ ସହ ତାଙ୍କର ଗଢ଼ିଉଠିଛି !

 

ଅନେକ ଥର ସେ ସହରତଳି ଅଞ୍ଚଳକୁ ୟାକୁତ ସହ ଭ୍ରମଣରେ ଗଲାବେଳେ ଜନତାର ସନ୍ଦିଗଧ ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହୋଇଛି । ୟାକୁତର କାନ୍ଧରେ ଭରା ଦେଇ ଅଶ୍ଵାରୋହଣ କଲାବେଳେ ତାଙ୍କ ଦେହର କୌଣସି ଅଂଶ ଯଦି ସ୍ୱାଭାବିକ ଭାବରେ ୟାକୁତର ଦେହ ସ୍ପର୍ଶ କରେ, ତେବେ ସେହି ପଥପ୍ରାନ୍ତର ଜନତା ଆଖିରେ ସୁତୀବ୍ର ଘୃଣାର ଯେଉଁ ବ୍ୟଞ୍ଜନା ଫୁଟିଉଠେ; ତାହା ମଧ୍ୟ ତାଙ୍କ ଦୃଷ୍ଟିରୁ ବାଦ ଯାଇ ନାହିଁ ।

 

କିନ୍ତୁ ୟାକୁତର ଅଙ୍ଗ ସ୍ପର୍ଶ କରି ସେ କେବେ କଅଣ ଅନଙ୍ଗର ଜ୍ଵାଳା ଅନୁଭବ କରିଛନ୍ତି-? ତାଙ୍କ ଦେହର ସ୍ପର୍ଶ କଅଣ ଦାସ-ପ୍ରାୟ ୟାକୁତର ରକ୍ତର ଅରଣ୍ୟରେ କାମନାର ପ୍ରଳୟ ଝଡ଼ ସୃଷ୍ଟି କରିଛି ?

 

ୟାକୁତ୍ ମୁହଁରେ ସେଭଳି କୌଣସି ଭାବାନ୍ତର ସେ କେବେହେଲେ ଲକ୍ଷ କରିନାହାନ୍ତି । ଆଲତୁନିୟାଙ୍କ ପାଖରେ ଘନିଷ୍ଠ ହୋଇ ବସିଥିବାବେଳେ ତାଙ୍କ ଆଖିରେ ଯେଉଁ ପ୍ରଲୋଭନର ଅଗ୍ନିଶିଖା ଦେଖି ଅନେକଥର ସେ ଆତ୍ମାରକ୍ଷାର ଆତଙ୍କରେ ଶିହରିତ ହୋଇଛନ୍ତି, ସେଭଳି ସର୍ବାଗ୍ରାସୀ ଅଗ୍ନିର କଣିକା ମାତ୍ର ସେ କେବେ ଲକ୍ଷ୍ୟକରି ନାହାନ୍ତି ୟାକୁତର ଆଖିରେ ।

 

ଆତ୍ମସାମର୍ପଣର ଆଗ୍ରହ ନେଇ ଅନେକ ଥର ସେ ୟାକୁତ୍ ପାଖରେ ଠିଆ ହୋଇଛନ୍ତି-। କିନ୍ତୁ ଦାନ ଗ୍ରହଣର ଉଷ୍ମତା ବଦଳରେ ଏକ ସଂକୁଚିତ ହିମଶୀତଳତା ତାଙ୍କ ବ୍ୟବହାରରେ ଲକ୍ଷ୍ୟକରି ବାଧ୍ୟହୋଇ କରିଛନ୍ତି ଆତ୍ମସମ୍ବରଣ

 

ୟାକୁତ୍ ଭୀରୁ, ଲଜା-ସଂକୁଣ୍ଠ ପୁରୁଷ ମାତ୍ର । ଅମୀରମାନଙ୍କ ମଉଡ଼ମଣି ହେଲା ପରେ ବି କ୍ରୀତଦାସସୁଲଭ ବିନମ୍ରଭାବ ତାର ଶୋଣିତ ଗ୍ରନ୍ଥିରେ ଅଲିଭା ରହିଛି ।

 

ଅଥଚ ତାକୁ ନେଇ ଚାରିଆଡେ଼ ପ୍ରବଳ ଜନରବ !

 

ୟାକୁତକୁ ଡକାଇ ପଠାଇଲେ ସୁଲତାନା ।

 

ଅଧୋବଦନରେ ସମ୍ଭ୍ରମ ଜ୍ଞାପନ କରି ୟାକୁତ୍ କକ୍ଷରେ ପ୍ରବେଶ କଲେ ।

 

ସୁଲତାନା କହିଲେ, ତମ ସହିତ ମୋର ଅବୈଧ ସମ୍ପର୍କ ନେଇ ବାହାରେ ଯେଉଁ ଜନରବ, ସେ କଥା ଶୁଣିଛ ୟାକୁତ୍ ?

 

ୟାକୁତ୍ ଦୃଷ୍ଟି ଉତ୍ତୋଳନ କରି ନିର୍ବୋଧ ଦୃଷ୍ଟିରେ ଚାହିଁଲା ।

 

ପ୍ରଶ୍ନ କଲା, ଏଥିରେ ମୋର ହାତ ଅଛି ବୋଲି ଆପଣ କଅଣ ସନ୍ଦେହ କରୁଛନ୍ତି ସୁଲତାନା ? ଆଲ୍ଲାଙ୍କ ଦ୍ୱାହି ଦେଇ ମୁଁ କହିପାରେ, ଆପଣଙ୍କ ପ୍ରତି ସମ୍ମାନ, ଆନୁଗତ୍ୟ ଦେଖାଇବା ବ୍ୟତୀତ କୌଣସି ଅବୈଧ ଲାଳସା ମୁଁ ମନରେ ପୋଷଣ କରିନାହିଁ ।

 

ଏଭଳି ପ୍ରଣୟ-ଭୀରୁ ସତପୁରୁଷକୁ କି ଯୁକ୍ତି ଦେଇ ବୁଝାଇବେ ରେଜିୟା ?

 

ହାସ୍ୟ ସମ୍ବରଣ କରି ନ ପାରି ରେଜିୟା କହିଲେ, ତମ ମନରେ କୌଣସି ଅବୈଧ ଲାଳସା ନ ଥାଇପାରେ; କିନ୍ତୁ ତମ ପାଇଁ ମୋ ମନରେ ଯେ ସେଭଳି ଲାଳସା ନ ଥିବ, ଏ କଥା କଳ୍ପନା କରୁଛ କାହିଁକି ? ସୁଲତାନା ହେଲେ ବି ମୁଁ ନାରୀ । ପୁରୁଷର ସାନ୍ନିଧ୍ୟ ପାଇଁ ନାରୀର ଦୁର୍ବଳତା ତାର ସହଜାତ । ଆଉ ତମେ ତ ଜାଣ ଦିଲ୍ଲୀର ଲୋକେ ମୁଁ ସୁଲତାନା ବୋଲି ଯେତେ ସଚେତନ ନୁହଁନ୍ତି, ନାରୀ ବୋଲି ତାଠୁଁ ବଳି ବେଶି ସଚେତନ !

 

ସୁଲତାନାଙ୍କ କଥା ଶୁଣି ୟାକୁତ୍ ମୁଖମଣ୍ଡଳ ଆରକ୍ତ ହୋଇ ଉଠିଲା । ତାର କୃଷ୍ଣକାୟ ମୁଖମଣ୍ଡଳର ମାଂସପେଶିରେ ଲଜ୍ଜାର ଅରୁଣିମା ସୃଷ୍ଟିକଲା ଏକ ବିଚିତ୍ର ରଙ୍ଗ-ବିଭବ । କମ୍ପିତ କଣ୍ଠରେ ସେ କହିଲା, ମୋ ଭଳି ଏକ କ୍ରୀତଦାସ ପାଇଁ ଆପଣଙ୍କ ମନରେ ଦୁର୍ବଳତା ଅଛି କି ନାହିଁ, ସେ କଥା ମୁଁ ଜାଣେ ନାହିଁ । କାରଣ ତାହା ମୋର କାମନା ନୁହେଁ । ମୋର କାମନା ଆପଣଙ୍କର ଦୟା, ଅନୁଗ୍ରହ । ଆପଣଙ୍କ ସେବା ପାଇଁ ମୁଁ ଉତ୍ସର୍ଗ କରିଛି ମୋର ଜୀବନ-ଆପଣ ଯେତେବେଳେ ଚାହିଁବେ, ଆପଣଙ୍କ ପାଇଁ ପ୍ରାଣ ଦେବାକୁ ମୁଁ ପ୍ରସ୍ତୁତ ।

 

ପ୍ରଣୟ ନୁହେଁ, ପ୍ରାଣ ଦେବା ପାଇଁ ପ୍ରସ୍ତୁତ ଥିବା ସେହି ଅନୁରକ୍ତ ଅନୁଗତ ବନ୍ଧୁଙ୍କୁ ଅପଲକ ଆଖିରେ ଚାହିଁରହିଲେ ସୁଲତାନା ।

 

କୁର୍ଣ୍ଣିସ ପକାଇ ୟାକୁତ୍ ପ୍ରସ୍ଥାନ କରିଗଲା ପରେ ବି ତା କଥା ସେ ମନରୁ ବିସ୍ମୃତ ହୋଇପାରୁ ନ ଥିଲେ । ସେ ଅନୁଭବ କରୁଥିଲେ, କିଛି ନ ଚାହିଁ ସୁଦ୍ଧା ତାଙ୍କଠାରୁ ଅପ୍ରତ୍ୟାଶିତଭାବରେ ଅନେକ କିଛି ପାଇଯାଇଛି ୟାକୁତ୍ । ତାଙ୍କର ମନ ଆଜି ଦ୍ୱିଧା-ବିଭକ୍ତ ।

 

ଗୋଟିଏ ପଟେ ଆଲତୁନିୟା, ଅପର ପଟେ ୟାକୁତ୍ ।

 

ଜଣେ ନିଜର ପ୍ରଣୟର ଦାବୀରେ ତାଙ୍କଠାରୁ ସବୁ କିଛି ଚାହେଁ, ଅନ୍ୟ ଜଣେ କୌଣସି ଦାବୀ ନ କରି ନିଜର ପ୍ରାଣ ଉତ୍ସର୍ଗ କରିବାକୁ ବ୍ୟାକୁଳ ।

 

ତାଙ୍କ ପାଇଁ ଆବଶ୍ୟକତା କାହାର ବେଶି ?

 

ଚାଳିଶି

 

ଆଏତଗିନଙ୍କ ପତ୍ରପାଠ ଶେଷକରି ଆଲତୁନିୟା ହରାଇ ବସିଲେ ନିଜ ମନର ସକଳ ଭାରସାମ୍ୟ । ତାଙ୍କ ଦୁଇ ନାସାରନ୍ଧ୍ରରୁ ନିର୍ଗତ ନିଃଶ୍ଵାସର ପ୍ରଳୟ-ପବନରେ ସେ ପତ୍ର ଉଡ଼ିବାକୁ ଲାଗିଲା କକ୍ଷରେ ଇତସ୍ତତଃ ଭାବରେ ।

 

ଜର୍ଜ୍ଜରିତ କ୍ରୋଧରେ ତାଙ୍କର ଦେହ ଗୋଟିସୁଦ୍ଧା ଥରୁଥିଲା ।

 

ରେଜିୟା ତାହାହେଲେ ନାରୀ ନୁହନ୍ତି, ଛଳନାମୟୀ, ବିଶ୍ୱାସ-ଘାତକିନୀ ରମଣୀ ।

 

ଦିଲ୍ଲୀର ଶାହୀମଞ୍ଜିଲ ସ୍ପର୍ଶକରି ଯେଉଁ ସମୀରଣ ଭାତିନ୍ଦାକୁ ବହି ଆସେ, ସେ ଉଡ଼ା ପବନରେ ରେଜିୟାଙ୍କ ଅବୈଧ ପ୍ରଣୟ ସଂପର୍କରେ କିଛି କିଛି ସଂବାଦ ସେ ଶୁଣିଥିଲେ । କିନ୍ତୁ ବିଶ୍ୱାସ କରି ନ ଥିଲେ । ତାର କାରଣ ରେଜିୟାଙ୍କଠାରେ ଥିଲା ତାଙ୍କର ଅଗାଧ ବିଶ୍ୱାସ ।

 

କିନ୍ତୁ ନିଜର ପରମ ସୁହୃଦ୍ ଆଏତଗିନଙ୍କ ପତ୍ର ପାଠ କଲା ପରେ...

 

ପତ୍ର ପାଠ କଲା ମାତ୍ରେ ଆଲତୁନିୟାଙ୍କ ଆଖି ଆଗରେ ଭାସି ଉଠୁଥିଲା ସେଇ ହାବଶୀ ୟାକୁତର ମୁହଁ...ଅମୀର ନୁହେଁ, ମୌଲବୀ ନୁହେଁ, ସାମାନ୍ୟ ଏକ ଆବିସିନୀୟ ହାବଶୀ... !

 

ଏହିଭଳି ଏକ ବିଜାତୀୟ ହାବଶୀ ତରୁଣ ସହିତ ସୁଲତାନା ରେଜିୟାଙ୍କର ଅବୈଧ ପ୍ରଣୟ !

 

କଥାଟି ଚିନ୍ତାକଲା ମାତ୍ରେ କେବଳ ରେଜିୟାଙ୍କ ଅବୈଧ ପ୍ରଣୟ ପ୍ରତି ନୁହେଁ, ତାଙ୍କର ନିଜ ରୁଚିବୋଧ ପ୍ରତି ଆଲତୁନିୟାଙ୍କ ମନ ତୀବ୍ର ଘୃଣାରେ ଭରି ଉଠୁଥିଲା । ସେଇ ହାବଶୀ ୟାକୁତର ପ୍ରଣୟ ପାଇଁ ତାଙ୍କୁ ଦିଲ୍ଲୀରୁ ଛଳନା କରି ଦୂରରେ ଦେଇଥିଲେ ସୁଲତାନା ଏ ସୁଦୂର ଭାତିନ୍ଦାକୁ !

 

ନିଜର ନିର୍ବୋଧତା ପାଇଁ ନିଜ ଉପରେ ମଧ୍ୟ ତାଙ୍କର ଘୋର ଘୃଣା ହେଉଥିଲା ।

 

ନିକଟରେ ଥିବାବେଳେ ସେ ଅନେକ ଥର ଦେଖିଛନ୍ତି ୟାକୁତ୍ ସହ ତାଙ୍କର ଅବାଧ ମିଳାମିଶା । କିନ୍ତୁ ଏଭଳି ହୀନ ସନ୍ଦେହରେ ମନ ତାଙ୍କର କେବେହେଲେ ଭାରାକ୍ରାନ୍ତ ହୋଇ ନଥିଲା ।

 

ନାରୀର ମନ ଅଦ୍ଭୁତ, ରହସ୍ୟମୟ ।

 

ଦିଲ୍ଲୀ ସିଂହାସନ ଆରୋହଣ କଲାପରେ ଯେଉଁଦିନ ରେଜିୟା ସେହି କ୍ରୀତଦାସକୁ ଅମୀର୍-ଇ-ଆଖୁର୍ ପଦରେ ଅଭିଷିକ୍ତ କଲେ, ନିଜାମୁଲ ମୁଲକ ତାଙ୍କ ପାଖରେ ତୀବ୍ର ପ୍ରତିବାଦ ଜଣାଇଥିଲେ । ସେ ପ୍ରତିବାଦରେ କାନ ଦେଇ ନ ଥିଲେ ସୁଲତାନା । ସେ ନିଜେ ମଧ୍ୟ ଏଭଳି ନିଯୁକ୍ତିରେ ବାଧା ଦେଇ ନଥିଲେ । ସନ୍ଦେହରେ କୌଣସି କାରଣ ଖୋଜି ପାଇ ନଥିଲେ । ୟାକୁତର ଯୋଗ୍ୟତା ନୁହେଁ, ତା ପ୍ରତି ନିଜ ମନର ଦୁର୍ବଳତା ଯୋଗୁଁ ଯେ ସୁଲତାନା ନିଜ ମୁଖ୍ୟ ଅମାତ୍ୟଙ୍କ ପ୍ରତିବାଦକୁ ଉପେକ୍ଷା କରି ଅମୀର-ଇ-ଆଖୁର୍ ଆସନରେ ବସାଇଥିଲେ, ସେ କଥା ସେ ବୁଝିବାକୁ ଅକ୍ଷମ ହୋଇଥିଲେ । କାରଣ ରେଜିୟାଙ୍କ ପ୍ରଣୟର ଛଳନା ତାଙ୍କୁ ଅନ୍ଧ କରି ଦେଇଥିଲା ।

 

ଆଜି ସେ ଅନ୍ଧପୁଟୁଳି ଆଖିରୁ ତାଙ୍କର ଖୋଲି ଯାଇଛି ।

 

ସେ ସ୍ପଷ୍ଟ ଦେଖି ପାରୁଛନ୍ତି, ତାଙ୍କର ଉପଭୋଗର ସାମଗ୍ରୀକୁ ଜଣେ ଆବିସିନୀୟ କ୍ରୀତଦାସ ଶାହୀମଂଜିଲର ପୁଷ୍ପିତ ଉପବନରେ ଭୋଗ କରୁଛି; ଆଉ ସେ ନିର୍ବୋଧ ଭଳି ସୁଲତାନାଙ୍କୁ ବିବାହ କରିବାର ବୃଥା ସ୍ଵପ୍ନ ଦେଇ ଭାତିନ୍ଦାରେ ନିଜ ଜୀବନ ଯୌବନକୁ ତିଳ ତିଳ କରି ନଷ୍ଟ କରୁଛନ୍ତି !

 

ଆଲତୁନିୟା ଅନୁଭବ କଲେ,ବିନ୍ଦୁ ବିନ୍ଦୁ ସ୍ୱେଦରେ ତାଙ୍କର ସାର୍ବାଙ୍ଗ ସଜଳ ହୋଇ ଉଠୁଛି । ଅଥଚ ଆଲଟ ଚାମରେ ଶୀତଳ ସମୀରଣ ରେ ଏ ସ୍ୱେଦର ନିଝରକୁ ଶୁଷ୍କ କରିବା ତାଙ୍କ ପକ୍ଷରେ ଅସମ୍ଭବ !

 

ତାଙ୍କର ମନେ ପଡ଼ୁଥିଲା, ଯେତେଥର ସେ ସୁଲତାନାଙ୍କ ପାଖରେ ବିବାହ ପ୍ରସ୍ତାବ କରିଛନ୍ତି, ତୁର୍କୀ ସାମ୍ରାଜ୍ୟର ନିରାପତ୍ତା, ଅମୀରମାନଙ୍କ ଈର୍ଷାର କାରଣ ଦର୍ଶାଇ ସେ ପ୍ରସ୍ତାବକୁ ସେ ଏଡ଼ାଇ ଯାଇଛନ୍ତି । ଯଦି କେବେ ନିଜ ବାହୁ ବେଷ୍ଟନୀରେ ତାଙ୍କୁ ପାଇବା ପାଇଁ ଅଲଘ୍ୟ ଆବେଗରେ ସେ ଅଗ୍ରସର ହୋଇଛନ୍ତି ତାଙ୍କୁ ଧୈର୍ଯ୍ୟ ହୀନ ପୁରୁଷ ବୋଲି ଧିକକୃତ କରି ଦୂରେଇ ଯାଇଛନ୍ତି ରେଜିୟା ।

 

ଆଜି ତାଙ୍କର ସେ ଧୈର୍ଯ୍ୟ ପରୀକ୍ଷା ଶେଷ ହୋଇଛି ।

ରେଜିୟାଙ୍କ ଆଖିର ଅଶ୍ରୁ, ଯୁକ୍ତିର ଛଳନା । ସେ ଆଜି ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।

ଯେତେଦିନ ସେ ଦିଲ୍ଲୀରେ ଥିଲେ, ୟାକୁତ ସହ ଅବୈଧ ପ୍ରଣୟରେ ମାତିବାର ସୁଯୋଗ ତାଙ୍କର ନଥିଲା । ମନର ପ୍ରିପାସା ମନରେ ତାଙ୍କର ମରି ଯାଉଥିଲା । ଯେତେବେଳେ ସେ ପିପାସାର ତାଡ଼ନା ଅସହ୍ୟ ହେଲା, ତାଙ୍କ ପଦୋନ୍ନତି କରିବାର ମଧୁର ଛଳନାରେ ଭୁଲାଇ ତାଙ୍କୁ ସେ ପଠାଇ ଦେଲେ ଭାତିନ୍ଦା ! ଅଥଚ ସେ ବିଦାୟ ମୁହୂର୍ତ୍ତରେ ମଧ୍ୟ ଛଳନାର ଅଶ୍ରୁରେ ନୟନ ଧୈତ କରି ସେ ତାଙ୍କୁ ଆଶ୍ଵାସନା ଦେଇଥିଲେ; ପରିସ୍ଥିତି ଶାନ୍ତ ହୋଇଗଲେ ସେ ନିଜେ ହିଁ ବିବାହ ପ୍ରସ୍ତାବ ଉଠାଇବେ !

ସେ ବିବାହ ପ୍ରସ୍ତାବ ପାଇବା ପାଇଁ କି ଆକୁଳ ଆଗ୍ରହରେ ଭାତିନ୍ଦାର ଏ ମାର୍ବଲ ପ୍ରସ୍ତରରେ ନିର୍ମିତ ନିର୍ଜ୍ଜନ ଅଳିନ୍ଦରେ ଅପେକ୍ଷା କରି ନାହାନ୍ତି ସତେ !

ଆଲତୁନିୟାଙ୍କ ଦୃଷ୍ଟିର ପରିଧିରେ ଆବର୍ତ୍ତିତ ହେବାକୁ ଲାଗିଲା ରେଜିୟାଙ୍କ ମନରେ ସେ କୁଟିଳ ମାନଚିତ୍ରର ଛବି ।

ସୁଲତାନା ହୁଏତ ଚାହୁଁଥିଲେ ସେ ନିଜର ସ୍ୱେଦ ଓ ଶୋଣିତ ଦେଇ ତାଙ୍କୁ ରକ୍ଷା କରିବେ ଶତ୍ରୁର ଆକ୍ରମଣରୁ...ସୁରକ୍ଷିତ କରି ରଖିବେ ତାଙ୍କ ପାଇଁ ଦିଲ୍ଲୀର ସିଂହାସନ...ପ୍ରତିଦାନରେ ପାଇବେ ବିବାହର ଏକ ମିଥ୍ୟା ପ୍ରତିଶ୍ରୁତି...ଆଉ ହାବସୀ ୟାକୁତକୁ ନେଇ ସେ ଶାହୀମଞ୍ଜିଲ୍ ରେ ପ୍ରତ୍ୟେକ ରାତ୍ରିକୁ ରଙ୍ଗୀନ୍ କରି ତୋଳିବେ !

ସୁଲତାନଙ୍କ ଆସିକ୍ ନୁହେଁ, ତାଙ୍କ ହାତରେ ସେ କେବଳ ଏକ କ୍ରୀଡ଼ନକ !

ନା- ନା- ନା ।

ବିଦ୍ରୋହ ଅସନ୍ତୋଷ ଓ କ୍ରୋଧରେ ଆଲତୁନିୟାଙ୍କ ମନ ଭରି ଉଠିଲା ।

ଆଉଥରେ ଆଏତଗିନଙ୍କ ପତ୍ର ଉପରେ ଦୃଷ୍ଟି ସନ୍ତରଣ କରାଇ ନେଲେ ଆଲତୁନିୟା ।

ତମେ କଅଣ ଏ ହୀନ ବିଶ୍ଵାସ ଘାତକତାର ପ୍ରତିଶୋଧ ନେବ ନାହିଁ ଆଲତୁନିୟା ! ଜଣେ ଆବିସିନୀୟ କ୍ରୀତଦାସର ପ୍ରଣୟିନୀ ପାଇଁ ଭାତିନ୍ଦାରେ ଶତ୍ରୁ ବିରୁଦ୍ଧରେ ନିଜର ଶକ୍ତିକ୍ଷୟ କରିବ ? ଆଉ କିଛି ଦିନ ବିଳମ୍ବ କଲେ ହୁଏତ ହାବଶ ୟାକୁତ ହେବ ଦିଲ୍ଲୀର ସୁଲତାନ...ହିନ୍ଦୁସ୍ଥାନରୁ ତୁର୍କୀ ସାମ୍ରାଜ୍ୟର ବିଲୋପ ଘଟିବ । ଯଦି ତମେ ତାହା ନଚାହିଁ...ତୁର୍କୀ ସାମ୍ରାଜ୍ୟର ଦୀର୍ଘ ଜୀବନ ଆଉ ଇସଲାମର ସୁରକ୍ଷା ପାଇଁ ତମେ ସୁଲତାନଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କର...ଆମେ ଏଠାରେ ଇଲତୁମିସଙ୍କ କନିଷ୍ଠ ପୁତ୍ର ବହରାମଙ୍କୁ ସୁଲତାନ କରି ପୁଣି ତମକୁ ଦିଲ୍ଲୀ ଫେରେଇ ଆଣିବୁ...ନୂତନ ସୁଲତାନଙ୍କ ରାଜତ୍ୱରେ ତମର ସମ୍ମାନ ହେବ ସୁରକ୍ଷିତ....

ପତ୍ରପାଠ ଶେଷ କରି ନିଜ ମନକୁ ଦୃଢ଼ କରି ନେଲେ ମାଲିକ ଆଲତୁନିୟା ।

ମନେ ମନେ ଶପଥ କଲେ, କାଲି ପ୍ରତ୍ୟୁଷରୁ ସେ ଘୋଷଣା କରିବେ ସୁଲତାନାଙ୍କ ବିରୁଦ୍ଧରେ ବିଦ୍ରୋହ । ଯେଉଁ ବାହୁର ଆଲିଙ୍ଗନରେ ରେଜିୟାଙ୍କୁ ପ୍ରଣୟ ନିବେଦନ କରିବାକୁ ଯାଇ ସେ ଉପେକ୍ଷିତ ହୋଇଥିଲେ, ସେଇ ବାହୁ ଉତ୍ତୋଳିତ ହେବ ସୁଲତାନାଙ୍କ ବିରୁଦ୍ଧରେ.... ।

ଆଲତୁନିୟା ମନେ ମନେ ସିଦ୍ଧାନ୍ତ ଶେଷକରି ସୈନ୍ୟବାହିନୀକୁ ସଜ୍ଜିତ ହେବାକୁ ଆଦେଶ ଦେଲେ ।

 

ଏକଚାଳିଶି

 

ଭାତିନ୍ଦା ଘୋଷଣ କରିଛି ଦିଲ୍ଲୀ ସୁଲତାନାଙ୍କ ବିରୁଦ୍ଧରେ ବିଦ୍ରୋହ ।

 

ଏ ବିଦ୍ରୋହ ସମ୍ବାଦ ବିଦ୍ୟୁତ୍ ବେଗରେ ପ୍ରଚାରିତ ହୋଇଗଲା ଦିଲ୍ଲୀରେ ।

 

ଏକ ଦୁଃସ୍ୱପ୍ନ ଦେଖି ଶଯ୍ୟା ତ୍ୟାଗ କଲାଭଳି, ଆଲତୁନିୟାଙ୍କ ବିଦ୍ରୋହ ସମ୍ବାଦ ପାଇ ସୁଲତାନା ବିସ୍ମୟରେ ଦରବାର ସ୍ଥଗିତ ରଖି ଉଠି ଠିଆହେଲେ ।

 

ପ୍ରଥମେ ଏ ଦୁଃସମ୍ବାଦ ବିଶ୍ଵାସ କରିବାକୁ ତାଙ୍କୁ ସମୟ ଲାଗିଥିଲା । କିନ୍ତୁ ଗୁପ୍ତଚର ମୁହଁରୁ ସବିଶେଷ ସମ୍ବାଦ ଶୁଣି ସେଆଉ ସନ୍ଦେହର କୌଣସି କାରଣ ଦେଖିଲେ ନାହିଁ ।

 

ଜୀବନରେ ଏକ ନୂତନ ପରୀକ୍ଷାର ସମ୍ମୁଖୀନ ହେଲେ ରେଜିୟା !

 

ନିଜ ନାରୀତ୍ଵ ସମ୍ପର୍କରେ ସଚେତନ ହେବାଦିନୁ ଯାହାଙ୍କୁ ନିଜର ଜୀବନ ଯୌବନ ଉତ୍ସର୍ଗ କରିବେ ବୋଲି କଳ୍ପନା କରି ଆସିଥିଲେ, ସେ ତାଙ୍କରି ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବେ, ଏକଥା ଭାବିବା ମାତ୍ରେ ଏକ ଆହତ-ଯନ୍ତ୍ରଣାରେ ତାଙ୍କର ଦେହ-ମନ କଣ୍ଟକିତ ହୋଇ ଉଠୁଥିଲା ।

 

କିନ୍ତୁ ସେ ଆଲତୁନିୟାଙ୍କୁ ପ୍ରେମ କରୁଥିଲେ ତାଙ୍କର ପତ୍ନୀ ହେବାପାଇଁ ସ୍ୱପ୍ନ ଦେଖୁଥିଲେ, ଏସବୁ ବ୍ୟକ୍ତିଗତ କଥା, ତାଙ୍କ ନିଜ ଜୀବନର ସୁଖ, ଦୁଃଖକୁ ପ୍ରଭାବିତ କଲାଭଳି ପ୍ରସଙ୍ଗ । ଆଜି ସେ କେବଳ ନାରୀ ନୁହନ୍ତି, ସେ ସୁଲତାନା । ନିଜ ଜୀବନର ଘଟଣା ଦୁର୍ଘଟଣା ସହ ରାଜ୍ୟ ଶାସନର କୌଣସି ସମ୍ପର୍କ ନାହିଁ । ବିଦ୍ରୋହୀକୁ ଶାସ୍ତିଦେବା ତାଙ୍କର କର୍ତ୍ତବ୍ୟ । ସେ କର୍ତ୍ତବ୍ୟରେ ସେ ଅବହେଳା କରି ପାରିବେ ନାହିଁ ।

 

ଆଲତୁନିୟା ତାଙ୍କ ପ୍ରଣୟ, ପ୍ରତିଶ୍ରୁତିକୁ ସନ୍ଦେହ କରି ଭୁଲ୍ କରିଛନ୍ତି । ତାଙ୍କୁ ସେ ଭୁଲର ପ୍ରାୟଶ୍ଚିତ କରିବାକୁ ହେବ । ତାଙ୍କର ଭ୍ରମକୁ ସଂଶୋଧନ କରିବା ଲାଗି ଯୁଦ୍ଧ ବିନା ଅନ୍ୟ କୌଣସି ଉପାୟ ନାହିଁ ।

 

ସୁଲତାନା ମନେ ମନେ ସିଦ୍ଧାନ୍ତ କରିନେଲେ ।

 

ୟାକୁତକୁ ଡାକି କହିଲେ, ଆୟାଜଙ୍କ ବିଦ୍ରୋହ ଦମନ କରି ଫେରିବାର ଅଳ୍ପଦିନ ପରେ ପୁଣି ଏକ ବିଦ୍ରୋହ ଦମନର ଆମନ୍ତ୍ରଣ ଆସି ପହଞ୍ଚିଛି । ଏଥର ମଧ୍ୟ ମୁଁ ସୈନ୍ୟବାହିନୀର ପୁରୋଭାଗରେ ରହି ସୈନ୍ୟ ଚାଳନା କରିବି...

 

ୟାକୁତ୍ ଭାତିନ୍ଦାର ବିଦ୍ରୋହ କଥା ଶୁଣିଥିଲା । କିନ୍ତୁ ସୁଲତାନା ବିଦ୍ରୋହ ଦମନ ପାଇଁ ହଠାତ୍ ଏପରି ଦୃଢ଼ ନିଷ୍ପତ୍ତି ଗ୍ରହଣ କରିବେ, ଏକଥା ସେ ଭାବି ନଥିଲା ।

 

ୟାକୁତର ନୀରବତା ଲକ୍ଷ୍ୟକରି ସୁଲତାନା କହିଲେ, ଭାତିନ୍ଦା ଯେତେବେଳେ ବିଦ୍ରୋହ କରିଛି, ଦିଲ୍ଲୀଠାରେ ନୀରବତା ଶୋଭା ପାଏ ନାହିଁ ୟାକୁତ୍ ! ସୈନ୍ୟବାହିନୀକୁ ପ୍ରସ୍ତୁତ କରିବା ଲାଗି ନାଇବ୍-ଇ-ଲାସକାରଙ୍କୁ ତମେ ସମ୍ବାଦ ଦିଅ... ।

 

ୟାକୁତ୍ ଏଥର ନୀରବତା ଭଙ୍ଗ କଲା ।

 

କହିଲା, ଆପଣ ଏକାକିନୀ ନୁହଁନ୍ତି, ମୁଁ ମଧ୍ୟ ଆପଣଙ୍କ ସାଥିରେ ଯିବି ! ଲାହୋର ବିଦ୍ରୋହ ଦମନ କରି ଆପଣ କ୍ଳାନ୍ତ । ମୁଁ ଅନୁଭବ କରୁଛି; ଭାତିନ୍ଦାର ବିଦ୍ରୋହ ଦମନ କିଛି ସହଜ ସାଧ୍ୟ ହେବନାହିଁ । ମତେ ମଧ୍ୟ ସାଙ୍ଗରେ ଯିବାକୁ ଆପଣ ଅନୁମତି ଦିଅନ୍ତୁ ।

 

ୟାକୁତର ଉକ୍ତି ଶୁଣି ଉତ୍ସାହିତ ହେଲେ ସୁଲତାନା ।

 

ତାଙ୍କର ମନେ ପଡ଼ିଲା, ଦିନ କେତୋଟି ତଳେ ଏଇ ୟାକୁତ୍ ପ୍ରଣୟ ବଦଳରେ ପ୍ରାଣ ଦେବା ପାଇଁ ତାଙ୍କ ପାଖରେ ଅଙ୍ଗୀକାର କରିଥିଲା । ଆଜି ହୁଏତ ସେଇ ପରୀକ୍ଷାର ଆହ୍ୱାନ ଆସିଛି । ଅନ୍ତରର ସେଇ ଆବେଦନ ନେଇ ସମର ପ୍ରାଙ୍ଗଣରେ ତାଙ୍କର ସହକର୍ମୀ ହେବାକୁ ଅନୁମତି ଭିକ୍ଷା କରୁଛି ୟାକୁତ୍ ।

 

କିପରି ଭାବରେ ସେ ତାକୁ ମନା କରି ଦେଇ ପାରିବେ ?

 

ୟାକୁତକୁ ସ୍ନିଗ୍ଧ କଣ୍ଠରେ ସେ ଉତ୍ତର ଦେଲେ, ତମେହିଁ ହେବ ଏଥର ଯୁଦ୍ଧରେ ମୋର ମୁଖ୍ୟ ସୈନ୍ୟଚାଳକ । ଦେହର ପ୍ରତି ବିନ୍ଦୁ ରକ୍ତ ଦେଇ ତମକୁ ପ୍ରମାଣିତ କରିବାକୁ ହେବ, ଆବିସିନିୟାର ଲୋକ ହେଲେ ବି ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ପ୍ରାସର ପାଇଁ ତମ ରକ୍ତରେ ଅନ୍ୟ କୌଣସି ତୁର୍କୀ ଠାରୁ ଅଳ୍ପ ଉନ୍ମାଦନା ନାହିଁ !

 

ୟାକୁତର ମୁହଁ କୃତଜ୍ଞତାବୋଧ ଓ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା ।

 

ବୟାଳିଶି

 

ଅପ୍ରେଲ ମାସ ।

 

ପ୍ରଚଣ୍ଡ ଖରା ।

 

ରୌଦ୍ର ଦଗଧ ମୃତ୍ତିକାରେ ଖର-ପଦ ସଞ୍ଚାଳନ କରି ଭାତିନ୍ଦା ଅଭିମୁଖେ ମାଡ଼ି ଚାଲିଲେ ସୁଲତାନାଙ୍କ ପଦାତିକ, ଅଶ୍ୱାରୋହୀ ସୈନ୍ୟ ମନରେ ବିପୁଳ ଉତ୍ସାହ । ନିଶ୍ଚିତ ବିଜୟର କଳ୍ପନାରେ ସମସ୍ତଙ୍କଠାରେ ପ୍ରଚୁର କର୍ମତତ୍ପରତା ।

 

କିନ୍ତୁ ସେ ଉତ୍ସାହ, ଶକ୍ତି ଭାତିନ୍ଦାଠାରେ ପହଞ୍ଚିବା ଆଗରୁ ସୈନ୍ୟମାନଙ୍କ ମନରେ ମଉଳି ଆସୁଥିବା ଲକ୍ଷ୍ୟ କଲେ ସୁଲତାନା ।

 

ରମଜାନ୍ ମାସ । ସମସ୍ତଙ୍କର ଉପବାସ । ସେଥିରେ ସୂର୍ଯ୍ୟାଲୋକର ଉତ୍ତାପ କି ତୀକ୍ଷଣ !

 

ଏ ଦୀର୍ଘପଥ ଉପବାସ ସହ୍ୟକରି ଖରାରେ ଶିଝି ଶିଝି ଆସିବା କିଛି ସହଜ କଥା ନୁହେଁ-। ସୁଲତାନଙ୍କ ଉତ୍ସାହ ଉପବାସୀ ଦେହରେ ବିଶେଷ ଉତ୍ସାହ ସୃଷ୍ଟି କରୁନାହିଁ ।

 

ଆଉ ସ୍ଵୟଂ ସୁଲତାନା... !

 

ଦିଲ୍ଲୀ ସିଂହାସନ ଆରୋହଣ କରିବା ଆଗରୁ ପିତାଙ୍କ ଇଙ୍ଗିତରେ ସେ ଅନେକଥର ଯୁଦ୍ଧ ପରିଚାଳନା କରିଛନ୍ତି । ସୁଲତାନା ହେଲାପରେ ମଧ୍ୟ ଲାହୋର ବିଦ୍ରୋହ ଦମନ ପାଇଁ ମଲିକ୍ ଇଜ୍ଜୁଦ୍ଦିନ ଆୟାଜଙ୍କ ଭଳି କୁଶଳା ସନ ନାୟକଙ୍କ ବିରୁଦ୍ଧରେ ଯୁଦ୍ଧକରି ବିଜୟିନୀ ହୋଇଛନ୍ତି । କିନ୍ତୁ ଏଥର କାହିଁକି କେଜାଣି ସେ ଅନୁଭବ କରୁଛନ୍ତି ଉତ୍ସାହର ଅଭାବ । ନିଜକୁ ଉତ୍ସାହିତ କରିବା ପାଇଁ ତାଙ୍କୁ ବେଳେ ବେଳେ ୟାକୁତ୍ ଆଡ଼କୁ ଚାହିଁବା ହେଉଛି ।

 

ୟାକୁତ୍ କିନ୍ତୁ ଉତ୍ସାହର ଏକ ଅସରନ୍ତି ଉତ୍ସ !

 

ଉପବାସରେ ଦୁର୍ବଳତା, ତୀକ୍ଷଣ ସୂର୍ଯ୍ୟାଲୋକର ଉତ୍ତାପ ତାର ମନର ଶକ୍ତି ତିଳେହେଲେ ହ୍ରାସ କରି ପାରି ନାହିଁ । ବରଂ ଅତିରିକ୍ତ ଶକ୍ତି ସଞ୍ଚାରିତ ହୋଇଛି ତାର ଦେହ, ମନରେ । ଜୀବନରେ ଏଇ ପ୍ରଥମ ଥର ପାଇଁ ତାକୁ ନିଜ ଯୁଦ୍ଧ କୌଶଳ ପରିଚୟ ଦେବାର ସୁଯୋଗ ଆସିଛି । ସେ ସୁଯୋଗର ଅପପ୍ରୟୋଗ ପାଇଁ ସେ ତିଳେ ହେଲେ ପ୍ରସ୍ତୁତ ନୁହେଁ ।

 

ପଥଯାତ୍ରାର କ୍ଳାନ୍ତି ଅପନୋଦନ ପୂର୍ବରୁ ସୁଲତାନା ଲକ୍ଷ୍ୟକଲେ ଭାତିନ୍ଦାର ବିଦ୍ରୋହୀ ସୈନ୍ୟ ପଙ୍ଗପାଳ ଭଳି ତାଙ୍କୁ ବାଧା ଦେବାପାଇଁ ଆଗେଇ ଆସୁଛନ୍ତି । ସୈନ୍ୟବାହୀନୀର ପୁରୋଭାଗରେ ସ୍ଵୟଂ ଆଲତୁନିୟା ।

 

ସନ୍ଦେହ ଓ କ୍ରୋଧର ତୀକ୍ଷଣ ଶାଣିତ ତରବାରୀ ଝଲସୁଥିଲା ମାଲିକ୍ ଆଲତୁନିୟାଙ୍କ ହାତରେ । ଆଉ ସୁଲତାନଙ୍କ ହାତରେ ଦ୍ୱିଧା ଓ ଦ୍ଵନ୍ଦ୍ଵର ସେ ତଲୱାର ସମସ୍ତ ତୀକ୍ଷ୍‍ଣତା ହରାଇ ବସିଥିଲା !

 

ଭାତିନ୍ଦାର ସୈନ୍ୟବାହିନୀ ସୁସଜ୍ଜିତ, ପ୍ରାଣ ଶକ୍ତିରେ ସଜୀବ ସେମାନଙ୍କର ଦେହମନ । ବିଶ୍ୱାସଘାତକତାର ପ୍ରତିଶୋଧ ନେବା ପାଇଁ ଜୀବନ-ଉତ୍ସର୍ଗ କରି ସେମାନେ ଯୁଦ୍ଧ କରୁଥିଲେ ।

 

ସୁଲତାନାଙ୍କ ସହିତ ୟାକୁତକୁ ଦେଖି ଆଲତୁନିୟାଙ୍କ ମନରେ ଈର୍ଷା ଓ ସନ୍ଦେହର ସେ ଅଗ୍ନିଶିଖା ପ୍ରବଳ ବେଗରେ ପ୍ରଜ୍ଜ୍ଵଳିତ ହୋଇ ଉଠିଲା । ଆଏତଗିନଙ୍କ ପତ୍ରପାଇ ତାଙ୍କ ମନରେ ଯେଉଁ ସନ୍ଦେହ କୁହୁଳୁଥିଲା, ଯୁଦ୍ଧ କ୍ଷେତ୍ରରେ ସୁଲତାନାଙ୍କ ସହ ୟାକୁତକୁ ଦେଖି ସେ ସନ୍ଦେହର ସେ କୁହୁଳା ଧୂଆଁ ଶତ ଶିଖା ତୋଳି ଜଳି ଉଠିଲା ।

 

ସୁଲତାନାଙ୍କୁ ନୁହେଁ, ୟାକୁତକୁ ହତ୍ୟା କରିବାପାଇଁ ସେ ନିଜ ସୈନ୍ୟବାହିନୀକୁ ଇଙ୍ଗିତ ଦେଲେ । ପ୍ରବଳ ଆକ୍ରମଣର ପ୍ରତିରୋଧ କରିବା ପାଇଁ ଭାତିନ୍ଦାର ଯୁଦ୍ଧ କ୍ଷେତ୍ରରେ ସେହି ଆବିସିନୀୟ କ୍ରୀତଦାସ ବୀରତ୍ଵର ସହ ବହୁ ସମୟ ଧରି ଯୁଦ୍ଧ କଲ । କିନ୍ତୁ ଆଲତୁନିୟାଙ୍କ ସମର କୌଶଳ ପାଖରେ ବ୍ୟର୍ଥ ହେଲା ତାର ସମସ୍ତ ପ୍ରତିରୋଧ ଶକ୍ତି ।

 

ସୁଲତାନା ଦେଖିଲେ ଆଲତୁନିୟାଙ୍କ ଶାଣିତ ତରବାରୀ ପ୍ରଚେଷ୍ଟା ୟାକୁତର ବୁକୁ ରକ୍ତରେ ସ୍ନାନ କରି ଲାଲ୍ ହୋଇ ଉଠିଲା ।

 

ଯୁଦ୍ଧ କ୍ଷେତ୍ରରେ ପ୍ରାଣ ହରାଇଲା ୟାକୁତ୍ ।

 

ଆଲତୁନିୟାଙ୍କ ରକ୍ତତୃଷ୍ଣା ଶାନ୍ତ ହେଲା ।

 

ନିଜର ପ୍ରିୟ ସେନାନାୟକଙ୍କ ମୃତ୍ୟୁ ଦେଖି ନିଜର ଧୈର୍ଯ୍ୟ ହରାଇଲେ ସୁଲତାନା । କାରଣ ସେ ବୁଝି ପାରିଲେ ତାଙ୍କ ପ୍ରତି ଆଲତୁନିୟାଙ୍କ ମନରେ ଯେଉଁ ସନ୍ଦେହ ଘନୀଭୂତ ହୋଇ ଉଠିଥିଲା ସେହି ଘୃଣ୍ୟ ସନ୍ଦେହର ଶୀକାର ହେଲା ନିରୀହ ୟାକୁତ୍ !

 

ଦିଲ୍ଲୀର ସୈନ୍ୟବାହିନୀ ମଧ୍ୟରେ ହତାଶା ଓ ବିଶୃଙ୍ଖଳା ବ୍ୟାପିଗଲା । ଧୈର୍ଯ୍ୟହୀନା ସୁଲତାନା ପ୍ରତିରୋଧର ସମସ୍ତ ଇଚ୍ଛା ପରିତ୍ୟାଗ କରି ଆତ୍ମତ୍ୟାଗ କଲେ ।

 

ଜୀବନରେ ଏ ପରାଜୟ ତାଙ୍କର ପ୍ରଥମ । ଯୁଦ୍ଧ କ୍ଷେତ୍ରରେ ଜୟ କରିବାର ଇଚ୍ଛା ମଧ୍ୟ ବିସର୍ଜନ ଦେବା ତାଙ୍କ ପକ୍ଷରେ ଏହି ନୂତନ ।

 

ସୁଲତାନାଙ୍କ ହାତରେ ଲାଗିଲା ବନ୍ଧନର ବେଡ଼ି ।

 

ରେଜିୟା ହେଲେ ଆଲତୁନିୟାଙ୍କ ହାତରେ ବନ୍ଦିନୀ ।

 

ସୁଲତାନାଙ୍କୁ ବନ୍ଦିନୀ କରି ଭାତିନ୍ଦାର ବନ୍ଦୀଶାଳାକୁ ସମ୍ମାନର ସହ ପ୍ରେରଣ କଲେ ଆଲତୁନିୟା । ରେଜିୟାଙ୍କ ପ୍ରତି କୌଣସି ପ୍ରକାର ଅସମ୍ମାନ ଯେପରି ଦେଖା ନଯାଏ, ସେଥିପ୍ରତି ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

 

ପ୍ରତିଶୋଧ ନେଇ ପାରିଥିବାର ପାଶବିକ ଆନନ୍ଦ ଏବଂ ନିଜର ଶକ୍ତି ବଳରେ ନିଜର ବିଶ୍ଵାସଘାତକିନୀ ପ୍ରଣୟିନୀକୁ ବନ୍ଦିନୀ କରିପାରିଥିବାର ଆତ୍ମତୃପ୍ତିରେ ଆଲତୁନିୟାଙ୍କ ମନ ଭରି ଉଠିଥିଲା । ଯୁଦ୍ଧ କୌଶଳ ଶିକ୍ଷାକେନ୍ଦ୍ରରେ କିଶୋର ଜୀବନରେ ଥରେ ରେଜିୟାଙ୍କ ପାଖରେ ହାରିଯାଇ ସେ ଯେ ଆତ୍ମଗ୍ଳାନି ଅନୁଭବ କରିଥଲେ, ଭାତିନ୍ଦାର ଯୁଦ୍ଧ କ୍ଷେତ୍ରରେ ସେ ଆତ୍ମଗ୍ଳାନିର ଅବସାଦକୁ ମନରୁ ପୋଛି ଦେଲେ ଆଲତୁନିୟା ।

 

ତେୟାଳିଶି

 

ଆଲ୍ଲାଙ୍କ ଆଶୀର୍ବାଦ ଭଳି ସୁଲତାନାଙ୍କ ବନ୍ଦିନୀ ହେବା ସମ୍ବାଦ ଦିଲ୍ଲୀରେ ଅସନ୍ତୁଷ୍ଟ ଅମିର୍-ମାଲିକମାନଙ୍କ ପାଖରେ ପହଞ୍ଚିଲା ।

 

ଗଭୀର ଉଦବିଗ୍ନତାର ସହ ସେମାନେ ଏହି ସମ୍ବାଦ ପାଇଁ ଅପେକ୍ଷା କରୁଥିଲେ ।

 

କାଳବିଳମ୍ବ ନ କରି ଇଲତୁମିସଙ୍କ କନିଷ୍ଠ ପୁତ୍ର ବରହାମଙ୍କୁ ସୁଲତାନ ଭାବରେ ଘୋଷଣା କଲେ ସେମାନେ । ଆଉ ଆଏତଗିନ ହେଲେ ନାଏବ୍- ଇ- ମାମଲିକାତ୍, ଉପମୂଖ୍ୟ ସୁଲତାନ !

 

ମାତ୍ର ଅଳ୍ପ କେତୋଟି ଦିନ ପରେ ଜଣାପଡ଼ିଲା, ଦିଲ୍ଲୀର ଏ ଆନନ୍ଦ ଅବିମିଶ୍ର ଆନନ୍ଦ ନୁହେଁ ।

 

ନୂତନ ଶାସନ ବ୍ୟବସ୍ଥା ଅନୁସାରେ ନାଏବ୍- ଇ- ମାମଲିକାତ୍ ଆଏତଗିନ୍ ସୁଲତାନାଙ୍କ ଦୁର୍ବଳତାର ସୁଯୋଗ ନେଇ ଶାସନକ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଅଗ୍ରସର ହେଲେ । ରେଜିୟାଙ୍କ ବିରୁଦ୍ଧରେ ହୋଇଥିବା ଷଡ଼ଯନ୍ତ୍ରର ପ୍ରଧାନ ନାୟକ ବଲବନଙ୍କ ପାଇଁ ଏହା ଅସହ୍ୟ ହୋଇ ଉଠିଲା ।

 

ସେ ଆଶା କରିଥିଲେ; ରେଜିୟାଙ୍କୁ କ୍ଷମତାଚ୍ୟୁତ କରି ପାରିଥିବାର ପୁରସ୍କାର ସ୍ୱରୁପ ନୂତନ ସୁଲତାନ ତାଙ୍କୁ ହିଁ ସର୍ବୋଚ୍ଚ ସମ୍ମାନ ଦେବେ । କିନ୍ତୁ ରେଜିୟାଙ୍କ ବଦଳରେ ଆଏତଗିନ୍ ହେବେ ଦିଲ୍ଲୀର ସର୍ବମୟକର୍ତ୍ତା, ଆଉ ସେ ହେବେ ମାତ୍ର ତାଙ୍କର ଆଜ୍ଞାବହ; ଏ ଥିଲା ତାଙ୍କର ସ୍ୱପ୍ନାତୀତ ଘଟଣା ।

 

ଭାତିନ୍ଦାର ଯୁଦ୍ଧକ୍ଷେତ୍ରରେ ସୁଲତାନା ପରାଜିତ ହେଲେ ସତ୍ୟ; କିନ୍ତୁ ଯୁଦ୍ଧ ଶେଷ ହେଲା ନାହିଁ । କ୍ଷମତା, ପଦ, ପଦବୀର ସେହି କୁତ୍ସିତ ଲଢ଼ାଇ ପୁଣି ଆରମ୍ଭ ହେଲା ଦିଲ୍ଲୀରେ, ଗୋପନରେ-! ଷଡ଼ଯନ୍ତ୍ର, ବିଶ୍ଵାସଘାତକତା, ଅପପ୍ରଚାର-ଏହା ହିଁ ଥିଲା ସେଦିନ ଦିଲ୍ଲୀର ନିତ୍ୟ ନୈମିତ୍ତିକ ଘଟଣା । ଏପରି ଗୋଟିଏ ଦିନ ସେତେବେଳେ ଅତୀତ ହେଉ ନ ଥିଲା, ଯେଉଁଦିନ ଦିଲ୍ଲୀରେ ତୁର୍କୀ ଅମୀର, ମୌଲବୀ, ସେନାନାୟକମାନଙ୍କ ମଧ୍ୟରେ ଷଡ଼ଯନ୍ତ୍ର ପାଇଁ ଗୋପନ ପ୍ରଚେଷ୍ଟା ଚାଲି ନ ଥିଲା !!

 

ବଲବନ୍ ବୁଝିପାରିଥିଲେ ଆଏତଗିନ୍ କ୍ଷମତାରେ ଥିବା ପର୍ଯ୍ୟନ୍ତ ତାଙ୍କ ପକ୍ଷରେ କ୍ଷମତା ଲାଭ ଏକ ଅସମ୍ଭବ ବ୍ୟାପାର । ସେଥିପାଇଁ ସେ ନୂତନ ସୁଲତାନଙ୍କ କାନରେ ଆଏତଗିନଙ୍କ ବିରୁଦ୍ଧରେ ବହୁ ଅଭିସନ୍ଧିମୂଳକ ଗୋପନ ତଥ୍ୟ ପରିବେଷଣ କରିବାକୁ ଆରମ୍ଭ କଲେ ।

 

ସ୍ଵାମୀଙ୍କ ଦ୍ୱାରା ପରିତ୍ୟକ୍ତା ହୋଇଥିବା ସୁଲତାନଙ୍କ ଜଣେ ଭଉଣୀକୁ ବିବାହ କରିଥିଲେ ଆଏତଗିନ୍‍ । ସେହି ସୂତ୍ର ଧରି ସେ ଦିଲ୍ଲୀର ସୁଲତାନ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ନୂତନ ସୁଲତାନଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଉଦ୍ୟମ କଲେ ବଲବନ ।

 

ଆଏତଗିନଙ୍କ ରାଜନୈତିକ କ୍ଷମତା, ଶାସନ ପରିଚାଳନାର ଦକ୍ଷତା ପାଖରେ ନୂତନ ସୁଲତାନ ନିଜର ଅସହାୟ ଅବସ୍ଥା ଅନୁଭବ କରୁଥିଲେ । ବଲବନଙ୍କ ଯୁକ୍ତି ଶୁଣି ତାଙ୍କ ମନରେ ସନ୍ଦେହ ହେଲା, ହୁଏତ ପ୍ରକୃତରେ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଚେଷ୍ଟା କରୁଛନ୍ତି ଆଏତଗିନ୍‍ ।

 

ମହରମ୍ ସଭାରୁ ଫେରି ଦିନେ କ୍ଵାସତ-ଇ-ସୁଫାନର ଉପର ମହଲାରୁ ଅବତରଣ କରୁଥିବାବେଳେ ହଠାତ୍ ଆଏତଗିନ୍‍ ଅନୁଭବ କଲେ ତାଙ୍କ ବୁକୁରେ ତୀକ୍ଷ‌ଣ ଛୁରିକାର ଆଘାତ । ସୁଲତାନଙ୍କ ଦ୍ୱାରା ପ୍ରେରିତ ଦୁଇଜଣ ଆତତାୟୀ ତାଙ୍କୁ ସେଦିନ ସେପରି ନିଃସହାୟ, ନିର୍ମମ ଭାବରେ ହତ୍ୟାକରି ଦିଲ୍ଲୀରେ ପୁଣି ଏକ ଆଲୋଡ଼ନ ସୃଷ୍ଟି କଲେ ।

 

ବଲବନଙ୍କ ପରାମର୍ଶକ୍ରମେ ଆତତାୟୀମାନଙ୍କ ବିରୁଦ୍ଧରେ କୌଣସି ଶାସ୍ତି ବିଧାନ କରାଗଲା ନାହିଁ । ଅମୀର, ମୌଲବୀ, କାଜିମାନଙ୍କ ମନରେ ଏହା ସୃଷ୍ଟି କଲା ଘୋର ସନ୍ଦେହ । ଯେପରି ନିର୍ମମ, ନିଷ୍ପରୁଣ ଭାବରେ ଆଏତଗିନଙ୍କୁ କ୍ଷମତା ଲାଳସା ପାଇଁ ହତ୍ୟା କରାଗଲା, ସେଥିରେ ସୁଲତାନଙ୍କ ଭବିଷ୍ୟତ କାର୍ଯ୍ୟ ସଂପର୍କରେ ଦିଲ୍ଲୀରେ ସମସ୍ତଙ୍କ ମନରେ ସୃଷ୍ଟି ହେଲା ତୁମୁଳ ଆଶଙ୍କା ।

 

ଆଉ ଆଲତୁନିୟା...I

 

ସୁଲତାନାଙ୍କୁ ବନ୍ଦିନୀ କରି ଦିଲ୍ଲୀରେ ନୂତନ ସୁଲତାନଙ୍କ ଅଭିଷେକ ପାଇଁ ସେ ପଥ ସୁଗମ କରିଥିଲେ । ତାଙ୍କର ଶକ୍ତି, ସାମର୍ଥ୍ୟ ଯୋଗୁଁ ବଲବନ୍, ଆଏତଗିନଙ୍କ ସ୍ଵପ୍ନ ସଫଳ ହୋଇଥିଲା । ତାର ପ୍ରତିଦାନରେ ନୂତନ କ୍ଷମତା ଲାଭ କରିବାର ସ୍ୱପ୍ନ ଦେଖୁଥିଲେ ଆଲତୁନିୟା । କିନ୍ତୁ ଆଏତଗିନଙ୍କ ହତ୍ୟା ସମ୍ବାଦ ପାଇ ତାଙ୍କର ସେ ସ୍ଵପ୍ନ ଭଙ୍ଗ ହେଲା ।

 

ଆଏତଗିନ୍ ଥିଲେ ତାଙ୍କର ବିଶ୍ଵସ୍ତ ବନ୍ଧୁ ।

 

ତାଙ୍କୁ ହତ୍ୟା କରାଯିବା ପରେ ଦିଲ୍ଲୀରୁ ଆଉ କୌଣସି ନୂତନ ପୁରସ୍କାର ପାଇବାର ଲୋଭ ତାଙ୍କର ଲୋପ ପାଇଗଲା । ସେ ବୁଝିପାରିଲେ କ୍ଷମତା ଲଭର ସେ କୁଟିଳ ଷଡ଼ଯନ୍ତ୍ରରେ ଏକା ରେଜିୟା କିମ୍ଵା ଆଏତଗିନ୍ ନୁହନ୍ତି, ତାଙ୍କୁ ମଧ୍ୟ ହାରିଯିବାକୁ ହୋଇଛି ।

 

ଆଏତଗିନଙ୍କ ପରେ ତାଙ୍କୁ ହୁଏତ ବଲବନଙ୍କ ବିଷଦୃଷ୍ଟିରେ ପଡ଼ିବାକୁ ହେବ ।

 

ବଲବନଙ୍କ ଭଚ୍ଚାଭିଳାଷ, ଦୁରାକାଙକ୍ଷା, କୁଟନୀତି ସଂପର୍କରେ ସେ ସଂପୂର୍ଣ୍ଣ ଭାବରେ ଅବହିତ ଥିଲେ । ବଳବନଙ୍କ ପଥରେ ପ୍ରଧାନ ଅନ୍ତରାୟ ଥିଲେ ରେଜିୟା । ସେ ନିଜେ ନିଜର ନିର୍ବୋଧତା ଯୋଗୁଁ ବଲବନଙ୍କୁ ପଥରୁ ସେ ପ୍ରତିବନ୍ଧକରେ କଣ୍ଟକ ଅପସାରିତ କରି ଦେଇଛନ୍ତି । ବର୍ତ୍ତମାନ ତାଙ୍କୁ ନିଜକୁ ହୁଏତ ନିଜ ଭ୍ରମର ପ୍ରାୟଶ୍ଚିତ୍ତ ସ୍ୱରୂପ ସେହିଭଳି ଅପସରି ଯିବାକୁ ହେବ...-!

 

ଅନାଗତ ଭୟ, ଅନିଶ୍ଚିତ ଭବିଷ୍ୟତର ପରିକଳ୍ପନାରେ ଅଲତୁନିୟା ଶିହରି ଉଠିଲେ ।

 

ତାଙ୍କର ମନେହେଲା ରେଜିୟାଙ୍କ ବିରୁଦ୍ଧରେ ତାଙ୍କୁ ଉତ୍ତ୍ୟକ୍ତ କରିବା ପାଇଁ ଆଏତଗିନଙ୍କ ଦ୍ୱାରା ୟାକୁତଙ୍କ ସହ ଅବୈଧପ୍ରଣୟ ସମ୍ପର୍କରେ ଯେଉଁ ସଂବାଦ ପଠାଯାଇଥିଲା, ତାହା ହୁଏତ କୂଟଚକ୍ରୀ ବଲବନଙ୍କ କଳ୍ପନା ପ୍ରସୂତ... !

 

ଚଉରାଳିଶି

 

ବନ୍ଦୀଶାଳାର ସେହି ଅନ୍ଧକାରାଚ୍ଛନ୍ନ କକ୍ଷରେ ବସି ରହିଥିଲେ ରେଜିୟା ।

 

ମନର ବହୁ ଅବରୁଦ୍ଧ ଭାବନା ନିଷ୍ଫଳ ଦୀର୍ଘଶ୍ୱାସ ହୋଇ ତାଙ୍କ ନାସାରନ୍ଧ୍ରରୁ ନିର୍ଗତ ହେଉଥିଲା । ନିଜ ଶ୍ଵାସ, ପ୍ରଶ୍ୱାସର ଶବ୍ଦ ନିଜ କାନରେ ଶୁଣି ସେ ନିଜ ଅସହାୟା ଅବସ୍ଥା ସମ୍ପର୍କରେ ସଚେତନ ହେଉଥିଲେ ।

 

ଦିଲ୍ଲୀର ସୁଲତାନା ଆଜି ଆଜି ଭାତିନ୍ଦାର ବନ୍ଦୀଶାଳାରେ ବନ୍ଦିନୀ !

 

ଭାଗ୍ୟର କି ବିଚିତ୍ର ବିଡ଼ମ୍ବନା !

 

ନୂତନ ସୁଲତାନାଙ୍କ ଅଭିଷେକ, ଆଏତଗିନଙ୍କ ମୃତ୍ୟୁ ସମ୍ବାଦ ପ୍ରଭୃତି ତାଙ୍କ ପାଖରେ ପହଞ୍ଚିଥିଲା । ବଲବନଙ୍କ ଚକ୍ରାନ୍ତର ସ୍ଵରୂପ ମେଘମୁକ୍ତ ଚନ୍ଦ୍ରାଲୋକ ଭଳି ଉଭାସିତ ହୋଇ ଉଠୁଥିଲା ତାଙ୍କ ଦୃଷ୍ଟିର ପରିଧିରେ । ସେ ଅନୁଭବ କରୁଥିଲେ, ଆଲତୁନିୟାଙ୍କ ସୈନ୍ୟବଳ ପାଖରେ ନୁହେଁ, ବଲବନଙ୍କ ଚକ୍ରାନ୍ତ ପାଖରେ ହିଁ ସେ ପରାସ୍ତ ହୋଇ ଯାଇଛନ୍ତି ।

 

ବାହୁବଳ, ଯୁଦ୍ଧକୌଶଳ ଉପରେ ରାଜ୍ୟଜୟ କେବଳ ନିର୍ଭର କରେ ନାହିଁ । କୂଟନୀତି ଓ ଷଡ଼ଯନ୍ତ୍ର ଦ୍ଵାରା ମଧ୍ୟ ଏହା ସମ୍ଭବ । ବଲବନ୍ ସେ ଦୃଷ୍ଟିରୁ ବିଚକ୍ଷଣ ରାଜନୀତିଜ୍ଞ । ଯାହା ସେ ବିଦ୍ରୋହ କିମ୍ବା ଯୁଦ୍ଧ ଦ୍ଵାରା ପାରି ନ ଥାନ୍ତେ, ଆଲତୁନିୟାଙ୍କୁ ତାଙ୍କ ବିରୁଦ୍ଧରେ ଉତ୍ତେଜିତ କରି ସେ ତାହା କରି ପାରିଛନ୍ତି ।

 

ବଲବନଙ୍କ ଉପରେ କ୍ରୋଧ ବଦଳରେ ରେଜିୟାଙ୍କ ମନରେ ଶ୍ରଦ୍ଧା ହେଉଥିଲା ।

 

ଭାତିନ୍ଦାର ବନ୍ଦୀଶାଳାରେ ବନ୍ଦିନୀ ସୁଲତାନା ରାଗ କରି ଅବା ବଲବନଙ୍କର କି କ୍ଷତି କରିପାରନ୍ତେ !

 

ଆଖି ଆଗରେ ତାଙ୍କର ନାଚି ଉଠୁଥିଲା ମହମ୍ମଦ ଘୋରୀ, କୁତବୁଦ୍ଦିନ ଆଇବାକ୍, ପିତା ଇଲତୁମିସଙ୍କ ସେଇ ବୀରତ୍ୱର କାହାଣୀ, ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ପ୍ରସାର କରିବା ପାଇଁ ଆପ୍ରାଣ ଉଦ୍ୟମର ସ୍ମୃତି...ହୁଏ ତ ବଲବନଙ୍କ ଭଳି କ୍ଷମତାଲୋଭୀ ବ୍ୟକ୍ତି ହାତରେ ଦିଲ୍ଲୀ ସିଂହାସନ ପଡ଼ିଲେ ସେମାନଙ୍କର ସେ ସ୍ଵପ୍ନ ଅନତିବିଳମ୍ୱେ ବ୍ୟର୍ଥ ହୋଇଯିବ । କାରଣ ନିଜର ସଂକୀର୍ଣ୍ଣ ସ୍ଵାର୍ଥ ପାଇଁ ଯେ ପ୍ରଭୁଙ୍କ କନ୍ୟା ସହ ହୀନ ବିଶ୍ଵାସଘାତକତା କରିପାରେ, ସ୍ଵାର୍ଥରକ୍ଷା ପାଇଁ ତୁର୍କୀ ସାମ୍ରାଜ୍ୟ ସ୍ଵାର୍ଥ ସହ ମଧ୍ୟ ସେ ବିଶ୍ଵାସଘାତକତା କରିବା କିଛି ଅସମ୍ଭବ କଥା ନୁହେଁ... ।

 

ହୁଏତ ତୁର୍କୀମାନଙ୍କ ବଦଳରେ ଅନ୍ୟ କୌଣସି ଶକ୍ତି ହାତକୁ ଚାଲିଯିବ ଦିଲ୍ଲୀର ଶାସନ-

 

ନିଜ ପାଇଁ ନୁହେଁ; ହିନ୍ଦୁସ୍ଥାନରେ ତୁର୍କୀ ସାମ୍ରାଜ୍ୟର ପତନ କଥା ସ୍ମରଣ କରି ସେହି ଅନ୍ଧକାର କାରାଗୃହରେ ସୁଦ୍ଧା ଶିହରି ଉଠୁଥିଲେ ରେଜିୟା ।

 

ଏହି ସମୟରେ ବନ୍ଦୀଶାଳାର ବାହାର ଦରଜା ଖୋଲିବାର ଶବ୍ଦ ଶୁଣାଗଲା ।

 

ଅସମୟରେ କିଏ ସେ ଆସୁଛି !

 

ବିସ୍ମୟରେ ରେଜିୟା ନିକଟସ୍ଥ ସଳିତାରେ ଅଗ୍ନିସଂଯୋଗ କଲେ ।

 

କାରାକକ୍ଷରେ ଅନ୍ଧକାର ବିଦୀର୍ଣ୍ଣ କରି ଆଲୋକ ଉଭାସିତ ହୋଇ ଉଠିଲା ଏବଂ ସେଇ ଆଲୋକରେ ରେଜିୟା ଲକ୍ଷ୍ୟ କଲେ ମାଲିକ ଆଲତୁନିୟା ଧୀର ପଦକ୍ଷେପରେ ଅଗ୍ରସର ହେଉଛନ୍ତି କକ୍ଷ ମଧ୍ୟକୁ ।

 

ବନ୍ଦୀନୀ ହେବା ଦ୍ଵାରା ତାଙ୍କର ସମ୍ମାନରେ ଯେପରି କୌଣସି ଆଘାତ ଲାଗେ, ତାଙ୍କ ରହିବାରେ ଯେପରି କୌଣସି ଅସୁବିଧା ନ ଘଟେ, ସେଥିପ୍ରତି କଡ଼ା ଆଦେଶ ଦେଇଛନ୍ତି ଆଲତୁନିୟା । ସେଥିପାଇଁ ବନ୍ଦୀଶାଳାରେ ରହି ସୁଦ୍ଧା କୌଣସି ବନ୍ଦିନୀ-ସୁଲଭ ଅଭାବ-ଅସୁବିଧାର ସମ୍ମୁଖୀନ ସେ ହୋଇନାହାନ୍ତି । ସେଥିପାଇଁ ଆଲତୁନିୟାଙ୍କ ପାଖରେ ମନେ ମନେ ସେ କୃତଜ୍ଞ । କିନ୍ତୁ ଆଲତୁନିୟାଙ୍କ ସହ ଏଥିମଧ୍ୟରେ ଦିନେ ହେଲେ ସୁଦ୍ଧା ସାକ୍ଷାତ ହୋଇ ନାହିଁ । ସାକ୍ଷାତ ହେଲେ କିପରି ଭାବରେ ସେ ଆଲତୁନିୟାଙ୍କୁ ସମ୍ବର୍ଦ୍ଧନା ଜଣାଇବେ, ସେ କଥା ମଧ୍ୟ ଥରେ ହେଲେ ସେ ଚିନ୍ତାକରି ନାହାନ୍ତି । ତେଣୁ ଆକସ୍ମିକ ଭାବରେ ତାଙ୍କୁ ଏଭଳି ପରିସ୍ଥିତିରେ ଦେଖି ବିଚଳିତ ହୋଇ ପଡ଼ିଲେ ରେଜିୟା । କଅଣ କହିବେ, ସେ ବୁଝିପାରିଲେ ନାହିଁ ।

 

ଆଲତୁନିୟା ସେ ପ୍ରଦୀପ୍ତ କାରାକକ୍ଷରେ ଦଣ୍ଡାୟମାନ ରେଜିୟାଙ୍କୁ ଦେଖି ଠିଆ ହୋଇଗଲେ । ଆଗକୁ ଅଗ୍ରସର ହେବା ପାଇଁ ତାଙ୍କର ଆଉ ପାଦ ଚଳିଲା ନାହିଁ ।

 

ରକ୍ତ ରଙ୍ଗର ପୋଷାକ ପିନ୍ଧି ଠିଆ ହୋଇଥିଲେ ରେଜିୟା । ବନ୍ଦିନୀ ହୋଇଥିଲେ ବି ମୁହଁରେ ତାଙ୍କର ସେହି ସୁଲତାନା-ସୁଲଭ ପ୍ରସନ୍ନତା, ଯେଉଁ ମୁଖମଣ୍ଡଳର ଭଙ୍ଗୀ ସହିତ ସେ ଆବାଲ୍ୟରୁ ପରିଚିତ !

 

ସେ ଯେ ଭାତିନ୍ଦାର ବାଦଶାହା, ରେଜିୟା ତାଙ୍କର ବନ୍ଦିନୀ, ସେ କଥା ମୁହୂର୍ତ୍ତକ ପାଇଁ ବିସ୍ମୃତ ହୋଇ ଅଭିନନ୍ଦନ ସେ ଜଣାଇଲେ ରେଜିୟାକୁ ।

 

ସ୍ମିତମୁଖରେ ରେଜିୟା କହିଲେ, ମୁଁ ତମର ବନ୍ଦିନୀ ଆଲତୁନିଆ ! ଏ ଅଭିନନ୍ଦନ ମୋର ପ୍ରାପ୍ୟ ନୁହେଁ । ବନ୍ଦିନୀ କରି କଅଣ ତମର ମନ ତୃଷା ନିବୃତ୍ତ ହୋଇନାହିଁ, ମତେ ଅପମାନିତ କରି ତମେ ଆହୁରି ପ୍ରତିଶୋଧ ନେବାକୁ ଚାହଁ ?

 

ଆଲତୁନିୟାଙ୍କ କଣ୍ଠରୁ କୌଣସି ବାକ୍ୟ ସ୍ଫୂରିତ ହେଲା ନାହିଁ । ନିର୍ବାକ୍ ଭାବରେ ସେ ସେଠାରେ ଠିଆ ହୋଇ ରହିଲେ ।

 

ରେଜିୟା କହିଲେ, ଯାହାକୁ ଦିନେ ତମେ ପ୍ରେମ କରୁଥିଲ ବୋଲି ଗର୍ବ କରୁଥିଲ, ତାକୁ ହୀନ କାପୁରୁଷ ଭଳି ସନ୍ଦେହ କରିବାକୁ ମଧ୍ୟ ତମର ବିବେକକୁ ବାଧି ନ ଥିଲା । ନିରୀହ ପ୍ରଭୁଭକ୍ତ ୟାକୁତ୍କୁ ହତ୍ୟା କରି ଯୁଦ୍ଧକୌଶଳ ଶିକ୍ଷା ତମର ସାର୍ଥକ ହୋଇଛି, ଆଜି ଏ ବନ୍ଦୀଶାଳାରେ ମତେ ହତ୍ୟା କରି ତମେ ତମର ବୀରତ୍ଵର ସାର୍ଥକତା ପ୍ରମାଣିତ କରିପାର ।

 

ରେଜିୟାଙ୍କ ଅକ୍ଷେପୋକ୍ତି ଶୁଣି ନିର୍ବାକ ଆଲତୁନିୟାଙ୍କ ଦୁଇ ଚକ୍ଷୁ ହଠାତ୍ ସଜଳ ହୋଇ ଉଠିଲା ।

ସେ କମ୍ପିତ କଣ୍ଠରେ କହିଲେ, ମୁଁ ମୋର ଭ୍ରମ ବୁଖିପାରିଛି ରେଜିୟା ! ଆପଣ ଯାହା ଚାହିଁବେ ମୁଁ ତା କରିବାକୁ ପ୍ରସ୍ତୁତ... ।

ଶାହାଜାଦୀ କିମ୍ବା ସୁଲତାନା ନୁହେଁ; ତାଙ୍କର ପିତୃଦତ୍ତ ନାମରେ ଆଜି ତାଙ୍କୁ ସେ ସମ୍ବୋଧନ କରୁଛନ୍ତି ! ସେ ଯେ ଦିନେ ଥିଲେ ଏକ କ୍ରାତଦାସ ଆଉ ରେଜିୟା ପ୍ରଭୁକନ୍ୟା-ଏ ଆତ୍ମଗ୍ଲାନି ଭାତିନ୍ଦାର ଯୁଦ୍ଧକ୍ଷେତ୍ରର ରକ୍ତ-ନଦୀରେ ମନରୁ ଧୋଇ ଦେଇଛନ୍ତି ଆଲତୁନିୟା ।

ତାଙ୍କର ଏ ସମ୍ଭ୍ରବ-କ୍ରୋଧ ପାଇଁ ରେଜିୟା ମନେ ମନେ ଉଲ୍ଲେସିତା ହେଲେ ।

କହିଲେ, ମୁଁ ଯାହା ଚାହିଁବି, ତାହା ତମେ ମତେ ଦେଇ ପାରିବ ନାହିଁ ଆଲତୁନିୟା ! ସେଭଳି ଶପଥ ମୋ ଆଗରେ କରି ନିଜର ଦୁର୍ବଳତା ପ୍ରକାଶ କର ନାହିଁ । ମୁଁ ଯଦି ଚାହେଁ, ମତେ ମୋର ଦିଲ୍ଲୀ ସିଂହାସନ ଫେରାଇ ଦିଅ, ତାହା ତମେ ପାରିବ ? ଅଥଚ ଏଭଳି ଦାବୀ ତ ମୋର ଅଯୌକ୍ତିକ ନୁହେଁ !

ରେଜିୟାଙ୍କ କଥା ଶୁଣି ଆଲତୁନିୟାଙ୍କ ମୁହଁରେ ଏକ ବିପନ୍ନ, ଅସହାୟଭାବ ଫୁଟିଉଠିଲା ।

ରେଜିୟା ବିଦ୍ରୂପଭରା କଣ୍ଠରେ କହିଲେ, ମୋ ଠାରୁ ଯାହା ତମେ ଛଡ଼ାଇ ନେଇଛ, ତାହା ତମେ ମତେ ଫେରାଇ ଦେଇପାରିବ ନାହିଁ । ତାହା ମୁଁ ଜାଣେ । କାରଣ ଯାହା ତମେ ମୋ ଠାରୁ ଛଡ଼ାଇ ନେଲ, ତାର ଅଧିକାରୀ ହେବା ଭଳି ଯୋଗ୍ୟତା ତମର ନାହିଁ । ଦିଲ୍ଲୀ ସିଂହାସନ ଆଜି ଆଉ ଜଣେ ହୀନବୀର୍ଯ୍ୟ ପୁରୁଷର ଅଧିକାରକୁ ଯାଇଛି, ତମର ଦୂରଦୃଷ୍ଟି ଅଭାବରୁ । ଆଉ କଅଣ ଯାଚି ଦେବାପାଇଁ ଏ ସମୟରେ ତମେ ମୋ ପାଖକୁ ଆସିଛ ?

ତୀକ୍ଷ୍ଣ ତୀରର ଆଘାତଠାରୁ ବଳି ଆହୁରି ଯନ୍ତ୍ରଣାଦାୟକ ରେଜିୟାଙ୍କର ଏହି ଶାଣିତ ବିଦ୍ରୂପ । କିନ୍ତୁ ଆଲତୁନିୟା ସେ ବିଦ୍ରୂପର ଆଘାତ ରେଜିୟାଙ୍କୁ ଫେରାଇ ଦେଇପାରିଲେ ନାହିଁ । କାରଣ ବିଦ୍ରୂପ କରିବାର ଛଳନାରେ ରେଜିୟା ତାଙ୍କର ଯେଉଁ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ, ସେ ଦୁର୍ବଳତାର ମର୍ମଦାହୀ ଯନ୍ତ୍ରଣାରେ ସେ ନିଜେ ହିଁ ହୋଇଥିଲେ ଜର୍ଜ୍ଜରିତ ।

ସାହସ ସଂଗ୍ରହ କରି ସେ କହିଲେ; ଦିଲ୍ଲୀର ସିଂହାସନ ମୁଁ ଫେରାଇ ଦେଇପାରେ, ଯଦି ଆପଣ ଆଜି ମଧ୍ୟ ମୋର ଗୋଟିଏ ଅନୁରୋଧ ରକ୍ଷାକରନ୍ତି । ଆପଣଙ୍କ ସହଯୋଗ ପାଇଲେ ଯେ କୌଣସି ଅସାଧ୍ୟ ସାଧନ କରିବା ମଧ୍ୟ ମୋ ପକ୍ଷରେ ଅସମ୍ଭବ ନୁହେଁ... ।

ହସର ଆଉ ଏକ ପ୍ରଗଳଭ ତରଙ୍ଗ ନିଜ ଦୁଇ ଅଧରରେ ପ୍ଳାବିତ କରି ରେଜିୟା କହିଲେ, ବନ୍ଦିନୀର ସହଯୋଗ ! ଯାହାର ପ୍ରାଣରକ୍ଷା ତମର ଦୟା, ଅନୁକମ୍ପା, ମହାନୁଭବତା ଉପରେ ନିର୍ଭର କରୁଛି, ତା ଠାରୁ ସହଯୋଗ ଭିକ୍ଷା କରିବା ଲାଗି ତୁମ ନିଜ ସମ୍ମାନଙ୍କୁ ବାଧୁନାହିଁ ଆଲତୁନିୟା ?

ଏଥର ନିଜର ହାସ୍ୟ ସମ୍ଭରଣ କରିପାରିଲେ ନାହିଁ ଭାତିନ୍ଦାର ବାଦଶାହା ।

ହାସ୍ୟମୁଖର କଣ୍ଠରେ ସେ କହିଲେ, କୈଶୋରର ସେହି ସ୍ଵପ୍ନିଳ ଦିନଗୁଡ଼ିକରୁ ଆପଣ ମତେ ନିଜ ପ୍ରଣୟରେ ବନ୍ଦୀକରି ରଖିଛନ୍ତି ରେଜିୟା ! ଆଜି ଯଦି ସେ ପ୍ରଣୟକୁ ପରିଣୟରେ ପରିଣତ କରିବା ପାଇଁ ମୁଁ ଆପଣଙ୍କୁ ଦିନ କେତୋଟି ପାଇଁ ଭାତିନ୍ଦାର ଏ ପ୍ରସ୍ତର ନିର୍ମିତ ଗୃହରେ ବନ୍ଦିନୀ କରି ରଖିଥାଏ, ତାହା କଅଣ ଏକ ଅକ୍ଷମଣୀୟ ଅପରାଧ ! ବିଦ୍ରୋହ କରି ନଥିଲେ ଦିଲ୍ଲୀ ଛାଡ଼ି ଆପଣ କେବେ ଭାତିନ୍ଦା ଆସି ନ ଥାନ୍ତେ, ଆପଣଙ୍କୁ ଏଭଳି ନିର୍ଜ୍ଜନ ପରିବେଶରେ ନିକଟରେ ପାଇବାର ସୁଯୋଗ ମୋର କେବେହେଲେ ହୋଇ ନ ଥାନ୍ତା । ଅତୀତରେ ଯେବେ ହେଲେ ବିବାହକଥା ଉଠାଇଲେ ଅମୀରମାନେ ତାକୁ ଭୁଲ୍ ବୁଝିବେ ବୋଲି ଯୁକ୍ତି କରି ଆପଣ ସେ ପ୍ରସ୍ତାବ ଏଡ଼ାଇ ଆସିଛନ୍ତି...ଆଜି ଯଦି ଆପଣ ବିବାହ ପାଇଁ ରାଜି ହୁଅନ୍ତି, ସେଭଳି ଭୁଲ୍ ବୁଝାମଣାର ଅବକାଶ କିଛି ରହିବ ନାହିଁ...ଆଉ ବିବାହ ପରେ ଆମ ଦୁଇ ଶକ୍ତି ମିଳିତ ହେଲେ ପୃଥିବୀର କୌଣସି ଶକ୍ତି ନାହିଁ ଦିଲ୍ଲୀକୁ ଆମଠାରୁ ଦୂରରେ ରଖିବ... !

ବନ୍ଦୀନୀ ସହ ବିବାହ ପ୍ରସ୍ତାବ !

ଆଲତୁନିୟାଙ୍କ ମୁହଁରେ ପ୍ରସ୍ତାବଟି ଶୁଣି ଏକ ଅନାସ୍ଵାଦିତ ସ୍ୱାଦର ଆସ୍ଵାଦନରେ ରେଜିୟାଙ୍କ ଦେହମନ ରୋମାଞ୍ଚିତ ହୋଇ ଉଠିଲା । ଆଲତୁନିୟା ଲକ୍ଷ୍ୟକଲେ ତାଙ୍କର ଗୌର ମୁଖ ମଣ୍ଡଳରେ ଫୁଟି ଉଠିଛି ଲଜ୍ଜାର ଆରୁଣିମା । ବୀଡ଼ାବନତ ଦୁଇଚକ୍ଷୁରେ ସ୍ଵୀକୃତିର ସ୍ଵାକ୍ଷର !

ଜୀବନରେ ଅନେକ ଥର ରେଜିୟାଙ୍କୁ ନିକଟର ସେ ଦେଖିଛନ୍ତି । କେତେ ବେଶ, କେତେ ପରିବେଶରେ । କିନ୍ତୁ ନିର୍ଜ୍ଜନ କାରାକକ୍ଷର ସେଇ ସ୍ଵଳ୍ପାଲୋକିତ ପରିବେଶରେ ରେଜିୟାଙ୍କ ମୁହଁରେ ଯେଉଁ ବିଚିତ୍ର ସୁଷମାର ସମାରୋହ ହୋଇଥିଲା, ଆଲତୁନିୟାଙ୍କ ଦୃଷ୍ଟିରେ ତାହା ଏହି ପ୍ରଥମ !

ରାଜା ନିଶିଥର ଚନ୍ଦ୍ର ଭଳି ସେହି ବର୍ତ୍ତୁଳ ମୁଖମଣ୍ଡଳ, ଜ୍ୟୋତି ବିକୀରଣ କରୁଥିବା ସେଇ ଦୁଇ ମୀନ-ନୟନ, କେଉଁ କୁଶଳୀ ଶିଳ୍ପୀ ହସ୍ତ ଅଙ୍କିତ ସେ ଶାୟକ ସଦୃଶ ଭ୍ରୂଲତା, ଶ୍ଵେତ କଇଁ ରକ୍ତଗୋଲାପର ମିଶ୍ରିତ ଅଙ୍ଗରାଗ, ପ୍ରଦୀପର ସ୍ତିମିତ ଆଲୋକରେ ବିଦ୍ୟୁଲ୍ଲତା ଭଳି ଝଲସିତ ହେଉଥିଲା ।

ସନ୍ନିକଟବର୍ତ୍ତୀ ହୋଇ ରେଜିୟାଙ୍କ ଅଙ୍ଗସ୍ପର୍ଶ କଲେ ଆଲତୁନିୟା ।

ଅନେକ ଦିନର ସଞ୍ଚିତ ଅନୁଭୂତି ଅତୀତ ସ୍ମୃତିରେ ପାହାଚରେ ପାଦ ରଖି ଅବତରଣ କରି ଆସିଲା ଦୁହିଙ୍କ ମନ ଭିତରକୁ । ଆବେଗ ରୋମାଞ୍ଚର ସେଇ ସ୍ପର୍ଶାନୁଭୂତିକୁ ଅତିକ୍ରମ କରି ଆଲତୁନିୟା, ରେଜିୟାଙ୍କ ପାପୁଲି ଉପରେ ନିଜର ହାତ ପାପୁଲି ସ୍ଥାପନ କଲେ ।

ମନରେ ନୂତନ ସାହାସ ସଞ୍ଚୟ କରି ସେ କହିଲେ, ଆମ ଦୁଇ ମିଳିତ ହାତର ବଦ୍ଧ ମୁଷ୍ଟିରେ ସମସ୍ତ ପ୍ରତିବନ୍ଧକ ଚୂର୍ଣ୍ଣ ବିଚୂର୍ଣ୍ଣ ହେବ ରେଜିୟା ! ଆମେ ଦୁହେଁ ମିଳିତ ହୋଇଛୁ ଶୁଣିଲେ ଦିଲ୍ଲାର ପ୍ରଜା, ସିପାହୀ ଆମ ପଛରେ ଆସି ଠିଆହେବେ । ଆମ ଦୁହିଁଙ୍କ ମିଳିତ ଶକ୍ତିର ସ୍ରୋତ କୌଣସି ବାଧା ନମାନି ବହି ଯିବ ଭାତିନ୍ଦାରୁ ଦିଲ୍ଲୀ...ତାପରେ ସେ ସ୍ରୋତର ପ୍ଳାବିତ ହେବ ସମଗ୍ର ହିନ୍ଦୁସ୍ଥାନ !

ରେଜିୟା ମୃଗ୍ଧ ଦୃଷ୍ଟିରେ ଚାହିଁଲେ ଆଲତୁନିୟାଙ୍କ ମୁହଁକୁ ।

ନୂତନ ସଂକଳ୍ପ, ନୂତନ ଶକ୍ତି, ନୂତନ ସ୍ଵପ୍ନର ଆଲୋକରେ ତାଙ୍କର ଆଖି ଡୋଳା ଦୁଇଟି ଚିକ୍ ଚିକ୍ କରୁଛି । ଆଲତୁନିୟାଙ୍କ ସେ ଦୃଷ୍ଟିର ଆଲୋକରେ ତାଙ୍କ ମନର ସମସ୍ତ ଅନ୍ଧକାର ଦୂର ହୋଇ ଯାଇଛି ।

କିଛି ନ କହି ନୀଡ଼ାଶ୍ରୟୀ ବିହଙ୍ଗୀଟି ଭଳି ଆଲତୁନିୟାଙ୍କ ବକ୍ଷରେ ସେ ନିଜ ମୁହଁକୁ ଚାପିଧରିଲେ ।

 

ଶେଷ

 

ରେଜିୟା ଓ ଆଲତୁନିୟାଙ୍କ ବିବାହ ସଂବାଦ ଭାତିନ୍ଦା ଓ ଦିଲ୍ଲୀର ଜନତା ମଧ୍ୟରେ ସୃଷ୍ଟି କରିଥିଲା ନୂତନ ଉଦ୍ଦିପନା, ସଂଚାରିତ କରିଥିଲା ନୂତନ ଆଶା । ଭାତିନ୍ଦାଠାରେ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିବା ବହୁ ବାଦଶାହା, ନବାବ୍, ଅମୀର୍, ମାଲିକ-ନୂତନ ଦମ୍ପତ୍ତିଙ୍କ ପ୍ରତି ପ୍ରକାଶ କରିଥିଲେ ନିଜର ସମର୍ଥନ, ନିବେଦନ କରିଥିଲେ ନିଜର ସାହାଯ୍ୟ ସହଯୋଗ । ବିଶେଷ କରି ଯେଉଁ ହିନ୍ଦୁ ରାଜାମାନେ ଦିଲ୍ଲୀ ସିଂହାସନରେ ଏକ ରକ୍ଷଣଶୀଳ ତୁର୍କୀ ମୁସଲମାନ ସୁଲତାନଙ୍କ ସିଂହାସନ ଆରୋହଣରେ ଅଶ୍ୱସ୍ତି ଅନୁଭବ କରୁଥିଲେ, ସୁଲତାନା ରେଜିୟାଙ୍କ ପ୍ରତି ସେମାନଙ୍କ ପକ୍ଷରୁ ପ୍ରକାଶ ପାଇଥିଲା ଆକୁଣ୍ଠିତ ସମର୍ଥନ । କାରଣ ମୁସଲମାନ ମହିଳା ହେଲେ ବି ହିନ୍ଦୁ ଧର୍ମ ପତି ତାଙ୍କର ସହିଷ୍ଣୁତା, ଜିଜିୟା କର ଉଚ୍ଛେଦ, ହିନ୍ଦୁ ରାଜା ମହାରାଜାଙ୍କ ମନରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ଶ୍ରଦ୍ଧା ଆଣି ଦେଇଥିଲା । ରେଜିୟା ପୁଣି ଦିଲ୍ଲୀ ସିଂହାସନ ଫେରି ପାଇଲେ ସେମାନେ ଅନ୍ତତଃ ନିଶ୍ଚିନ୍ତହେବେ, ଏଥିପାଇଁ ଆଗ୍ରହରେ ରେଜିୟାଙ୍କ ଆଡ଼କୁ ସେମାନେ ସହଯୋଗର କର ପ୍ରସାରଣ କରିଥିଲେ !

ଆଉ ବଲବନ୍ ! ସୁଲତାନ୍ ବରହାମ୍ !

ଆଲତୁନିୟା ଓ ରେଜିୟାଙ୍କ ମିଳିତ ଶକ୍ତିର ଆହ୍ୱାନ ସେମାନଙ୍କୁ ଅଜ୍ଞାତ ନଥିଲା ।

ରେଜିୟା ଓ ଆଲତୁନିୟା ବିବାହ ଫଳରେ ଦିଲ୍ଲୀର ହିନ୍ଦୁ ପ୍ରଜାମାନଙ୍କ ମଧ୍ୟରେ ଯେଉଁ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଥିଲା, ସେଥିରୁ ସେମାନେ ବୁଝି ପାରିଥିଲେ ଯେ ସେମାନଙ୍କୁ କେବଳ ରାଜ୍ୟରକ୍ଷା ପାଇଁ ନୁହେଁ, ଧର୍ମରକ୍ଷା ପାଇଁ ମଧ୍ୟ ଲଢ଼େଇ କରିବାକୁ ହେବ ।

ତାପରେ ଦିଲ୍ଲୀରେ ସମ୍ବାଦ ପହଞ୍ଚିଲା, ଭାତିନ୍ଦାର ବିରାଟ ବାହିନୀ ସହିତ ହିନ୍ଦୁ ଖୋକର୍, ଜାଠ୍ ଓ ରାଜପୁତ ସୈନ୍ୟମାନେ ଯୋଗ ଦେଇଛନ୍ତି ।

ଆଲତୁନିୟା ଓ ରେଜିୟାଙ୍କ ସହ ଏହି ହିନ୍ଦୁ ସୈନ୍ୟବାହିନୀର ସଂଯୋଗ ସେମାନଙ୍କ ପାଇଁ ମନେ ହେଲା ଏକ ଜେହାଦ ଭଳି । ନିଜ ଭିତରେ ଥିବା ସମସ୍ତ ବିଭେଦ ଭୁଲି ଦିଲ୍ଲୀର ଅମୀର, ମାଲିକ, ମୌଲବୀମାନେ ସୁଲତାନଙ୍କ ପଛରେ ଠିଆହେଲେ । ପବିତ୍ର କୋରାନ୍ ଛୁଇଁ ସମସ୍ତ ସୈନ୍ୟ ଶପଥ କଲେ; ଇସଲାମର ସୁରକ୍ଷା ପାଇଁ ସେମାନେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବେ, ଜଣେ ଜୀବିତ ଥିବା ପର୍ଯ୍ୟନ୍ତ ଆଲତୁନିୟା କିମ୍ବା ରେଜିୟା-କେହି ହେଲେ ସୀମା ଅତିକ୍ରମ କରି ପାରିବେ ନାହିଁ ।

ଇସଲାମ୍ ବିପନ୍ନ–ଏହାହିଁ ଥିଲା ସୁଲତାନଙ୍କ ସେନାନାୟକ ବଲବନଙ୍କର ପ୍ରଧାନ ଧ୍ୱନି-

ସତେ ଯେପରି ସେମାନେ ଆଲତୁନିୟା-ରେଜିୟାଙ୍କ ଭଳି ଦୁଇଜଣ ବିଦ୍ରୋହୀ ମୁସଲମାନ ନୁହନ୍ତି, କୌଣସି ହିନ୍ଦୁ ସମ୍ରାଟଙ୍କ ସୈନ୍ୟ ବାହିନୀର ସମ୍ମୁଖୀନ ହେବାକୁ ଯାଉଛନ୍ତି !

ବଲବନଙ୍କ ଏହି ଜୋହାଦ୍ ଡାକରା ସୁଲତାନଙ୍କ ସୈନ୍ୟ ବାହିନୀରେ ଆଣି ଦେଲା ଅପୂର୍ବ ଏକତା, ସେମାନଙ୍କ ମଧ୍ୟରେ ସୃଷ୍ଟିକଲା ନୂତନ ଉନ୍ମାଦନା । କେବଳ ମାଲିକ କ୍ୱାରକାଶ୍ ଓ ମାଲିକ ସାଲାରୀଙ୍କ ଭିନ୍ନ ଆଉ ସମସ୍ତ ଅମୀର୍, ଅନୁଗତ ନବାବ୍ ସୁଲତାନଙ୍କ ସହ ସହଯୋଗ କଲେ ଇସଲାମ ବିପନ୍ନ ହେବା ଧ୍ୱନି ଶୁଣି ।

ଦାଲ୍ଲୀ ଯିବାର ଅର୍ଦ୍ଧ ପଥରେ ଦୁଇ ପକ୍ଷର ସୈନ୍ୟ ପରସ୍ପରର ସମ୍ମୁଖୀନ ହେଲେ ।

ଭୀଷଣ ରକ୍ତାକ୍ତ ସଂଗ୍ରାମ ପରେ ଭାତିନ୍ଦାର ସୈନ୍ୟ ପଛଘୁଞ୍ଚା ଦେବାକୁ ଲାଗିଲେ । ସେମାନଙ୍କ ସୈନ୍ୟବାହିନୀ ଠାରୁ ସୁଲତାନଙ୍କ ସୈନ୍ୟବାହିନୀ ଥିଲେ ସଂଖ୍ୟାଧିକ ଆଉ ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ । ତିନିପଟର ମିଳିତ ଆକ୍ରମଣ ଫଳରେ ପ୍ରତିରୋଧର ଶକ୍ତି ହରାଇ ସୁଲତାନଙ୍କ ଦ୍ୱାରା ନିହତ ହେଲେ ଆଲତୁନିୟା ।

ରେଜିୟାଙ୍କ ଶିବିରରେ ପରାଜୟର ସତର୍କ ଘଣ୍ଟା ବାଜି ଉଠିଲା ।

ଭାତିନ୍ଦାର ଯୁଦ୍ଧ କ୍ଷେତ୍ରରେ ୟାକୁତକୁ ହରାଇ ରେଜିୟା ଯେପରି ଶକ୍ତିହୀନା ହୋଇ ପଡ଼ିଥିଲେ, ଦିଲ୍ଲୀର ଯୁଦ୍ଧ କ୍ଷେତ୍ରରେ ନିଜର ସ୍ୱାମୀ ଆଲତୁନିୟାଙ୍କୁ ହରାଇ ସେ ସେହିଭଳି ନିଃସହୟା ବୋଧ କଲେ । ତାଙ୍କୁ ଚାରିଆଡ଼ୁ ଅନ୍ଧକାର ଦେଖାଗଲା । ପ୍ରବଳ ପରାକ୍ରମରେ ଅଶ୍ୱାରୋହଣ କରି ଶତ୍ରୁ ସଂହାର କରୁଥିବା ବେଳେ ରେଜିୟା ଆଲତୁନିୟାଙ୍କ ଶୋଚନୀୟ ମୃତ୍ୟୁ ଦେଖି ଦୁର୍ବଳତା ଅନୁଭବ କଲେ ।

ଚାହିଁ ଦେଖିଲେ, ଦିଲ୍ଲୀ ଆହୁରି ଅନେକ ଦୁର... !

ତାଙ୍କ ମୁହଁରେ ଏକ ମ୍ଳାନ ହାସ୍ୟରେଖା ଅଙ୍କିତ ହୋଇ ପୁଣି ଲିଭିଗଲା ।

ତାଙ୍କର ମନେ ହେଲା, ଦିଲ୍ଲୀ ବହୁ ସିଂହସାନ-ଲୋଭୀ ବ୍ୟକ୍ତିଙ୍କ ପାଇଁ ଏକ ମାୟା-ମରିଚିକା ! ଏହି ଦିଲ୍ଲୀ ସିଂହସାନ ଲୋଭରେ ଶକ, ହୁନ୍, ମୋଙ୍ଗଲ, ପଠାଣ-କେତେ ବୀର ପୁରୁଷ ଦୁର୍ଲ୍ଲଂଘ୍ୟ ପଥ ଅତିକ୍ରମ କରି ଆସିଛନ୍ତି । କିଛିଦିନ ଦିଲ୍ଲୀକୁ ଜୟ କରିଥିବାର ଆତ୍ମଶ୍ଳାଘା ଅନୁଭବ କରି ପୁଣି ମହାକାଳର ଆହ୍ଵାନରେ କାଳର ଗର୍ଭରେ ଲୀନ ହୋଇ ଯାଇଛନ୍ତି ।

ସେମାନେ ସମସ୍ତେ ଯାଇଛନ୍ତି; ରହିଛି କିନ୍ତୁ ଦିଲ୍ଲୀ, ପୁଣି ତାଙ୍କ ଭଳି ନୂତନ ସିଂହାସନ ଲୋଭୀ ନାରୀ, ପୁରୁଷଙ୍କ ମନରେ ମୃଗତୃଷ୍ଣା ସୃଷ୍ଟି କରିବା ପାଇଁ !

ଅସ୍ତ୍ର ତ୍ୟାଗକରି ଆତ୍ମ ସମର୍ପଣ କରିବାକୁ ବିଜୟୀ ସୁଲତାନ ଆହ୍ଵାନ କରୁଛନ୍ତି ତାଙ୍କୁ । କିନ୍ତୁ ସେ ଆହ୍ଵାନରେ କର୍ଣ୍ଣପାତ କରିବାକୁ ସେ ରାଜି ନୁହଁନ୍ତି ।

ଜଣକ ପରେ ଜଣେ, ଦଳକ ପରେ ଦଳେ ସୈନ୍ୟ ଭୂଲୁଣ୍ଠିତ ହେଉଛନ୍ତି । ରେଜିୟା କିନ୍ତୁ ନିର୍ବିକାର । ତାଙ୍କ ଅସ୍ତ୍ର ଚାଳନାରେ ବିରତି ନାହିଁ । ଅଦ୍ଭୂତ, ଆଶ୍ଚର୍ଯ୍ୟ ଏକ ନାରୀ ! ହିନ୍ଦୁସ୍ଥାନ ବହୁ ଯୁଦ୍ଧ ଦେଖିଛି, ବହୁ ବୀର ପୁରୁଷଙ୍କ ରକ୍ତରେ ଧୌତ କରିଛି ନିଜର ଧୂସର ମୃତ୍ତିକା । କିନ୍ତୁ ରେଜିୟାଙ୍କ ଭଳି ରଣ କାଙ୍ଗାଳିନୀ, ବୀରା ନାରୀର ଶେଷହୀନ ସଂଗ୍ରାମ ଲକ୍ଷ୍ୟ କରିବା ହିନ୍ଦୁସ୍ଥାନ ପକ୍ଷରେ ଏହି ପ୍ରଥମ !

ସୂର୍ଯ୍ୟାସ୍ତ ବେଳକୁ ରେଜିୟା ଦେଖିଲେ; ତାଙ୍କ ସୈନ୍ୟବାହିନୀ ସମ୍ପୂର୍ଣ୍ଣ ଭାବରେ ବିଧ୍ଵସ୍ତ । ବିଜୟର ଆଉ ଅଣୁମାତ୍ର ସୁଦ୍ଧା ସମ୍ଭାବନା ନାହିଁ । ତଥାପି ତାଙ୍କ ମୁହଁରେ ଭୟ କିମ୍ବା ଦୁଃଖର ଚିହ୍ନ ଫୁଟିଲା ନାହିଁ । ଶେଷଥର ପାଇଁ ଅଶ୍ଵ ପୃଷ୍ଟରୁ ଅବତରଣ କରି ହିନ୍ଦୁସ୍ଥାନର ସେ ପବିତ୍ର ଧୂଳିକଣା ନିଜ କପୋଳରେ ମଣ୍ଡନ କଲେ । ସ୍ୱର୍ଣ୍ଣପ୍ରସୁ ହିନ୍ଦୁସ୍ଥାନ ଆଉ ତାର ରାଜଧାନୀ ଦିଲ୍ଲୀ ଉଦ୍ଦେଶ୍ୟରେ ଶେଷ କୁର୍ଣ୍ଣିସ୍ ଜଣାଇ ସେ ଅସ୍ତ୍ର ତ୍ୟାଗ କଲେ ।

ଚାହୁଁ ଚାହୁଁ ଶତୃପକ୍ଷର ଏକ ତୀକ୍ଷ୍ଣ ତୀର ଛୁଟି ଆସି ତାଙ୍କ ବକ୍ଷ ବିଦୀର୍ଣ୍ଣ କଲା ।

ଛଅଶହ ଏକଚାଳିଶି ହିଜିରିର ଏକ ଅବିସ୍ମରଣୀୟ ଆଶ୍ୱୀନ ଗୋଧୂଳିରେ ହିନ୍ଦୁସ୍ଥାନର ମୃତ୍ତିକା ଆଲିଙ୍ଗନ କରି ଶେଷଥର ପାଇଁ ନୟନ ମୁଦ୍ରିତ କଲେ ରେଜିୟା; ଜିମ୍ମି କାଫେରର ଆଘାତରେ ନୁହେଁ; ମହମ୍ମଦଙ୍କ ପରମଭକ୍ତ; କୌଣସି ଜଣେ ସମଧର୍ମୀ ଆତତାୟୀର ତୀରାଘାତରେ !!!

ତ୍ରୟୋଦଶ ଶତାବ୍ଦୀର ସେହି ଷଡ଼ଯନ୍ତ୍ର-ଜଟିଳ ବିସର୍ପିଳ ଇତିହାସ ଅନ୍ୟ ଏକ ବକ୍ରପଥ ଦେଇ ସେ ଯୁଦ୍ଧ ପ୍ରାଙ୍ଗଣରୁ ଦ୍ରୁତ ବେଗରେ ଗତିକଲା ପୁଣି ଆଉ ବହୁ ଅନାଗତ ଘଟଣା-ଦୁର୍ଘଟଣାକୁ ନିଜ ଗର୍ଭରେ ଧାରଣ କରିବା ପାଇଁ !!!

ଫ୍ରାନସିସ୍ ପ୍ୟାଲ୍‍ ଗ୍ରେଭଙ୍କ ଏକ ଉକ୍ତି ଉଦ୍ଧାରକରି ରବିନ୍ଦ୍ରନାଥ ଥରେ ଲେଖିଥିଲେ, ଐତିହାସିକ ଉପନ୍ୟାସ ଯେପରି ଗୋଟିଏ ଦିଗରୁ ଇତିହାସର ଶତ୍ରୁ, ଅନ୍ୟ ପକ୍ଷରେ ଗଳ୍ପର ମଧ୍ୟ ସେହିପରି ରିପୁ-ସଦୃଶ । ଅର୍ଥାତ୍ ଉପନ୍ୟାସ କାହାଣୀର ବିକାଶ ପାଇଁ ଇତିହାସକୁ ଯେପରି ଆଘାତ କରେ, ସେହି ଆହତ ଇତିହାସ ମଧ୍ୟ ଉପନ୍ୟାସର କଥାବସ୍ତୁକୁ ନଷ୍ଟ କରି ଦିଏ । ଏହାଦ୍ଵାରା ଉପନ୍ୟାସର ଶ୍ୱଶୁର କୁଳ ଓ ପିତୃକୂଳ-ଦୁଇକୁଳ ଭ୍ରଷ୍ଟ ହୁଏ !

ଐତିହାସିକ ଉପନ୍ୟାସ ସମ୍ପର୍କରେ ଏପରି ସନ୍ଦେହ ଅନେକ ପରିମାଣରେ ଯଥାର୍ଥ । ଗଳ୍ପର ଚମତ୍କାରୀତା ଏବଂ କଥାବସ୍ତୁର ସ୍ଵଚ୍ଛନ୍ଦ ବିକାଶ ପାଇ ଔପନ୍ୟାସିକ ଅନେକ ସମୟରେ ଐତିହାସିକ ସତ୍ୟକୁ ନିଜ କଳ୍ପନାର ସ୍ରୋତରେ ଭସାଇ ଦେବାକୁ ପ୍ରଲୁବଧ ହୁଏ । ଫଳରେ ଇତିହାସ କୈନ୍ଦ୍ରିକ କାଳ୍ପନିକ ଉପନ୍ୟାସର ସୃଷ୍ଟି ହୁଏ ସିନା, ଐତିହାସିକ ଉପନ୍ୟାସ କହିଲେ ଯାହା ବୁଝାଏ, ତାହା ହୁଏ ନାହିଁ । ଓଡ଼ିଆ ସାହିତ୍ୟରେ ସ୍ମରଣୀୟ ଐତିହାସିକ ଉପନ୍ୟାସର ସଂଖ୍ୟା ନିତ୍ୟାନ୍ତ ଅଳ୍ପ ନୁହେଁ । ଉପନ୍ୟାସ ଦୃଷ୍ଟିରୁ ସେ ଗୁଡ଼ିକ ହେଉଛନ୍ତି ସାର୍ଥକ ସୃଷ୍ଟି । କିନ୍ତୁ ଇତିହାସର ସତ୍ୟତା ଦୃଷ୍ଟିରୁ ଦେଖିଲେ, ସେ ଉପନ୍ୟାସ ସବୁ ଆକ୍ଷରିକ ଅର୍ଥରେ ଠିକ୍ ଐତିହାସିକ ନୁହନ୍ତି !

ଆଉ ଅନେକ ସମାଲୋଚକମାନଙ୍କର ମତ, ନୂତନ ମୌଳିକ ସୃଷ୍ଟି ଶକ୍ତିର ଉତ୍ସ ଯେତେବେଳେ ଔପନ୍ୟାସିକ ମଧ୍ୟରେ ଶୁଷ୍କ ହୋଇଯାଏ, ଅତୀତ ଇତିହାସର ସର୍ବଜନ ବିଦିତ କାହାଣୀ ଉପରେ ହାତ ଭରା ଦେଇ ସେ ନିଜର ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରେ । ନିଜର ଶୁଷ୍କ-ପ୍ରାୟ ସୃଜନୀଶକ୍ତି ସହିତ ଅତୀତ ଇତିହାସର ଗୌରବକୁ ମିଶାଇ ପାଠକ ମନରେ ଏକ ନୂତନ ରସର ସଂଚାର କରିବା ସେତେବେଳେ ଔପନ୍ୟାସିକର ଲକ୍ଷ୍ୟ ହୁଏ । ସେ ଦୃଷ୍ଟିରୁ ମୌଳିକ ଉପନ୍ୟାସ ଲେଖକ ପକ୍ଷରେ ଐତିହାସିକ ଉପନ୍ୟାସ ରଚନା ତାର ମୌଳିକ ସୃଷ୍ଟି ଶକ୍ତି ପରିସମାପ୍ତିର ସତର୍କ ଘଣ୍ଟା ଧ୍ୱନି !

‘ସୁଲତାନା’ ରଚନା କାଳରେ ଏ ସମସ୍ତ ଯୁକ୍ତି ମୁଁ ବିଚାର କରି ଦେଖିଛି । ସାମାଜିକ ଉପନ୍ୟାସ ରଚନା ମଧ୍ୟରେ ସାମୟିକ ବିରତିର ଆବଶ୍ୟକତା ଅନୁଭବ କରି ମୁଁ ଏହା ଐତିହାସିକ ଉପନ୍ୟାସ ରଚନାରେ ହାତ ଦେଇଛି । ମଧ୍ୟ ଯୁଗୀୟ ଭାରତବର୍ଷର ଏକ ଗୌରବୋଜ୍ଜ୍ଵଳ ଅଧ୍ୟାୟକୁ ଆଧୁନିକ ଯୁଗର ପାଠକ ଆଗରେ ତୋଳି ଧରିବା ଏ ଉପନ୍ୟାସର ଲକ୍ଷ୍ୟ; କୌଣସି ନୂତନ ରସର-ରହସ୍ୟ ସୃଷ୍ଟି କରିବା ନୁହେଁ ।

ସାର୍ଥକ ଉପନ୍ୟାସ ହେଉ କି ନ ହେଉ- “ସୁଲତାନା”କୁ ଏକ ତଥ୍ୟାଶ୍ରୟୀ ଐତିହାସିକ ଉପନ୍ୟାସ ଭାବରେ ରୂପ ଦେବାଲାଗି ଆନ୍ତରିକ ଉଦ୍ୟମ କରିଛି ବୋଲି ପାଠକମାନେ ଅନୁଭବ କଲେ ମୁଁ ତୃପ୍ତଲାଭ କରିବି । ଐତିହାସିକ ତଥ୍ୟକୁ ବିକୃତ ନକରି ଏକ ସଜୀବ ଉପନ୍ୟାସ ସୃଷ୍ଟି ପାଇଁ ଇତିହାସର ଅସ୍ଥି କଙ୍କାଳରେ ଯେତିକି କାଳ୍ପନିକ ରକ୍ତ-ମାଂସର ସମାବେଶ କରାଇବା ଦରକାର-କାଳ୍ପନିକତାର ସେହି ସର୍ବନିମ୍ନ ସ୍ଵାଧୀନତା ମାତ୍ର ମୁଁ ଏ ଉପନ୍ୟାସରେ ବିନିଯୋଗ କରିଛି-

ଯେଉଁମାନଙ୍କ ଇତିହାସ ଗ୍ରନ୍ଥ ଓ ଐତିହାସିକ ତଥ୍ୟର ଭିତ୍ତିଭୂମି ଉପରେ ଏ ଉପନ୍ୟାସର କଥାବସ୍ତୁ ନିର୍ମିତ; ସେମାନେ ହେଲେ ଡକ୍ଟର ରଫିକ ଜାକରିୟା, ଐତିହାସିକ ରମେଶ ଚନ୍ଦ୍ର ମଜୁମଦାର ଓ ପ୍ରଫେସର ଏ. ବି. ଏମ୍. ହାବିବୁଲ୍ଲା । ବିଶେଷ କରି ଡକଟର ରଫିକ୍ ଜାକରିୟାଙ୍କ ଲିଖିତ “ରେଜିୟା” କୁଇନ୍ ଅଫ୍ ଇଣ୍ଡିଆ” ଗ୍ରନ୍ଥର ତଥ୍ୟ ଓ ଘଟଣା ସମାବେଶ ଉପରେ ଏ ଉପନ୍ୟାସ ବହୁ ପରିମାଣରେ ନିର୍ଭରଶୀଳ । ଏ ଉପନ୍ୟାସ ପ୍ରକାଶ ଅବସରରେ ସେମାନଙ୍କ ପାଖରେ ମୋର ଏହି ଋଣ ମୁଁ ସକୃତଜ୍ଞ ଚିତ୍ତରେ ସ୍ମରଣ କରୁଛି ।

ତା ୨୮-୪-୬୭

ବିଭୂତି ପଟ୍ଟନାୟକ

କାଳିଗଳି, କଟକ-୨

 

Image